ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ
ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମଣ୍ଡପସବୁ ହେଲା: ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମୁକ୍ତି ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ରତ୍ନ ମଣ୍ଡପ (ରତ୍ନ ବେଦୀ), ଦୋଳ ମଣ୍ଡପ (ଦୋଳ ବେଦୀ) ଓ ଯଜ୍ଞ ମଣ୍ଡପ ।[୧]
ରତ୍ନ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିରରେ ଚାରି ବିଗ୍ରହ ବର୍ଷସାରା ଯେଉଁଠାରେ ବିଜେ କରିଥାନ୍ତି ତାହାକୁ ରତ୍ନ ମଣ୍ଡପ କୁହାଯାଏ । ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ । ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି । ଏହି ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ । ଏହାକୁ ରତ୍ନ ବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ । ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ଯନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।
ଦେବସଭା ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲୋଟ ନମ୍ବର ୩୦ରେ ଦେବସଭା ମଣ୍ଡପ ଅବସ୍ତିତ । ମୂଖ୍ଯ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଛି । ଏହା ଦେବସଭା ମଣ୍ଡପ ନାମରେ କଥିତ । ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଦରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି ।
ସ୍ନାନ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ବାହାର ବେଢାସ୍ଥିତ ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ବା ସ୍ନାନ ବେଦୀ ଅବସ୍ଥିତ। ମଣ୍ଡପଟି ପୂର୍ବାଭିମୁଖୀ। ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନଂ୧୪୮ରେ ଏହି ମଣ୍ଡପଟି ରହିଛି । ବଉଳମାଳା ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପର ଦୈର୍ଘ୍ଯ ଓ ପ୍ରସ୍ଥ ଉଭୟ ୭୫ ଫୁଟ୍ । ମଣ୍ଡପ ଉପରକୁ ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଏକ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି। ମଣ୍ଡପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିଥିବା ସମୟରେ ସମୁଦାୟ ୧୦୮ ଗରା ସଂସ୍କାରିତ ଚନ୍ଦନ, କର୍ପୂର,କେଶରାଦି ମିଶ୍ରିତ ଜଳରେ ସ୍ନାନ କରିଥାନ୍ତି। ଏହି ମଣ୍ଡପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ।
ଗୁଣ୍ଡିଚା ମଣ୍ଡପ
[ସମ୍ପାଦନା]ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି । ଯଥା: ଗୁଣ୍ଡିଚାମଣ୍ଡପଂ ନାମ ଯାତ୍ରାହମଜନଂ ପୁରା। ଅଶ୍ୱମେଧସହସ୍ରସ୍ଯ ମହାବେଦୀ ତଦାଭବତ୍। ତସ୍ୟାଃ ପୁଣ୍ଯମତଂ ସ୍ଥାନଂ ପୃଥିବ୍ଯା ନେହ ବିଦ୍ୟତେ।
ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ,ଆଟୋପ ମଣ୍ଡପ ଇତ୍ଯାଦି ନାମରେ ଉଲ୍ଲେଖ କରାଯାଇଛି । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ଡପଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ(୨ୟ) (ଖ୍ରୀ.୧୨୭୮-୧୩୦୬)ଙ୍କ ରାଜତ୍ୱ ସମୟରେ ପଥର ମଣ୍ଡପ ନିର୍ମାଣ କରାଯାଇଥିଲା। ଗୁଣ୍ଡିଚା ଘର ଗର୍ଭ ଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହି ମଣ୍ଡପର ଉଚ୍ଚତା ୪ଫୁଟ୍ ଏବଂ ଲମ୍ବ ୧୯ଫୁଟ୍ ବିଶିଷ୍ଟ ।
ଶରଧାବାଲିରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ବର୍ତ୍ତମାନ ମଧ୍ୟ ଦାରୁଦିଅଁ ଶ୍ରୀପତିତପାବନ ଯାତ୍ରାରେ ବିଜେ କରି ସେହି ଆଡ଼ପ ମଣ୍ଡପକୁ ଯାଆନ୍ତି । ଓଡ଼ିଶାରେ ଏକ ଧାରଣା ବିକାଶ ଲାଭ କରିଛି ଯେ, ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ବୋଲି । ବାସ୍ତବରେ ଦାରୁବ୍ରହଙ୍କର କେହି ମାଉସୀ ନାହାନ୍ତି । ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ । ଏହିଭଳି ଶ୍ରୀରାମ ଉପାସକମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜନକ ପୁରୀ ମଧ୍ୟ କହିଥାନ୍ତି । ଏହା ଏକ ଭାବର ଧାରଣା । କାରଣ ମା’ ସୁଭଦ୍ରା ତାଙ୍କର ପତ୍ନୀ ନୁହନ୍ତି କି ଶାସ୍ତ୍ରୀୟ ମତରେ ସୀତା ନୁହନ୍ତି । ତେଣୁ ଦାରୁଦିଆଁ ନବଦିନାତ୍ମକ ଯାତ୍ରାରେ ବିଜେ କରନ୍ତି ତାଙ୍କର ଆବିର୍ଭାବ ମଣ୍ଡପରେ । ଏହା ହେଉଛି ଶାସ୍ତ୍ରର କଥା । ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।[୨]
ମଣି ମଣ୍ଡପ
[ସମ୍ପାଦନା]ବିଶିଷ୍ଟ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ଉତ୍ସାହବତୀ ରୂପକମ ନାଟକ କାବ୍ଯଟି ଶ୍ରୀମନ୍ଦିର ପାର୍ଶ୍ୱରେ ମଣି ମଣ୍ଡପରେ ଅଭିନୀତ ହୋଇଥିଲା। ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ଯ ପ୍ରାସାଦ ପାର୍ଶ୍ୱେ ମଣି ମଣ୍ଡପେ । [୩]
ଭେଟ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ପ୍ଳଟ ନଂ ୧୮୨ରେ ଭେଟ ମଣ୍ଡପଟି ଅବସ୍ଥିତ। ଶ୍ରୀମନ୍ଦିର ରୋଷଘର ପରିସରର ପୂର୍ବାଭିମୂଖୀ ଏହି ମଣ୍ଡପକୁ ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଭେଟିଥାନ୍ତି । ଦିବ୍ୟସିଂହ ଦେବ (ଖ୍ରୀ.୧୬୮୮-୧୭୧୬)ଙ୍କ ସମୟରେ ଏହି ମଣ୍ଡପଟି ନିର୍ମାଣ କରାଯାଇଥିଲା।
ଚାହାଁଣି ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ଆନନ୍ଦ ବଜାରସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ପ୍ଳଟ ନଂ ୧୪୯ ଉପରେ ଏହି ମଣ୍ଡପଟି ଅବସ୍ଥିତ। ବାହୁଡା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଁଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି। ମୋଟ ୧୨ ଗୋଟି ଖମ୍ବ ଉପରେ ୭ ଫୁଟ ଉଚ୍ଚତା ବିଶିଷ୍ଟ ପୀଢ଼ ଶୈଳୀ ଛାତ ନିର୍ମିତ ଏକ ଖୋଲା ମଣ୍ଡପ । ଶାଳ-ପିଆଶାଳ କାଠର କଡିବରଗା ଖମ୍ବ ଉପରେ ଚତୁଃଷ୍କୋଣୀ ଭାବେ ନିର୍ମିତ ମଣ୍ଡପଟି ଦୈର୍ଘ୍ଯ ଓ ପ୍ରସ୍ଥରେ ପ୍ରାୟ ୧୨ଫୁଟ ମଧ୍ୟରେ ସୀମିତ । ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏହିଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ ।
ମୁକ୍ତି ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ସ୍ୱୟଂ ବ୍ରହ୍ମା ଯେଉଁଠାରେ ଯଜ୍ଞବେଦୀ କରିଥିଲେ । ତାହା ପରବର୍ତ୍ତୀ ସମୟରେ ମୁକ୍ତିମଣ୍ଡପ ନାମରେ ନାମିତ ହୋଇଛି । କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ଏହି ପବିତ୍ର ସ୍ଥାନଟି ଅବସ୍ଥିତ । ରାତ୍ର ସମୟରେ ସ୍ୱର୍ଗଲୋକରୁ ସମସ୍ତ ଦେବତାମାନେ ଏଠାରେ ଏକତ୍ର ହୁଅନ୍ତି । ବ୍ରହ୍ମାଙ୍କ ପୌରୋହିତରେ ସଂସାରର ବିଭିନ୍ନ ସମସ୍ୟା ଉପରେ ସମସ୍ତ ଦେବତାଗଣ ଆଲୋଚନା କରିଥାନ୍ତି । ଏହି ଆଲୋଚନାରେ ଭଗବାନ ବିଷ୍ଣୁ ଯାହା ନିର୍ଦ୍ଦେଶ ଦିଅନ୍ତି , ସବୁ ଦେବତା ଗଣ ସେହିପରି କାର୍ଯ୍ୟ କରିଥାନ୍ତି I କିମ୍ବଦନ୍ତୀ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ସମୟରେ ମୁକ୍ତିମଣ୍ଡପରେ ଯଜ୍ଞ କରିଥିଲେ । ମୁକ୍ତିମଣ୍ଡପକୁ ବ୍ରହ୍ମାସନ କୁହାଯାଏ । ମୁକ୍ତିମଣ୍ଡପରେ କେବଳ ବିଦ୍ୱାନ ପଣ୍ଡିତମାନେ ଅବସ୍ଥାନ କରିଥାନ୍ତି । ଶ୍ରୀମନ୍ଦିରର ପୂଜାକର୍ମରେ ଯଦି କିଛି ଅସୁବିଧା ଦେଖାଦିଏ ଶାସ୍ତ୍ରମତେ ଆଲୋଚନା କରି ତାହାର ସମାଧାନ କରିଥାନ୍ତି I ମନୁଷ୍ୟ ଯଦି କିଛି ପାପ କରିଥାଏ , ତାହାର ପ୍ରାୟଶ୍ଚିତର ବାଟ ମୁକ୍ତିମଣ୍ଡପର ପଣ୍ଡିତମାନେ ବତାଇ ଦେଇଥାନ୍ତି । ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ I ମୁକ୍ତିମଣ୍ଡପର ଲମ୍ବ ୩୮ଫୁଟ ଓ ଓସାର ୩୮ ଫୁଟ । ଖ୍ରୀଷ୍ଟାବ୍ଦ ୧୫୭୮ରେ ରାମଚନ୍ଦ୍ର ଦେବଙ୍କ ସମୟରେ ମୁକ୍ତିମଣ୍ଡପ ତିଆରି ହୋଇଥିବା ଜଣାଯାଏ । ଏହି ମୁକ୍ତିମଣ୍ଡପରେ ପୁରୀର ଷୋଳଶାସନର ବିଦ୍ୱାନ ପଣ୍ଡିତମାନେ ବସି ହିନ୍ଦୁଧର୍ମର ନୀତିନିୟମ ବିଷୟରେ ଆଲୋଚନା କରିଥାନ୍ତି ।[୪][୫]
ମାଜଣା ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିରର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ୱରେ ତଥା ପ୍ଳଟ ନଂ ୨୧ରେ ମାଜଣା ମଣ୍ଡପଟିଅ ଅବସ୍ଥିତ। ସ୍ୱତ୍ତ୍ୱଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ମଦନମୋହନ ବିବାହ ଉତ୍ସବ ହୁଏ।
ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ଏଠାରେ ଦୁର୍ଗାଦେବୀଙ୍କର ସହସ୍ର କୁମ୍ଭାଭିଷେକ ହୋଇଥାଏ ।
ଏହି ମଣ୍ଡପର ଅନ୍ୟ ନାମ ସୋମନାଥ ମଣ୍ଡପ। ପୀଢ଼ ଶୈଳୀରେ ନିର୍ମିତ ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟେହ ସନ୍ଧ୍ୟାରେ ପାରମ୍ପାରିକ ଭକ୍ତି ସଙ୍ଗୀତ, ଗୀତଗୋବିନ୍ଦ ଆଦି ଗାନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କ ଚିତା ଓ ରାହୁ ରେଖା ସଫା କାର୍ଯ୍ୟ ଏହି ମଣ୍ଡପ ଉପରେ କରାଯାଇଥାଏ।
ପୌରାଣିକ
[ସମ୍ପାଦନା]ପୁରାଣ ଅନୁସାରେ ଏହି ଦିନ ରୁକ୍ମିଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିଲା। ତେଣୁ ଏହି ଏକାଦଶୀକୁ ରୁକ୍ମିଣୀ ଏକାଦଶୀ କହନ୍ତି। ସେହି କାରଣରୁ ଏହି ମଣ୍ଡପକୁ ବିବାହ ମଣ୍ଡପ ବା ବିବାହ ବେଦୀ ମଧ୍ଯ କୁହାଯାଏ ।
ନାଭିକଟା ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ପୀଢ଼ ଶୈଳୀର ଖୋଲା ମଣ୍ଡପକୁ ନାଭିକଟା ମଣ୍ଡପ କୁହାଯାଏ। ଏହାର ଅନ୍ୟନାମ ବଜନ୍ତୀର ମଣ୍ଡପ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ,ଶ୍ରୀଦେବୀଙ୍କ ମାଜଣା ବେଶ, ଭୋଗାଦି ଏହିଠାରେ ହେବା ଉତ୍ତାରେ ଦୋଳବେଦୀରେ ବିଜେ କରନ୍ତି। ସଂପ୍ରତି ଏହି ମଣ୍ଡପରେ ପ୍ରତ୍ୟହ ସଂନ୍ଧ୍ୟାରେ ହୁଣ୍ଡି ଗଣତି କାର୍ଯ୍ୟ ହେଉଅଛି।
ନିର୍ମାଲ୍ୟ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ବାହାର ବେଢାସ୍ଥିତ ନୀଳାଚଳ ଉପବନ ପରିସରରେ ନିର୍ମାଲ୍ୟ ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା । ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର ଖୋଲା ମଣ୍ଡପ । ନିର୍ମାଲ୍ୟ ଖଳା ବା ମଣ୍ଡପ ଜୀର୍ଣ୍ଣୋଦ୍ଧାର ସମ୍ପର୍କରେ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ଗଜପତି ବୀର କିଶୋରଙ୍କ ରାଜତ୍ୱ ସମୟରେ ଏହାର ନବୀକରଣ କରାଯାଇଥିଲା।
ଅଚିନ୍ତା ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଶାଖା କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ପ୍ରତିହାରୀ ନିଯୋଗ ଅଫିସଟି ପୂର୍ବରୁ ଅଚିନ୍ତା ମଣ୍ଡପ ନାମରେ ପରିଚିତ ଥିଲା। ସାତପୁରୀ ତାଡ଼ ଓ ମକର ତାଡ଼ ବଡ଼ଦେଉଳକୁ ପରିକ୍ରମା ପରେ ତାଡ଼ ଏହିଠାରେ ରଖାଯାଏ।
ଜଳକ୍ରୀଡ଼ା ମଣ୍ଡପ
[ସମ୍ପାଦନା]ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ନଂ ୮୦ରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ୨୩ ଫୁଟ ଏବଂ ଭିତର ବେଢା ପତନଠାରୁ ମଣ୍ଡପଟି ୭ ଫୁଟ ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।
ଦୋଳ ମଣ୍ଡପ
[ସମ୍ପାଦନା]ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳମଣ୍ଡ ଓ ଉକ୍ତ ସାହିକୁ ଦୋଳମଣ୍ଡପ ସାହି ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କିଶୋର ଦେବ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢ଼ାଇଥିଲେ, ଯାହାକି ଦୋଳବେଦୀ ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଛି।
ଭୋଗ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ପ୍ଲଟ ନଂ ୧୧ରେ ଭୋଗ ମଣ୍ଡପ ଅବସ୍ଥିତ। ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ପୋଥିର ଉଲ୍ଲେଖ ପ୍ରକାରେ ଭୋଗଟି ଟେରା ମଣ୍ଡପ ନାମରେ ଅଭିହିତ। ଏତଦବ୍ୟତୀତ କେତେକ ଏହାକୁ ନୀଳାଦ୍ରି ମଣ୍ଡପ ନାମରେ ଉଚ୍ଚାରଣ କରିଥାନ୍ତି। ବଡ଼ ଦେଉଳର ଚତୁର୍ଥ ବଖରା ହେଉଛି ଭୋଗମଣ୍ଡପ । ସେହିଠାରେ ଏବେ ଭୋଗମଣ୍ଡପର ଭୋଗ ବା ବରାଦି ଭୋଗ ମହାପ୍ରଭୁଙ୍କୁ ଲାଗିହଉଛି । ଠାକୁରଙ୍କର ଏହି ଭୋଗମଣ୍ଡପ ଘର ଯେଉଁଠି ଗଢ଼ା ହୋଇଛି, ସେହିଠାରେ ରହିଥିଲା ଆଦି ଶଙ୍କରଙ୍କ ଛତି । ସେ ଛତି ମୂଳରେ ସେ ଆସନ ପରି ବସୁଥିଲେ । ତାଙ୍କରି ଛତି ଥିବା ସ୍ଥାନରେ ଭୋଗମଣ୍ଡପ ଗୃହ ନିର୍ମାଣ ହୋଇଛି ।
ଏହି ମଣ୍ଡପରେ ପ୍ରତ୍ୟେକ ଭୋଗ ମଣ୍ଡପ ପୂଜା ହୁଏ। ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଭୋଗ ବୁହା ପାଇଁ ଅଚିନ୍ତା ପହଣ୍ଡି ନାମରେ ଏକ ସୁଡ଼ଙ୍ଗ ପଥ ସଂଲଗ୍ନ ହୋଇଛି। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ମଣ୍ଡପଟି ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ସପ୍ତମ ଅଙ୍କରେ ନିର୍ମିତ। ଭୋଗ ମଣ୍ଡପ ପରିସରରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ/ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ।
ନାଟ ମଣ୍ଡପ
[ସମ୍ପାଦନା]ଶ୍ରୀମନ୍ଦିରର ଜଗମୋହନ ଓ ଭୋଗ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନଙ୍କୁ ନାଟ ମଣ୍ଡପ କୁହାଯାଏ ।କେତେକ ପୋଥି ଶିଳାଲେଖରେ ଏହା ନାଟପା ମଣ୍ଡପ ବୋଲି ଉଲ୍ଲେଖ ରହିଛି। ପ୍ଳଟ ନଂ ୧୦ରେ ଥିବା ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ୍ ତିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତୀ, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି। ଏହି ସ୍ଥନରେ ପୂର୍ବେ ଦେବଦାସୀମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ। ପ୍ରତ୍ୟେହ ସକାଳ ଓ ରାତ୍ର ସମୟରେ ମଙ୍ଗଳ ଆଳତୀ ତଥା ପହୁଡ଼ ନୀତି ସମୟରେ ବଡ଼ଛତା ମଠର ବୈଷ୍ଣବ ,ବାବାଜୀ ପାରମ୍ପାରିକ ସଙ୍ଗୀତ ଗାନ କରିଥାନ୍ତି।
ରାହାସ ମଣ୍ଡପ
[ସମ୍ପାଦନା]ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ସୁପରିଚିତ ଥିବା ରାହସ ମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତ ଭାଷୀ ମୂଳ ଭାଗବତ ଓଡ଼ିଆ ଭାଷାରେ ମଧୁର ସ୍ୱରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢ଼ି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲୀଳାମୃତ, ଶ୍ରୀଚୈତନ୍ୟ ଚକଡା ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ ।
ଆଧାର
[ସମ୍ପାଦନା]- ↑ "JAGANNATH TEMPLE, SANCTUARIES, MANDAPS OF LORD JAGANNATH TEMPLE PURI". archive.is. Retrieved 13 January 2013.
Bedies Or mandaps
- ↑ http://www.dharitri.com/Bhubaneswar/060716/p11.htm
- ↑ କୋଣାର୍କ, ପଞ୍ଚସଖା ବିଶେଷାଙ୍କ, ପୃ.୧୪
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2013-07-27.
{{cite web}}
: Cite has empty unknown parameter:|1=
(help) - ↑ ସମୟ, ପୃଷ୍ଠା- ୨, ୮.୧୨.୨୦୧୨
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |