ଶୋଭନେଶ୍ୱର ଦେଉଳ, ନିଆଳି
ଶୋଭନେଶ୍ୱର ଦେଉଳ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କଟକ |
Location | |
ସ୍ଥାନ | ନିଆଳି |
Country | India |
ଶୋଭନେଶ୍ୱର ଦେଉଳ କଟକ ଜିଲ୍ଲାର ନିଆଳି ବ୍ଲକର ନିଆଳି ଗ୍ରାମରେ ଥିବା ଏକ ପୁରାତନ ଉତ୍କଳୀୟ ଦେଉଳ । ଏହା କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଶୋଭନେଶ୍ୱର ମହାଦେବଙ୍କ ଲାଗି ନିର୍ମିତ । ଦେଉଳଟି ପ୍ରାଚୀ ନଦୀର ବାମ କୂଳରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଶୋଭନେଶ୍ୱର ମନ୍ଦିର ଗଙ୍ଗବଂଶର ଅନଙ୍ଗଭୀମ ଦେବଙ୍କ ରାଜୁତି କାଳରେ (ଖ୍ରୀଷ୍ଟାବ୍ଦ ୧୧୯୦-୧୧୯୮) ଶ୍ରୀ ବୈଦ୍ୟନାଥ ନାମକ ଏକ ରାଜାଙ୍କଦ୍ୱାରା ନିର୍ମିତ ହୋଇଥିଲା ।[୧] ବୈଦ୍ୟନାଥ ନାଗବଂଶୀ ଥିଲେ । ଗବେଷକମାନଙ୍କ ମତରେ ବୈଦ୍ୟନାଥ ଜଣେ ସାମନ୍ତ ରାଜା ଥିଲେ । ଗଙ୍ଗବଂଶର ଅଧୋପତନ ପରେ ସେ ମନ୍ଦିରର ଯତ୍ନ ନେଇଥିବା ମଧ୍ୟ ସମ୍ଭବ ।[୨] ବୈଦ୍ୟନାଥ ଓଡ଼ିଶାରେ କେତେକ ମଠ ମଧ୍ୟ ନିର୍ମାଣ କରାଇଥିଲେ ।
ବୈଦ୍ୟନାଥଙ୍କ ବଂଶ ବିଷୟରେ କେତେକ ତଥ୍ୟ ମିଳେ । କାଶ୍ୟପ ଗୋତ୍ରର ଗରୁଡ଼ ନାମକ ବ୍ରାହ୍ମଣ କାକୋଦରପୁର ଓ ଭୁଜଙ୍ଗମପୁରୀ ଅଞ୍ଚଳରେ ନିଜର ଏକ ରାଜ୍ୟ ବସାଇଥିଲେ । ଗରୁଡ଼ଙ୍କ ପୁତ୍ରଙ୍କ ନାମ ମାଧବ ଓ ମାଧବଙ୍କ ପୁତ୍ରଙ୍କ ନାମ ବୈଦ୍ୟନାଥ । ଏହି ବୈଦ୍ୟନାଥ ଶୋଭନେଶ୍ୱର ମନ୍ଦିରର ନିର୍ମାତା ।[୩]
'ସାବନ' ନାମକ ବ୍ରାହ୍ମଣ ଶିଳ୍ପକାର ଭାବେ ଶୋଭନେଶ୍ୱର ମନ୍ଦିର ଗଢ଼ିଥିବା ଶିଳାଲିପିରେ ରହିଛି ।[୪]
ପ୍ରତ୍ନଲିପି
[ସମ୍ପାଦନା]ଜଗମୋହନର ବାହାର ପଟ ସମ୍ମୁଖରେ ଗୋଟିଏ ପ୍ରସ୍ତର ଶିଳାଲିପି ରହିଛି । ଏହା ପ୍ରାଚୀନ ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଦ୍ୱାଦଶ ଶତାବ୍ଦୀରେ ଶୋଭନେଶ୍ୱର ମନ୍ଦିର ତୋଳାଯାଇଥିବା ଉଲ୍ଲେଖ ଏଥିରେ ରହିଛି । ବୈଦ୍ୟନାଥ ରାଜାଙ୍କ ପ୍ରଜାପ୍ରିୟତା ବିଷୟରେ ଏହିଠାରୁ ତଥ୍ୟ ପ୍ରାପ୍ତ ହୁଏ ।[୧] ଏହା ସହିତ ମନ୍ଦିରରେ ଦେବଦାସୀ ନାଚ ପ୍ରଚଳନ କରାଯାଇଥିବା ବିଷୟ ଲେଖାହୋଇଛି ।[୫] ବର୍ତ୍ତମାନ ଶୋଭନେଶ୍ୱର ମନ୍ଦିରରେ ଦେବଦାସୀ ପ୍ରଥା ନଥିଲେ ମଧ୍ୟ ଏଠାରୁ ୧୫ ମାଇଲ ଦୂରରେ ଥିବା ବାଲିକୁଦ ନିକଟବର୍ତ୍ତୀ ଖମ୍ବକାଳ ଗ୍ରାମର ଏକ ମଠରେ ଏବେ ମଧ୍ୟ ଗାହାଣ ନାରୀମାନେ ରହିଛନ୍ତି ।[୧] ଶୋଭନେଶ୍ୱର ମନ୍ଦିରକୁ ପଥିକମାନେ ମେରୁ, ହିମାଳୟ, କୈଳାସ, ବିନ୍ଧ୍ୟ ଓ ମହେନ୍ଦ୍ର ପର୍ବତ ସଙ୍ଗେ ତୁଳନା କରୁଥିଲେ ।[୬]
ଐତିହାସିକ ଡଃ ସତ୍ୟନାରାୟଣ ରାଜଗୁରୁ Inscriptions of Orissa ପୁସ୍ତକାବଳୀର ତୃତୀୟ ଗ୍ରନ୍ଥର ଦ୍ୱିତୀୟ ଭାଗରେ ୨୮୦ ସଂଖ୍ୟାରେ ଶୋଭନେଶ୍ୱର ମନ୍ଦିରର ପ୍ରତ୍ନଲିପିକୁ ସମ୍ପୂର୍ଣ୍ଣ ଭାବେ ଦେଇଛନ୍ତି ।[୭]
ଏହି ଶିଳାଲିପି ଉଦୟନ ନାମକ କବିଙ୍କ ରଚନା । ଏହା ୨୩ତମ ଧାଡ଼ିରେ ରହିଥିବା ଭଣିତାରୁ ପ୍ରାପ୍ତ ହୁଏ ।[୭]
ଧୀରେନ୍ଦ୍ରୋଦୟନ ପ୍ରଶସ୍ତିମତୁଲାଂ ତତ୍ପ୍ରେରିତଶ୍ଚକ୍ରିୟାନ୍ । ପ୍ରଜ୍ଞାସୁନ୍ଦରମନ୍ଦିର କୁଳଗୃହଂ ନୀତେଃ କଳାସମ୍ପଦାମେକଂ ଧାମ ଚ ଧର୍ମନର୍ମସଦନଂ ଭୂତୋ ଦ୍ୱିଜଃ ସାବନଃ ।
ଏହି 'ଉଦୟନ' ଉଦୟନାଚାର୍ଯ୍ୟ (ପାଖାପାଖି ଖ୍ରୀଷ୍ଟାବ୍ଦ ୧୨୨୦) ବୋଲି ଗବେଷକଙ୍କ ମତ । ଉଦୟନାଚାର୍ଯ୍ୟ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଥମ ଟୀକାକାର । ଉଦୟନାଚାର୍ଯ୍ୟଙ୍କ ଟୀକା 'ଭାବବିଭାବିନୀ' ଭାବେ ନାମିତ ।[୮]
ସ୍ଥାପତ୍ୟ
[ସମ୍ପାଦନା]ମନ୍ଦିରଟି ଚାରିଗୋଟି ଭାଗରେ ବିଭକ୍ତ : ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପ । ନାଟମନ୍ଦିର ଓ ଭୋଗମଣ୍ଡପ ଧ୍ୱସ୍ତ ହୋଇଯାଇ ତାହାଙ୍କର କେବଳ ଅବଶେଷ ରହିଛି । ମନ୍ଦିରର ବିମାନ ରେଖ ଶୈଳୀରେ ଓ ଜଗମୋହନ ପୀଢ଼ ଶୈଳୀରେ ନିର୍ମିତ । ବିମାନ ସପ୍ତରଥ ନକ୍ସା ଅନୁସାରେ ଗଢ଼ାହୋଇଛି । ବାଡ଼ ପାଞ୍ଚଗୋଟି ଭାଗରେ ବିଭକ୍ତ ଓ ବନ୍ଧନ ଏବଂ ବାରଣ୍ଡାଦ୍ୱାରା ପରିବେଷ୍ଟିତ । ମନ୍ଦିରର ଗଣ୍ଡିରେ ଅଙ୍ଗଶିଖରମାନ ରହିଛି ।[୫]
କଳାକୃତି
[ସମ୍ପାଦନା]ଶୋଭନେଶ୍ୱର ମନ୍ଦିରର ଗାତ୍ରରେ ଅନେକ କଳାକୃତି ରହିଛି । ନାୟିକା ଓ ଦିଗପାଳମାନଙ୍କ କମନୀୟ ମୂର୍ତ୍ତି ଖୋଦିତ ହୋଇଛି ।
ଆଠଗୋଟି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତି ଏହି ସ୍ଥାନରୁ ପ୍ରାପ୍ତ ହୋଇଛି । ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଏକ କ୍ଷୁଦ୍ର ସଙ୍ଗ୍ରହାଳୟ ନିର୍ମିତ ହୋଇ ତହିଁରେ ଏହି ଆଠଗୋଟି ବିଷ୍ଣୁ ପ୍ରତିମା, ଏକ ବରାହ ପ୍ରତିମା ଓ ଏକ ଯମ ପ୍ରତିମା ସାଇତା ହୋଇ ରଖାହୋଇଛି ।[୫] ଏତେ ସଂଖ୍ୟକ ବିଷ୍ଣୁ ପ୍ରତିମା ଉଦ୍ଧାର ହୋଇଥିବାରୁ ଶୋଭନେଶ୍ୱର ପୂର୍ବକାଳରେ ଏକ ପ୍ରଧାନ ବୈଷ୍ଣବ ପୀଠ ଥିଲା ବୋଲି ପ୍ରତୀତ ହୁଏ ।[୫]
ଶୋଭନେଶ୍ୱର ମନ୍ଦିରର ଦକ୍ଷିଣ ଦିଗରେ ହରଚଣ୍ଡୀଙ୍କ ମନ୍ଦିର ରହିଛି । ଏହି ମନ୍ଦିରରେ ଅଷ୍ଟଭୁଜା ଚାମୁଣ୍ଡାଙ୍କ ପ୍ରତିମା ହରଚଣ୍ଡୀ ନାମରେ ପୂଜିତ ହେଉଛନ୍ତି । ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ନିର୍ମିତ ଏହି ଚାମୁଣ୍ଡା ବିଗ୍ରହ ଓଡ଼ିଶାର ସବୁଠୁଁ ପୁରାତନ ଚାମୁଣ୍ଡା ବିଗ୍ରହ ଭାବେ ଜଣାଶୁଣା ।[୫]
ପାଖରେ ଷଷ୍ଠ ଶତାବ୍ଦୀର ଏକ ବ୍ରହ୍ମା ମୂର୍ତ୍ତି ମଧ୍ୟ ପୂଜିତ । ଏହି ପ୍ରତିମାରେ ଚତୁର୍ମୁଖ ବ୍ରହ୍ମା କମଳାସନରେ ରୂପାୟିତ । ପୁରୁଣା ଦେଉଳ ଭାଙ୍ଗିଯାଇଥିବାରୁ ପ୍ରତିମାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ରେଖ ଦେଉଳ ନିର୍ମିତ ହୋଇଛି ।[୫]
ସଂରକ୍ଷଣ
[ସମ୍ପାଦନା]ଶୋଭନେଶ୍ୱର ମନ୍ଦିରଟି ତଳ ଅଞ୍ଚଳରେ ନିର୍ମିତ ହୋଇଥିବାରୁ ବର୍ଷା ଋତୁରେ ମନ୍ଦିର ପ୍ରାଙ୍ଗଣ ପାଣିରେ ବୁଡ଼ି ରହେ । ଦେଉଳର ବିଭିନ୍ନ ଅଂଶରେ ଶିଉଳି ମଧ୍ୟ ମାଡ଼ିଯାଏ । ବର୍ଷା ଓ ଶିଉଳି ଯୋଗୁଁ ଅନେକ କଳାକୃତିର ନିଖୁଣତା ସ୍ପଷ୍ଟ ଭାବେ ବାରି ହେଉନାହିଁ ।[୨]
ତିନି ଚାରି ବର୍ଷକୁ ଥରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣଦ୍ୱାରା ମନ୍ଦିରର ରାସାୟନିକ ସଫେଇ କରାଯାଇଥାଏ । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Sangeet Natak, Sangeet Natak Akademi, 1990.
- ↑ ୨.୦ ୨.୧ ୨.୨ Carved wonder in ruins, Namita Panda. Wednesday , March 19 , 2014, The Telegraph.
- ↑ Cultural heritage of Orissa, Gopinath Mohanty, Jeeban Kumar Patnaik, Santosha Kumāra Ratha, State Level Vyasakabi Fakir Mohan Smruti Samsad State Level Vyasakabi Fakir Mohan Smruti Samsad, 2003.
- ↑ Medieval Orissa: A Socio-economic Study, Shishir Kumar Panda Mittal Publications, 01-Jan-1991. {{ISBN|8170992613}}, ISBN 9788170992615.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ Sobhaneswara : About the Temple Archived 2003-05-12 at the Wayback Machine., Orissa Gateway.
- ↑ Temples of Orissa, Karuna Sagar Behera Orissa Sahitya Akademi, 1993.
- ↑ ୭.୦ ୭.୧ Inscriptions of Orissa (C. 1045-1190 A.D.), Volume-3, Part-2. Sri S. N. Rajguru, Curator, Orissa State Museum. First Edition, Orissa Sahitya Akademi.
- ↑ History of Orissa, N. K. Sahu, P. K. Mishra, Jagna Kumar Sahu, Nalanola, 1981.