ଦେବଦୀପାବଳି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ଦେବଦୀପାବଳି ବାବଦରେ । ବାକିସବୁ ପାଇଁ, ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ ପ୍ରସଙ୍ଗଟି ଦେଖନ୍ତୁ ।

ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ ।[୧] ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ୤ ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତିକଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟାଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।[୨]

ବେଶ[ସମ୍ପାଦନା]

ମୂଳ ଲେଖା: ଶ୍ରାଦ୍ଧ ବେଶ

ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ ପିନ୍ଧୁଥିବା ବସ୍ତ୍ରକୁ କାଶୀଧଡ଼ିଆ ବସ୍ତ୍ର କୁହାଯାଏ । ଏହାର ରଙ୍ଗ ଶ୍ଵେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି ।

ନୀତି[ସମ୍ପାଦନା]

ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବାପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରନ୍ତି । ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳ ଗଛରେ ବତୀ ବସାନ୍ତି ୤ ସମୁଦାୟ ଅଠେଇଶଟି ବତୀ ବସାଯାଏ, ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଦଶଗୋଟି, ଶ୍ରୀବଳଭଦ୍ରଙ୍କ ନିମନ୍ତେ ନଅଟି ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ନଅଟି ଦୀପ ବସାଯାଇଥାଏ ୤ ତିନିଗୋଟି ସୁନାଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରନ୍ତି ୤ ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନୋଟି ମହାଦୀପରେ ବନ୍ଦାପନା କରାଯାଏ । ତତ୍ପରେ ପୂଜକ ତିନିଜଣ ମହାଦୀପ ଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ୱାରର ଭିତର ପାଖକୁ ଆସନ୍ତି, ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି ୤ ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଏ । ଚୂନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିରର ଅଁଳାବେଢ଼ା ଉପରେ ଦୀପମାନ ଜାଳନ୍ତି [୩]ଓ ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖେପୁରାଇ ଚକ୍ରେ ଆଢୁଆଳ କରନ୍ତୁ’ କହି ହରିବୋଲ ଡାକ ଦିଅନ୍ତି । ମହାପ୍ରଭୁଙ୍କର ଶ୍ରାଦ୍ଧବେଶ ଦେଖିବାଲାଗି ଶ୍ରୀମନ୍ଦିରରେ ଦର୍ଶନାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ ୤

ପିତୃଶ୍ରାଦ୍ଧର ଦ୍ଵିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିଥାନ୍ତି ୤

ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରନ୍ତି ୤ ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ୤

ଆଧାର[ସମ୍ପାଦନା]

  1. "Jagannath Temple celebrates ''Deba Depabali'' for three days". news.webindia123.com. 2009. Retrieved 3 January 2013. the three-day long festival in the Sri Jagannath temple, popularly known as Deba dipabali 
  2. "Dev Deepavali at srimandir: Lord remembers ancestors | Orissa Post". orissapost.com. 2012. Retrieved 3 January 2013. As an incarnation of Sri Ram, he offered ‘pinda’ to king Dasarath. On the second day as Krishna, he offered ‘pinda’ to his parents Basudev and Devaki and on the third day he offered it to his foster parents Nanda and Yashoda. 
  3. "Dev Depavali: Lord Jagannath pays homage to his ancestors". news.webindia123.com. 2012. Retrieved 3 January 2013. The servitors climbed to the top of the temple and lighted diyas 

ଅଧିକ ତଥ୍ୟ[ସମ୍ପାଦନା]