ସାମବେଦ

ଉଇକିପିଡ଼ିଆ‌ରୁ

ସାମବେଦ ହେଉଛି ବୈଦିକ ବାଙମୟର ତୃତୀୟ ଭାଗ(ସାମ:ସ୍ତୁତି ବା ଛାନ୍ଦ,ବେଦ:ଜ୍ଞାନ) ।

ଏହାକୁ ଛନ୍ଦୋବଦ୍ଧ ଭାବେ ଗାନ କରାଯାଉଥିବାରୁ ଏହାକୁ ଛନ୍ଦୋଗ ମଧ୍ୟ କୁହାଯାଏ । ସର୍ବପୁରାତନ ସାମବେଦ ସଂହିତା ୧୭୦୦ ଖ୍ରୀଷ୍ଟପୂର୍ବର ବୋଲି ଅନୁମାନ କରାଯାଏ । ଏହାର ପୁର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ ନାମକ ଦୁଇଟି ଭାଗ ରହିଛି ।

ଏହି ଦୁଇ ଭାଗ ମଧ୍ୟରେ ୧୦ଟି ମନ୍ତ୍ର ବିଶିଷ୍ଟ ଏକ କ୍ଷୁଦ୍ର ଅଧ୍ୟାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।

ଏଥିମଧ୍ୟରୁ ସାମବେଦର ନିଜସ୍ୱ ମନ୍ତ୍ର ସଂଖ୍ୟା ୭୫, ଅନ୍ୟ ସମସ୍ତ ଋଗ୍‌ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି ।

ପୂର୍ବାର୍ଚ୍ଚିକ[ସମ୍ପାଦନା]

ପୂର୍ବାର୍ଚ୍ଚିକ ଚାରୋଟି ପର୍ବ ବା କାଣ୍ଡରେ ବିଭକ୍ତ ଯଥା: ଆଗ୍ନେୟ କାଣ୍ଡ, ଐନ୍ଦ୍ରକାଣ୍ଡ, ପାବମାନ କାଣ୍ଡ ଓ ଆରଣ୍ୟକ କାଣ୍ଡ । କାଣ୍ଡ ଗୁଡ଼ିକ କେତୋଟି ପ୍ରପାଠକରେରେ ବିଭକ୍ତ । ପ୍ରତ୍ୟେକ ପ୍ରପାଠକର ଦୁଇଟି ଅର୍ଦ୍ଧପ୍ରପାଠକ ଓ ପ୍ରତ୍ୟେକ ଅର୍ଦ୍ଧ ପ୍ରପାଠକରେ ପାଞ୍ଚଟି ଲେଖାଏଁ ଦଶତି ଥାଏ । ଗୋଟିଏ ଦଶତିରେ ୧୦ଟି ମନ୍ତ୍ର ରହିବା ସ୍ୱାଭାବିକ ହେଲେ ମଧ୍ୟ କେତେକ ଦଶତିରେ କମ ବା ଅଧିକ ମନ୍ତ୍ର ରହିଛି । ପୂର୍ବାର୍ଚ୍ଚିକର ମନ୍ତ୍ର ସଂଖ୍ୟା ୬୪୦ ।

ଉତ୍ତରାର୍ଚ୍ଚିକ[ସମ୍ପାଦନା]

ଉତ୍ତରାର୍ଚ୍ଚିକରେ ୨୧ଟି ଅଧ୍ୟାୟ ୯ଟି ପ୍ରପାଠକରେ ବିଭକ୍ତ ହୋଇ ରହିଛି । ଏଥିରେ ଦଶତି ବଦଳରେ ସୂକ୍ତିର ଗଣନା କରାଯାଏ । ଉତ୍ତରାର୍ଚ୍ଚିକର ସୂକ୍ତ ସଂଖ୍ୟା ୪୦ ଓ ମନ୍ତ୍ର ସଂଖ୍ୟା ୧୨୨୫ ।[୧]

ଶାଖା[ସମ୍ପାଦନା]

ଏହାର ଶାଖାଗୁଡ଼ିକ ଅନୁଧ୍ୟାନ କଲେ ଜଣାଯାଏ ଚାରଣବ୍ୟୁହ ଏହାର ୧୦୦୦ ଶାଖା ଥିବାର କହିଛନ୍ତି । କିନ୍ତୁ ବର୍ତ୍ତମାନ କେବଳ ୩ଟି ଶାଖା ହିଁ ବଞ୍ଚିରହିଛି । ଯଥା-

  • କୌଥୁମୀ ଶାଖା: ଉତ୍ତର ଭାରତ, ଗୁଜରାଟ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର, ଉତ୍ତର ତାମିଲନାଡୁ ଆଦି ସ୍ଥାନ ମାନଙ୍କରେ କୌଥୁମୀ ଶାଖାର ପ୍ରଚଳନ ଅଛି ।
  • ରାଣାୟଣୀୟ ଶାଖା:ମହାରାଷ୍ଟ୍ର,କର୍ଣ୍ଣାଟକ ।
  • ଜୈମିନୀୟ(ତଲବକାର) ଶାଖା: ଦକ୍ଷିଣ ତାମିଲନାଡୁ, କେରଳ ।

ସାମବେଦର ଉପନିଷଦ ହେଉଛି-କେନ ଉପନିଷଦ(ଜୈମିନୀୟ ଶାଖା) ଓ ଛାନ୍ଦୋଗ୍ୟ ଉପନିଷଦ । ଏହାର ବ୍ରାହ୍ମଣଗ୍ରନ୍ଥମାନେ ହେଲେ-ତାଣ୍ଡ୍ୟ ମହାବ୍ରାହ୍ମଣ,ବଂଶ ବ୍ରାହ୍ମଣ,ଜୈମିନୀୟ ତଲବକାର ବ୍ରାହ୍ମଣ । ଏହାର କଳ୍ପସୂତ୍ରଗୁଡ଼ିକ ହେଲା-ଦ୍ରାହ୍ୟାୟଣ(କୌଥୁମୀ), ଲାଟ୍ୟାୟନ, ଜୈମିନୀୟ, ମଷକ । କୌଥୁମ ଶାଖାରେ ଦୁଇଟି ଗୃହ୍ୟସୂତ୍ର ଅବଲମ୍ବନ କରାଯାଏ-ଗୋଭିଲ୍ୟ(ଉତ୍ତର ଭାରତ), ଖାଦିର(ଆନ୍ଧ୍ର, ତାମିଲନାଡୁ) । [୨]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ସ୍ରୋତ[ସମ୍ପାଦନା]