ବାଇଶି ପାହାଚ

ଉଇକିପିଡ଼ିଆ‌ରୁ
ବାଇଶି ପାହାଚ

ଜଗନ୍ନାଥ ମନ୍ଦିରରବାହାର ସିଂହଦ୍ୱାରଠାରୁ କୁର୍ମ ବେଢ଼ା ଆରମ୍ଭ ପର୍ଯ୍ୟନ୍ତ ପାହାଚ ଶ୍ରେଣୀକୁ ବାଇଶି ପାହାଚ କୁହାଯାଏ । ବାଇଶି ପାହାଚ ପରେ ଭିତର ସିଂହଦ୍ୱାର ଦେଇ ଭିତର ବେଢ଼ାକୁ ଯିବାକୁ ହୁଏ ।

ଇତିହାସ[ସମ୍ପାଦନା]

ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ୱରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

ବୈଶିଷ୍ଟ୍ୟ[ସମ୍ପାଦନା]

ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।[୧] ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।[୨]

ବିଭିନ୍ନ ତତ୍ତ୍ୱ ଓ ମତ[ସମ୍ପାଦନା]

ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ୱମୟ ଓ ପବିତ୍ରମୟ । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି । [୩] ବାଇଶି ପାହାଚର ତାତ୍ତ୍ୱିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ୱାସ ପ୍ରଚଳିତ, ଯଥା;

  1. କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି ।
  2. ଦ୍ୱିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୌବଲ୍ୟ ବୈକୁଣ୍ଡ, କାରଣାର୍ଣ୍ଣବ ବୈକୁଣ୍ଡ, ଶେଷଶାୟୀ ବୈକୁଣ୍ଡ, ଶ୍ୱେତଦୀପ ବୈକୁଣ୍ଡ, ପରବେଶ୍ୟାମ ବୈକୁଣ୍ଡ ଗଭୌଦକ ଶାୟୀ ବୈକୁଣ୍ଡ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ୱା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ୱତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ । ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି ।
  3. ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ୱରୂପ । ଏହା ଦ୍ୱାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ୱରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ ।
  4. ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।
  5. ଅନ୍ୟ କେତେକଙ୍କ ମତରେ ବାଇଶିଟି ତୀର୍ଥ ଭୂମିର ସ୍ୱରୂପ ବାଇଶି ତତ୍ତ୍ୱର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ ।
  6. ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ୱପୂର୍ଣ୍ଣ ଓ ରହସ୍ୟମୟ ।[୪]

ଗଠନ[ସମ୍ପାଦନା]

ବାଇଶି ପାହାଚ କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି ।[୫] ପୁରୁଣା ବା ମୂଳ ସିଂହଦ୍ୱାରଠାରୁ ନୂଆ ସିଂହଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ । ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା । ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ । ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି :

ବାଇଶି ପାବଚ୍ଛ ଗଲି ସୁଖେ , କୈବଲ୍ୟ ପସରା ବେନି ପାଶେ ।
ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ ।

ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ୱନାଥ ମନ୍ଦିର ରହିଛି ।[୫] ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।

ଆଧାର[ସମ୍ପାଦନା]

  1. "Rites before Jagannath temple for salvation of forefathers". odisha.in. 2012. Archived from the original on 2013-05-02. Retrieved 26 June 2012. candles show the departed souls light to the heaven, through the Baisi Pahacha
  2. "Thousands watch annual Ratha Yatra festival". mid-day.com. 2012. Retrieved 26 June 2012. The three deities were taken out of the 'Ratna Sinhasana' down 22 steps, known as 'Baisi Pahacha'
  3. "Places Within The Temple Compound | Holy Dham". holydham.com. 2012. Retrieved 26 June 2012. Great respect is given to these steps
  4. ପାଣିଗ୍ରାହୀ, ବିରଞ୍ଚି ନାରାୟଣ. "ତତ୍ତ୍ୱମୟ ବାଇଶି ପାହାଚ". ଉତ୍କଳ ପ୍ରସଙ୍ଗ (ଜୁଲାଇ ୨୦୦୫): ୫୮-୬୦. Retrieved 12 September 2015.
  5. ୫.୦ ୫.୧ "ବାଇଶି ପାହାଚ". ପ୍ରମେୟ. ୩୧ ମଇ ୨୦୧୫. p. ୨. Retrieved 12 September 2015. {{cite news}}: Check date values in: |date= (help)[permanent dead link]