ଭାରତ ଲୀଳା

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତ ଲୀଳା
Bharata Lila.jpg
ଭାରତ ଲୀଳାର ଦୁଆରୀ ଚରିତ୍ର
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳ୧୯ଶ ଶତାବ୍ଦୀ
କଳାକାରଦୁଆରୀ, ଅର୍ଜୁନ, ସୁଭଦ୍ରା, ସତ୍ୟଭାମା

ଭାରତ ଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୀଳାନାଟକ ଶୈଳୀ । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବା ଦ୍ୱାରୀଲୀଳା କୁହାଯାଏ ।[୧] ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ ।[୨] ଗଞ୍ଜାମରେ ଭାରତ ଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ବୋଲି କୁହାଯାଏ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରତ ଲୀଲା ପରିବେଷଣ କରାଯାଇଥାଏ । ଜନପ୍ରିୟତା ଦୃଷ୍ଟିରୁ ଗଞ୍ଜାମରେ ପରିବେଷିତ ଭାରତ ଲୀଳାର ସମକକ୍ଷ ସେମାନେ ହୋଇପାରିନାହାନ୍ତି । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି ।[୩] ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି ।[୪][୫]

ଇତିହାସ[ସମ୍ପାଦନା]

୧୮ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନୟାଗଡ଼ର କଲ୍ୟାଣପୁର ଗ୍ରାମର ଶ୍ରୀ ଦୀନବନ୍ଧୁ ଦାସ ଭାରତ ଲୀଳା ରଚନା ପୂର୍ବକ ଅଭିନୟ କରାଇଥିଲେ । ସେ ଜାତିରେ ବାଉରୀ ଥିବାରୁ ଭାରତ ଲୀଳାର ପ୍ରାରମ୍ଭକାଳରେ ଉଚ୍ଚବର୍ଗର ଦର୍ଶକମାନେ ଏହାକୁ ଗ୍ରହଣ କରୁନଥିଲେ । ପୁଣି ରଚିତ 'ସୁଭଦ୍ରା ହରଣ ସୁଆଙ୍ଗ'ରେ ନିମ୍ନବର୍ଗର ଭାଷା ଓ ଦ୍ୱିଅର୍ଥବୋଧକ ଗୀତକୁ ଉଚ୍ଚଶ୍ରେଣୀର ଲୋକେ ଘୃଣା କରୁଥିଲେ । ତେଣୁ ତାହା ମୁଖ୍ୟତଃ ନିମ୍ନଶ୍ରେଣୀମାନଙ୍କ ପାଇଁ ପରିବେଷିତ ହେଉଥିଲା । ପରବର୍ତ୍ତୀ ଗୁରୁମାନଙ୍କଦ୍ୱାରା ଦୀନବନ୍ଧୁ ଦାସଙ୍କ ପାଣ୍ଡୁଲିପିକୁ ସଂଶୋଧନ କରି ସେଥିରେ ଛାନ୍ଦ ଚୌପଦୀ ସଂଯୋଗ କରିବା ଫଳରୁ ଏହାକୁ ସମସ୍ତ ଶ୍ରେଣୀର ଲୋକ ଗ୍ରହଣ କଲେ ।[୩]

ସୃଷ୍ଟି[ସମ୍ପାଦନା]

ଭାରତ ଲୀଲାର ସୃଷ୍ଟି ୧୯ଶ ଶତାବ୍ଦୀରେ ବୋଲି ଅଧିକାଂଶ ଗବେଷକ ମତ ଦିଅନ୍ତି । କିନ୍ତୁ ସ୍ୱର୍ଗତ ଧୀରେନ ଦାଶଶ ଏହା ୧୫ଶ ଶତାବ୍ଦୀର ବୋଲି କୁହନ୍ତି । ଗବେଷଣାରୁ ଜଣାଯାଏ ଯେ ଦୀନବନ୍ଧୁ ଦାସ ଜୀବିକା ଅର୍ଜନ ନିମନ୍ତେ ୧୯ଶ ଶତାବ୍ଦୀରେ ଆସାମ ଓ ରେଙ୍ଗୁନର ଚାହାବଗିଚା ଓ ହୁଗୁଳି ଜିଲ୍ଲାର ଚଟକଳରେ କାର୍ଯ୍ୟ କରିବା ସମୟରେ ସୁଭଦ୍ରା ହରଣ ସୁଆଙ୍ଗ ରଚନା କରିଥିଲେ । ନିଜର ସହକର୍ମୀମାନଙ୍କ ସହଯୋଗରେ ରେଙ୍ଗୁନ ଓ ହୁଗୁଳି ଅଞ୍ଚଳରେ ମଞ୍ଚସ୍ଥ କରି ନିଜ ଗ୍ରାମକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଭାରତଲୀଳା ପରିବେଷଣ କରିଥିଲେ । ଏଣୁ ପ୍ରଥମାବସ୍ଥାରେ ଗଞ୍ଜାମରେ ଏହା ହୁଗୁଳି ଭାରତ ବୋଲି ଲୋକତୁଣ୍ଡରେ ବସିଯାଇଥିଲା । ଅଦ୍ୟାବଧି ମୁଖ୍ୟ ଚରିତ୍ର ଦୁଆରୀଙ୍କ ବେଶ ପୋଷାକରେ ସେହି ସମୟର ଚାହା ବଗିଚାରେ କାମ କରୁଥିବା ମାଙ୍ଗୋଲିୟଙ୍କର ବେଶର ଶୈଳୀ ପରିଲକ୍ଷିତ ହୁଏ ।[୩]

ବିଷୟବସ୍ତୁ[ସମ୍ପାଦନା]

ଭାରତ ଲୀଳାରେ ମହାଭାରତର ବିଭିନ୍ନ ଉପାଖ୍ୟାନ ଅଭିନୀତ ହେଉଥିଲା ମଧ୍ୟ କାଳକ୍ରମେ ଅନ୍ୟାନ୍ୟ ଉପାଖ୍ୟାନ ଲୁପ୍ତ ହୋଇ ଏବେ କେବଳ ସୁଭଦ୍ରା ପରିଣୟ ବା ହରଣ ବିଷୟଟି ଉପଜୀବ୍ୟ ହୋଇ ରହିଛି । ଏହି ପ୍ରସଙ୍ଗଟିର ନାଟକୀୟତା ଯୋଗୁଁ ଏହା ବିଶେଷ ପ୍ରସିଦ୍ଧି ଲାଭ କରିଛି । ବିଭିନ୍ନ ଦଳମାନେ ଏହି ପ୍ରସଙ୍ଗଟିକୁ ନିଜ ନିଜ ଶୈଳୀରେ ଅଭିନୟ କରୁଥିବା ଦେଖାଯାଏ । ନାଟକରେ ବୋଲାଯାଉଥିବା ରଚନାଗୁଡ଼ିକ ପୁରାତନ ଓ ଅତ୍ୟଧିକ ଆଧୁନିକ ରଚନା ପ୍ରାୟତଃ ବ୍ୟବହାର ହୁଏ ନାହିଁ । ସ୍ଥଳେ ସ୍ଥଳେ ନୂତନ କବିତା ବୋଲାଯାଉଥିବା ନଜିର ରହିଛି ।

ଏହି ଲୀଳାରେ ସଂଳାପଟି ଗ୍ରାମ୍ୟ ଶୈଳୀରେ ଥିବାରୁ ଲୋକଙ୍କ ସହଜରେ ବୋଧ ହୁଏ । ପୁଣି ଶୃଙ୍ଗାରଧର୍ମୀ ହାସ୍ୟରସରେ ପରିପୂର୍ଣ୍ଣ ହୋଇ ରହିଛି ।

ସୁଭଦ୍ରା ହରଣ ଲୀଳାର କଥାବସ୍ତୁ[ସମ୍ପାଦନା]

ସାଧାରଣତଃ ମଧ୍ୟରାତ୍ରିରେ ଲୀଳା ପ୍ରାରମ୍ଭ ହୁଏ । ଆରମ୍ଭରେ ସଙ୍ଗୀତ ବାଦନ ହୁଏ । ଏହା ପରେ ନାରୀ ଚରିତ୍ର ମାନେ ଆସି ସଭାକୁ ପ୍ରବୋଧନ୍ତି ଓ ଦେବାଦେବୀଙ୍କୁ ନାଟକର ସାଫଲ୍ୟ ଲାଗି ଜଣାଣ କରନ୍ତି । ଲୀଳାର ଆରମ୍ଭରେ ଅର୍ଜୁନ ରାଜସଜ୍ଜାରେ ଆସି ମଞ୍ଚସ୍ଥ ଏକ ସିଂହାସନରେ ବିରାଜନ୍ତି । ନାଚ ସାରି ସେ ନିଜ ପରିଚୟ ପ୍ରଦାନ କରନ୍ତି । ଏହାର ପରେ ପରେ ଦୁଆରୀ ଚରିତ୍ର ମଞ୍ଚପ୍ରବେଶ କରି ଜଣାଣ ବୋଲିଥାଆନ୍ତି । ସୁଭଦ୍ରା ଓ ସତ୍ୟଭାମା ଆସି ଅର୍ଜୁନଙ୍କ ପ୍ରାସାଦର କବାଟ ବାଡ଼ାନ୍ତି । ଅର୍ଜୁନ ଚିନ୍ତିତ ହୋଇ ଅଧରାତିରେ କିଏ ସେ ତାଙ୍କୁ ଡାକୁଛି ଏହା ଜାଣିବାପାଇଁ ଦୁଆରୀଙ୍କୁ ପଠାନ୍ତି । ଦୁଆରୀ ଝିଅମାନଙ୍କୁ ପଚାରନ୍ତେ ସେମାନେ ଅର୍ଜୁନଙ୍କ ଛଡ଼ା ଆଉ କାହାକୁ ନାଆଁ ଓ ପରିଚୟ ପ୍ରକାଶ କରିବେ ନାହିଁ ବୋଲି କହନ୍ତି । ଅର୍ଜୁନ ଏହା ଶୁଣି କୁପିତ ହୋଇ ତାଙ୍କୁ ବନ୍ଦୀଶାଳରେ ରଖିବାକୁ ଆଜ୍ଞା ଦିଅନ୍ତି । ପରେ ସୁଭଦ୍ରା ରୋଦନ କରନ୍ତି ଓ ସତ୍ୟଭାମା ନିଜ ପରିଚୟ ପ୍ରଦାନ କରନ୍ତି । ଶ୍ରୀକୃଷ୍ଣଙ୍କ ପାଟରାଣୀଙ୍କୁ ବନ୍ଦୀଶାଳରେ ରଖିଥିବାରୁ ଅର୍ଜୁନ ପାପମୋଚନର ଉପାୟ ପଚାରନ୍ତି । ଦୁଆରୀ ଦନ୍ତେ କୁଟା ଧରି ପାଦେ ମୁଣ୍ଡିଆ ମାରିଲେ ସବୁ ପାପ ଚାଲିଯିବ ବୋଲି ଉପାୟ ଜଣାନ୍ତି । ଅର୍ଜୁନ ଏହା କରନ୍ତେ ଦୁଆରୀ ମଜାରେ ତାଙ୍କୁ 'ଏ ଉଲା ଅରଜୁନ ପିଲା କି କର୍ମ କଲା, କଞ୍ଚା ମାଇପିଲା ପାଦେ ଜୁହାର କଲା' ବୋଲନ୍ତି । ଏଥି ଉତ୍ତାରୁ ସତ୍ୟଭାମା ଆସିବା ଉଦ୍ଦେଶ୍ୟ ଶ୍ରୀକୃଷ୍ଣଙ୍କ ଠାରୁ ଫଳ ଆଣିଛନ୍ତି ବୋଲନ୍ତି । ଶ୍ରୀକୃଷ୍ଣ ନଟକୂଟିଆ ପୁରୁଷ, କାଳେ ବିଷଫଳ ପଠାଇଥିବେ ଏହି ଭୟରେ ଅର୍ଜୁନ ଫଳ ଗ୍ରହଣ କରନ୍ତି ନାହିଁ । ଦୁଆରୀଙ୍କ ବୋଧ ପରେ ଅର୍ଜୁନ କେଉଁ ଫଳ ଆଣିଛନ୍ତି ଏହା ଜାଣିବା ପାଇଁ ଦୁଆରୀଙ୍କ ତାହା ହସ୍ତରେ ଧରି ଆଣିବା ପାଇଁ, ଚକ୍ଷୁରେ ଦେଖି ଆସିବା ପାଇଁ ବା ଅସ୍ତ୍ର ନେଇ ଚୋପା ଟିକେ ଆଣିବାକୁ ଆଦେଶ କରନ୍ତି । ଏସବୁ କଲେ ମହାପାପ ଲାଗିବ ଓ ଚୋପା କର୍ତ୍ତନ କଲେ ରୁଧିର ବହିବ ବୋଲି ଝିଅମାନେ କୁହନ୍ତି । ଦ୍ୱିଅର୍ଥବୋଧକ ପଦଗୁଡ଼ିକରେ ନାରୀଙ୍କର କୁଚକୁ ଫଳ ରୂପେ ନାମିତ କରାଯାଇଛି । ଶେଷରେ ସୁଭଦ୍ରା ପ୍ରୀତି ଉଦ୍ଦେଶ୍ୟରେ ଆସିଛନ୍ତି ବୋଲି କୁହନ୍ତି । ଏହାର ବିରୋଧରେ ଅର୍ଜୁନ ନାନା ପ୍ରକାର ଯୁକ୍ତି ବାଢ଼ନ୍ତି । ଅର୍ଜୁନ ସୁଭଦ୍ରାଙ୍କୁ ନିଜ ଭଉଣୀ କହି ପ୍ରମାଣ ଦିଅନ୍ତି । ସୁଭଦ୍ରା ସମଗ୍ର ସଂସାର ଭାଇ ଭଉଣୀ କହି ତାଙ୍କ ଯୁକ୍ତି ଖଣ୍ଡନ କରନ୍ତି । ପରେ ସୁଭଦ୍ରାଙ୍କୁ ଗଉଡ଼ୁଣୀ, ବେଶ୍ୟା, କଳଙ୍କିନୀ ଆଦି ଅପବାଦ ଦିଅନ୍ତି । ଏହି ସମସ୍ତ ଯୁକ୍ତିକୁ ଶାସ୍ତ୍ରପାଣ୍ଡିତ୍ୟରେ ଖଣ୍ଡନ କରି ଦୁଆରୀ ସୁଭଦ୍ରାଙ୍କୁ ଗ୍ରହଣ କରିବାକୁ ପ୍ରବୋଧନ୍ତି । ଅର୍ଜୁନ ତାହା ପରେ ମଧ୍ୟ ନାନା ପ୍ରକାର ଭର୍ତ୍ସନା କରି ଅନାଗ୍ରହ ପ୍ରକାଶ କରିବାରୁ ଶ୍ରୀକୃଷ୍ଣଙ୍କ ଉପାୟ ମତେ ସତ୍ୟଭାମା ମାୟାବତୀ ଦେବୀଙ୍କଠୁଁ ମନ୍ତ୍ରଧୂଳି ଆଣି ଅର୍ଜୁନଙ୍କୁ କାମଭରେ ମୋହିତ କରିନିଅନ୍ତି । ଏହା ପରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ଅନୁଷ୍ଠିତ ହୁଏ ଓ ଲୀଲା ସମାପ୍ତ ହୁଏ ।

ପ୍ରାଚୀନ ରଚନାର ପ୍ରୟୋଗ[ସମ୍ପାଦନା]

ଭାରତ ଲୀଳାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ, ବନମାଳୀ ଦାସ ଆଦି ପ୍ରାଚୀନ ଓଡ଼ିଆ କବିମାନଙ୍କ ରଚନା କଥାଛଳରେ ପରିବେଷିତ ହୁଏ । କୃଷ୍ଣଚନ୍ଦ୍ର ନୃପଙ୍କ ସୁଭଦ୍ରାପରିଣୟ ଆଧାରିତ 'ରସପଞ୍ଚକ' କାବ୍ୟରୁ ଅନେକ ଦୁଆରୀ ପଦ ଉଦ୍ଧାର କରିଥାଆନ୍ତି । ଅନେକ ଦଳମାନଙ୍କଦ୍ୱାରା ବ୍ୟବହୃତ ଜଣାଣ ଗୀତ 'ପ୍ରଭୁ ଜାଣିଲିଣି ଜାଣିଲିଣି, ତୁମ୍ଭେ ଏଡ଼େ ନିର୍ଦ୍ଦୟ ହେଲଣି' କବି ବନମାଳୀ ଦାସଙ୍କ ରଚନା । ଏହାଛଡ଼ା ଗୁରୁ ନବଘନ ପରିଡ଼ା ନିଜର ରଚନାରୁ କେତେକ ଗୀତ ମଧ୍ୟ ଆବଶ୍ୟକ ସ୍ଥଳରେ ପ୍ରସ୍ତୁତ କରନ୍ତି । ସରୋଜ ଭଣିତା ଥିବା ହାସ୍ୟରସାତ୍ମକ 'ବ୍ରଜପୁର ବୁଲେଟ ଗାଡ଼ି' ଗୀତଟି ଅନେକ ଦଳଙ୍କଦ୍ୱାରା ଗୃହୀତ ହୋଇସାରିଲାଣି । ଉଲ୍ଲେଖଯୋଗ୍ୟ ଯେ ଏହି ନୂତନ ଗୀତଗୁଡ଼ିକ ମଧ୍ୟ ପୁରାତନ ସ୍ୱରରେ ସଂଯୋଜିତ ହୋଇ ବୋଲାହୁଏ ।

ଅଭିନୟ[ସମ୍ପାଦନା]

କବିସୂର୍ଯ୍ୟନଗର ଗୁଡ଼ିଆପାଲିର ଶ୍ରୀ ରଙ୍କନିଧି ବେହେରା ଭାରତ ଲୀଳାର ଜଣେ ଜଣାଶୁଣା ନାଆଁ । ସେ ନିଜ ଦୁଆରୀ ଚରିତ୍ରର ଅଭିନୟ ନିମନ୍ତେ ପ୍ରସିଦ୍ଧ ।

ଭାରତ ଲୀଳାରେ ଦୁଆରୀ, ଅର୍ଜ୍ଜୁନ, ସୁଭଦ୍ରା ଓ ସତ୍ୟଭାମା ଏହି ଚାରିଜଣ ମୁଖ୍ୟ ଚରିତ୍ର । ଗୌଣ ଭୂମିକାରେ ଆଉ ଦୁଇଜଣ ଅଂଶଗ୍ରହଣ କରିଥାନ୍ତି । ଅତୀତରେ ଏଥିରେ କେବଳ ପୁଅମାନେ ଅଂଶଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଝିଅପିଲାଙ୍କୁ ନିଆଯାଉଛି । ଅଭିନୟ ପାଇଁ ମୁଖ୍ୟତଃ ସଜ୍ଜିତ ମଞ୍ଚ ଓ ଗୋଟିଏ ମାତ୍ର ଚଉକି ବ୍ୟବହାର କରାଯାଇଥାଏ । ଆବଶ୍ୟକ ଅନୁଯାୟୀ ଚଉକିଟି ବିଭିନ୍ନ ଚରିତ୍ରମାନଙ୍କଦ୍ୱାରା ବ୍ୟବହାର କରାଯାଏ । ମଞ୍ଚଠାରୁ ବେଶଘର (ଗ୍ରୀନରୁମ) ପର୍ଯ୍ୟନ୍ତ ଯିବାପାଇଁ ଥିବା ପଥକୁ 'ପୁଷ୍ପ-ପଥ' କୁହାଯାଏ । ମଞ୍ଚର ଗୋଟିଏ ପାଖରେ ସଙ୍ଗୀତ ପରିବେଷଣକାରୀମାନେ ବସିଥାନ୍ତି । ବ୍ୟବହୃତ ବାଦ୍ୟଯନ୍ତ୍ର ମଧ୍ୟରୁ ହାରମୋନିୟମ, ଯୋଡ଼ିନାଗରା, ଝୁମୁକା, ଘୁଡ଼ୁକି ଆଦି ପ୍ରମୁଖ ।

ଦୁଆରୀ ବା ଦ୍ୱାରୀ[ସମ୍ପାଦନା]

ଏମାନଙ୍କ ମଧ୍ୟରୁ ପ୍ରମୁଖ ଚରିତ୍ର ଦ୍ୱାରୀ ବା ଦୁଆରୀ ନାମରେ ପରିଚିତ । ଏହି ଚରିତ୍ରଟି ଗ୍ରୀକ୍ ନାଟକର କୋରସ୍ ବା ସଂସ୍କୃତ ନାଟକର ସୂତ୍ରଧାର ଭଳି ଅଟେ । ଦୁଆରୀ ବିଭିନ୍ନ ଅଭିନୟଦ୍ୱାରା ଲୋକଙ୍କୁ ହସାଇବା ସହ ଗୀତଗୁଡ଼ିକର ପାଣ୍ଡିତ୍ୟପୂର୍ଣ୍ଣ ବ୍ୟାଖ୍ୟା ପ୍ରଦାନ କରିଥାଏ । ଏଣୁ ଦୁଆରୀ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଶାସ୍ତ୍ରରେ ନିପୁଣ ଓ ପଣ୍ଡିତ ଅଟନ୍ତି ।[୬] ସାଧାରଣତଃ ଦଳର ଗୁରୁମାନେ ଗୀତ ରଚନା ଓ ନିର୍ଦ୍ଦେଶନା କରିବା ସହ ନିଜେ ଏହି ଭୂମିକାରେ ଅଭିନୟ କରିଥାନ୍ତି । କହିବାର ଶୈଳୀ ଓ ଉଦ୍ଦାମ ନୃତ୍ୟ ଯୋଗୁଁ ଦର୍ଶକ ବେଶ ଆନନ୍ଦିତ ହୁଅନ୍ତି ।

ଅତୀତରେ ଦ୍ୱାରୀ ମୁହଁରେ ବିଭିନ୍ନ ରଙ୍ଗବୋଳି ରଣପା ସାହାଯ୍ୟରେ ମଞ୍ଚରେ ପ୍ରବେଶ କରୁଥିଲା । ତେଣୁ ଦର୍ଶକମାନେ ତାକୁ ନବରଙ୍ଗିଆ କହୁଥିଲେ । ପୁଣି ଦୁଆରୀ ହାତରେ ରୁମାଲ ଖଣ୍ଡେ ଧରି ତାକୁ ନାନାବିଧ ପ୍ରକାର ନାଟକରେ ବ୍ୟବହାର କରୁଥିଲେ ।[୬] ପାଲାରେ ଯେପରି ଚାମରକୁ ଗାୟକ ନାଟକର ପ୍ରପ (prop) ଭାବେ ବ୍ୟବହାର କରନ୍ତି, ଠିକ ସେହିପରି ଭାରତ ଲୀଳାର ଦୁଆରୀ ରୁମାଲ ବ୍ୟବହାର କରୁଥିଲେ । ଏଥିରେ ଇଙ୍ଗିତ କରି ଲୁହ ପୋଛିବା, ବନ୍ଧନ ହେବା ଆଦି ନାଟକୀୟ ଭଙ୍ଗୀ କରାଯାଏ ।

ଦୁଆରୀ ଚରିତ୍ର ଅର୍ଜୁନଙ୍କୁ ନାନା ପ୍ରକାରେ ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଶାସ୍ତ୍ର ଆଦି ବିଭିନ୍ନ ଜିନିଷ ବିଷୟରେ ବୁଝାଏ । ଦୁଆରୀ-ଅର୍ଜୁନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ହୋଇ ଦୁଆରୀ ଅର୍ଜୁନଙ୍କ ଠାରୁ ନିଜକୁ ବଡ଼ ବୋଲି ଦେଖାଇ ତାଙ୍କର ଉପହାସ କରିଥାଆନ୍ତି । ପାପମୋଚନ ଲାଗି ଅର୍ଜୁନଙ୍କୁ ସତ୍ୟଭାମାଙ୍କ ଠାରୁ କ୍ଷମାପ୍ରାର୍ଥନା କରାଇ ପରେ ପରେ ଅର୍ଜୁନଙ୍କୁ 'ଉଲା' ଡାକି ଉପହାସ କରନ୍ତି । ସୁଭଦ୍ରା କରୁଣଭରେ କାନ୍ଦିବା ଦୃଶ୍ୟରେ ଦୁଆରୀ ହିଁ ତାଙ୍କ ପ୍ରତି ସମବେଦନା ଦେଖାଇ ଅର୍ଜୁନଙ୍କ ସଙ୍ଗେ ବୁଝାସୁଝା କରନ୍ତି । ଏଣୁ ଦୁଆରୀ ଚରିତ୍ର ନିର୍ବାହ କରିବା ପାଇଁ ଭଲ ଅଭିନୟ ସଙ୍ଗେ ସଙ୍ଗେ ଶାସ୍ତ୍ରଜ୍ଞ ଓ ସଙ୍ଗୀତଜ୍ଞ ବ୍ୟକ୍ତି ଆବଶ୍ୟକ ।

ଅର୍ଜୁନ[ସମ୍ପାଦନା]

ଅର୍ଜୁନଙ୍କ ଚରିତ୍ର ଲୀଳାରେ ଅତି ଅଜ୍ଞ, ନିଷ୍ଠୁର ଓ କୋପୀ ବ୍ୟକ୍ତି ଭାବେ ଦେଖାଯାଇଛି । ଦୁଆରୀ ଏହାଙ୍କୁ ବାରମ୍ବାର ଉପହାସ କରିବା ସଙ୍ଗେ ସଙ୍ଗେ ତାଙ୍କଠୁଁ ନିଜକୁ ବଡ଼ ଦର୍ଶାନ୍ତି । ପୁଣି ଅର୍ଜୁନ ସୁଭଦ୍ରାଙ୍କୁ କଳଙ୍କିନୀ ବୋଲିବାରୁ ଦୁଆରୀ ଅର୍ଜୁନଙ୍କ ପଣିଗୋସେଇଁବାପା ପରାଶର ମୁନି, ଗୋସେଇଁବାପା ବ୍ୟାସ, ବାପା ଇନ୍ଦ୍ର, ମାଆ କୁନ୍ତୀ ଆଦି ସମସ୍ତ ବଂଶର କଳଙ୍କ ଫେଡ଼ିଣ କହନ୍ତି । ଅର୍ଜୁନଙ୍କ ଚରିତ୍ର କଥା କଥାକେ ସୁଭଦ୍ରାଙ୍କୁ ହତ୍ୟା କରିଦେବି କହିବାରୁ ଦୁଆରୀ ତାଙ୍କୁ ସ୍ତିରୀହତ୍ୟା କଲେ କେଡ଼େ ବଡ଼ ପାପ ବୁଝାଇଦିଅନ୍ତି । ଶ୍ରୀକୃଷ୍ଣଙ୍କୁ ନଟକୂଟିଆ ବୋଲିବାରୁ ତାଙ୍କୁ ବୁଝାସୁଝା କରି ଶ୍ରୀକୃଷ୍ଣଙ୍କୁ ନିନ୍ଦା ନ କରିବାକୁ କହନ୍ତି । ସୁଭଦ୍ରାଙ୍କୁ ବେଶ୍ୟା ବୋଲି ନିଷ୍ଠୁର ଭାବେ କହିବାରୁ ଦୁଆରୀ ପରୀକ୍ଷା କରି ଅର୍ଜୁନଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରନ୍ତି । ଅର୍ଜୁନଙ୍କ ନୃତ୍ୟ ମୁଖ୍ୟତଃ ସାହସିକ ଓ ବୀରତ୍ୱର ପ୍ରଦର୍ଶନ ।

ସୁଭଦ୍ରା ଓ ସତ୍ୟଭାମାଙ୍କ ଚରିତ୍ର ମୁଖ୍ୟତଃ ଦୁଆରୀଙ୍କ ସଙ୍ଗେ ସଂଳାପ କରି ତାଙ୍କ ଆସିବା ଉଦ୍ଦେଶ୍ୟ କହନ୍ତି । ସେମାନେ ସଙ୍ଗୀତ ବେଳେ ନୃ୍ତ୍ୟ ମଧ୍ୟ ପରିବେଷଣ କରନ୍ତି । ବେଳେବେଳେ ବିଭିନ୍ନ ଶୃଙ୍ଗାରଧର୍ମୀ ଇଙ୍ଗିତ ପ୍ରଦର୍ଶନ କରନ୍ତି । ଏପରି ଭଙ୍ଗୀ ସଖୀନାଚର ପ୍ରଭାବରୁ ଆସିଛି ବୋଲି ଧୀରେନ୍ଦ୍ରନାଥ ପଟ୍ଟନାୟକ ନିଜ ଆଲେଖ୍ୟରେ ଲେଖିଛନ୍ତି ।[୬]

ଭାରତ ଲୀଳାର ସମୟ ଅବଧି ଆଠରୁ ବାର ଘଣ୍ଟା । ଏହା ରାତି ଦଶଟାରୁ ଆରମ୍ଭ ହୋଇ ସୂର୍ଯ୍ୟାସ୍ତରେ ସମାପ୍ର ହୁଏ । ଲୋକପ୍ରିୟତା ଦୃଷ୍ଟିରୁ ଏଯାଏଁ ଦକ୍ଷିଣ ଓଡ଼ିଶାରେ ଅନେକ ନାଟ୍ୟଦଳ ବିଭିନ୍ନ ଗ୍ରାମରେ ଏହା ପରିବେଷିତ କରୁଛନ୍ତି । ଭାରତ ଲୀଳାର ରେକର୍ଡ଼ିଂ କରାଯାଇ ଦୁଇ ତିନିଥର ଏହା ସିଡ଼ି କରାହୋଇଛି । ଏହି ସମସ୍ତ ରେକର୍ଡ଼ିଂ ଦୁଇ-ତିନି ଘଣ୍ଟାର ମାତ୍ର ।

କଳାକାର[ସମ୍ପାଦନା]

ଦଳ[ସମ୍ପାଦନା]

ଏବେ ଭାରତ ଲୀଳାର ମାତ୍ର କୋଡ଼ିଏଟି ଦଳ ଗଞ୍ଜାମ ଜିଲ୍ଲାରେ ଅଛନ୍ତି । ପ୍ରତ୍ୟେକ ଦଳରେ ଦଶରୁ ପନ୍ଦର ଜଣ ଶିଳ୍ପୀ ଥାଆନ୍ତି । ଏମାନଙ୍କ ମଧ୍ୟରେ ମଞ୍ଚ ଅଭିନେତା, ଗାୟକ, ବାଦ୍ୟଶିଳ୍ପୀ ଓ ସହାୟକ ଅନ୍ୟତମ । ୧୯୯୮ ବେଳେ ଗୋଟିଏ ରାତିର ଲୀଳା ନିମନ୍ତେ ୫୦୦ରୁ ୧୦୦୦ ଟଙ୍କା ଦେୟ ଥିଲା । ଏହା ଲୀଳା କେଉଁଠି କରାଯିବ ଓ ଯାତାୟାତ ଖର୍ଚ୍ଚ ଅନୁସାରେ ସ୍ଥିର କରାଯାଉଥିଲା । ଦଳଗୁଡ଼ିକ ଅଧିକାଂଶ ବାର ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହିଁ ଭାରତ ଲୀଳା ପରିବେଷଣ କରନ୍ତି ।[୬]

ପ୍ରମୁଖ ଗୁରୁ[ସମ୍ପାଦନା]

ଆସ୍କା ନିକଟବର୍ତ୍ତୀ ମାଗୁରାର ୰ଭୀମ ପଣ୍ଡା, ପଞ୍ଚମ ଗ୍ରାମର ଶ୍ରୀନାଥ ପଟ୍ଟନାୟକ, ୰ତ୍ରିନାଥ ପଟ୍ଟନାୟକ, ୰ଶ୍ୟାମସୁନ୍ଦର ସାବତ ଗତ ଶତକର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ । ଅଧୁନା ଶ୍ରୀ ଭୀମ ପଣ୍ଡାଙ୍କ ଶିଷ୍ୟ କବିସୂର୍ଯ୍ୟନଗରର ଶ୍ରୀ ନବଘନ ପରିଡ଼ାଙ୍କ ଦଳ ସବୁଠାରୁ ଉତ୍ତମ ଓ ପ୍ରସିଦ୍ଧ ଦଳ ଭାବେ ଖ୍ୟାତି ଲାଭ କରିଛି ।

ଗୀତ[ସମ୍ପାଦନା]

ଅଧୁନା ଭାରତ ଲୀଳା ଦଳମାନଙ୍କଦ୍ୱାରା ବ୍ୟବହୃତ କେତେକ ଗୀତର ସୂଚୀ ତଳେ ଦିଆଗଲା ।

ଗୀତ କବି ଚରିତ୍ର ବିଷୟ
ପ୍ରଭୁ ଜାଣିଲିଣି ଜାଣିଲିଣି

ତୁମ୍ଭେ ଏଡ଼େ ନିର୍ଦ୍ଦୟ ହେଲଣି ହେ

ବନମାଳୀ ଦାସ ଦୁଆରୀ ଲୀଳା ପ୍ରାରମ୍ଭପୂର୍ବକ ଜଗନ୍ନାଥଙ୍କୁ ଜଣାଣ ।
ପ୍ରଭୁ ଘେନ ମୋର ନିବେଦନ

ନବଘନ ଶ୍ୟାମଳବର୍ଣ୍ଣ

ଦୁଆରୀ ଲୀଳା ପ୍ରାରମ୍ଭପୂର୍ବକ ଜଣାଣ ।
ମୋର ହଂସା ଉଡ଼ିଗଲା ବୀରବର ହେ

କହ କେଣେ ଅଛି

ଦୁଆରୀ ଅର୍ଜୁନଙ୍କ ଦଶନାମ ଶ୍ରବଣ କରି ଧଉର୍ଯ୍ୟ ଉଡ଼ିଯାଉଛି ବୋଲି ।
ହେଲା ନାହିଁ ହେ ବୀର

ଆଉ କେଉଁପରି ଥିଲେ ପ୍ରକାଶ କର

ଦୁଆରୀ ଅର୍ଜୁନ ଯେଉଁ ଦଶନାମ କହିଲେ ପ୍ରକୃତରେ ସେଗୁଡ଼ିକ ସେତେ

ପ୍ରଭାବଶାଳୀ ନୁହେଁ କହି ଉପହାସ ।

ଏକଦିନେ ଶଚୀଦେବୀ

ସ୍ନାନ ଗଲା ବେଳେ

ଦୁଆରୀ ଅର୍ଜୁନଙ୍କ ସବ୍ୟସାଚୀ ନାମକୁ ବଖାଣି - ହଳିଆ ଗୀତ ସ୍ୱର ।
ରଇବତ ପର୍ବତେ

କୃଷ୍ଣ ଫଗୁଖେଳି

ଦୁଆରୀ ଅର୍ଜୁନଙ୍କ ଦିତୀକୃଷ୍ଣ ନାମକୁ ବଖାଣି - ଘୁଡ଼ୁକି ସ୍ୱର ।
ଆଜ ନିଶି କବାଟରେ

କିଏ ସେ ମାରୁଛି କର

ଦୁଆରୀ ଦ୍ୱାରଦେଶରେ କିଏ ଅଛି ପଚାରିବା ଭଙ୍ଗୀରେ ।
ସୁନାଗୋରୀ ଲୋ

ଝିଅ ତୁ କିଏ ସୁନା

ଦୁଆରୀ ସୁଭଦ୍ରାଙ୍କୁ ପରିଚୟ ପଚାରିବା ଭଙ୍ଗୀରେ ।
ନବଛଇଳା କାହାର ବାଳା

କି ରଙ୍ଗରେ ଚାଲି ଆସେ ଅବଳାରେ

ଦୁଆରୀ ଅର୍ଜୁନଙ୍କ ଛାମୁରେ ସୁଭଦ୍ରାଙ୍କ ରୂପ ଓ ଚାଲି ବର୍ଣ୍ଣନା କରି ।
ଘେନିଯାଅ ଦୂତ

ଏ ପାଷାଣ୍ଡୀର ତ

ଅର୍ଜୁନ ସୁଭଦ୍ରାଙ୍କୁ ପାପିଷ୍ଠୀ କହି ତାଙ୍କୁ ଦଣ୍ଡିବାକୁ ଦୁଆରୀ ପ୍ରତି ଆଦେଶ ।
ଦୂତ ହେ

ଜନମ ହେବାର

ସୁଭଦ୍ରା ସୁଭଦ୍ରା ନିଜ କର୍ମକୁ ନିନ୍ଦି ଦୁଆରୀ ସମ୍ମୁଖରେ ବାହୁନିବା ଦୃଶ୍ୟ ।
ମୋ ରାଜବାଳୀ କପାଳରେ କି ଦଶା ଥିଲା

ମୋ କଳାମଲ୍ଲୀ କପାଳରେ

ଦୁଆରୀ ସୁଭଦ୍ରା ଅଧରାତିରେ ବନ୍ଦୀ ହେବାରୁ କି ପୋଡ଼ା ଦଶା ଥିଲା

ବୋଲି କାନ୍ଦଣା ।

ପରର ଧନକୁ ଆଶା ବଳାଇଲେ

ଲାଗଇ ବହୁତ ପାପ

ଦୁଆରୀ ସ୍ତିରୀହତ୍ୟା ସବୁଠାରୁ ବଡ଼ ପାପ ବୁଝାଇବା ପାଇଁ ଦୁଆରୀଙ୍କ

ଦ୍ୱାରା ବିଭିନ୍ନ ପ୍ରକାରର ପାପ ଓ କେଉଁଟି ବଡ଼ ଏହାର ବ୍ୟାଖ୍ୟା ।

ସ୍ତିରୀ ଗର୍ଭିଣୀ ଶିଶୁବଧ ହେ

(ଭାଗବତ)

ଜଗନ୍ନାଥ ଦାସ ଦୁଆରୀ ଅତିବଡ଼ି ଜଗନ୍ନାଥ ଦାସଙ୍କ ମତରେ ମଧ୍ୟ ସ୍ତ୍ରୀହତ୍ୟା ମହାପାପ

ବୋଲି ପ୍ରମାଣ ।

ଯାହା ପଚାରିଲ ଦେଇ ମତିହେ

ଶୁଣ ବ୍ୟାସଦେବ ନାତି ହେ

ଦୁଆରୀ ଅର୍ଜୁନ କିପରି ଗୋବଧ କରି ପାପ ଅର୍ଜିଛନ୍ତି ପୁଣି ସେଥିରେ

ମୁକ୍ତ ହୋଇଛନ୍ତି ସେହି ଉପାଖ୍ୟାନ ।

ଏ ବଚନ ଶୁଣି ଶକ୍ରାବତୀ ଭଣି

ଶୁଣ ଆହେ ଦୂତବର

ସତ୍ୟଭାମା ଅର୍ଜୁନ ଗୋସିଂହ ଦୈତ୍ୟକୁ ମାରି ଯେଉଁ ଶକ୍ରାଜିତ ରାଜାଙ୍କୁ

ଅର୍ଜୁନ ଉଦ୍ଧାର କରିଥିଲେ ସତ୍ୟଭାମା ସେହି ରାଜାଙ୍କ ଦୁହିତା

ଓ ଶ୍ରୀକୃଷ୍ଣଙ୍କ ପାଟରାଣୀ ବୋଲି ପରିଚୟ ପ୍ରଦାନ ।

ରସଲତାର

ବାସ ଅଟେ ଦ୍ୱାରକା

ଦୁଆରୀ ଅର୍ଜୁନଙ୍କ ଛାମୁରେ ସତ୍ୟଭାମା କେହି ନୁହନ୍ତି ସ୍ୱୟଂ ଶ୍ରୀକୃଷ୍ଣଙ୍କ

ପାଟରାଣୀ ବୋଲି ଖବର ।

ବ୍ରହ୍ମହତ୍ୟା ନାଶ ଯାଏ

ଅଶ୍ୱମେଧ କଲେ

ଦୁଆରୀ ଅର୍ଜୁନଙ୍କ ପାପ କିପରି ଖଣ୍ଡନ ହେବ ଏହି ନିମନ୍ତେ ବିଭିନ୍ନ

ପାପ ଓ ତାର ପ୍ରତିକାର ।

ଏ ଉଲା ଅରଜୁନ ପିଲା

କି କର୍ମ କଲା

ଦୁଆରୀ ସତ୍ୟଭାମାଙ୍କ ପାଦତଳେ ଅର୍ଜୁନ ମୁଣ୍ଡିଆ ମାରିବାରୁ ଦୁଆରୀଙ୍କ

ଉପହାସ ।

ସତ କରି କହଗୋ

ସହି ମୋ ରାଣ ତୋତେ

ଦୁଆରୀ ସତ ସତ କରି ଆସିବା କାରଣ ବୁଝାଇଦେବା ପାଇଁ ।
ଆହେ ଦୂତବର ମନ କରି ସ୍ଥିର

ଶୁଣ ଆସିବା କାରଣ

ସତ୍ୟଭାମା ଆସିବା କାରଣ ବୁଝାଇ ।
ବାରିଜଜ ଭଣଜା

ଭଗ୍ନୀ ଆଜ ଆସିଛି ହେ

ଦୁଆରୀ ସୁଭଦ୍ରା ମଧ୍ୟ ସଙ୍ଗେ ଆସିଥିବାର ଖବର ।
ବଡ଼ ନଟକୂଟ ସେ ନନ୍ଦର ଚାଟ

ଜାଣିଅଛି ସବୁ ଗୁଣ ତାର

ଅର୍ଜୁନ ଶ୍ରୀକୃଷ୍ଣ ନଟକୂଟିଆ ବୋଲି ଫଳ ଗ୍ରହଣ କରିବେ ନାହିଁ ।
କେତେ ନଟକୂଟ ଜାଣେ

କଳାକହ୍ନାଇ ଯା

ଦୁଆରୀ ସୁଭଦ୍ରାଙ୍କୁ ଶ୍ରୀକୃଷ୍ଣ କିପରି ନଟକୂଟିଆ ବୁଝାଇ ।
ଅମ୍ବୋରୁହବନ୍ଧୁଜେମା କୁଳେ ଗୋକୁଳଚନ୍ଦ୍ରମା

କହି ନୋହେ ହରବର କଲେ ଯା କାଲି

ଉପେନ୍ଦ୍ର ଭଞ୍ଜ ଦୁଆରୀ ନାବକେଳି କାବ୍ୟରୁ । ଛାନ୍ଦ ।
ଅପୂର୍ବ ଦେଖିଲି ଆଜ

ରେ ସଙ୍ଗାତ

ଉପେନ୍ଦ୍ର ଭଞ୍ଜ ଦୁଆରୀ ରାଧାଙ୍କୁ ଶ୍ରୀକୃଷ୍ଣ କିପରି ହଟହଟା କରିଥିଲେ ସେହି ଉପାଖ୍ୟାନ ।
ପ୍ରୀତିରେ କି ଭାବ ଅଛି

ଜଣା ତ ନ ଗଲା କିଛି

ନବଘନ ପରିଡ଼ା ଦୁଆରୀ ପ୍ରୀତି କରି ଜଗତେ କି କି ଅକୀର୍ତ୍ତି ହୋଇଛି ।
ବ୍ରଜପୁର ବୁଲେଟ ଗାଡ଼ି

ଥିଲେ ବସୁଦେବ କୁମ୍ପାନି ଗଢ଼ି

ସରୋଜ ଦୁଆରୀ ନୂତନ ରଚନା - ଶ୍ରୀକୃଷ୍ଣଙ୍କ ଉପକାରିତା ବୁଝାଇବା ଛଳରେ

ହାସ୍ୟରସାତ୍ମକ ତୁଳନା ।

ଧନୁର୍ଜୟୀ ବିବତ୍ସୀ

ଶ୍ରବଣ କର

ଦୁଆରୀ ସୁଭଦ୍ରା କେଉଁ ଫଳ ଆଣିଛନ୍ତି ବୁଝାଇ ଅର୍ଜୁନଙ୍କୁ

ଇଙ୍ଗିତ କରି ।

ରସାଧରସୁତା ମା ଗୋ

ଘେନ ମିନତି

କୃଷ୍ଣଚନ୍ଦ୍ର ନୃପ ଦୁଆରୀ ଓଷାକୋଠି ସ୍ୱରରେ ଦେବୀ ବନ୍ଦନା । ରସପଞ୍ଚକ କାବ୍ୟରୁ ଉଦ୍ଧୃତ ।
ଶୁଣ ହେ ବୀର ଅର୍ଜୁନ

ଆସିଅଛି ମୁହିଁ ତୁମ୍ଭ ପାଶେଣ

ସୁଭଦ୍ରା ସୁଭଦ୍ରାଙ୍କ ଅର୍ଜୁନଙ୍କ ଠାରୁ ପ୍ରୀତିଭିକ୍ଷା ।
ମୋତେ ବାରମ୍ବାର କରି କହନା

ରେ ସୁନାବରନା

ଅର୍ଜୁନ ସୁଭଦ୍ରାଙ୍କୁ ବାରମ୍ବାର ଜଣାଣ କରିବାକୁ ମନା କରି ।
ଆଜି ରସାଭୂଷା

ତୋର ଦଶା ସରିଲା

ଅର୍ଜ୍ଜୁନ ସୁଭଦ୍ରାଙ୍କୁ ଧମକାଇ ।
ବିଧୂମୁଖୀର

ଆଜି ମଥା ଛିଡ଼ି କଥା ସରିଗଲା ହେ

ଦୁଆରୀ ଅର୍ଜୁନ ନିର୍ଲ୍ଲଜ ଭାବେ ପ୍ରୀତିଭିକ୍ଷା ଶୁଣି କୁପିତ ହେବାରୁ ।
ଶୁଣ ଗୋ ସୁଭଦ୍ରାଇ ଲେଖାରେ ମୋର

ଭଉଣୀ ହେବୁ ତୁହି

ଅର୍ଜ୍ଜୁନ ସୁଭଦ୍ରାଙ୍କୁ ଭଗ୍ନୀ ବୋଲି କହିବା ।
ଆଗୋ ସୁଭଦ୍ରାଇ ସ୍ତିରୀଜନ୍ମ ପାଇ

ଏଡ଼େ କି ନିର୍ଲ୍ଲଜ୍ଜୀ ତୁହି

ଅର୍ଜୁନ ସୁଭଦ୍ରାଙ୍କୁ ନିର୍ଲ୍ଲଜ ବୋଲି ଧିକ୍କାର କରି ।
ଦାରୀ ବୋଲି ଯାହା କଲା ଦଇବ

ତା ରୀତି ବଚନେ କିସ କହିବ

ବଳଦେବ ରଥ ଦୁଆରୀ ଅର୍ଜୁନ ସୁଭଦ୍ରାଙ୍କୁ ବେଶ୍ୟା ଅପବାଦ ଦିଅନ୍ତେ ପ୍ରକୃତରେ ବେଶ୍ୟା

କିଏ ଏହା ବୁଝାଇ ।

ଯଦୁବଂଶ କଳଙ୍କିନୀ କହୁ କାହୁଁରେ

ମୁଁ ଯେତେ ମନା କଲେ ତୁ ତ ମାନୁନାହୁଁରେ

ଅର୍ଜୁନ ପୁନଃ ସୁଭଦ୍ରାଙ୍କୁ ଧିକ୍କାର କରି କଳଙ୍କିନୀ ଡାକନ୍ତି ।
ଶୁଣ ହେ ଇନ୍ଦ୍ରକୁମର

ଗୁଣ ତୁମ୍ଭ ବାପାଙ୍କର

ଦୁଆରୀ ଇନ୍ଦ୍ରଙ୍କ କଳଙ୍କ ଦର୍ଶାଇ ।
କହିଦେବି ହେ

ତୁମ ମାଆଙ୍କ ରୀତି

ଦୁଆରୀ କୁନ୍ତୀଙ୍କ କଳଙ୍କ ଦର୍ଶାଇ ।
ରସିକବର ରସଶେଖର

ରାଜବାଳୀ ଜେମାକୁ କୋଳେ ଧରହେ

କୃଷ୍ଣଚନ୍ଦ୍ର ନୃପ ଦୁଆରୀ ବିଭାଘର ପରେ ରମଣ କରିବାକୁ କହି । ରସପଞ୍ଚକ କାବ୍ୟରୁ ଉଦ୍ଧୃତ ।

ଆଧାର[ସମ୍ପାଦନା]

  1. Ananda Lal (2004). The Oxford Companion to Indian Theatre. Oxford University Press. ISBN 978-0-19-564446-3.
  2. ଡଃ କୃଷ୍ଣଚରଣ ବେହେରା, "ଓଡ଼ିଶାର ଯାତ୍ରା ପରମ୍ପରା ଓ ଲୋକପ୍ରିୟ ନାଟ୍ୟଧାରା", ପୃ-୬୪, ୬୫, ୬୬ । ଫ୍ରେଣ୍ଡସ ପବ୍ଲିଶର୍ସ, କଟକ-୨, ୧୯୯୭ ।
  3. ୩.୦ ୩.୧ ୩.୨ ଲୋକ କଳା : ଭାରତ ଲୀଳା । ମନ୍ମଥ କୁମାର ଶତପଥୀ, ଲୋକ ସଂସ୍କୃତି ଗବେଷକ, ନାଗେଶ୍ୱର ଟାଙ୍ଗୀ, ଭୁବନେଶ୍ୱର । ସମାଜ, ୩୦ ଅକ୍ଟୋବର ୨୦୧୭ ।
  4. Peter J. Claus; Sarah Diamond; Margaret Ann Mills (2003). South Asian Folklore: An Encyclopedia : Afghanistan, Bangladesh, India, Nepal, Pakistan, Sri Lanka. Taylor & Francis. pp. 62–. ISBN 978-0-415-93919-5.
  5. Dash, Dhiren (1979). "Jatra: People's Theatre of Orissa". Sangeet Natak: Journal of the Sangeet Natak Akademi. 52: 11-26. |access-date= requires |url= (help)
  6. ୬.୦ ୬.୧ ୬.୨ ୬.୩ Folk Theater of Orissa, Sri Dhirendra Nath Pattanaik. Orissa Sangeet Natak Akademi, Bhubaneswar. 1st Edition - 1998.