ପ୍ରାଚୀ ନଦୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପ୍ରାଚୀନଦୀ (ପ୍ରାଚୀ)
ନଦୀ
ନାମର ଉତ୍ପତ୍ତି: ପ୍ରାଚୀ ସରସ୍ଵତୀ
ଦେଶ ଭାରତ
Parts ଓଡ଼ିଶା
Mouth
 - location ବେଳଙ୍ଗ, ପୁରୀ, ଓଡ଼ିଶା, ଭାରତ


ପ୍ରାଚୀ ନଦୀ ବା ପ୍ରାଚୀସରସ୍ଵତୀ ନଦୀ କଟକ, ଖୋର୍ଦ୍ଧାପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ, ମାତ୍ର କ୍ଷୁଦ୍ର ନଦୀ। ସଂସ୍କୃତ ପଦ୍ମପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗା ଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ । ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି. ମଧ୍ୟରେ । ଏହି ନଦୀ କୂଳରେ ଅନେକ ପୁରାତନ ଦେବପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ଶୈବ, ବୈଷ୍ଣବ, ଶାକ୍ତ, ବୌଦ୍ଧ, ଜୈନ ଆଦି ନାନାଦି ପରମ୍ପରାର ବିଚିତ୍ର ସହାବସ୍ଥାନ ଏହି ନଦୀ ଉପତ୍ୟକାରେ ରହିଛି । ପ୍ରାଚୀନ ଐତିହ୍ୟ ସମ୍ପନ୍ନ ପ୍ରାଚୀନଦୀର ଉଲ୍ଲେଖ ପଦ୍ମ ପୁରାଣ ତଥା ଅନ୍ୟାନ୍ୟ ଗ୍ରନ୍ଥରେ ମିଳିଥାଏ ।[୧] ଐତିହାସିକ ମାନଙ୍କ ମତରେ ପ୍ରାଚୀ ମହାନଦୀର ଏକ ପୁରାତନ ଅଂଶବିଶେଷ । [୨] [୩]

ନାମର ଉତ୍ପତ୍ତି[ସମ୍ପାଦନା]

ପ୍ରାଚୀ ଶବ୍ଦର ଆକ୍ଷରିକ ଅର୍ଥ 'ପୂର୍ବଦିଗ' ଅଟେ। ପୌରାଣିକ ବର୍ଣ୍ଣନା ଅନୁଯାୟୀ, ଦେବତାମାନଙ୍କ ପ୍ରାର୍ଥନା ରକ୍ଷା କରି, ସରସ୍ଵତୀ ନଦୀ କପିଳ ମୁନୀଙ୍କ ଆଶ୍ରମରୁ ଉଦ୍ଭୂତା ହୋଇ ସମୁଦ୍ରରେ ମିଶିଥିଲେ । ପୂର୍ବାଭିମୁଖୀ ହୋଇ ଗତି କରିବାରୁ ତାଙ୍କର ନାମ ପ୍ରାଚୀ ସରସ୍ଵତୀ ହେଲା। ସମୟ କ୍ରମେ ସରସ୍ୱତୀ ଶବ୍ଦର ବ୍ୟବହାର ବନ୍ଦ ହୋଇ କେବଳ ପ୍ରାଚୀ ନାମରେ ଏହି ନଦୀ ଜଣାଗଲା । [୪]

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ବର୍ତ୍ତମାନର ଅବସ୍ଥିତି ଅନୁସାରେ ପ୍ରାଚୀ ନଦୀ ଫୁଲନଖରା ନିକଟରୁ ବାହାରି, ଅସ୍ତରଙ୍ଗ ନିକଟବର୍ତ୍ତୀ ବେଳଙ୍ଗ ନିକଟରେ ସମୁଦ୍ରରେ ମିଶିଛି । କ୍ଷୁଦ୍ର କଳେବରର ଏହି ନଦୀଟି ବର୍ତ୍ତମାନ ଅଧିକ ସଙ୍କୁଚିତ ହୋଇଯାଇଛି । ପ୍ରାୟ ୬୦ରୁ ୭୦ କି.ମି. ପରେ ଏହା ସମୁଦ୍ରରେ ମିଶିଛି । ଏହି ଦୂରତା ମଧ୍ୟରେ ସୋଲ ନଦୀ, ଯାହାକୁ ପ୍ରାଚୀର ଉପନଦୀ ଭାବରେ କେହି କେହି ଗ୍ରହଣ କରନ୍ତି, ଅନ୍ତର୍ଭୁକ୍ତ । ଏହି ନଦୀଟିର ଅନେକ ଉପନଦୀ ଓ ଶାଖାନଦୀ ରହିଥିଲା । ସମୟକ୍ରମେ ଏସବୁର କଳେବର କମି ଯାଇଛି ତଥା ଅନେକ ନଦୀ ଏବେ ଲୁପ୍ତ । ଏହି ନଦୀ ସମୁଦ୍ରରେ ମିଶିବା ପୁର୍ବରୁ କାଦୁଆ ନାମକ ଅନ୍ୟ ଏକ ନଦୀ ସହ ମିଶିଛି । କାଦୁଆକୁ ପ୍ରାଚୀର ଉପନଦୀ ଭାବରେ ଗ୍ରହଣ କରାଯାଏ । [୨]

ପ୍ରାଚୀ ଉପତ୍ୟକାର ଐତିହାସିକ ବିଭବ[ସମ୍ପାଦନା]

ପ୍ରାଚୀ ନଦୀ କୁଳରେ ପ୍ରାୟ ଶହେରୁ ଅଧିକ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠ।ନ ରହିଛି । ସେଥିମଧ୍ୟରୁ ଗୀତଗୋବିନ୍ଦ ରଚୟିତା ଶ୍ରୀଜୟଦେବଙ୍କ ସାଧନା ପୀଠ କେନ୍ଦୁବିଲ (ବର୍ତ୍ତମାନର କେନ୍ଦୁଲି ଗ୍ରାମ, ବାଲିପାଟଣା ବ୍ଲକ ,ଖୋର୍ଦ୍ଧା ଜିଲ୍ଲା), ଜହାନିଆ ପୀର (ଅସ୍ତରଙ୍ଗ ବ୍ଲକ ,ପୁରୀ), ଅଡସପୁର ନିକଟସ୍ଥ ଗୁପ୍ତମାଣିକ ମଠ (ବରହାପୁର), ସ।ଧୁଗୁମ୍ଫ। ମଠ (ଓଲଟପୁର), ଫତେଗଡ ମଠ (ବଜ଼ାରସାହୀ), ସିଦ୍ଧଗୁମ୍ଫା ମଠ, ଜଗମୋହନକୁଦ (ସୁନ୍ଦରଗ୍ରାମ), କପିଳମୁନି ଅଶ୍ରମ (ନିଆଳି ବ୍ଲକ), ମାଧବାନନ୍ଦ ଜୀଉ ମଠ (ଅଡସପୁର), ଅନ୍ତର୍ଭେଦୀ ମଠ -ତ୍ରିବେଣୀଘାଟ (କଣ୍ଟ।ପଡା ଶାସନ), ରାଧାକାନ୍ତ ମଠ (ନୁଅ।ଗଁ।), ଅର୍କତୀର୍ଥ ମଠ ଓ ସିଦ୍ଧମଠ (ନିଆଳି), ରତ୍ନବଟ (ନିମାପଡ଼ା ବ୍ଲକ), ବଳରାମ ଦାସ ଗାଦୀ (ଏବରଂଗ, କୋଣାର୍କ), ବୌଦ୍ଧ ପୀଠ (କୁରୁମା, କୋଣାର୍କ) ଆଦି ପ୍ରସିଦ୍ଧ । ଏତଦ ବ୍ୟତୀତ ଅଡସପୁରରେ ଓ କାକଟପୁରର ନୀଳକଣ୍ଠଶ୍ବର ମନ୍ଦିରରେ ର୍ଜୈନ ତୀର୍ଥଙ୍କରଙ୍କ ପ୍ରତିମୁର୍ତ୍ତୀ ଦେଖିବାକୁ ମିଳେ । ଏହି ଉପତ୍ୟକା (ଓଲଟପୁର ନିକଟସ୍ଥ ବାଇରୋଇ ଗ୍ରାମ)ରେ ଦିନେ କବି ରାମକୃଷ୍ଣ ନନ୍ଦ ତାଙ୍କ କଲାଜୟୀ ସୃଷ୍ଟି “ଆହେ ଦୟାମୟ ବିଶ୍ବ ବିହାରୀ” ରଚନା କରିଯାଇଥିଲେ । ଏଥିରୁ ଜଣାପଡେ ଯେ ପ୍ରାଚୀ ନଦୀ ଉପତ୍ୟକାରେ ସବୁ ଧର୍ମ ଓ ସମ୍ପ୍ରଦାୟର ସମିଶ୍ରଣ ଯୁଗ ଯୁଗ ଧରି ରହିଆସିଛି ।

ଉପତ୍ୟକା ଐତିହାସିକ ଦୃଷ୍ଟିରୁ ବିଭବପୂର୍ଣ୍ଣ । ଏଠାରେ ବହୁ ଧର୍ମ ଓ ମତବାଦର ସହାବସ୍ଥାନ ଘଟିଥିବାର ଦେଖାଯାଏ । ଏହି ଅଞ୍ଛଳରେ ଭୌମକର, ସୋମଗଙ୍ଗବଂଶ ସମୟର ଅନେକ ସ୍ଥାପତ୍ୟ ଦେଖିବାକୁ ମିଳେ । ଶୈବ, ଶାକ୍ତ, ବୈଷ୍ଣବ ଆଦି ପରମ୍ପରା ପ୍ରଚଳିତ ଅନେକ ପୀଠ ପୁରାତନ କାଳରୁ ଏଠାରେ ବିଦ୍ୟମାନ । ଏହି ଅଞ୍ଛଳରେ ଥିବା ଦ୍ଵାଦଶ ମାଧବ ଓ ଦ୍ଵାଦଶ ଶମ୍ଭୁ ପୀଠ ଗୁଡିକ ଅତୀତର ଧାର୍ମିକ ପରମ୍ପରା ବିଷୟରେ ସୂଚନା ଦିଏ । ଏତଦବ୍ୟତୀତ ବୌଦ୍ଧଜୈନ ପରମ୍ପରାର ଅନେକ ପ୍ରମାଣ ଏଠାରେ ମିଳୁଛି । ଅନେକ ସ୍ଥାନରେ ଏକତ୍ର ହରିହର ଉପାସନାର ପୀଠ ଦେଖାଯାଏ ତଥା ଅନେକ ପୁରାତନ ଶୈବ ଓ ବୈଷ୍ଣବ ପୀଠ ଦେଖାଯାଏ । ଅନେକ ଗୁଡ଼ିଏ ଶାକ୍ତ ଉପାସନା ଓ ତନ୍ତ୍ର ପୀଠ ମଧ୍ୟ ଦେଖିବାକୁ ମିଳେ । ପ୍ରଧାନ ହିନ୍ଦୁ ପୀଠମାନଙ୍କ ମଧ୍ୟରେ ନିଆଳିର ଶୋଭନେଶ୍ଵର, ମାଧବର ମାଧବାନନ୍ଦ ଜୀଉ, ଚୌରାସୀର ବରାହୀ ମନ୍ଦିର ଓ କାକଟପୁରର ମଙ୍ଗଳା ମନ୍ଦିର ଅନ୍ୟତମ । ବର୍ତ୍ତମାନ କୌଣସି ବୌଦ୍ଧପୀଠ ବିଦ୍ୟମାନ ନଥିଲେ ମଧ୍ୟ ଅନେକ ସ୍ଥାନରେ ବୌଦ୍ଧ ଓ ଜୈନ ମୂର୍ତ୍ତୀ ହିନ୍ଦୁ ମନ୍ଦିରରେ ପୂଜା ହେବାର ଦେଖିବାକୁ ମିଳେ । [୩][୫] ଏକଦା ପ୍ରାଚୀର ଏକ ଶାଖା ନଦୀ ଥିବା ଚିତ୍ରୋତ୍ପଳା ନଦୀ ମୁହାଣରେ ଏକ ବନ୍ଦର ଥିବା ବିଶ୍ଵାସ କରାଯାଏ । ସାରଳା ମହାଭାରତରେ ଏହି ନଦୀ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ନଦୀ କୂଳରୁ ଅନେକ ବଡ ପ୍ରସ୍ତର ମିଳୁଅଛି । କିମ୍ବଦନ୍ତୀ ଅନୁସାରେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ପ୍ରାଚୀ ଓ ଚିତ୍ରୋତ୍ପଳା ନଦୀଦ୍ଵାରା ପଥର ବୁହାଯାଉ ଥିଲା । ପ୍ରାଚୀ ଉପତ୍ୟକାରେ ଅନେକ ପୁରାତନ ଗଡ ମଧ୍ୟ ଦେଖିବାକୁ ମିଳେ ।[୨] ବର୍ତ୍ତମାନ ଏହି ନଦୀ କ୍ଷୁଦ୍ର କଳେବର ଧାରଣ କରିଛି, ମାତ୍ର ପୁର୍ବରୁ ଏହାର ବିସ୍ତୃତି ଅଧିକ ଥିଲା ।

ପ୍ରାଚୀ ନଦୀ ଗର୍ଭରୁ ଉଦ୍ଧାର ହୋଇଥିବା ଦୀର୍ଘକାୟ ଶିଳା

ପ୍ରାଚୀ ମାହାତ୍ମ୍ୟ ଓ ଧାର୍ମିକ ବିଶ୍ୱାସ[ସମ୍ପାଦନା]

ସଂସ୍କୃତ ପଦ୍ମପୁରାଣର ଏକ ଅଂଶରେ ପ୍ରାଚୀନଦୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ଏହା ପ୍ରାଚୀ ମାହାତ୍ମ୍ୟ ନାମରେ ପ୍ରସିଦ୍ଧ । ଏହି ଗ୍ରନ୍ଥରେ ପ୍ରାଚୀନଦୀ ତୀରସ୍ଥ ବିଭିନ୍ନ ଦେବପୀଠର ବର୍ଣ୍ଣନା ଓ ପ୍ରାଚୀନଦୀର ଉତ୍ପତ୍ତି ସମ୍ବନ୍ଧୀୟ କିମ୍ବଦନ୍ତୀର ଉଲ୍ଲେଖ ମିଳେ । ପ୍ରାଚୀନଦୀକୁ ଏକ ଅତି ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଏ । ପ୍ରାଚୀନଦୀ ଗଙ୍ଗା ଠାରୁ ମଧ୍ୟ ପୁରାତନ ବୋଲି ବିଶ୍ୱାସ କରାଯାଏ । ତ୍ରିବେଣୀ ନାମକ ସ୍ଥାନରେ ଯେଉଁଠାରେ ପ୍ରାଚୀ ସହ ମଣିକର୍ଣ୍ଣିକା ନାମକ ଉପନଦୀ ମିଶିଛି, ଗୁପ୍ତ ଗଙ୍ଗାର ଏକ ଧାରା ମଧ୍ୟ ମିଶିଛି ବୋଲି ବିଶ୍ୱାସ କରାଯାଏ । ଏହି ସ୍ଥାନରେ ତ୍ରିବେଣୀ ଅମାବାସ୍ୟାରେ ଏକ ବୁଡ଼ ପଡେ ଓ ଅନେକ ଲୋକ ସ୍ନାନ କରନ୍ତି । ପ୍ରାଚୀ କୂଳରେ ଅଗ୍ନିତୀର୍ଥ, ଚକ୍ରତୀର୍ଥ ଆଦି ଅନେକ ତୀର୍ଥ ଆଜି ମଧ୍ୟ ବିଦ୍ୟମାନ ।[୧] କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିର ଓ ଦେଉଳୀ ମଠ ପ୍ରାଚୀ କୂଳରେ ଅବସ୍ଥିତ । ଏତଦ୍‌ବ୍ୟତୀତ ପ୍ରାଚୀ କୂଳରେ ଅନେକ ପୁରାତନ ମଠ ଓ ଆଶ୍ରମ ଦେଖାଯାଏ ।[୬] ଏଠାରେ ମିଳୁଥିବା ଅବଶେଷରୁ ଜଣାପଡେ, ଏକଦା ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ ରହିଥିଲା । ଚୌରାସୀର ବରାହୀ ମନ୍ଦିରରୁ ତନ୍ତ୍ରର ପ୍ରଭାବ ଅନୁମାନ କରିହୁଏ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରାଚୀ ମାହାତ୍ମ୍ୟ. ଉତ୍କଳ ବିଶ୍ଵବିଦ୍ୟାଳୟ. 
  2. ୨.୦ ୨.୧ ୨.୨ ପ୍ରାଚୀ ନଦୀର ଐତିହାସିକ ବିଭବ. ଓଡ଼ିଶା ସାହିତ୍ୟ ଏକାଡେମୀ. 
  3. ୩.୦ ୩.୧ ୩.୨ ପ୍ରାଚୀ ତୀର୍ଥ. ହଂସନାଥ ସାହୁ. 
  4. ପ୍ରାଚୀ ନଦୀର ଐତିହାସିକ ବିଭବ. ଓଡ଼ିଶା ସାହିତ୍ୟ ଏକାଡେମୀ. p. ୨୩. 
  5. "The Cultural Synthesis of Prachi Valley" (PDF). Retrieved 27 June 2016. 
  6. "Archaeological Vestiges of Monasteries in the" (PDF). Retrieved 23 June 2016.