ଆଖଣ୍ଡଳମଣି ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର ଓଡ଼ିଶାରେ ଅବସ୍ଥିତ ।
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
ଆଖଣ୍ଡଳମଣି ମନ୍ଦିର
Geography
ଦିଗବାରେଣି 20°2′3.51″N 85°8′7.59″E / 20.0343083°N 85.1354417°E / 20.0343083; 85.1354417
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଭଦ୍ରକ
ସ୍ଥାନ ଆରଡ଼ି
Culture
ମୁଖ୍ୟ ଆରାଧ୍ୟ ବାବା ଆଖଣ୍ଡଳମଣି
ମୁଖ୍ୟ ପର୍ବପର୍ବାଣୀ ଜାଗର
Architecture
ମନ୍ଦିର ସଂଖ୍ୟା
History and governance
ୱେବସାଇଟ babaakhandalamani.nic.in

ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।[୧]

ଗମନାଗମନ[ସମ୍ପାଦନା]

ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ ।ଭୁବନେଶ୍ଵର ଠାରୁ ବସ୍ ରେ ମଧ୍ୟ ଯାଈ ପାରିବେ ।

କିମ୍ବଦନ୍ତୀ[ସମ୍ପାଦନା]

ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ତ‌ତ୍‌କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସ‌ହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା । ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନ‌ଦୀ ଆଡ଼କୁ ବୋହୁଯାଉଥିବାର ଦେଖିଲା ।[୨] ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ । ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି ।[୧] ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଲେ ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା ହେବା ସ‌ହ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିଲା ।[୩] ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ଵାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପର ଠାରୁ ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ।[୩]

ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା । କିଛି ଦିନ ପରେ ଜମିଦାରଜଣକ ଗାଆଁଲୋକଙ୍କର ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ । ଅଳ୍ପଦିନ ମଧ୍ୟରେ ଭଗବାନ ଆଖଣ୍ଡଳେଶ୍ୱରଙ୍କ ଅଲୌକିକତା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଶ୍ରାଦ୍ଧାଳୁମାନଙ୍କର ସମାଗମ ହେଲା । ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଗଲା ।

ମନ୍ଦିର[ସମ୍ପାଦନା]

ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ । ତାଙ୍କର ମାନସିକ ଅନୁସାରେ ସେ ଭଗବାନ ଆଖଣ୍ଡଳେଶ୍ୱରଙ୍କର ଏକ ପଥର ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କଲେ । ଆରଡ଼ି ଭଳି ଏକ ସୁନ୍‌ଶାନ କ୍ଷେତ୍ରରେ ଏବେ ମଧ୍ୟ ଏକ ପଥର ମନ୍ଦିର ନିର୍ମାଣ କରିବା କଷ୍ଟର କାମ । ପଥର ଖଣ୍ଡ ଏବଂ ଚୂନର ବ୍ୟବ‌ହାରରେ ହିଁ ପକ୍କା ମନ୍ଦିର ନିର୍ମାଣ ହୋଇପାରୁଥିଲା । ଆରଡ଼ିଠାରୁ ୧୦୦ କିଲୋମିଟର ଦୂର ନୀଳଗିରି ପାହାଡ଼ରେ ହିଁ ସେହି ପଥର ଉପଲବ୍ଧ ଥିଲା । ବୈତରଣୀ ନ‌ଦୀର ଜଳପଥ ମାଧ୍ୟମରେ ଏହି ପଥର ଖଣ୍ଡଗୁଡ଼ିକୁ ଆରଡ଼ି ଯାଏ ବୋହି ବୋହି ନିଆଗଲା । ରାଜା ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ଆୟୋଜନ କରିଦେଇଥିଲେ । ଏହାପରେ ସେଠାରେ ସେ ଶିବଗଙ୍ଗା ନାମକ ଏକ ପୁଷ୍କରଣୀ ଖୋଳାଇଥିଲେ । ପୁଷ୍କରଣୀ ସ‌ହ ନ‌ଦୀକୁ ସଂଯୋଗ କରିବା ଏକ ନାଳ ମଧ୍ୟ ଖୋଳାଇଥିଲେ, ଯାହା ଏବେ ଶିବ ମହର ନାମରେ ନାମିତ । ଏହି ନାଳଟି ମନ୍ଦିର ନିର୍ମାଣ ପଥର ନେବାଆଣିବା କରିବା କାମରେ ଲାଗିଲା । ୧୮୩୯ ଶତାବ୍ଦୀରେ ରାଜା ହରିହର ଭଞ୍ଜଦେଓଙ୍କ ବିୟୋଗ ପରେ ସ୍ୱାମୀର ଦ୍ୱାରା ଆରମ୍ଭ ହୋଇଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ରାଣୀ ସତ୍ୟଭାମା ପାଟମହାଦେଈଙ୍କ ଦ୍ୱାରା ଶେଷ ହୋଇଥିଲା ।[୩] ଏହି ମନ୍ଦିରଟିର ଉଚ୍ଚତା ୫୦ ଫୁଟ ଏବଂ ଶୁଭ୍ର ବର୍ଣ୍ଣ ଅଟେ ।

ସରକାରୀ ନଥିପତ୍ର ଅନୁସାରେ ୧୮୩୯ ମସିହା ପର୍ଯ୍ୟନ୍ତ ଆରଡ଼ିରେ କାଠ ନିର୍ମିତ୍ତ ମନ୍ଦିର ଥିଲା ଏବଂ ଏହା ପରେ ବର୍ତ୍ତମାନର ପଥର ନିର୍ମିତ ମନ୍ଦିରଟି ତିଆରି ହୋଇଥିଲା ।

ପଥରରେ ମନ୍ଦିର ନିର୍ମାଣ ହେବାପରେ, ସେଠାରେ ଭଗବାନଙ୍କୁ ସ୍ଥାପନ କରାଯାଇଥିଲା । ପରନ୍ତୁ ସେହି ସ୍ଥାନରେ ମୁଖଶାଳା ନଥିଲା । ପରବର୍ତ୍ତୀ ସମୟରେ ଦର୍ଶନ ଦାସ ନାମକ ଜଣେ ସନ୍ଥ ମୁଖଶାଳା ନିର୍ମାଣ କରାଇଥିଲେ । ପରେ ପରେ ସରକାରଙ୍କ ଦ୍ୱାରା ମନ୍ଦିରରେ ବର୍ତ୍ତମାନର ଭୋଗ ମଣ୍ଡପ ନିର୍ମାଣ ହେବା ସ‌ହ ଅନ୍ୟାନ୍ୟ ଦରକାରୀ ଗୃହମାନ ନିର୍ମାଣ ହୋଇଛି ।

ମୁଖ୍ୟ ଲିଙ୍ଗର ଆକାର[ସମ୍ପାଦନା]

  • ଲିଙ୍ଗର ଉଚ୍ଚତା: ୩୩ ଇଞ୍ଚ
  • ଲିଙ୍ଗର ପରିଧି: ୪୫ ଇଞ୍ଚ
  • ଶକ୍ତିର ପରିଧି: ୫୨ ଇଞ୍ଚ

ମନ୍ଦିରର ଦେବାଦେବୀ[ସମ୍ପାଦନା]

ମୁଖ୍ୟ ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବା ଦେବାଦେବୀମାନେ ହେଲେ:

  • ଆଖଣ୍ଡଳମଣିଙ୍କର ଚନ୍ଦ୍ରଶେଖର ବିଜେ ପ୍ରତିମା
  • ମାଆ ପାର୍ବତୀ
  • ଶ୍ରୀ ଗଣେଶ
  • ଶ୍ରୀ ମହାବୀର ହନୁମାନ

ମନ୍ଦିର ପରିସରରେ ଥିବା ପାର୍ଶ୍ୱଦେବତା ଗଣ ହେଲେ:

  • ଶ୍ରୀ ହନୁମାନ
  • ଶ୍ରୀ ଗଣେଶ
  • ଶ୍ରୀ କାର୍ତ୍ତିକେଶ୍ୱର
  • ଶ୍ରୀ ଶ୍ରାବଣୀ ମହାଦେବ
  • ମାତା ପାର୍ବତୀ

ଅବସ୍ଥିତ ଅନ୍ୟାନ୍ୟ ମନ୍ଦିର[ସମ୍ପାଦନା]

ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିରମାନ ହେଲା:

ନିତ୍ୟ ବେଶ ଏବଂ ସେବାପୂଜା[୪][ସମ୍ପାଦନା]

ହିନ୍ଦୁ ଧର୍ମାନୁସାରେ ଦେବୀଦେବତାମାନଙ୍କର ମାନବ ଭଳି ସେବା କରାଯାଏ । "ଯଥା ଦେହି, ତ‌ଥା ଦେବ" । ଭଗବାନଙ୍କର ନିତ୍ୟସେବାରେ ପୋଷାକ ପରିଧାନଠାରୁ ଆରମ୍ଭ କରି ଖାଦ୍ୟଗ୍ରହଣ ପରି କାର୍ଯ୍ୟମାନ ରହିଛି ।

ବାବା ଆଖଣ୍ଡଳମଣି ଗ୍ରୀଷ୍ମ ଋତୁରେ ସକାଳ ୪ଟାରେ ଏବଂ ଅନ୍ୟ ସମସ୍ତ ଋତୁରେ ସକାଳ ୪ଟା ୩୦ରେ ଶଯ୍ୟା ତ୍ୟାଗ କରିଥାନ୍ତି । ପୂର୍ବଦିନର ବଡ଼ ସିଂହାର ବେଶରେ ହିଁ ମଙ୍ଗଳ ଆରତି କରାଯିବା ପରେ ମଙ୍ଗଳ ଆରତି ନୈବେଦ୍ୟ ପ୍ରଦାନ କରାଯାଏ । ଏହା ପରେ ପାଳିଆ ସେବକମାନେ ବଡ଼ ସିଂହାର ବେଶ ଫିଟାଇ ଘିଅ, ମହୁ, ଖିର, ଦ‌ହି ଏବଂ ଗୁଡ଼ରୁ ପ୍ରସ୍ତୁତ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି ।

ଦିଗମ୍ୱର ବେଶ[ସମ୍ପାଦନା]

ମହାସ୍ନାନ ପରେ ଭଗବାନ ସମ୍ପୂର୍ଣ୍ଣ ଉଲଗ୍ନ ଥାନ୍ତି ଏବଂ ଭକ୍ତମାନେ ତାଙ୍କର ସେହି ଦବମ୍ବର ବେଶ ଦର୍ଶନ କରନ୍ତି । ସକାଳ ଅରତି ସରିବା ପରେ ଭକ୍ତବୃନ୍ଦ ବାଲ୍ୟଭୋଗ(ବିଭିନ୍ନ ପ୍ରକାରର ମିଠା) ପ୍ରଦାନ କରିଥାନ୍ତି । ଦିନ ୧ଟା ଯାଏ ଭଗବାନଙ୍କର ଉଲଗ୍ନ ବେଶ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ବେଶ ସମ୍ଭବତଃ ଭଗବାନଙ୍କର ସତ୍ୟ ସ୍ୱରୂପକୁ ଦେଖାଇବା ପାଇଁ ରହିଛି । କପଡ଼ା ପରିଧାନ ପରେ ମୌଳିକତା ସ‌ହିତ ସତ୍ୟ ମଧ୍ୟ ଲୁଚିଯାଏ । ଏହି ବେଶରେ ଦେବତାଙ୍କ ଉପରେ ପଞ୍ଚାମୃତ ଘର୍ଷଣ କରିବାକୁ ସୁବିଧା ହୁଏ । ପ୍ରକୃତରେ ଏହି ଅର୍ଦ୍ଧତରଳ ବସ୍ତୁଟି ହେଉଛି ଅଭିଷେକ ପଞ୍ଚାମୃତ ଯାହାକି ମର୍ତ୍ତ୍ୟର ଅମୃତ ସ‌ହ ସମାନ ଯାହା ଦୁସାଦ୍ଧ୍ୟ ରୋଗରୁ ଆରୋଗ୍ୟ ଦେବାର ଅଲୌକିକ ଶକ୍ତି ଧାରଣ କରିଥାଏ ।

ପ‌ହଡ଼କିଆ ଭୋଗ[ସମ୍ପାଦନା]

ଦିନ ୧୦ଟା ୩୦ରେ ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ଆଂଶିକ ଭୋଜନ ଗ୍ରହଣ କରିଥାନ୍ତି । ଅନ୍ନ, ଡାଲି ଏବଂ ବିଭିନ୍ନ ପ୍ରକାରର ତୁଣ ସ‌ହ ଏହି ଭୋଗ ଲାଗିକରାଯାଏ ।

ଯୋଗୀ ବେଶ ଏବଂ ନିତୀ ଭୋଗ[ସମ୍ପାଦନା]

ଦିନର ମଧ୍ୟାନ୍ନ ଭୋଜନ ପୂର୍ବରୁ ଭଗବାନ ଆଖଣ୍ଡଳେଶ୍ୱର ଯୋଗୀ ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ବେଶରେ ସେ ଧଳା ଧୋତି ଏବଂ ମଥାରେ ଚନ୍ଦନ ତିଳକ ଧାରଣ କରିଥାନ୍ତି । ଏହି ବେଶରେ ସେ ତାଙ୍କର ସାଧାରଣ ଚଳନୀ ଶୈଳୀ ବିଷୟରେ ଦର୍ଶାଇଥାନ୍ତି । ଏହି ବେଶରରେ ଦିନ ୧ଟା ୩୦ରେ ସେ ମଧ୍ୟାନ୍ନ ଭୋଜନ ଗ୍ରହଣ କରିଥାନ୍ତି ଏବଂ ଆରତି ପ୍ରସାଦ ସ‌ହିତ ବଡ଼ ଧୂପ ମଧ୍ୟ ପ୍ରଦାନ କରାଯାଇଥାଏ । ଏହାପରେ ମୁଖ ପଖାଳିବା ପାଇଁ ପ୍ରଭୁ ଆଂଶିକ ସ୍ନାନ କରିଥାନ୍ତି ଏବଂ ପାଖାପାଖି ୧ଘଣ୍ଟାର ବିଶ୍ରାମ ନେଇଥାନ୍ତି ।

ବଡ଼ସିଂହାର ବେଶ[ସମ୍ପାଦନା]

ଆଖଣ୍ଡଳେଶ୍ୱର ପ୍ରଭୁ ଦ୍ୱିପ୍ରହର ୪ଟା ବେଳେ ଉଠନ୍ତି । ଏହା ପରେ ବଡ଼ସିଂହାରୀ ବଡ଼ସିଂହାର ବେଶ କରାଇଥାନ୍ତି । ଏହି ବେଶରେ ପ୍ରଭୁଙ୍କର ଦେହ ଅନେକପ୍ରକାରର ଫୁଲରେ ସୁସଜ୍ଜିତ ହୋଇଥାଏ । ବଡ଼ସିଂହାର ବେଶ ବେଳେ ମୁଣ୍ଡରେ ମୁକୁଟ ଏବଂ ଦୁଇଟି ସୁନା ଆଖି ସ‌ହ ସୁନା ନାଶା ଓ ସୁନା ଚିତା ଧାରଣ କରିବା ସ‌ହିତ ମଥାରେ ଚନ୍ଦନ ଚିଳକ ବୋଳାଯାଇଥାଏ । ପ୍ରତିଦିନ ହେଉଥିବା ସମସ୍ତ ବେଶ ମଧ୍ୟରେ ବଡ଼ସିଂହାର ବେଶ ହେଉଛି ପ୍ରମୁଖ ବେଶ । ଏହିବେଶରେ ପ୍ରଭୁ ରାତିରେ ନିଦ୍ରା ଯାଇଥାନ୍ତି ଏବଂ ପରଦିନ ସକାଳ ଯାଏ ଏହି ବେଶ ରହିଥାଏ ।

ସନ୍ଧ୍ୟା ଧୂପ[ସମ୍ପାଦନା]

ଋତୁ ଅନୁସାରେ ସନ୍ଧ୍ୟା ଆରତୀର ସମୟ ବଦଳିଥାଏ, କାରଣ ସୂର୍ଯ୍ୟାସ୍ତ ପରେ ଗୋଧୂଳି ଲଗ୍ନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଋତୁ ଅନୁସାରେ ସୂର୍ଯ୍ୟାସ୍ତର ସମୟ ବଦଳୁଥିବାରୁ, ଗ୍ରୀଷ୍ମକାଳରେ ପାଖାପାଖି ସନ୍ଧ୍ୟା ୬ଟା ୩୦ରେ ସନ୍ଧ୍ୟା ଆରତୀ ଲାଗି କରାଯାଏ ଏବଂ ଶୀତ ଋତୁରେ ପାଖାପାଖି ୫ଟା ୩୦ରେ ସନ୍ଧ୍ୟା ଆରତି ଲାଗି କରାଯାଏ । ସନ୍ଧ୍ୟା ଆରତୀ ସମୟରେ ସୂଜି, ଘିଅ ଏବଂ ଚିନିରୁ ପ୍ରସ୍ତୁତ ଲଡ଼ୁ ଭୋଗ କରାଯାଏ ।

ବାତୁଳ ଭୋଗ ଏବଂ ରାତ୍ର ପ‌ହଡ଼[ସମ୍ପାଦନା]

ବିଭିନ୍ନ ଋତୁ ଅନୁସାରେ ରାତ୍ର ପ‌ହଡ଼ର ସମୟ ମଧ୍ୟ ବଦଳିଥାଏ । ଶୀତ ଋତୁରେ ରାତ୍ର ପ‌ହଡ଼ର ସମୟ ରାତି ୧୦ଟା ଥିବାବେଳେ ଗ୍ରୀଷ୍ମ ୠତୁରେ ଏହି ପ‌ହଡ଼ ରାତି ୧୧ଟାରେ ଅନୁଷ୍ଠିତ ହୋଇଥାଏ । ବାତୁଳ ଭୋଗ ପରେ ରାତ୍ର ପ‌ହଡ଼ ଅନୁଷ୍ଠିତ ହୋଇଥାଏ । ଭଗବାନ ଆଖଣ୍ଡଳେଶ୍ୱରଙ୍କର ରାତ୍ର ଭୋଜନ ହେଉଛି ବାତୁଳ ଭୋଗ । ଏହି ଭୋଗରେ ଅନ୍ନ ସ‌ହିତ ବିଭିନ୍ନ ପ୍ରକାରର ତରକାରୀ ପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ଏହି ଭୋଗ ପରେ ଶେଷ ଧୂପ ଲାଗି କରାଯାଏ । ଏହା ପରେ ପ୍ରଭୁ ବିଶ୍ରାମ ନିଅନ୍ତି । ତାଙ୍କର ଚଳନ୍ତି ପ୍ରତିମା ଶଯ୍ୟା ଯାଇଥାନ୍ତି ଏବଂ ମନ୍ଦିର ବନ୍ଦ ହୋଇଥାଏ ।

ପାଦୁକା[ସମ୍ପାଦନା]

ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ବାସ ରହିଆସିଛି । ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ । ଏହି ଜଳକୁ ଚନ୍ଦୁକ କୁହାଯାଏ । ବହୁ ଲୋକ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ବରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ ।

ପର୍ବ ପର୍ବାଣୀ[୫][ସମ୍ପାଦନା]

ବର୍ଷସାରା ବାବା ଆଖଣ୍ଡଳମଣୀଙ୍କ ପାଖରେ ମଧ୍ୟ ଅନେକ ପର୍ବପର୍ବାଣୀ ପାଳନ କରାଯାଏ । ହିନ୍ଦୁ ପଞ୍ଜିକା ଅନୁସାରେ ବୈଶାଖ ମାସରୁ ହିଁ ବର୍ଷ ଆରମ୍ଭ ହୋଇଥାଏ ।

ପଣା ସଂକ୍ରାନ୍ତି[ସମ୍ପାଦନା]

ଭୋର ୪ଟାରେ ବାବା ଶ୍ରୀ ଆଖଣ୍ଡଳମଣିଙ୍କର ପ‌ହଡ଼ ଫିଟାଯାଏ । ମୁଖ ପ୍ରକ୍ଷାଳନ ଏବଂ ଦନ୍ତ ମଞ୍ଜନ ପରେ ମଙ୍ଗଳ ଆଳତୀ ଆରମ୍ଭ ହୋଇଥାଏ । ମନ୍ଦିରର ପ୍ରଧାନ ପୂଜକ ପ୍ରାର୍ଥନା କରନ୍ତି ଏବଂ ଭଗବାନଙ୍କୁ ସ୍ନାନ ପାଇଁ ଆନୁରୋଧ କରିଥାନ୍ତି । ନୈବେଦ୍ୟ ପରେ ମଙ୍ଗଳ ଆଳତୀ ପ୍ରଦାନ କରାଯାଏ । ଏହା ପରେ ବାବା ଆଖଣ୍ଡଳେଶ୍ୱର ଦିଗମ୍ବର ବେଶରେ ବିଭୂଷୀତ ହୋଇଥାନ୍ତି ଏବଂ ମର୍ତ୍ତ୍ୟର ଅମୃତ ରୂପେ ଜ୍ଞାନ ପଞ୍ଜାମୃତ ଘର୍ଷଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । କେବଳ ଏହିଦିନ ହିଁ ମନ୍ଦିରର ସେବକମାନେ ସେମାନଙ୍କର ଖର୍ଚ୍ଚରେ ହିଁ ଘର୍ଷଣ ପ୍ରଦାନ କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।

ଚନ୍ଦନ ଯାତ୍ରା[ସମ୍ପାଦନା]

ଗ୍ରୀଷ୍ମ ଋତୁର ଜ୍ୟୈଷ୍ଠମାସରେ ଯେତେବେଳେ ସୂର୍ଯ୍ୟଦେବଙ୍କ ପ୍ରକୋପର ଅସ‌ହ୍ୟ ତାତିରେ ଜୀବନ ଜୀଇଁବା କଷ୍ଟ ହୋଇଯାଏ, ସେତେବେଳେ ଶିବ-ଗଙ୍ଗା ପୁଷ୍କରଣୀରେ ଚନ୍ଦନ ଚାପ(ନୈକା ବିହାର) ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ବୃଷଭଙ୍କ ଉପରେ ସବାର ହୋଇ ଡଙ୍ଗାରେ ନୈବିହାର କରନ୍ତି ।

ଭକ୍ତିଗୀତର ତାଳେ ତାଳେ ସ୍ୱର୍ଗୀୟ ଭାବନା ସୃଷ୍ଟି କରୁଥିବା ମାଳମାଳ ଆଲୋକ ତ‌ଥା ସୁସଜ୍ଜିତ ଶିବ-ଗଙ୍ଗା ପୁଷ୍କରଣୀରେ ଭଗବାନ ନୈବିହାର କରିଥାନ୍ତି । ପ୍ରକୃତରେ ଏହା ଅତ୍ୟନ୍ତ ମନୋମୁଗ୍ଧକର । ସନ୍ଧ୍ୟାରେ ପ୍ରବଚକମାନଙ୍କର ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ତ‌ଥା ପୁଷ୍କରଣୀରେ ଦେବତାଙ୍କର ବିରାଜମାନର ଦୃଶ୍ୟ ଏହି ଉତ୍ସବକୁ ଆକର୍ଷଣୀୟ କରାଇଥାଏ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଏହି ପର୍ବ ୨୧ ଦିନ ଧରି ଚାଲିଥାଏ ।

୨୧ ଦିନ ଧରି ପାଳନ କରାଯାଉଥିବା ଏହି ଚନ୍ଦନ ଯାତ୍ରାର ମୁଖ୍ୟ ଦିନ ହେଉଛି ଚନ୍ଦନ ପୂର୍ଣ୍ଣିମା । ଲୋକ କଥାନୁସାରେ ଏହି ପବିତ୍ର ନୈକାବିହାରରେ ଦେବଦେବ ଶ୍ରୀ ମହାଦେବ ଅଖଣ୍ଡଳେଶ୍ୱର ଅସ‌ହ୍ୟ ଗରମ ତାତିରୁ ମୁକ୍ତି ପାଇଥାନ୍ତି, କିନ୍ତୁ ବାସ୍ତବରେ ଏହି ସମୟଟି ଦେବତା ଏବଂ ମାନବମାନଙ୍କର ସଭା ପାଇଁ ଏକ ଉପଯୁକ୍ତ ସମୟ । ଭଗବାନ ସ୍ୱୟଂ ମନ୍ଦିରରୁ ବାହାରକୁ ଆସିଥାନ୍ତି ଏବଂ ଭକ୍ତମାନଙ୍କର ସମସ୍ତ ଦୁଃଖ ଅସୁବିଧା ହରଣ କରିଥାନ୍ତି ।

ଶିବ ବିବାହ[ସମ୍ପାଦନା]

ଆଷାଢ଼ ଶୁକ୍ଳ ପକ୍ଷରେ ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଥାଏ । ବେଦର ବର୍ଣ୍ଣନାରେ ଥିବା ସୂଚନାନୁସାରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ । ମନ୍ଦିରର ପୂଜକମାନଙ୍କ ମଧ୍ୟରୁ ଜଣେ ଦେବୀ ପାର୍ବତୀଙ୍କର ପିତାଙ୍କ ଭୂମିକା ତୁଲାଇଥିବା ବେଳେ ଅନ୍ୟଜଣେ ଭଗବାନ ଶିବଙ୍କର ପିତାଙ୍କ ଭୂମିକା ତୁଳାଇଥାନ୍ତି । ଏହା ପରେ ବିବାହର ପବିତ୍ର ମୁହୂର୍ତ୍ତ ନିର୍ଦ୍ଧାରଣ କରିବା ପରେ ବିବାହ କାର୍ଯ୍ୟ ସମ୍ପାଦନ କରି ବରକନ୍ୟାଙ୍କୁ ସ୍ୱାଗତ କରାଯାଏ ।

ଏହି ବିବାହ ଉତ୍ସବକୁ ସମସ୍ତ ଦେବାଦେବୀ, ମାନବ, ଅସୁର, ଜକ୍ଷ ସମେତ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଥାଏ । ଆକର୍ଷଣୀୟ ଏବଂ ସୁନ୍ଦର ସାଜସଜ୍ଜା ସ‌ହିତ ରୋଷଣୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ । ମନୋମୁଗ୍ଧକର ରୋଷଣୀ ବର ଘରଠାରୁ ଆରମ୍ଭ ହୋଇ କନ୍ୟା ଘର ପର୍ଯ୍ୟନ୍ତ ଯାଇଥାଏ । ଦେବୀ ପାର୍ବତୀଙ୍କର ଚଳନ୍ତି ପ୍ରତିମା ପାଲିଙ୍କିରେ ବସି ସୁସଜ୍ଜିତ ବେଦୀକୁ ଆସିଥାନ୍ତି । ରାତିସାରା ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ ଏବଂ ବର ପିତା ଓ କନ୍ୟା ପିତାଙ୍କର ଭାବପୂର୍ଣ୍ଣମିଳନରେ ଏହି ବିବାହ ସମାପ୍ତ ହୋଇଥାଏ । ଏହି ଉତ୍ସବର ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅତିଥୀମାନଙ୍କୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନ ପ୍ରଦାନ କରାଯାଇଥାଏ । ଏହି ସମ୍ପୂର୍ଣ୍ଣ ବିବାହ କାର୍ଯ୍ୟଟି ମନ୍ଦିର ପ୍ରଶାସନ ତରଫରୁ ସମ୍ପାଦନ କାରଯାଇଥାଏ ।

ଶ୍ରାବଣୀ ମହୋତ୍ସବ[ସମ୍ପାଦନା]

ଧରାପୃଷ୍ଠରୁ ଆଷାଢ଼ମାସ ବିଦାୟ ନେବା ପରେ ଶ୍ରାବଣର ପ୍ରଥମ ସୋମ‌ବାରରୁ ଶ୍ରବଣୀ ମହୋତ୍ସବ ଆରମ୍ଭ ହୋଇଥାଏ । ସବୁ ସ୍ଥାନରେ ଗୋଟିଏ ସ୍ୱର ଶୁଣାଯାଏ, ଜଟିଆ ବାବା ପାର୍ କରେଗା । ବାବା ଆଖଣ୍ଡଳେଶ୍ୱରଙ୍କୁ ଜଳାଭିଷେକ କରାଇବା ପାଇଁ ଦେଶର ବିଭିନ୍ନ କୋଣରୁ ଲୋକମାନେ ଆସିଥାନ୍ତି । କାଉଁରିଆମାନେ ବିଭିନ୍ନ ନ‌ଦୀରୁ ଜଳ ଆଣି ପାଦରେ ଚାଲିଚାଲି ଆଖଣ୍ଡଳେଶ୍ୱରଙ୍କ ଉପରେ ଜଳାଭିଷେକ କରାଇବା ପାଇଁ ଆସିଥାନ୍ତି । ବମ୍ ବମ୍ ଭୋଲେ ଭଳି ସୁମଧୁର ସ୍ୱରରେ ଚତର୍ଦିଗ ପ୍ରକମ୍ପିତ ହୋଇଥାଏ ।

ଶ୍ରବଣୀ ମହୋତ୍ସବ ସମୟରେ ମନ୍ଦିରର ସଜ୍ଞା ଶବ୍ଦର ବର୍ଣ୍ଣନା କରିହେବ ନାହିଁ । ପ୍ରତ୍ୟେକ ସୋମ‌ବାର ସନ୍ଧ୍ୟାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଆଲୋକମାଳାରେ ମନ୍ଦିରକୁ ସଜାଯିବା ସ‌ହ ଭକ୍ତି ସଙ୍ଗୀତ ସାଙ୍ଗକୁ ପ୍ରବଚନର ମଧ୍ୟ ଆୟୋଜନ କରାଯାଇଥାଏ । କାଉଁରିଆ ସଙ୍ଗଠନ ପକ୍ଷରୁ ଜଳ ନେଇ ଆସୁଥିବା କାଉଁରିଆମାନଙ୍କ ପାଇଁ ମଗଣା ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇ ସଙ୍ଗେ ସଙ୍ଗେ ସେମାନଙ୍କର ସେବା ପାଇଁ ସମସ୍ତ ଆୟୋଜନ କରାଯାଇଥାଏ । ଶ୍ରାବଣୀ ମହୋତ୍ସବ ପ୍ରଥମ ସୋମ‌ବାରରୁ ଆରମ୍ଭ ହୋଇ ଶେଷ ସୋମ‌ବାରରେ ସମାପ୍ତ ହୋଇଥାଏ । କିନ୍ତୁ ଜଗନ୍ନାଥ ପଞ୍ଜିକାନୁସାରେ ଏହି ଉତ୍ସବ ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲିଥାଏ । ଶ୍ରାବଣ ମାସର ପ୍ରତ୍ୟେକ ସମୋବାରରେ ଜଳାଭିଷେକ କରଯାଇଥାଏ ।

ଝୁଲଣ ଯାତ୍ରା[ସମ୍ପାଦନା]

ଶ୍ରାବଣ ଏକାଦଶୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶ୍ରାବଣ ପୂର୍ଣ୍ଣିମା ରେ ଏହି ମେଳ ଶେଷ ହୁଏ । ଏହି ଯାତ୍ରାରେ ବାବା ଆଖଣ୍ଡଳେଶ୍ୱରଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ସ‌ହ ଝୁଲଣ ମଣ୍ଡପକୁ ଆସନ୍ତି । ଶ୍ରାବଣର ସୁନ୍ଦର ସନ୍ଧ୍ୟାରେ ବୃଷଭ ଉପରେ ଏକତ୍ର ବିରାଜମାନ ହୋଇ ମିଠା ମିଠା ଭକ୍ତି ସଙ୍ଗୀତ ତାଳେ ତାଳେ ସେମାନଙ୍କର ଝୁଲଣ ଯାତ୍ର ଆରମ୍ଭ ହୋଇଥାଏ । ଏହି ଯାତ୍ରା ୫ ଦିନ ଧରି ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଏହି ଯାତ୍ରାର ଆନନ୍ଦ ଦେଖିବା ଭଳି ହୋଇଥାଏ ।

ଗଣେଶ ପୂଜା[ସମ୍ପାଦନା]

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ସଙ୍କଳ୍ପ ମଣ୍ଡପରେ ଦେବୀ ପାର୍ବତୀଙ୍କର ପ୍ରିୟ ପୁତ୍ର ବିଘ୍ନନାଶକ ଶ୍ରୀ ଗଣେଶ ବିଦ୍ୟମାନ ହୋଇଥାନ୍ତି । ଏହି ମଣ୍ଡପରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ଭକ୍ତମାନେ ଉପବାସ କରିବା ସ‌ହ ଶ୍ରୀ ଗଣେଶଙ୍କ ଉପସନା କରିଥାନ୍ତି । କେବଳ ମନ୍ଦିରର ପୂଜକମାନେ ନୁହେଁ ବରଂ ସମସ୍ତ ସାଧାରଣ ଜନତା ଏହି ପୂଜାରେ ଯୋଗଦେଇ ଶ୍ରୀ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ।

ଦୂର୍ଗାପୂଜା[ସମ୍ପାଦନା]

ଗଣେଶ ପୂଜାଠାରୁ ପାର୍ବଣ ଆରମ୍ଭ ହୋଇଥାଏ । ଆଖଣ୍ଡଳେଶ୍ୱର ମନ୍ଦିରରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଦୁର୍ଗା ପୂଜା ଦୀର୍ଘ ୧୬ ଦିନ ଧରି ଚାଲିଥାଏ । କନ‌କ ଦୂର୍ଗାଙ୍କର ମନ୍ଦିର ମନ୍ଦିରର ଦକ୍ଷିଣ ଭାଗରେ ଅବସ୍ଥିତ । ଦେବୀ ପାର୍ବତୀ ଉତ୍ତରକୁ ମୁଖ କରି ବିରାଜମାନ ହୋଇଛନ୍ତି । ବାବା ଆଖଣ୍ଡଳେଶ୍ୱରଙ୍କର ମନ୍ଦିରର ଗର୍ଭଗୃହରେ ଦେବୀ ପାର୍ବତୀ ଏବଂ ଦେବୀ କନ‌କ ଦୁର୍ଗା ସିଂହାସନରେ ବିରାଜମାନ କରିଛନ୍ତି ।

୧୬ଦିନ ଧରି ଏହି ପର୍ବ ବଡ଼ ଆଡ଼ମ୍ବର ସ‌ହ ପାଳନ କରାଯାଏ । ଆଚାର ବିଚାର ଅନୁସାରେ, ଦେବୀ ଦୁର୍ଗା ୧୬ ଦିନ ଧରି ଯୁଦ୍ଧ କରି ମହିସାଷୁରକୁ ବଦ୍ଧ କରିଥିଲେ । ସେଥିପାଇଁ ଏହି ୧୬ଦିନର ପୂଜା ଦେବୀ ଦୁର୍ଗାଙ୍କ ପାଇଁ ପାଳନ କରାଯାଏ, ଯାହାଙ୍କର ବୟସ ୧୬ ବର୍ଷ ବୋଲି ଧରାଯାଏ । ୧୬ଦିନର ଏହି ପୂଜାରେ ପ୍ରତ‌ହ୍ୟ ଚଣ୍ଡି ଯଜ୍ଞ ଏବଂ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ପ୍ରତ୍ୟେକ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗେ ସଙ୍ଗେ ପ୍ରବଚନର ଆୟୋଜନ କରାଯାଇଥାଏ ।

କାଳୀପୂଜା ଏବଂ ଦୀପାବଳୀ[ସମ୍ପାଦନା]

କାର୍ତ୍ତୀକ କୃଷ୍ଣ ଚତୁଦ୍ଦର୍ଶୀଠାରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇଥାଏ ଏବଂ ଅମାବାସ୍ୟାର ଘନ ଅନ୍ଧକାରର ମଧ୍ୟରାତ୍ରରେ ଦେବୀ କାଳୀଙ୍କ ପୂଜା ଆରମ୍ଭ ହୋଇଥାଏ । ମହାକାଳୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ବିରାଜମାନ କରିଥାନ୍ତି । ପୂରାଣାନୁସାରେ ଅସୁରମାନଙ୍କର ବିନାସ କରି ସାଧୁସନ୍ଥମାନଙ୍କୁ ରକ୍ଷା କରିବା ନିମନ୍ତେ ଦେବୀ ପାର୍ବତୀ ହିଁ ମହାକାଳୀଙ୍କର ଅବତାର ନେଇଥିଲେ ।

ଦୀପାବଳୀରେ ସୁସଜ୍ଜିତ ମନ୍ଦିର ଏକ ନବ‌ବଧୂ ପରି ଦୃଶ୍ୟମାନ ହୋଇଥାଏ ।

କାର୍ତ୍ତୀକ ପୂର୍ଣ୍ଣିମା[ସମ୍ପାଦନା]

କାର୍ତ୍ତୀକ ପୂର୍ଣ୍ଣିମାରେ ସମ୍ପୂର୍ଣ୍ଣ ଦିନ‌କର ଯଜ୍ଞ ପରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ହର-ଗୌରୀ ରୂପରେ ଆବିର୍ଭୂତ ହୋଇଥାନ୍ତି । ବଡ଼ ସିଂହାର ବେଶରେ ଦର୍ଶନ ଦେଉଥିବା ମହାଦେବ ଶିବଙ୍କର ସିଂହାସରେ ଠିକ ପଛ ପଟରେ ଏକ ରୂପା ସିଂହାସନରେ ମହାଦେବ ଶିବ ଏବଂ ଦେବୀ ପାର୍ବତୀଙ୍କର ସୋଲୋ ନିର୍ମିତ ପ୍ରତିମୂର୍ତ୍ତୀ ରଖାଯାଇଥାଏ । କେବଳ ଏହି ଦିନରେ ଭକ୍ତମାନେ ହର-ଗୌରୀଙ୍କର ଏହି ପ୍ରତିମୂର୍ତ୍ତୀକୁ ସ୍ପର୍ଶ କରିପାରିଥାନ୍ତି । ରାସ ପୂର୍ଣ୍ଣିମା ପାଇଁ ସନ୍ଧ୍ୟାରେ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରକୃତରେ ସୁଖଦ ହୋଇଥାଏ । ଏହି ସନ୍ଧ୍ୟାରେ ସ୍ଥାୟୀ ମଣ୍ଡପରେ ବିଭିନ୍ନ ପ୍ରକାରର ନାଚଗୀତର ଆସର ଜମିଥାଏ ।

ଗୀତା ଜୟନ୍ତୀ[ସମ୍ପାଦନା]

ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀଦିନ ଗୀତା ଜୟନ୍ତୀ ପାଳନ କରାଯାଏ । ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ଏକ ଏବଂ ଉଦାସୀନ । ଭଗବାନ ଶିବ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରଧାନ ଭକ୍ତ । ପବିତ୍ର ଗୀତା ବ‌ହିର ଦିବ୍ୟ ମନ୍ତ୍ର ଉଚ୍ଚାରଣ ଏବଂ ମନ୍ତ୍ର ବିଷୟରେ ବିଚାର ବିମର୍ଶରେ ସେଦିନ ମନ୍ଦିର ସ୍ୱର୍ଗ ପରି ଲାଗିଥାଏ । କେବଳ ପୂଜମାନେ ନୁହନ୍ତି ସାଧରଣ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି ।

ମହାଶିବ ରାତ୍ରୀ[ସମ୍ପାଦନା]

ଫାଲ୍ଗୁନ ମାସର କୃଷ୍ଣ ତ୍ରୟୋଦସୀ ପରେ ଚତୁର୍ଦ୍ଦଶୀ ଦିନ ପ୍ରସିଦ୍ଧ ଜାଗର ଯାତ୍ରା ପାଳନ କାରଯାଏ । ଏହି ପର୍ବ ବର୍ଷସାରା ପାଳନ କରାଯାଉଥିବା ପର୍ବମାନଙ୍କର ସମିଶ୍ରଣ ସ‌ହ ସମାନ ଅଟେ । ଆଳତୀ ସରିବା ପରେ କନିକାର ରାଜା ଘର୍ଷଣ ଏବଂ ଖିଚୁଡ଼ି ଅର୍ପଣ କରିଥାନ୍ତି । ମହାଦେବ ଦିଗମ୍ବର ବେଶ ଧାରଣ କରିଥାନ୍ତି ଏବଂ ଅସଂଖ୍ୟ ଭକ୍ତ ଏହି ଆକର୍ଷକ ଶୋଭା ଦେଖିବା ପାଇଁ ଆସିଥାନ୍ତି । ଜାଗରର ପ୍ରଥମ ପ‌ହଡ଼ରୁ ହିଁ ପୂଜା ଆରମ୍ଭ ହୋଇଥାଏ । ସମସ୍ତ ଭକ୍ତ ଏବଂ ପୂଜକମାନେ ଷୋଡ଼ଶ ଉପଚାର ଅଭିଷେକ ଏବଂ ଯଜ୍ଞର ସମାପ୍ତିଯାଏ ଉଜାଗର ରହିଥାନ୍ତି । ପୂଜାର ଶେଷ ପ‌ହଡ଼ ଏବ ଅଭଷେକ ପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ଗଙ୍ଗା ନଦୀରୁ ସଂଗ୍ରହ କରାଯାଇଥିବା ୧୦୮କୁମ୍ଭ ଜଳ ମହାଦେବଙ୍କ ଉପରେ ପୂଜକମାନେ ଢ଼ାଳିଥାନ୍ତି । ଏହା ପରେ ମହାଦେବ ଶିବ ଅତ୍ୟାବଶ୍ୟକୀୟ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇଥାନ୍ତି । ଭଗବାନ ଶିବଙ୍କର ଏହି ସୁନ୍ଦର ରୂପ ଦେଖିବାକୁ ଅନ୍ୟ ଦେବାଦେବୀମନଙ୍କ ଅନେକ ଇଚ୍ଛା ଥାଏ । ଏହି ଅଳଙ୍କାର ସ‌ହ ମହାଦେବ ଶିବର ଦର୍ଶନ ସମସ୍ତ ମାନବ ସମେତ ଦେବାଦେବୀଙ୍କ ପାଇଁ ଅମୂଲ୍ୟ ଅଟେ ।

ମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରାତିସାରା ଚାଲିଥାଏ । ଏହିଦିନ ମନ୍ଦିରର ସମସ୍ତ କାର୍ଯ୍ୟ ଏବଂ ଅଳାଙ୍କାର ଆଭୂଷଣର ଦୃଶ୍ୟ ଦୂରଦର୍ଶନ ମାଧ୍ୟମରେ ପ୍ରାସାରଣ କରାଯାଏ ଏବଂ ମନ୍ଦିର ବାହାରେ ଥିବା ଭକ୍ତମାନଙ୍କ ପାଇଁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇଥାଏ । ଏହି ସବୁର ଆୟୋଜନ ସମସ୍ତ ଭକ୍ତମାନଙ୍କ ଦ୍ୱାରା ହୋଇଥାଏ । ଷୋଡ଼ଶ ଉପଚାର ପୂଜା ଶେଷ ହେବା ପରେ ପାଖାପାଖି ରାତି ୪ଟା ବେଳେ ମହାଦୀପ ପୂଜା ଆରମ୍ଭ ହୋଇଥାଏ । ମନ୍ଦିରର ପୂଜକମାନଙ୍କ ଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାଇଥାଏ । ବେଦରେ ଥିବା ସୂଚନାନୁସାରେ ପୂଜକ ଏବଂ ଭକ୍ତମାନେ ମହାଦୀପକୁ ଧରି ମନ୍ଦିର ଚାରିପଟେ ପରିକ୍ରମା କରିବା ପରେ ଶେଷରେ ମନ୍ଦିରର ଅଗ୍ରଭାବରେ ଦୀପକୁ ସ୍ଥାପନ କରିଥାନ୍ତି । ଭକ୍ତମାନଙ୍କର ରିଷ୍ଟଖଣ୍ଡନ ତ‌ଥା ସେମାନଙ୍କୁ ଉପରୁ କୁଶକ୍ତିକୁ ଦୂର କରିବା ପାଇଁ ଏହି ପୂଜା କରାଯାଇଥାଏ ।

ଦୋଳ ଯାତ୍ରା[ସମ୍ପାଦନା]

ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ ବାବା ଆଖଣ୍ଡଳେଶ୍ୱର ମନ୍ଦିରରେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାବା ଆଖଣ୍ଡଳେଶ୍ୱର ଏବଂ ମାତା ପାର୍ବତୀଙ୍କର ଚଳନ୍ତି ପ୍ରତିମା ଏହିଦିନ ବୃଷଭ ଉପରେ ସବାର ହୋଇ ଭୋଗମଣ୍ଡପକୁ ଆସିଥାନ୍ତି । ଭୋଗମଣ୍ଡପରେ ସେଦିନ ରାତିରେ ଅନ୍ୟ ସ୍ଥାନରୁ ଆସିଥିବା ଦେବତାମାନଙ୍କୁ ସେମାନେ ଭେଟିଥାନ୍ତି । ମହଦେବ ଶିବ ଭଗବାନ ବିଷ୍ଣୁଙ୍କୁ ଏବଂ ଦେବୀ ପାର୍ବତୀ ମାଆ ଲକ୍ଷ୍ମୀଙ୍କୁ ଭେଟିଥାନ୍ତି । ସେହି ମିଳନ ସ୍ଥାନରେ ହିନ୍ଦୁମାନଙ୍କର ନବ ବର୍ଷର ନୂଆ ପାଞ୍ଜି ଉନ୍ମୋଚିତ ହୋଇଥାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ପଣ୍ଡା, ହରିହର (27 October 2015). "ଅନ୍ତରଙ୍ଗ ଓଡ଼ିଶା: ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ: ବାବା ଆଖଣ୍ଡଳ ମଣି". ଓଡ଼ିଶା ଟାଇମ୍. http://odishatime.com/odiya/%E0%AC%85%E0%AC%A8%E0%AD%8D%E0%AC%A4%E0%AC%B0%E0%AC%99%E0%AD%8D%E0%AC%97-%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE-%E0%AC%AD%E0%AC%A6%E0%AD%8D%E0%AC%B0%E0%AC%95%E0%AC%B0-%E0%AC%AA%E0%AD%8D/. Retrieved 11 September 2016. 
  2. "Baba Akhandalamani Temple". Orissa Diary. Retrieved 11 September 2016. 
  3. ୩.୦ ୩.୧ ୩.୨ "REINCARNATION OF LORD AKHANDALESWAR". ବାବା ଆଖଣ୍ଡଳମଣି ୱେବସାଇଟ୍. Retrieved 11 September 2016. 
  4. "LORD'S DAY TO DAY LIFE". ବାବା ଆଖଣ୍ଡଳମଣୀ. Retrieved 11 September 2016. 
  5. "FAIRS AND FESTIVALS". ବାବା ଆଖଣ୍ଡଳମଣୀ. Retrieved 11 September 2016. 

ଅଧିକ ତଥ୍ୟ[ସମ୍ପାଦନା]