ବେଁହଟା, ଜଗନ୍ନାଥ ମନ୍ଦିର
ଏହି ଜଗନ୍ନାଥ ମନ୍ଦିର ଉତ୍ତର ପ୍ରଦେଶର କାନପୁରସହର ଜନପଦରୁ ଆହୁରି ଭିତରକୁ ବିକାଶଖଣ୍ଡ ମୁଖ୍ୟାଳୟରୁ ତିନି କିଲୋମିଟର ଦୂର ବେହେଁଟା ଗ୍ରାମରେ ଅବସ୍ଥିତ । ସ୍ଥାନୀୟ ଅଧିବାସୀ ଏହାକୁ ଠାକୁରଜୀ ବାବା ବୋଲି ମାନିଥାନ୍ତି । ଏହା Rain Temple ନାମରେ ବେଶ ଜଣାଶୁଣା ।[୧]
ରହସ୍ୟ ଘେରରେ ମନ୍ଦିର
[ସମ୍ପାଦନା]ବର୍ଷା ହେବା ପୂର୍ବରୁ ଏହି ମନ୍ଦିର ଛାତରୁ ପାଣି ଗଳେ । ଲୋକମାନେ ଏହାକୁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ମାନିଥାନ୍ତି । ସେମାନଙ୍କ କହିବା ମୁତାବିକ ଭଗବାନ ଜଗନ୍ନାଥ ଅତି କୃପାଳୁ ଅଟନ୍ତି । ସେ ନିଜ ଭକ୍ତମାନଙ୍କୁ ଏହି ସୂଚନା ଦେଇ ସଚେତ କରିଥାଆନ୍ତି ଯାହା ଫଳରେ କୃଷକମାନେ ଚାଷବାସ ସମ୍ବନ୍ଧୀୟ ସଜବାଜ କରିବାରେ ସୁବିଧା ହୁଏ । କିନ୍ତୁ ଏପରି ଚମତ୍କାର କିପରି ହୁଏ ଏହା ସମସ୍ତଙ୍କୁ ଅଗୋଚର ।
ସ୍ଥାପତ୍ୟ
[ସମ୍ପାଦନା]ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ କଳା ମୁଗୁନି ପଥରରେ ତିଆରି ମୁର୍ତ୍ତି ସହିତ ସୂର୍ଯ୍ୟ ଏବଂ ପଦ୍ମନାଭଙ୍କ ମୁର୍ତ୍ତି ଦେଖିବାକୁ ମିଳେ । ମନ୍ଦିରର କାନ୍ଥ ୧୪ ଫୁଟ ମୋଟେଇ ବିଶିଷ୍ଟ ବର୍ତ୍ତମାନ ଏହି ମନ୍ଦିରଟି ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅଛି । ବିଶ୍ୱାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ । ଆଉ ସବୁଠୁ ବଡ଼ ଆଶ୍ଚର୍ୟ କଥା ହେଉଛି ଏଥିରୁ ଝରୁଥିବା ପାଣି ଠିକ ବର୍ଷା ବୁନ୍ଦା ଭଳି । କେବଳ ଏତିକି ନୁହେଁ ଯେଉଁଦିନ ବର୍ଷା ହୁଏ ସେଇଦିନ ଏହି ପାଣି ଝରିବା ବନ୍ଦ ହୋଇଯାଏ । ଏହା ଜାଣି ଏଠାରେ ପୂଜା କରୁଥିବା ପୂଜାରୀ ବର୍ଷା ଆଗମନର ସୂଚନା ଗ୍ରାମବାସୀଙ୍କୁ ଦେଇଥାନ୍ତି ।[୨]
ସ୍ୱତଃ ପାଣି ଗଳିବା ରହସ୍ୟ ସର୍ବେକ୍ଷଣ ପରେ ମଧ୍ୟ ସନ୍ଧାନ ମିଳିନାହିଁ । ମନ୍ଦିର ପୂଜାରୀ ଦିନେଶ ଶୁକ୍ଲାଙ୍କ ମତରେ ଅନେକ ଥର ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ, ଆଇଆଇଟି ବୈଜ୍ଞାନିକ ଏବଂ ବହୁ ପୁରୁଣା ବୈଜ୍ଞାନିକ ଏହାର ରହସ୍ୟ ଭେଦ କରିବାକୁ ଅସମର୍ଥ ହୋଇଛନ୍ତି ।
ଇତିହାସ ଓ କିମ୍ବଦନ୍ତୀ
[ସମ୍ପାଦନା]କିଛି ସର୍ବେକ୍ଷଣରୁ ଦାବୀ ହୋଇଛି ଯେ ଏହି ମନ୍ଦିର ୧୧ ଶ ଶତାବ୍ଦୀରେ ନିର୍ମାଣ ହୋଇଛି । ଏହାର କେତେଥର ପୁନରୁଦ୍ଧାର ହୋଇଛି ତାହାର କୌଣସି ହିସାବ ବା ତଥ୍ୟ ନାହିଁ । ଏହି ମନ୍ଦିର ବାବଦରେ ଅନେକ ମତ ପ୍ରକାଶ ପାଏ । କେହି କୁହନ୍ତି ଏହି ମନ୍ଦିର ଏକ ବୌଦ୍ଧ ମଠ ସଦୃଶ ଅଟେ ଯାହାକୁ ଅଶୋକ ନିର୍ମାଣ କରିଥାଇ ପାରନ୍ତି । କାନ୍ଥରେ ଚିତ୍ରିତ ମୟୁର ଏବଂ ଚକ୍ର ଚିହ୍ନ ଦେଖି ଅନେକ କୁହନ୍ତି ଏହି ମନ୍ଦିର ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ସ୍ଥାପିତ ହୋଇଥାଇ ପାରେ । ଏହି ଗ୍ରାମରେ ରହୁଥିବା ବୃଦ୍ଧ କୁହନ୍ତି ସେମାନଙ୍କ ପୂର୍ବ ପୁରୁଷ ସେମାନଙ୍କୁ ଅନେକ ପୁରାଣିକ କଥା କହି ଯାଇଛନ୍ତି । ସେମାନଙ୍କ ଅନୁସାରେ ଯେବେ ଭଗବନ ହନୁମାନ ସୂର୍ଯ୍ୟକୁ ଗିଳି ବାହାର କରିଥିଲେ ଏହି ମନ୍ଦିର ସ୍ୱତଃ ତିଆରି ହୋଇଥିଲା । ଆହୁରି ମଧ୍ୟ ବିଶ୍ୱାସ ଅଛି ଭଗବାନ ରାମ ଏହି ମନ୍ଦିରକୁ ପରିଦର୍ଶନ କରିଥିଲେ ।[୩]
ପର୍ବପର୍ବାଣି
[ସମ୍ପାଦନା]ପୁରୀ ଭଳି ଏହି ଦେଉଳରେ ପ୍ରତିବର୍ଷ ରଥଯାତ୍ରା ଓ ଅନେକ ପର୍ବପର୍ବାଣି ପାଳିତ ହୁଏ ।