କପିଳାସ ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
କପିଳାସ ଶିବ ମନ୍ଦିର
କପିଳାସ ଶିବ ମନ୍ଦିର
କପିଳାସ ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଢେଙ୍କାନାଳ
Location
Country ଭାରତ

କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହରଠାରୁ ୨୬ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ।[୧]

କପିଳାସ ଶିବ ମନ୍ଦିର ବାହାର ପାଖ

ଅବସ୍ଥିତି ଓ ସ୍ଥାପତ୍ୟ[ସମ୍ପାଦନା]

ଏହା ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିରକୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢ଼ି ଅଥବା ବାରବାଙ୍କି ଘାଟି ରାସ୍ତାଦ୍ୱାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ୱରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ୱଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ୱନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ବିଶ୍ୱନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିରଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢ଼ା ଲିଙ୍ଗ ମଧ୍ୟ କୁହାଯାଏ । ଏହି ମନ୍ଦିରକୁ ଓଡ଼ିଶାର କୈଳାଶ ମଧ୍ୟ କୁହାଯାଏ ।[୨]

ଇତିହାସ[ସମ୍ପାଦନା]

କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ୱିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତାମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ୱାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ । [୩]

ଭ୍ରମଣ ସମୟ[ସମ୍ପାଦନା]

ଏଠାକୁ ଯେକୌଣସି ସମୟରେ ଯିବାର ଅସୁବିଧା ନଥିଲେ ମଧ୍ୟ କାର୍ତ୍ତିକ ମାସ ଓ ଶ୍ରାବଣ ମାସ ବୁଲିବାର ପ୍ରକୃଷ୍ଟ ସମୟ । ମେଘୁଆ ପାଗ ତଥା ଶୀତ ଦିନେ କପିଳାସ ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ।

କପିଳାସ ଶିବ ମନ୍ଦିର ବେଢ଼ା
କପିଳାସ ଶିବ ମନ୍ଦିରକୁ ଯିବା ରାସ୍ତା
କପିଳାସ ଶିବ ମନ୍ଦିର ବେଢ଼ା

ଆଧାର[ସମ୍ପାଦନା]

  1. "କପିଳାସ". www.dhenkanal.nic.in. dhenkanal.nic.in. Archived from the original on 15 December 2022. Retrieved 15 December 2022.
  2. "ମନ୍ଦିର:କପିଳାସ ମନ୍ଦିର". www.odisha.gov.in. ଓଡ଼ିଶା ସରକାର. Archived from the original on 15 December 2022. Retrieved 15 December 2022.
  3. ସଂଚାର, ପୃଷ୍ଠା-୧୪ ୮।୩।୨୦୧୮

ବାହାର ତଥ୍ୟ[ସମ୍ପାଦନା]