ପାତାଳି

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ମନ୍ଦିର,ପୁରୀ

ପାତାଳି[ସମ୍ପାଦନା]

ଭକ୍ତି,ଭାବ,ଆବେଗ ଓ ସମର୍ପଣ ଉପରେ ରହିଥାଏ ମହାପ୍ରଭୁଙ୍କ ଉପାସନା । ଏହି ଉପାସନାରେ ବହୁ ରହସ୍ୟମୟ କଥା ରହିଛି । ପ୍ରତିଟି ପରମ୍ପରାରେ ରହିଛି କିଛିନାକିଛି ଭିନ୍ନତା । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ତାଙ୍କ ପରିବାର ଅଛି ।ଏହି ପରିବାରରେ ପଟି ଓ ଦଇତା ସେବକମାନେ ନିଜକୁ ତାଙ୍କ ବଂଶଧର ବୋଲି କୁହାନ୍ତି ।ସେଥିପାଇଁ ମହାପ୍ରଭୁଙ୍କ ନବକଳେବରରେ ହୁଏ ପାରିବାରିକ ଲୀଳା । ମହାପ୍ରଭୁ ହେଉଛନ୍ତି ପରିବାରର ମୁଖିଆ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବ୍ରହ୍ମ କାଢାଯିବା ପରେ ସେ ହୁଅନ୍ତି ନିର୍ଜୀବ । ତାପରେ ଆରମ୍ଭ ହୁଏ ବିଦାୟୀ ଲୀଳା । ଜ୍ୟେଷ୍ଠକୃଷ୍ଣ ଚତୁର୍ଦ୍ଦଶୀ ରାତିର ଚତୁର୍ଥ ପ୍ରହରରେ ଏହି ଗୁପ୍ତ ନୀତି ସରିବା ପରେ ବିଦାୟୀ ବିଗ୍ରହଙ୍କୁ ପରିବାରର ମୁଖ୍ୟଙ୍କ ଦେହାବସାନ ଭଳି ପତି ଓ ଦଇତା ସେବକମାନେ କାନ୍ଧରେ କୋଇଲି ବୈକୁଣୁକୁ ନେଇଥାନ୍ତି , ଏଠାରେ ଶିଆଳି ଲତା ତଳେ 'କୋଠସୂଆଁ ସେବକଙ୍କ'ଦ୍ୱାରା ପୂର୍ବରୁ ଖୋଳାଯାଇଥିବା ୬ ହାତ ଗଭୀର,୯ ହାତ ବ୍ୟାସ ପରିମିତ ଗର୍ତ୍ତରେ କର୍ପୁର,ଚନ୍ଦନ ଓ ପାଟବସ୍ତ୍ର ସହ ଶ୍ରୀବିଗ୍ରହଙ୍କୁ ପାତାଳି କରିଥାନ୍ତି । ଏହା ପରେ ନିଜ ହାତରେ ମାଟି ଢାଙ୍କି ଦିଅନ୍ତି । ତ।ଳଧ୍ୱଜ ରଥର ସାରଥୀ ମାତଳୀ, ନନ୍ଦିଘୋଷ ରଥର ସାରଥୀ ଦ।ରୁକ ଓ ଦେବୀଦଳନ ରଥର ସାରଥୀ ଅର୍ଜୁନଙ୍କୁ ମଧ୍ୟ ପାତାଳି କରାଯାଏ । ୨୭ପାର୍ଶ୍ୱ ଦେବଦେବୀ,୧୨ଘୋଡ଼ା, ୬ଶୁଆ ମଧ୍ୟ ପାତାଳି ହୁଅନ୍ତି। ଭୋଇ ସେବକମାନେ ଦୋଳବେଦୀ କୋଣରେ ରଖାଯାଇଥିବା ବିଗ୍ରହମାନଙ୍କୁ ବାହାର କରନ୍ତି । ସେବକମାନେ ବାହୁଙ୍ଗି ସାହାଯ୍ୟରେ କୋଇଲି ବୈକୁଣ୍ଠକୁ ବୋହି ନିଅନ୍ତି । ସେହିଠାରୁ ଫେରିବାପରେ ମହାପ୍ରଭୁଙ୍କ ପରିବାର ସଦସ୍ୟ ବୋଲି ପରିଚିତ ଦଇତା,ପତି,ମହାପାତ୍ର ,ଶୁଦ୍ଧସୁଆର, ଦତମହାପାତ୍ର,ଦେଉଳକରଣ ଓ ତଢଉକରଣମାନେ ପାଳନ୍ତି ଶୁଦ୍ଧିକ୍ରିୟା । ୧୦ ଦିନ ପର୍ଯ୍ୟନ୍ତ ସମସ୍ତେ ପାଳନ୍ତି ଛୁଆଁଛୁତି । ଘରେ ଅଶୌଚ ପାଳନ ହୁଏ । ତେଲ, ଲୁଣ ହୁଏ ବାରଣ । ୧୦ ଦିନ ସମସ୍ତେ ହୁଅନ୍ତି ଶୁଦ୍ଧି । ମାର୍କଣ୍ଡେୟ କୂଳରେ ଆବାଳବୃଦ୍ଧ ବନିତା ସମସ୍ତେ ଶୁଦ୍ଧି ହବାକୁ ପହଞ୍ଚନ୍ତି । ପୁରୁଷମାନେ ଲଣ୍ଡା ହୁଅନ୍ତି ଓ ମହିଳାମାନେ ତେଲ ହଳଦୀ ଲଗାଇ ଗାଧୋଇଥାନ୍ତି । ଶୁଦ୍ଧି ହୋଇ ଫେରିବାପରେ ଜ୍ଞାତିକୁଟୁମ୍ବ ଓ ପରିଜନଙ୍କୁ ମହାପ୍ରସାଦ ଦେଇଥାନ୍ତି ।

ବଦଳିଯା'ନ୍ତି ପାର୍ଶ୍ୱଦେବାଦେବୀ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସଜବାଜ[ସମ୍ପାଦନା]

ଏହି ଲୀଳାରେ କେବଳ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ପରେ ପୁରୁଣା ବିଗ୍ରହ ପାତାଳି ହୁଅନ୍ତି ତାହା ନୁହେଁ, ତାଙ୍କ ସହିତ ତାଙ୍କ ପ୍ରତିନିଧ ଭାବେ କାର୍ଯ୍ୟ କରୁଥବା ଦେବତା ଓ ପାର୍ଷଦମାନେ ମଧ୍ୟ ପାତାଳି ଲୀଳାରେ ସାମିଲ ହୁଅନ୍ତି । ମହାପ୍ରଭୁଙ୍କ ଯେମତି ନୂତନ ବିଗ୍ରହ ନିର୍ମାଣ ହୋଇ ବୈଦିକ ବିଧାରେ 'ନ୍ୟାସ 'ହୁଅନ୍ତି, ସେହିପରି ତାଙ୍କ ପାର୍ଷଦମାନଙ୍କର ବିଗ୍ରହ ନିର୍ମାଣ ହୋଇ ଶାସ୍ତ୍ରୀୟ ବିଧାନରେ ପ୍ରତିଷ୍ଠା ହୁଅନ୍ତି । ପାର୍ଷଦ କହିଲେ 'ସ୍ୱଜନ' ବୋଲି ବୁଝାଯାଏ । ସ୍ୱଜନ ବରିବୃତ ହୋଇ ରହିଛନ୍ତି ବୋଲି ମହର୍ଷ ବ୍ୟାସଦେବ ମହାପୁରୁଷ ବିଦ୍ୟା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଯେଉଁମାନେ ସମମାନସିକତାର ତଥା ମହାପ୍ରଭୁଙ୍କର ଆଭିମୁଖ୍ୟକୁ ପାଖେ ପାଖେ ରହି ପରିପୂର୍ଣ୍ଣ କରାଇବାରେ ସମ୍ପୂର୍ଣ୍ଣ ସହାୟତା କରାଇଥାନ୍ତି ସେମାନେ ହେଉଛନ୍ତି ପାର୍ଷଦ । ମହାପ୍ରଭୁଙ୍କ ଲୀଳାରେ ପାର୍ଷଦମାନଙ୍କର ଭୂମିକା ରହିଥାଏ । ସେହିଭଳି ମହାପ୍ରଭୁଙ୍କର ୧୧ଜଣ ପ୍ରତିନିଧ ଦେବତା ରହିଛନ୍ତ । ତାଙ୍କ ମଧରେ ଅନ୍ୟତମ ପ୍ରତିନିଧା ହେଉଛନ୍ତ ଶ୍ରୀମାଧବ । ସେ ରତ୍ନସିଂହାସନ ଉପରେ ବିଜେ କରିଛନ୍ତି । ନବକଳେବର ଅବସରରେ ଶ୍ରୀମାଧବ ନୂତନ କଳେବର ଧାରଣା କରନ୍ତି । ତାଙ୍କର ପୁରୁଣା ବିଗ୍ରହ ମହାପ୍ରଭୁଙ୍କ ସହିତ ପାତାଳି ଲୀଳା କାରିଥାନ୍ତି । ନବକଳେବର ଲାଳାରେ ତିନୋଟି ଯାକ ରଥର ସାରଥି (ମାତଳୀ, ଅର୍ଜୁନ, ଶ୍ରୀମାନ ଦାରୁକ) ଓ ୧୨ଟି ଯାକ ଘୋଡଡ଼ା କୋଇଲି ବୈକୁଣ୍ଠରେ ପାତାଳି ହୋଇଥାନ୍ତି । ନୂତନ ଭାବେ ନିର୍ମାଣ ହୋଇଥାନ୍ତି ସାରଥି ଓ ଘୋଡ଼ା । ନନ୍ଦିଘୋଷ ରଥର ପାର୍ଶ୍ୱ ଦେବତା ଗିରିଗୋବର୍ଦ୍ଧନ, ହରିହର, ପଣ୍ଡୁନୃସିଂହ, ଛତ୍ରଭଙ୍ଗ ରାବଣ, ଚିନ୍ତାମଣି କୃଷ୍ଣ, ଶ୍ରୀନାରାୟଣ, ଶ୍ରୀମଧୁସୂଦନ, ଶ୍ରୀଲକ୍ଷ୍ମଣ ଓ ଶ୍ରୀପଞ୍ଚମୁଖୀ ମହାବୀର ମହାପ୍ରଭୁଙ୍କ ସହିତ ପାତାଳି ହୋଇଥାନ୍ତି ଓ ନୂତନଭାବେ ପ୍ରସ୍ତୁତ ହୋଇ ଦେଉଳ ପୁରୋହିତଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ, ନନ୍ଦିଘୋଷ ରଥର ଧ୍ୱଜମୂର୍ତି ଶ୍ରୀହନୁମାନ, ଆୟୁଧ ମୃତ ଶଙ୍ଖ, ଚକ୍ର, ଜୀବ ଓ ପରମ ନାମକ ଦୁଇଟି ଓଲଟ ଶୁଆ ଓ ରଥର ଅଁଳା ମହାପ୍ରଭୁଙ୍କ ସହିତ ପାତାଳି ହୋଇଥାନ୍ତି ଓ ନୂତନ ଭାବେ ନିମ୍ବ କାଠରେ ପ୍ରସ୍ତୁତ ହୋଇଥାନ୍ତି । ରଥର ଦ୍ୱାରପାଳ ଜୟ ଓ ବିଜୟଙ୍କ ପୁରୁଣା ବିଗ୍ରହ ପାତାଳି ହୋଇଥାନ୍ତି ଓ ତାହା ନୂତନ ଭାବେ ଗଢାଯାଇଥାନ୍ତି । ଏହିପରି ନନ୍ଦିଘୋଷ ରଥର ସମୁଦାୟ ୨୨ ପାର୍ଷଦ ନବକଳେବରରେ ପାତାଳି ଲୀଳା କରିଥାନ୍ତି । ତାଳଧ୍ୱଜ ରଥର ପାର୍ଶ୍ୱ ଦେବତା ଶ୍ରୀପଳମାରୀ ମହାଦେବ, ବାଇଶିଭୁଜ ଶ୍ରୀନୃସିଂହ, ଶ୍ରୀବଳରାମ, ଶ୍ରୀନଟବର ଗଣେଶ, ଶ୍ରୀଅଙ୍ଗଦ, ଶ୍ରୀନାଟାନର, ଶ୍ରୀଷଡାନନ କାର୍ଭକ, ମଧୁକୈଟଭ, ଶ୍ରୀଅନନ୍ତ ବାସୁଦେବ ଶ୍ରୀବଳଦେବଙ୍କ ସହିତ ପାତାଳି ଲୀଳା କରନ୍ତି । ଏହି ରଥର ଦୁଇ ଓଲଟ ଶୁଆ, ଶ୍ରଦ୍ଧା, ଓ ବିଶ୍ୱାସ, ରଥର ଅଁଳା, ଦ୍ୱାର ପାଳ ଜୟ ବିଜୟ ପାତାଳି ହୋଇଥାନ୍ତି । ରଥର ଧ୍ୱଜମୂର୍ତ୍ତି ଲକ୍ଷ୍ମୀ ନୃସିଂହ, ଆୟୁଧ ମୂର୍ତ୍ତି ହଳ ଓ ମୂଷଳ ନୂତନ ଭାବେ ଶ୍ରୀବଳଭଦ୍ରଙ୍କ ବନଯାଗ ଦାରୁରେ ନୂତନ ଭାବେ ନିର୍ମାଣ କରାଯାଇ ପୁରୁଣାଙ୍କ ଶ୍ରୀବିଗ୍ରହଙ୍କ ସହିତ ପାତାଳି କରାଯାଇଥାଏ । ତାଳଧ୍ୱଜ ରଥର ୨୨ ପାର୍ଷଦ ପାତାଳି ହୋଇଥାନ୍ତି । ସୁଭଦ୍ରାଙ୍କ ରଥ ଦର୍ପଦଳନ ପଦ୍ମଧ୍ୱଜ ରଥର ପାର୍ଶ୍ୱଦେବୀମାନେ, ବିମଳା, ମଙ୍ଗଳା, ବରାହୀ, ଭଦ୍ରକାଳୀ, ଉମା, କାତ୍ୟାୟନୀ, ହରଚଣ୍ଡି, ରାମଚଣ୍ଡି ବା କାଳୀ, ଅଘୋରା ବା ଚାମୁଣ୍ଡା ଦେବୀ ସୁଭଦ୍ରାଙ୍କ ସହିତ ପାତାଳି ହୋଇଥାନ୍ତି । ତାଙ୍କ ସହିତ ନିମ୍ବ ଦାରୁରେ ପ୍ରସ୍ତୁତ ରଥର ସାରଥି, ଘୋଡ଼ା, ଶ୍ରୁତି ଓ ସତୀ ନାମକ ଦୁଇଗୋଟି ଓଲଟ ଶୁଆ, ଅଁଳା ଏବଂ ଧ୍ୱଜ(ଭୁବନେଶ୍ୱରୀ) ଓ ଆୟୁଧ ମୂର୍ତ୍ତୀ ପଦ୍ମ ଫୁଲ(ବନଯାଗ ଦାରୁରେ ପ୍ରସ୍ତୁତ) ପାତାଳି ଲୀଳା କରିଥାନ୍ତି । ଦୁଇ ଦ୍ୱାରପାଳ ଛାୟା ଓ ମାୟା ମଧ୍ୟ ପାତାଳି ହୋଇଥାନ୍ତି । ଏହା ନୂତନଭାବେ ପ୍ରସ୍ତୁତ କରାଯାଇଥାଏ । ଦର୍ପଦଳନ ରଥର ସମୁଦାୟ ୨୧ ପାର୍ଷଦ ପାତାଳି ଲୀଳାରେ ସାମିଲ ହୋଇଥାନ୍ତି । ନବକଳେବର ଅବସରରେର କେବଳ ମହାପ୍ରଭୁଙ୍କ ପ୍ରତିନିଧ ଦେବତା, ପାର୍ଷଦ, ଓ ଆୟୁଧ ପାତାଳି ଲୀଳା କରନ୍ତି ତାହା ନୁହେଁ ତାଙ୍କ ସହିତ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପରିବର୍ତ୍ତନ ହୋଇଯାଏ । ଏହି ସାମଗ୍ରୀ ମଧ୍ୟରେ ରତ୍ନପଲଙ୍କ (ଯେଉଁଥରେ ଶୟନଲୀଳା କରନ୍ତି) ଶଯ୍ୟା, ଗଦି, ମାଣ୍ଡି, ଥାଳି, ଘଣ୍ଟ, ଘଣ୍ଟାଗଡ଼ୁ ମଧ୍ୟ ବଦଳିଯାଏ । ଏଗୁଡିକ ଦଇତା ସେବକମାନେ ପରମ୍ପରା ଅନୁଯାୟୀ ପ୍ରାପ୍ୟ ଭାବେ ନେଇଥାନ୍ତି । ସୂଚନାଯୋଗ୍ୟ ଯେ, ଏହି ଅବସରରେ ଦକ୍ଷିଣଦ୍ୱାର ଗୁମୁଟରେ ଥବା ଭୀମସେନ ଓ ଦୁଃଶାସନ ମଧ୍ୟ ବଦଳିଯାନ୍ତି । ଏହି ମୂର୍ତ୍ତୀ କାଠ ଓ କାଗଜରେ ନିର୍ମିତ ହୋଇ ମହାପ୍ରଭୁଙ୍କ ଝୁଲଣ ଲୀଳାରେ ଭାଗ ନେଇଥାନ୍ତି । ପ୍ରକାଶଯୋଗ୍ୟ, ନବକଳେବରରେ ଏହି ପାର୍ଷଦମାନେ ନୂତନଭାବେ ଗଢ଼ା ହେବା ପଛରେ ଶାସ୍ତ୍ରୀୟ ରହସ୍ୟ ରହିଛି । ମହାପ୍ରଭୁ ଦାରୁ ରୂପ ଧରିବାର ଆଭିମୁଖ୍ୟକୁ ଏମାନେ ସଫଳ କରାଇଥାନ୍ତି । ତେଣୁ ସେମାନଙ୍କୁ ପାର୍ଷଦ କୁହାଯାଏ । [୧]

ଶୁଦ୍ଧିକ୍ରିୟା[ସମ୍ପାଦନା]

ମହାପ୍ରଭୁଙ୍କର ଘଟାନ୍ତର ପରେ ପାଳନ ହେଉଅଛି ଶୁଦ୍ଧି ସଂସ୍କାର । ଏ ସମ୍ବନ୍ଧରେ ଶାସ୍ତ୍ରରେ ବିଶେଷ କିଛି ବର୍ଣ୍ଣନା ନ ଥଲେ ମଧ୍ୟ ପରମ୍ପରା କ୍ରମରେ ଶ୍ରୀମନ୍ଦିରର ପାଞ୍ଚ ପ୍ରକାର ସେବକ ଏହାକୁ ପାଳନ କରୁଛନ୍ତି । ଏମାନଙ୍କ ବ୍ୟତୀତ ତେର ଜଣ କୋଠ ସୁଆଁସିଆ ମଧ୍ୟ ଅଶୌଚ ପାଳନ କରୁଛନ୍ତି । କୋଠ ସୁଆଁସିଆମାନେ ସମାଧି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଏକ ପ୍ରକାର ସ୍ୱତନ୍ତ୍ର ଅସ୍ତ୍ର ବ୍ୟବହାର କରିଥାନ୍ତି । ଏହି ସ୍କତନ୍ତ୍ର ଅସ୍ତ୍ରଟି ଦୋଳବେଦୀ ପରିସରରେ ଅସ୍ଥାୟୀ କମାରଶାଳରେ ନିର୍ମାଣ କରାଯାଇଥାଏ । ଶୁଦ୍ଧିକ୍ରିୟା ସମୟରେ ଘରମାନଙ୍କରେ ଯେପରି ଭାବରେ ସଜକ୍ରିୟା କିମ୍ବା ୪ର୍ଥ ଦିନଠାରୁ କ୍ରିୟା ଧରାଯାଏ ସେଭଳି ଦାରୁବ୍ରହ୍ମଙ୍କ ଘଟାନ୍ତର ପରେ କ୍ରିୟା ଧରାଯାଉଥବାର କୌଣସ ନଜିର ଦେଖାଯାଏ ନାହିଁ । ସେ ଦାରୁବ୍ରହ ହୋଇଥବାରୁ ତାଙ୍କର ଏହି କ୍ରିୟା ଆବଶ୍ୟକ ହୁଏନାହିଁ ବୋଲି କେତେକ ମତବ୍ୟକ୍ତ କରନ୍ତି ।

ଘଟଦୀପ[ସମ୍ପାଦନା]

ମହାପ୍ରଭୁଙ୍କ ପୁରାତନ ବିଗ୍ରହ ଗୋଲୋକ ବିଶ୍ରାମ କରିବାପରେ ମନୁଷ୍ୟର ପରଲୋକ ବେଳେ ଯେଉଁଭଳି ଘଟଦୀପ ଜଳିବା ବିଧି ରହିଛି ଠିକ ସେହିଭଳି ଘଟଦୀପ ଜଳେ । ଏହାକୁ ଲୋକବତ ଲୀଳା କୁହାଯାଇପାରେ । ସୂଚନାଯୋଗ୍ୟ ଯେ, ମନୁଷ୍ୟର ପରଲୋକ ହେଲେ ଗୃହରେ ତାଙ୍କର ଆତ୍ମୀୟମାନେ ଦଶାହ ପର୍ଯ୍ୟନ୍ତ ଅଖଣ୍ଡ ଦୀପ - ଜାଳି ଜଗି ରହିଥାନ୍ତି । ଦଶାହା ଦିନ ଏହି ଦୀପରୁ ଅଗ୍ନି ଯାଇ ଦଶାହ ତୁଠରେ ପିଣ୍ଡ ରନ୍ଧାଯାଇ ଉସର୍ଗ କରାଯାଏ । ଶାସ୍ତ୍ରୀୟ ଗରୁଡ଼ ପୁରାଣ ପ୍ରେତକଳ୍ପ ଅନୁଯାୟୀ ପଞ୍ଚଭୂତ ମାଧ୍ୟମରେ ଅଶରୀର ସତ୍ତାକୁ ଶାନ୍ତ କରିବା ପାଇଁ ଏହି କ୍ରିୟା ଅନୁସୃତ ହୋଇଥାଏ । ପରିଶେଷରେ ଏହି ଅଗ୍ନିକୁ ମଧ୍ୟ ବିଦାୟ ଦିଆଯାଏ । ମହାପ୍ରଭୁଙ୍କ ଦଶାହ ଦିନ ଏଭଳି କର୍ମ କରାଯାଏ ନାହିଁ । କିନ୍ତୁ ପାତାଳି ଲୀଳା ପରଠାରୁ ଏକ ଅଖଣ୍ଡ ଦୀପ ଶ୍ରୀମନ୍ଦିର ପରିସରସ୍ଥ ବଟମଙ୍ଗଳାଙ୍କ ନିକଟରେ ସ୍ୱତନ୍ତ୍ର ଭାବେ ଜଳେ । ଏହାକୁ ଘଟଦୀପ କୁହାଯାଏ । ମହାପ୍ରଭୁ ପୂର୍ଣ୍ଣବ୍ରହ୍ମ ହୋଇଥବାରୁ ପଞ୍ଚଭୂତର ଉପାସନା ତାଙ୍କ ନିକଟରେ ଗୁରୁତ୍ୱ ରଖେ ନାହିଁ । କିନ୍ତୁ ନବକଳେବର ଲୀଳା ଲୋକ ଶିକ୍ଷା ପାଇଁ ଲୋକବତ୍ ଲୀଳା ହୋଇଥବାରୁ ପରମ୍ପରା ଅନୁଯାୟୀ କେବଳ ଘଟ ଦୀପ ଜଳିବାର ବିଧି ଅନୁସୃତ ହେଉଛି । ବନଯାଗ କାଳରେ ମହାପ୍ରଭୁଙ୍କ ଦାରୁ ଚିହଟ ପାଇଁ କାକଟପୁରଠାରେ ମା' ମଙ୍ଗଳାଙ୍କ ଶରଣାପନ ହେବାକୁ ହୁଏ । ମଙ୍ଗଳା ଚାରୋଟି ମଙ୍ଗଳ ତତ୍ତ୍ୱର ସମାହାର ବୋଲି କୁହାଯାଏ । ସେମାନେ ହେଲେ ବଟମଙ୍ଗଳା, ବାଟମଙ୍ଗଳା, ଘାଟମଙ୍ଗଳା ଓ ସର୍ବମଙ୍ଗଳା । ମଙ୍ଗଳାଙ୍କ ଏହି ଚାରିତତ୍ତ୍ୱ ଶ୍ରୀକ୍ଷେତ୍ରରେ ତଥା ଶ୍ରୀମନ୍ଦିର ଭିତରେ ଉପାସିତ ହେଉଛନ୍ତି । ଏହି ଚାରୋଟି ଯାକ ତତ୍ତ୍ୱ ମଧ୍ୟ କାକଟପୁର ମଙ୍ଗଳାଙ୍କ ନିକଟରେ ଅନ୍ତର୍ନିହିତ ରହିଛନ୍ତି । ମହାପ୍ରଭୁଙ୍କ ଆବିର୍ଭାବ ସହିତ ମଙ୍ଗଳମୟୀ ମଙ୍ଗଳା ଜଡ଼ିତ ରହିଥବା ବେଳେ ମହାପ୍ରଭୁଙ୍କ ଘଟାନ୍ତର ପରେ ମଧ୍ୟ ସେହି ମଙ୍ଗଳମୟୀ ମଙ୍ଗଳା ଜଡ଼ିତ ରହିଛନ୍ତି । ଶୁକ୍ଳପକ୍ଷ ନବମୀ ଦିବସରେ ଶ୍ରୀମନ୍ଦିର ପରିସରରେ ଥବା ବ୍ରହ୍ମାସନ ବା ମୁକ୍ତି ମଣ୍ଡପ ସମ୍ମୁଖରେ ବସି ଦଇତାପତିମାନେ ତୈଳ ମାର୍ଜନା ହୋଇ ମାର୍କଣ୍ଡ ତୀର୍ଥ ତୁଠକୁ ଦଶାହ କର୍ମ ପାଇଁ ଗମନ କଲାପରେ ମା’ ବଟମଙ୍ଗଳାଙ୍କ ମନ୍ଦିରରୁ ଏହି ଘଟଦୀପ ଉଠିଥାଏ । ଏକ ସ୍ୱତନ୍ତ୍ର ବିଧିରେ ଏହି ଘଟ ଉଠି ଦଇତାମାନଙ୍କ ସାଙ୍ଗରେ ମାର୍କଣ୍ଡ କୂଳକୁ ଯିବାର ପରମ୍ପରା ରହିଆସଛି ।

ତୁଠ[ସମ୍ପାଦନା]

ସମସ୍ତେ ଶୁଦ୍ଧି ହୁଅନ୍ତି ହେଲେ ମାର୍କଣ୍ଡେୟ ପୁଷ୍କରିଣୀର ଭିନ୍ନଭିନ୍ନ ତୁଠରେ । ପରମ୍ପରା ଅନୁଯାୟୀ ମାର୍କଣ୍ଡେୟ ପୁଷ୍କରିଣୀରେ ହୁଏ ୬ଟି ତୁଠ ।

  • ଦକ୍ଷିଣପଟରେ ପତିମହାପାତ୍ର, ଦଇତା,ଶୁଦ୍ଧ ସୁଆର ,ଦେଉଳକରଣ , ତଢଉକରଣ
  • ପଶ୍ଚିମପଟେ ଦତମହାପାତ୍ରଙ୍କ ତୁଠ ହୋଇଥାଏ । ।[୨]

ଦଇତାରେସବକଙ୍କ ଗୃହର ମହିଳା ଓ ଶିଶୁମାନେ ଘରେ ସ୍ନାନ କରି ପ୍ରଶାସନ ଯୋଗାଇଥବା ନୂଆଲୁଗା ପିନ୍ଧି ଦଶାହ ପାଳନ କରିଥାନ୍ତି । ପରମ୍ପରା କ୍ରମରେ ଏହି ଅଶୌଚ ଲୀଳା କେତେକ ସେବକ ପାଳନ କରୁଥିଲେ ମଧ ଶାସ୍ତ୍ରୀୟ ଦୃଷ୍ଟିକୋଣରୁ ମହାପ୍ରଭୁଙ୍କ ମହା ଅଣସର ଲୀଳା ବନ୍ଦ ହୁଏନାହିଁ । ଦଇତାପତି ସେବକ ଓ ପତିମହାପାତ୍ର ସେବକ ବିଧି ଅନୁଯାୟୀ ଅଣସର ମଣ୍ଡପରେ ନୂତନ ବିଗ୍ରହଙ୍କର ଅଣସର ସେବା ଅବ୍ୟାହତ ରଖିଥାନ୍ତି । ପ୍ରକାଶଯୋଗ୍ୟ ଯେ, ଦଇତାଙ୍କ ଘରେ ମଧ୍ୟ କୌଣସି ପ୍ରକାର ଅଶୌଚ ହେଲେ ଅଣସର ସେବାରେ କୌଣସି ସେବା ବନ୍ଦ ହୁଏନାହିଁ । ସେମାନେ ସଙ୍ଗେ ସଙ୍ଗେ ଶୈଚ ହୋଇ ନିର୍ମାଲ୍ୟ ଭକ୍ଷଣ କରି ଦିବ୍ୟ ସଂକଳ୍ପରେ ପୁଣି ମହାପ୍ରଭୁଙ୍କ ସେବାରେ ଯୋଗଦାନ କରିଥାନ୍ତି । ଲୌକିକ ରୀତିରେ ଯେଉଁଭଳି ଭାବେ ଗୁପ୍ତସେବା କାଳରେ ତାଙ୍କ ଘରେ ଅଶୌଚ ନାହିଁ ସେହିଭଳି ମହାପ୍ରଭୁଙ୍କ ଘଟାନ୍ତର କାଳରେ ସେମାନଙ୍କର ଅଶୌଚ ନାହିଁ । [୩]

ପାତାଳିକୁ ଯିବା ପୂର୍ବ କାର୍ଯ୍ୟ[ସମ୍ପାଦନା]

ଅଣସର ଘରେ ଆଲୋକ ମନା : -

ମହାପ୍ରଭୁଙ୍କ ୧୫ ଦିନର ଅଣସର ହେଉ କି ୪୫ ଦିନର ମହାଅଣସର,ଜଗମୋହନଦ୍ୱାରାଠାରୁ ରତ୍ନସିଂହାସନ ପର୍ଯ୍ୟନ୍ତ ଆଲୋକ ମନା । କେବଳ ପାରମ୍ପରିକ ଦୀପ ବା ଆଖଣ୍ଡ ଆଲୋକରେ ହେବ ରୀତିନୀତି ଓ ଦର୍ଶନ । ଏହି ପରମ୍ପରା ବର୍ଷକ ୧୨ ମାସ ଚାଲିଥିଲା । ମାତ୍ର ଏବେ କେବଳ ଅଣସର ଓ ମହାଅଣସରରେ ସିମୀତ ହୋଇ ରହିଯାଇଛି ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଦର୍ଶନ ଅଖଣ୍ଡ ଦୀପରେ ହବ କଥା । ସେଥିପାଇଁ ୧୨ଟି ଅଖଣ୍ଡ ସର୍ବଦା ଗର୍ଭ ଗୃହରେ ଜଳୁଥାଏ । ଏହି ଅଖଣ୍ଡ ଦୀପକୁ ଜଳାଇବା ପାଇଁ ରହିଥାନ୍ତି 'ଅଖଣ୍ଡ' ସେବକ । ଅଖଣ୍ଡ ସେବକମାନେ ଭିତରେ ଏହାକୁ ଜଳାଇ ଗମ୍ଭୀରାକୁ ଆଲୋକିତ କରନ୍ତି । ମାତ୍ର ଏବେ ତାହା ଆଉ ନାହିଁ । ଗମ୍ଭୀରା ଭିତରେ ଉଜ୍ୱଲ ବିଜୁଳି ଆଲୋକ ଜଳିଲାଣି । ହେଲେ ଏହାକୁ ଅଣସର ବା ମହାଅଣସର ସମୟରେ ବାରଣ କରାଯାଉଛି । ଅଣସାରା ସମୟରେ ଭିତରକାଠ ନିକଟରେ ତାଟି ବନ୍ଧଯାଏ । ସେହି ତାଟି ପଛକୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ରହେ ଅଣସର ପିଣ୍ଡି । ଏହା ଆଗରେ ବସନ୍ତି ପଟିଦିଅଁ,ଶ୍ରୀଦେବୀ ,ଭୂଦେବୀ ,ରାମକୃଷ୍ଣ, ମଦନମୋହନ, ନାରାୟଣ ପ୍ରମୁଖ । ଅଣସର ସମୟରେ ଏହି ଦିଅଁମାନଙ୍କ ପାଖରେ କିମ୍ବା ପଛପଟ ଅଣସର ପିଣ୍ଡିରେ ଆଲୋକ ଜଳେ ନାହିଁ । କେବଳ ଜଳୁଥାଏ ଅଖଣ୍ଡ । ଅଣସର ପିଣ୍ଡିରେ ଅଖଣ୍ଡ ଜଳାଇ ମହାପ୍ରଭୁଙ୍କ ଗୁପ୍ତସେବା ହେଉଥିବାବେଳେ ପଟିଦିଅଁଙ୍କ ନିକଟରେ ଜଳୁଥାଏ ଅଖଣ୍ଡ । ସେହି ଅଖଣ୍ଡ ଆଲୋକରେ ଭକ୍ତ ଦର୍ଶନ କରନ୍ତି ଦିଅଁଙ୍କୁ,ଯାହା ଆଜି ମଧ୍ୟ ପ୍ରଚଳିତ ।

୨୦୧୫ ମସିହାରେ ଅଣସର ଘରକୁ ପ୍ରବେଶ[ସମ୍ପାଦନା]

ପାତାଳି ହେବେ ବିଦାୟୀ ଶ୍ରୀବିଗ୍ରହ ଦୀର୍ଘ ୧୯ବର୍ଷ ପରେ ଶ୍ରୀବିଗ୍ରହରୁ ବ୍ରହ୍ମ ଅଲଗା ହେବେ ।

  • ସକାଳ ୬ଟା ୫୦ରେ ବିଧି ମୁତାବକ ରତ୍ନ ସିଂହାସନରେ ହେଲା ମଙ୍ଗଳାରୋପଣ ।
  • ଠିକ ୭ଟାରେ ଆରମ୍ଭ ହେଲା ପ୍ରଥମେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି । ଏହା ପରେପରେ ପଛକୁ ପଛ ଆସିଲେ ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ଶେଷରେ ମଦନମୋହନ ବିଜେ କଲେ ।
  • ମହ।ପ୍ରଭୁ ବିଜେ କରିବା ବେଳକୁ ୯ଟା ୧୦ ହୋଇ ସାରିଥଲା, ଠାକୁର ବସିଲେ, ବେଶ ହେଲେ ତାହା ପରେ ଆରମ୍ଭ ହେଲା ଆଳତି । ମଙ୍ଗଳଆଳତି ହେବା ପରେ ନିତ୍ୟକର୍ମ ପାଇଁ ଆବକାଶ ହେଲା । ଅବକାଶ ପରେ ମହାପ୍ରଭୁ ବେଶ ହେଲେ ।
  • ବଡ଼ଦେଉଳରେ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହେଲା ।
  • ଏହାପରେ ଠାକୁରଙ୍କ ସ୍ନାନ ପାଇଁ ଅଧିବାସ ହୋଇ ସୁନା କୁପର ଜଳ ଆସିଲା । ଏହି ଜଳକୁ 'ଗରାବଡୁ' ସେବକମାନେ ଆଣି ସ୍ନାନମଣ୍ଡପ ନିକଟରେ ଛେକ ଛେକ କରି ରଖିଲେ ।
  • ପୂଜାପଣ୍ଡା ସେବକମାନେ ଷୋଡ଼ଶ ଉପଚାରରେ ଜଳପୂଜା ଆରମ୍ଭ କଲେ ।
  • ୪୫ମିନିଟ ପୂଜା ପରେ ଅପରାହ୍ନ ୩ଟାରେ ଅ।ରମ୍ଭ ହେଲା ସ୍ନାନ ବିଧି ।
  • ଶ୍ରୀ ବଳଭଦ୍ରଙ୍କୁ ପ୍ରଥମେ ୩୩ ଗଡୁ ଜଳ ଲାଗି କର।ଗଲ। । ଏହାପରେ ଦେବୀ ସୁଭଦ୍ରାଙ୍କୁ ୨୨ ଗଡୁଜଳ ଲାଗି କରାଗଲା । ପରେ ଶ୍ରୀଜଗନ୍ନାଥଙ୍କୁ ୩୫ ଗଡୁ ଜଳ ଲାଗିକରାଗଲା । ଶେଷରେ ସୁଦର୍ଶନକୁ ୧୮ ଗଡୁ ଜଳ ଲାଗି କରାଗଲ। ।
  • ପରମ୍ପରା ଅନୁଯାୟୀ ହାତୀବେଶ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଏହାପୂର୍ବରୁ ଗଜପତି ମହାରାଜା ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଛେରାପହିଁରା କଲେ ।ଏହା ସରିଲା ବେଳକୁ ଅପରାହ୍ନ ୫ ଟା ହୋଇ ସାରିଥିଲା ।
  • ଏହାପରେ ହାତୀବେଶ ହେଲେ ଠାକୁର । ପରେ ମହାପ୍ରଭୁଙ୍କୁ ଅନ୍ନପ୍ରସାଦ ଲାଗି ହେଲା ।
  • ସଂଧ୍ୟା ୬ଟା୧୫ରେ ହାତୀବେଶ ଶେଷ ହେଲା ।
  • ବିଳମ୍ବିତ ରାତିରେ ମହାପ୍ରଭୁଙ୍କର ହାତୀବେଶଲାଗି ହେଲା । ଏହାପରେ ମହାପ୍ରଭୁଙ୍କର ଆରମ୍ଭ ହେଲା ଅଣସର ପହଣ୍ଡି । [୪]
  • ଏହି ପହଣ୍ଡିରେ ମହାପ୍ରଭୁଙ୍କର ପାତାଳି ଯାତ୍ରା ଆରମ୍ଭ ହେଲା ।

ଆଧାର[ସମ୍ପାଦନା]

  1. ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବରରେ ବଦଳିଯାଏ ମହାପ୍ରଭୁଙ୍କ ରତ୍ନପଲଙ୍କ -ପାତାଳି ଲୀଳାରେ ସାମିଲ ହୁଅନ୍ତି ସମସ୍ତ ପାର୍ଷଦ". ଧରିତ୍ରୀ. Retrieved 21 September 2015.
  2. "ବିଦାୟ ବେଳ". ପ୍ରମେୟ. ୧୩ ଜୁନ୍ ୨୦୧୫. Archived from the original on 2016-03-05. Retrieved ୫ ଜୁଲାଇ ୨୦୧୫. {{cite news}}: Check date values in: |accessdate= and |date= (help)
  3. ମିଶ୍ର, ସୁରେନ୍ଦ୍ର କୁମାର (୨୨ ଜୁନ ୨୦୧୫). "ଘଟାନ୍ତର ପରେ ମା' ବଟମଙ୍ଗଳାଙ୍କ ନିକଟରେ ଘଟଦୀପ ଜଳେ". ଧରିତ୍ରୀ. Retrieved 21 September 2015. {{cite news}}: Check date values in: |date= (help)
  4. "ସରିଲା ପୂଜିତ ବିଗ୍ରହଙ୍କ ଲୀଳାଖେଳା". ପ୍ରମେୟ. ୩ ଜୁନ୍ ୨୦୧୫. Archived from the original on 2015-07-07. Retrieved ୫ ଜୁଲାଇ ୨୦୧୫. {{cite news}}: Check date values in: |accessdate= and |date= (help)