Jump to content

ତାଳଧ୍ୱଜ

ଉଇକିପିଡ଼ିଆ‌ରୁ
ତାଳଧ୍ୱଜ
ପ୍ରଭୁ ବଳଭଦ୍ରଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
ପୁନଃପୌନିକତାବାର୍ଷିକ


ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ ।[୧] ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି ।[୨] ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଡଭାଇ ଶ୍ରୀ ବଳଭଦ୍ର ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ତାଳଧ୍ୱଜ[୩]


ତାଳଧ୍ୱଜ ରଥ-ସବିଶେଷ ବିବରଣୀ[ସମ୍ପାଦନା]

ତାଳଧ୍ୱଜ ରଥ ଲଙ୍ଗଳ ଧ୍ୱଜ ନାମରେ ମଧ୍ୟ ପରିଚିତ । ଏହି ରଥରେ ଶ୍ରୀ ବଳଭଦ୍ରଙ୍କ ସହ ରାମ-କୃଷ୍ଣ ବିଜେ କରିଥାନ୍ତି ।[୪]

ରଥର ନାମ 'ତାଳଧ୍ୱଜ' ବା 'ଲଙ୍ଗଳ ଧ୍ୱଜ'
ମୋଟ ବ୍ୟବହାର କାଠ ୭୩୧
ମୋଟ ଚକ ସଂଖ୍ୟା ୧୪
ପ୍ରତି ଚକର ବ୍ୟାସ ୬'୦୬"
ରଥର ଉଚ୍ଚତା ୪୫'୦୦"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୩' x ୩୩'
ରଥ ରକ୍ଷକ ବାସୁଦେବ
ଦ୍ୱାରପାଳ ନନ୍ଦ ଓ ସୁନନ୍ଦ
ସାରଥୀ ମାତଳୀ
ଦଧିନଉତି ଭୁବନ କୋଷ
ରଥର ଅସ୍ତ୍ର ହଳ ଓ ମୁସଳ
ରଥର ଘୋଡ଼ା ସଂଖ୍ୟା
ଘୋଡ଼ାମାନଙ୍କ ନାମ ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ ବା ସ୍ଥିରା, ଧୃତି, ସ୍ଥିତି, ପ୍ରଜ୍ଞା ବା ଶଙ୍ଖ,ସୁଚ଼ିତ୍ର, ଅଙ୍ଗଦ, ମେଘନାଦ
ଘୋଡ଼ାର ରଙ୍ଗ କଳା
ରଥ ଦଉଡି ବାସୁକୀ
ରଥର ଶକ୍ତି ବ୍ରହ୍ମା ଓ ଶିବ
ରଥ ମୁଖର ନାମ
ରଥାବରଣ କପଡାର ରଙ୍ଗ ନାଲି ଓ ସବୁଜ ରଙ୍ଗ
ଧ୍ୱଜପମୂର୍ତ୍ତି ଲକ୍ଷ୍ମୀନୃସିଂହ
ପତାକା ନାମ ଉନ୍ନନି
ପାର୍ଶ୍ୱ ଦେବା/ଦେବୀ ଗଣେଶ, କାର୍ତ୍ତୀକେୟ, ସର୍ବମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷଦେବ ଇତ୍ୟାଦି
ୠଷି ସମୂହ ଅଞ୍ଜିରା, ପୁଳାହ, ପୌଳସ୍ତ୍ୟ, କୃଷ୍ଣ, ମୁଦ୍ଗଳ, ଆତ୍ରେୟ, କାଶ୍ୟପ ଓ ଆସଷ୍ଠି

ନିର୍ମାଣ ଶୈଳୀ[ସମ୍ପାଦନା]

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ତଳଧ୍ୱଜ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ତଳଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

ଆଧାର[ସମ୍ପାଦନା]

  1. "ରଥଯାତ୍ରା". Ratha Yatra.net. Archived from the original on 30 July 2015. Retrieved 27 August 2015.
  2. "ରଥ ଶ୍ରେଣୀ ସମୂହ". Tour Bbsr. Archived from the original on 17 July 2015. Retrieved 27 August 2015.
  3. "ଜଗନ୍ନଥ ମନ୍ଦିର". Jagannnath Blog. Retrieved 27 August 2015.
  4. "ତାଳଧ୍ୱଜ ରଥ". Shreekhetra.com. Retrieved 27 August 2015.