Jump to content

ମେଘନାଦ ପ୍ରାଚୀର

ଉଇକିପିଡ଼ିଆ‌ରୁ
(ମେଘନାଦ ପାଚେରୀରୁ ଲେଉଟି ଆସିଛି)
ମେଘନାଦ ପ୍ରାଚୀର

ଜଗନ୍ନାଥ ମନ୍ଦିର ଚାରିଦିଗରେ ଚାରିଦ୍ୱାର (ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତିଦ୍ୱାର, ଅଶ୍ୱଦ୍ୱାର) ଏବଂ ଏହାର ଚତୁଃପାର୍ଶ୍ୱରେ ବାହ୍ୟ ପ୍ରାଚୀର ସାଙ୍ଗକୁ ଭିତର ପ୍ରାଚୀର ରହିଛି । ଏହି ବାହାର ପ୍ରାଚୀର ହେଉଛି ମେଘନାଦ ପ୍ରାଚୀର ଏବଂ ଭିତର ପ୍ରାଚୀର ହେଉଛି କୁର୍ମ ବେଢା ବା କୁର୍ମ ପ୍ରାଚୀର । ମେଘନାଦ ପ୍ରାଚୀରର ଦୈର୍ଘ୍ୟ ପୂର୍ବରୁ ପଶ୍ଚିମକୁ ୬୬୫ଫୁଟ ଏବଂ ଓସାର ଉତ୍ତରରୁ ଦକ୍ଷିଣକୁ ୬୪୦ଫୁଟ । ମେଘନାଦ ପ୍ରାଚୀରଟି ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ । ତେବେ କୁର୍ମ ପ୍ରାଚୀରର ଦୈର୍ଘ୍ୟ ପୂର୍ବରୁ ପଶ୍ଚିମକୁ ୪୦୦ ଫୁଟ ଏବଂ ଓସାର ଉତ୍ତରରୁ ଦକ୍ଷିଣକୁ ୨୭୮ ଫୁଟ । କୁର୍ମ ବେଢା ଏବଂ ମେଘନାଦ ପ୍ରାଚୀରର ଉଚ୍ଚତା ପ୍ରାୟ ଏକାଭଳି । ତେବେ କୁର୍ମ ପ୍ରାଚୀରର ମୋଟେଇ ହେଉଛି ମେଘନାଦ ପ୍ରାଚୀରର ମୋଟେଇଠାରୁ କମ୍‌ ଅର୍ଥାତ୍ ମାତ୍ର ପାଞ୍ଚ ଫୁଟ ।[][]

ଇତିହାସ

[ସମ୍ପାଦନା]

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ କେବଳ ମୂଳ ମନ୍ଦିରଟି ତିଆରି ହୋଇଥିବାର ପ୍ରମାଣ ମିଳେ । ପରବର୍ତ୍ତୀ ସମୟରେ ମେଘନାଦ ପ୍ରାଚୀର, ମୁଖ ଶାଳା, ନାଟ ମଣ୍ଡପ ଇତ୍ୟାଦି ତିଆରି ହୋଇଛି ।[][]

ବିଶେଷତ୍ୱ

[ସମ୍ପାଦନା]
  • ମୁଖ୍ୟ ମନ୍ଦିର ନିର୍ମାଣର ପରବର୍ତ୍ତୀ କାଳରେ ମରହଟ୍ଟା ଶାସନ ଅମଳରେ ଏହି ପ୍ରାଚୀର ନିର୍ମାଣ ହୋଇଥିବାର ଜଣାଯାଏ । ଅନ୍ୟ ଏକ ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ ।
  • ମେଘନାଦ ପ୍ରାଚୀରର ମହିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ତାଙ୍କ ଐତିହାସିକ ରାୟରେ, ଏହି ପାଚେରୀ ନିକଟରେ ଏହାଠାରୁ ଉଚ୍ଚ ଆଉ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ଆଦେଶ ଦେଇଛନ୍ତି ।[]

କିମ୍ବଦନ୍ତି

[ସମ୍ପାଦନା]

ଜଗନ୍ନାଥ ବରୁଣଙ୍କ କନ୍ୟା ଲକ୍ଷ୍ମୀଙ୍କୁ ବିବାହ ପରେ ଶ୍ୱଶୁର ବରୁଣ ଅର୍ଥାତ ସାଗରଦେବତାଙ୍କ ସହ ମତାନ୍ତର ହୋଇଥିଲା । ଜଗନ୍ନାଥ ସାଗର କୂଳରେ ମନ୍ଦିର ତୋଲାଇ ରହିଥିବାରୁ ସମୁଦ୍ରଗର୍ଜନ ମନ୍ଦିର ଭିତରକୁ ନପଶିବା ପାଇଁ ମେଘନାଦ ପ୍ରାଚୀର ନିର୍ମାଣ କରାଇଥିଲେ ।

ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ:

ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ । ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।୧୮୪।
ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ । ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ।୧୮୫।
ଜଗନ୍ନାଥ କ‌ହୁଛନ୍ତି କୋପଭର ହୋଇ । ବାପ ତୋ ଲୁଣିଅା ଯେ ଗରଜି ମରୁଥାଇ ।୧୮୬।
ଝିଅ ଟେରୀ ତୋ ଦୁର୍ଗୁଣ କ‌ହିଲେ ନ ସରେ । ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ।୧୮୭।
ଚାରିପାଖେ ମେଘନାଦ ପାଚେରୀ ତୋଳାଇ । ବଡ଼ ଦେଉଳରେ ରହିଅଛ ଦୁଇ ଭାଇ ।୧୮୮।

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "About Puri". Archived from the original on 24 February 2015. Retrieved 8 September 2015.
  2. "Interesting facts about Jagannath temple at Puri, Odisha". Retrieved 8 September 2015.
  3. "Meghanada pracheri". Retrieved 7 September 2015.
  4. "Amazing facts about Lord Jagannath". Archived from the original on 8 September 2015. Retrieved 7 September 2015.
  5. "'Meghnad Pachery' to retain its majesty". The Hindu. March 20 2012. Retrieved 8 September 2015. {{cite news}}: Check date values in: |date= (help)