ଶଙ୍ଖ
ଶଙ୍ଖ ଏକ ଗେଣ୍ତାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ । ଶଙ୍ଖର ବର୍ଣ୍ଣ ଧଳା । ହିନ୍ଦୁ ଧର୍ମ ଅନୁସାରେ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ ।
ତିଆରି
[ସମ୍ପାଦନା]ଏହା ମଧ୍ୟରୁ ମାଂସଗୁଡ଼ିକ ସଢ଼ିଗଲେ ଏହା ଜଳପାତ୍ରରୂପେ ବ୍ୟବହୃତ ହୁଏ । ହିନ୍ଦୁମାନେ ଦେବାରାଧନାଦିରେ ବ୍ୟବହୃତ ଜଳ ଏଥିରେ ରଖନ୍ତି । ଏହାର ପୃଷ୍ଠଭାଗରେ ଏକମୁଣ୍ଡରେ ଆବର୍ତ୍ତ ବା ଭଉଁରୀ ଥାଏ । ସେହି ଭଉଁରୀର ମୁଣ୍ଡକୁ ଛିଦ୍ର କରି ସେହି ବାଟେ ଫୁଙ୍କିଲେ ଉଚ୍ଚ ଓ ଗମ୍ଭୀର ସ୍ୱର ହୁଏ । ଶଙ୍ଖ ପୋଡ଼ିଲେ ଚୁନ ହୁଏ ।
ଆୟୁର୍ବେଦରେ ଶଙ୍ଖ
[ସମ୍ପାଦନା]ବୈଦ୍ୟକ ମତରେ ଶଙ୍ଖ ନେତ୍ରହିତକର, ପିତ୍ତ, କଫ, ରୁଧିରବିକାର, ବିଷଦୋଷ, ବାୟୁ, ଶୂଳ, ଶ୍ୱାସ, ଅଜୀର୍ଣ୍ଣ, ସଂଗ୍ରହଣୀ ରୋଗର ଉପକାରକ । ଦକ୍ଷିଣାବର୍ତ୍ତ ଶଙ୍ଖର ଗୁଣ ବାମାବର୍ତ୍ତ ଶଙ୍ଖ ଅପେକ୍ଷା ବେଶୀ । ଶଙ୍ଖ ଭସ୍ମ ଜ୍ୱର, କାଶ, ଶ୍ୱାସ, ଅତିସାର ଆଦି ରୋଗରେ ଉପକାରୀ ଏହା ସ୍ତମ୍ଭକ ଓ ବାଜୀକରଣରୂପେ ଗଣ୍ୟ । ଶଙ୍ଖକୁ କାଟି ବାହୁ ବଳୟ (ଶଙ୍ଖା) ତିଆରି କରନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଉପରସ ମଧ୍ୟରେ ଗଣ୍ୟ ଶଙ୍ଖର ଭସ୍ମ ଔଷଧରେ ଲାଗେ ।
ଧାର୍ମିକ ବିଶ୍ୱାସ
[ସମ୍ପାଦନା]ଶଙ୍ଖଧ୍ୱନୀ ଧାର୍ମିକ ଭାବନା ସୃଷ୍ଟି କରୁଥିବାରୁ ପୁରୀରେ ଶଙ୍ଖର ବିକ୍ରୀ ବଢ଼ି ଚାଲିଥିଲା । ମନୁଷ୍ୟ ଶରୀରରେ ପ୍ରତିଦିନ ଶଙ୍ଖଧ୍ୱନୀ ବାଜିଲେ ଶରୀର ନିରୋଗ ରହେ । ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଅସୁରଶକ୍ତି ଘରେ ପ୍ରବେଶ କରିପାରେ ନାହିଁ । ଶଙ୍ଖ ବଜାଇଲେ ହୃଦ୍ରୋଗ, ରକ୍ତଚାପ ନିୟନ୍ତ୍ରିତ ହେଉଥିବା କୁହାଯାଏ । ଶଙ୍ଖରୁ ନିର୍ଗତ ଓଁକାର ଧ୍ୱନୀର ଶକ୍ତି ବହୁତ । ଅନେକ ବର୍ଷ ତଳେ ଜଣେ ସନ୍ୟାସୀ ଶ୍ରୀଜଗନ୍ନାଥଙ୍କୁ ଏକ ପାଞ୍ଚଜନ୍ୟ ଶଙ୍ଖ ସମର୍ପଣ କରିଥିଲେ, ଯାହାକୁ କାନରେ ଦେଲେ ଅହରହ ବେଦମନ୍ତ୍ର ଶୁଭେ ବୋଲି ସୂଚନା ମିଳିଛି । ଶଙ୍ଖରେ ଦେବତାମାନେ ପାଣି ପିଇଲେ ସନ୍ତୁଷ୍ଟ ହୁଅନ୍ତି । ଛୋଟ ପିଲାମାନେ କଥା କହିବା ସମୟରେ ସେତେବେଳେ ଅଣ୍ଟାରେ ଶଙ୍ଖ ବାନ୍ଧିବା ପ୍ରଚଳିତ ଥିଲା ।
ବୈଜ୍ଞାନିକ ଦୃଷ୍ଟିକୋଣ
[ସମ୍ପାଦନା]ଶଙ୍ଖଧ୍ୱନୀର ତରଙ୍ଗ ବିଭିନ୍ନ ରୋଗର ଜୀବାଣୁକୁ ନଷ୍ଟ କରିଦିଏ ବୋଲି ୧୯୨୮ ମସିହାରେ ବର୍ଲିନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ମତ ଦେଇଥିଲେ ।
ପ୍ରକାର
[ସମ୍ପାଦନା]କେତେକ ଶଙ୍କର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ । ସେହିପରି କେତେକ ଶଙ୍ଖ ବାମାବର୍ତ୍ତକ ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ । ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ । ବିଲ, ପୋଖରୀ, ନଈରେ ଯେଉଁ ଗେଣ୍ଡା (Snail) ଦେଖା ଯାଆନ୍ତି ଓ ଯେଉଁ କଉଡ଼ି ଆମ୍ଭେମାନେ ବ୍ୟବହାର କରୁଁ, ଶଙ୍ଖମାନେ ସେହି ଶ୍ରେଣୀର ସାମୁଦ୍ରିକ ଜୀବ; କିନ୍ତୁ ଏମାନଙ୍କ ଅସ୍ଥି ମୋଟା ଇଂରାଜୀଭାଷାରେ ଓ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି । ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଷ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ ।
ଶଙ୍ଖ ବ୍ୟବସାୟ
[ସମ୍ପାଦନା]ବିରଳ ପ୍ରଜାତିର ସାମୁଦ୍ରିକ ଜୀବର ସୁରକ୍ଷା ପ୍ରେମୀ, ପ୍ରାଣୀପ୍ରେମୀମାନେ ଶଙ୍ଖ ସଂଗ୍ରହରେ ଲଗାମ ଲଗାଇବା ଫଳରେ ଶଙ୍ଖ ଉତ୍ପାଦନ କମିବାରେ ଲାଗିଛି । ପୁରୀରେ ପ୍ରତିଦିନ ଶହେରୁ ଊର୍ଦ୍ଧ୍ୱ ଶଙ୍ଖ ବିକ୍ରୀ ହେଉଥିବାବେଳେ ଏବେ ଭଲ ଶଙ୍ଖ ଆସୁନଥିବାରୁ ବ୍ୟବସାୟୀମାନେ ହତାଶ ହେଉଛନ୍ତି ସେହିପରି ଦିଲ୍ଲୀରେ ଏକ ଜାତୀୟ ମେଳାରେ ଓଡ଼ିଶାର ଶଙ୍ଖ ବିକ୍ରୀ ଉପରେ ଅଙ୍କୁଶ ଲାଗିବାରୁ ବ୍ୟବସାୟୀମାନେ ହତାଶ ହୋଇଛନ୍ତି । ଏହି ଶଙ୍ଖ କୈଳାସର ମାନସରୋବର, ମାଳଦ୍ୱୀପ, ଲକ୍ଷାଦ୍ୱୀପ, ଶ୍ରୀଲଙ୍କା ଓ ଭାରତରେ ମିଳିଥାଏ । ଓଡ଼ିଶାର ପୁରୀଠାରେ ବ୍ୟବସାୟୀମାନେ ବିକ୍ରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି ।
ବ୍ୟବହାର
[ସମ୍ପାଦନା]ହିନ୍ଦୁମାନଙ୍କ ବିବାହାଦି ମଙ୍ଗଳ କାର୍ଯ୍ୟରେ ଓ ଦେବାଳୟରେ ଏହା ବଜାଯାଏ । ଏହା ପୂର୍ବେ ଯୁଦ୍ଧରେ ତୁରୀରୂପେ ବ୍ୟବହୃତ ହେଉଥିଲା । ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଶଙ୍ଖର ଭିନ୍ନ ଭିନ୍ନ ନାମ ଥିଲା ଯଥା କୃଷ୍ଣଙ୍କ ଶଙ୍ଖର ନାମ ପାଞ୍ଚଜନ୍ୟ, ଅର୍ଜ୍ଜୁନଙ୍କର ଦେବଦତ୍ତ, ଭୀମଙ୍କର ପୌଣ୍ଡ, ଯୁଧିଷ୍ଠିରଙ୍କର ଅନନ୍ତବିଜୟ, ନକୁଳଙ୍କର ସୁଘୋଷ ଓ ସହଦେବଙ୍କର ମଣିପୁଷ୍ପକ ।
ଶଙ୍ଖୁଆ
[ସମ୍ପାଦନା]ଓଡ଼ିଶାରେ ଅତୀତରେ ପ୍ରତି ଗାଁରେ ଜଣେ ଶଙ୍ଖୁଆ ଥିଲେ । ସେମାନେ ବିବାହ, ବ୍ରତ, ଘର ପ୍ରତିଷ୍ଠା, ଅଷ୍ଟପ୍ରହରି, ଦୋଳ ଉତ୍ସବ ଓ ଅନ୍ୟ ମାଙ୍ଗଳିକ କର୍ମରେ ଶଙ୍ଖ ବଜାଇଥାନ୍ତି । ଏବେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଉଛି ।
ଶ୍ରୀକ୍ଷେତ୍ର ଓ ଶଙ୍ଖ
[ସମ୍ପାଦନା]ଶ୍ରୀକ୍ଷେତ୍ରରେ ସକାଳୁ ଶହ ଶହ ଶଙ୍ଖ ବିଭିନ୍ନ ମନ୍ଦିର, ମଠ, ଗୃହରେ ବଜାଯାଏ । ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀଙ୍କ ଅବସ୍ଥାନର ଭୂଗୋଳ ଏକ ଶଙ୍ଖ ପରି । ଶଙ୍ଖନାଭି ମଣ୍ଡଳରେ ଶ୍ରୀମନ୍ଦିର ଅବସ୍ଥିତ ତେଣୁ ଶ୍ରୀକ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ ।ଏଠାରେ ଶଙ୍ଖର ମହତ୍ତ୍ୱ ଅଧିକ । ପୁରୀ ଆଖପାଖରେ ଥିବା ଷୋହଳ ଶାସନ ଓ ଛତିଶ କରବାଡ଼ରେ ଥିବା ବ୍ରାହ୍ମଣ ଶାସନରେ ପ୍ରତି ଘରେ ଶଙ୍ଖ ଦେଖିବାକୁ ମିଳୁଥିଲା ଏବେ ମଧ୍ୟ ଅଛି । ଜଗନ୍ନାଥ ଶଙ୍ଖ ଅତି ପ୍ରିୟ ଥିବାରୁ ତାହାକୁ ସେ ହାତରେ ଧରିଥାନ୍ତି । ଶଙ୍ଖକ୍ଷେତ୍ରରେ ଶଙ୍ଖର ମାହାତ୍ମ୍ୟ ଅନନ୍ୟ । ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଥିବା ଶଙ୍ଖ ବ୍ୟବସାୟୀମାନେ ଏବଂ କେତେକ ସ୍ୱୟଂ ସହାୟକ ଦଳ ଶଙ୍ଖମାଳି, ଶଙ୍ଖ ଝାଲେରି, ଶଙ୍ଖ ଚାବି ରିଙ୍ଗ ନିର୍ମାଣ କରୁଥିବାବେଳେ ଏହି ବେପାର ଏବେ ଦୁର୍ଦ୍ଦିନ ପରିସ୍ଥିତିର ସମ୍ମୁଖିନ ହେଉଛି ।[୧]
ଆଧାର
[ସମ୍ପାଦନା]- ↑ "ଶଙ୍ଖକ୍ଷେତ୍ରେ ସଙ୍କଟରେ ଶଙ୍ଖ ବ୍ୟବସାୟୀ : ବିପଣି ବନ୍ଦ ଆଶଙ୍କା". ରାଉଲକେଲା ସିଟି - ଇସ୍ପାତନଗରୀ ହାଲଚାଲ. Retrieved 2 October 2015.