ନୀଳଚକ୍ର

ଉଇକିପିଡ଼ିଆ‌ରୁ
(Nilachakraରୁ ଲେଉଟି ଆସିଛି)
ନୀଳଚକ୍ର

ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ ।

ଗଠନ[ସମ୍ପାଦନା]

ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବେଧ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । [୧] ନୀଳଚକ୍ରର କେନ୍ଦ୍ରସ୍ଥଳରେସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବା ବେଳେ ବାକି ଅର୍ଦ୍ଧେକ ମଧ୍ୟରେ ପାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା ପ୍ରଭୃତି ରହିଛି ।

ପତିତପାବନ ବାନା[ସମ୍ପାଦନା]

ନୀଳଚକ୍ରରେ ଉଡ୍ଡିୟମାନ ଧ୍ୱଜାକୁ ପତିତପାବନ ବାନା କୁହାଯାଏ । ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

ମହତ୍ତ୍ୱ[ସମ୍ପାଦନା]

ନୀଳଚକ୍ରରେ ଧ୍ୱଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜାପଣ୍ଡା ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ସର ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମିଠା ବାହାର ବେଢ଼ାରେ ନୀଳଚକ୍ର ଉଦ୍ଦେଶ୍ୟରେ ଅର୍ପିତ ହେଲାପରେ ତାହା ବିକ୍ରୀ ନିମନ୍ତେ ଆନନ୍ଦବଜାରକୁ ଆସେ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ ।

ସେବକ[ସମ୍ପାଦନା]

ନୀଳଚକ୍ରଙ୍କର ସେବକ ହେଉଛନ୍ତି ଗରୁଡ଼ସେବକ (ମହାଦୀପ ଓ ଧ୍ୱଜାବନ୍ଧା ସେବକ) । ଏମାନେ ବଢ଼େଇ ଜାତୀୟ ଶୁଦ୍ର ସେବକ । ଏହି ସେବକମାନଙ୍କ ଇଷ୍ଟଦେବ ହେଉଛନ୍ତି ବିନତାନନ୍ଦନ ଗରୁଡ଼ । ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ୱଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି ୤ ଧ୍ୱଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛକରି ତଳକୁ ଓହ୍ଲାନ୍ତି ।

ଆଧାର[ସମ୍ପାଦନା]

  1. "Architecture of Jagannath Temple, Jagannath Puri Architecture, Puri Jagannath Temple India". orissatourism.org. 2012. Retrieved 2 July 2012. It is called the Nila Chakra (Blue Wheel), and is 3.5m (11 ft 8 in) high with a circumference of about 11m (36 ft)

ବାହାର ଲିଙ୍କ[ସମ୍ପାଦନା]