ଏଲୋରା ଗୁମ୍ଫା

Coordinates: 20°01′36″N 75°10′38″E / 20.0268°N 75.1771°E / 20.0268; 75.1771
ଉଇକିପିଡ଼ିଆ‌ରୁ
ଏଲୋରା ଗୁମ୍ଫା
କଟାଯାଇଥିବା ପଥରର ମୁଣ୍ଡ ଉପରୁ ନିଆଯାଇଥିବା ଗୁମ୍ଫା କ୍ରମାଙ୍କ ୧୬ର ବିଶ୍ୱ ପ୍ରସିଦ୍ଧ କୈଳାସନାଥ ମନ୍ଦିରର ଫଟୋଚିତ୍ର
ଅବସ୍ଥାନଔରଙ୍ଗାବାଦ ଜିଲ୍ଲା, ମହାରାଷ୍ଟ୍ର, ଭାରତ
ଦିଗବାରେଣି20°01′36″N 75°10′38″E / 20.0268°N 75.1771°E / 20.0268; 75.1771
ପ୍ରକାରସାଂସ୍କୃତିକ
ମାନଦଣ୍ଡi, iii, vi
Designated୧୯୮୩(୭ମ ବିଶ୍ୱ ଐତିହ୍ୟ ସମ୍ମିଳନୀ)
Reference no.243
UNESCO RegionAsia-Pacific
ଏଲୋରା ଗୁମ୍ଫା is located in Maharashtra
ଏଲୋରା ଗୁମ୍ଫା
Location of ଏଲୋରା ଗୁମ୍ଫା in Maharashtra
ଏଲୋରା ଗୁମ୍ଫା is located in India
ଏଲୋରା ଗୁମ୍ଫା
ଏଲୋରା ଗୁମ୍ଫା (India)

ଏଲୋରା (ଈଂରାଜୀରେ Ellora, ମରାଠୀ ଭାଷାରେ वेरूळ, ମରାଠୀ ଉଚ୍ଚାରଣ - ୱେରୁଳ୍) ଗୁମ୍ଫା ସମୂହ ଭାରତର ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଗୋଟିଏ ବିଶାଳକାୟ ପଥରକୁ କାଟି ନିର୍ମିତ ଗୁମ୍ଫା-ମନ୍ଦିର ଭାବେ ଏହା ବିଶ୍ୱରେ ସର୍ବବିଦିତ । UNESCO ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ଏହି ଗୁମ୍ଫା ମନ୍ଦିରରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧାର୍ମିକ ଭାବନା ପ୍ରତିଫଳିତ ହୋଇଛି । ଏହି ଗୁମ୍ଫାର ମୂର୍ତ୍ତି ଓ ଶିଳ୍ପକଳା ଖ୍ରୀ. ୬୦୦-୧୦୦୦ ସମୟର ବୋଲି ଅନୁମାନ କରାଯାଏ ।[୧][୨] ଗୁମ୍ଫା କ୍ରମାଙ୍କ ୧୬ରେ ଗୋଟିଏ ଶିଳାକୁ କାଟି ନିର୍ମିତ କୈଳାସ ମନ୍ଦିର ବିଶ୍ୱର ବୃହତ୍ତମ ପ୍ରସ୍ତର-ଖୋଦିତ ମନ୍ଦିର । ଏକ ରଥର ଆକୃତିରେ ନିର୍ମିତ ଏହି ମନ୍ଦିର ମହାଦେବ ଶିବଙ୍କୁ ସମର୍ପିତ । କୈଳାସ ମନ୍ଦିରରେ ଶିବଙ୍କ ବ୍ୟତୀତ ଅନେକ ବହୁ ଦେବଦେବୀଙ୍କ ମୂର୍ତ୍ତି, ବୈଷ୍ଣବ-ଶାକ୍ତ-ଶୈବ ପରମ୍ପରାର ପୌରାଣିକ ଗଳ୍ପର ଚିତ୍ର, ରାମାୟଣ-ମହାଭାରତ କଥା ଇତ୍ୟାଦି ଖୋଦିତ ହୋଇଛି ।[୩][୪][୫]

ଚରଣାଦ୍ରି ନାମକ ପାହାଡ଼ର ବାସାଲ୍ଟ ଆଗ୍ନେୟ ଶିଳା ଚଟ୍ଟାଣରେ ଶତାଧିକ ଗୁମ୍ଫା ଖୋଦିତ ହୋଇଥିଲା ଯେଉଁଥିରୁ ମାତ୍ର ୩୪ଟି ଗୁମ୍ଫା ବର୍ତ୍ତମାନ ସମୟରେ ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ।[୩] ତନ୍ମଧ୍ୟରୁ ୧୨ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୧ରୁ ୧୨) ବୌଦ୍ଧ ଧର୍ମ, ୧୭ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୧୩ରୁ ୨୯) ହିନ୍ଦୁ ଧର୍ମ ଓ ୪ଟି ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୩୦ରୁ ୩୪) ଜୈନ ଧର୍ମରେ[୬][୭] ଖ୍ରିୀଷ୍ଟ ପରବର୍ତ୍ତୀ ପ୍ରଥମ ସହସ୍ରାବ୍ଦରେ ପ୍ରଚଳିତ ଦେବଦେବୀ, ସନ୍ଥ, ପୌରାଣିକ କଥାର ଶିଳାଚିତ୍ର, ମୂର୍ତ୍ତିକଳା, ମଠ, ବିହାର ଇତ୍ୟାଦିର ଛାପ ଦେଖିବାକୁ ମିଳେ ।[୬] ପରସ୍ପର ସହିତ ସଂଲଗ୍ନ ହୋଇ ଖୋଦିତ ହୋଇଥିବାରୁ ସେ ସମୟରେ ଏହି ତିନୋଟି ଧର୍ମାବଲମ୍ବୀଙ୍କ ମଧ୍ୟରେ ଅପୂର୍ବ ଧାର୍ମିକ ଐକ୍ୟ ଓ ସହିଷ୍ଣୁତା ରହିଥିଲା ବୋଲି ଅନୁମାନ କରାଯାଇପାରେ ।[୨][୮] ରାଷ୍ଟ୍ରକୂଟ ପରି ହିନ୍ଦୁ ଧର୍ମାବଲମ୍ବୀ ଶାସକଙ୍କ ରାଜୁତି ସମୟରେ କିଛି ହିନ୍ଦୁ ଓ ବୌଦ୍ଧ ଗୁମ୍ଫା, ଯାଦବ ରାଜବଂଶର ଶାସକଙ୍କ ସମୟରେ ଜୈନ ଗୁମ୍ଫାମାନ ଖୋଦିତ ହୋଇଥିଲା । ସ୍ଥାନୀୟ ରାଜା, ବଣିକ ଶ୍ରେଣୀ, ଅନ୍ୟ ସମ୍ଭ୍ରାନ୍ତ ଓ ଧନୀ ବର୍ଗର ଲୋକଙ୍କ ଆର୍ଥିକ ସହାୟତାରେ ଏହି ସବୁ ଗୁମ୍ଫାର ଖୋଦନ କରାଯାଇଥିଲା ।[୩][୯]

ଏଲୋରା ଗୁମ୍ଫା ମନ୍ଦିର ଗୁଡ଼ିକ ମଠ, ବିହାର, ମନ୍ଦିର ଓ ତୀର୍ଥଯାତ୍ରୀଙ୍କ ବିଶ୍ରାମସ୍ଥଳ ରୂପେ ବ୍ୟବହାର ହେଉଥିଲା ବୋଲି ଅନୁମାନ କରାଯାଏ ।[୭] ପୁଣି ଦକ୍ଷିଣ ଭାରତର ପାରମ୍ପରିକ ବାଣିଜ୍ୟ ପଥ ଉପରେ ଏହାର ଉପସ୍ଥିତିକୁ ଦେଖି ଏହା ସେକାଳର ଡେକାନ୍ ମାଳଭୂମିର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହୋଇଥିବା ମଧ୍ୟ ସମ୍ଭବପର ।[୧୦] ଔରଙ୍ଗାବାଦର ଉତ୍ତର-ପଶ୍ଚିମରେ ୨୯ କିଲୋମିଟର୍ (୧୮ ମାଇଲ୍) ଦୂରରେ ଓ ମୁମ୍ବାଇ ନଗରର ପୂର୍ବ-ଉତ୍ତରପୂର୍ବ ଦିଗରେ ୩୦୦ କିଲୋମିଟର୍ (୧୯୦ ମାଇଲ୍) ଦୂରରେ ଏଲୋରା ଗୁମ୍ଫାସମୂହ ଅବସ୍ଥିତ । ଅଜନ୍ତା ଗୁମ୍ଫା ଓ ଏଲୋରା ଗୁମ୍ଫା ବର୍ତ୍ତମାନ ସମୟରେ ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ପୀଠ ।[୧୧]

ନାମକରଣର ଇତିହାସ[ସମ୍ପାଦନା]

ୱେରୁଳ୍ ଓ ଏଲୁରା ଭାବେ ମଧ୍ୟ ପରିଚିତ ଏଲୋରା ହେଉଛି ଏହାର ପ୍ରାଚୀନ ନାମ ଏଲାପୁରର ଅପଭ୍ରଂଶ ।[୧୨] ୮୧୨ ଖ୍ରୀଷ୍ଟାବ୍ଦ ସମୟର ବରୋଦା ଶିଳାଲେଖରେ ଏହି "ଗହ୍ୱରର ମହାନତା" ଓ "କୃଷ୍ଣରାଜଙ୍କ ସମୟରେ ଏଲାପୁରରେ ଏହି ଗହ୍ୱରର ଖୋଦନ ବା ନିର୍ମାଣ" ବିଷୟର ଉଲ୍ଲେଖ ମିଳେ । ବରୋଦା ଶିଳାଲେଖରେ ଉଲ୍ଲିଖିତ ଗହ୍ୱର ଗୁମ୍ଫା କ୍ରମାଙ୍କ ୧୬ର କୈଳାସ ମନ୍ଦିର ଆଡ଼କୁ ଇଙ୍ଗିତ କରିଥାଏ ।[୩] ଭାରତୀୟ ପରମ୍ପରା ଅନୁସାରେ ସମସ୍ତ ଗୁମ୍ଫାର ନାମ ସହିତ ସଂସ୍କୃତ ଶବ୍ଦ “ଗୁହା” (ମରାଠୀରେ "ଲେଣା" ବା "ଲେଣୀ") ଯୋଡ଼ା ଯାଇଥାଏ ।[୩][୧୩]

ଅବସ୍ଥିତି ଓ ଭୌଗୋଳିକ ଗଠନ[ସମ୍ପାଦନା]

ଏଲୋରା ଗୁମ୍ଫାସମୂହର ଏକ ସାଧାରଣ ମାନଚିତ୍ର (ଗାଢ଼ ସବୁଜ ରଙ୍ଗଦ୍ୱାରା ପାହାଡ଼ର ଚଟ୍ଟାଣକୁ ଚିହ୍ନିତ କରାଯାଇଛି)

ଏଲୋରା ଗୁମ୍ଫାସମୂହ ଔରଙ୍ଗାବାଦ ସହରରୁ ଉତ୍ତର-ପଶ୍ଚିମ ଦିଗରେ ୨୯ କିଲୋମିଟର୍ (୧୮ ମାଇଲ୍) ଦୂରରେ, ମୁମ୍ବାଇ ନଗରରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୩୦୦ କିଲୋମିଟର୍ (୧୯୦ ମାଇଲ୍) ଦୂରରେ ତଥା ଅଜନ୍ତା ଗୁମ୍ଫାସମୂହରୁ ପଶ୍ଚିମ ଦିଗରେ ୧୦୦ କିଲୋମିଟର୍ (୬୨ ମାଇଲ୍) ଦୂରରେ ଅବସ୍ଥିତ ।

ପଶ୍ଚିମ ଘାଟ ପର୍ବତମାଳାର ଅଂଶବିଶେଷ ତଥା ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଡେକାନ୍ ଟ୍ରାପ୍‍ର ବାସାଲ୍ଟ ଶିଳା ଚଟ୍ଟାଣ ବକ୍ଷରେ ଏଲୋରା ଗୁମ୍ଫାର ଖୋଦନ କରାଯାଇଛି । ଚାକମୟ କଳ୍ପରେ (Cretaceous period) ହୋଇଥିବା ଆଗ୍ନେୟ ଉଦ୍ଗୀରଣ ଏହି ଶିଳା ଚଟ୍ଟାଣ ସୃଷ୍ଟି କରିଥାଇପାରେ ବୋଲି ଅନୁମାନ କରାଯାଇଛି । ଏହି ସମୟରେ ସୃଷ୍ଟ ପାହାଡ଼ ଚଟ୍ଟାଣରେ ସ୍ତରୀଭୂତ ଶିଳାର ଉନ୍ମେଶ ହୋଇଥିଲା ଓ ସ୍ଥପତିମାନଙ୍କ ପାଇଁ ଏକ ଉତ୍କୃଷ୍ଟ ପୃଷ୍ଠଭୂମି ପ୍ରଦାନ କରିଥିଲା ।[୧୪]

କାଳକ୍ରମ[ସମ୍ପାଦନା]

ଭାରତରେ ବ୍ରିଟିଶ୍ ଔପନିବେଶିକ କାଳରୁ ଏଲୋରାର ଗୁମ୍ଫାଗୁଡ଼ିକରେ ବିଧିବଦ୍ଧ ଗବେଷଣା କରାଯିବା ଆରମ୍ଭ ହୋଇଥିଲା । କିନ୍ତୁ ବୌଦ୍ଧ, ହିନ୍ଦୁ ଓ ଜୈନ ଶୈଳୀର ସମ୍ମିଶ୍ରଣ ବା ଅଧିବ୍ୟାପନ ଏହି ଗୁମ୍ଫାମାନଙ୍କ ନିର୍ମାଣ ତଥା ଐତିହାସିକ କାଳକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।[୧୫] ଏହି ସବୁ ପ୍ରଶ୍ନ ବା ବିବାଦଗୁଡ଼ିକ ହେଲା :

  • ୧) ହିନ୍ଦୁ ଗୁମ୍ଫା ଓ ବୌଦ୍ଧ ଗୁମ୍ଫା ମଧ୍ୟରୁ ପ୍ରଥମେ କେଉଁଟି ଖୋଦିତ ହୋଇଥିଲା ?
  • ୨) ପ୍ରତ୍ୟେକ ଧର୍ମର ଗୁମ୍ଫା ମନ୍ଦିରଗୁଡ଼ିକର ସମୟକ୍ରମ କଣ ?

ଏଲୋରା ସହିତ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, କର୍ଣ୍ଣାଟକସ୍ଥିତ ଡେକାନ୍ ମାଳଭୂମିର ଅନ୍ୟାନ୍ୟ ଗୁମ୍ଫା ମନ୍ଦିରର ସ୍ଥାପତ୍ୟ କଳା, ବିଭିନ୍ନ ରାଜବଂଶର ଅଭିଲେଖ, ପ୍ରତ୍ନତାତ୍ତ୍ୱିକ ଖନନ ଓ ତତ୍-ସଂଲଗ୍ନ ଅଞ୍ଚଳରୁ ମିଳିଥିବା ପ୍ରାଚୀନ ଲେଖା ଇତ୍ୟାଦିର ତୁଳନାତ୍ମକ ତଥ୍ୟକୁ ଆଧାର କରି ଐତିହାସିକ ଓ ଗବେଷକମାନେ କେତେକ ବିଷୟରେ ଏକମତ ହୋଇଛନ୍ତି ।[୧୬][୧୭] ଗେରି ହକ୍‍ଫିଲ୍ଡ ମାଲାନ୍ଦ୍ରା ଓ ଅନ୍ୟ କେତେକ ଗବେଷକଙ୍କ ମତାନୁଯାୟୀ ଏଲୋରା ଗୁମ୍ଫାର ନିର୍ମାଣ ସମୟକ୍ରମକୁ ମୋଟାମୋଟି ଭାବେ ୩ ଭାଗରେ ବିଭକ୍ତ କରାଯାଇପାରିବ[୧୬][୧୮][୧୯] :

  • ଖ୍ରୀ. ୫୫୦-୬୦୦ ହିନ୍ଦୁ ଗୁମ୍ଫା
  • ଖ୍ରୀ. ୬୦୦-୭୩୦ ବୌଦ୍ଧ ଗୁମ୍ଫା
  • ଖ୍ରୀ. ୭୩୦-୯୫୦ ହିନ୍ଦୁ ଓ ଜୈନ ଗୁମ୍ଫାର ଅଧିବ୍ୟାପ୍ତ ସମୟ

ତ୍ରିକୂଟକ ଓ ବାକାଟକ ରାଜବଂଶମାନଙ୍କ ଶାସନ କାଳରେ ପ୍ରଥମ ଗୁମ୍ଫାଗୁଡ଼ିକ ନିର୍ମିତ ହୋଇଥିଲା । ବାକାଟକ ବଂଶର ଶାସକମାନେ ଅଜନ୍ତାସ୍ଥିତ ଗୁମ୍ଫା ମନ୍ଦିରଗୁଡ଼ିକ ମଧ୍ୟ ଖୋଦନ କରାଇଥିଲେ । ଆଉ କେତେକ ପ୍ରାଚୀନ ଗୁମ୍ଫାରେ (ଯଥା ହିନ୍ଦୁ ଧର୍ମର ଗୁମ୍ଫା କ୍ରମାଙ୍କ ୨୯) ଶୈବ ପରମ୍ପରାର ଛାପ ରହିଥିବାରୁ ଏଗୁଡ଼ିକ କାଳଚୁରି ରାଜବଂଶର ଏବଂ କେତେକ ପ୍ରାଚୀନ ବୌଦ୍ଧ ଗୁମ୍ଫାଗୁଡ଼ିକ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଖୋଳାଯାଇଥିବା ମଧ୍ୟ ଅନୁମାନ କରାଯାଏ ।[୧୬] ପରବର୍ତ୍ତୀ ସମୟର ହିନ୍ଦୁ ଗୁମ୍ଫା ଓ ପ୍ରଥମ ସୋପାନର ଜୈନ ଗୁମ୍ଫାମାନ ରାଷ୍ଟ୍ରକୂଟ ଶାସନ କାଳରେ ତଥା ପରବର୍ତ୍ତୀ କାଳର ଜୈନ ଗୁମ୍ଫାଗୁଡ଼ିକ ଯାଦବ ରାଜବଂଶର ଶାସନ କାଳରେ ଖୋଦିତ ହୋଇଥିବା ସମ୍ଭବପର ।[୨୦][୨୧][୨୨]

ଗୁମ୍ଫା କ୍ରମାଙ୍କ ଗୁମ୍ଫାର ନାମ ଗୁମ୍ଫା କ୍ରମାଙ୍କ ଗୁମ୍ଫାର ନାମ ଗୁମ୍ଫା କ୍ରମାଙ୍କ ଗୁମ୍ଫାର ନାମ
ମହାବର ଗୁମ୍ଫା ୧୫ ଦଶାବତାର ଗୁମ୍ଫା ୨୭ ଗୋପୀ ଗୁମ୍ଫା
୧୦ ବିଶ୍ୱକର୍ମା ଗୁମ୍ଫା ୧୬ କୈଳାସ ମନ୍ଦିର ୨୮ ଧୂମର୍ ଗୁମ୍ଫା
୧୧ ଦୋ ତାଲ୍ (ଦ୍ୱିତଳ) ୨୧ ରାମେଶ୍ୱର ଗୁମ୍ଫା ୩୦ ଛୋଟ କୈଳାସ
୧୨ ତିନ୍ ତାଲ୍ (ତ୍ରିତଳ) ୨୨ ନୀଳକଣ୍ଠ ଗୁମ୍ଫା ୩୨ ଇନ୍ଦ୍ର ସଭା
୧୪ ରାବଣ ଖାଈ ୨୫ କୁମ୍ଭର୍ବାଦମ୍ ୩୩ ଜଗନ୍ନାଥ ସଭା

ବୌଦ୍ଧ ଗୁମ୍ଫା ସମୂହ (୧-୧୨)[ସମ୍ପାଦନା]

ଗୁମ୍ଫା କ୍ରମାଙ୍କ ୧୧ (ଉପର) ଓ ଗୁମ୍ଫା କ୍ରମାଙ୍କ ୧୨ (ତଳ) ପ୍ରତ୍ୟେକେ ୩ ମହଲା ବିଶିଷ୍ଟ ମଠ ଓ ଏଗୁଡ଼ିକ ବଜ୍ରଯାନ ବୌଦ୍ଧ ପରମ୍ପରାର ପ୍ରତୀକ[୨୩]

ବୌଦ୍ଧ ଗୁମ୍ଫାଗୁଡ଼ିକ ପାହାଡ଼ର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ଏବଂ ଏଗୁଡ଼ିକ ଖ୍ରୀ. ୬୩୦ରୁ ନେଇ ୭୦୦ ମଧ୍ୟରେ[୨୪] କିମ୍ବା ଖ୍ରୀ. ୬୦୦ରୁ ନେଇ ୭୩୦ ମଧ୍ୟରେ ନିର୍ମିତ ।[୨୫] ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ ଏଲୋରାର ଗୁମ୍ଫାମାନଙ୍କ ମଧ୍ୟରେ ବୌଦ୍ଧ ଗୁମ୍ଫାଗୁଡ଼ିକ ସର୍ବପୁରାତନ । ଖ୍ରୀ. ୪୦୦ରୁ ୬୦୦ ମଧ୍ୟରେ ପ୍ରଥମ ସୋପାନରେ ଗୁମ୍ଫା କ୍ରମାଙ୍କ ୧-୫ ଓ ଖ୍ରୀ. ୬୫୦ରୁ ୭୫୦ ମଧ୍ୟରେ ଦ୍ୱିତୀୟ ସୋପାନରେ ଗୁମ୍ଫା କ୍ରମାଙ୍କ ୬-୧୨ ଖୋଦିତ ହୋଇଥିଲା । କିନ୍ତୁ ଆଧୁନିକ ଶୌଧ ଅନୁସାରେ ହିନ୍ଦୁ ଗୁମ୍ଫାଗୁଡ଼ିକ ବୌଦ୍ଧ ଗୁମ୍ଫାମାନଙ୍କ ପୂର୍ବରୁ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ।[୨୫][୨୬] ସମୟ କ୍ରମ ଅନୁଯାୟୀ ଗୁମ୍ଫା ୬ ସର୍ବପୁରାତନ, ତାହା ପରେ କ୍ରମାନୁଯାୟୀ ୫, ୨, ୩, ୫ (ଦକ୍ଷିଣ ଭାଗ), ୪, ୭, ୮, ୧୦, ୯[୨୪] ଓ ସବୁଠାରୁ ଶେଷରେ ୧୧ (ଦୋ ତାଲ୍ – ଦ୍ୱିତଳ) ଓ ୧୨ (ତିନ୍ ତାଲ୍ – ତ୍ରିତଳ) ଖୋଦିତ ହୋଇଥିଲା ।[୨୭]

ମହାବର ଗୁମ୍ଫା (ଗୁମ୍ଫା କ୍ରମାଙ୍କ ୫)ର ଏକ ସରଳ ନକସା

୧୨ଟି ବୌଦ୍ଧ ଗୁମ୍ଫା ମଧ୍ୟରୁ ୧୧ଟି ଗୁମ୍ଫାକୁ ବୌଦ୍ଧ ବିହାର[୨୫] ବା ମଠ କୁହାଯାଇପାରିବ ଯେଉଁଥିରେ ବଡ଼ ପ୍ରାର୍ଥନା ଗୃହ, ବହୁତଳ ଅଟ୍ଟାଳିକାମାନ ନିର୍ମାଣ କରାଯାଇଛି । ସେଥିରେ ବୌଦ୍ଧ ଭିକ୍ଷୁଙ୍କ ନିମନ୍ତେ ଆବାସ ସ୍ଥଳ, ଶୟନ କକ୍ଷ, ରୋଷଗୃହ ଓ ଅନ୍ୟ କୋଠରୀମାନ ପାହାଡ଼ ବକ୍ଷକୁ ଖୋଳି ନିର୍ମାଣ କରାଯାଇଛି । ଗୁମ୍ଫାଗୁଡ଼ିକରେ ଖୋଦିତ ପ୍ରସ୍ତର ପ୍ରତିମୂର୍ତ୍ତିମାନ ଗୌତମ ବୁଦ୍ଧ, ବୋଧିସତ୍ତ୍ୱ ଓ ଅନ୍ୟ ସନ୍ଥମାନଙ୍କ ଉପରେ ପର୍ଯ୍ୟବସିତ । କିଛି ଗୁମ୍ଫାରେ ଶିଳା ସ୍ଥାପତ୍ୟର ଉତ୍କୃଷ୍ଟତା କାଷ୍ଠ୍ୟ ନିର୍ମିତ ମୂର୍ତ୍ତିର ଭ୍ରମ ସୃଷ୍ଟି କରିଥାଏ ।

ବୌଦ୍ଧ ସ୍ଥାପତ୍ୟ କଳା ଦୃଷ୍ଟିରୁ ଗୁମ୍ଫା ୫, ୧୦ ଓ ୧୨ ଗୁରୁତ୍ତ୍ୱପୂର୍ଣ୍ଣ । ଏଲୋରାର ସବୁ ଗୁମ୍ଫା ମଧ୍ୟରେ ଗୁମ୍ଫା କ୍ରମାଙ୍କ ୫ର ଏକ ସ୍ୱାତନ୍ତ୍ର୍ୟ ରହିଛି । ଗୁମ୍ଫା ୫ର ମଧ୍ୟ ଭାଗରେ ଦୁଇଟି ସମାନ୍ତରାଳ ପ୍ରସ୍ତର ପିଣ୍ଡା (ବା ମେଜ) ଓ ଗୁମ୍ଫା ଶେଷ ଭାଗରେ ଏକ ବୁଦ୍ଧ ପ୍ରତିମା ରହିଛି ।[୨୮] ଏଲୋରାର ଗୁମ୍ଫା କ୍ରମାଙ୍କ ୫ ଓ ମୁମ୍ବାଇର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ନିକଟସ୍ଥ କୃଷ୍ଣଗିରିର (ବା କାହ୍ନେରି) ଗୁମ୍ଫା କ୍ରମାଙ୍କ ୧୧ର ନିର୍ମାଣ ଶୈଳୀ ଏକ ପ୍ରକାରର ଓ ଭାରତରେ କେବଳ ଏହି ଦୁଇଟି ବୁଦ୍ଧ ଗୁମ୍ଫାରେ ଏପରି ନିର୍ମାଣ ଶୈଳୀ ଅନୁସୃତ ହୋଇଛି ।[୧୦] ଗୁମ୍ଫା କ୍ରମାଙ୍କ ୧ରୁ ୯ ବୌଦ୍ଧ ମଠ ବା ବିହାର ହୋଇଥିବା ସ୍ଥଳେ ବିଶ୍ୱକର୍ମା ଗୁମ୍ଫା ଭାବେ ପରିଚିତ ଗୁମ୍ଫା କ୍ରମାଙ୍କ ୧୦ ଏକ ମୁଖ୍ୟ ପ୍ରାର୍ଥନା କକ୍ଷ ।[୧୦]

ତାନ୍ତ୍ରିକ ବୌଦ୍ଧ ପରମ୍ପରାର ବିଭିନ୍ନ ଦେବୀଙ୍କ ପ୍ରତିମା ଏଲୋରାର ଗୁମ୍ଫା କ୍ରମାଙ୍କ ୧୨ରେ ଖୋଦିତ ହୋଇଛି

ତିନି ମହଲା ବିଶିଷ୍ଟ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ରେ ମହାଯାନ ବୌଦ୍ଧ ପରମ୍ପରାର ପ୍ରତିମୂର୍ତ୍ତି, ବଜ୍ରଯାନ ବୌଦ୍ଧ ପରମ୍ପରାର ମଣ୍ଡଳ, ଦେବୀ ପ୍ରତିମୂର୍ତ୍ତି ଓ ବୋଧିସତ୍ତ୍ୱ ମୂର୍ତ୍ତିମାନ ସ୍ଥାନ ପାଇଛି । ଖ୍ରୀଷ୍ଟ ପର ଅଷ୍ଟମ ଶତାବ୍ଦୀ ପୂର୍ବରୁ ଦକ୍ଷିଣ ଏସିଆର ବୌଦ୍ଧ ଧର୍ମରେ ତାନ୍ତ୍ରିକ ଓ ବଜ୍ରଯାନ ମତବାଦର ଉନ୍ମେଷ ତଥା ବିକାଶର ଏହା ସ୍ପଷ୍ଟ ପ୍ରମାଣ ।[୧୦][୨୯]

ବିଶ୍ୱକର୍ମା ଗୁମ୍ଫା[ସମ୍ପାଦନା]

ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଗୁମ୍ଫା କ୍ରମାଙ୍କ ୧୦ ଉଲ୍ଲେଖଯୋଗ୍ୟ । ଏହା ଏକ ଚୈତ୍ୟ ଗୃହ ଓ ଏହାର ନାମ “ବିଶ୍ୱକର୍ମା ଗୁମ୍ଫା” । ଯେ ସବୁ କିଛି କର୍ମ ସମ୍ପାଦନ କରିପାରନ୍ତି, ସେ ବିଶ୍ୱକର୍ମା ଶବ୍ଦଟି ଦିବ୍ୟ ସ୍ଥପତିଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଖ୍ରୀ. ୬୫୦ ବେଳକୁ ଏହି ଗୁମ୍ଫାଟି ନିର୍ମିତ ହୋଇଥିଲା ।[୩୦][୩୧] ଏହି ଗୁମ୍ଫାକୁ “ବଢ଼େଈ ଗୁମ୍ଫା” ମଧ୍ୟ କୁହାଯାଏ । ଏହି ଗୁମ୍ଫାର ବାହ୍ୟ ଗଠନ କାଷ୍ଠ୍ୟ ଅଭ୍ୟନ୍ତରର ଭ୍ରମ ସୃଷ୍ଟି କରୁଥିବାରୁ ଏପରି ନାମ ରଖାଯାଇଛି । ଦ୍ୱିତଳ ବିଶିଷ୍ଟ ଏହି ଚୈତ୍ୟ ଗୃହର (ବା ପ୍ରାର୍ଥନା କକ୍ଷ) ଛାତଟି ଏକ ଗୀର୍ଜାଘର ବା ସ୍ତୁପ ପରି ଆକାରର । ଚୈତ୍ୟଗୃହର ଗର୍ଭରେ ଧର୍ମୋପଦେଶ ପ୍ରଦାନ କରୁଥିବା ମୁଦ୍ରାରେ ବୁଦ୍ଧଙ୍କର ୧୫ ଫୁଟ୍ ଉଚ୍ଚ ଏକ ପ୍ରତିମା ରହିଛି । ପ୍ରଥମ ମହଲାରେ ସ୍ତୁପଆଡ଼କୁ ମୁହଁ କରି ବାଲ୍‍କନି (Balcony) ପରି ଏକ ଛଜ୍ଜା ବା ଛାତ ମଣ୍ଡପ ରହିଛି ।

ବିଶ୍ୱକର୍ମା (ଦିବ୍ୟ ବଢ଼େଈ) ଗୁମ୍ଫାର ଏକ ଅଂଶ (ଗୁମ୍ଫା କ୍ରମାଙ୍କ ୧୦)

ଗୁମ୍ଫା ୧୦ରେ ବିହାର, ଗୀର୍ଜାଘର ପରି ଏକ ପୂଜା ଗୃହ, ପଛ କାନ୍ଥରେ ୪ଟି ଓ ଡାହାଣ ପଟ କାନ୍ଥରେ ୪ଟି ଲେଖାଏଁ କରି ଧ୍ୟାନ କରିବା ପାଇଁ ୮ଟି କ୍ଷୁଦ୍ର ପ୍ରକୋଷ୍ଠ[୩୨] ଓ ସାମନା ପଟକୁ ଏକ ବାରଣ୍ଡା ରହିଛି ।[୨୪] ଏଲୋରାର ବୌଦ୍ଧ ଗୁମ୍ଫା ସମୂହ ମଧ୍ୟରେ ଏଇଟି ଏକମାତ୍ର ଚୈତ୍ୟ ଗୃହ ଓ ଏହାର ଗଠନ ଅଜନ୍ତାର ଗୁମ୍ଫା କ୍ରମାଙ୍କ ୧୯ ଓ ୨୬ ପରି । ଗବାକ୍ଷ, ଚନ୍ଦ୍ରଶାଳ ବା ତୋରଣ ପରି ଅର୍ଦ୍ଧ ଚନ୍ଦ୍ରାକାର ଝରକା ଗୁମ୍ଫା କ୍ରମାଙ୍କ ୧୦ର ବିଶେଷତା ଏବଂ ଏକ ସୁଡ଼ଙ୍ଗଦ୍ୱାରା ଏହି ଗୁମ୍ଫାଟି ୯ ନମ୍ବର ଗୁମ୍ଫା ସହିତ ସଂଯୋଜିତ ହୋଇଛି ।[୩୦]

ବିଶ୍ୱକର୍ମା ଗୁମ୍ଫାଟି ଅଭ୍ୟନ୍ତର ଗମ୍ବୁଜାକାର । ଏହାର କେନ୍ଦ୍ରୀୟ ପ୍ରକୋଷ୍ଠ ଓ କାନ୍ଥର ଭିତର ପଟକୁ ରହିଥିବା ଆୟତାକାର ବଳୟ ମଧ୍ୟରେ ୨୮ଟି ଅଷ୍ଟଭୂଜାକାର ସ୍ତମ୍ଭ ଆୟତକ୍ଷେତ୍ର ଆକାରରେ ସଜ୍ଜିତ ହୋଇ ରହିଛନ୍ତି । ଚୈତ୍ୟ ଗୃହର ଗମ୍ବୁଜ ତଳେ ଏକ ସ୍ତୁପ ଖୋଦିତ ଯାହା ସହିତ ବ୍ୟାଖ୍ୟାୟନ ମୁଦ୍ରାରେ (ଧର୍ମୋପଦେଶ ପ୍ରଦାନ କରୁଥିବା ମୁଦ୍ରାରେ) ରହିଥିବା ବୁଦ୍ଧଙ୍କର ଏକ ବିରାଟ ମୂର୍ତ୍ତି ସଂଲଗ୍ନ ହୋଇ ରହିଛି । ବୁଦ୍ଧ ମୂର୍ତ୍ତିର ପଛପଟେ ଏକ ବିରାଟ ଅଶ୍ୱତ୍ଥ ଗଛ (ବୋଧି ବୃକ୍ଷ) ପ୍ରସ୍ତର ବକ୍ଷରେ ଖୋଦିତ ହୋଇଛି । ଗମ୍ବୁଜର ଅଭ୍ୟନ୍ତର ଛାତ କଙ୍କାଳ ପରି ଆକାରରେ ନିର୍ମିତ ଯାହା କାଷ୍ଠରେ ନିର୍ମିତ ହୋଇଥିବା ପରି ଦେଖାଯାଏ ।[୩୩] ସ୍ତମ୍ଭମାନଙ୍କରେ ନାଗ ରାଣୀ, ନୃତ୍ୟଙ୍ଗନା, ସଙ୍ଗୀତଶିଳ୍ପୀ, ମନୋରଞ୍ଜନ କଳାକାର ଆଦିଙ୍କର ମୂର୍ତ୍ତି ବା ଚିତ୍ର ରହିଛି ।

ପ୍ରାର୍ଥନା ଗୃହର ସମ୍ମୁଖରେ ଏକ ପ୍ରସ୍ତର ଖୋଦିତ ମଞ୍ଚ ରହିଛି ଯାହା ଉପରକୁ ପାହାଚଦ୍ୱାରା ଯାଇହେବ । ଗୁମ୍ଫାର ପ୍ରବେଶ ପଥ ନିକଟସ୍ଥ କାନ୍ଥରେ ଅପସରା, ଧ୍ୟାନରତ ସାଧୁସନ୍ଥଙ୍କ ମୂର୍ତ୍ତି ଖୋଦିତ ।[୩୨] ଚୈତ୍ୟ ଗୃହର ବାରଣ୍ଡାର ଦୁଇପଟରେ ପାର୍ଶ୍ୱ ମନ୍ଦିର, ଘଟ-ପଲ୍ଲବ ଇତ୍ୟାଦି ରହିଛି । ୧୦ ନମ୍ବର ଗୁମ୍ଫାରେ ମୈତ୍ରେୟ, ତାରା, ଅବଲୋକିତେଶ୍ୱର, ମଞ୍ଜୁଶ୍ରୀ, ଭ୍ରୁକୁଟି, ମହାମୟୂରୀ ପରି ଅନେକ ବୌଦ୍ଧ ଦେବାଦେବୀ ପୂର୍ବ ଭାରତର ପାଳ ରାଜବଂଶର ସ୍ଥାପତ୍ୟ ଶୈଳୀରେ ନିର୍ମିତ ।[୩୪] ଅନେକ କାରୁକାର୍ଯ୍ୟରେ ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ଶୈଳୀ ପ୍ରଭାବ ମଧ୍ୟ ପରିଲକ୍ଷିତ ହୁଏ ।[୩୫]

ହିନ୍ଦୁ ଗୁମ୍ଫା ସମୂହ (୧୩-୨୯)[ସମ୍ପାଦନା]

ଏଲୋରା ଗୁମ୍ଫାରେ ପାର୍ବତୀ (ବାମ) ଓ ନୃତ୍ୟରେ ମଗ୍ନ ଶିବଙ୍କ (ଡାହାଣ) ଖୋଦିତ ମୂର୍ତ୍ତି

ଷଷ୍ଠ ଶତାବ୍ଦୀର ମଧ୍ୟ ଭାଗରୁ ନେଇ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଦୁଇଟି ସୋପାନରେ କାଳଚୁରୀ ରାଜବଂଶର ଶାସକମାନଙ୍କ ଦେଖରେଖରେ ହିନ୍ଦୁ ଗୁମ୍ଫାଗୁଡ଼ିକ ଖୋଦିତ ହୋଇଥିଲା । ୬ଷ୍ଠ ଶତାବ୍ଦୀରେ ୯ଟି ଗୁମ୍ଫା ମନ୍ଦିର[୩୬][୩୭] ଓ ପରେ ଆଉ ୪ଟି ଗୁମ୍ଫା ମନ୍ଦିର ନିର୍ମିତ ହୋଇଥିଲା । ସର୍ବ ପ୍ରଥମେ ଗୁମ୍ଫା ୨୮, ପରବର୍ତ୍ତୀ କ୍ରମରେ ୨୭, ୧୯, ଗୁମ୍ଫା ୨୯ ଓ ୨୧ (ଏକା ସାଥୀରେ), ଗୁମ୍ଫା ୨୦ ଓ ୨୬ (ଏକା ସାଥୀରେ) ଓ ସର୍ବ ଶେଷରେ ଗୁମ୍ଫା ୧୭, ୨୮ର ନିର୍ମାଣ କାର୍ଯ୍ୟ କରାଯାଇଥିଲା ।[୩୮][୩୯]

ଗୁମ୍ଫା ୧୪, ୧୫ ଓ ୧୬ ରାଷ୍ଟ୍ରକୂଟ ବଂଶର ଶାସନ ସମୟରେ ଖୋଦିତ ହୋଇଥିଲା, ଯେଉଁମାନଙ୍କ ମଧ୍ୟରୁ କେତୋଟି ୮ମରୁ ୧୦ମ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିଲା ।[୪୦] କ୍ରମାନ୍ୱୟରେ ପ୍ରଥମେ ୧୪, ୧୫ ଓ ଶେଷରେ ଗୋଟିଏ ପଥରରୁ ଖୋଦିତ ବିଶାଳକାୟ ଗୁମ୍ଫା ୧୬ର ନିର୍ମାଣ ଆରମ୍ଭ ହୋଇଥିଲା ।[୩୮] ରାଜା ପ୍ରଥମ କୃଷ୍ଣଙ୍କ ଶାସନ କାଳ ଅର୍ଥାତ୍ ୮ମ ଶତାବ୍ଦୀ ବେଳକୁ ଏହି ଗୁମ୍ଫାଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଥିଲା ।[୪୧][୪୨]

ପ୍ରଥମ ହିନ୍ଦୁ ମନ୍ଦିର (ଧୂମର୍ ଲେଣା), ଗୁମ୍ଫା କ୍ରମାଙ୍କ ୨୯[ସମ୍ପାଦନା]

ଏଲୋରାର ଗୁମ୍ଫା କ୍ରମାଙ୍କ ୨୯ର ଏକ ଦୃଶ୍ୟ

ବୌଦ୍ଧ ଓ ଜୈନ ମନ୍ଦିରମାନଙ୍କ ପୂର୍ବରୁ ହିନ୍ଦୁ ମନ୍ଦିରର ଖୋଦନ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା । ପ୍ରାରମ୍ଭିକ ସମୟର ହିନ୍ଦୁ ଗୁମ୍ଫାଗୁଡ଼ିକରେ ଶିବ ମୁଖ୍ୟ ଦେବତା ହୋଇଥିବା ବେଳେ ଅନେକ ଦେବଦେବୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଗର୍ଭ ଗୃହରେ ପ୍ରସ୍ତର ନିର୍ମିତ ଶିବ ଲିଙ୍ଗ ଓ ଗର୍ଭ ଗୃହର ପ୍ରଦକ୍ଷିଣା ବା ପରିକ୍ରମ ପାଇଁ ରହିଥିବା ପଥ ଏହି ସବୁ ମନ୍ଦିରର ବିଶେଷତା ।

ଗୁମ୍ଫା କ୍ରମାଙ୍କ ୨୯କୁ ମରାଠୀ ଭାଷାରେ ଧୂମର୍ ଲେଣା ବୋଲି କୁହାଯାଏ । ଏହା ଆକାରରେ ବଡ଼ ତଥା ଏହାର ନିର୍ମାଣ ସମୟ ଏଲୋରାର ଖୋଦନର ପ୍ରାରମ୍ଭିକ କାଳର ବୋଲି ଅନୁମାନ କରାଯାଏ ।[୪୩] ଏଲୋରାର ପ୍ରାରମ୍ଭିକ ସମୟର ହିନ୍ଦୁ ମନ୍ଦିରଗୁଡ଼ିକ ଏକ ପ୍ରାକୃତିକ ଜଳପ୍ରପାତ ଶଯ୍ୟାର ଅଂଶ ହୋଇଥିବା ଶିଳା ତଳେ ଖୋଦନ କରାଯାଇଥିଲା ଓ ଏହି ଜଳଧାରାକୁ "ୱାଲେ ଗଙ୍ଗା" ବୋଲି ମଧ୍ୟ କୁହାଯାଉଥିଲା ।[୪୪][୩୯] ଦକ୍ଷିଣ ଦିଗରେ ଥିବା ପ୍ରସ୍ତର ଖୋଦିତ ଏକ ଛାତ ମଣ୍ଡପରୁ ଜଳ ପ୍ରପାତଟି ଦୃଶ୍ୟମାନ ଓ ବର୍ଷା ଋତୁରେ ଶିବଙ୍କ ଭ୍ରୁଲତା ଉପରେ ଏହି ଜଳଧାରା ପତିତ ହେଉଛି ବୋଲି କୁହାଯାଏ ।[୪୪] ଏହି ଗୁମ୍ଫାର ମୂର୍ତ୍ତିଗୁଡ଼ିକ ଜୀବନ୍ତ ମନୁଷ୍ୟଠାରୁ ବୃହତ୍ତର । କିନ୍ତୁ ଲେଖକ ଧୱଲିକରଙ୍କ ମତରେ ଏଲୋରାର ଅନ୍ୟ ମନ୍ଦିରମାନଙ୍କ ତୁଳନାରେ ଏହି ମନ୍ଦିରର ମୂର୍ତ୍ତି ଗୁଡ଼ିକ ସ୍ଥୂଳ, ମୋଟା ଓ ଅସମାନୁପାତୀ ।[୪୫]

ରାମେଶ୍ୱର ମନ୍ଦିର, ଗୁମ୍ଫା କ୍ରମାଙ୍କ ୨୧[ସମ୍ପାଦନା]

ଏଲୋରା ଗୁମ୍ଫା କ୍ରମାଙ୍କ ୨୧ର ପ୍ରବେଶ ଦ୍ୱାର ନିକଟରେ ଥିବା ଗଙ୍ଗାଙ୍କ ପ୍ରତିମା

ଗୁମ୍ଫା କ୍ରମାଙ୍କ ୨୧ ରାମେଶ୍ୱର ଲେଣା ନାମରେ ପରିଚିତ ଓ ପ୍ରାରମ୍ଭିକ କାଳର ଗୁମ୍ଫାମାନଙ୍କ ମଧ୍ୟରୁ ଏକ ।[୪୬][୪୭] କାଳଚୁରି ବଂଶର ଶାସକମାନେ ଏହି ଗୁମ୍ଫାର ନିର୍ମାଣ କରାଇଥିବା ଅନୁମାନ କରାଯାଏ । ରାଷ୍ଟ୍ରକୂଟ ବଂଶର ଅଭ୍ୟୁଦୟ ପୂର୍ବରୁ ଏହି ଗୁମ୍ଫା ପ୍ରସ୍ତୁତ ହୋଇସାରିଥିଲା । ପରେ ରାଷ୍ଟ୍ରକୂଟମାନେ ଅଧିକ ଗୁମ୍ଫା ଖୋଦନ କରାଇଥିଲେ ।[୩]

ଶିଳ୍ପକଳା ଦୃଷ୍ଟିରୁ ଏହି ଗୁମ୍ଫା ଏଲୋରାର ଅନ୍ୟ ଗୁମ୍ଫାମାନଙ୍କ ପରି, କିନ୍ତୁ ଦେବୀ ପାର୍ବତୀ ଶିବଙ୍କୁ ଅନୁସରଣ କରିବାର କାହାଣୀ ଏହି ଗୁମ୍ଫାର ସ୍ୱାତନ୍ତ୍ର୍ୟ । ଅବସର ସମୟରେ ଶିବ ପାର୍ବତୀ ବସିଥିବା, ଶିବ ପାର୍ବତୀଙ୍କ ବିବାହ, ଶିବଙ୍କ ନୃତ୍ୟ, କାର୍ତ୍ତିକେୟ (ସ୍କନ୍ଧ) ଇତ୍ୟାଦି ପ୍ରସ୍ତର ପ୍ରତିମା ଏହି ଗୁମ୍ଫାରେ ରହିଛି ।[୪୮] ଶାକ୍ତ ପରମ୍ପରାରେ ପୂଜିତ ସପ୍ତମାତୃକା ଶିବ ଓ ଗଣେଶଙ୍କ ମଝିରେ ବସିଥିବାର ଏକ ଶିଳା ପ୍ରତିମା ମଧ୍ୟ ଏହି ଗୁମ୍ଫାରେ ରହିଛି ।[୪୮] ଗୁମ୍ଫା ମନ୍ଦିରର ଅଭ୍ୟନ୍ତରରେ ଦୁର୍ଗାଙ୍କ ସମେତ ଆହୁରି ଅନେକ ଶାକ୍ତ ପରମ୍ପରାର ଦେବୀଙ୍କ ପ୍ରତିମା ଦେଖିବାକୁ ମିଳେ । ଭାରତୀୟ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରଖୁଥିବା ହିମାଳୟର ଦୁଇ ନଦୀ ଗଙ୍ଗାଯମୁନାଙ୍କ ପ୍ରତିମା ଗୁମ୍ଫା କ୍ରମାଙ୍କ ୨୧ର ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ରହିଛି ।[୪୯]

ଗୁମ୍ଫାର ନକସା ଦେଖିଲେ ଏହାର ବର୍ଗ ମଣ୍ଡପ ଶୈଳୀ ଓ ଅନ୍ୟ କାରୁକାର୍ଯ୍ୟର ଜ୍ୟାମିତିକ ସମତା ଜଣାପଡ଼େ ।[୫୦] ଗର୍ଭ ଗୃହର ଶିବ ଲିଙ୍ଗ ଗଙ୍ଗା-ଯମୁନା ପ୍ରତିମୂର୍ତ୍ତିମାନଙ୍କଠାରୁ ସମ ଦୂରତାରେ (ଏକ ସମବାହୁ ତ୍ରିଭୂଜର ତିନି କୋଣ ପରି) ଅବସ୍ଥିତ ।[୫୧] କାର୍ମେଲ୍ ବର୍କସନ୍‍ଙ୍କ ଅନୁସାରେ ଏପରି ଜ୍ୟାମିତିକ ସଜ୍ଜା ହିନ୍ଦୁ ଦର୍ଶନ ଶାସ୍ତ୍ରର ବ୍ରହ୍ମ (ପୁରୁଷ) ଓ ପ୍ରକୃତିର ସମ୍ପର୍କ ଦର୍ଶାଇଥାଏ ।[୪୯]

କୈଳାସ ମନ୍ଦିର, ଗୁମ୍ଫା କ୍ରମାଙ୍କ ୧୬[ସମ୍ପାଦନା]

top view
Fergusson painting
ବାମ: ଏଲୋରା ଗୁମ୍ଫାସ୍ଥିତ କୈଳାସ ମନ୍ଦିର । ଡାହାଣ: ଜେମ୍‍ସ୍ ଫର୍ଗୁସନ୍‍ଙ୍କଦ୍ୱାରା ଅଙ୍କିତ କୈଳାସ ମନ୍ଦିରର ଚିତ୍ର (୧୯ଶ ଶତାବ୍ଦୀ) ।

ଗୁମ୍ଫା କ୍ରମାଙ୍କ ୧୬ କୈଳାସ ମନ୍ଦିର ଭାବେ ଜଣାଶୁଣା, ନିଜ ସ୍ଥାପତ୍ୟ କଳା ପାଇଁ ସର୍ବ ବିଦିତ ଓ ଗୋଟିଏ ବିରାଟ ଆଗ୍ନେୟ ଶିଳା ଉପରୁ ତଳ ପଟକୁ ଖୋଳାଯାଇ ଏହି ବିଶାଳକାୟ ମନ୍ଦିରର ନିର୍ମାଣ କରାଯାଇଥିଲା ।[୫୨][୫୩]

କୈଳାସ ପର୍ବତ ନାମରୁ ଗୃହୀତ କୈଳାସ ମନ୍ଦିରର ମୁଖ୍ୟ ଦେବତା ଭଗବାନ ଶିବ[୫୪] ଅନ୍ୟ ହିନ୍ଦୁ ମନ୍ଦିରମାନଙ୍କ ପରି ଏକାଧିକ ମହଲା ବିଶିଷ୍ଟ କୈଳାସ ମନ୍ଦିରରେ ମଧ୍ୟ ତୋରଣ ସଦୃଶ ପ୍ରବେଶ ଦ୍ୱାର, ସଭା-ପ୍ରାର୍ଥନା ଗୃହ ଇତ୍ୟାଦି ରହିଛି ଓ ମୁଖ୍ୟ ମନ୍ଦିରକୁ ପରିବେଷ୍ଟନ କରି ଅନେକ ପାର୍ଶ୍ୱ ମନ୍ଦିର ରହିଛି । ସମସ୍ତ ହିନ୍ଦୁ ମନ୍ଦିର ପରି ଏହି ମନ୍ଦିରଟି ଏକ ବର୍ଗାକାର କ୍ଷେତ୍ର ମଧ୍ୟରେ ନିର୍ମିତ[୫୫] ଓ ବାହ୍ୟ ପାର୍ଶ୍ୱରେ ଏକ ପରିକ୍ରମା ବଳୟ ରହିଛି । କୈଳାସ ପର୍ବତ ସଦୃଶ ମନ୍ଦିରର ବିମାନ, ଗର୍ଭ ଗୃହ, ଗର୍ଭ ଗୃହରେ ରହିଥିବା ଯୋନି ସଂଲଗ୍ନ ଶିବଲିଙ୍ଗ ସବୁ କିଛି ଗୋଟିଏ ବିରାଟ ପଥରକୁ ଖୋଳି ନିର୍ମାଣ କରାଯାଇଛି ।[୫୩][୫୬] ଗଙ୍ଗା, ଯମୁନା, ସରସ୍ୱତୀ, ବିଷ୍ଣୁଙ୍କ ଦଶାବତାର, ଇନ୍ଦ୍ର, ଅଗ୍ନି, ବାୟୁ, ସୂର୍ଯ୍ୟ, ଊଷାଙ୍କ ପରି ବିଭିନ୍ନ ବୈଦିକ ଦେବଦେବୀ, ଗଣେଶ, ଅର୍ଦ୍ଧନାରୀଶ୍ୱର (ଅର୍ଦ୍ଧ ଶିବ, ଅର୍ଦ୍ଧ ପାର୍ବତୀ), ହରିହର (ଅର୍ଦ୍ଧ ଶିବ, ଅର୍ଦ୍ଧ ବିଷ୍ଣୁ), ଅନ୍ନପୂର୍ଣ୍ଣା, ଦୁର୍ଗାଙ୍କ ପରି ଅନ୍ୟହିନ୍ଦୁ ଦେବଦେବୀଙ୍କ ପାଇଁ ଉଦ୍ଦିଷ୍ଟ ପାର୍ଶ୍ୱ ମନ୍ଦିର ରହିଛି ।[୫୨][୫୩][୫୭] ମନ୍ଦିରର ଭୂମିସ୍ଥ ସ୍ତରରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରା ସମ୍ବନ୍ଧୀୟ ଅନେକ ପ୍ରତିମା ଦେଖିବାକୁ ମିଳେ । କୃଷ୍ଣଙ୍କ ବାଲ୍ୟଲୀଳାର ୧୨ଟି କାହାଣୀର ଶିଳା ପ୍ରତିମା ତନ୍ମଧ୍ୟରେ ଉଲ୍ଲେଖନୀୟ ।[୫୮]

ପଥରକୁ କାଟି ନିର୍ମିତ ହୋଇଥିବା ଏକାଧିକ ମହଲାବିଶିଷ୍ଟ ଏହି ମନ୍ଦିରର ବର୍ଗକ୍ଷେତ୍ର ଏଥେନ୍ସସ୍ଥିତ ପାର୍ଥିନନ୍‍ର ପ୍ରାୟ ୨ ଗୁଣ ହେବ ।[୫୯] ଅନୁମାନ କରାଯାଏ ଯେ, ମନ୍ଦିରର ପ୍ରସ୍ତର ଶିଳ୍ପୀ ଓ କାରିଗରମାନେ ପ୍ରାୟ ୩୦ ଲକ୍ଷ କ୍ୟୁବିକ୍ ଫୁଟ୍ ଘନଫଳ ଆୟତନର ପଥର କାଟି ଏହାର ନିର୍ମାଣ କରିଥିବେ । ପ୍ରାୟ ୨ ଲକ୍ଷ ଟନ୍[୫୪] ଓଜନର ପଥର ବର୍ଜନ କରାଯାଇ ମନ୍ଦିରଟି ପ୍ରସ୍ତୁତ କରାଯାଇଥିବ ।[୫୩]

ରାଷ୍ଟ୍ରକୂଟ ବଂଶର ରାଜା ପ୍ରଥମ କୃଷ୍ଣଙ୍କ ରାଜୁତି କାଳରେ (ଖ୍ରୀ. ୭୫୬-୭୭୩) ଏହି ମନ୍ଦିର ନିର୍ମିତ ହୋଇଥିଲା[୬୦], କିନ୍ତୁ ମନ୍ଦିରର ସ୍ଥାପତ୍ୟ କଳାରେ କିଛି ମାତ୍ରାରେ ପଲ୍ଲବ ସ୍ଥାପତ୍ୟ କଳାର ଛାପ ମଧ୍ୟ ଦେଖିବାକୁ ମିଳେ ।[୬୧] ଗର୍ଭ ଗୃହ ସମ୍ମୁଖରେ ଥିବା ଦରବାର ବା ପିଣ୍ଡାର ମାପ ପ୍ରାୟ ୮୨ମି. (୨୮୦ ଫୁଟ୍) × ୪୬ ମି. (୧୬୦ ଫୁଟ୍) ଓ ଭୂମିରୁ ଏହାର ଉଚ୍ଚତା ୩୦ମି. (୧୦୬ ଫୁଟ୍) ।[୫୬] ମନ୍ଦିରର ପ୍ରବେଶ ତୋରଣ ବା ଗୋପୁରମ୍‍ଟି ଅନୁଚ୍ଚ । ମୁଖ୍ୟ ମନ୍ଦିରର ମଣ୍ଡପରେ ୧୬ଟି ସ୍ତମ୍ଭ ଓ ଗର୍ଭ ଗୃହରେ ଶିବଲିଙ୍ଗ ରହିଛି । ମନ୍ଦିରର ଶିଖରଟି ଦ୍ରାବିଡ଼ ମନ୍ଦିର ସ୍ଥାପତ୍ୟ ଶୈଳୀରେ ନିର୍ମିତ । ମୁଖ୍ୟ ମନ୍ଦିର ସମ୍ମୁଖରେ ଶିବଙ୍କ ବାହନ ନନ୍ଦୀ ଏକ ପ୍ରସ୍ତର ପୀଠ ଉପରେ ଦଣ୍ଡାୟମାନ ।[୫୨] ମୁଖ୍ୟ ମନ୍ଦିର ଭିତରର ଉତ୍ତର ପଟ କାନ୍ଥରେ ମହାଭାରତ ଓ ଦକ୍ଷିଣ ପଟ କାନ୍ଥରେ ରାମାୟଣର କଥାମାନ ଖୋଦିତ ହୋଇଛି ।[୬୨]

ପ୍ରଥମ ସହସ୍ରାବ୍ଦୀର ଭାରତୀୟ ଇତିହାସରେ ନିର୍ମିତ ଉଲ୍ଲେଖନୀୟ ମନ୍ଦିରମାନଙ୍କ ମଧ୍ୟରେ କୈଳାସ ମନ୍ଦିର ଅନ୍ୟତମ ।[୬୩][୫][୫୪] କାର୍ମେଲ୍ ବର୍କ୍‍ସନ୍ ଶିଳା ଖୋଦିତ ଶିଳ୍ପକଳା ଜଗତରେ ଏହାକୁ “ବିଶ୍ୱରେ ଏକ ବିସ୍ମୟ” ବୋଲି ଅଭିହିତ କରିଥିଲେ ।[୬୪]

ଦଶାବତାର ମନ୍ଦିର, ଗୁମ୍ଫା କ୍ରମାଙ୍କ ୧୫[ସମ୍ପାଦନା]

ଏଲୋରାର ଦଶାବତାର ଗୁମ୍ଫା ମନ୍ଦିରରେ ବିଷ୍ଣୁଙ୍କ ଏକ ପ୍ରତିମା

ଗୁମ୍ଫା କ୍ରମାଙ୍କ ୧୫ ଦଶାବତାର ମନ୍ଦିର ଭାବେ ଜଣାଶୁଣା । ସମ୍ଭବତଃ ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଗର୍ତ୍ତ ବା ରାବଣ ଖାଈ) ପରେ ଏହାର ଖୋଦନ କରାଯାଇଥିଲା । ଦଶାବତାର ଗୁମ୍ଫାର ନକସା, ପ୍ରକୋଷ୍ଠ ଓ ଅଭ୍ୟନ୍ତର ବୌଦ୍ଧ ଗୁମ୍ଫା କ୍ରମାଙ୍କ ୧୧ ଓ ୧୨ ପରି । ଏହି କାରଣରୁ କେତେକ ଗବେଷକ ଏହା ବୌଦ୍ଧ ଗୁମ୍ଫା ଉଦ୍ଦେଶ୍ୟରେ ପ୍ରଥମେ ଖୋଳାଯାଇଥିଲା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ । ଜେମ୍‍ସ୍ ହାର୍ଲେଙ୍କ ଅନୁଯାୟୀ, ବୌଦ୍ଧ ଗୁମ୍ଫା ୧୧ରେ ମଧ୍ୟ କିଛି ହିନ୍ଦୁ ପ୍ରତିମା ଦେଖିବାକୁ ମିଳେ ଓ ଆଖ ପାଖର ବୌଦ୍ଧ ଗୁମ୍ଫାରେ ମଧ୍ୟ ହିନ୍ଦୁ ଧାର୍ମିକ ପରମ୍ପରାର ଛାପ ରହିଛି । ଧାର୍ମିକ ଶିଳ୍ପକଳାର ଏପରି ସମ୍ମିଶ୍ରଣରୁ ଅନୁମାନ କରାଯାଏ ଯେ ବୋଧହୁଏ ସମାନ କାରିଗର, ଶିଳ୍ପୀ ଓ ସ୍ଥପତିମାନେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାର ଖୋଦନ କରୁଥିଲେ କିମ୍ବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ଗୁମ୍ଫାରେ ପରବର୍ତ୍ତୀ ସମୟରେ ହିନ୍ଦୁ ପ୍ରତିମା ନିର୍ମାଣ କରାଯାଇ ଏହାକୁ ଏକ ହିନ୍ଦୁ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା ।[୬୫][୬୬]

ଗେରି ମାଲାନ୍ଦ୍ରାଙ୍କ ମତାନୁସାରେ ବୌଦ୍ଧ ଗୁମ୍ଫାକୁ ହିନ୍ଦୁ ଗୁମ୍ଫା ନୁହେଁ, ବରଂ ପୂର୍ବରୁ ହିନ୍ଦୁ ତୀର୍ଥସ୍ଥଳୀ ରହିଆସିଥିବା ଏଲୋରାରେ ପରବର୍ତ୍ତୀ କାଳରେ ବୌଦ୍ଧ ଧାର୍ମିକ ପରମ୍ପରା ଅନୁପ୍ରବେଶ କରିଥିଲା । ପୁଣି ଅଧିକାଂଶ ବୌଦ୍ଧ ଓ ହିନ୍ଦୁ ମନ୍ଦିରର ନିର୍ମାତା ଅଜଣା, କିଛି ହିନ୍ଦୁ ରାଜାଙ୍କ ବ୍ୟତୀତ କୌଣସି ଅଭିଲେଖରୁ ବୌଦ୍ଧ ଗୁମ୍ଫାଗୁଡ଼ିକ ପାଇଁ କିଏ ବ୍ୟୟବହନ କରୁଥିଲେ ବା ଦାନ କରୁଥିଲେ ତାହାର ପ୍ରମାଣ ମିଳୁନାହିଁ । ତେଣୁ ହିନ୍ଦୁ ଗୁମ୍ଫାକୁ ବୌଦ୍ଧମାନେ ଅକ୍ତିଆର କଲେ ନା ତାହାର ବିପରୀତ ଘଟିଲା, ଏ ସବୁ ଘଟଣାର ମୂଳ ଉଦ୍ଦେଶ୍ୟ ଓ ଘଟଣାବଳୀ ବିଷୟରେ କେବଳ ଅନୁମାନ କରାଯାଇପାରିବ କିନ୍ତୁ ସତ୍ୟ କଣ ତାହା ନିର୍ଦ୍ଦିଷ୍ଟ ରୂପେ କହିହେବ ନାହିଁ ।[୬୭]

୧୯ଶ ଶତାବ୍ଦୀରେ ଅଙ୍କିତ ଏଲୋରାର ୧୫ ନମ୍ବର ଗୁମ୍ଫାର ଏକ ଚିତ୍ର

ଅନ୍ୟ ହିନ୍ଦୁ ଗୁମ୍ଫା ମନ୍ଦିର[ସମ୍ପାଦନା]

ଗୁମ୍ଫା କ୍ରମାଙ୍କ ୧୪ (ରାବଣ ଖାଈ ବା ରାବଣ ଗର୍ତ୍ତ), ଗୁମ୍ଫା କ୍ରମାଙ୍କ ୨୨ (ନୀଳକଣ୍ଠ) ବିଭିନ୍ନ ପ୍ରସ୍ତର ପ୍ରତିମାରେ ପରିପୂର୍ଣ୍ଣ । ଶିବ ଓ ପାର୍ବତୀ କୈଳାସରେ ବସିଥିବା ସମୟରେ ରାବଣ କୈଳାସ ଦୋହଲାଇବାର ଚେଷ୍ଟା କରିବା କାହାଣୀର ଏକ ପ୍ରସ୍ତର ଖୋଦିତ ଚିତ୍ର ଗୁମ୍ଫା ୧୪ରେ ରହିଛି । ଗୁମ୍ଫା କ୍ରମାଙ୍କ ୨୫ର ଗର୍ଭ ଗୃହ ସମ୍ମୁଖସ୍ଥ ଛାତରେ ସପ୍ତାଶ୍ୱଦ୍ୱାରା ଟଣାଯାଉଥିବା ରଥରେ ବିରାଜିତ ସୂର୍ଯ୍ୟଙ୍କର ଏକ ପ୍ରତିମା ରହିଛି ।

ଜୈନ ଗୁମ୍ଫା ସମୂହ (୩୦-୩୪)[ସମ୍ପାଦନା]

ଜୈନ ଭଗବାନ ମହାବୀର
ଦେବୀ ସିଦୈକା ବା ସିଦ୍ଧିକା

ଏଲୋରା ଗୁମ୍ଫା ସମୂହର ଉତ୍ତରାଂଶରେ ଖ୍ରୀ. ନବମ ବା ଦଶମ ଶତାବ୍ଦୀରେ ଖୋଦିତ ୫ଟି ଦିଗମ୍ବର ଜୈନ ଗୁମ୍ଫା ରହିଛି ।[୬୮][୬୯] ଆକାରରେ ଜୈନ ଗୁମ୍ଫାଗୁଡ଼ିକ ବୌଦ୍ଧ ଓ ହିନ୍ଦୁ ଗୁମ୍ଫାଠାରୁ ଛୋଟ, କିନ୍ତୁ ଏହାର ପ୍ରସ୍ତର କାରୁକାର୍ଯ୍ୟ ଅତି ସୁନ୍ଦର । ପରବର୍ତ୍ତୀ କାଳର ହିନ୍ଦୁ ଗୁମ୍ଫା ଓ ଜୈନ ଗୁମ୍ଫାଗୁଡ଼ିକ ଏକା ସମୟରେ ନିର୍ମିତ ହୋଇଥିବାରୁ ଏମାନଙ୍କ ସ୍ଥାପତ୍ୟ କଳା ଓ ଧାର୍ମିକ ମନୋଭାବର ଧାରାରେ (ଉଦାହରଣ ସ୍ୱରୂପ : ସ୍ତମ୍ଭରେ ସଜ୍ଜିତ ବାରଣ୍ଡା, ସମମୀତ ମଣ୍ଡପ ଓ ପୂଜା ମଣ୍ଡପ ଇତ୍ୟାଦି) ସାମଞ୍ଜସ୍ୟ ଦେଖାଯାଏ ।[୭୦] ତେବେ ଜୈନ ଗୁମ୍ଫାଗୁଡ଼ିକରେ ୨୪ ଜଣ ଜୈନ ତୀର୍ଥଙ୍କରଙ୍କ ପ୍ରତିମା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।[୭୧] ଜୈନ ଗୁମ୍ଫାମାନଙ୍କରେ ଜିନଙ୍କ (ତୀର୍ଥଙ୍କର) ବ୍ୟତୀତ ବିଭିନ୍ନ ଦେବ-ଦେବୀ, ଯକ୍ଷ-ଯକ୍ଷୀ ଓ ପ୍ରଥମ ସହସ୍ରାବ୍ଦୀର ଜୈନ ପୌରାଣିକ ଚରିତ୍ର ଇତ୍ୟାଦିଙ୍କ ପ୍ରତିମା ଖୋଦିତ ହୋଇଛି ।[୭୨]

ଇନ୍ଦ୍ରସଭାର ଶିଖର

ହୋଜେ ପେରେରାଙ୍କ ଅନୁସାରେ ବିଭିନ୍ନ ସମୟରେ ୨୩ଟି ଅଲଗା ଅଲଗା ଖୋଦନଦ୍ୱାରା ଜୈନ ଗୁମ୍ଫାଗୁଡ଼ିକ ନିର୍ମିତ ହୋଇଥିଲା । ବର୍ତ୍ତମାନ ସମୟରେ ଏଥିରୁ ୧୩ଟିକୁ ଇନ୍ଦ୍ରସଭାର ଅଂଶ, ୬ଟିକୁ ଜଗନ୍ନାଥ ସଭାର ଅଂଶ ଓ ଅବଶିଷ୍ଟକୁ ଛୋଟ କୈଳାସର ଅଂଶ ଭାବେ ପରିଗଣିତ କରାଯାଉଛି ।[୭୧] ବିଭିନ୍ନ ଉତ୍ସର ଅଧ୍ୟୟନ କରି ଶ୍ରୀ ପେରେରା ମତ ରଖିଥିଲେ ଯେ ଏଲୋରାର ଜୈନ ଗୁମ୍ଫାମାନଙ୍କର ଖୋଦନ କାର୍ଯ୍ୟ ଅଷ୍ଟମ ଶତାବ୍ଦୀର ଶେଷଆଡ଼କୁ ଆରମ୍ଭ ହୋଇ[୭୩] ଦଶମ ଶତାବ୍ଦୀ ପର ଯାଏଁ ଚାଲିଥିଲା; ଓ ତ୍ରୟୋଦଶ ଶତାବ୍ଦୀରେ ଦିଲ୍ଲୀର ମୋଗଲ ସାମ୍ରାଜ୍ୟର ଆକ୍ରମଣ ପରେ ଏହି ସବୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।[୭୪] ୧୨୩୫ ମସିହାର ଏକ ଦାନ ପଟ୍ଟଳର ଶିଳାଲେଖ ଅନୁଯାୟୀ ଦାତା ଚରଣାଦ୍ରିକୁ ଏକ ତୀର୍ଥରେ ପରିଣତ କରିବା ପାଇଁ ଜୈନମାନଙ୍କ ପାଇଁ ଗୁମ୍ଫା ଓ ଜିନ ପ୍ରତିମା ଖୋଳାଇଥିଲେ ।[୭୫]

ପ୍ରମୁଖ ଜୈନ ଗୁମ୍ଫାଗୁଡ଼ିକ ହେଲେ – ଛୋଟ କୈଳାସ (ଗୁମ୍ଫା କ୍ରମାଙ୍କ ୩୦, ୪ଟି ଖୋଦିତ ଗୁମ୍ଫାର ସମାହାର), ଇନ୍ଦ୍ର ସଭା (ଗୁମ୍ଫା କ୍ରମାଙ୍କ ୩୨, ୧୩ଟି ଖୋଦିତ ଗୁମ୍ଫାର ସମାହାର), ଜଗନ୍ନାଥ ସଭା (ଗୁମ୍ଫା କ୍ରମାଙ୍କ ୩୩, ୪ଟି ଖୋଦିତ ଗୁମ୍ଫାର ସମାହାର) [୭୧], ଅସମାପ୍ତ ଚତୁଃସ୍ତମ୍ଭ ଓ ପ୍ରକୋଷ୍ଠବିଶିଷ୍ଟ ଗୁମ୍ଫା କ୍ରମାଙ୍କ ୩୧ ।[୭୬] ଗୁମ୍ଫା କ୍ରମାଙ୍କ ୩୪ ଆକାରରେ ଛୋଟ ଓ ଗୁମ୍ଫା କ୍ରମାଙ୍କ ୩୩ର ବାମ ପଟେ ଥିବା ଏକ ଛୋଟ ଗଳାବାଟଦ୍ୱାରା ଏଥିରେ ପ୍ରବେଶ କରାଯାଇପାରିବ ।[୭୭]

ଜୈନ ଗୁମ୍ଫାମାନଙ୍କରେ ପୁରାତନ ସମବଶରଣ (ବା ସମୋଶରଣ) ଧାର୍ମିକ ଶିକ୍ଷାର ଶିଳାଚିତ୍ର ରହିଛି । କେବଳ ଜ୍ଞାନପ୍ରାପ୍ତି ପରେ ତୀର୍ଥଙ୍କରମାନଙ୍କ ଧର୍ମୋପଦେଶ ପ୍ରଦାନର ଚିତ୍ର ଏହି ପ୍ରକୋଷ୍ଠରେ ରହିଥିବାରୁ ଜୈନମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗୁମ୍ଫା ।[୭୮] ଗୁମ୍ଫାରେ ୧୯ଟି ବିଭିନ୍ନ ସ୍ଥାନରେ ପାର୍ଶ୍ୱନାଥ ଓ ବାହୁବଳୀ ପ୍ରତିମାଯୁଗଳଙ୍କ ଅବସ୍ଥିତି ମଧ୍ୟ ଏକ ବିଶେଷତା ।[୭୯] ଏହାଛଡ଼ା ସରସ୍ୱତୀ, ଶ୍ରୀ, ସୌଧର୍ମେନ୍ଦ୍ର, ସର୍ବନୁଭୂତି, ଗୋମୁଖ, ଅମ୍ବିକା, ଚକ୍ରେଶ୍ୱରୀ, ପଦ୍ମାବତୀ, କ୍ଷେତ୍ରପାଳ, ହନୁମାନ ଆଦି ଦେବଦେବୀଙ୍କ ପ୍ରତିମା ଜୈନ ଗୁମ୍ଫାସମୂହରେ ଦେଖିବାକୁ ମିଳେ ।[୮୦]

ଛୋଟ କୈଳାସ, ଗୁମ୍ଫା କ୍ରମାଙ୍କ ୩୦[ସମ୍ପାଦନା]

ଛୋଟ କୈଳାସ

କୈଳାସ ମନ୍ଦିରର (ଗୁମ୍ଫା କ୍ରମାଙ୍କ ୧୬) ପ୍ରସ୍ତର କଳା ସହିତ କିଛି ମାତ୍ରାରେ ସାମଞ୍ଜସ୍ୟ ରହିଥିବାରୁ ଗୁମ୍ଫା କ୍ରମାଙ୍କ ୩୦କୁ ଛୋଟ କୈଳାସ ବୋଲି କୁହାଯାଏ । କୈଳାସ ମନ୍ଦିରର ନିର୍ମାଣ ସମାପ୍ତି ପରେ ପ୍ରାୟ ନବମ ଶତାବ୍ଦୀର ପ୍ରାରମ୍ଭରେ ଛୋଟ କୈଳାସ ଓ ଇନ୍ଦ୍ର ସଭାର ତଳ ସ୍ତରର ନିର୍ମାଣ ଏକା ସମୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଏ ।[୮୧] ଅଳଙ୍କାରଭୂଷିତ ଓ ମୁକୁଟମଣ୍ଡିତ ନୃତ୍ୟରତ ଇନ୍ଦ୍ରଙ୍କ ଦୁଇଟି ପ୍ରତିମାରେ (ଗୋଟିଏ ଅଷ୍ଟଭୂଜ ଓ ଅନ୍ୟଟି ଦ୍ୱାଦଶଭୂଜ) ହାତର ନୃତ୍ୟ ମୁଦ୍ରା ଅତି ନିଖୁଣ ଭାବେ ବର୍ଣ୍ଣିତ । ହିନ୍ଦୁ ଗୁମ୍ଫାମାନଙ୍କରେ ନୃତ୍ୟରତ ଶିବଙ୍କ ନୃତ୍ୟ ମୁଦ୍ରାର ଅନୁକରଣ କରି ଏଗୁଡ଼ିକ ଖୋଦିତ ହେଲାପରି ଦେଖାଯାଏ ।[୮୨] କିନ୍ତୁ ପ୍ରତିମାର ବୈଶିଷ୍ଟ୍ୟରୁ ଏଗୁଡ଼ିକ ଶିବ ନୁହେଁ ବରଂ ଇନ୍ଦ୍ର ପ୍ରତିମା ବୋଲି ସ୍ପଷ୍ଟ ପ୍ରତୀତ ହୁଏ । ସ୍ୱର୍ଗର ନୃତ୍ୟାଙ୍ଗନା, ଦେବଦେବୀଙ୍କ ପ୍ରତିମା ମଧ୍ୟ ଦେଖିବାକୁ ମିଳେ ।[୮୩]

କଳା ଐତିହାସିକ ଲିସା ଓୱେନ୍ କିନ୍ତୁ ଏହି ଜୈନ ମୂର୍ତ୍ତିଗୁଡ଼ିକୁ ନେଇ କିଛି ପ୍ରଶ୍ନ କରିଛନ୍ତି । ତାଙ୍କ ଅନୁସାରେ ନବମ ଶତାବ୍ଦୀର ଜୈନ ଧର୍ମରେ ଏପରି ସଙ୍ଗୀତ ଓ ନୃତ୍ୟର ସ୍ଥାନ ନଥିଲା; ବରଂ ଜୈନ ଧର୍ମ ସର୍ବଦା ଧ୍ୟାନ, ଆତ୍ମସଞ୍ଜମତା ଓ ତପସ୍ୟା ପରି ସାଧନା ଶୈଳୀକୁ ପ୍ରାଧାନ୍ୟ ଦେଇ ଆସିଛି । ଗୁମ୍ଫା କ୍ରମାଙ୍କ ୩୦ ପ୍ରଥମେ ଏକ ହିନ୍ଦୁ ଗୁମ୍ଫା ଥିଲା ଯାହାକୁ ପରବର୍ତ୍ତୀ ସମୟରେ ଏକ ଜୈନ ଗୁମ୍ଫାରେ ପରିବର୍ତ୍ତିତ କରାଯାଇଥିଲା ବୋଲି ରାଜନ ମତ ରଖିଛନ୍ତି । ତେବେ ଉତ୍ସବମୁଖର ଓ କଳାପୂର୍ଣ୍ଣ ଏହି ଜୈନ ମନ୍ଦିର ସମବସରଣ ଶିକ୍ଷା ମତବାଦର ପୃଷ୍ଠପୋଷକ ବୋଲି ଓୱେନ୍ କୁହନ୍ତି ।[୮୩]

ଜୈନ ଓ ହିନ୍ଦୁ ପୌରାଣିକ କଥାର ସମସାମୟିକତା ଓ ଅଧିବ୍ୟାପନ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ସ୍ୱର୍ଗ ଲୋକରେ ଇନ୍ଦ୍ର ସଭାରେ ଉପସ୍ଥିତ ନୃତ୍ୟ ଶିଳ୍ପୀ, ସଙ୍ଗୀତକାର ଓ ସଭାଷଦଙ୍କ ବିଷୟ ମହାଭାରତ କାବ୍ୟରେ ବର୍ଣ୍ଣିତ ଅଛି ।[୮୪] ଗୁମ୍ଫା କ୍ରମାଙ୍କ ୩୦ରେ ଏହି ସବୁ ବର୍ଣ୍ଣନା ପ୍ରସ୍ତର ବକ୍ଷରେ ଖୋଦିତ ।[୮୪] କିନ୍ତୁ ଗର୍ଭ ଗୃହ ନିକଟସ୍ଥ ଅଂଶରେ ଜୈନ ଧର୍ମର ପ୍ରମୁଖ ଚରିତ୍ର ଓ ମୂଳ ଶିକ୍ଷା ସମ୍ବନ୍ଧୀୟ ପ୍ରତିମାମାନ ଦେଖିବାକୁ ମିଳିଥାଏ ; ଯଥା ଧ୍ୟାନରତ ବ୍ୟକ୍ତିବିଶେଷ, ଜିନଗଣ ଇତ୍ୟାଦି ।[୮୫]

ଗୁମ୍ଫା କ୍ରମାଙ୍କ ୩୧[ସମ୍ପାଦନା]

ମତଙ୍ଗ ନାମକ ଯକ୍ଷ ଓ ସିଦ୍ଧୈକୀ ନାମ୍ନୀ ଯକ୍ଷୀ ସହିତ ମହାବୀର

କ୍ଷୁଦ୍ର ଗର୍ଭଗୃହ ଓ ଚାରୋଟି ସ୍ତମ୍ଭବିଶିଷ୍ଟ ଗୁମ୍ଫା ୩୧ ଅସମାପ୍ତ ଅବସ୍ଥାରେ ରହିଛି । ବାମ ପଟ କାନ୍ଥରେ ପାର୍ଶ୍ୱନାଥ ଓ ତାଙ୍କ ରକ୍ଷକ ସାତଫଣୀ ଯକ୍ଷ ଧରନେନ୍ଦ୍ର ଏବଂ ଡାହାଣ ପଟ କାନ୍ଥରେ ଗୋମତେଶ୍ୱରଙ୍କ ମୂର୍ତ୍ତି ଖୋଦିତ । ଗର୍ଭଗୃହରେ ବର୍ଦ୍ଧମାନ ମହାବୀର ସ୍ୱାମୀଙ୍କ ପ୍ରତିମା ଅବସ୍ଥିତ । ମହାବୀର ଏକ ସିଂହାସନ ଉପରେ ପଦ୍ମାସନରେ ଉପବିଷ୍ଟ ଓ ତାଙ୍କ ସିଂହାସନର ମଧ୍ୟ ଭାଗରେ ଏକ ଚକ୍ର ଖୋଦିତ ହୋଇଛି । ବାମ କାନ୍ଥରେ ଯକ୍ଷ ମତଙ୍ଗ ଏକ ହାତୀ ଉପରେ ତଥା ଡାହାଣ କାନ୍ଥରେ ଯକ୍ଷୀ ସିଦ୍ଧୈକୀ ସଭ୍ୟ-ଲଳିତାସନ ମୁଦ୍ରାରେ ଏକ ଶିଶୁକୁ ଧରି ଏକ ସିଂହ ଉପରେ ବସିଥିବା ଦେଖିବାକୁ ମିଳେ ।[୮୬][୮୭]

ଇନ୍ଦ୍ର ସଭା (ଗୁମ୍ଫା କ୍ରମାଙ୍କ ୩୨)[ସମ୍ପାଦନା]

ଇନ୍ଦ୍ର ସଭା ମନ୍ଦିର

ନବମ ଶତାବ୍ଦୀରେ ଦ୍ୱିତଳ ଗୁମ୍ଫା କ୍ରମାଙ୍କ ୩୨ର (ଇନ୍ଦ୍ର ସଭା) ଖୋଦନ କରାଯାଇଥିଲା । ଉନବିଂଶ ଶତାବ୍ଦୀର ଐତିହାସିକମାନେ ଜୈନ ଯକ୍ଷୀମାନଙ୍କୁ ଇନ୍ଦ୍ରଙ୍କ ବିଭିନ୍ନ ରୂପ ବୋଲି କହିବାରୁ ଏହି ଗୁମ୍ଫାର ନାମ ଇନ୍ଦ୍ର ସଭା ରଖିଦିଆଗଲା ।[୮୮] ବୌଦ୍ଧ, ହିନ୍ଦୁ ଓ ଜୈନ ଧାର୍ମିକ କଥାରେ ଇନ୍ଦ୍ରଙ୍କ ଉପସ୍ଥିତି ରହିଛି । ଜୈନ ଧର୍ମର ୬୪ ଜଣ ଦେବଙ୍କ ମଧ୍ୟରେ ଇନ୍ଦ୍ର ଅନ୍ୟତମ । ସେ ଜୈନ ଧର୍ମରେ ବର୍ଣ୍ଣିତ ସ୍ୱର୍ଗ ସୌଧର୍ମକଳ୍ପର ରାଜା ଓ ଏକ ଜୈନ ଧର୍ମ ଗ୍ରନ୍ଥ ଆଦିପୁରାଣ ଅନୁଯାୟୀ ଇନ୍ଦ୍ର ନିଜେ ସ୍ୱର୍ଗ ସଭାର ମୁଖ୍ୟ ସ୍ଥପତି ମଧ୍ୟ ।[୮୯]

ଗୁମ୍ଫା ନମ୍ବର ୩୨ର ଏକ ଶିଳାଚିତ୍ର

ଇନ୍ଦ୍ର ସଭା ଐତିହାସିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଓ ବହୁ ସମୟ ଯାଏଁ ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ସକ୍ରିୟ ପୂଜାସ୍ଥଳୀ ଥିଲା । ଗୁମ୍ଫାର ଉପର ସ୍ତରରେ ପୂଜା କର୍ମ ଇତ୍ୟାଦି କରାଯାଉଥିବା ଅନୁମାନ କରାଯାଏ ।[୯୦]

ଏଲୋରାର ଅଧିକାଂଶ ଗୁମ୍ଫାରେ ମୂର୍ତ୍ତିଗୁଡ଼ିକ ପଦ୍ମ ଫୁଲ ଉପରେ ବସିଥିବାର ଦେଖାଯାଏ । ଉପର ସ୍ତରରେ ନେମିନାଥଙ୍କ ଯକ୍ଷିଣୀ ଅମ୍ବିକା ଏକ ଫଳପୂର୍ଣ୍ଣ ଆମ୍ବ ଗଛ ତଳେ ସିଂହ ଉପରେ ବସିଥିବା ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିରର ମଧ୍ୟ ଭାଗରେ ସର୍ବତୋଭଦ୍ର ତତ୍ତ୍ୱର ଛାପ ଦେଖାଯାଏ ଯାହା ଅନୁସାରେ ଜୈନ ଧର୍ମର ଚାରି ତୀର୍ଥଙ୍କର ଋଷଭନାଥ (୧ମ), ନେମିନାଥ (୨୨ତମ), ପାର୍ଶ୍ୱନାଥ (୨୩ତମ) ଓ ମହାବୀର (୨୪ତମ) ଚାରି ଦିଗର ଦିଗପାଳ ଭାବେ ଉପସ୍ଥିତ ଓ ଭକ୍ତମାନେ ସେମାନଙ୍କ ସୁରକ୍ଷା ବଳୟରେ ପୂଜା ପ୍ରାର୍ଥନା କରିପାରିବେ ।[୯୧]

ଜଗନ୍ନାଥ ସଭା (ଗୁମ୍ଫା କ୍ରମାଙ୍କ ୩୩)[ସମ୍ପାଦନା]

ଜଗନ୍ନାଥ ସଭାର ସ୍ତମ୍ଭରେ ଖୋଦିତ ଚିତ୍ର

ନବମ ଶତାବ୍ଦୀରେ ନିର୍ମିତ ଗୁମ୍ଫା କ୍ରମାଙ୍କ ୩୩ (ଜଗନ୍ନାଥ ସଭା) ଜୈନଗୁମ୍ଫାମାନଙ୍କ ମଧ୍ୟରେ ଦ୍ୱିତୀୟ ବୃହତ୍ତମ । ଏହା ୧୨ଟି ସ୍ତମ୍ଭବିଶିଷ୍ଟ ଏକ ଦ୍ୱିତଳ ଗୁମ୍ଫା, ଯାହା ଗୋଟିଏ ପଥରକୁ ଖୋଳି ନିର୍ମିତ ହୋଇଛି ଓ ଗୁମ୍ଫାରୁ ହାତୀମୁଣ୍ଡମାନ ବାରଣ୍ଡା ପଟକୁ ବାହାରିଛି । ଗୁମ୍ଫାର ଆଗକୁ ମୋଟା ଓ ବଡ଼ ସ୍ତମ୍ଭ, ଭିତର ପଟକୁ ୪ଟି ସ୍ତମ୍ଭ ରହିଛି ଓ କାନ୍ଥରେ କାରୁକାର୍ଯ୍ୟ ରହିଛି । ପାର୍ଶ୍ୱନାଥ ଓ ମହାବୀରଙ୍କ ପ୍ରତିମା ଏହି ଗୁମ୍ଫା ମଧ୍ୟରେ ରହିଛି ।[୯୨]

ଏଲୋରା ଶିଳାଲେଖ[ସମ୍ପାଦନା]

ଏଲୋରା କୈଳାସ ମନ୍ଦିରରେ ଚିତ୍ରରେ ସଜ୍ଜିତ ବ୍ରହ୍ମା ପ୍ରତିମା
ଏଲୋରା ଗୁମ୍ଫା ୧୬ର କିଛି ଚୂନ ଲେପ ଓ ବିଭିନ୍ନ ରଙ୍ଗରେ ରଞ୍ଜିତ ଚିତ୍ରାବଳୀର ଅବଶେଷ
ଏଲୋରା କାନ୍ଥରେଥିବା ମୂର୍ତ୍ତି

ଏଲୋରାର ଅନେକ ଅଭିଲେଖ[୯୩] ୬ଷ୍ଠ ଶତାବ୍ଦୀ ଓ ପରବର୍ତ୍ତୀ ସମୟର । ଏମାନଙ୍କ ମଧ୍ୟରେ ବହୁ ପରିଚିତ ହେଉଛି ରାଷ୍ଟ୍ରକୂଟ ରାଜା ଦାନ୍ତିଦୁର୍ଗ (ରାଜୁତି କାଳ ପ୍ରାୟ ୭୫୩-୭୫୭ ଖ୍ରୀ.)ଙ୍କ ଶିଳାଲେଖ ଯାହା ଗୁମ୍ଫା ୧୫ର ସମ୍ମୁଖ ମଣ୍ଡପର ପଶ୍ଚାତ୍ ପଟର କାନ୍ଥରେ ରହିଛି । ସେ ଉକ୍ତ ମନ୍ଦିରରେ ପ୍ରାର୍ଥନା କରିଥିବା ବିଷୟ ଏହି ଶିଳାଲେଖରେ ଉଲ୍ଲିଖିତ । ଜଗନ୍ନାଥ ସଭା ନାମରେ ପରିଚିତ କ୍ରମାଙ୍କ ୩୩ ଜୈନ ଗୁମ୍ଫାରେ ୩ଟି ଶିଳାଲେଖ ରହିଛି । ଏଥିରେ ବିଭିନ୍ନ ସନ୍ଥ, ଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲିଖିତ । ପାହାଡ଼ରେ ରହିଥିବା ପାର୍ଶ୍ୱନାଥଙ୍କ ମନ୍ଦିରରେ ୧୨୪୭ ମସିହାର ଏକ ଶିଳାଲେଖ ରହିଛି ଓ ସେଥିରେ ବର୍ଦ୍ଧନପୁରର ଜଣେ ଦାତାଙ୍କ ନାମ ଉଲ୍ଲିଖିତ । [୯୪]

ଗୁମ୍ଫା ମନ୍ଦିର ୧୬ର କୈଳାସ ମନ୍ଦିରର ନିର୍ମାଣର ଶ୍ରେୟ ରାଜା ପ୍ରଥମ କୃଷ୍ଣଙ୍କୁ (ଖ୍ରୀ. ୭୫୭-୭୮୩) ଦିଆଯାଇଥାଏ । ସେ ଦାନ୍ତିଦୁର୍ଗଙ୍କ ପରବର୍ତ୍ତୀ ରାଜା ଓ ତାଙ୍କ ଦାଦା । ଗୁଜରାଟର ବରୋଦାରୁ ମିଳିଥିବା ଏକ ତାମ୍ର ଅଭିଲେଖ ଅନୁଯାୟୀ ଏଲାପୁରର ପାହାଡ଼ରେ କୃଷ୍ଣରାଜଙ୍କଦ୍ୱାରା ଏକ ଭବ୍ୟ ଗୁମ୍ଫା ମନ୍ଦିରର (ଗହ୍ୱର) ନିର୍ମାଣ କରାଯାଇଥିଲା[୯୫] :

...ଏହି କାରଣରୁ ଏଲାପୁର ପାହାଡ଼ରେ ଏକ ଅତି ମନୋରମ ଓ ସୁନ୍ଦର ମନ୍ଦିର ନିର୍ମାଣ କରାଗଲା, ଯାହାକୁ ଦେଖି ମହାଜାଗତିକ ଦିବ୍ୟ ବାହନରେ ଗତିଶୀଳ ଅମର ଆତ୍ମାମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହି ଉଠିବେ, "ଶିବଙ୍କ ଏହି ମନ୍ଦିର ସ୍ୱୟଂଭୂ, ଏପରି ଅପୂର୍ବ କାରୁକାର୍ଯ୍ୟ ଓ ଶିଳ୍ପକଳା ପୂର୍ବେ କେବେ ଦେଖାଯାଇନଥିଲା (...). ଏହାର ସ୍ଥପତି (...) ନିଜେ ନିଜର କୃତିକୁ ଦେଖି ବିସ୍ମିତ ହୋଇ କହି ଉଠିଲେ, "ଓଃ, ମୁଁ କିପରି ଯେ ଏହାର ନିର୍ମାଣ କରିପାରିଲି !"

— କର୍କରାଜ ଦ୍ୱିତୀୟଙ୍କ କାଳର ତାମ୍ର ଅଭିଲେଖ (୮୧୨ ଖ୍ରୀଷ୍ଟାବ୍ଦ)[୯୬]

ଏଲୋରାରେ ରଞ୍ଜିତ ମୂର୍ତ୍ତି ଓ ଶିଳା ଚିତ୍ରର ଅବଶେଷ[ସମ୍ପାଦନା]

ନିର୍ମିତ ହେବା ସମୟରେ ଏଲୋରାର ମୂର୍ତ୍ତିଗୁଡ଼ିକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରାଯାଇଥିଲା । ଶିଳାମୂର୍ତ୍ତିମାନଙ୍କ ଉପରେ ଚୂନର ଲେପ ଦିଆଯାଇ ସେଗୁଡ଼ିକୁ ରଙ୍ଗ ବୋଳାଯାଉଥିଲା । ଅଳ୍ପ କିଛି ମୂର୍ତ୍ତି ଓ ଚିତ୍ରରେ ଏହି ରଙ୍ଗ ତଥା ଚୂନ ଲେପର ଅବଶେଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Owen 2012, pp. 1–2.
  2. ୨.୦ ୨.୧ "Ellora Caves - UNESCO World Heritage Centre". Whc.unesco.org. 2008-03-06. Archived from the original on 2017-07-05. Retrieved 2010-08-12., Quote: "These 34 monasteries and temples, extending over more than 2 km, were dug side by side in the wall of a high basalt cliff, not far from Aurangabad, in Maharashtra. Ellora, with its uninterrupted sequence of monuments dating from A.D. 600 to 1000, brings the civilization of ancient India to life. Not only is the Ellora complex a unique artistic creation and a technological exploit but, with its sanctuaries devoted to Buddhism, Hinduism and Jainism, it illustrates the spirit of tolerance that was characteristic of ancient India."
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ World Heritage Sites - Ellora Caves Archived 2015-10-07 at the Wayback Machine., Archeological Survey of India (2011), Government of India
  4. John Stratton Hawley (1981), Scenes from the Childhood of Kṛṣṇa on the Kailāsanātha Temple, Ellora Archived 2020-11-28 at the Wayback Machine., Archives of Asian Art, Vol. 34 (1981), pages 74-90
  5. ୫.୦ ୫.୧ M. K. Dhavalikar (1982), KAILASA — THE STYLISTIC DEVELOPMENT AND CHRONOLOGY Archived 2020-06-15 at the Wayback Machine., Bulletin of the Deccan College Research Institute, Vol. 41, pages 33-45
  6. ୬.୦ ୬.୧ Lisa Owen (2012). Carving Devotion in the Jain Caves at Ellora. BRILL Academic. pp. 1–10. ISBN 978-9004206298.
  7. ୭.୦ ୭.୧ Norbert C. Brockman (2011). Encyclopedia of Sacred Places, 2nd Edition. ABC-CLIO. pp. 155–156. ISBN 978-1-59884-655-3.
  8. Time Life Lost Civilizations series: Ancient India: Land Of Mystery (1994)
  9. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 178.
  10. ୧୦.୦ ୧୦.୧ ୧୦.୨ ୧୦.୩ Pandit 2013.
  11. "Ellora Caves". Archived from the original on 2016-09-03. Retrieved 2012-05-19.
  12. World Heritage Series ELLORA, Archaeological Survey of India, Government of India, Page 6. ISBN 81-87780-43-6. Printed by GoodEarth Publications, Eicher GoodEarth Limited @ Thomson Press, New Delhi
  13. Pia Brancaccio 2013, p. 2.
  14. "Geology of Ellora". ellora.ind.in. Archived from the original on 9 December 2010.
  15. Walter M. Spink (1967). Ajanta to Ellora. Marg Publications. pp. 3–4, 35–40. OCLC 648366740.
  16. ୧୬.୦ ୧୬.୧ ୧୬.୨ Geri Hockfield Malandra 1993, pp. 5–7.
  17. Owen 2012, pp. 109–110.
  18. Owen 2012, pp. 7–9.
  19. Geri Malandra (1996). "The Mandala at Ellora / Ellora in the Mandala". Journal of the International Association of Buddhist Studies. 19 (2): 193. {{cite journal}}: Invalid |ref=harv (help)
  20. José Pereira 1977, pp. 21, 24.
  21. Owen 2012, pp. 200–202.
  22. "Close view of base of pillars in the upper floor of the Jain Cave XXXIII (Jaganatha Sabha), Ellora". Archived from the original on 2012-04-25. Retrieved 2013-09-02.
  23. Geri Hockfield Malandra 1993, pp. 65–82.
  24. ୨୪.୦ ୨୪.୧ ୨୪.୨ Dhavalikar 2003, p. 12
  25. ୨୫.୦ ୨୫.୧ ୨୫.୨ Owen 2012, p. 8.
  26. Dhavalikar 2003, pp. 9–12, 33.
  27. James C. Harle (1994). The Art and Architecture of the Indian Subcontinent. Yale University Press. p. 132. ISBN 978-0-300-06217-5.
  28. James Burgess 1880, pp. 373–374.
  29. Damien Keown & Charles S. Prebish 2013, p. 23.
  30. ୩୦.୦ ୩୦.୧ Geri Hockfield Malandra 1993, p. 51.
  31. James Burgess 1880, pp. 377–380.
  32. ୩୨.୦ ୩୨.୧ Christopher Tadgell (2015). The East: Buddhists, Hindus and the Sons of Heaven. Routledge. pp. 78–82. ISBN 978-1-136-75384-8.
  33. Dhavalikar 2003, pp. 20–3
  34. Geri Hockfield Malandra 1993, pp. 53–60, 64–65.
  35. Geri Hockfield Malandra 1993, pp. 61–62.
  36. Owen 2012, p. 7.
  37. Walter M. Spink 1967b.
  38. ୩୮.୦ ୩୮.୧ Dhavalikar 2003, p. 33
  39. ୩୯.୦ ୩୯.୧ Walter M. Spink 1967a.
  40. Owen 2012, pp. 8–9.
  41. Madhukar Keshav Dhavalikar (1983). Masterpieces of Rashtrakuta Art: The Kailasa. Stosius. p. 3. ISBN 978-0865902336.
  42. Owen 2012, pp. 28–35.
  43. Dhavalikar 2003, pp. 81–84.
  44. ୪୪.୦ ୪୪.୧ Owen 2012, pp. 7–8.
  45. Dhavalikar 2003, pp. 83–84.
  46. Dhavalikar 2003, pp. 73–79, 84.
  47. P. R. Srinivasan 2007, p. 23.
  48. ୪୮.୦ ୪୮.୧ Berkson 1992, pp. 86–87, 134–135.
  49. ୪୯.୦ ୪୯.୧ Berkson 1992, p. 124.
  50. Berkson 1992, pp. 145–147.
  51. Berkson 1992, p. 126.
  52. ୫୨.୦ ୫୨.୧ ୫୨.୨ "Section II: Periodic Report on the State of Conservation of Ellora Caves, India, 2003" (PDF). UNESCO. Archived (PDF) from the original on 4 March 2016. Retrieved 6 March 2016.
  53. ୫୩.୦ ୫୩.୧ ୫୩.୨ ୫୩.୩ James G. Lochtefeld (2002). The Illustrated Encyclopedia of Hinduism: A-M. The Rosen Publishing Group. p. 331. ISBN 978-0-8239-3179-8.
  54. ୫୪.୦ ୫୪.୧ ୫୪.୨ Charles Higham (2014). Encyclopedia of Ancient Asian Civilizations. Infobase. p. 105. ISBN 978-1-4381-0996-1.
  55. Christopher Tadgell (2015). The East: Buddhists, Hindus and the Sons of Heaven. Routledge. pp. 114–117, see figure 1.55a for the three storey sectional detail. ISBN 978-1-136-75384-8.
  56. ୫୬.୦ ୫୬.୧ Goetz, H. (1952). "The Kailasa of Ellora and the Chronology of Rashtrakuta Art". Artibus Asiae. 15 (1/2): 84–107. doi:10.2307/3248615. JSTOR 3248615.
  57. Dhavalikar 2003, pp. 37–38.
  58. John Stratton Hawley (1981), Scenes from the Childhood of Kṛṣṇa on the Kailāsanātha Temple, Ellora Archived 2020-11-28 at the Wayback Machine., Archives of Asian Art, University of Hawaii Press, Vol. 34 (1981), pages 74-90
  59. Sarina Singh; Joe Bindloss; James Bainbridge; Lindsay Brown; Mark Elliott; Stuart Butler (2007). India. Footscray, Vic.: Lonely Planet. p. 810. ISBN 978-1-74104-308-2.
  60. Owen 2012, pp. 135–136.
  61. Hermann Kulke; Dietmar Rothermund (2004). A History of India. Routledge. p. 120. ISBN 978-0-415-32920-0.
  62. Dhavalikar 2003, p. 56.
  63. Susan L. Huntington & John C.. Huntington 2014, p. 338.
  64. Berkson 1992, p. 30.
  65. James C. Harle (1994). The Art and Architecture of the Indian Subcontinent. Yale University Press. pp. 131–134. ISBN 978-0-300-06217-5.
  66. Owen 2012, p. 135.
  67. Geri Malandra (1996). "The Mandala at Ellora / Ellora in the Mandala". Journal of the International Association of Buddhist Studies. 19 (2): 192–194. {{cite journal}}: Invalid |ref=harv (help)
  68. Dhavalikar 2003, p. 87
  69. Geri Malandra (1996). "The Mandala at Ellora / Ellora in the Mandala". Journal of the International Association of Buddhist Studies. 19 (2): 192. {{cite journal}}: Invalid |ref=harv (help)
  70. Owen 2012, pp. 2–3, 179–185.
  71. ୭୧.୦ ୭୧.୧ ୭୧.୨ Owen 2012, pp. 2–3.
  72. Owen 2012, pp. 9–12, 81–103, 119–129.
  73. José Pereira 1977, pp. 25–28, 48–49.
  74. Owen 2012, pp. 13–14, 189–199.
  75. Geri Malandra (1996). "The Mandala at Ellora / Ellora in the Mandala". Journal of the International Association of Buddhist Studies. 19 (2): 193–194 with footnote 33. {{cite journal}}: Invalid |ref=harv (help)
  76. Dhavalikar 2003, p. 88
  77. Dhavalikar 2003, p. 96
  78. Owen 2012, pp. 15–16
  79. Owen 2012, pp. 6–7.
  80. José Pereira 1977, p. 30.
  81. José Pereira 1977, p. 28.
  82. Owen 2012, pp. 28–29.
  83. ୮୩.୦ ୮୩.୧ Owen 2012, pp. 28–32.
  84. ୮୪.୦ ୮୪.୧ Owen 2012, pp. 32–35.
  85. Owen 2012, pp. 168–169, 184–195.
  86. "Ellora Caves - Verul Ellora" (PDF). Aurangabad Circle ASI. Archaeological Survey of India, Aurangabad Circle, Aurangabad, Maharashtra, Government of India. Archived from the original (PDF) on 31 May 2022. Retrieved 7 May 2017.
  87. Jāvīd, Alī, World Heritage Monuments and Related Edifices in India, Volume 1, Algora Publishing New York, p. 164, ISBN 978-0-87586-483-9
  88. Owen 2012, p. 2 with footnote 2.
  89. Owen 2012, pp. 25–29.
  90. Owen 2012, pp. 13.
  91. World Heritage Sites - Ellora Caves - Jaina Group of Caves Archived 2016-07-12 at the Wayback Machine., Archaeological Society of India (2011), Government of India
  92. [a] Jagannath Sabha: Façade of Jain Cave XXXIII (Jaganatha Sabha), Ellora Archived 2021-09-18 at the Wayback Machine., British Library, Henry Cousens Photograph (1875); [b] Pillared interior of Jagannath Sabha: Ellora Archived 2022-10-10 at the Wayback Machine., British Library, Anonymous sketch (1825)
  93. José Pereira 1977, p. 87.
  94. Beyond Buddhist and Brahmanical Activity: The Place of the Jain Rock-Cut Excavations at Ellora, Lisa nadine Owan, PhD Dissertation University of Texas at Austin, May 2006, p. 254-257
  95. Geri Hockfield Malandra 1993, pp. 7–10.
  96. Geri Hockfield Malandra 1993, p. 10.

ପୁସ୍ତକ ଆଧାର[ସମ୍ପାଦନା]

ଛାଞ୍ଚ:Ref begin

ଛାଞ୍ଚ:Ref end

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]