କଳ୍ପବଟ

ଉଇକିପିଡ଼ିଆ‌ରୁ

କଳ୍ପବଟ ହେଉଛି ଶ୍ରୀମନ୍ଦିର ବେଢାରେ ଥିବା ଏକ ପୁରାଣ ପ୍ରସିଦ୍ଧ ବଟ ବୃକ୍ଷ । ଶ୍ରୀମନ୍ଦିର ବେଢା ମଧ୍ୟରେ ସତ୍ୟନାରାୟଣ ମନ୍ଦିର ଏବଂ ମୁକ୍ତି ମଣ୍ଡପ ମଧ୍ୟରେ କଳ୍ପବଟ ଅବସ୍ଥିତ । କଳ୍ପ ବୃକ୍ଷ ଚତୁଃପାର୍ଶ୍ୱରେ ନିର୍ମିତ ଏକ ଚାନ୍ଦିନୀ ଏହାର ଶୋଭା ବର୍ଦ୍ଧନ କରୁଅଛି । ସ୍କନ୍ଧ ପୁରାଣରେ ଏହି ବୃକ୍ଷ ସମ୍ପର୍କରେ ବର୍ଣ୍ଣନା ଦେଖିବାକୁ ମିଳେ ।

ବିଶେଷତ୍ୱ[ସମ୍ପାଦନା]

କଳ୍ପର ଅର୍ଥ କାଳ ବା ସମୟକୁ ବୁଝାଏ । ତେବେ ଅନ୍ୟ ଅର୍ଥରେ କଳ୍ପ ବୃକ୍ଷର ବିଶେଷତ୍ୱ ହେଲା ତାହା ମନୋବାଞ୍ଛା ପୁରଣକାରୀ ଏକ ମହାନ ବୃକ୍ଷଟିଏ ।[୧][୨] କଳ୍ପବଟ ଶ୍ରୀମନ୍ଦିର ବା ଶଙ୍ଖକ୍ଷେତ୍ରର ନାଭିସ୍ଥଳରେ (କେନ୍ଦ୍ର) ଅବସ୍ଥିତ ।[୩] ବଟ ମୂଳରେ ପୂର୍ବ ଦିଗରେ ଗୋଟିଏ ଛୋଟ ମନ୍ଦିରରେ କଳାପଥର ନିର୍ମିତ ବାଳକୃଷ୍ଣ ବଟପତ୍ରରେ ଶାୟିତ । ଏହା ବଟକୃଷ୍ଣ ମନ୍ଦିର ରୂପେ ନାମିତ । ବଟବୃକ୍ଷ ତଳେ ଦକ୍ଷିଣ ପଟକୁ ବଟଗଣେଶ ପୂଜା ପାଉଛନ୍ତି । ପଶ୍ଚିମ ଦିଗରେ ବାଟମଙ୍ଗଳା ଅବସ୍ଥାପିତ ।[୪] କଥିତ ଅଛି, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସ ଏହି ବୃକ୍ଷମୂଳେ ବସି ଭାଗବତର ଅନୁବାଦ କରିଥିଲେ ଏବଂ ଏହିଠାରେ ହିଁ ତାଙ୍କର ଶ୍ରୀ ଚୈତନ୍ୟ ଦେବଙ୍କ ସହ ସା଼କ୍ଷାତ ହୋଇଥିଲା । ଭକ୍ତଙ୍କ ବିଶ୍ୱାସ, କଳ୍ପବଟ ଚାରିପଟେ ତିନିଥର ପ୍ରଦକ୍ଷିଣ କଲେ, ନିଜର ମନଷ୍କାମ ପୁରଣ ହୋଇଥାଏ ।[୫]

କଳ୍ପବଟର ଅନ୍ୟାନ୍ୟ ବିଶେଷତ୍ୱ ମଧ୍ୟରେ:

  • ବଟ ବୃକ୍ଷର ପ୍ରାଚୀନତା ସମ୍ପର୍କରେ ପୌରାଣିକ ତଥ୍ୟରୁ ଜଣାଯାଏ, କଳଜୀବୀ ମୁନି ମାର୍କଣ୍ଡେୟ ଜଳରେ ବଟ ପର୍ତରେ ଶୟନ କରିଥିବା ବାଳମୁକୁନ୍ଦଙ୍କୁ ଏହି ବଟବୃକ୍ଷ ନିକଟରେ ଦର୍ଶନ କରିଥିଲେ । ପୁଣି ପ୍ରଭୁଙ୍କ ଆଦେଶ ପ୍ରକାରେ ତାଙ୍କ ଗର୍ଭରେ ପ୍ରବେଶ କରି ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ କରିଥିଲେ ।
  • ଧାର୍ମିକ ଦୃଷ୍ଟିକୋଣ ବ୍ୟତୀତ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ଏହି ବୃକ୍ଷର ମାନ୍ୟତା ଅଛି । ଏହାର କେତେକ ଅଂଶକୁ ବିଭିନ୍ନ ରୋଗର ଉପଶମ ନିମିତ୍ତ ବ୍ୟବହାର କରାଯାଇଥାଏ ।
  • ପୌରାଣିକ ବର୍ଣ୍ଣନା ଅନୁଯାୟୀ ପ୍ରଳୟ ପରେ କଳ୍ପ ଆରମ୍ଭରୁ ଏହି ବୃକ୍ଷ ରହିଥିବାରୁ ଏହା କଳ୍ପବୃକ୍ଷ ନାମରେ ଖ୍ୟାତ ।
  • କଳ୍ପବଟର ଆଉଏକ ବିଶେଷତ୍ୱ ହେଲା, ରଥଯାତ୍ରାପରେ ତିନି ବିଗ୍ରହ କୁର୍ମବେଢାରେ ପ୍ରବେଶ କରି କଳ୍ପବଟ ନିକଟରେ କିଛି ସମୟ ଅଟକିଯାଆନ୍ତି । ସେହିଠାରୁ ପତିମହାପାତ୍ର ପ୍ରଭୁଙ୍କୁ ଶ୍ରଦ୍ଧାର ସହ ମନ୍ଦିର ଭିତରକୁ ପାଛୋଟି ନିଅନ୍ତି । ଅର୍ଥାତ୍ କଳ୍ପବଟଙ୍କୁ ବନ୍ଦାପନା ନ ସରିବା ଯାଏଁଁ ମହାପ୍ରଭୁ ମନ୍ଦିର ଭିତରକୁ ଯାଆନ୍ତି ନାହିଁଁ ।[୬]

ପ୍ରାଚୀନତା[ସମ୍ପାଦନା]

ପୌରାଣିକ ମତରେ ବୃକ୍ଷଟି ଅନେକ କଳ୍ପର ପୁରୁଣା ଏବଂ ତାହା ପୁରାଣ ବର୍ଣ୍ଣିତ ସତ୍ୟ, ତ୍ରେତୟା, ଦ୍ୱାପର ଏବଂ ପରିଶେଷରେ କଳି ଯୁଗରେ ମଧ୍ୟ ରହିଛି । ଏହି ପବିତ୍ର ବୃକ୍ଷର ଜନ୍ମ ସମୟ ନିରୁପଣ କରିବା କଷ୍ଟକର ଅଟେ । କୁହାଯାଏ, ପ୍ରଳୟ ସମୟରେ ସମସ୍ତ ପୃଥିବୀ ଜଳମଗ୍ନ ହୋଇଯାଇଥିଲେ ହେଁ, କଳ୍ପବଟକୁ ନଷ୍ଟ ହୋଇପାରି ନ ଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Shankha-kshetra: Kalpabata Wish Fulfilling Tree". Retrieved 12 August 2015.
  2. "Kalpabata". Retrieved 12 August 2015.
  3. "Kalpa Bata". Archived from the original on 5 March 2016. Retrieved 12 August 2015.
  4. Tripathy, Dr. Prafulla Kumar. "Kalpabata" (PDF). Utkala Prasanga (July, 2015): 226–229. Retrieved 16 August 2015.
  5. Panda, Dr. Saroj Kumar. "Kalpabata:The age old wish fulfilling Tree" (PDF). Orissa Review (June-2009): 99–100. Retrieved 12 August 2015.
  6. Devi, Gangotri. "ଶ୍ରୀକ୍ଷେତ୍ରରେ କଳ୍ପବଟ ଉପାସନା". Utkala Prasanga. July 2016: 157–158. Retrieved 4 August 2016.