Jump to content

ଝୁମର

ଉଇକିପିଡ଼ିଆ‌ରୁ

ଏକ ପୁରାତନୀ ଲୋକସଂଗୀତ ତଥା ବର୍ତ୍ତମାନର ଜାତୀୟ ସାଂସ୍କୃତିକ ଜୀବନରେ ବିଶିଷ୍ଟ ଲୋକଗୀତ ହେଉଛି ‘ଝୁମର’ । ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆସାମ ଆଦି ପ୍ରଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏହି ଲୋକ ସଂଗୀତର ଆବେଦନ ଓ ଆକର୍ଷଣ ଅଧୁନା ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି ।


ସମୀକ୍ଷା

[ସମ୍ପାଦନା]

ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ପାର୍ବତ୍ୟ ଅଞ୍ଚଳ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ପ୍ରଭୃତି ଉପାନ୍ତ ଅଞ୍ଚଳସ୍ଥ ମାନଭୂମି, ବୀରଭୂମ, ସିଂହଭୂମ, ବାଙ୍କୁଡ଼ା, ପୁରୁଲିଆ, ଶିଖରଭୂମ, ରାଞ୍ଚି, ଛୋଟନାଗପୁର ଆଦି ସ୍ଥାନମାନଙ୍କରେ ଝୁମର ସଙ୍ଗୀତର ଅସପତ୍ନ ପ୍ରଭାବ ଦେଖିବାକୁ ମିଳେ । ସ୍ଥାନ ଭେଦରେ ଏହାର ରୂପ, ଲୟ, ପ୍ରକାଶଭଙ୍ଗୀରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ସତ ; ମାତ୍ର ଏହା ଏତେ ମାତ୍ରାରେ ଭିନ୍ନ ନୁହେଁ, ଯାହା ଅନ୍ୟ ଝୁମର ସହିତ ଥିବା ସମ୍ପର୍କକୁ ଅସ୍ୱୀକାର କରିବ । ତଥାପି ପ୍ରତ୍ୟେକ ପ୍ରଦେଶରେ ସେଗୁଡ଼ିକର ସ୍ୱାତନ୍ତ୍ର୍ୟ ଅଲଗା । ତେଣୁ କୁହା ଯାଇପାରେ – ଆସାମରେ ‘ବିହୁ’, ଉତ୍ତରପ୍ରଦେଶର ‘ଚୈତ୍ରୀ’ ଓ ‘କାଜ୍‌ରୀ’, ଜମ୍ମୁ-କାଶ୍ମୀରର ‘ଭୋଗ୍‌ରୀ’ ଭଳି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରର ଲୋକଗୀତ ଭାବରେ ଝୁମର ବେଶ୍ ପ୍ରସଦ୍ଧି ଅର୍ଜନ କରିଛି ।


ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼ ପ୍ରଭୃତି ଅଞ୍ଚଳର ପ୍ରମୁଖ ଲୋକସଂଗୀତ ଭାବରେ ଝୁମର ବେଶ୍ ପରିଚିତ । ବିଶେଷତଃ ନିଜକୁ ‘ହଡ଼୍ ମିତାନ୍’ (୧) ସଂସ୍କୃତିର ଉତ୍ତରସାଧକ ବୋଲି ଉଦ୍‌ଘୋଷଣା କରୁଥିବା କୁଡ଼ୁମି ମହାନ୍ତମାନେ ନିଜକୁ ଆଦିବାସୀ ବୋଲି ଦାବି କରିବା ସହିତ ସାନ୍ତାଳମାନଙ୍କୁ ସାନଭାଇ ଭାବରେ ଜ୍ଞାନ କରିଥାନ୍ତି । ଆଲୋଚକଙ୍କ ଭାଷାରେ ‘‘ଏମାନେ ଗୋଟିଏ ବାପା ଓ ଦୁଇଟି ମାର ସନ୍ତାନ । ବଡ଼ ମାଆର ପିଲାମାନେ ହେଲେ କୁଡ଼ୁମି ଓ ଛୋଟମାଆର ସନ୍ତାନମାନ ହେଲେ ସାନ୍ତାଳ । ତେଣୁ ସାନ୍ତାଳମାନେ କୁଡ଼ୁମିମାନଙ୍କ ବଡ଼ଭାଇ ବୋଲି ସମ୍ବୋଧନ କରିଥାନ୍ତି । କେବେ ବି ନାମ ଧରି ଡ଼କାଡ଼କି ହୁଅନ୍ତି ନାହିଁ ।’’ (୨) କେହି କେହି ଏହି କୁଡ଼ୁମିମାନଙ୍କୁ ଖଣ୍ଡାୟତ ସଂପ୍ରଦାୟଭୁକ୍ତ କରିଥାନ୍ତି । ଏ ପ୍ରସଙ୍ଗ ଆଲୋଚନା ସାପେକ୍ଷ । ସେ ଯାହା ହେଉନା କାହିଁକି ଆଜି ଝୁମର କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ମଧ୍ୟରେ ଆବଦ୍ଧ ନ ହୋଇ ସର୍ବଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିପାରିଛି । ଉତ୍ତର ଓଡ଼ିଶାରେ କୁଡ଼ିମିମାନଙ୍କଦ୍ୱାରା ଏହି ଝୁମରର ବ୍ୟାପକ ପ୍ରଚାର-ପ୍ରସାରକୁ ଆଦୌ ଉପେକ୍ଷା କରାଯାଇ ନ ପାରେ । ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ପ୍ରାକୃତିକ ପରିବେଷର ମନୋଜ୍ଞ ଭୂମିରେ ଝୁମର ସଂଗୀତମାନ ଓ ନୃତ୍ୟକୁ ଯେ କେହି ନ ଦେଖିଲେ ତା’ର ମାଦକତାକୁ ଅନୁଭବ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ କେତେଗୋଟି ପର୍ଯ୍ୟାୟରେ ଝୁମରର ବିଭିନ୍ନ ପ୍ରସଙ୍ଗକୁ ନିମ୍ନରେ ଆଲୋଚନା କରାଯାଇପାରେ ।

‘ଝୁମର’ କହିଲେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଲୋକ ସଙ୍ଗୀତକୁ ହିଁ ବୁଝାଏ । ସାଦାରଣ ଭାବରେ ଦେଖିଲେ ଏହା ଏକ ଧ୍ୱନ୍ୟାତ୍ମକ ଶବ୍ଦ । ଝମ୍‌ଝମ୍‌ ଶବ୍ଦରୁ ଏହାର ସୃଷ୍ଟି । ପାଦରେ ଘୁଙ୍ଗୁରି ବାନ୍ଧି ସମୂହ ନୃତ୍ୟ କଲାବେଳେ ଝମ୍‌ଝମ୍‌ ଶବ୍ଦ ହୋଇଥାଏ । ସମ୍ଭବତଃ ଏହି ଧ୍ୱନିରୁ ଝୁମର ଶବ୍ଦ ଗୃହୀତ ହୋଇଥାଇ ପାରେ । ଆଲୋଚକ ଲଳିତ କୁମାର ମହାନ୍ତି ଏହି ପ୍ରସଙ୍ଗକୁ ମଧ୍ୟ ଗ୍ରହଣ କରିଛନ୍ତି ୧ ସେ କହନ୍ତି – ‘ଝୁମୁରା’ ନାଚରୁ ଏ ଶବ୍ଦର ସୃଷ୍ଟି । ଝୁମୁରା ନାଚର ମୁଖ୍ୟ ବିଷୟ ହେଲା ‘ଝମ୍‌ଝମ୍’ ତାଳ । ଏହି ତାଳ ବର୍ଷା ବର୍ଷିବା ପରି ଝମ୍‌ଝମ୍ ହୋଇ ବାଜିଥାଏ । ଘୁଙ୍ଗୁର ତିଆରି ହେବାରୁ ବହୁ ପୂର୍ବରୁ ନୃତ୍ୟ ସମୟରେ ନୃତ୍ୟକାରୀମାନେ ଏକପ୍ରକାର ଖୋଳପାରକୁ ପାଦ, ବାହୁ ଓ ଅଣ୍ଟାରେ ବାନ୍ଧି ନାଚୁଥିଲେ । ନାଚ ଓ ଗୀତର ତାଳେ ତାଳେ ସେଥିରୁ ‘ଝମ୍‌ଝମ୍’ ଶବ୍ଦ ବାହାରୁଥିଲା । କାଳକ୍ରମେ ଗେଣ୍ଡାର ମାଂସତକ ବାହାର କରି ତାକୁ କଣାକରି ଶୁଖାଇ ସେଗୁଡ଼ିକୁ ଘୁଙ୍ଗୁର ପରି ପାଦରେ ବାନ୍ଧୁଥିଲେ । xxx ତା’ସାଙ୍ଗକୁ ଲାଉତୁମ୍ବାରେ ‘ରୁଞ୍ଜ’ ଫଳକୁ ଭର୍ତ୍ତିକରି ଗୀତର ତାଳେ ତାଳେ ତୁମ୍ବାକୁ ହଲାଇବାରୁ ‘ଝମର’ ଶବ୍ଦ ବାହାରିବାକୁ ଲାଗିଲା। ତେଣୁ ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ଗୀତକୁ ‘ଝୁମର’ ଗୀତ ବୋଲି ଆଖ୍ୟାୟିତ କରାଗଲା।(୩)

ଓଡ଼ିଆ, ବଙ୍ଗଳା, ହିନ୍ଦୀ ଆଦି ଅଭିଧାନମାନଙ୍କରେ ‘ଝୁମର’ ମାତ୍ରା ବା ଛନ୍ଦ ଭାବରେ ଗୃହୀତ । କେତେକାଂଶରେ ତାହା ବୃତ୍ତ ବା ରାଗିଣୀ ଭାବରେ ମଧ୍ୟ ପରିଚିତ । ଝୁମର ଗବେଷକ ଆଦିକନ୍ଦ ମହାନ୍ତ ‘ଝୁମର’ ସମ୍ପର୍କରେ ମତଦେଇ କହନ୍ତି- ‘‘ଝୁମର ଶବ୍ଦର ଶାବ୍ଦିକ ଶାସ୍ତ୍ରୀୟ ବ୍ୟାଖ୍ୟାକୁ ଲକ୍ଷ୍ୟ କଲେ ଜଣାଯାଏ – ଝରୟତି/ ଝୁରାୟତେ ଇତି ଝୁମର । ସୁଖଦୁଃଖରେ ସମଦର୍ଶୀ ସ୍ଥିତପ୍ରଜ୍ଞ ରହି ବିଭୁଉକ୍ତିରେ ତଦ୍‌ଗତ ପ୍ରାଣୀ ହୋଇ ଝୁରି ଝୁରି ମର ଶରୀରକୁ ଅମରତ୍ୱ ଆଡ଼କୁ ନେବାର ସ୍ୱର ଝଙ୍କା ହିଁ ଝୁମର ।’’ (୪)


ତେଣୁ ଏ ସମସ୍ତ ଆଲୋଚନାମାନଙ୍କରୁ ଏତିକି ସ୍ପଷ୍ଟ ହୁଏ ଯେ- କର୍ମକ୍ଳାନ୍ତ ମନହେଉ ଅଥବା ଆନନ୍ଦବିଧାନ ନିମନ୍ତେ ବିବିଧ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଝୁମି ନୃତ୍ୟ କରି ଗାନ କରୁଥିବା ଗୀତ ହିଁ ଝୁମର ଭାବରେ ପରିଚିତ । କେବଳ କୁଡ଼ୁମି ସଂପ୍ରଦାୟ କାହିଁକି ଏହା ଏକ ଜାତି ଓ ଦେଶର ସାଂସ୍କୃତିକ ପରମ୍ପରା ଓ ଅମୂଲ୍ୟ ସଂପଦ ଭାବରେ ପରିଚୟ ଲାଭ କରିଛି ।

ଝୁମରର ବିଭାଗୀକରଣ

[ସମ୍ପାଦନା]

ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚକମାନେ ‘ଝୁମର’କୁ ୩ ଭାଗେ ବିଭକ୍ତ କରିଅଛନ୍ତି । ଯଥା- (୧) ଦରବାରୀ ଝୁମର (୨) ଭାଦୁରିଆ ଝୁମର (୩) ରଙ୍ଗୀନ ଝୁମର ।

୧- ଦରବାରୀ ଝୁମର : ଯେଉଁ ଝୁମରଗୁଡ଼ିକ ରାଜ ଦରବାରରେ ସୃଷ୍ଟି ହୋଇଛି, ତାହା ଦରବାରୀ ଝୁମରର ନାମରେ ଅଭିହିତ । ଅଷ୍ଟାଦଶ ଶତାବ୍ଦୀରେ ରାଜା-ଜମିଦାରମାନେ ନିଜର ମନୋରଞ୍ଜନ ନିମେନ୍ତ ଦରବାରରେ ବିଭିନ୍ନ ନର୍ତ୍ତକୀ ଓ ନାଚୁଣୀମାନଙ୍କଦ୍ୱାରା ଏହି ଝୁମରକୁ ପରିବେଷଣ କରାଉଥିଲେ । ଶାସ୍ତ୍ରୋଚିତ ରାଗରାଗିଣୀ, ଅଳଙ୍କାର, ରସ ମଦିର ମଧୁର ସମନ୍ୱୟ ଏହି ଗୀତମାନଙ୍କରେ ଦେଖା ଯାଇଥାଏ । ଏହି ଝୁମର ପରିବେଷଣ କରିବାର ନିର୍ଦ୍ଦିଷ୍ଟ ସମୟ ରହିଛି । ଫାଲ୍‌ଗୁନ ମାସରୁ ଆଷାଢ ମାସ ପର୍ଯ୍ୟନ୍ତ ଦରବାରୀ ଝୁମରର ଗାୟନ କାଳ ।

୨-ଭାଦୁରିଆ ଝୁମର : ଏହି ଝୁମର ବିଶେଷତଃ କରମାଗୀତ ଉପରେ ପର୍ଯ୍ୟବସିତ । ଅଷ୍ଟାଦଶ ଶତାବ୍ଦବେଳକୁ ବୈଷ୍ଣବବାଦର ପ୍ରଭାବ ଫଳରେ ଏ ଭାଦୁରିଆ ଝୁମର ନାମରେ ପରିଚିତ ହେଲା । କରମାଗୀତର ଏହା ରୂପାନ୍ତର । ଏହି ଝୁମର ଓଡ଼ିଆ, କୁର୍ମାଳି, ବଙ୍ଗଳା, ନାଗପୁରିଆ, ମୁଣ୍ଡାରୀ, ହୋ, ଖୋର୍‌ଠା, ପାଜ୍ଞପରଗନିଆ ଆଦି ଭାଷାରେ ପରିଦୁଷ୍ଟ । ବର୍ଷାଋତୁ ଆରମ୍ଭରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଭାଦୁରିଆ ଝୁମର ପରିବେଷଣର ସମୟ ।

୩-ରଙ୍ଗୀନ ଝୁମର : ପୂର୍ବୋକ୍ତ ଝୁମର ଭଳି ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିଦୃଷ୍ଟ ହୁଏ ନାହିଁ । ଏହି ଝୁମର ସ୍ୱାଧୀନ ଭାବରେ ଗାନ କରାଯାଇଥାଏ । ବିଭିନ୍ନ ବିଷୟ ଓ ରାଗରାଗିଣୀ ମାଧ୍ୟମରେ ଲୋକ ଜୀବନର ଚଳଣି, ସାମାଜିକ ବିଧିବ୍ୟବସ୍ଥା ଆଦିର ରୂପଛବି ଏଥିରେ ପ୍ରକାଶ ପାଇଥାଏ । ତେଣୁ ଏହାର ସାହିତ୍ୟ ବା ରଚନାଗୁଡ଼ିକ ଲୋକଗୀତର ପର୍ଯ୍ୟାୟଭୁକ୍ତ । ରଙ୍ଗୀନ ଝୁମର ପରିବେଷଣ କରିବାରେ କୌଣସି ଋତୁ ବା ମାସର ଆବଶ୍ୟକତା ପଡ଼େ ନାହିଁ । ଏହା ବର୍ଷର ଯେକୌଣସି ସମୟରେ ଗାନ କରାଯାଇ ପାରେ ।

ମାର୍ଗଶିର ଓ ପୌଷମାସରେ ଫସଲ କ୍ଷେତ୍ରରେ ବ୍ୟସ୍ତ ରହିବା କାରଣରୁ ଏହି ସମୟରେ କୌଣସି ଝୁମର ଉପଭୋଗ୍ୟ ହୋଇପାରେ ନାହିଁ । ତେରୁ ଏହି ସମୟକୁ ଝୁମରର ବିରତି ସମୟ ଭାବରେ ଗ୍ରହଣ କରାଯାଇଥାଏ ।

ସେହିଭଳି ନୃତ୍ୟଭିତ୍ତିରେ ମଧ୍ୟ ଝୁମରର ବହୁ ବିଭାଗ ଦେଖିବାକୁ ମିଳିଥାଏ । ପାରମ୍ପରିକ ଏହି ଲୋକସଙ୍ଗୀତ ଗାୟନ ମଧ୍ୟରେ ବହୁ ନୃତ୍ୟର ମଧ୍ୟ ଭିଆଣ କରାଯାଇଛି । ତେଣୁ ଝୁମର କେବଳ ଲୋକଗୀତ ମଧ୍ୟରେ ସୀମିତ ରହିନାହିଁ; ନୃତ୍ୟରେ ମଧ୍ୟ ଅନୁରୂପ ପ୍ରଭାବ ବିସ୍ତାର କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏଠାରେ ପ୍ରକାଶଯୋଗ୍ୟ ଆଲୋଚ୍ୟ ଝୁମରଗୁଡ଼ିକ କୁର୍ମାଳି ଝୁମରର ପର୍ଯ୍ୟାୟଭୁକ୍ତ । ଯଦିଓ ଏହାର ବ୍ୟାପକ ସୀମା ରହିଛି, ତଥାପି ଆଲୋଚନାର ସରଳୀକରଣ ନିମନ୍ତେ, ଓଡ଼ିଆ, ମୈଥିଳୀ ଆଦି ଭାଷାରେ ପରିଦୃଷ୍ଟ କୁର୍ମାଳି ଝୁମର ଗୀତଗୁଡ଼ିକୁ ପ୍ରସଙ୍ଗକ୍ରମେ ଗ୍ରହଣ କରାଯାଇଛି । ଝୁମର ନୃତ୍ୟଗୁଡ଼ିକ ସାଧାରଣତଃ ଏକକ ବା ପଙ୍‌କ୍ତି ମାଧ୍ୟମରେ ପରିବେଷଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଝୁମର ନୃତ୍ୟର ବହୁ ବିଭାଗ ସୃଷ୍ଟି ହୋଇଛି । ଯଥା-ପାନ୍ତାଶାଲିଆ ଝୁମର, ନାଚୁଣୀ ଶାଲିଆ ଝୁମର, କାଠିନାଚିଆ ଝୁମର, ଜାଅଆ ନାଚିଆ ଝୁମର, ବିବାହକାଳୀନ ଝୁମର, ଔପାସନିକ ଝୁମର ,ସଖୀନାଚିଆ ଝୁମର, ମହଡ଼ା ନାଚିଆ ଝୁମର, ବୈଠକ ଝୁମର, ଛଉ ନାଚିଆ ଝୁମର।

୧-ପାନ୍ତାଶାଳିଆ ଝୁମର: ପଙ୍‌କ୍ତି ଶବ୍ଦରୁ ‘ପାନ୍ତା’ ଶବ୍ଦର ସୃଷ୍ଟି । ଏହା ସହିତ ଜଡ଼ିତ ସଙ୍ଗୀତକୁ ପାନ୍ତାଶାଲିଆ ଝୁମର କୁହାଯାଏ । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ‘କରମ ଦେବତା’ଙ୍କୁ ପୂଜା କରିବା ଅବସରରେ ସମବେତ ହୋଇ ଏହି ଝୁମର ପରିବେଷଣ କରାଯାଇଥାଏ ।

୨-ନାଚୁଣୀ ଶାଲିଆ ଝୁମର : ଏହା ଏକ ଝୁମର ଭାବେ ପରିଚିତ । ଜଣେ ନାରୀ ନର୍ତ୍ତକୀ ବା ନାଚୁଣୀଦ୍ୱାରା ଏହା ପରିବେଷଣ କରାଯାଇଥାଏ । ନାରୀ ଶିଳ୍ପୀର ଆବର୍ତ୍ତମାନରେ ପୁରୁଷ ଶିଳ୍ପୀ ଜଣକ ନାରୀବେଶ ହୋଇ ମଧ୍ୟ ଏହାକୁ ପରିବେଷଣ କରିଥାଏ । ବିବାହ, ଅନ୍ନପ୍ରାସନ, ସାମାଜିକ କ୍ରିୟାନୁଷ୍ଠାନ ଏବଂ ମନୋରଞ୍ଜନ ନିମନ୍ତେ ଏହି ନୃତ୍ୟ କରାଯାଇଥାଏ । ପଶ୍ଚିମ ଓଡ଼ିଶାର ‘ରସାରକେଲୀ’ ଏବଂ ରାଜସ୍ଥାନର ‘ଢପ୍‌’ ସହିତ ଏହାର ସାମ୍ୟ ପରିଲକ୍ଷିତ ହୋଇଥାଏ । ୩-କାଠି ନାଚିଆ ଝୁମର: କାଠି ବା ଲାଠି ସାହାଯ୍ୟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମର ସଙ୍ଗୀତ ଗାନ କରି ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଓଗାଳ, କୈସାବାଡ଼ି ନୃତ୍ୟ ସହିତ ଏହି ଝୁମର ନୃତ୍ୟର ସାମ୍ୟ ଦେଖାଯାଏ । ୪-ଜାଅଆ ନାଚିଆ ଝୁମର : ଜାଆଆ ଏକ ବ୍ରତ । କୁଡ଼ୁମି ସଂପ୍ରଦାୟର କୁମାରୀ କନ୍ୟାମାନେ ‘କରମ ଠାକୁର’ଙ୍କ ନିକଟରେ ଏହି ବ୍ରତ ରଖିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ‘କରମଠାକୁର’ଙ୍କୁ ପୂଜା କରିବା ଅବସରରେ କିଶୋରୀମାନେ ସମବେତ ହୋଇ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଝୁମର ଗୀତ ଓ ନୃତ୍ୟକୁ ପରିବେଷଣ କରିଥାନ୍ତି । ୫-ବିବାହକାଳୀନ ଝୁମର : ବିବାହ ଭଳି ସାମାଜିକ ଅନୁଷ୍ଠାନମାନଙ୍କରେ ଏହି ନୃତ୍ୟ ପରିବେଷଣ କରା ଯାଇଥାଏ । ଉଭୟ କନ୍ୟା ଓ ବରପକ୍ଷ ମଧ୍ୟରେ ବହୁ ଥଟ୍ଟା ପରିହାସ, ଆକ୍ଷେପ ଉକ୍ତି ମଧ୍ୟରେ ଏହି ଝୁମର ଗାନ କରାଯାଇଥାଏ । ୬-ଔପାସନିକ ଝୁମର : ନିଜର ଆାରାଧ୍ୟ ଦେବାଦେବୀଙ୍କ ଉପାସନା ନିମନ୍ତେ ପରିବେଷଣ କରା ଯାଉଥିବା ଝୁମର, ଔପାସନିକ ଝୁମର ନାମରେ ପରିଚିତ । ୭-ସଖୀ ନାଚିଆ ଝୁମର : ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଭାବ ଫଳରେ ଝୁମରରେ ରାଧାକୃଷ୍ଣ ଏବଂ ସେମାନଙ୍କ ସଖା-ସଖୀମାନଙ୍କର ଆବିର୍ଭାବ ଘଟିଲା । ପରେ ସେହି ସଖୀମାନଙ୍କୁ ଉପଜୀବ୍ୟ କରି ଏକ ନୂତନ ନୃତ୍ୟଶୈଳୀର ସୃଷ୍ଟି ହେଲା । ଯାହା ସଖୀନାଚିଆ ଝୁମର ନାମରେ ପରିଚିତ । ୮-ମହଡ଼ା ନାଚିଆ ଝୁମର : ‘ମହଡ଼ା’ ଅର୍ଥ ହେଉଛି ମୁଖା । ଏହି ନୃତ୍ୟରେ ବିଭିନ୍ନ ଦେବାଦେବୀ, ଅସୁର, ପଶୁପକ୍ଷୀମାନଙ୍କ ମୁଖା ବ୍ୟବହାର କରାଯାଇଥାଏ । ବୀର ରସ ପ୍ରକାଶ କରିବାରେ ଏହି ନୃତ୍ୟର ଯଥେଷ୍ଟ ପ୍ରଭାବ ରହିଛି । ରାବଣ ବଧ, ମହିଷାସୁରର ବଧ ଆଦି ଅଭିନୟ ଏହି ନୃତ୍ୟର ମୁଖ୍ୟ ଆକର୍ଷଣ । ୯-ବୈଠକୀ ଝୁମର : ଗ୍ରାମ ବୈଠକରେ ବସି ବିଭିନ୍ନ ସମ୍ବନ୍ଧରେ ତର୍ଜମା କରିବା ଅବସରରେ ଯେଉଁ ଝୁମର ନୃତ୍ୟ ପ୍ରଦର୍ଶିତ ହୋଇଥାଏ, ତାହା ବୈଠକୀ ଝୁମର ଭାବେ ପରିଚିତ । ଆଲୋଚନା-ପ୍ରତ୍ୟାଲୋଚନା ମାଧ୍ୟମରେ ବିବିଧ ଦର୍ଶନ, ଚିନ୍ତା, ସାହିତ୍ୟିକ ଆଭିମୁଖ୍ୟ, ଭକ୍ତିବାଦ ଆଦିକୁ ସ୍ଥାନିତ କରାଯାଇଥାଏ ଏଥିରେ । ୧୦-ଛଉନାଚିଆ ଝୁମର : ଛଉ ନୃତ୍ୟ ମାଧ୍ୟମରେ ଯେଉଁ ଝୁମର ପରିବେଷଣ ହୋଇଥାଏ, ତାହା ଛଉନାଚିଆ ଝୁମର ଭାବରେ ଖ୍ୟାତ । ପ୍ରକାଶଯୋଗ୍ୟ ‘ଛଉନୃତ୍ୟ’ ଆଜି ସମଗ୍ର ବିଶ୍ୱରେ ତା’ର ଅପୂର୍ବ କଳାକୁ ପ୍ରସାରିତ କରିପାରିଛି । ବିଶେଷତଃ ଛଉନୃତ୍ୟ ଉତ୍ତର ଓଡ଼ିଶା (ମୟୁରଭଞ୍ଜ)ର ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ତେଣୁ ଆଲୋଚକମାନେ ‘ଛଉ’କୁ ମୟୁରଭଞ୍ଜରର ସୁଯୋଗ୍ୟ ସନ୍ତାନ ଭାବରେ ଏବଂ ‘ଝୁମର’କୁ ଅଲିଅଳୀ କନ୍ୟାଭାବରେ ଗ୍ରହଣ କରିଥାନ୍ତି । ଆଜି ଝୁମର ଓ ଛଉ ସମୀଭୂତା ହୋଇ ଓଡ଼ିଶାର ଏକ ମୌଳିକ ତଥା ପାରମ୍ପରିକ ଲୋକନୃତ୍ୟ ଭାବରେ ପ୍ରତିଷ୍ଠିତ ହୋଇପାରିଛି । ଏଣୁ ଏ ସଂମ୍ପର୍କରେ କୁହାଯାଏ – ‘‘ନୃତ୍ୟ ଜଗତରେ ‘ଛଉନାଚ’ ଯେପରି ଏକ ବିଶିଷ୍ଟ ସମ୍ପଦ, ସଙ୍ଗୀତ ରାଜ୍ୟରେ ‘ଝୁମର’ ମଧ୍ୟ ଏକ ବିଶ୍ୱସ୍ତ ସମ୍ପଦ । x x ଛଉ ଓ ଝୁମର ଅଙ୍ଗାଙ୍ଗୀଭାବେ ଜଡ଼ିତ । ଛଉନାଚର ତାଣ୍ଡବ ଓ ଝୁମର ନୃତ୍ୟ ଲାସ୍ୟ ଉଭୟେ ପରିପୂରକ । ଛଉନୃତ୍ୟ ପୁରୁଷ ପ୍ରକୃତିରେ ଅଭିନୀତ ଓ ଝୁମର ନୃତ୍ୟ ନାରୀ ପ୍ରକୃତିରେ ଅଭିନୀତ । ଜଗତରେ ସୁନ୍ଦର ବସ୍ତୁମାନଙ୍କ ମଧ୍ୟରେ ଗୋଟିଏ ହେଲା ରମଣୀ ଓ ଅନ୍ୟଟି ରାଗିଣୀ । ଏହି ଦୁଇଟି ସୁନ୍ଦରର ସମାହାର ହେଲା ‘‘ଝୁମର’’ ଉତ୍ତର ଓଡ଼ିଶାର ଏକ ସାଂସ୍କୃତିକ ପରମ୍ପରା ।’’

ଝୁମରର ଯୁଗବିଭାଜନ

[ସମ୍ପାଦନା]

ସାହିତ୍ୟରେ ଯୁଗବିଭାଜନ ପରି ଝୁମରରେ ମଧ୍ୟ ଯୁଗବିଭାଜନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଆଲୋଚକମାନେ ଝୁମରର ଯୁଗବିଭାଜନ କରିଛନ୍ତି ।


ଯଥା- (୧) ଆଦିଯୁଗ (ପ୍ରାଚୀନରୁ ୧୭୫୦)

     (୨)      ମଧ୍ୟଯୁଗ (୧୭୫୦ – ୧୮୫୦)
     (୩)      ରୀତିଯୁଗ (୧୮୫୦-୧୯୫୦)
     (୪)      ରଙ୍ଗୀନଯୁଗ (୧୯୫୦ରୁ ଅଦ୍ୟାବଧି)

ଆଦିଯୁଗ (ପ୍ରାଚୀନରୁ ୧୭୫୦) : ଆଦିଯୁଗରେ ଝୁମରର ରୂପ ଲୋକଗୀତ ଧାରାରେ ଆବଦ୍ଧ ଥିଲା । କରମା ଗୀତ ସମ୍ବଳିତ ଝୁମର ଏହି ଯୁଗୀୟ ରଚନା । ପରେ ସପ୍ତଦଶ ଶତାବ୍ଦୀର ଶେଷଆଡ଼କୁ ବୈଷ୍ଣବ ଧର୍ମଦ୍ୱାରା ଏହା ପ୍ରଭାବିତ ହୋଇଛି । ଏହି କାଳର ଝୁମରର ରୂପ ନିମ୍ନମତେ ଲକ୍ଷଣୀୟ-


     କୁଳୁଥିରେ ବାଁକା କୁଳିଥି
     ଭୁଜେ ଲାଗଇ ଛଟକି ନନ୍ଦନ
     ଭୁଜଇତେ ଭୁଜଇତେ ନଣନ୍ଦ ପୋଡ଼ି ହେଲ
     ଲାଜେ ହୁଁ ନା ଗେଲାଇଁ ଶଶୁରାଲ
     ନି ଯାତିରେ ନନ୍ଦାସୁ ଭାଇ
     ନନ୍ଦ ମୋର ଫୁଲକେରୀ ହାର ।। (ଯାଓ୍ୱାଗୀତ)

ଏକ ସାଧାରଣ ଘଟଣାକୁ ନେଇ ଏହା ରଚିତ । ଏହି ଗୀତରେ କବି କହୁଛନ୍ତି- ସାଧାରଣତଃ କୋଳଥଫଳ ଦେଖିବାକୁ ବଙ୍କା । ସେହି ବଙ୍କା କୋଳଥକୁ ଭାଜୁ ଭାଜୁ ଛଟକି ନଣନ୍ଦ ପୋଡ଼ି ହେଲା। ଫଳତଃ ଲାଜରେ ଆଉ ଶ୍ୱଶୁର ଘରକୁ ଗଲା ନାହିଁ । ତା’ସ୍ୱାମୀ ନେବାକୁ ଆସିବା ବେଳେ ଭାଉଜ କହୁଛି – ‘‘ ହେ ନନ୍ଦସୁ ଭାଇ’ (ନଣନ୍ଦର ସ୍ୱାମୀ) ମୋର ନଣନ୍ଦ ଫୁଲଠାରୁ ଆହୁରି କୋମଳ । ସେ ପୋଡ଼ି ହୋଇଛି । ଏଣୁ ଯିବ ନାହିଁ ।’’ ଆଉ ଏକ ଉଦାହରଣ ମାଧ୍ୟମରେ – ଜଣେ ବିଳାସିନୀ ରମଣୀର କେଶ ପ୍ରସାଧନକୁ ଏଠାରେ ଲକ୍ଷ୍ୟ କରାଯାଇପାରେ –


‘‘ହାତ ଦାଁତକେ କାଁକୟା ସୁରଙ୍ଗିକା ତେଲ, ମଚିଆଇଁ ବସିଏ ବିରୁନ୍ ଝାଡ଼େ

     ଲାଗନ ବେଶେ, ବିରୁନ୍ କତିରଙ୍ଗ ।’’ (କରମ ଗୀତ)

ଅର୍ଥାତ୍ ‘‘ବିରୁନ୍ (ସ୍ତ୍ରୀର ନାମ) ଏକ ମାଁଚିଆ ଉପରେ ବସି ମୁଣ୍ଡରେ ସୁରଙ୍ଗି ତେଲ ଲଗାଉଛି ଏବଂ ହାତୀଦାନ୍ତ ପାନିଆରେ ନାନାଭଙ୍ଗୀରେ କେଶ ସଜାଉଛି ।’’


ମଧ୍ୟଯୁଗ (୧୭୫୦-୧୮୫୦) : ଏହି ସମୟରେ ବୈଷ୍ଣବବାଦ ଓ କବୀରବାଦର ପ୍ରଭାବ ପଡ଼ିଛି ଝୁମର ଉପରେ । ରାଧାକୃଷ୍ଣଙ୍କ ପ୍ରେମ, ମିଳନ, ବିଚ୍ଛେଦର କାହାଣୀ ଏଥିରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜା-ଜମିଦାରମାନଙ୍କ ପୃଷ୍ଠପୋଷକତା କାରଣରୁ ଏଥିରେ (ସଙ୍ଗୀତ, ନୃତ୍ୟ, ସାହିତ୍ୟ) ବହୁ ପରିବର୍ତ୍ତନ ମଧ୍ୟ ସଂଗଠିତ ହୋଇଛି । କରମାଗୀତ, ବାନ୍ଦରନାଚାଗୀତ, ଟୁସୁଗୀତ, ଡ଼ମକଚ ଆଦି ଏହି ଯୁଗୀୟ ଝୁମର ପର୍ଯ୍ୟାୟଭୁକତ । ଯଥା-

(କ) ଫୁଟିଲ ଡ଼ାଲିମେର ଫୁଲ, ନା ଧରିଲ କଷିରେ

     ଦୁଦିନ ପରୀତିର ଲାଗି ହଇଲାମ୍ ମୁଖ୍ ଦୋଷୀରେ ।
                                   (କରମାଗୀତ)

(ଖ) ‘‘କୋନ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ

        କୋନ ମହିନା ଆୟଃ ରାଞ୍ଚୀ ମେଲା ଲାଗେ ?
     ମାଗ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ
     ଫାଗୁନ ମହିଳା ଆୟଃ ରାଞ୍ଚୀ ମେଲା ଲାଗେ ।’’
                       (ଡ଼ମକଚ:ନାଗପୁରିଆ)


ଅର୍ଥାତ ଝିଅଟି ତା’ର ମା’କୁ ପଚାରୁଛି ‘‘ଆୟଃ (ମୁଣ୍ଡାରୀ ଭାଷାରେ ମା’କୁ ଆୟଃ କୁହାଯାଏ) ‘‘କେଉଁ ମାସରେ ବେଦବ୍ୟାସ ମେଳା ଲାଗେ ଏବଂ କେଉଁ ମାସରେ ରାଞ୍ଚି ମେଳା ଲାଗେ ? ଉତ୍ତରରେ ତା’ ମା କହୁଛି – ମାଘ ମାସରେ ବେଦବ୍ୟାସ ମେଳା ଓ ଫଗୁଣ ମାସରେ ରାଞ୍ଚୀମେଳା ଲାଗେ ।’’


ରୀତିଯୁଗ (୧୮୫୦-୧୯୫୦) : ଏହି ସମୟ ଝୁମର ଇତିହାସର ମହତ୍ତ୍ୱପୂର୍ଣ୍ଣ କାଳ । ଓଡ଼ିଆ ରୀତିଯୁଗୀୟ କବିମାନଙ୍କ ରଚନା ଭଳି ଏହି ସମୟର କିବିମେନ ଅଳଙ୍କାର, ରସ-ରୀତି ଆଦି ଶାସ୍ତ୍ରୀୟ ମର୍ଯ୍ୟାଦାରେ ନିଜର କାବ୍ୟନାୟିକାକୁ ଭୂଷିତ କରଅଛନ୍ତି । ଏହି କାଳରେ ଚିତ ଆଳଙ୍କାରିକ ଝୁମରଗୁଡ଼ିକୁ ପାଠକଲେ ତାହା ଭଞ୍ଜ, ଦୀନକୃଷ୍ଣ ଆଦିଙ୍କ କୃତିଦ୍ୱାରା ପ୍ରଭାବିତ ହେବାର ସ୍ପଷ୍ଟ ଅବଧାରଣା କରିହୁଏ । ବିଶେଷତଃ ଓଡ଼ିଶା ଓ ସିଂହଭୂମିର ଝୁମର କବିମାନେ ଶାସ୍ତ୍ରୋଚିତ ଅଳଙ୍କାର, ରସାଦିକୁ ଦକ୍ଷତାର ସହିତ ଉପସ୍ଥାପନ କରିପାରିଛନ୍ତି ଆପଣାର ଝୁମର ମାନଙ୍କରେ । ରୌଦ୍ରରସକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ରସର ପ୍ରୟୋଗ ଏହି ସମୟରେ ସୁଲଭ୍ୟ ହୋଇଛି । ବିଶେଷକରି ଶୃଙ୍ଗାର ରସର ପ୍ରାବଲ୍ୟ ସର୍ବପେକ୍ଷା ଅଧିକ ପରିଦୁଷ୍ଟ ହୋଇଥାଏ ଝୁମରମାନଙ୍କରେ । କେତୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ :

(କ) ‘‘ଆହାରେ ରମଣୀ ତୁମୋ ଶିରମଣି, ହୃଦୟକୁ ମଣି ଚାହାଁରେ

ତୋବିନେ ମଦନ କରୁଛି ଛେଦନ, କହିବି ବେଦନ କାହାରେ

ଚାହିଁ ଶୋଭାବନ ଯିବକି ଜୀବନ, ହେଉ ତୋ ଯୌବନ ସାହାରେ ।। ୧ ।।

ମାନି ମିନିତିକି ଘେନି ଭକତିକି, ତୋଷ ମତିକି ଉରହାରେ

କରିଣ ପୀରତି ରଖତୁ କୀରତି, ଦେଇଣ ସୁରତି ବିହାରେ

ତୋହର ସୁତନୁ, ପରଶୋ ଏତନୁ, ତରିବ ଅତନୁ ପ୍ରହାରେ ।। ୨ ।।


ସାରସ ବଦନା, କରକ ରଦନା, ଘେନେମୋ ବେଦନା ଗୁହାରେ

ମୁଁ ଅଟେ ଚାକର, ଧରୁଛି ତୋ’କର, ରକ୍ଷାକର ପ୍ରାଣ ବାହାରେ

ତୋର ଗୁଣଗୀତ କରିଣ ଇଙ୍ଗିତ, ଗାଇି ସଂଗୀତ ଦୋହାରେ ।’’


(ଖ) ନବଘନ ଶ୍ୟାମ, ଜିନି କୋଟିକାମ, ଶିରେ ଶିଖି ପୁଚ୍ଛ ଶୋଭାରା

ଶ୍ରୀମୁଖଣ୍ଡଳର କରେ ଝଲମଲ କୋଟି ଦ୍ୱିଜରାଜ ପ୍ରଭାରେ ।

ମଦନମୋହନ ଶ୍ୟାମ ହେରି ଜଗଜ୍ଜନ ମନ ଲୋଭାରେ । ୧ ।

ଅଲକା ତିଲକ, କପାଲେ ମାନିକ, ଜିନି ଦାମିନୀର ପ୍ରଭାରେ

ପ୍ରଖର ମକର କୁଣ୍ଡଇ କିସ କୁଲବଧୁକୂଇ ନାଶାରେ । ୧ ।

ପୂର୍ଣ୍ଣଶଶଧର ଶ୍ରୀମୁଖଣ୍ଡମଳ ଗଲେ ଦୋଲେ ବନ ମାଲାରେ

ଶ୍ରୀମୁଖ ସରୋଜ, ରଦ କରକଜ, ମାରନାରାଚ ଭ୍ରୁଲତାରେ । ୩ ।

                 (ଲୁପ୍ତୋପମା)

ଏହିଭଳି ନାନା ପାଣ୍ଡିତ୍ୟପୂର୍ଣ୍ଣ ଝୁମର ଏହି ଯୁଗରେ ଦେଖିବାକୁ ମିଳେ । ଏତଦ୍‌ଭିନ୍ନ ଏହି ସମୟରରେ ବହୁ ଦେବାଦେବୀଙ୍କ ବନ୍ଦନା, ରାଜବନ୍ଦନା, ଆଧ୍ୟାତ୍ମିକ ଚେତନାଧର୍ମୀ ଝୁମର ସଙ୍ଗୀତ ମଧ୍ୟ ଦେଖିବାକୁ ମିଳିଥାଏ ।


ରଙ୍ଗୀନ ଯୁଗ (୧୯୫୦ରୁ ଅଦ୍ୟାବଧି) : ଏହି କାଳରେ ଝୁମର ପୂର୍ବର ରୀତିଯୁଗୀୟ କାବ୍ୟିକ ଗୁଣକୁ ପରିହାର କରି ସାଧାରଣ ଜନପଦକୁ ଓହ୍ଲାଇ ଆସିଛି । ଶବ୍ଦକ୍ଳିଷ୍ଟତା, ଆଳଙ୍କ।ରିକ ଅଟୋପତାକୁ ପରିହାର କରି ଲୋକମୁଖୀ ଭାଷାକୁ ଆଦରି ନେଇଛି। ଫଳତଃ ରଚନାମାନଙ୍କରେ ସାମାଜିକ ଜୀବନର ଚିତ୍ରାବଳୀ ବ୍ୟକ୍ତିଜୀବନର ବହୁ ପ୍ରସଙ୍ଗ, ପ୍ରେମ-ପ୍ରଣୟ ଅଭାବ-ଅସୁବିଧା ସବୁକିଛି ସରଳ-ସୁବୋଧ ଭାବରେ ଲୋକକବିର ଲେଖନୀକୁ ଆବୋରି ବସିଛି । ୧୯୫୦ରୁ ଏ ଯାବତ୍ ଏହି ରଚନାର ଧାରା ପ୍ରଲମ୍ବିତ ହୋଇଆସିଛି । ତେଣୁ ଝୁମର କବି ଏହି ଧାରାରେ ବ୍ରତୀ ହୋଇ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଉପଜୀବ୍ୟ କରି ଗୀତ ବାନ୍ଧିବାରେ ଲାଗିଛି । ଯେପରି-


ପ୍ରେମ: ଯେ ଦିନୁ ଦେଖିଲି ତାକେ

     କି ନାଇଁକି ହେଲା ମକେ, ବୁଝାଡ଼ ଦାଇ
     କହି କଥା ମିଠା, ମୋର ବୁକେ ଅଠା
           ସେ ଯେ ଲଗାଇଲା ହାୟ
           କାହାକୁ କହିବି ଓ ମୁଇଁ ଲାଜେ ମରିଯାଏଁ ।


ପାରିବାରିକ (ସ୍ୱାମୀ-ସ୍ତ୍ରୀ: କେତେ ଢଙ୍ଗେ କାଟୁଛି ଶୀଁତା

                 ଘନେ ଘନେ ପାଦେ ଅଳତା ଗୋ
                       ଦେଖି ଦେଖି ହେଲି ବିଷ ପିତା ।


           ବନାରସୀ ଚୁଡ଼ି ହାତେ ପିନ୍ଧାଇଲି
           ବରମପୁରିଆ ପାଟ ପିନ୍ଧାଇଲି
           କଟକୀ ତାରକସି, ପାନ ପତରି ଦେଲି
           (ଆହୁରି) କୋଜୁଛି ବେଣୀ ବନ୍ଧା ଫିତାଗୋ ।


ଝୁମରର ଭାଷା

[ସମ୍ପାଦନା]

ଅଧୁନା ଭାରତର ବିଭିନ୍ନ ଭାଷାରେ ଅସଂଖ୍ୟ ଝୁମର ପରିଲକ୍ଷିତ ହୋଇଥାଏ । ଓଡ଼ିଆ, ବଙ୍ଗଳା, ସାନ୍ତାଳୀ, କୁର୍ମାଳୀ, ଆସାମୀ, ମୈଥିଳୀ ଆଦି ଭାଷାରେ ଏହା ପରିଦୃଷ୍ଟ । ମାତ୍ର ଆଲୋଚନାରୁ ଜଣାଯାଏ ଯେ ଝୁମର ସଙ୍ଗୀତର ମୂଳଭାଷା ହେଉଛି ମୈଥିଳୀ । କବି ବିଦ୍ୟାପତି ମୈଥିଳୀ ସାହିତ୍ୟର ପ୍ରଥିତଯଶା କବି । ତାଙ୍କ ପ୍ରଭାବିତ ମୈଥିଳୀ ଭାଷାର ରୂପାନ୍ତର ବିହାରର ହିନ୍ଦୀଭାଷା, ନାଗପୁରିଆ ଭାଷା, ଭୋଜପୁରୀ ଓ କୁର୍ମାଳୀ ଭାଷା ବୋଲି ଆଲୋଚକମାନେ ମତ ଦେଇଥାନ୍ତି । ସେମାନଙ୍କ ଭାଷାରେ – ‘‘ଝୁମର ସଙ୍ଗୀତର ଏହି ମୂଳଭାଷା ବିଭିନ୍ନ ପ୍ରଦେଶରେ ବିଭିନ୍ନ ଅକାରରେ ପ୍ରକାଶ ପାଇଛି ଏବଂ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ମାତ୍ର ଏପର୍ଯ୍ୟନ୍ତ ଯେତେ ଝୁମର ରଚୟିତାଙ୍କ ସନ୍ଧାନ ମିଳିଛି, କେହି ହେଲ, ମୂଳଭାଷା ମୈଥିଳୀକୁ ଛାଡ଼ିନାହାନ୍ତି । ସମସ୍ତେ କିଛି ନ କିଛି ମୈଥିଳୀ ଭାଷାରେ ନିଶ୍ଚୟ ଝୁମର ରଚନା କରିଅଛନ୍ତି ।’’ (୭) ତେଣୁ ପ୍ରତ୍ୟେକ ଝୁମର ଯେ ମୈଥିଳୀ ଭାଷାଦ୍ୱାରା ପ୍ରଭାବିତ, ତାହା ଅସ୍ୱୀକାର କରାଯାଇ ନ ପାରେ । ଓଡ଼ିଆ, ବଙ୍ଗଳାଭାଷାରେ ପ୍ରାପ୍ତ ଝୁମରମାନଙ୍କରୁ ଏହି ସତ୍ୟ ଉଦ୍‌ଘାଟିତ ହୋଇଥାଏ । ମାତ୍ର ସମୟାନ୍ତରେ ବହୁ ପ୍ରାନ୍ତୀୟ ଭାଷାରେ ଅସଂଖ୍ୟ ଝୁମର ରଚନା ହେବାର ଜଣାଯାଏ । ସାଙ୍ଗୀତିକ ଏବଂ ସାହିତ୍ୟିକ ଦୃଷ୍ଟିକୋଣରୁ ଏହା କୌଣସି ଗୁଣରେ ନ୍ୟୁନ ବୋଲି ମନେହୁଏ ନାହିଁ । ତେଣୁ ପରିବର୍ତ୍ତନର ସ୍ରୋତରେ ସାମିଲ ହୋଇ ବିଭିନ୍ନ ପ୍ରାଦେଶିକ ସ୍ତରରେ ଝୁମର ଆଜି ଭିନ୍ନରୂପ ପରିଗ୍ରହ କରିବା ସହିତ ନିଜର ସ୍ୱାତନ୍ତ୍ର୍ୟ ମହକରେ ସମଗ୍ର ଶ୍ରୋତା, ପାଠକ ଓ ଦର୍ଶକଙ୍କୁ ମତୁଆଲା କରିରଖିଛି, ଏହା କହିବା ବାହୁଲ୍ୟ ମାତ୍ର ।


ଝୁମରର ରାଗ-ରାଗିଣୀ

[ସମ୍ପାଦନା]

ଝୁମର ଏକ ସଂଗୀତ ବୋଲି ପୂର୍ବରୁ ପ୍ରକାଶିତ । ତେଣୁ ସଂଗୀତକୁ ଗାନ କରିବା ନିମନ୍ତେ କେତେକ ରାଗରାଗିଣୀର ଆବଶ୍ୟକତା ହୋଇଥାଏ । ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକୁ ଗାନ କରିବା ପାଇଁ ଯେଭଳି ବିଭିନ୍ନ ରାଗରାଗିଣୀର ଅବତାରଣା କରାଯାଇଛି । ତଦୁପରି ଝୁମର ସଙ୍ଗୀତକୁ ଗାନ କରିବା ନିମନ୍ତେ ଲୋକରାଗରାଗିଣୀ ଭିତ୍ତିରେ ବହୁ ରାଗରର ଭିଆଣ କରାଯାଇଛି । ଯେଉଁଗୁଡ଼ିକ ଆଲୋଚନା ସାପେକ୍ଷ । କେବଳ ଆଲୋଚନାର ସୁବିଧା ନିମନ୍ତେ ଏଠାରେ ସେଗୁଡ଼ିକର ନାମୋଲ୍ଲେଖ କରାଗଲା । ଯଥା- (୧) ଝିଙ୍ଗାଫୁଲିଆ (୨) ଉଦାସିଆ (୩) ରସରସିଆ (୪) ରସପକ୍ଷୀଆ (୫) ଝୁମକା (୬) ଝୁମଟା (୭) ଖେମଟା (୮) ଆଡ଼ଖେମଟା (୯) ରିଝାଁମାଠା (୧୦) ତାମାଳିଆ (୧୧) ଗାଢଓ୍ୱା (୧୨) ଡ଼ମକଚ (୧୩) ନାଗପୁରିଆ (୧୪) ପତରତୁଳା (୧୫) ପାଟିଆମେଧା (୧୬) ଦୋଛୁଟା (୧୭) ଠାଳରିଙ୍ଗା ଇତ୍ୟାଦି ।

ପୁନଶ୍ଚ ଶାସ୍ତ୍ରୀୟ ସଙ୍ଗୀତର ରାଗରେ ସ୍ଥାୟୀ, ଅନ୍ତରା, ଆଭୋଗ ଆଦିର କ୍ରମସଜ୍ଜୀକରଣ ଶୈଳୀ ଝୁମରରେ ଦେଖା ନ ଗଲେ ହେଁ ସେ ସମସ୍ତର ପ୍ରଭାବ ଝୁମରର ଗାୟନ ମଧ୍ୟରେ ପରିଲକ୍ଷିତ ହୋଇଥାଏ । ତେଣୁ ଏହାର ରାଗିଣୀଗୁଡ଼ିକ ଶାସ୍ତ୍ରୀୟସଙ୍ଗୀତର ତିଳୋକ କାମୋଦ, ଦେଶ, ଜୟଜୟନ୍ତୀର ଆଦି ରାଗକୁ ଭିତ୍ତିକର ସ୍ୱତନ୍ତ୍ର ସ୍ୱାଦରେ ପରିବେଷିତ ହୋଇଥାଏ । ଏତଦ୍‌ବ୍ୟତିତ ଲୋକଗୀତ ଆଧାରିତ ଭାଟିଆରୀ, କୀର୍ତ୍ତନ, ଛାନ୍ଦ ଆଦି ମଧ୍ୟ ଝୁମରର ଏକକ ବିଶିଷ୍ଟ ରାଗ-ରାଗିଣୀ ।

ଝୁମରର ବାଦ୍ୟଯନ୍ତ୍ର

[ସମ୍ପାଦନା]

ଝୁମର ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦୁଇ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । ଯଥା ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଏବଂ ମଧୁର ଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର । ଆଞ୍ଚଳିକ ଭାଷାରେ ଏହାକୁ ମୋଟାବାଜ୍‌ନା ଓ ସରୁବାଜ୍‌ନା କୁହାଯାଏ । ଧାମସା, ମାଦକ, ଢୋଲ, ଚଡ଼ଚଡ଼ି ମୋଟାବାଜ୍‌ନା ଓ ସାହାନାଇ, ବଂଶୀ, ବେହେଲା, କେନ୍ଦେରା ପ୍ରଭୃତି ସରୁବାଜ୍‌ନା ଭାବରେ ପରିଚିତ । ଅତୀତରେ କେବଳ ଲୌକିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଥିଲା ବେଳେ, ଅଧୁନା ବହୁ ଶାସ୍ତ୍ରୀୟ ବାଦ୍ୟ ଏବଂ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର କର୍ଣ୍ଣେଟ୍ ଓ କ୍ଲାରିଓନେଟର ମଧ୍ୟ ବ୍ୟବହାର କରାଯାଉଛି । ଏହି ସମସ୍ତ ଆଲୋଚନାମାନଙ୍କରୁ ଝୁମର ସମ୍ପର୍କରେ ଏକ ମୋଟାମୋଟି ଧାରଣା କରାଯାଇପାରେ । ଓଡ଼ିଶାର ଲୋକସଂଗୀତ ତଥା ମୟୁରଭଞ୍ଜର ପାରମ୍ପରିକ ଲୋକଗୀତ-ନୃତ୍ୟ ଭାବରେ ଝୁମର ଯେଉଁ ମର୍ଯ୍ୟୋଦା ଲାଭ କରିଛି, ସେ ସଂପର୍କରେ ସାମାନ୍ୟ ଅବଧାରଣା କରିବା ନିମିତ୍ତ ଝୁମରର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଚୁମ୍ବକରେ ଆଲୋଚନା କରାଗଲା। ଏକ ଉତ୍କୃଷ୍ଟ ଲୋକକଳାର ସ୍ୱାତନ୍ତ୍ର୍ୟ ବହନ କରୁଥିବା ଝୁମର କୁଡ଼ୁମୀ, ଉତ୍ତର ଓଡ଼ିଶା ସର୍ବୋପରି ଭାରତର ସାଂସ୍କୃତିକ ଲୋକ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଙ୍ଗ । କେବଳ ଲୋକ ସଙ୍ଗୀତ ଭାବରେ ତାହାର ମର୍ଯ୍ୟାଦା ଅତୁଟ ରହିନି: ଅଧିକନ୍ତୁ ଏକ ଉନ୍ନତ ସାହିତ୍ୟିକ ଆବେଦନକୁ ମଧ୍ୟ ଏହା ନିଜ ଭିତରେ ସମାହିତ କରି ରଖିଛି । ଜଣେ ଅନିସନ୍ଧିତ୍ସୁ ପାଠକର ମନନେଇ ଯଦି ଏଥିରେ ମନନିଯୋଗ କରାଯାଏ, ତେବେ ବହୁ ଉପାଦେୟ ତଥ୍ୟ, ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଆବିଷ୍କୃତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ‘ଝୁମର’ରେ ପରିଦୃଷ୍ଟ କେତେଗୁଡ଼ିଏ ସାହିତ୍ୟିକ, ସାମାଜିକ ଓ ପାରମ୍ପରିକ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନମତେ ଆଲୋକପାତ କରାଯାଇପାରେ ।

ଝୁମର ଗୀତରେ ‘ରସ’

[ସମ୍ପାଦନା]

‘ରସ’ ଧାରା ସଙ୍ଗୀତ ଓ ସାହିତ୍ୟ ଜଗତରେ ଏକ ବହୁ ଆବଶ୍ୟକୀୟ ଉପାଦାନ । ତେରୁ ପ୍ରାଚୀନ କାବ୍ୟଶାସ୍ତ୍ରରେ ରସକୁ କାବ୍ୟର ଆତ୍ମାଭାବରେ ସ୍ୱୀକୃତି ମିଳିଛି । ତେଣୁ କବିମାନେ ନିଜ ରଚନାରେ ବିଭିନ୍ନ ରସ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସଙ୍ଗୀତ କ୍ଷେତ୍ରରେ ଏହା ମଧ୍ୟ ସେହିଭଳି ପ୍ରାଧାନ୍ୟ ଲାଭ କରିଛି । ତେରୁ ରସବିହୀନ ରଚନା ଯଥାର୍ଥ ରଚନା ପଦବାଚ୍ୟ ହୋଇପାରେ ନାହିଁ । ରସର ଏହି ମହନୀୟ ପ୍ରଭାବରୁ ଝୁମର ମୁକ୍ତ ହୋଇପାରିନି । କାବ୍ୟଶାସ୍ତ୍ରୋଚିତ ରସକୁ ଅଙ୍ଗୀକାର କରି ଝୁମର କିଭଳି ଶ୍ରୀବିମଣ୍ଡିତ ହୋଇଛି, ତାହାକୁ ଶ୍ରବଣ ବା ପାଠ କଲେ ସହଜରେ ବୁଝାପଡ଼େ । ଝୁମର କବିର ଲେଖନୀରୁ ନିଃସୃତ କେତେକଗୁଡ଼ିଏ ରସଧର୍ମୀ ଝୁମରଗୀତ ଏଠାରେ ପ୍ରକାଶଯୋଗ୍ୟ ।

(କ) ଶୃଙ୍ଗାର ରସ : ରସ ଶାସ୍ତ୍ରରେ ‘ଶୃଙ୍ଗାର’ ଅଙ୍ଗୀରସ ବା ଆଦିରସ ଭାବରେ ପରିଚିତ । ନାୟକାନୟିକାଙ୍କ ପ୍ରେମ, ମିଳନ, ଅନୁରାଗ ମାଧ୍ୟମରେ ଏହା ଉଦ୍ଦୀପିତ ହୋଇଥାଏ । ଝୁମରରେ ଶୃଙ୍ଗାର ରସ ହେଉଛି ପ୍ରଧାନ ରସ । ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ପ୍ରୟୋଗେ ଝୁମର ଗୀତର ବିଶେଷ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ସାଧାରଣତଃ ରାଧାକୃଷ୍ଣଙ୍କ ମିଳନ-ବିଚ୍ଛେଦ ମଧ୍ୟରେ ଏହାର ସାର୍ଥକତା ଫୁଟି ଉଠିଛି ।


ତେଣୁ ଝୁମର କବି ଓ ଗବେଷକ ଗିରିଶ ଚନ୍ଦ୍ର ମହାନ୍ତ ଝୁମରରେ ଏହି ରସର ପ୍ରୟୋଗ ସମ୍ପର୍କରେ କହନ୍ତ – ‘‘ଝୁମରର ପ୍ରଧାନ ରସ ଶୃଙ୍ଗାର । ସ୍ଥାନେ ସ୍ଥାନେ କରୁଣ ଓ ଶାନ୍ତିରସର ପ୍ରୟୋଗ ମଧ୍ୟ ଦେଖାଯାଏ । ମାତ୍ର ଝୁମର କହିଲେ – ଶୃଙ୍ଗାର ରସର ଏକ ଆଧାର ବୋଲି ବୁଝାଯାଏ ।’’ କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ-


(୧) ସମ୍ଭୋଗ ଶୃଙ୍ଗାର : ସହଚରି ! ଶ୍ରୀହରି ହେରିନାମ ଯମୁନାୟ

           କାଲା ଆଲା ତରୁତଲା ବେଲାତେ କରାୟ ।
           ପାଶେ ଆସି ହାଁସି ହାଁସି ଭାଷିଛେ କାହ୍ନାଇ
           ‘‘ଦେଗୋ ଦୂତିରତି ନିତି ନିତି ମାଗି ନାଇଁ ।’‘
           x      x      x      x
           ଉରେଉର ଅଧରେତେ ଅଧର ଲଗାୟ
           ଧରାସନେ ଆଲିଙ୍ଗନେ ମାତିଲ କାନାଇ
           ଉରଜେ କରଜ ମାରି ମଧୁରସ ଖାୟେ ।
           ମୁଖ ଚୁମ୍ବନେ ମଦନ ରାଜନ ବିଦାୟ
           ମାରଶର ଦର ତୁଳସୀର ଗେଲ ନାହିଁ
                             (ତୁଳସୀ ଦାସ)

ଆହାରେ ପ୍ରାଣସଙ୍ଗିନୀ ପ୍ରେମରସ ତରଙ୍ଗିଣୀ

     ଘେନ ବିନତି ମୋହରରେ

x x x

ତୋ ଲାବଣ୍ୟରୂପ ଚାହିଁ ଅଧୈର୍ଯ୍ୟ ହୋଇଲି ସହି

     ଦୟାକରି ତୁ ଚାକରରେ

ତୋ ମନର ଅଭିଳାଷ, ଦେଇଣ ବିଳାସ

ପୂରାଅ ମନ ମାନସରେ ।

ଉରଜ କଳସ ତୋର, ହରଷେ ଦେଇ ମୋ କର

ହର ସନ୍ତାପ ମୋହରରେ

ଉରରେ ଉରକୁ ଯୋଖି, ପ୍ରାଣରଖ ସଖୀ

ଯଶରହୁ ଭୂମଣ୍ଡଳରେ । (ତୁଳସୀ ଦାସ)


ବିପ୍ରଲମ୍ଭ ଶୃଙ୍ଗାର :

ଶ୍ୟାମ ଆସା ଆଶାରେ ମଧୁରାତି ଗଲା ପାହି-

     ଶୁଖିଲା ଚନ୍ଦନ ଟୋପା; ଶୁଖିଲା କୁସୁମ ଝୁମ୍ପା
           ନଶୁଖେ ନୟନ ବାରିକ ପଥ ଚାହିଁ ଚାହଁରେ ।
                       (ଗିରୀଶ ମହାନ୍ତ)


(୩) ପୂର୍ବରାଗ ବିପ୍ରଲମ୍ଭ ଶୃଙ୍ଗାର:

     ସଖା କି କହିବି ତୋରେ,
     ଯେ ରୂପ ଦେଖିଲି ମଜି ଯମୁନା ତୀରେ ।

x x ଉଚ୍ଚକୁଚ ହିମଗରି, ବାଦଲ ଢାଙ୍କିଲାପରି

                 ଶୋଭେ ନୀଳାମ୍ବରେ
     ଝରେକି ନିର୍ଝରୀ ତହିଁତାର ମୁକ୍ତା ହାରେ । (ଗିରୀଶ ମହାନ୍ତ)


(୪) ପ୍ରବାସ ବିପ୍ରଲମ୍ବ ଶୃଙ୍ଗାର :

     ଦୂତିକି  କହନ୍ତି ରାଧା ପାଇଣ ମଦନବାଧା
           ଶ୍ରଦ୍ଧା ନାହିଁକି ଶ୍ୟାମର ଲୋ ?
     ଏ ନବଯୌବନ ଯମ, କରିଅଛି କାମ
           ପ୍ରେମ ବିନେ ସେ ଶ୍ୟାମର ଲୋ
     ତାବିନେ ଜୀବନ ଯିବ ଜୀବନ ନ ଥିବ ଆମରଲୋ ।
     କୁଳବୁନା କି ଆକୁଳେ, ଦିନେକ ମାଧବୀ ମୂଳେ
           ଆସି ଧଇଲା ମୋ କରଲୋ
     ‘‘ତାର ମୋ ନବ କିଶୋରୀ ଶରୀଗଲା ସରି
           ହରି ହୋଇଲା ତୋହର ଲୋ ।’’  (ତୁଳସୀ ଦାସ)

(୫) ମାନ ବିପ୍ରଲମ୍ଭ ଶୃଙ୍ଗାର:

     ଫେରି ଯା, ଯାରେ ଯାରେ କାହ୍ନା ଆଉ ଜଳାନା
           ସାରା ରଜନୀ ଜଳିଛି ତୋହରି ବିନା
     ତୋ ପ୍ରେମ କରି ଭରସା, ଛାଡ଼ିଲି ମୁଁ କୁଳ ଆଶା
           ଜଣାଗଲା ଏବେ, ତୋର ସବୁ ଛଳନା ।
     କା’ସାଥେ ନିଶି କଟାଇ କପାଳେ ସିନ୍ଦୂର ନେଇ
           ନିର୍ଲଜ ଲମ୍ପଟ, ତୁ ଯେ ମୋତେ ଛୁଅନା ।
                             (ଗିରିଶ ମହାନ୍ତ)

(ଖ) ହାସ୍ୟରସ : କହତ ରାଧା ସୁନ୍ଦରୀ ବିନୟେ ବିନୟରେ

           ଦନୀଆ ହିଁ ନୌକା ମାଝେ ସଝାଇରେ
                 ଜୀବନେ ମାରଲାଇ ମୁଜାରାଇଁ ।
           ଧଧରା ଡ଼ଙ୍ଗା ବାହିକେ ଗଧରା ଗୋଡ଼ାଇଁରେ
           ହିଲିଡ଼ଲି ନୌକାଇଁ ପାନି ସାମଇରେ ।
           ମୁଡ଼େକାକେଶ ପାକଲ ମୁହେଁ ତ ଦାନ୍ତ ନାଇରେ
           ଚେପା ନାକାଟେରା ଶୁନିଉ ନ ପାୟରେ (ଭୀମା)


(ଗ) କରୁଣ ରସ : ନାରୀ ମାତ୍ରେ ଜାନେ ପତି, ପତିଭିନ୍ନ ନାହିଁ ଗତି

                             ଜାନେ ସର୍ବଜନ
                         ଦାଁଡ଼ାୟକି ଲତା ହରେ - ତରୁର ପତନ ?
           ଭନେ ଦ୍ୱିଜ ଭବପ୍ରିତା, କାନ୍ଦେ ବିରାଟ ଦୁହିତା
                             ସାପିନୀ ଯେମନ
           ମନିହାରା ହାୟେ କାନ୍ଦେ ବ୍ୟାକୁଲ ଜୀବନ । (ଭବପ୍ରୀତା)

(ଘ) ବୀର ରସ : ଯେନ ଭେଦେ ରବିକର, ଅନ୍ଧକାର ଭୟଙ୍କର

                 ତେମନୀ ପାର୍ଥ କୁଅଁର
           ବ୍ୟହ ଭେଦିଲା ତଖନ, ବିଷର୍ଣ୍ଣ କୌରବ ଗନ ।
           କାଲାନ୍ତକ ଯମ ସମ, ବଧେ ସୈନ୍ୟ ବୀରୋତ୍ତମ
           ଦହେ ବିପକ୍ଷ ମରନ କରି ତାହା ଦରଶନ – (ଭବପ୍ରୀତା)

(ଙ) ଭୟାନଗ ରସ : ଶତ୍ରୁ ବିନାଶନ ନିମନ୍ତେ ଶିବଙ୍କର ଭୟଙ୍କର ରୂପକୁ ଚିତ୍ରଣ କରନ୍ତି କବି-

           ‘‘ଆନରେ ପ୍ରଲୟୀ ମୂଲ ଢାକେନ ପଞ୍ଚାନନ
           କ୍ରୋଧ ଉର୍ଦ୍ଧେ ଉଠେ ଜଟା ଯେମନ କେଶରୀ ସଟା
                       ଅଗ୍ନି ଛଟା ଲଲାଟେ ଦୀପନ
           ଶିରେ ଗଙ୍ଗା କଲକଲ ଭାରେ ପୃଥ୍ୱୀ ଟଲମଲ
                       ଢଲ ଢଲ ଘାରେ ତ୍ରିନୟନ ।’’ (ଭବପ୍ରୀତା)

(ଚ) ଅଦ୍ଭୁତ ରସ: ଜ୍ୟୋତିର୍ମୟୀ ରୂପଧରି, ପ୍ରକାଶିଲା ମହେଶ୍ୱରୀ ଗୋ

                       ଜଲନ୍ତ ପର୍ବତ ସମାକୃତି
           ତେଜେ କୋଟି ରବି ଶୋଭା, କୋଟିଚନ୍ଦ୍ର ସମପ୍ରଭା
           ଭୟଙ୍କରୀ ରୂପେ ବିରାଜନ ସତୀ, ନମଃ ଭଗବତୀ । (ଭବପ୍ରୀତା)

(ଛ) ବାତ୍ସଲ୍ୟ ରସ : (ଯଶୋଦା ଶ୍ରୀକୃଷ୍ଣଙ୍କୁ ସଜାଇ ଦେବାର ଚିତ୍ର)

           ବାନ୍ଧିଲ ବିନୋଦ ଚୂଡ଼ା, ମାଲତୀର ଫୁଲବେଢା
           କପାଲେଲୋ ମାନିକ ଦିଲ ରାଖାଲ ରାଜେ ।
           ଏକେତ ବରନ କାଲ, ତାହାତେ ପୀତବସନ
           ନବୀନ ମେଘେତ ଯେନ ଦିଜଲି ବିରାଜେ ।
           ଶିରେତେ ଚମ୍ବନ କରି କରେତେ ଦିଲ ବାଁଶରୀ
           ଚରନେତେ ରୁନୁଝୁନୁ ନୂପୁର ବାଜେ  । (ତୁଳସୀ ଦାସ)



ଝୁମର ଗୀତରେ ‘ଅଳଙ୍କାର’ :


ରସ ପରି ଝୁମରଗୀତରେ ଅଳଙ୍କାର ପ୍ରୟୋଗର ଚମତ୍କାର ଯେତିକି ଆକର୍ଷୀୟ ତହିଁ ଅପେକ୍ଷା ସେଗୁଡ଼ିକର ଭାବବୋଧ ଅତ୍ୟନ୍ତ ଉଚ୍ଚେକାଟୀର । ଝୁରରରେ ପରିଲକ୍ଷିତ ଅଳଙ୍କାରଗୁଡ଼ିକୁ ଅବଲୋକ କଲେ ଭଞ୍ଜୀୟ କାବ୍ୟାଳଙ୍କାର ସ୍ୱତ ଆଖି ଆଗରେ ଝଲସି ଉଠା । ପାର୍ବତ୍ୟଘେରା ପରିବେଶ ଭିତରେ ଝୁମର କବିର କାବ୍ୟସାଧନା – ଆଳଙ୍କାରିକ କିବିତ୍ୱର ବିମୁଗ୍ଧ ରୂପକାର ସତ୍ତାଟି ସ୍ୱତଃ ଉଦ୍ଭାସିତ ହୋଇଉଠେ । ଭଞ୍ଜ ସାହିତ୍ୟର ପ୍ରଭାବ କେବଳ ସେମାନଙ୍କ ଲେଖନୀକୁ ପ୍ରଭାବିତ କରିନି; ନୂତନ ଶୈଳୀ ଓ ଅଳଙ୍କରଣ ପ୍ରୟୋଗ କରିବାରେ ମଧ୍ୟ ଯଥେଷ୍ଟ କବି ପ୍ରସିଦ୍ଧ ଆଣିଦେଇଛି । ଊନବିଂଶ ଶତାବ୍ଦୀରେ ସାନ୍ତାଳ ପ୍ରଗଣାର ଭବପପ୍ରୀତାନନ୍ଦ, ଭୀମା, ଓଡ଼ିଶାର ତୁଳସୀ ଦାସ, କବି ଜଗନ୍ନାଥ ଦାସ ଆଦି ପ୍ରମୁଖ ଝୁମର କବିମାନଙ୍କ ଲେଖନୀରେ ଉଭୟ ଶବ୍ଦ ଓ ଅର୍ଥ ଅଳଙ୍କାରର ପ୍ରୟୋଗ ଯେଭଳି ହୋଇଛି, ତାହା ଏଠାରେ ଲକ୍ଷଣୀୟ । ଆଲୋଚନାଟି ଦୀର୍ଘ ହେବା ଭୟରେ ଉଭୟ ଅଳଙ୍କାର ମଧ୍ୟରୁ କେତେଗୁଡ଼ିଏ ନିର୍ବାଚିତ ଝୁମରକୁ ଏଠାରେ ଆଲୋଚନା କରାଗଲା ।

(୧) ଶବ୍ଦାଳାଙ୍କାର : ଶବ୍ଦାଳଙ୍କାର ବିମଣ୍ଡିତ କେତେଗୁଡ଼ିଏ ଝୁମର ନିମ୍ନମତେ ପରିଦୃଷ୍ଟ –

(କ) ଅନୁପ୍ରାସ (ଛେକାନୁପ୍ରାସ)

     ଗୁନମନି ଗୁମନମନି ପ୍ରାନ ପାନି ଆୟ
     କାଲା ମେଲ ଜ୍ୱାଲା ଭେଲ ହାଲାହଲ ପ୍ରାୟ । ବାଉଲ ଦାସ)

ଶବ୍ଦାର୍ଥ- ଗୁନମନି – ଶ୍ରୀକୃଷ୍ଣ, ଗୁନି- ଚିନ୍ତାକରି, ପାନି ଆୟ – ପାଣ ହେବା, କାଲା- ଶ୍ରୀକୃଷ୍ଣ, ମେଲ-ମିଳନ, ଭେଲ-ହେଲା, ହଲାହଲ – ବିଷ ।

ଅର୍ଥାତ୍ – ଶ୍ରୀକୃଷ୍ଣଙ୍କ ଗୁଣକୁ ସ୍ମରଣ କରି କରି ଶ୍ରୀରାଧାଙ୍କ ପ୍ରାଣ ପାଣିଫାଟି ଯାଇଛି । ଶ୍ରୀକୃଷ୍ଣଙ୍କ ମିଳନ ଜ୍ୱାଳା ତାଙ୍କୁ ବିଷପ୍ରାୟ ମନେହେଉଛି ।


(ଖ) ଯମଜ ( ଏକ ଶବ୍ଦ ବିଭିନ୍ନ ଅର୍ଥରେ ବାରମ୍ବାର ବ୍ୟବହୃତ ହୁଏ,

ଅଦ୍ୟଯମକ- ମାର ମାର ମାର ନାହିଁ ଆକୁଲ ଜୀବନ ଆଁ

           ମର ମର ଧର ସଖୀ ମୋର ଅପଘନିଆଁ
           ବାର ବାର ବାରିଜାକ୍ଷୀ କର ଆଲିଙ୍ଗନିଆ । (ଭୀମା)


(ଗ) ଶ୍ଳେଷ ‘ହରିକାନ୍ତାରେ ନାହେରି, ହରିକାନ୍ତାରେ ନେହାରି ହେ

           ଶୋକାକୁଲେ ସଖାକୁଲେ ବୋଲେନ ମୁରାରୀ
           ଆମି ବାଂଚିବ କେମନେ ସୁରମ୍ୟ କାନ୍ତାରେ ହେରି ।’’       (ବାଉଲ ଦାସ)


ଶବ୍ଦାର୍ଥ- ହରି-ରାମଚନ୍ଦ୍ର ବା ଶ୍ରୀକୃଷ୍ଣ, ହରି-ହରିତ ହରିକାନ୍ତାର-ନୀଳ ଓ ପୀତ ମିଶ୍ରିତ ବନ, ମୁରାରୀ – ଶ୍ରୀକୃଷ୍ଣ, କାନ୍ତାରେ-ସ୍ତ୍ରୀଙ୍କୁ, କାନ୍ତାରେ- ବଣକୁ, ସୁରମ୍ୟ-ସୁନ୍ଦର, ସୁରମ୍ୟ-ରମଣଯୋଗ୍ୟ, ବନେର-ବଣର, ବନେର – ରଙ୍ଗ ବା ବର୍ଣ୍ଣର, ସୁନାରୀ – ସୁନାରୀ ଫୁଲ, ସୁନାରୀ – ଉତ୍ତମ ନାରୀ ।


୧ମ ଅର୍ଥ: (ବନ ଅର୍ଥରେ) – ଶ୍ରୀରାମଚନ୍ଦ୍ର ବା ଶ୍ରୀକୃଷ୍ଣ ନିଜ ପ୍ରେୟସୀକୁ ନ ଦେଖି ହରିତ୍‌ବର୍ଣ୍ଣର ବଣକୁ ଅବଲୋକନ କରି ନିଜର ସଖାମାନଙ୍କୁ ଶୋକେ ଆକୁଳ ହୋଇ କହୁଛନ୍ତି, ‘ମୁଁ ଏହି ସୁରମ୍ୟ ବନକୁ ଦେଖି କିପରି ବଞ୍ଚି ରହିବି ?

୨ୟ ଅର୍ଥ : (ନାରୀ ଅର୍ଥରେ) – ଶ୍ରୀକୃଷ୍ଣ ବା ଶ୍ରୀରାମଚନ୍ଦ୍ର ନିଜ ପ୍ରିୟାକୁ ନ ଦେଖି ହରିତବର୍ଣ୍ଣର ବଣକୁ ଅବଲୋକନ କରି ନିଜର ସଖାମାନଙ୍କୁ ଶୋକାକୁଳ ହୋଇ କହୁଛନ୍ତି – ମୁଁ ମୋର ରମଣଯୋଗ୍ୟ ନାରୀଙ୍କୁ ନ ଦେଖିଲେ କିପରି ବଞ୍ଚି ରହିବି ?


(ଘ) ସିଂହାବଲୋକନ :

     ଦେଖ ସଖା କା’ରମଣୀ      ରମଣୀ ରତନ ମଣି
                 ମଣିଷ ମଧ୍ୟରେ ସାର
     ସାରସ ବଦନତାର            ତାର ପତି ଛାର
                 ଛାର ଗତି ଦ୍ୱିରଦର
     ଦରଶନେ ସନକାଦି ମୁନି ହୋଇବେ କାତର ।
                                   (ତୁଳସୀ ଦାସ)

(ଙ) ଗୋମୂତ୍ର ଛନ୍ଦ:

     ହରପର ଶର ଉର ଜର ଜର କର ଗୋ
     ମରମେର ମାର ସାର ଗିରିଧର ଗୋ । (ଜଗା)


     ଶବ୍ଦାର୍ଥ – ହର-ଶିବ, ହରପର-କନ୍ଦର୍ପ, ଶର-ତୀର, ଉର-ବକ୍ଷ, ଜରଜର-ଜର୍ଜର, ମରମେର-ମର୍ମର, ମାର-ମାରଣକାରୀ, ସାର-ଶ୍ରେଷ୍ଠ, ଗିରିଧର- ଶ୍ରୀକୃଷ୍ଣ ।

ଅର୍ଥ-କନ୍ଦର୍ପରଶର ବକ୍ଷ ଜର୍ଜର କରୁଛି । ମର୍ମକୁ ଆଘାତ କରିବାର ଶ୍ରେଷ୍ଠ ସେଇ ଶ୍ରୀକୃଷ୍ଣ ଅଟନ୍ତି ।

(ଚ) ମେଷ ଯୁଦ୍ଧ : ରାମା ରତି ସାର ରସା ତୀର ମାର

           ରସ ଭାଷ ସର ରସ ଶୋଭା ସର । (ତୁଳସୀ ଦାସ)

ଶବ୍ଦାର୍ଥ- ରାମା-ସ୍ତ୍ରୀ, ରତିସାର-ରତିକ୍ରୀଡ଼ାରେ ଶ୍ରେଷ୍ଠ, ରସା-ରସଯୁକ୍ତନାରୀ, ରସଭାସ-ମଧୁରବଚନ, ରସଶୋଭାସର – ରସର ସୁନ୍ଦର ହ୍ରଦ, ରସାସାର-ଶ୍ରେଷ୍ଠ ରମଣୀ ।

ଅର୍ଥ – ସୁନ୍ଦରୀ ନାରୀର ତୀରାଘାତ ରତିକ୍ରୀଡ଼ା ମଧ୍ୟରେ ଶ୍ରେଷ୍ଠ ଅଟ । ସୁନ୍ଦରୀ ନାରୀର ରସପୂର୍ଣ୍ଣ କଥା ପୁଷ୍କରିଣୀ ସ୍ୱରୂପ ଅଟେ ।


(୨) ଅର୍ଥାଳଙ୍କାର : ଅର୍ଥାଳଙ୍କାର ସମ୍ବଳିତ କେତେଗୋଟି ଝୁମର ନିମ୍ନରେ ପ୍ରଦତ୍ତ ହେଲା-

(କ) ଉପମା : ‘ଯେନ ଭେଦେ ରବି କର, ଅନ୍ଧକାର ଭୟଙ୍କର

                 ତେମନ ପାର୍ଥ କୁଅଁର
           ବ୍ୟୁହ ଭେଦଲା ତଖନ, ବିଷର୍ଣ୍ଣ କୌରବ ଗନ ।’
                                         (ଭବପ୍ରୀତା)

ଅର୍ଥାତ – ଭୟଙ୍କର ଅନ୍ଧକାରକୁ ସୂର୍ଯ୍ୟ ରଶ୍ମି ଭେଦ କଲାପରି, ପାର୍ଥପୁତ୍ର ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କଲା । ଯାହା ଦେଖି କୌରବମାନଙ୍କ ମନ ବିଷର୍ଣ୍ଣ ହୋଇଗଲା ।

(ଖ) ରୂପକ : ‘‘ତୋମା ବିନେ ବିଧୂମୁଖୀ...

           ନୟନ ଚକୋର ମୋର, ହୟଛେ ପ୍ରେମେ ବିଭୋର
           ହେରି ମୁଖ ଚନ୍ଦ୍ରମୟ ।’’ (ଭବପ୍ରୀତା)

(ଗ) ବିଦ୍ଭାବନା:

     ରାୟ ଗିୟେ ଯମୁନାର ଜଲେ ଗେଛିଲ କଦମ୍ବ ମୂଲେ ଗୋ
     ଶ୍ୟାମତ୍ରିଭଙ୍ଗ କାଲଭୁଜଙ୍ଗ, ଦଂଶନ କରିଲ ରେ
           କିଶୋରୀ ଶରୀ ଜାଇଲ ।      (ତୁଳସୀ ଦାସ)

ଅର୍ଥାତ୍ – ରାଧା ଯମୁନାକୁ ଯିବା ସମୟରେ କଦମ୍ବ ମୂଳରେ ଶ୍ରୀକୃଷ୍ଣଙ୍କୁ ଭେଟିଲେ । ତାଙ୍କର ତିଭଙ୍ଗୀ ଠାଣିରୂପକ କାଳସର୍ପ, କିଶୋରୀ ରାଧିକାଙ୍କ ଶରୀରକୁ ଯେପରି ଦଂଶନ କଲା ।

(ଘ) ଉତ୍‌ପ୍ରେକ୍ଷା :

     ଉରେକି ଉଦିତ ହରଷେ ହର, କଳସ ସରସ ଦେଖି ସୁନ୍ଦର
     ଯୋଗୀ ଜନଚିତ୍ତ ଚଞ୍ଚଲ କରାୟ      
     କାକୋଦର ବିନି ଅଲକାତାର,
     ତାହାତେ ଲଳିତ କଲିର ହାର
     କର୍ଣ୍ଣ କି ସୁନ୍ଦର ସ୍ୱର୍ଣ୍ଣ କୁଣ୍ଡଲରେ କୁଣ୍ଡଲ ।       (ତୁଳସୀ ଦାସ)


ଏହିଭଳି ଅନ୍ୟାନ୍ୟ ଅଳଙ୍କାର ଯଥା – ବ୍ୟାଜସ୍ତୁତି ସମାସୋକ୍ତ, ସ୍ୱଭାବୋକ୍ତ, ବିରୋଧାଭାଷ ଆଦି ପ୍ରସଙ୍ଗ ଝୁମର ଗୀତରେ ସୁଲଭ । ଯାହା ଏକ ବିଶଦ ଆଲୋଚନାର ଅପେକ୍ଷା ରଖେ ।


ଝୁମର ଗୀତରେ ‘ପ୍ରକୃତି’

[ସମ୍ପାଦନା]

ପ୍ରକୃତିର ରୂପଛବି ଅଙ୍କନରେ ମଧ୍ୟ ଝୁମର କବି ସିଦ୍ଧହସ୍ତ । ସକାଳ ସନ୍ଧ୍ୟା ଆଦିର ବର୍ଣ୍ଣନା ଆମ କାବ୍ୟକବିତାମାନଙ୍କରେ ଯେପରି ପରିଦୃଷ୍ଟ କୁଡ଼ୁମୀ ଝୁମର କବି ଦୃଷ୍ଟିରୁ ତାହା କଦାପି ଉପେକ୍ଷଣୀୟ ହୋଇନାହିଁ । ବରଂ ପ୍ରକୃତି ଘେରା ପରିବେଶ ମଧ୍ୟରେ ବାସ କରି ସେହି କମନୀୟ ରୂପଛବିଗୁଡ଼ିକୁ ନିଜର ଲେଖନୀର ଫନୋଗ୍ରାଫରେ ତୋଳି ଧରିଛନ୍ତି ସେ । କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ


ପ୍ରଭାତ ପ୍ରକତି : ତରୁନ ଅରୁନ ଯବାଫୁଲ ଛବି

     ଉଦିତ ମୁଦିତ କିବା ବାଲରବି
           ଭୂଲୋକ ପୁଲକ ପୂରି
     ମଲିନ ରଜତ ମୁକୁରେରମତ
           ଆକାଶ ବିକାଶ ଧରିଗୋ
     ଉଠ ଉଠ ନବୀନ କିଶୋରୀ
           ପୁହାଇଲ ବିଭାବରୀ ।


ଅର୍ଥାତ୍ – ନବଉଦିତ ଇଷତ୍ ରକ୍ତବର୍ଣ୍ଣ, ରକ୍ତମନ୍ଦାର ପୁଲର ରଙ୍ଗ ଭଳି ପ୍ରଭାତକାଳୀନ ସୂର୍ଯ୍ୟଙ୍କ ଛବି ପ୍ରକଟିତ ହେଉଛି । ବାଳସୂର୍ଯ୍ୟ ଉଦିତ ହୋଇ ପୁନଶ୍ଚ ମୁଦ୍ରିତ ହେଲାପରି ମନେ ହେଉଛନ୍ତି । ସସାଗରାଧରା ଆନନ୍ଦର ଲହରୀରେ ଉଦ୍ଭାସିତ । ସ୍ୱଚ୍ଛ-ଶୁଭ୍ର ଦର୍ପଣ ଭଳି ଆକାଶ ସ୍ୱଚ୍ଛ ଓ ପରିଷ୍କାର । ହେ ନବୀନ କିଶୋରୀ । ରାତି ପାହିଲାଣି ‘ଉଠ’ ।


ପୁନଶ୍ଚ- ‘‘ଯାମିନୀର କେଶ କଲାପେବନୀ

     ବାନ୍ଧିଲ ନିଜ କରେ ଦିନମନି
     (ହରି) ବକୁଲ ଫୁଲେ ଘେରି,
     ସିନ୍ଦୂରେର ବିଂଦୁଦିଲ ଦିନବଂଧୁ
           ପୂର୍ବଶିଖର ଉପରି ଗୋ ।’’

ଅର୍ଥାତ୍- ସତେଯେପରି ରାତ୍ରୀ ଦେବୀ ତାଙ୍କର ଘନକେଶ ରାଶିକୁ ସମଗ୍ର ପୃଥିବୀରେ ବିଛାଇ ଦେଇଥିଲେ । ଯେଉଁଥିଲାଗି ପୃଥିବୀରେ ଅନ୍ଧକାର ବ୍ୟାପିଯାଇଥିଲା। ସୂର୍ଯ୍ୟଦେବ ସେହି କେଶ ରାଶି ନିଜ ହାତରେ ଅର୍ଥାତ୍ କିରଣରେ ଏକତ୍ର କରି ଯେପରି ଏକବେଣୀ ବାନ୍ଧିଦେଲେ ଏବଂ ଉକ୍ତ ବେଣୀରେ ବଉଳ ଫୁଲ ଖୋସିଦେଲେ ଏବଂ ମଥାରେ ସିନ୍ଦୁର ବିନ୍ଦୁ ଲଗାଇ ଦେଲେ ।

ସନ୍ଧ୍ୟା ପ୍ରକୃତି : ‘ବସି ସନ୍ଧ୍ୟା ସମୀରନେରେ, କାନ୍ଦେ ଶ୍ରୀମତୀ ସୁନ୍ଦରୀ

     ଆଇଲ ଗୋଧୂଲି କୋଥା ରଇଲ ଶ୍ରୀହରି
                 ବୋଲ କି ସେ ପ୍ରାନ ଧରି ।
     ଗୋକୁଲେର ଗାଭୀକୁଲରେ, ଆସେ ଶୋକାକୁଲ ଭରି
     ନା ଆସେ ରାଖାଲ ରାଜ ବାଜାୟେ ବାଂଶୁରୀ ।
     ଡ଼ାଲେ ବସି ଚକ୍ରବାକୀରେ, କାନ୍ଦେ ଏକାକୀ ଫୁକାରି
     ଅମନି କାନ୍ଦିବେ ରାଧା ଜନମ ଶର୍ବରୀ । (ଭବପ୍ରୀତା)


ଝୁମର ଗୀତରେ ବିଭିନ୍ନ ‘ଋତୁ’

[ସମ୍ପାଦନା]

ଝୁମର ଗୀତରେ ବିଭିନ୍ନ ଋତୁର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ବିଶେଷତ। ଏହି ଋତୁ ମଧ୍ୟ ଦେଇ ଜୀବନର ପ୍ରେମ, ମିଳନ, ବିଚ୍ଛେଦ ଆଦି ପ୍ରସଙ୍ଗ ମୁଖ୍ୟ ଭାବରେ ଉପସ୍ଥାପିତ ହୋଇଛି । ଯେପରି ହୃଦୟର ଆବେଗ-ଉତ୍କଣ୍ଠାକୁ କବି ପ୍ରକାଶ କରିଛନ୍ତି ଝୁମର ଗୀତର ଋତୁ ବର୍ଣ୍ଣନା ପ୍ରସଙ୍ଗରେ ।

(କ) ଗ୍ରୀଷ୍ମ ଋତୁ - ନିଦ୍ରାଯେମଦନରାଜ, ଧରିକୁସୁମ ନାରାଚ

     ଯୌବନ କାନନାଙ୍ଗନେ ଶିକାରି ସାଜିଲରେ
           ବିରହୀ ଜାଲେ ପଡ଼ିଲ ।
     କୋକିଲ ଭ୍ରମରା ଥାଟେ, ଜାଗି ବିଯୋଗୀର ଘାଟେ
     ଝିଙ୍କାରି ଝଙ୍କାରେ ଧନୁ ଟଙ୍କାର ମାରିଲରେ ।
                                   (ତୁଳସୀ ଦାସ)

(ଖ) ବର୍ଷା ଋତୁ - ଘନେ ଘନେ ଘନ ଗର୍ଜନ କରେ

     ଅଙ୍ଗ ଜର ଜର ଅନଙ୍ଗ ଶରେ
     ଡ଼ାହୁକା ଡ଼ାହୁକୀ ସ୍ୱରେ
     ମୟୁର ଝଙ୍କାରେ ଧନୁକ ଟଙ୍କାରେ
     ଡ଼ାକ ଦରଦୁର ଆଦରେ । (ତୁଳସୀ ଦାସ)

(ଗ) ଶରତ ଋତୁ- ଆଁଧାରଭାଦର ରାତି, ଦେଖିୟେ ତଳପେ ଛାତି

           ପତି ନାହିଁ ପଲଙ୍କ ଉପରେ
     ସଖୀରେ, ପ୍ରାନଦହେ ମଦନର ଶରେ ।
     ଏକେତ ଅବଲାବାଲା ଦୋସରେ ଯୌବନ ଜ୍ୱାଲା
     କେମନେ ରହିବ ଶୂନ୍ୟ ଘରେ ସଖୀରେ । (ଭାବପ୍ରୀତା)

(ଘ) ହେମନ୍ତ ଋତୁ- ହେମନ୍ତେର ଶୀତ ଅଙ୍ଗ କାଁପେ ଥରଥର

     ହୃଦୟ ଫାଟେରେ ମୋର ବିନେ ସେ ନାଗର
                 ପ୍ରାଡ଼ ଧରି କି ସେ ?
     ଦିନରାତି ଦହିଛେ ବିରହ ବିଷେ ।
     ଏକାକିନୀ ଶଯ୍ୟାଲାଗେ କଣ୍ଟକ ଯେମନ
     ରାତିହେଲେ ରତିପତି କରେ ଜ୍ୱାଲାତନ
     କୃଷକ ଆନନ୍ଦ ହେରି ପରିପକ୍ୱ ଧାନ
     ଶ୍ୟାମବିନା ବିନୋଦିନୀ ବେଆକୁଲ ପ୍ରାନ । (ଭବପ୍ରୀତା)

(ଙ) ଶୀତ ଋତୁ- ନିହାରେ କମଲ ଫୁଲ ହୋଇଲ ସଂହାର

     ଭ୍ରମରେ କୋଟରେ ପାଶ କରେ ହାହାକାର ।
     ଚାନ୍ଦ ହୈଲ ବଇରୀ ମୋର ମଦନ ଶମନ
     ରଜନୀ ସାପିନୀ ହୟେ କରିଛେ ଦଂଶନ
           ଶିଶିରେ ଆସିଆ ଶୀତ ଦିଲ ଦରଶନ (ଭବପ୍ରୀତା)

(ଚ) ବସନ୍ତ ଋତୁ- ଆଇଲ ବସନ୍ତ ଫାଲ୍‌ଗୁନ ମାସେ

           ପଡ଼ିଲ ବିରହୀ ମଦନ ଫାଶେ
     କାନ୍ଦେ ପ୍ରାନ ନିଶି ବାସରେ
     ଦୂତି କର ଧରି ବୋଲନ୍‌ କିଶୋରୀ
           ଜ୍ୱରଜ୍ୱର ପ୍ରାନ କାତରେ ।
     x            x            x
     କୁସୁମିତ ତରୁ ପଲ୍ଲବତାୟ
     ବହେ ମନ୍ଦମନ୍ଦ ସମୀରଣ ତାୟ
           ସୁଗନ୍ଧେ ଜନମନ ହରେ
     କୋକିଲା ହୁଙ୍କାରେ ଭ୍ରମର ଝଙ୍କାରେ
     ମଦନ ସାଜେକି ସମରେ । (ତୁଳସୀ ଦାସ)

ଝୁମର ଗୀତରେ ଆଧ୍ୟାତ୍ମିକ ଜୀବନ ଦର୍ଶନ

[ସମ୍ପାଦନା]

ଲୋକକବି କେବଳ ସମାଜର ଚିତ୍ରକାର ନୁହେଁ, ଜୀବନର ମଧ୍ୟ ଭାଷ୍ୟକାର । ଅନୁଭବି କବି ସତ୍ତା ବେଳେବେଳେ ଜୀବନ ଦର୍ଶନର ଭାବାବେଗକୁ ଉଖାରି ବସିଛି । ଆଧ୍ୟାତ୍ମିକ ଚେତନା ଭିତରେ ସେ ତଥ୍ୟ ଓ ତତ୍ତ୍ୱର ସନ୍ଧାନ କରିଛି । ନଶ୍ୱର ଜଞ୍ଜାଳର ମାୟା ଭିତରେ ଗୁରୁନାମ, ଈଶ୍ୱରାନୁଚିନ୍ତା ସର୍ବୋପରି ସେଥିରୁ ମୁକ୍ତିଲାଭ ନିମନ୍ତେ ବହୁ ଆଧ୍ୟାତ୍ମିକ ଜୀବନ ଦର୍ଶନର କଥା ଝୁମର କବି ଲେଖନୀରେ ମହନୀୟ ରୂପ ପରିଗ୍ରହ କରିଛି । କେତେଗୁଡ଼ିକ ମର୍ମସ୍ପର୍ଶୀ ଜୀବନ ଦର୍ଶନ ଧର୍ମୀ ଝୁମର ଗୀତକୁ ଏଠାରେ ଉଦାହରଣ ଭାବରେ ଲକ୍ଷ୍ୟ କରାଯାଇପାରେ ।


ଅନିତ୍ୟ ସଂସାରରେ ଗୁରୁକୃପା ଲାଭ ନିମନ୍ତେ କବି କହନ୍ତି :

     ଏ ଭବ ନଦୀ ଆର ମାଝେ,ଦୁଇ ରଙ୍ଗେର ଜଲେ ଆଛେ
                 ବୁଝାଯାଇନା ଅନ୍ଧାକାରେରେ
     ସାଧୁସଙ୍ଗ ବିନେ ଅନ୍ୟେ କିବା ଜାନେ,
                 ନଇଲେ ଡ଼ୁବ ଦିତିମାରେ ଏଇ ବାରେରେ ।
     ଗୁରୁପଦ ପାବାର ଆଶେ, ବସେ, ଆଛି ନଦୀର ଘାଟେ
                 ଗୁରୁବାରେ ପାରକର ଏଇବାରେ
     ତୁମିରାଖୋ ଯାରେ ତୋରେ କେବା ମାରେ,
                 ଭନେ ମୂଢ ରାମେଶ୍ୱରେରେ । (ରାମେଶ୍ୱର)


ଅର୍ଥାତ – ଏ ସଂସାର ରୂପକ ନଦୀରେ ଦୁଇଟି ରଙ୍ଗର ଜଳ ପରିପୂର୍ଣ୍ଣ ହୋଇଛି । ଅନ୍ଧକାର ଫଳରେ ତାହା ଜଣାପଡ଼ୁନାହିଁ । ସାଧୁସଙ୍ଗ ବିନା ସେଥିରୁ ମୁକ୍ତି ମିଳି ନ ପାରେ । ନହେଲେ ବୁଡ଼ିମରିବା ହିଁ ସାର ହେବ । ତେଣୁ ଭବକାଣ୍ଡାରୀ ସାଜି ଗୁରୁଦେବ ବସି ରହିଛନ୍ତି ନଦୀ ଘାଟରେ । ସେ ଯଦି କୃପା ନ କରିବେ, ତା’ହେଲ, ଏ ଭବ ସଂସାରରୁ ମୁକ୍ତି ଲଭିବା ଅସମ୍ଭବ ।


ପୁନଶ୍ଚ କବି କହନ୍ତି । ‘‘ମାତା ପିତା ଆଦି ପୁତ୍ର ପରିଜନ

                 ବିଚାରିୟା ଦେଖ କେହି କାରନନ୍
                       କହିଛେ ବୁଧ ସାଧୁ ଜନା
                 ଶ୍ରବନେ ନା ଶୁନବେଦ ନାହିଁ ମାନ
                       ଗୁରୁକେତ କଭୁ ଚିହ୍ନନା ।

ଗୁରୁର କଥାତେ ବିଶ୍ୱାସ ନା କର

ଶାସ୍ତ୍ରର ବଚନ କର୍ଣ୍ଣେ ନାହିଁ ଧର

ଭବିଷ୍ୟତ ଚିନ୍ତା କରନା

ପାପଛିଦ୍ର ପେୟେ ଯମେ ଯାବେ ନିୟେ

ତଖନ ହୋଇବେ ଚେତନା । (ସନ୍ତୋଷ)


ନାମର ମହାତ୍ମ୍ୟ ସଂପର୍କରେ ଲୋକକବିର ବାଣୀ :

           ‘‘ହରିପଦେ ମନ ରାଖହ ସର୍ବଥା/ହେଲାୟ ଜୀବନ କାଟିଓ ବୃଥା
                       ନାଭୁଞ୍ଜିବେ ଯମ ଯନ୍ତ୍ରଣା
           ଅସାର ସଂସାର ନାମ ମାତ୍ର ସାର/ କି ପରିବେ ଜୀବନ ଯୌବନା ।
           ସମୟ ଥାକିତେ ନା ଭଜିଲେ ତାରେ / ବାର୍ଦ୍ଧକ୍ୟ ବୟସେ ସବ ଜ୍ଞାନ ହରେ
                       ଭଲ ମନ୍ଦ କିଛି ଥାକେନା
           ମୃତ୍ୟୁର ସମୟ ଇନ୍ଦ୍ରିୟ ବଶ ହୟ / ମୁଖେ ବାନୀ ତଖନ  ସ୍ଫୁରେନା ।’’
                                               (ସନ୍ତୋଷ)


ସେହିଭଳି ଅନ୍ୟ ଏକ ଆକର୍ଷଣୀୟ ଝୁମରର ଏଠାରେ ଲକ୍ଷ କରାଯାଇପାରେ । ଗୋଟିଏ ସାଇକେଲକୁ ଶରୀର ଭାବେ ପ୍ରତୀକିତ କରି ତା’ମଧ୍ୟରେ ଯେଉଁ ଶରୀର ତତ୍ତ୍ୱର ବ୍ୟାଖ୍ୟା କରିଛନ୍ତି ଝୁମର କବି, ଟିକିଏ ଲକ୍ଷ୍ୟ କରନ୍ତୁ –

           ‘‘ଶୂନ୍ୟେ ହାଁସି ପାଇରେ ମନେ,
           ଏକଟି ସାଇକେଲର ତିନ୍‌ଟି ଚାକା ଦେଖିୟା ନୟନେ
           ଦଶଟି ଫେରେମେ ସାଇକେଲଟି ତୟରୀ
           ପାଞ୍ଚଟି ହେଣ୍ଡେଲ ତାର ଉପରି
                 ହେଣ୍ଡେଲେ ଧରିଛି ଏକ ଜନେ ।
           ଏକଟି ଚାଲକେ ଚାଲଇ ସାଇେକଲ
                 ସାଇକେଲ ଛୁଟିଛି ଆସମାନେ ।
           ଯାହାତେ ସାଇକେଲଟି ନାହୟ ଚୋରି
           ସେ ଭାବେ ସାଇେକେଲଟି କରେଛେ ତୈରି
           ରାଖା ରେଖେଛେ ଛୟ ଜନେ,
           କି ବୋଲବ ଭାଇ ହାଁସିର କଥା
           ଦୁଇଜଣ ବାଁନ୍ଧା ତାର ପିଛନେ ।’’ (ନିତ୍ୟାନନ୍ଦ)

ଅର୍ଥାତ୍ – ‘‘ଗୋଟିଏ କଥା ଦେଖି ହସ ଲାଗୁଛି । ଗୋଟିଏ ସାଇକେଲରେ ତିନୋଟି ଚକା ରହିଛି ଏବଂ ଦଶଗୋଟି ଫ୍ରେମ୍ ରହିଛି । ପାଞ୍ଚଟା ହ୍ୟାଣ୍ଡେଲ ତା’ଉପରେ ରହିଛି ଯାହାକୁ ଧରି ଜଣେ ଚାଳକ ଆକାଶରେ ଛୁଟି ଚାଲିଛି । ପୁଣି ସାଇକେଲ ଯେପରି ଚୋରି ନ ହେବ, ସେଭଳି ତାହା ତିଆରି ହୋଇଛି ଅର୍ଥାତ୍ ଛ’ଜଣ ତାକୁ ଜଗିଛନ୍ତି । ଆଉ ବା କ’ଣ କୁହାଯାଇ ପାରେ – ଦୁଇଜଣ ଲୋକ ତା’ପଛରେ ବନ୍ଧା ହୋଇଛନ୍ତି ।’’

ଏହି ଝୁମରଟିର ପାଠ କଲେ ପଞ୍ଚସଖାଯୁଗୀୟ ସାଧକମାନଙ୍କର ଶରୀର ତତ୍ତ୍ୱମୂଳକ ଭଜନ ଓ ରଚନା କଥା ମନେ ପଡ଼ିଯାଏ । ଝୁମର କବି ଏହି ଦର୍ଶନ ତତ୍ତ୍ୱ, ଶରୀର ତତ୍ତ୍ୱ, ଆଧ୍ୟାତ୍ମିକ ଚେତନାକୁ ଖୁବ୍ ମନୋଜ୍ଞ ଭାବରେ ଉତ୍କୀର୍ଣ୍ଣ କରାଇପାରିଛି ଆପଣାର ଝୁମର ଗୁଡ଼ିକରେ ।

ଝୁମର ଗୀତରେ ସାମାଜିକ ଜୀବନ ଚିତ୍ର

[ସମ୍ପାଦନା]

ଅନ୍ୟାନ୍ୟ ପ୍ରସଙ୍ଗ ପରି କ୍ରମେ ଝୁମର ଲୋକସମାଜର ଜୀବନ ଧାରାକୁ ଆଶ୍ରୟ କରିଛି । ସବୁଜ ବା ରଙ୍ଗୀନ ଯୁଗୀୟ ଝୁମରଗୁଡ଼ିକ ଏହି ପର୍ଯ୍ୟାୟବାଚୀ । ଏଥିରେ ସାମାଜିକ ଜୀବନରେ ପରିଦୃଷ୍ଟ କେତେକ ଘଟଣା ଯେପରି-ପାରିବାରିକ ଜୀବନଶୈଳୀ ଏବଂ ତହିଁରେ ସ୍ୱାମୀ-ସ୍ତ୍ରୀ, ଶାଶୂ-ଶ୍ୱଶୁର-ନଣନ୍ଦ-ଦିଅର, ପ୍ରେମ, ରାଗରୁଷା ଆଦି ଜୀବନ୍ତ ଭାବରେ ରୂପ ପାଇଛି। ଏତଦବ୍ୟତୀତ ସମାଜ ଜୀବନରେ ପରିଦୃଷ୍ଟ ବିଭିନ୍ନ ସମସ୍ୟା, ଯୌତୁକ, ବିବାହ, ରାଜନୈତିକ ଘଟଣା ଆଦି ଲୋକଙ୍କର ଝୁମରଗୀତରେ ମଧ୍ୟ ଦେଖାଯାଇଥାଏ । କେତୋଟି ଉଦାହରଣ ମାଧ୍ୟମରେ ଏହି ପ୍ରସଙ୍କକୁ ଅବତାରଣା କରାଯାଇପାରେ –


ମଦ୍ୟପ ସ୍ୱାମୀର ଅତ୍ୟାଚାରରେ ସ୍ତ୍ରୀର ବକ୍ତବ୍ୟ ନିମ୍ନୋକ୍ତ ଝୁମରରେ-

     ‘‘ହାତେ ମାରିଲେ ସହିନେଲି, ଭାତେ ମାରିଲେ ସହିନେଲି
           ତେବେ ବି ତୋର ଦିନ କେଳେ କେଚେଗୋ
                 ସହି ସହି ଆର ସହିବି କେତେ ।
     ଦିନସାରା ଖଟି ଖଟି, ସଞ୍ଜେ ଖାଇଲି ଆମ୍ବଡ଼ା ଚାଟି
     ଏମିତି କରି ଦିନ୍‌ କାଟିବି କେତେ ଗୋ ।’’

ସ୍ୱଳ୍ପବେତନ ଭୋଗୀ ସ୍ତ୍ରୀର ବଦଖର୍ଚ୍ଚୀ ସ୍ୱଭାବ –


     ‘‘କେତେ ଢଙ୍ଗେ କାଟୁଛି ଶୀଁତା
           ଘନେ ଘନେ ପାଦେ ଅଳତା ଗୋ
                 ଦେଖି ଦେଖି ହେଲି ବିଷ୍‌ପିତା ।
     x x ସହରେ ରଖିଲେ ଖୁସିହେବ ବୋଲି
           ପୁରୀ ସମ୍ବଲପୁର ବୁଲାଇ ଆରିଲି
           (ଆହୁରି) ଯିବ କହୁଛି କଲିକତା ଗୋ ।’’

ବିବାହ କରି ମନସ୍ତାପ କରିବା ପ୍ରସଙ୍ଗ ଝୁମରରେ :

     ‘‘ଏକା ଛିଲି ଭାଲ ଛିଲି, କେନ ପରେର ଦେଖେ କରଲି ହେ
     ଘୂରା ଫେରା ବନ୍ଦ ହୋଇଲ ସଂସାରେର କାଜେ ।
     ମାୟାଜାଲେ ପଡ଼େ ଏଖନ ଭୁଲେଛି ଆପନ ଜନହେ
     ଦିନେର କ୍ଷୁଧା ରାତେର୍ ଘୁମ୍ ହେ ଗେଲ ମିଛ କାଜେ ।’’

ଅର୍ଥାତ- ବ୍ୟକ୍ତିଜଣଙ୍କର ଭକ୍ତି – ‘‘ଏକାଥିଲି ଭଲରେ ଥିଲି । କାହିଁକି ଅନ୍ୟର ଦେଖି ବିବାହ କଲି ? ମାୟାଜାଲରେ ପଡ଼ିଲରୁ ଏବେ ବୁଲାବୁଲି ବନ୍ଦ ହୋଇଗଲା । ଏପରିକି ଦିନରେ ଭୋକଶୋଷ ଓ ରାତିର ନିଦ ମଧ୍ୟ ହଜିଯାଇଛି ।’’


ସେହିପରି ସମାଜରେ ଅର୍ଥଲୋଭୀ ପିତା ବୃଦ୍ଧବର ହସ୍ତରେ କନ୍ୟାକୁ ଅର୍ପଣ କରିବା ପରେ କନ୍ୟାର ଦୁର୍ଦ୍ଦଶା ବଢିଯାଇଛି । ତେଣୁ ସେ କହୁଛି –

‘‘ବାପା ବିହା ଦିଲ ବୁଢ଼ାବରେ ଗୋ, ଦିନେ ରାଇତେ ଜଞ୍ଜାଲି କରେ

ଅନେକ ଗୁଲା ଟାକା ପାଇଲା, ବୁଢ଼ାର କଥାୟ ରାଜି ହୟଲ

ତୋଫାନ ବାନେ ଭାସାଇଁ ଦିଲ ମୋରେ ଗୋ

ଶୁନ ବୁଢ଼ାର ଗୁନେର କଥା, ତେଲ ଦେୟନା ରୁଖାମାଥା

     ବିକାଲ ବେଲା ରୋଜେଇ ମାଥା ଧରେ ଗୋ ।’’


ଅର୍ଥାତ୍ – କନ୍ୟାଟି କହୁଛି – ‘‘ବାପା ବୁଢ଼ାବର ଦେଖି ବିବାହ କରିଦେଲେ । ଅନେକ ଟଙ୍କା ନେଇ ବୁଢ଼ା କଥାରେ ରାଜି ହୋଇଗଲେ । ହେଲେ ମୋତେ ତୋଫାନରେ ଭସାଇ ଦେଲ । ନିତି ଜଞ୍ଜାଳ କରି କରି ମରୁଛି । ବୁଢ଼ାର ଗୁଣ କହିଲେ ସରିବନି । ମୁଣ୍ଡରେ ତେଲ ଲଗାଇବାକୁ ଦିଏନା । ଯେଉଁଥି ପାଇଁ ଶୁଖିଲା ମୁଣ୍ଡ ପ୍ରତି ଉପରବେଳା ପୀଡ଼ା କରେ ।’’

ପ୍ରେମର ପ୍ରସଙ୍ଗ ଝୁମର ଗୀତରେ ନିଆରା । ସେସବୁର ବ୍ୟାପକ ଆଲୋଚନା ଏଠାରେ ସମ୍ଭବ ନୁହେଁ । ଗୋଟିଏ ଗୀତରେ ପ୍ରଥମ ପ୍ରେମର ରୂପ ଏଠାରେ ପରିଦୃଷ୍ଟ –


     ଭୁଜାର ମଜା ରସୁନ୍ ପେଆଜ୍‌
     ଭାତେର ମଜା ତରକାରି
     ପ୍ରଥମ ପିରିତେର ମଜା
     ଆଖ୍ ଠାରା ଠାରି ।


ଅର୍ଥାତ୍ – ମୁଢି ଖାଇବାର ମଜା ଯେପରି ପିଆଜରସୁଣ ସହିତ, ଭାତ ସହିତ ଯେପରି ତରକାରୀ, ସେହିପରି ପ୍ରଥମ ପ୍ରେମର ମଜା ଆଖିଠାର ବା ଆଖି ମିଶାରେ ହୋଇଥାଏ ।

ଏହିଭଳି ଅନେକ ସାମାଜିକ ଘଟଣା ଝୁମର ଗୀତରେ ସୁଲଭ । ପୁନଶ୍ଚ ଝୁମରରେ ‘ରଙ୍ଗ’ ଏକ ଭିନ୍ନ ପ୍ରସଙ୍ଗ । ଯାହାକୁ ‘ଦାୟିକା’ କୁହାଯାଇଥାଏ । ତେଣୁ ସମାଜର ସକଳ ରୂପଛବି ଝୁମର ଗୀତରେ ପ୍ରସ୍ଫୁଟିତ ଏବଂ ଏହି ସମସ୍ତ ଗୀତ ମଧ୍ୟ ସମାଜରେ ବେଶ୍ ଆଦୃତ । ଏହିଭଳି ବହୁବିଧ ଉପାଦାନରେ ‘ଝୁମର‘ ସମୃଦ୍ଧ । କେବଳ ଏହା ଲୋକ ସଂଗୀତ କହିଦେଲେ ହେବ ନାହିଁ । ଯଥାର୍ଥ ସାହିତ୍ୟ ଭାବରେ ମଧ୍ୟ ଏହା ଉପଯୁକ୍ତ ମର୍ଯ୍ୟାଦା ବହନ କରୁଥିବାର ପ୍ରମାଣ ଉକ୍ତ ଆଲୋଚନାରୁ ଅନୁମତି ହୋଇଥାଏ । କେବଳ ରସ, ଅଳଙ୍କାର, ଋତୁ, ପ୍ରକୃତି ବର୍ଣ୍ଣନା ନୁହେଁ, ଆହୁରି ଅନେକ ପ୍ରସଙ୍ଗ ଏହି ଝୁମର ଗୀତମାନଙ୍କୁ ବିଶ୍ଲେଷଣ କରାଯାଇ ପାରେ । ଯାହାର ଆଲୋଚନା ସମୟ ସାପେକ୍ଷ ।

ଊନବିଂଶ ଶତାବ୍ଦୀର ସାନ୍ତଳା ପ୍ରଗଣାର ଭବପ୍ରୀତାନନ୍ଦ, ସିଂହଭୂମିର ଦୀନନାଥ ଅନନ୍ତରାୟ, ରାମକୃଷ୍ଣ ଗାଙ୍ଗୁଲି, ଷଢେଇକଳାର ବୃନ୍ଦାବନ ମାଝୀ, ପୁରୁଲିଆର ପିତାମ୍ବର ଦାସ ଏବଂ ସର୍ବମାନ୍ୟ ଓଡ଼ିଶାର ତୁଳସୀଦାସ ଓ ବାଉଳ ଦାସ କୁର୍ମାଳୀ ଝୁମରର ଜଣେ ଜଣେ ଅଗ୍ରଗଣ୍ୟ କବି । ପୁନଶ୍ଚ ମୟୁରଭଞ୍ଜର ସୁଯୋଗ୍ୟ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ରାମଚନ୍ଦ୍ର ଭଞ୍ଜଦେଓ, ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ପ୍ରତାପଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ରାଜନ୍ୟବର୍ଗଙ୍କ ପୃଷ୍ଠେପୋଷକତା ମଧ୍ୟ ଝୁମର ଗୀତ-ନୃତ୍ୟର ବିକାଶରେ ବହୁମାତ୍ରାରେ ସହାୟକ ହୋଇପାରିଛି । ଚଳିତ ଶତାବନ୍ଦୀରେ ଏହି ଝୁମର ପରମ୍ପରାକୁ ଆଗେଇ ନେବାର ବହୁ କବିମାନେ ଝୁମର ରଚନାରେ ବ୍ରତୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଧାନବାଦର କମଳାଝରିଆ, ପୁରୁଲିଆର ସୃଷ୍ଟିଧର ମହାନ୍ତ, ଜାମସେଦପୁରର ବିପିନ ବିହାରୀମୁଖୀ, ସିଂହଭୂମିର ଶଙ୍କର ସଦ୍ଦାର, ହାଡ଼ିବନ୍ଧୁ ରାୟ, ଷଢେଇକଳାର ଚୈତନ୍ୟ କର୍ମକାର ଏବଂ ମୟୁରଭଞ୍ଜର ଗିରୀଶଚନ୍ଦ୍ର ମହାନ୍ତ, ଲଳିତ କୁମାର ମହାନ୍ତ, ଆଦିକନ୍ଦ ମହାନ୍ତ ପ୍ରମୁଖ ଝୁମର କବି ଓ ଗବେଷକଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ।

ଏହି ଝୁମର ଗୀତ ଓ ନୃତ୍ୟ କେବଳ କୁଡୁମିମାନଙ୍କ ସମ୍ପତ୍ତି ହୋଇରହିନି, ଭୌଗଳିକ ସୀମାତିକ୍ରମ କରି ଏହା ସର୍ବ ଭାରତୀୟ ସ୍ତରେର ସ୍ୱତନ୍ତ୍ର ପରିଚୟ ବହନ କରିବାରେ ସମର୍ଥ ହୋଇଛି । ତେଣୁ ଏ ସବୁ ଭିତରେ ବି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ବିହାର ଆଦି ପ୍ରଦେଶମାନଙ୍କରେ ରଚିତ ଝୁମରକୁ ଉପେକ୍ଷା କରାଯାଇ ନ ପାରେ । ଏ ସମସ୍ତ ଝୁମର ସମ୍ପର୍କରେ ଏକ ସାମଗ୍ରିକ ସଂକଳନ ଓ ସମକ୍ଷାର ଆବଶ୍ୟକତା ରହିଛି । ତେଣୁ ଝୁମର ଆଜି ଅନାଲୋଚିତ ପ୍ରସଙ୍ଗ ହୋଇରହିନାହିଁ । ବହୁ ଅନୁସନ୍ଧିତ୍ସୁ ଏହାର ପ୍ରସାର-ପ୍ରଚାରରେ ମଧ୍ୟ ମନୋନିବେଶ କରିବାର ଦୃଷ୍ଟିଗୋଚର ହେଉଛି । ଏ ସଂପର୍କରେ ମୟୁରଭଞ୍ଜର ‘ଆମ୍ବେଦକର ସାହିତ୍ୟ ପରିଷଦ’ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କୁଡ଼ୁମି ଜାଗରଣ ଭଳି ଏକ ଚେତନା ଉଦ୍ରେକ ମଧ୍ୟରେ ଝୁମରର ପ୍ରସାର ଲାଗି ଯଥେଷ୍ଟ ଉଦ୍ୟମ କରିବାର ପ୍ରୟାସ ଏହି ଅନୁଷ୍ଠାନ ପ୍ରମୁଖ କାରଣ ହୋଇଛି । ଯାହା ହେଉନା କାହିଁକି ମୟୂରଭଞ୍ଜର କୁର୍ମାଳି ଝୁମର ଆଜି ସମଗ୍ର ଭାରତରେ ନିଜର ପରିଚୟ ତିଆରି କରିପାରିଛି । କେବଳ ଏକ ପାରମ୍ପରିକ ଲୋକଗୀତ ଭାବରେ ଏହା ସୀମିତ ନ ରହି ଛଉନୃତ୍ୟ ସହ ତାହା ସମୀଭୂତା ହୋଇଛି ଏବଂ ଏକ ଉନ୍ନତ ସାହିତ୍ୟିକ ମର୍ଯ୍ୟାଦର ମଧ୍ୟ ସମସ୍ତ ଗୁଣ ମଧ୍ୟ ହାସଲ କରିଛି । ତେରୁ ଜାତୀୟ ଜୀବନର ଏହି ମହାର୍ଘ ସମ୍ପତ୍ତି ‘ଝୁମର ଗୀତ’ ଏକ ଉତ୍କୃଷ୍ଟ ଲୋକକଳା ଭାବରେ ଯେ ପ୍ରତିଷ୍ଠିତ, ତାହା ଅସ୍ୱୀକାର କରାଯାଇ ନପାରେ ।

ସଂକେତ ସୂଚୀ

[ସମ୍ପାଦନା]

(୧) ମୟୂରଭଞ୍ଜ ଭାଷାରେ ‘ହଡ଼’ ଅର୍ଥ ମଣିଷ ଓ ‘ମିତାନ ଅର୍ଥ ବନ୍ଧୁ (friend) । ମୟୂରଭଞ୍ଜରେ ସାନ୍ତାଳ, ମୁଣ୍ଡା ଆଦି ନିଜକୁ ହଡ଼ମିତାନ୍ ବା ହଳ୍ ବୋଲି କହନ୍ତି । (ଝୁମର ସଂଗୀତରେ ମୟୂରଭଞ୍ଜ ସଂସ୍କୃତି- ‘‘ଝଉମର ସମୀକ୍ଷା’’ – ଡଃ ଆଦିକନ୍ଦ ମହାନ୍ତ, ପୃ-୧୨) ।

(୨) ‘ମହାନ୍ତ-ମାଝୀ ଭାଇଭାଇ’ – ‘‘କୁଡ଼ୁମି : ଏକ ଜନଜାତି – ଅଧ୍ୟାପକ ଗୋପବନ୍ଧୁ, ଆମ୍ବେଦକର ସାହିତ୍ୟ ପ୍ରକାଶନ, ପୃ-୨୮ ।

(୩) ‘ଝୁମର : ଏକ ଅନାଲୋଚିତ କଳା’ – ଲଳିତ କୁମାର ମହାନ୍ତ – ‘ଝଙ୍କାର’ : ଅଗଷ୍ଟ – ୧୯୮୫, ପୃ-୩୯୮ ।

(୪) ‘ଝୁମରର ସ୍ୱରୂପ’ – ‘ଝୁମର ସମୀକ୍ଷା’ – ଡଃ ଆଦିକନ୍ଦ ମହାନ୍ତ – ଆମ୍ବେଦକର ସାହିତ୍ୟ ପରିଷଦ, ପୃ-୫ ।

(୫) ‘‘ଝୁମର କ’ଣ ? ଏକ ଅବଲୋକତ’’ – ଗିରୀଶ ଚନ୍ଦ୍ର ମହାନ୍ତ, ୪ ଡ଼ିମ୍ବେର ୧୯୯୬ ମସିହାରେ ଆକାଶବାଣୀ କଟକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଝୁମର ସମାରୋହେର ପ୍ରଦତ୍ତ ଅଭିଭାଷଣ ।

(୬) ତତ୍ରୈବ ।

(୭) ଝୁମର ରସ ମଞ୍ଜୁଷା – ଗିରୀଶ ଚନ୍ଦ୍ର ମହାନ୍ତ, ରାଇରଙ୍ଗପୁର, ପୃ-୨ ।

(୮) ତତ୍ରୈବ, ପୃ-୫ ।

(୧) ଝୁମର ଓ ଝୁମରଦେଶ (ସଂକ) – ଗିରୀଶ ଚନ୍ଦ୍ର ମହାନ୍ତ, କୋଣାର୍କ, ପବ୍ଲିଶର୍ସ, କଟକ, ୧ମ ପ୍ର-୧୯୯୩ ।

(୨) ଶହେଟି ଝଉମର – ଗିରୀଶଚନ୍ଦ୍ର ମହାନ୍ତ, ରାଇରଙ୍ଗପୁର, ମଯୂରଭଞ୍ଜ ।

(୩) ଝୁମର ରସ ମଞ୍ଜୁଷା – ୰ ବାଉଳ ଦାସ (ସଂକ) – ଗିରୀଶ ଚନ୍ଦ୍ର ମହାନ୍ତ । ରାଇରଙ୍ଗପୁର, ମଯୂରଭଞ୍ଜ ।

(୪) କୁର୍ମାଳୀ ଲୋକଗୀତର ସଂକ୍ଷିପ୍ତ ପରିଚୟ – ଗିରୀଶଚନ୍ଦ୍ର ମହାନ୍ତ – ଆକାଂକ୍ଷା ପବ୍ଲିକେଶନ୍‌ସ, ବାରିପଦା-୧୯୯୬

(୫) କୁଡ଼ୁମାଲୀ ସାଂସ୍କୃତିକ ପରିଚୟ – ଅଧ୍ୟାପକ ଗୋପବନ୍ଧୁ – ଆମ୍ବେଦକର ସାହିତ୍ୟ ପ୍ରକାଶନ, ମଯୂରଭଞ୍ଜ, ୧ମ-୨୦୦୬ ।

(୬) ଝୁମର ସମୀକ୍ଷା – ଆଦିକନ୍ଦ ମହାନ୍ତ – ଆମ୍ବେଦକର ସାହିତ୍ୟ ପରିଷଦ, ମଯୂରଭଞ୍ଜ, ୧ମ-୨୦୦୬ ।

(୭) କୁଡୁମୀ : ଏକ ଜନଜାତି – ଅଧ୍ୟାପକ ଗୋପବନ୍ଧୁ – ଆମ୍ବେଦକର ସାହିତ୍ୟ ପରିଷଦ, ମଯୂରଭଞ୍ଜ, ୧ମ-୨୦୦୫ ।

(୮) ଲୋକ ସାହିତ୍ୟେ ପ୍ରେମ ପ୍ରସଙ୍ଗ (ବଙ୍ଗଳା) – ବିଧାନ ମାହାତ, ଲୋକ ସାହିତ୍ୟ ପ୍ରକାଶନୀ, କୋଲକାତା – ୧୯୯୫ ।

(୯) ଲୋକ ସଂସ୍କୃତି ପାଠେର ଭୂମିକା (ବଙ୍ଗଳା) – ତୁଷାର ଚଟ୍ଟୋପାଧ୍ୟାୟ – ଦେଜ୍ ପବ୍ଲିଶିଂ, କୋଲକାତା – ୧ମ – ୨୦୦୧ ।

(୧୦) ପତ୍ରିକା ’ଝଙ୍କାର’ – ’୩୫ ବର୍ଷ-୨ୟ ସଂଖ୍ୟା’, ‘୩୬ବର୍ଷ-ଦ୍ୱାଦଶ ସଂଖ୍ୟା’, ‘୩୭ବର୍ଷ-୫ମ ସଂଖ୍ୟା’ ।

(ମୂଳ ଆଲେଖ୍ୟ: "ଝୁମର : ଏକ ଉତ୍କୃଷ୍ଟ ଲୋକକଳା"! ଗବେଷକ: ଶିଶିର ବେହେରା, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକ ! ଉତ୍ସ: ପତ୍ରିକା କୋଣାର୍କ, ୧୬୯ତମ ସଂଖ୍ୟା ୨୦୧୩, ତ୍ରୈମାସିକ ସାରସ୍ୱତ ମୁଖପାତ୍ର, ୧୬୯ ତମ ସଂଖ୍ୟା, ମଇ, ଜୁନ, ଜୁଲାଇ-୨୦୧୩, ପ୍ରକାଶକ: ଓଡ଼ିଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୁବନେଶ୍ୱର-୭୫୧୦୧୪)