ସ୍ୱର୍ଗଦ୍ୱାର

ଉଇକିପିଡ଼ିଆ ରୁ
Jump to navigation Jump to search
ସ୍ୱର୍ଗଦ୍ୱାର

ସ୍ୱର୍ଗଦ୍ୱାର, ପୁରୀ ସ‌ହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।[୧]

ସ୍ୱର୍ଗଦ୍ୱାର

ଏଠାରେ ଶ୍ମଶାନ‌କାଳୀ ମନ୍ଦିର ଅବସ୍ଥିତ । ଦେବୀ କାଳୀ ସ୍ୱର୍ଗଦ୍ୱାରର ଜଗୁଆଳୀ ଏବଂ ସ୍ୱର୍ଗ ଗମନ କରୁଥିବା ଅତ୍ମାମାନଙ୍କର ପ୍ରତୀକ ସ୍ୱରୂପ । ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥ ନିଜର ଶ୍ୱଶୁର ଘର ସମୁଦ୍ରକୁ ବୁଲିବାକୁ ଯିବାବେଳେ ଏହି ଶବଦାହ ଭୂମିଦେଇ ଯାଇଥାନ୍ତି । ଏଠାରେ ଓଡ଼ିଶାର ଭୁତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧୀ ରହିଛି ।

ବିଜୁ ପଟ୍ଟନାୟକ ସମାଧୀ

ଲୋକ‌କଥା[ସମ୍ପାଦନା]

ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ମର୍ତ୍ତ୍ୟ ବୈକୁଣ୍ଠ ଭାବରେ ଗଣନା କରାଯାଏ, ଯେଉଁଠି ଭଗବାନ ବିଷ୍ଣୁ ବଡ଼ ଦେଉଳରେ ଜଗନ୍ନାଥ ଭାବରେ ବାସ କରନ୍ତି । ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ । ମହୋଦ‌ଧି ବ୍ୟତୀତ ସ୍ୱର୍ଗଦ୍ୱାରରେ ମଧ୍ୟ ସିଧା ମୁକ୍ତି ପ୍ରାପ୍ତି ହୋଇଥାଏ । ଶ୍ରୀ ଚୈତନ୍ୟଦେବ ମଧ୍ୟ ଏହିଠାରେ ପ୍ରଥମେ ସ୍ନାନ କରି ଦିବ୍ୟଶକ୍ତିର ଲାଭ କରିଥିଲେ । ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମଦାରୁ[୨]ସମୁଦ୍ରରେ ଭାସିଆସି ସ୍ୱର୍ଗଦ୍ୱାର ନିକଟରେ ଲାଗିଥିଲା ଯେଉଁଥିରୁ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କର ଉତ୍ପତ୍ତି ହୋଇଛି ।

ଜମି ବିବାଦ[ସମ୍ପାଦନା]

୧୯୨୮ ମସିହା ସାବକ ରେକର୍ଡ ଅନୁଯାୟୀ ୧୬ଏକର ୪୦୦ଡେସିମିଲ ଜମିରେ ଶବସତ୍କାର ହେଉଥିଲା । ତାହା ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶଙ୍କର ମଧୁସୂଦନ ତୀର୍ଥ ସ୍ୱାମୀ, ଗୁରୁ ଦାମୋଦର ତୀର୍ଥ ସ୍ୱାମୀ ଭାବେ ରେକର୍ଡ ହୋଇଥିଲା । ଜମିର କିସମଥିଲା ଅମୃତମଣୋହି । ୧୯୮୫ ମସିହାରେ ସ୍ୱର୍ଗଦ୍ୱାର ଶ୍ମଶାନର ରକ୍ଷଣାବେକ୍ଷଣ ଦାୟିତ୍ୱ ପୁରୀ ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁରୋଧ କ୍ରମେ ତହସିଲଦାର ବାଲିସାହି ମୌଜାର ସାବକ ଖାତା ୩୩ ଏବଂ ପ୍ଲଟ ୮୫୩ରେ ଥିବା ୯୦୦ଡେସିମିଲ ଜମି ପ୍ରଥମେ ସ୍ୱର୍ଗଦ୍ୱାର ଶ୍ମଶାନ ପାଇଁ ହସ୍ତାନ୍ତର କରିଥିଲେ । ଏହାପରେ ଶବସତ୍କାର ପାଇଁ ଜମି ଅଭାବ ହେବାରୁ ଜିଲା ପ୍ରଶାସନ ୧୯୮୮ ମସିହାରେ ସାବକ ପ୍ଲଟ ୮୩୫ରେ ଥିବା ଆଉ ୧୦୦ଡେସିମିଲ ଜମି ଅଧିଗ୍ରହଣ କରିଥିଲା । ଏହିସବୁ ଜମି କେବଳ ଶ୍ମଶାନ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଜିଲା ପ୍ରଶାସନ ଚିଠିରେ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଥିଲେ । ତେବେ ତାହାକୁ ଖୋଲାଖୋଲି ଭାବେ ଉଲଂଘନ କରି ପୁରୀ ପୌର କର୍ତ୍ତୃପକ୍ଷ ୧୯୯୨ରୁ ୨୦୦୭ ମଧ୍ୟରେ ୯ଜଣ ବ୍ୟକ୍ତିଙ୍କୁ ଦୋକାନଗୃହ ନିର୍ମାଣ ପାଇଁ ଜମି ଆବଣ୍ଟନ କରିଛନ୍ତି ।[୩] ୧୯୮୯-୯୦ ବବନ୍ଦୋବସ୍ତରେ ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ ପ୍ରାୟ ୧୫ଏକର ଶ୍ମଶାନ ଭାବେ ବ୍ୟବହୃତ ହେଉଥିବା ଜମି ବିଭିନ୍ନ ଲୋକଙ୍କ ନାମରେ ସ୍ଥିତିବାନ ସ୍ୱତ୍ତ୍ୱସହ ରେକର୍ଡ କରିଦିଆଯାଇଛି ।[୪] ସେଥିରେ ଅଧିକାଂଶ ଜାଲ୍‍ ଲିଜ୍‍ ଓ ବିକ୍ରି କବଲା ରହିଛି ।

ଆଧାର[ସମ୍ପାଦନା]

  1. "Modern cremation facility inaugurated at Swargadwar in Odisha's Puri town - OdishaSunTimes.com". OdishaSunTimes.com. Retrieved 17 February 2016.
  2. ଜଗନ୍ନାଥ ନିଜର ଦାରୁ ସ୍ୱରୁପ ଗ୍ରହଣ କରିବା ପାଇଁ ପ୍ରଥମ କରି ଆସିଥିବା ଦାରୁ ଯାହାକି ବିଶ୍ୱକର୍ମାଙ୍କଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଇଥିଲା
  3. "Move to Reclaim Swargadwar Land". The New Indian Express. Retrieved 17 February 2016.
  4. "New twist to Puri crematorium row". Retrieved 17 February 2016.