ଗଉରୀ ବେତ

ଉଇକିପିଡ଼ିଆ‌ରୁ

ପ୍ରତି ଧୂପ ପୂର୍ବରୁ ଜଗନ୍ନାଥ ମନ୍ଦିରରେ ଛେକ ବିଜେ ହୁଏ । ଛେକ ଆଗରେ ଥାନ୍ତି ଜଣେ ପ୍ରତିହାରୀ ସେବକ । ସେହି ସେବକ ଜଣକ ହାତରେ ଧରିଥାନ୍ତି ୨ଖଣ୍ଡ ବେତ ବା "ଜାଉଁଳି ବେତ" । ଏହି ବେତକୁ କୁହାଯାଏ ଗଉରୀ ବେତ[୧] ଏହି ବେତ ଧରି ଯିବା ସମୟରେ ସେ "ଆଡ଼ିଆ ଆ ରୁହ" ବା "ଆଡ଼ିଆ ହୋ" ବୋଲି ଡାକ ପକାନ୍ତି ।

ଲୋକ ବିଶ୍ୱାସ[ସମ୍ପାଦନା]

ଗଉରୀ ବେତ ଅନେକ ଶକ୍ତିର ଆଧାର ବୋଲି ତନ୍ତ୍ର ଶାସ୍ତ୍ରରେ ରହିଛି । ଏହା ଏକ ତନ୍ତ୍ରସିଦ୍ଧ ବେତ ବୋଲି ମଧ୍ୟ କୁହାଯାଏ । ଗ୍ରାମ ଦେବତୀ ବା ଦେବୀ ପାର୍ବତୀ ନିର୍ଜନ ରାତିରେ ବିଜେ ବେଳେ ଏହି ବେତ ଧରନ୍ତି ବୋଲି ଲୋକ ବିଶ୍ୱାସ ରହିଛି ।

କିମ୍ବଦନ୍ତୀ[ସମ୍ପାଦନା]

ଗୋପାଳ ଉଗାଳରେ ଏହି ବେତର ଉତ୍ପତ୍ତି ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଶ୍ରେତରାଜାଙ୍କ ଯଜ୍ଞ ଶେଷରେ ଯଜ୍ଞକୁଣ୍ଡରୁ 'ବେତ' ଓ 'ବେନୁବୃକ୍ଷ' ଉତ୍ପନ୍ନ ହୋଇଥଲା । ସ୍ୱୟଂ ପ୍ରଜାପତି ବ୍ରହ୍ମା ସେହି ବେତକୁ ବିଶ୍ୱକର୍ମାଙ୍କଦ୍ୱାରା କଟାଇ ବାଣ୍ଟିଥଲେ । ପ୍ରଥମ ବେତଟିକୁ ଗୌରୀ ଦେଇଥଲେ । ଅନ୍ୟ ଦୁଇଖଣ୍ଡ ବେତକୁ ଜୟ ଓ ବିଜୟଙ୍କୁ ଦେଲେ । ଜୟ ଓ ବିଜୟ ଦୁଇଖଣ୍ଡ ବେତ ଧରି ଶ୍ରୀବିଷ୍ଣୁଙ୍କ ଦ୍ୱାରରେ ଜଗୁଆଳି ହେଲେ । ଗଉରୀଙ୍କ ବେତକୁ ପ୍ରତିହାରୀମାନେ ଧାରଣ କରିଥାନ୍ତି ।

ପୂଜା ଓ ବିଧି[ସମ୍ପାଦନା]

ଗଉରୀ ବେତକୁ ତନ୍ତ୍ର ସିଦ୍ଧ କରାଯାଏ । ପ୍ରତିବର୍ଷ ଦୁର୍ଗୋତ୍ସବରେ ଭାବେ ବେତକୁ ଘରେ ବସାଇ ପୂଜା କରାଯାଏ । ଏହା ସମ୍ମୁଖରେ ଶୀତଳ ଭୋଗ କରାଯାଏ । ଦୁର୍ଗାଙ୍କ ଶଙ୍ଖୁଡ଼ି ଭୋଗ ବେଳେ ଏହି ବେତକୁ ଖଣ୍ଡୁଆ ଘୋଡାଇ ଦିଆଯାଏ । ଦଶହରା ଦିନ ପୂଜାରୁ ଉଠାଯାଏ ଓ ବେତଯୋଡ଼ିକ ଆଣି ମହାଭୈରବ ରୂପି ଜଗନ୍ନାଥ ବିଜେ କରିଥିବା ରତ୍ନସିଂହାସନରେ ସ୍ପର୍ଶ କରାଯାଏ । ଏହାକୁ ମନ୍ତ୍ର ଓ ତନ୍ତ୍ର ପଦ୍ଧତିରେ ପୂଜା କରାଯାଉଥବା ଅନେକ କୁହନ୍ତି । ଏହି ବେତ ବାଡ଼ି ପ୍ରତିହାରୀ ସେବକଙ୍କ ଆୟୁଧ ବୋଲି ମଧ୍ୟ କେତେକ କହନ୍ତି । ପ୍ରତିଦିନ ପ୍ରତିହାରୀ ସେବକମାନେ ବାଡ଼ି ଧରି ଆସି ପ୍ରଥମେ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ‘ମଣିମା, ମଣିମା' ଡାକନ୍ତି । ଏହାପରେ ନିଜ ସେବା ଆରମ୍ଭ କରନ୍ତି । ଏହି ବେତକୁ ସିଦ୍ଧ ବେତ ବୋଲି କେତେକ କହନ୍ତି । କଥିତ ରହିଛି - "କାଳିଆ ଦୁଆର ବେତବାଡ଼ି, ବାଜିଲେ ପାତକ ଯାଏ ଛାଡ଼ି" ।

ଆଧାର[ସମ୍ପାଦନା]

  1. "ଗଉରୀ ବେତ". ପ୍ରମେୟ. ୩୦ ମଇ ୨୦୧୫. Archived from the original on 5 March 2016. Retrieved 2 September 2015. {{cite news}}: Check date values in: |date= (help)

ବାହାର ଲିଙ୍କ[ସମ୍ପାଦନା]