ପତି ମହାପାତ୍ର

ଉଇକିପିଡ଼ିଆ‌ରୁ

ପତି ମହାପାତ୍ର ଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ ଅନ୍ୟତମ । ସେମାନେ ବିଦ୍ୟାପତି ବ୍ରାହ୍ମଣ ମନ୍ତ୍ରୀଙ୍କର ବଂଶଧର ଅଟନ୍ତି । [୧]

କାର୍ଯ୍ୟ[ସମ୍ପାଦନା]

ଦୈନିକ ସେବା ବ୍ୟତୀତ ରଥଯାତ୍ରା ବେଳେ ଏହି ସେବକଙ୍କର ବିଶେଷ କାର୍ଯ୍ୟ ମଧ୍ୟ ରହିଛି । ମନ୍ଦିର ଆଳତୀ ବେଳେ ମଧ୍ୟ ଏମାନଙ୍କର କାର୍ଯ୍ୟ ବିଶେଷ ମର୍ଯ୍ୟାଦା ସଂପନ ଅଟେ ।

ଭିନ୍ନ ଭିନ୍ନ ତଥ୍ୟ[ସମ୍ପାଦନା]

ଐତିହାସିକ ତଥ୍ୟ ଅନୁସାରେ ପତି ମହାପାତ୍ରମାନେ ମଧପ୍ରଦେଶର (ଛତିଶଗଡ଼) ରତ୍ନ ପୁରରେ ରହି ଜଗନ୍ନାଥଙ୍କ ବିଗ୍ରହ ଉପରେ ଉଠିଥିବା ପବିତ୍ର ବୃକ୍ଷର ପୂଜା କରୁଥଲେ । ଏଥୁରୁ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ପତି ମହାପାତ୍ର ସେବକଙ୍କ ଆମ୍ଭୀୟତାର ପ୍ରମାଣ ମିଳେ । ଜଗନ୍ନାଥ ମହାପ୍ରଭୁଙ୍କ ବଂଶଧର ରୂପେ ସାରା ରାଜ୍ୟରେ ପତି ମହାପାତ୍ରମାନେ ସମ୍ମାନିତ ହୋଇଥାନ୍ତି । ସ୍ୱର୍ଗତଃ ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସ୍ୱତ୍ତ୍ୱଲିପି ୧୯୫୫ରେ ପତି ମହାପାତ୍ରଙ୍କ ସେବା ବିଷୟରେ ଏପରି ଭାବରେ ଲେଖାଯାଇଛି ।

"ପତି ମହାପାତ୍ରଙ୍କ ସେବାର ବିବରଣୀ -

ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି, ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ, ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ, ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ, ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ୱାର ଓ ତାଟିଦ୍ୱାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦଲାଗି, ପଣା ଲାଗି, ଖଡ଼ି ଲାଗି, ଖଳି ଲାଗି, ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି ।"

ପୁରୁଷୋଭମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି ।

"ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇ ଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ନିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ୱାରେ ତଳୁଛ ପତି ଦଇତାପଣେ ଲଗ। ଶାଢ଼ୀ ପାଇବେ । ଦାରୁ କାଟିବାକୁ ମାଂଗଳ ବିଜେ କାଳେ ଶିରେ।ପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବ । ପରମ ଗହନ କାର୍ଯ୍ୟ କରିବ । ବ୍ରହ୍ନ ଆଣିବାକୁ ଯଥା ସୁନିଆଁ ନେବ । ବ୍ରହ୍ନ ତୁଳସୀ ଦେବ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସ। ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ୱର ବାଡ଼େ ଆଳତୀ କରିବେ "।

ପ୍ରଫେସର ବଂଶୀଧର ମହାନ୍ତି ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖିଛନ୍ତି ।

"ପତି ମହାପାତ୍ର ନୃସିଂହଙ୍କୁ ସେବା କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ସାରା ପର୍ବପର୍ବାଣି ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ ମଝିବାଡ଼ରେ କାମ କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ନବକଳେବର ବେଳେ ତିନିବାଡ଼ରେ ଆଜ୍ଞାମାଳ ନେଇ ଦାରୁ ଅନ୍ୱେଷଣରେ ଯାଆନ୍ତି । ବନଯାଗରେ ବିଦ୍ୟାପତି ରୂପେ ବରଣ ହୁଅନ୍ତି । ନବକଳେବର ବେଳେ ପ୍ରଥମେ କୁରାଢ଼ି ନେଇ ଦାରୁରେ ଲଗାନ୍ତି । ପରେ ଅନ୍ୟମାନେ କାଟନ୍ତି । ସୁଦର୍ଶନଙ୍କର ସମସ୍ତ କାମ କରନ୍ତି ।

ନବକଳେବରରେ ପତି ମହାପାତ୍ରଙ୍କ ଭୂମିକା[ସମ୍ପାଦନା]

ନବକଳେବର ସମୟରେ ତିନିବାଡ଼ର ଆଜ୍ଞାମାଳ ବାହାର କରି ତିନିବାଡ଼ରେ ଦଇତାଙ୍କୁ ଦେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି ।[୨] ଭିତରଛୁଙ୍କଠାରୁ ଅଣସର ପିଣ୍ଡିରେ ଶାଢ଼ୀ ପାଇଁ ବାହାରନ୍ତି । ସେ ବନଯାଗରେ ବିଦ୍ୟାପତି ବରଣ ହୁଅନ୍ତି । ବନଯାଗ ପରେ ସୁନା କୁରାଢ଼ି ନେଇ ପ୍ରଥମେ ନିର୍ଦିଷ୍ଟ ଗଛରେ ଲଗାନ୍ତି । ତା’ପରେ ଯାଇ ଅନ୍ୟମାନେ କାଟନ୍ତି । ଦାରୁ ଆଣିବା ପରେ ତାକୁ ଭୋଗ କରନ୍ତି । ଦକ୍ଷିଣ ଘରୁ ନୃସିଂହ ନେଇ ଦାରୁ ଘରେ ନୃସିଂହ ମଣ୍ଡପରେ ବିଜେ କରାଇ ସେ ରହିବା ଦିନରୁ ତାକୁ ପୂଜା କରନ୍ତି । ସେ ଘଟ ପରିବର୍ତ୍ତନ ସେବା ସହିତ ବିସର୍ଜନ ସେବା ମଧ୍ୟ କରନ୍ତି ।[୩] ମହାଜନ ହିସାବରେ ବିଛା ମାସରେ ଦକ୍ଷିଣଘର ସେବା ଓ ମହାଜନ ସେବା କରନ୍ତି । ଅଣସରଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାଙ୍କ ସହିତ ମିଶି କାର୍ଯ୍ୟ କରନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଜଗନ୍ନାଥଙ୍କ ଶ୍ରେଷ୍ଠ ସେବକ-ପତି ମହାପାତ୍ର"ଉତ୍କଳ ପ୍ରସଙ୍ଗ-ଜୁଲାଇ,୨୦୦୫(ପିତାମ୍ବର ପ୍ରଧାନୀ)Pages 91-93
  2. Dash, Trilochan. Story of Lord Sri Jagannatha in Srimandira at Sri Purusottam Kshetra. p. 239.
  3. Odisha suntimes bureau. "Only Pati Mohapatra entitled to do Ghata Parivartan: Mukti Mandap". Retrieved 21 September 2015.