ଦଶାବତାର

ଉଇକିପିଡ଼ିଆ‌ରୁ
ବିଷ୍ଣୁଙ୍କର ଦଶ ଅବତାର
ଉପର ଧାଡ଼ି : ମତ୍ସ୍ୟ,କଚ୍ଛପ,ବରାହ,ନରସିଂହ/ନୃସିଂହ,ବାମନ
ତଳ ଧାଡ଼ି : ପର୍ଶୁରାମ,ରାମ,ବଳରାମ,ବୁଦ୍ଧ,କଳ୍କି

ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଛି ।

ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧକଳ୍କୀ ଏହି ଦଶ ଗୋଟି ଅବତାର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ, ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ଧରାଯାଏ । ଏହା ଜୟଦେବଙ୍କ ଗୀତଗୋବନ୍ଦର ପ୍ରଭାବ ବୋଲି ଅନୁମିତ । ଉତ୍କଳୀୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ସାର ବା 'ଅବତାରୀ' ରୂପେ କଳ୍ପିତ କରାଯାଏ ।

ଐତିହାସିକ ବିବର୍ତ୍ତନ[ସମ୍ପାଦନା]

ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ ବୈଷ୍ଣବବାଦ ତିଆରି କରିଥିଲା, ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା ଭଗବତ ଗୀତାର (ଖ୍ରୀ.ପୂ. ୪ରୁ ୩ୟ ଶତାବ୍ଦୀ ଯାଏଁ) ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା । [୧]

ବାର ଜଣ ଅବତାର, ଯେଉଁମାନେ ତାଙ୍କର ମନ୍ତ୍ର ଦେଇ ଧର୍ମ ପ୍ରଚାର କରିଥିଲେ ସେମାନକ ତାଲିକାରେ ବିଷ୍ଣୁ ବା କୃଷ୍ଣଙ୍କୁ ରଖାଯାଇନଥିଲା । ତେବେ ତାମିଲ ଭାଷାରେ ବିଷ୍ଣୁ ସ୍ତୁରିସବୁ "ନାଳାଇରା" (ଦିବ୍ୟ ପ୍ରବନ୍ଧ) ଭାବରେ ଜଣା ।[୨][୩]

ତାଲିକା[ସମ୍ପାଦନା]

୧୯ଶହ ଶତାବ୍ଦିର ରାଜା ରବି ବର୍ମାଙ୍କ ଚିତ୍ର।

ମତ୍ସ୍ୟ[ସମ୍ପାଦନା]

ବିଷ୍ଣୁଙ୍କର ପ୍ରଥମ ଅବତାର । ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ।

କଚ୍ଛପ[ସମ୍ପାଦନା]

ଦ୍ୱିତୀୟ ଅବତାରରେ କଚ୍ଛପ ରୂପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ । ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ୱର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ । ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁରମାନେ ଟାଣି ସମୁଦ୍ରକୁ ମୋହିଁଲେ । ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା । ଏ ବିଷର ଜ୍ୱାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ । ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ୱ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ୱନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ । ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ । ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ । ଦେବତାମାନଙ୍କଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ ।

ବରାହ[ସମ୍ପାଦନା]

ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)। ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ୱାରା ଉତ୍ତୋଳନ କରିଥିଲେ । ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।

ନରସିଂହ/ନୃସିଂହ[ସମ୍ପାଦନା]

(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) । ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ।

ବାମନ[ସମ୍ପାଦନା]

ଭାଦ୍ରବ ଶୁକ୍ଳଦ୍ୱାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ । ରାଜା ବଳି ଅତ୍ୟଧିକ ଦାନ କରୁଥିବାରୁ ତାଙ୍କର ଅଂହ ଭାବ ଜାତ ହାେଇଥିଲା।

ପର୍ଶୁରାମ[ସମ୍ପାଦନା]

ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ । ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ। ଏ ଅବତାରରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ । ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ । ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ । ରାମଚନ୍ଦ୍ର ବିବାହ ହେଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ । ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ । ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ୱାନ, ସୁଷେଣ, ବସୁ ଓ ବିଶ୍ୱାବସୁ ।

ରାମ[ସମ୍ପାଦନା]

ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ । ବଶିଷ୍ଠ ଋଷି ଏହାଙ୍କ ଗୁରୁ । ଏ ବାଳକ ଥିବାବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ । ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ। ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ । ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା । ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ । ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ୱ କଲେ । କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ୱ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ୱା ସୀତାଙ୍କୁ ଏ ନିର୍ବାସିତା କଲେ । ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ । ତତ୍ପରେ ପିତା ଓ ପୁତ୍ରଦ୍ୱୟଙ୍କର ମିଳନ ହେଲା । ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ । ପରେ ଏ ପୁତ୍ରଦ୍ୱୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ।

ବଳରାମ[ସମ୍ପାଦନା]

ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ।

ବୁଦ୍ଧ[ସମ୍ପାଦନା]

ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର । ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ।

କଳ୍କି[ସମ୍ପାଦନା]

ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ୱାସ ।

ପ୍ରଚଳିତ ବିଶ୍ୱାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ । (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର ଚବିଶଟି ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ୱନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍‌କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର । )
ଦଶ ଅବତାର

ଅଲଗାଭାବେ[ସମ୍ପାଦନା]

ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ । ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର । ‘ମତ୍ସ୍ୟ’ରୁ ବିବର୍ତ୍ତନଦ୍ୱାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ । ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) । ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) । ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) । ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) । ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) । ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) । ତତ୍ପରେ ‘ବୁଦ୍ଧ’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି।

ଦଶାବତାର ଅଷ୍ଟକମ[ସମ୍ପାଦନା]

ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ପ୍ରଥମ ଅଷ୍ଟପଦୀରେ ଦଶାବତାରଙ୍କ ବର୍ଣ୍ଣନା ରହିଛି । ପ୍ରତ୍ୟେକ ପଦ 'ଜୟ ଜଗଦୀଶ ହରେ' ଧାଡ଼ିରେ ସମାପ୍ତ ହୁଏ । ଏହି ଅଷ୍ଟପଦୀଟି ଅତ୍ୟନ୍ତ ଲୋକପ୍ରିୟ ଅଟେ । ଅଷ୍ଟପଦୀ ଶେଷରେ କବି କୃଷ୍ଣଙ୍କୁ ସମସ୍ତ ଅବତାରଙ୍କ ସାର ରୂପରେ କଳ୍ପନା କରିଛନ୍ତି ।

ଗୀତଗୋବିନ୍ଦ[ସମ୍ପାଦନା]

ଅଷ୍ଟପଦୀ ୧[ସମ୍ପାଦନା]

ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ ।
ବିହିତବହିତ୍ରଚରିତ୍ରମଖେଦମ୍ ॥
କେଶବ ଧୃତ ମୀନ ଶରୀର ।
ଜୟ ଜଗଦୀଶ ହରେ ॥୧॥

କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ ।
ଧରଣୀଧାରଣକିଣ ଚକ୍ର ଗରିଷ୍ଠେ ॥
କେଶବ ଧୃତ, କଚ୍ଛପ ରୂପ ।
ଜୟ ଜଗଦୀଶ ହରେ ॥୨॥

ବସତି ଦଶନଶିଖରେ ଧରଣୀ ତବ ଲଗ୍ନା ।
ଶଶିନି କଳଙ୍କକଲେବ ନିମଗ୍ନା ॥
କେଶବ ଧୃତ, ଶୂକର ରୂପ ।
ଜୟ ଜଗଦୀଶ ହରେ ॥୩॥

ତବ କରକମଳବରେ ନଖମଦ୍ଭୁତଶୃଙ୍ଗମ୍ ।
ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ ॥
କେଶବ ଧୃତ, ନରହରି ରୂପ ।
ଜୟ ଜଗଦୀଶ ହରେ ॥୪॥

ଛଳୟସି ବିକ୍ରମଣେ ବଳିମଦ୍ଭୁତ ବାମନଂ ।
ପଦନଖନୀରଜନିତଜନପାବନଂ ॥
କେଶବ ଧୃତ, ବାମନ ରୂପ ।
ଜୟ ଜଗଦୀଶ ହରେ ॥୫॥

କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍ ।
ସ୍ନପୟସି ପୟସି ଶମିତଦ୍ଭବତାପମ୍ ॥
କେଶବ ଧୃତ, ଭୃଗୁପତି ରୂପ ।
ଜୟ ଜଗଦୀଶ ହରେ ॥୬॥

ବିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍ ।
ଦଶମୁଖମୌଳେବଳିଂ ରମଣୀୟଂ ॥
କେଶବ ଧୃତ, ରାମଶରୀର
ଜୟ ଜଗଦୀଶ ହରେ ॥୭॥

ବହସି ବପୁଷି ବିଶଦେ ବସନଂ ଜଳଦାଭମ୍ ।
ହଳହତି ଭୀତି ମିଳିତଯମୁନାଭମ୍ ॥
କେଶବ ଧୃତ, ହଳଧର ରୂପ ।
ଜୟ ଜଗଦୀଶ ହରେ ॥୮॥

ନିନ୍ଦସି ଯଜ୍ଞବିଧେରହହ ଶୃତିଜାତମ୍ ।
ସଦୟହୃଦୟଦର୍ଶିତପଶୁଘାତମ୍ ॥
କେଶବ ଧୃତ, ବୁଦ୍ଧଶରୀର ।
ଜୟ ଜଗଦୀଶ ହରେ ॥୯॥

ମ୍ଲେଛ୍ଛନିବହନିଧନେ କଳୟସି କରବାଳମ୍ ।
ଧୂମକେତୁମିବ କିମପି କରାଳମ୍ ॥
କେଶବ ଧୃତ, କଳ୍କୀଶରୀର ।
ଜୟ ଜଗଦୀଶ ହରେ ॥୧୦॥

ଶ୍ରୀଜୟଦେବକବେରିଦମୁଦିତମୁଦାରମ୍ ।
ଶୃଣୁସୁଖଦଂ ଶୁଭଦଂ ଭବସାରମ୍ ॥
କେଶବ ଧୃତ, ଦଶବିଧରୂପ
ଜୟ ଜଗଦୀଶ ହରେ ॥୧୧॥

ଆଧାର[ସମ୍ପାଦନା]

  1. Beck, Guy L. (1993). Sonic theology: Hinduism and sacred sound. Columbia, S.C: University of South Carolina Press. p. 170. ISBN 0-87249-855-7.
  2. Annangaracariyar, P.B. (1971). Nalayira tivviyap pirapantam. Kanci: VN Tevanatan.
  3. Seth, K.P. (1962). "Bhakti in Alvar Saints". The University Journal of Philosophy.

ଅଧିକ ତଥ୍ୟ[ସମ୍ପାଦନା]