ପ୍ରହ୍ଲାଦ ନାଟକ

ଉଇକିପିଡ଼ିଆ ରୁ
(ପ୍ରହଲ୍ଲାଦ ନାଟକ ରୁ ଲେଉଟି ଆସିଛି)
Jump to navigation Jump to search
ପ୍ରହ୍ଲାଦ ନାଟକ
Hiranyakasipu in Prahallada Nataka.jpg
ହିରଣ୍ୟକଶ୍ୟପ ନିଜ ରାଣୀ ଲୀଳାବତୀର ମାନଭଞ୍ଜନ କରୁଥିବା ଦୃଶ୍ୟ । ହିରଣ୍ୟକଶ୍ୟପ ଭୂମିକାରେ ଶ୍ରୀ ଏ ରାଜେନ୍ଦ୍ର ପାତ୍ର ଅଭିନୟ କରୁଛନ୍ତି ।
ମାଧ୍ୟମଗୀତ-ନାଟ
ପ୍ରକାରଜଳନ୍ତର, ପାରଳାଖେମୁଣ୍ଡି, ତରଳା
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଗଞ୍ଜାମ, ଓଡ଼ିଶା,  ଭାରତ
ସମୟ କାଳ୧୮୭୦-୧୮୮୦ (ପ୍ରଥମ ରଚନା)
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ

ପ୍ରହ୍ଲାଦ ନାଟକ ବା ପ୍ରହଲ୍ଲାଦ ନାଟକ (ରଜା ନାଟ, ରଜା ନାଟକ ଭାବେ ମଧ୍ୟ ପରିଚିତ)[୧] ଗଞ୍ଜାମ ଜିଲ୍ଲାରେ ଅଭିନୀତ ଏକ ଲୋକନାଟକ ଅଟେ । ଏଥିରେ ନୃସିଂହଙ୍କ କଥା ଗୀତନାଟ୍ୟ ମାଧ୍ୟମରେ ପରିବେଷିତ ହୁଏ । ଏହାର ପ୍ରମୁଖ ଲେଖା ରାଜା ରାମକୃଷ୍ଣ ଛୋଟରାୟଙ୍କ ନାମରେ ଭଣିତ । ପ୍ରହ୍ଲାଦ ନାଟକର ଗୀତଗୁଡ଼ିକରେ ରାମକୃଷ୍ଣଙ୍କ ନାମରେ ଭଣିତା ଥିଲେ ସୁଦ୍ଧା ଏହାକୁ କବି ଗୌରହରି ପରିଚ୍ଛା ଲେଖିଛନ୍ତି ବୋଲି ଗବେଷକଙ୍କଦ୍ୱାରା ଗୃହୀତ ।[୨][୧] ପରେ ଏହାଙ୍କ ଅନୁକରଣରେ ପାରଳାଖେମୁଣ୍ଡିର ଗଜପତି ମହାରାଜ ପଦ୍ମନାଭ ନାରୟଣ ଦେବ 'ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ' ରଚନା କରିଥିଲେ ।

ପ୍ରହ୍ଲାଦ ନାଟକରେ କୋଡ଼ିଟି ପୁରୁଷ ଚରିତ୍ର ଓ ପାଞ୍ଚଟି ନାରୀ ଚରିତ୍ର ସଂଯୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗାହାକ ନାମକ ଚରିତ୍ର ଚରିତ୍ରଙ୍କୁ ମଞ୍ଚପ୍ରବେଶ କରାଏ ଓ ଘଟଣାକୁ ବ୍ୟାଖ୍ୟା କରେ । ଏହି ଚରିତ୍ର ସଂସ୍କୃତ ଓ ଗ୍ରୀକ ନାଟ୍ୟରେ ଉପସ୍ଥିତ ସୂତ୍ରଧାର ସହ ସାମଞ୍ଜସ୍ୟ ବହନ କରିଥାଏ ।[୨] ଚରିତ୍ରମାନଙ୍କ ମଧ୍ୟରୁ ପ୍ରହଲ୍ଲାଦ, ହିରଣ୍ୟକଶିପୁ, ଲୀଳାବତୀ, ଶୁକ୍ରାଚାର୍ଯ୍ୟ, ମନ୍ତ୍ରୀ, ଗାହାକ, ଚଣ୍ଡମାର୍କ, ଗଣେଶ, ସରସ୍ୱତୀ, ବ୍ରହ୍ମା, ଇନ୍ଦ୍ର, ଦ୍ୱାରୀ, ଚାରଗଣ, ଅସୁରଗଣ, ବାଳକଗଣ, ନାରଦ, ଗଜକର୍ଣ୍ଣ, ସାପୁଆ, ମାହୁନ୍ତ, କପଟ ରାକ୍ଷସ ଆଦି ପ୍ରଧାନ ।

ଉପସ୍ଥାପନା[ସମ୍ପାଦନା]

ମଞ୍ଚ[ସମ୍ପାଦନା]

ପ୍ରହ୍ଲାଦ ନାଟକରେ ବ୍ୟବହୃତ ବିଶେଷ ମଞ୍ଚସ୍ଥାପତ୍ୟ ଯୋଗୁଁ ଏହା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ । ଅଭିନୟ ଲାଗି କୌଣସି ପ୍ରେକ୍ଷାଗାର ଆବଶ୍ୟକ ନ ଥାଏ । ସାଧାରଣତଃ ଗ୍ରାମ ଉପକଣ୍ଠ ବା କୌଣସି ଖୋଲା ସ୍ଥାନରେ ଏହି ନାଟକ ଅଭିନୀତ ହୁଏ । ସମ୍ମୁଖରେ ଏକ ସୋପାନ ଥିବା ମଞ୍ଚ ସ୍ଥାପିତ ହୁଏ । ଏଥିରେ ପ୍ରାୟତଃ ୭ ଗୋଟି ପାହାଚ ଥାଏ । ଗ୍ରାମୀଣ ଭାଷାରେ ଏହି ପାହାଚ ଥିବା ମଞ୍ଚକୁ ମଞ୍ଚା କୁହାଯାଏ । ମଞ୍ଚା ସମ୍ମୁଖ ଭୂଇଁକୁ ନୃତ୍ୟ ଓ ଅଭିନୟ ପାଇଁ ବ୍ୟବହାର କରାଯାଏ । କୁହାଯାଏ ଯେ ହିରଣ୍ୟକଶିପୁର ସପ୍ତଲୋକ ଆଧିପତ୍ୟ ମଞ୍ଚାର ସାତପାହାଚଦ୍ୱାରା ଦର୍ଶାଯାଏ । ମଞ୍ଚାକୁ ମୁଖ୍ୟତଃ ହିରଣ୍ୟକଶିପୁର ଦରବାର ଭାବରେ କଳ୍ପନା କରାଯାଏ । ପାତ୍ରମନ୍ତ୍ରୀ, ରାଣୀ ଇତ୍ୟାଦି ହିରଣ୍ୟକଶିପୁର ଦୁଇ ପାର୍ଶ୍ୱରେ ମଞ୍ଚର ଉପରିଭାଗରେ ବସିଥାନ୍ତି । ବାଦ୍ୟବୃନ୍ଦ ଓ ପାଳିଆମାନେ ମଞ୍ଚାର ତଳେ ଦୁଇ ପଟେ ବସିଥାନ୍ତି ।[୨]

ବାଦ୍ୟ ଯନ୍ତ୍ର[ସମ୍ପାଦନା]

ପ୍ରହ୍ଲାଦ ନାଟକରେ ମୁଖ୍ୟ ବାଦ୍ୟ ଯନ୍ତ୍ର ହେଉଛି ମୁଖ ବୀଣା । ଏହା ଏକ ପ୍ରକାର ବାୟୁଚାଳିତ ସଙ୍ଗୀତ ଯନ୍ତ୍ର । ମୁଖ ବୀଣା ଗୀତକୁ ଏକ ପ୍ରାରମ୍ଭିକ ଗତି ପ୍ରଦାନ କରେ । ଏହା ସଙ୍ଗେ ମର୍ଦ୍ଦଳ, ଗିନି, ଝାଞ୍ଜ ଓ ଆଜିକାଲି ହାରମୋନିଅମର ପ୍ରୟୋଗ ଦେଖାଯାଏ ।[୧] ପ୍ରାୟତଃ ଦୁଇଜଣ ମର୍ଦ୍ଦଳ ବାଦକ ଓ କେତେଜଣ ଗିନି ଓ ଝାଞ୍ଜ ବାଦକ ଯୋଗଦାନ କରନ୍ତି । ମୁଖ୍ୟ ଗାୟକ ହାରମୋନିଅମ ବାଦନ କରି ଅଧିକାଂଶ ଗୀତ ଗାୟନ କରନ୍ତି ଓ ପାଳିଆ ମାନେ ତାଙ୍କୁ ଗାୟନରେ ସହଯୋଗ କରିଥାନ୍ତି ।[୨]

ସଙ୍ଗୀତ[ସମ୍ପାଦନା]

ରାଜା ରାମକୃଷ୍ଣ ଛୋଟରାୟଙ୍କ ଲିଖିତ ପ୍ରହ୍ଲାଦ ନାଟକରେ ଅନେକ ଗୀତ ସଂଯୋଜିତ ହୋଇଛି । ପ୍ରତ୍ୟେକ ଗୀତର ରାଗ ଓ ତାଳ ନିର୍ଦ୍ଦେଶ କରାଯାଇଛି । ସଙ୍ଗୀତ ପଦ୍ଧତି ପୂରାପୂରି ଶାସ୍ତ୍ର ଆଧାରିତ । ଏହି ସଙ୍ଗୀତ ଲୋକସଙ୍ଗୀତ ପର୍ଯ୍ୟାୟଭୁକ୍ତ ନୁହେଁ । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାର ଉତ୍କୃଷ୍ଟ ପ୍ରମାଣ ହେଉଛି ଏହି ପ୍ରହ୍ଲାଦ ନାଟକର ଗୀତ । କିନ୍ତୁ ଏହି ନାଟକ ମଧ୍ୟରେ କେତେଗୋଟି ଗୀତରେ ଦକ୍ଷିଣ ପ୍ରଚଳିତ ରାଗଗୁଡ଼ିକର ନାମ ପ୍ରୟୋଗ କରାଯାଇଥିବା ଦେଖାଯାଏ । ଏହା ସେହି କାଳର ମାନ୍ଦ୍ରାଜ ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶାରେ ତେଲୁଗୁ ଭାଷାର ପ୍ରଭାବ ବୋଲି ଅନୁମିତ ।[୨]

ବ୍ୟବହୃତ ରାଗଗୁଡ଼ିକ ହେଲା - ଭୈରବୀ, ଶ୍ରୀ, କଲ୍ୟାଣ, ଶାବେରୀ, ଖମାଚ, ଝିଞ୍ଝୋଟି, ପୁରୀକଲ୍ୟାଣ, ମାରୁଆ, ଶଙ୍କରାଭରଣ, ନାଦରାମକ୍ରିୟା, ଶାହାନା, ନାଟ, ପାନ୍ତବରାଳୀ, ହିନ୍ଦୁସ୍ଥାନୀ ତୋଡ଼ି, ଘଣ୍ଟାରବ, କାମୋଦୀ, ସ୍ରୋତ, ରେଗୁପ୍ତ, ଅରୂପ, ସିନ୍ଧୁଖମାଚ, ଆରଭି, ବେହାଗ, ଯମୁନାକଲ୍ୟାଣ, କେଦାରଗୌଡ଼ା, ଦେଶୀ ଖମାଚ, ମୁଖାରୀ, ଦେଶ, ନବରୋଜ, ତୋଡ଼ି ପୁନ୍ନାଗ, ନରରାଜୁ । ବ୍ୟବହୃତ ତାଳଗୁଡ଼ିକ ହେଲା - ଆଠ, ଏକ, ଆଦି ଓ ରୂପକ ।[୨]

ନୃତ୍ୟ[ସମ୍ପାଦନା]

ପ୍ରହ୍ଲାଦ ନାଟକର ନୃତ୍ୟ ଭଙ୍ଗିମା ମୁଖ୍ୟତଃ ତାଣ୍ଡବ ଧର୍ମୀ । ଲାସ୍ୟ ନୃତ୍ୟ ସ୍ୱଳ୍ପ । ହିରଣ୍ୟକଶିପୁର ମଞ୍ଚା ଉପରେ ଆଗପଛ ହୋଇ ଦୋହଲିବା ନୃତ୍ୟ ବିଶେଷ ପ୍ରସିଦ୍ଧ । ପ୍ରହ୍ଲାଦ ମଧ୍ୟ ଏହି ନାଟକରେ ଦ୍ରୁତ ପାଦଚାଳନା ସଙ୍ଗେ ନୃତ୍ୟ କରି ଶୂନ୍ୟରେ ଚକ୍ରଗତି ଦେଖାଇଥାଏ । ପ୍ରହ୍ଲାଦନାଟକର ବିଶିଷ୍ଟ ଗବେଷକ ବିଶ୍ୱବିହାରୀ ଖାଡ଼ଙ୍ଗା ଏଥିରେ ଥିବା ତାଣ୍ଡବ ନୃତ୍ୟକୁ ଷୋଳଭାଗରେ ବିଭକ୍ତ କରି ଏହାର ଉଲ୍ଲେଖ ବିଭିନ୍ନ ନାଟ୍ୟ ଶାସ୍ତ୍ରରେ ଥିବା ଦର୍ଶାଇଛନ୍ତି । ଚଣ୍ଡମାର୍କ ଓ ଶବର ଶବରୁଣୀ ଆଦି ଲୋକନୃତ୍ୟ ଶୈଳୀ ମଧ୍ୟ ଏଥିରେ ଅଂଶ ହୋଇଛି ।[୨]

କଳାକାର[ସମ୍ପାଦନା]

ଖଳି ବେହେରା ଓ ସିଂହାଚଳ ପାତ୍ର ହିରଣ୍ୟକଶିପୁ ଚରିତ୍ରର ଅଭିନୟ ନିମନ୍ତେ ଜଣାଶୁଣା ଅଟନ୍ତି ।[୧] ଗଞ୍ଜାମର କୁକୁଡ଼ାଖଣ୍ଡି, କୁଲାଡ଼, କବିସୂର୍ଯ୍ୟନଗର, ଭଞ୍ଜନଗର, ପଦ୍ମନାଭପୁର ଆଦି ଅଞ୍ଚଳରେ ଏବେ ମଧ୍ୟ ରଜାନାଟକ ଦଳଗୁଡ଼ିକ ରହିଛନ୍ତି ।

ପରିବର୍ତ୍ତନ[ସମ୍ପାଦନା]

ପ୍ରହ୍ଲାଦ ନାଟକର ଅଭିନୟ ବେଳେ ନୃସିଂହଙ୍କ ପୂଜିତ ମୁଖା ଧାରଣ କରି ନୃତ୍ୟ ଅନୁଷ୍ଠିତ ହେଲା ବେଳେ କେବେକେବେ ନୃସିଂହ ଅଭିନେତାଙ୍କ ଦେହରେ କାଳିଶି ଲାଗିଯାଏ । କାଳିଶି ଲାଗିଲେ ଅଭିନେତାଙ୍କ ଦେହରେ ଅପୂର୍ବ ଶକ୍ତି ସଞ୍ଚାର ହୁଏ ଓ ତାଙ୍କୁ ଧରି ରଖିବା ପାଇଁ ଦଶରୁ କୋଡ଼ିଏ ବ୍ୟକ୍ତି ଆବଶ୍ୟକ ହୁଅନ୍ତି । ଏହା ନ କରାଗଲେ ସେ ନୃସିଂହଙ୍କ ପରି କ୍ରୋଧରେ ବିଧ୍ୱଂସକାରୀ ପାଲଟିଯାଆନ୍ତି । ଏପରି ହୋଇ କେତେଥର ହିରଣ୍ୟକଶିପୁ ଭାବରେ ଅଭିନୟ କରୁଥିବା ଲୋକଙ୍କୁ ନୃସିଂହ ଅଭିନେତା ପ୍ରକୃତରେ ବିଦାରି ଦେଇଥିବା କଥା ଲୋକେ କୁହନ୍ତି । ଏହିପରି ଅଘଟଣ ହେଲା ପରଠୁଁ ଆଉ ପ୍ରହ୍ଲାଦ ନାଟକରେ ଲୌହ ବା କାଂସ୍ୟ ନଖ ବ୍ୟବହାର କରାଯାଉନାହିଁ ।[୧]

ଆଗରୁ ପ୍ରହ୍ଲାଦଙ୍କ ଦ୍ୱାଦଶ ଦଣ୍ଡ ଭିତରୁ ଅଧିକାଂଶ ପ୍ରକୃତରେ ଅନୁଷ୍ଠିତ ହେଉଥିଲେ । ପ୍ରହ୍ଲାଦ ଚରିତ୍ରର ଅଭିନେତା ଏହି ସବୁ କଳାରେ ପାରଙ୍ଗମ ହୋଇ ସେଗୁଡ଼ିକ କରି ଦେଖାଉଥିଲେ । ଉଦାହରଣସ୍ୱରୂପ ସର୍ପଦଣ୍ଡରେ ପ୍ରକୃତ ବିଷଧର ସାପ ବ୍ୟବହାର ହେଉଥିଲେ । ଆଧୁନିକ ଯୁଗରେ ସେହି ପ୍ରଥାକୁ ବନ୍ଦ କରାଯାଇଛି ।[୧]

ସଂରକ୍ଷଣ[ସମ୍ପାଦନା]

ଏକଦା ଗଞ୍ଜାମ ଜିଲ୍ଲାରେ ପ୍ରହ୍ଲାଦ ନାଟକର ୧୫୦ରୁ ଅଧିକ ଦଳ ଥିଲେ । ଲୋକରୁଚିର ଅଭାବ ଓ ଆର୍ଥିକ ଅସୁବିଧା ଯୋଗୁଁ ଏହି ସଂଖ୍ୟା କମି କମି ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ମାତ୍ର ୨୦ ଗୋଟି ଦଳ ରହିଛନ୍ତି ।[୧]

ପ୍ରହ୍ଲାଦ ନାଟକ ଉପରେ ଡଃ ସୁରେଶ ବଳବନ୍ତରାୟ ଓ ଆମେରିକାର ଡଃ ଜନ ଏମି ପ୍ରମୁଖ ଗବେଷକ ଅଟନ୍ତି । ଆମେରିକାର ବ୍ରାଉନ ବିଶ୍ୱବିଦ୍ୟାଳୟର ଡଃ ଏମି ୧୯୮୦-୧୯୮୨ ମସିହା ମଧ୍ୟରେ ପ୍ରହ୍ଲାଦ ନାଟକ ଉପରେ ଗବେଷଣା କରି ଏହା ବିଷୟରେ ଅନେକ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Rare art form finds few takers - 150-year-old traditional dance languishes in neglect, SUNIL PATNAIK. Wednesday , December 29 , 2010.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ । ସମ୍ପାଦକ - ସୁରେଶ ବଳବନ୍ତରାୟ । ପ୍ରକାଶକ - ବହିପତ୍ର, ୨୦୦୬ ।