ଚନ୍ଦନଲାଗି ବେଶ
ଚନ୍ଦନଲାଗି ବେଶ | |
---|---|
ଅନ୍ୟ ନାମ | ଚନ୍ଦନ ବେଶ |
ପାଳନକାରୀ | ସମସ୍ତ ଜଗନ୍ନାଥ ମନ୍ଦିର |
ଆରମ୍ଭ | ଅକ୍ଷୟ ତୃତୀୟା (ବୈଶାଖ ଶୁକ୍ଳ ତୃତୀୟା) |
ଶେଷ | ସ୍ନାନପୂର୍ଣ୍ଣିମାର ପୂର୍ବଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) |
୨୦୨୪ ତାରିଖ | ୧୩ ମଇ - ୨୨ଜୁନ [୧] |
ସମ୍ପର୍କିତ | ଚନ୍ଦନ ଯାତ୍ରା |
ଶ୍ରୀମନ୍ଦିରରେ ଠାକୁରମାନଙ୍କ ଦୈନନ୍ଦିନ ନୀତି ମଧ୍ୟରେ ଚନ୍ଦନଲାଗି ବେଶ ଅନ୍ୟତମ । ପ୍ରତ୍ୟେହ ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କ ପୂର୍ବ ବେଶ ଓଲାଗି କରାଯାଇ ଚନ୍ଦନ ଲାଗି କରାଯାଇଥାଏ । ପ୍ରତ୍ୟେହ ରାତ୍ରି ୧୦ ଘଣ୍ଟା ସମୟରେ ଠାକୁରମାନଙ୍କ ମଇଲମ ଓ ଚନ୍ଦନ ଲାଗି ହେବା ନିୟମ । [୨]ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ଯୋଗାଯାଉଥିବା ଚନ୍ଦନ ଓ କର୍ପୂର ଇତ୍ୟାଦି ସୁଗନ୍ଧି ଦ୍ରବ୍ୟ ଘଟୁଆରୀ ନେଇ ଶିଳରେ ଘୋରି ମୁଦୁଲିଠାରୁ ନେଇଥିବା ୩ ଗୋଟି ରୂପା ପିଙ୍ଗଣରେ ରଖେ । ମଇଲମ ବଢିବା ପରେ ପାଳିଆ ମେକପ ହାତଧୋଇ ଘଟୁଆରୀଠାରୁ ଉକ୍ତ ରୂପା ପିଙ୍ଗଣ ୩ ଗୋଟି ନେଇ ସିଂହାସନ ନିକଟକୁ ଯିବା ସମୟରେ ପାଳିଆ ପ୍ରତିହାରୀ ଆଗରେ ବେତ ଧରି ଆଡେଇ ଯାଆ ଆଡେଇ ଯାଆ କହି ସିଂହାସନ ସମ୍ମୁଖକୁ ଯାଇଥାନ୍ତି । ଏହା ପରେ ଗରାବଡୁ ପାଳିଆ ପୁଷ୍ପାଳକମାନଙ୍କୁ ହାତ ଧୋଇବାକୁ ପାଣି ଦେଇଥାନ୍ତି । ପାଳିଆ ମେକାପ ପିଙ୍ଗଣ ନେଇ ୩ ବାଡ଼ରେ ସିଂହାସନ ଉପରେ ରଖନ୍ତି । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କ ଚନ୍ଦନକୁ ସଂସ୍କାର ପୂର୍ବକ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପାଖରେ ପାଳିଆ ଖୁଣ୍ଟିଆ ବେତ ବାଡି ଧରି ମଣିମା ଡାକ ଦେଉଥାନ୍ତି । ହଡ଼ପ ନାଏକ ଠାକୁରମାନଙ୍କୁ ବିଡିଆ ମଣୋହି କରାଇଥାନ୍ତି ।
ପ୍ରତିଦିନ ଅନୁଷ୍ଠିତ ହେଇଥିବା ଚନ୍ଦନ ଲାଗି ବେଶ ବ୍ୟତିତ ଚନ୍ଦନ ଯାତ୍ରା ସମୟରେ ଠାକୁରମାନଙ୍କର ବିଶେଷ ବା ସ୍ୱତନ୍ତ୍ର ଧରଣର ଚନ୍ଦନ ଲାଗି ବେଶ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଦୀର୍ଘ ୪୨ ଦିନ ଅର୍ଥାତ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।[୩][୪] ଏହି ୪୨ ଦିନ ମଧ୍ୟରୁ ପ୍ରଥମ ୨୧ ଦିନକୁ ବାହାର ଚନ୍ଦନ ଓ ପରବର୍ତ୍ତୀ ୨୧ ଦିନକୁ ଭିତର ଚନ୍ଦନ କୁହାଯାଏ ।
ଅକ୍ଷୟ ତୃତୀୟା ପୂର୍ବଦିନ ରାତ୍ର ଚନ୍ଦନ ଲାଗି ନୀତି ଶେଷ ହେବାପରେ ପାଳିଆ ମେକପ ରାଘବ ଦାସ ମଠ ଦେଇଥିବା ସାଢେ ସାତ ସେର ଚନ୍ଦନ ତିନି ଗୋଟି ରୂପା ପିଙ୍ଗଣରେ ଓ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସାଢେ ସାତ ସେର ଚନ୍ଦନ ପରଖରେ ରଖି ଭୋଗମଣ୍ଡପ ପାଖକୁ ନେଇଥାନ୍ତି । ଅକ୍ଷୟ ତୃତୀୟା ଦିନ ସକାଳୁ ଧୂପ ସାରିବା ଉତ୍ତାରେ ରତ୍ନ ସିଂହାସନରେ ତିନି ବାଡ଼ରେ ମଇଲମ ହୋଇ ମହାସ୍ନାନ ବଢେ । ଏହା ପରେ ପୂର୍ବଦିନ ଅଧିବାସ ହୋଇଥିବା ଚନ୍ଦନଙ୍କୁ ଭୋଗମଣ୍ଡପ ଘରଠାରୁ ପୂଜାପଣ୍ଡା,ପତିମହାପାତ୍ର,ମୁଦିରସ୍ତ ଓ ଭିତର ମଇଲମ ବଢାଇଥିବା ପାଳିଆ ପୁଷ୍ପାଳକ ଏହିପରି ୬ ଜଣ ସେବକ ଯାଇ ପିଙ୍ଗଣମାନଙ୍କୁ ଘଣ୍ଟ,ଛତା,କାହାଳି ସହିତ ତଳିଚ୍ଛ ପଟୁଆର ହୋଇ ବଡ଼ ଦେଉଳକୁ ତିନି ଘେରା ପରିକ୍ରମା କରାଇ ଭିତର ସିଂହାସନ ଉପରେ ତିନି ବାଡ଼ରେ ରଖନ୍ତି । ପରଖରେ ଥିବା ଚନ୍ଦନ ପାଳିଆ ମେକାପ ସିଂହାସନ ଉପରେ ରଖନ୍ତି । ଏହାପରେ ଭିତର ପାଣି ପଡ଼ି ଶୀତଳ ଭୋଗ ହୋଇଥାଏ । ଭୋଗ ଶେଷ ପରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ସଂମ୍ପୂର୍ଣ୍ଣ ଚନ୍ଦନ ଲାଗି ହୋଇଥାଏ । ବିଶେଷତଃ ଏହି ୪୨ ଦିନ ଯାକ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଆଲଟ କରାଯାଏ । [୫]
ଆଧାର
[ସମ୍ପାଦନା]- ↑ "Panchang, Panchangam for Bhubaneshwar, Orissa, India". drikpanchang.com. 2013. Retrieved 19 May 2013.
Chaturdashi, Jyaishta, Shukla Paksha, 2070 Vikram Samvat
- ↑ http://www.iskcondesiretree.net/profiles/blogs/jagannath-vesha-with-details-1
- ↑ "ଆର୍କାଇଭ୍ କପି". Archived from the original on 2015-06-12. Retrieved 2012-12-25.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2013-01-17. Retrieved 2012-12-25.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/e-magazine/Orissareview/2012/June/engpdf/14-24.pdf
ଅଧିକ ତଥ୍ୟ
[ସମ୍ପାଦନା]- Cool Lord
- ଜଗନ୍ନାଥଙ୍କ ବିଭିନ୍ନ ବେଶର ଛବି
- ଜଗନ୍ନାଥଙ୍କ ବିଭିନ୍ନ ବେଶର ଛବି Archived 2013-03-25 at the Wayback Machine.