ବେଦ

ଉଇକିପିଡ଼ିଆ ରୁ
Jump to navigation Jump to search

ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।[୧]

ଶବ୍ଦର ଅର୍ଥ[ସମ୍ପାଦନା]

‘ବିଦ୍‌’ (ବିଦ୍‌ ଅର୍ଥ ଜ୍ଞାନ ପ୍ରାପ୍ତ କରିବା) ଧାତୁରୁ ବେଦ ଶବ୍ଦର ଉତ୍ପତ୍ତି । ବେଦ ଖାଲି ଭାରତବର୍ଷ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର । ବେଦ ଭାରତୀୟ ସଂସ୍କୃତିର ମୂଳ ଆଧାର । ବେଦ ୪ ଭାଗରେ ବିଭକ୍ତ ଯଥା- ଋକ, ୟଜୁଃ, ସାମ ଓ ଅଥର୍ବଣ । ବେଦ ଅପୌରୁଷେୟ ଅର୍ଥାତ କୌଣସି ବ୍ୟକ୍ତିବିଶେଷଙ୍କଦ୍ୱାରା ରଚିତ ହୋଇନାହିଁ । ଏହା ପରମେଶ୍ୱରଙ୍କ ଠାରୁ ମନ୍ତ୍ରଦ୍ରଷ୍ଟା ଋଷିମାନେ ପ୍ରାପ୍ତ ହୋଇଛନ୍ତି ।[୨]

ପାଦବଦ୍ଧ(ପଦ୍ୟ) ଓ ଅର୍ଥଯୁକ୍ତ ଛନ୍ଦୋବଦ୍ଧ ବୈଦିକ ମନ୍ତ୍ରଗୁଡ଼ିକ ଋକ, ଗୀତରୂପେ ସଙ୍କଳିତ ବୈଦିକ ମନ୍ତ୍ରଗୁଡ଼ିକ ସାମ ଏବଂ ଗଦ୍ୟାକାର ଛନ୍ଦୋବଦ୍ଧ ମନ୍ତ୍ରଗୁଡ଼ିକ ୟଜୁଃରୂପେ ଖ୍ୟାତ । ଋକ୍ ଏବଂ ୟଜୁଃର ମନ୍ତ୍ରମାନଙ୍କର ସ୍ଥୁଳଜଗତରେ ପ୍ରୟୋଗାତ୍ମକ ଉପଯୋଗ ପାଇଁ ଅଥର୍ବଣ ଉଦ୍ଦିଷ୍ଟ ।

ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ଋକବେଦର ପ୍ରତିନିଧି ‘ହୋତା’, ଯଜୁର୍ବେଦର ପ୍ରତିନିଧି ‘ଅଧ୍ୱର୍ୟୁ’ ଓ ସାମବେଦର ପ୍ରତିନିଧି ‘ଉଦ୍‌ଗାତା’ ଯଜ୍ଞବିଧାନରେ ଅଂଶଗ୍ରହଣ କରନ୍ତି । ଅଥର୍ବ ବେଦର ପ୍ରତିନିଧି ‘ବ୍ରହ୍ମା’ ଯଜ୍ଞକାର୍ଯ୍ୟରେ ସାକ୍ଷୀ ହୋଇ ବସନ୍ତି ।

ବେଦ ଓ ଆର୍ଯ୍ୟ ସମାଜ[ସମ୍ପାଦନା]

ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ଆର୍ଯ୍ୟମାନେ ବେଦକୁ ପୁରୁଷାନୁକ୍ରମେ ଶୁଣି ଶୁଣି ମନେ ରଖୁଥିଲେ ବୋଲି ତାହାର ଅନ୍ୟ ନାମ ଶ୍ରୁତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା ।

ଋଗ୍‌ବେଦ[ସମ୍ପାଦନା]

ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍‌ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦।

ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର । ଏମାନେ ମୁଖ୍ୟତଃ ବସିଷ୍ଠ,ଭୃଗୁ ଗୋତ୍ରୀ,ଦେବତା ଅଗ୍ନି(ଜାତବେଦା),ଛନ୍ଦ ଗାୟତ୍ରୀ । ଆୟୁର୍ବେଦ ଏହାର ଉପବେଦ ।[୩] ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ଶାଖା ଯଥା ଶାକଳ,ବାଷ୍କଳ,ଆଶ୍ୱଲାୟନ,ସାଙ୍ଖ୍ୟାୟନ,ମାଣ୍ଡୁକେୟ, ଐତରେୟୀ, କୌଷୀତକୀ, ଶୈଶିରୀ,ପୈଙ୍ଗୀ ଆଦି ଶାଖା ମାନ ଅଛି । ବର୍ତ୍ତମାନ କେବଳ ଶାକଳ ଶାଖା ଅଧ୍ୟୟନ କରାଯାଉଛି । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ । ଋଗ୍‌ବେଦର ଦୁଇ ପ୍ରଧାନ ବ୍ରାହ୍ମଣ ଗ୍ରନ୍ଥ ଯଥା- ୧. ଐତରେୟ ବ୍ରାହ୍ମଣ ଓ ୨. କୌଷିତକୀ ବା ସାଂଖ୍ୟାୟନ ବର୍ତ୍ତମାନ ଉପଲବ୍ଧ । ଐତରେୟ ଉପନିଷଦ ହେଉଛି ବର୍ତ୍ତମାନ ଉପଲବ୍ଧ ଏହାର ଏକମାତ୍ର ଉପନିଷଦ।ଏହାର କଳ୍ପସୂତ୍ର ମଧ୍ୟରେ କୌଷିତକୀ,ସାଂଖ୍ୟାୟନ,ଆଶ୍ୱ୍ୱଳାୟନ ଆଦି ଗୃହୀତ । ଋଗ୍‌ବେଦ ମୁଖ୍ୟତଃ ମହାରାଷ୍ଟ୍ର,କର୍ଣ୍ଣାଟକ,କେରଳ,ତାମିଲନାଡୁ ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଏ ।

ଯଜୁର୍ବେଦ[ସମ୍ପାଦନା]

କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ଏହାର ସ୍ୱଭାବ ରାଜସିକ ହୋଇଥିବାରୁ ଏହାକୁ ଉପାଂଶୁ ଭାବେ ଜପ କରାଯାଏ ।

ଶୁକ୍ଳ ବା ବାଜସନେୟୀ[ସମ୍ପାଦନା]

ଶୁକ୍ଳ ଅଂଶର ଅନ୍ୟନାମ ବାଜସନେୟୀ (ବାଜସନି=ସୂର୍ଯ୍ୟ,ଏହାର ଆଦି ଗୁରୁ),ସୂର୍ଯ୍ୟଙ୍କ ଠାରୁ ଯାଜ୍ଞବଳ୍କ୍ୟ ଏହା ଅଧ୍ୟୟନ କରିଥିଲେ. ଏହାର ଆଦି ଗୁରୁ ବୈଶମ୍ପାୟନ ନୁହନ୍ତି। ଏହାର ବ୍ରାହ୍ମଣ ଗ୍ରନ୍ଥ ହେଉଛି ଶତପଥ । ବୃହଦାରଣ୍ୟକ ଏହି ବେଦର ମୁଖ୍ୟ ଉପନିଷଦ । ଇଶୋପନିଷଦ ଶୁକ୍ଳ ଯଜୁବେଦର ଅନ୍ତିମ ଅଧ୍ୟାୟ । ଶୁକ୍ଳ ଯଜୁର୍ବେଦର ଶାଖା ସଂଖ୍ୟା ୧୫ ।

ମୁଖ୍ୟ ଶାଖା ଗୁଡ଼ିକ ହେଉଛି ବାଜସନେୟ ମାଧ୍ୟନ୍ଦିନ, ଜାବାଳ, ବୋଧେୟ, କାଣ୍ୱ ଇତ୍ୟାଦି । ମାଧ୍ୟନ୍ଦିନ ବାଜସନେୟ ମୁଖ୍ୟତଃ ଉତ୍ତର ଭାରତ, ଗାଙ୍ଗେୟ ସମତଳ ଏବଂ ଗୁଜରାଟରେ ଅଧ୍ୟୟନ କରାଯାଏ । ଉତ୍କଳର ୟଜୁର୍ବେଦୀ ବ୍ରାହ୍ମଣମାନେ ସମସ୍ତେ ଶୁକ୍ଳଯଜୁର୍ବେଦ କାଣ୍ୱ ଶାଖା ଅଧ୍ୟୟନ କରନ୍ତି । ଏଥିରେ ୪୦ଟି ଅଧ୍ୟାୟ ଅଛି।ଏହାର କଳ୍ପସୂତ୍ର କାତ୍ୟାୟନ ଓ ଗୃହ୍ୟସୁତ୍ର କାତୀୟ-ପାରସ୍କର ଅଟେ ।

କୃଷ୍ଣ ବା ମିଶ୍ର[ସମ୍ପାଦନା]

ବକ୍ତା କୃଷ୍ଣଦ୍ୱୈପାୟନ ଓ ଶ୍ରୋତା ବୈଶମ୍ପାୟନ । ଏହାର ୮୬ ଗୋଟି ଶାଖା ଥିବାର ଜଣାଯାଏ । ବର୍ତ୍ତମାନ କେବଳ ଦୁଇଗୋଟି ବଞ୍ଚିଅଛି । ତାହାହେଲା-ତୈତ୍ତିରୀୟ ଓ ମୈତ୍ରାୟଣୀ।

ତୈତ୍ତିରୀୟ ମୁଖ୍ୟତଃ ଦକ୍ଷିଣ ଭାରତର ବ୍ରାହ୍ମଣ ବର୍ଗଙ୍କଦ୍ୱାରା ଅନୁସରଣ କରାଯାଏ । ଏହା ତିତ୍ତରି ମୁନିଙ୍କଦ୍ୱାରା କଥିତ । ମୈତ୍ରାୟଣୀ ମୁଖ୍ୟତଃ ମହାରାଷ୍ଟ୍ରର ନାସିକ,ନନ୍ଦୁରବାର୍ ଆଦି ଅଞ୍ଚଳରେ ଦେଖାଯାଏ । କୃଷ୍ଣ ଯଜୁର୍ବେଦର ସଂହିତା ଗୁଡ଼ିକ ହେଉଛି ତୈତ୍ତିରୀୟ, ମୈତ୍ରୀୟଣୀ, କପିଷ୍ଠଳ ଓ କାଠକ । କୃଷ୍ଣ ଯଜୁର୍ବେଦରେ ସଂହିତା ଓ ବ୍ରାହ୍ମଣ ଭାଗ ଏକ ସଙ୍ଗେ ମିଶ୍ରିତ ହୋଇଥିବାରୁ ଏହାକୁ କୃଷ୍ଣ ବା ମିଶ୍ର କୁହାଯାଏ । ଏହାର ଅନେକ କଳ୍ପସୂତ୍ର ଓ ଗୃହ୍ୟସୁତ୍ର ଅଛି,ଯଥା-ଆପସ୍ତମ୍ବ, ବୋଧାୟନ, ବୈଖାନସ, ହିରଣ୍ୟକେଶୀ, ବାଧୁଳ, ଲୌଗାକ୍ଷି(ସତ୍ୟାଷାଢ), ଭାରଦ୍ୱାଜ ଇତ୍ୟାଦି ।[୪]

ସାମବେଦ[ସମ୍ପାଦନା]

ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସାମବେଦର ବ୍ରାହ୍ମଣମାନେ କାଶ୍ୟପ ବା ଶାଣ୍ଡିଲ୍ୟ ଗୋତ୍ରୀ,ଆଦିତ୍ୟ(ସୂର୍ଯ୍ୟ ବା ବିଷ୍ଣୁ) ଦେବତା ଓ ଅନୁଷ୍ଟୁପ୍ ଛନ୍ଦ ଅଟେ । ସାମବେଦର ଉପନିଷଦ ହେଉଛି-କେନ ଉପନିଷଦ(ଜୈମିନୀୟ ଶାଖା) ଓ ଛାନ୍ଦୋଗ୍ୟ ଉପନିଷଦ । ସାମବେଦର ଅନେକ ଶାଖା (ଅର୍ଥାତ ଉଚ୍ଚାରଣ ତଥା ମନ୍ତ୍ରବିଭାଜନ ଶୈଳୀ) ମଧ୍ୟରୁ ରାଣାୟଣୀୟ, ସାତ୍ୟମୁଗ୍ର, କାଳାପ, କୌଥୁମୀ, ଜୈମିନୀୟ(ତଲବକାର) ଇତ୍ୟାଦି ପ୍ରଧାନ । କୌଥୁମୀ ଶାଖାର ୬ଟି ଭେଦ ଅଛି ଯଥା: ସାରାୟଣୀୟ, ବାତରାଣୀୟ, ବୈଧୃତ, ପ୍ରାଚୀନ, ତୈଜସ ଓ ଅନିଷ୍ଟକ । ଉତ୍ତର ଭାରତ,ଓଡ଼ିଶା,ଆନ୍ଧ୍ର ଆଦି ସ୍ଥାନମାନଙ୍କରେ କୌଥୁମୀ ଶାଖାର ପ୍ରଚଳନ ଥିଲାବେଳେ ମହାରାଷ୍ଟ୍ର,କର୍ଣ୍ଣାଟକ ଆଦି ପ୍ରଦେଶରେ ରାଣାୟଣୀୟ ଶାଖା,ଦକ୍ଷିଣ ତାମିଲନାଡୁ,କେରଳରେ ଜୈମିନୀୟ(ତଲବକାର)ଶାଖାର ପ୍ରଚଳନ ରହିଛି। ସାମବେଦ ସଂହିତା ଦୁଇ ଭାଗରେ ବିଭକ୍ତ- ପୂର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ । ଏହି ଦୁଇ ଭାଗ ମଧ୍ୟରେ ୧୦ଟି ମନ୍ତ୍ର ବିଶିଷ୍ଟ ଏକ କ୍ଷୁଦ୍ର ଅଧ୍ୟାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।

ଏଥିମଧ୍ୟରୁ ସାମବେଦର ନିଜସ୍ୱ ମନ୍ତ୍ର ସଂଖ୍ୟା ୭୫, ଅନ୍ୟ ସମସ୍ତ ଋଗ୍‌ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି ।ଏହାର ବ୍ରାହ୍ମଣଗ୍ରନ୍ଥମାନେ ହେଲେ-ତାଣ୍ଡ୍ୟ ମହାବ୍ରାହ୍ମଣ,ବଂଶ ବ୍ରାହ୍ମଣ,ଜୈମିନୀୟ ତଲବକାର ବ୍ରାହ୍ମଣ।ଏହାର ଗାନ ଶୈଳୀକୁ ଅରଣ୍ୟଗାନ,ଗ୍ରାମଗେୟଗାନ,ଋଚାଗାନ.ରହସ୍ୟଗାନ(ଉହା,ଊହ) ଆଦି ବିଭାଗରେ ଭାଗ କରାଯାଇଛି । ଏହାର ସ୍ୱଭାବ ରୌଦ୍ର ହୋଇଥିବାରୁ ଏହାକୁ ବାଚିକ ଭାବେ ଗାନ କରାଯାଏ ।

ପୂର୍ବାର୍ଚ୍ଚିକ[ସମ୍ପାଦନା]

ପୂର୍ବାର୍ଚ୍ଚିକ ଚାରୋଟି ପର୍ବ ବା କାଣ୍ଡରେ ବିଭକ୍ତ ଯଥା: ଆଗ୍ନେୟ କାଣ୍ଡ, ଐନ୍ଦ୍ରକାଣ୍ଡ, ପାବମାନ କାଣ୍ଡ ଓ ଆରଣ୍ୟକ କାଣ୍ଡ । କାଣ୍ଡ ଗୁଡ଼ିକ କେତୋଟି ପ୍ରପାଠକରେରେ ବିଭକ୍ତ । ପ୍ରତ୍ୟେକ ପ୍ରପାଠକର ଦୁଇଟି ଅର୍ଦ୍ଧପ୍ରପାଠକ ଓ ପ୍ରତ୍ୟେକ ଅର୍ଦ୍ଧ ପ୍ରପାଠକରେ ପାଞ୍ଚଟି ଲେଖାଏଁ ଦଶତି ଥାଏ । ଗୋଟିଏ ଦଶତିରେ ୧୦ଟି ମନ୍ତ୍ର ରହିବା ସ୍ୱାଭାବିକ ହେଲେ ମଧ୍ୟ କେତେକ ଦଶତିରେ କମ ବା ଅଧିକ ମନ୍ତ୍ର ରହିଛି । ପୂର୍ବାର୍ଚ୍ଚିକର ମନ୍ତ୍ର ସଂଖ୍ୟା ୬୪୦ ।

ଉତ୍ତରାର୍ଚ୍ଚିକ[ସମ୍ପାଦନା]

ଉତ୍ତରାର୍ଚ୍ଚିକରେ ୨୧ଟି ଅଧ୍ୟାୟ ୯ଟି ପ୍ରପାଠକରେ ବିଭକ୍ତ ହୋଇ ରହିଛି । ଏଥିରେ ଦଶତି ବଦଳରେ ସୂକ୍ତିର ଗଣନା କରାଯାଏ । ଉତ୍ତରାର୍ଚ୍ଚିକର ସୂକ୍ତ ସଂଖ୍ୟା ୪୦ ଓ ମନ୍ତ୍ର ସଂଖ୍ୟା ୧୨୨୫ ।[୫]

ଏହାର କଳ୍ପସୂତ୍ର ଗୁଡିକ ହେଲା-ଦ୍ରାହ୍ୟାୟଣ(କୌଥୁମୀ),ଲାଟ୍ୟାୟନ,ଜୈମିନୀୟ,ମଷକ । କୌଥୁମ ଶାଖାରେ ଦୁଇଟି ଗୃହ୍ୟସୂତ୍ର ଅବଲମ୍ବନ କରଯାଏ-ଗୋଭିଲ୍ୟ(ଉତ୍ତର ଭାରତ),ଖାଦିର(ଆନ୍ଧ୍ର,ତମିଲନାଡୁ) ।[୬]

ଅଥର୍ବ ବେଦ[ସମ୍ପାଦନା]

ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଦେବତା ସୋମ(ଚନ୍ଦ୍ରମା) ଓ ଛନ୍ଦ ପଂକ୍ତି ଅଟେ । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏମାନେ ବିଶ୍ୱାମିତ୍ର ଗୋତ୍ରୀ ବା ଆଙ୍ଗିରସ ଅଥର୍ବଣ ଗୋତ୍ରୀ । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ । ଏହାର ୯ଟି ଶାଖା ହେଲା: ପୈପ୍ପଳାଦ, ତୌଦ, ମୌଦ, ଶୌନକୀୟ, ଜାବାଳ,ଜାଜଳ , ବ୍ରହ୍ମବାଦ, ଦେବଦର୍ଶୀ ଓ ଚାରଣ । ବର୍ତ୍ତମାନ କେବଳ ପୈପ୍ପଳାଦ ଓ ଶୌନକ ଶାଖା ବଞ୍ଚିରହିଛି । ପୈପ୍ପଳାଦ ମୁଖ୍ୟତଃ ଓଡ଼ିଶା, ଝାଡ଼ଖଣ୍ଡରେ ଦେଖାଗଲାବେଳେ ଶୌନକ ଗୁଜରାଟକର୍ଣ୍ଣାଟକର ଉପକୂଳବର୍ତ୍ତୀ ଗୋକର୍ଣ୍ଣ ସହର, ଆନ୍ଧ୍ରର ତିରୁପତି ଅଞ୍ଚଳରେ ଦେଖାଯାଏ ।[୭]

ସମାଲୋଚନା[ସମ୍ପାଦନା]

ହିନ୍ଦୁ ଧର୍ମର ଅନେକ ବିଶ୍ଳେଷକ ଦାବି କରନ୍ତି ଯେ ହିନ୍ଦୁ ଧର୍ମ ସମସ୍ତ ସମସାମୟିକ ଧର୍ମର ଉପାଦାନ ଗ୍ରହଣ କରେ ଏବଂ ହିନ୍ଦୁ ଧର୍ମର ବ ed ଦିକ ପୁରାଣ ସମେତ ଅନେକ ଶାସ୍ତ୍ରରେ ବ h ଦ୍ଧ ଧର୍ମ,[୮] ଜ ain ନ ଧର୍ମ ଏବଂ ଶିଖ ଧର୍ମର ଉପାଦାନ ରହିଥାଏ ଏବଂ ବହୁ ପରିମାଣର ଗ୍ରୀକ୍ ଏବଂ ଜୋରାଷ୍ଟ୍ରିଆନ୍ ଧର୍ମ ଧାର୍ମିକ ଉପାଦାନ ଗ୍ରହଣ କରିଥିଲେ। ଆବେସ୍ତା। ଇସ୍‌ଲାମିକ ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ ଭବିଷ୍ୟବାଣୀ), ଇନ୍ଦ୍ର ଠାରୁ ଇନ୍ଦ୍ର, ଗାନ୍ଧରେଭା ଠାରୁ ଗାନ୍ଧର୍ଭା, ଭାଜ୍ରା, ଭାୟୁ, ମନ୍ତ୍ର, ଯମ, ଅହୁତି, ହୁମାଟା ସୁମାଟି ଇତ୍ୟାଦି ପର୍ଯ୍ୟନ୍ତ|[୯][୧୦]

ଟୀକା[ସମ୍ପାଦନା]

  1. cf.http://en.wikipedia.org/wiki/Shakha.
  2. cf.http://en.wikipedia.org/wiki/Poorva_Mimamsa.
  3. cf.http://en.wikipedia.org/wiki/Rigveda.
  4. cf.http://en.wikipedia.org/wiki/Yajurveda.
  5. cf.http://en.wikipedia.org/wiki/Samaveda.
  6. cf.http://en.wikipedia.org/wiki/Kalpasutra_(Vedanga).
  7. cf.http://en.wikipedia.org/wiki/Atharvaveda.
  8. Swamy, Subramanian (2006). Hindus Under Siege: The Way Out (in ଇଂରାଜୀ). Har-Anand Publications. p. 45. ISBN 978-81-241-1207-6. Retrieved 21 January 2021.
  9. Muesse, Mark W. (2011). The Hindu Traditions: A Concise Introduction (in ଇଂରାଜୀ). Fortress Press. p. 30-38. ISBN 978-1-4514-1400-4. Retrieved 21 January 2021.
  10. Griswold, H. D.; Griswold, Hervey De Witt (1971). The Religion of the Ṛigveda. Motilal Banarsidass Publishe. p. 1-21. ISBN 978-81-208-0745-7. Retrieved 21 January 2021.

ଆଧାର[ସମ୍ପାଦନା]

ବାହାର ସ୍ରୋତ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]