ସୁଆଙ୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁଆଙ୍ଗ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳ୧୫ଶ ଶତାବ୍ଦୀ
କଳାକାରଦୁଆରୀ, ଅର୍ଜୁନ, ସୁଭଦ୍ରା, ସତ୍ୟଭାମା

ସୁଆଙ୍ଗ ଓଡ଼ିଶାର ଏକ ପାରମ୍ପରିକ ଲୋକନାଟ । ପର୍ବପର୍ବାଣିରେ ଲୋକମାନେ ବିଭିନ୍ନ ଦେବାଦେବୀଙ୍କ ଭାବରେ ସାଜ ହୋଇ ଉତ୍ସବ ପାଳନରେ ଭାଗ ନିଅନ୍ତି । ଉଦାହରଣସ୍ୱରୂପ ରାମ, ଲକ୍ଷ୍ମଣ, ପର୍ଶୁରାମ, ରାବଣ, ହନୁମାନ, ମହାଦେବ, ରାଧାକୃଷ୍ଣ, ଯୋଗୀ, ରାକ୍ଷସ ଆଦି ଚରିତ୍ରକୁ ନେଇ ଲୋକେ ବେଶ ଧରିଥାନ୍ତି । ଏହା ସଙ୍ଗେ ସଙ୍ଗେ ସେମାନେ ନୃତ୍ୟଗୀତ ମଧ୍ୟ ପରିବେଷଣ କରିଥାଆନ୍ତି । ଏହି ଚରିତ୍ରମାନଙ୍କ ନାଟକୁ 'ସୁଆଙ୍ଗ' କୁହାଯାଏ । ପୁରାତନ କାଳରେ କେବଳ ଦେବାଦେବୀଙ୍କ ଚରିତ୍ର ସୁଆଙ୍ଗରେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଆଧୁନିକ ଯୁଗ ସହ ଆଜିକାଲି ସୁଆଙ୍ଗରେ ପଶୁପକ୍ଷୀ, ବୁଢ଼ାବର, କଣାବର ଆଦି ହାସ୍ୟରସାତ୍ମକ ଚରିତ୍ର ମଧ୍ୟ ମିଶୁଛନ୍ତି ।

ଇତିହାସ[ସମ୍ପାଦନା]

ନାମକରଣ[ସମ୍ପାଦନା]

'ସୁଆଙ୍ଗ' ଶବ୍ଦଟି ଥଟ୍ଟା ବା ପରିହାସ ଅର୍ଥରେ ବ୍ୟବହାର କରାଯାଏ । ଏହି ଦୃଷ୍ଟିରୁ ନିରୀକ୍ଷଣ କଲେ କୌତୂହଳପ୍ରଦ କୌଣସି ଏକ ଅଭିନୟ ବା ନାଟକୁ ସୁଆଙ୍ଗ ନାମରେ ନାମିତ କରାଯାଏ । ଏହି ଶବ୍ଦଟି ସଂସ୍କୃତ 'ସ୍ୱାଙ୍ଗ'ରୁ ଆସିଅଛି, ଯାହାର ଅର୍ଥ 'ଉତ୍ତମ ପୁରୁଷ' । ଗବେଷକଙ୍କ ଅନୁସାରେ କାଳିଦାସଙ୍କ ମାଳବିକାଗ୍ନିମିତ୍ରର ଧାଡ଼ି 'ସ୍ୱାଙ୍ଗ ସୌଷ୍ଠବାଭିନୟ', ଅର୍ଥାତ୍ ନାଟକୀୟ ଅଭିନୟ ଓ ନୃତ୍ୟରୁ ଏହି ଶବ୍ଦର ଉତ୍ପତ୍ତି ହୋଇଛି । ଏହାକୁ ହିନ୍ଦୀରେ ସ୍ୱାଙ୍ଗ୍, ବଙ୍ଗାଳୀରଏ ସୟାଙ୍ଗ୍ ଓ ମଣିପୁରୀରେ ସୁମାଙ୍ଗ କୁହାଯାଏ ।[୧]

ପରମ୍ପରା[ସମ୍ପାଦନା]

ସୁଆଙ୍ଗ ପରମ୍ପରା କେତେ ବର୍ଷ ପୁରୁଣା ସଠିକ ଭାବେ ନିରୂପଣ ନ କରାଯାଇଥିଲେ ମଧ୍ୟ ଏହା ଅତ୍ୟନ୍ତ ପୁରାତନ ହେବାର ସଙ୍କେତ ରହିଛି ।

ପୂର୍ବକାଳର ସୁଆଙ୍ଗ ରଚନାଗୁଡ଼ିକରେ ବିଭାଗୀକରଣ ଆଦୌ ନାହିଁ । ଏଥିରେ ଚରିତ୍ରମାନେ ଗୀତ ମାଧ୍ୟମରେ ବାର୍ତ୍ତାଳାପ କରିଥାଆନ୍ତି ଓ ସମ୍ପୂର୍ଣ୍ଣ କାହାଣୀଟି ଗୀତ ମାଧ୍ୟମରେ କୁହାଯାଏ । ଏହି ସୁଆଙ୍ଗ ରଚନାସବୁ ଆଗକାଳରେ ନାଟକ ନିମନ୍ତେ ଲିଖିତ ହୋଇଥିଲା ନା କେବଳ ଗାୟନ ନିମିତ୍ତ ଲିଖିତ ହୋଇଥିଲା ଏହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର । ପରବର୍ତ୍ତୀ କାଳରେ ସୁଆଙ୍ଗରେ ଯାତ୍ରା ଆଦି ଅନ୍ୟାନ୍ୟ କଳାରୁ ନାଟକୀୟତା ପ୍ରବେଶ କଲା । ଏହା ସତ୍ତ୍ୱେ ମଧ୍ୟ ରଚୟିତାମାନେ ପୁରାତନ ସ୍ୱରର ବ୍ୟବହାର ପ୍ରତି ଯତ୍ନବାନ ଥିଲେ ।[୧]

ଲୀଳା ଶୈଳୀର ନାଟକ ପରେ ପରେ ସୁଆଙ୍ଗର ବିକାଶ ଘଟିଥିବା ଅନୁମିତ । ଲୀଳାଗୁଡ଼ିକ କେବଳ ରାମାୟଣ ମହାଭାରତ ଆଦିକୁ ନେଇ ଅନୁଷ୍ଠିତ ହେଉଥିଲା । ଏଣୁ ରାମଲୀଳା, କୃଷ୍ଣଲୀଳା ଆଦି ପ୍ରଧାନ ହୋଇ ରହିଥିଲା । ସୁଆଙ୍ଗ ଶୈଳୀରେ ପୌରାଣିକ ଗାଥା ସଙ୍ଗେ ସଙ୍ଗେ ଲୋକଗାଥା ମଧ୍ୟ ସ୍ଥାନ ପାଇଲା । ଲୀଳାରେ ଅଭିନେତାମାନେ ନିଜେ ଗୀତ ବୋଲନ୍ତି ନାହିଁ କିନ୍ତୁ ସୁଆଙ୍ଗ କଳାକାରମାନେ ଅଭିନୟ ସଙ୍ଗେ ସଙ୍ଗେ ନିଜେ ନିଜ ଚରିତ୍ରର ଗୀତ ବୋଲିଥାନ୍ତି ବୋଲି କେତେକ ଗବେଷକଙ୍କ ମତ ରହିଛି । କିନ୍ତୁ ପଞ୍ଚଦଶ ଶତାବ୍ଦୀରେ ଲିଖିତ ତିନିଗୋଟି ପୁରାତନ ସୁଆଙ୍ଗ ଛଡ଼ା ଊନବିଂଶ ଶତାବ୍ଦୀ ଯାଏଁ ଆଉ ବେଶୀ କିଛି ସୁଆଙ୍ଗ ରଚନା ମିଳେ ନାହିଁ । କିନ୍ତୁ ଷୋଡ଼ଶ ଶତାବ୍ଦୀରୁ ନେଇ ବିଂଶ ଶତାବ୍ଦୀ ଯାଏଁ ଲୀଳା ଜାତୀୟ ରଚନା ଯଥେଷ୍ଟ ରହିଛି । ଏହାକୁ ନେଇ କୁହାଯାଏ ଯେ ଲୀଳା ରଚନାର ବାହୁଲ୍ୟ ଯୋଗୁଁ ସୁଆଙ୍ଗ ଅନେକ ସମୟ ପରେ ଯାଇ ଲୋକଙ୍କ ମଧ୍ୟରେ ନିଜ ପୁରାତନ ପ୍ରସିଦ୍ଧି ପୁନର୍ଲାଭ କରିପାରିଲା ।[୧]

ଅନ୍ୟ ଗବେଷକଙ୍କ ମତରେ ସୁଆଙ୍ଗ ଲୀଳାଠାରୁ ମଧ୍ୟ ପ୍ରାଚୀନ । ପଞ୍ଚଦଶ ଶତାବ୍ଦୀର ସୁଆଙ୍ଗ ରଚନା ଉଦାହରଣ ରହିଥିବାରୁ ଏହି ଯୁକ୍ତି ବଳିଷ୍ଠ ହୁଏ । କିନ୍ତୁ ପରବର୍ତ୍ତୀ ଚାରି ଶତାବ୍ଦୀ ଧରି କଣ ପାଇଁ ବେଶୀ କିଛି ସୁଆଙ୍ଗ ରଚନା ଦେଖିବାକୁ ମିଳେ ନାହିଁ ତାହା ଆଲୋଚନାର ବିଷୟ । ବଞ୍ଚିଥିବା ଲୋକକଳାରେ ଏହିପରି ବିରାଟ ଫାଙ୍କ ରହିବା ସମ୍ଭବପର ମନେ ହୁଏ ନାହିଁ । ଏଣୁ ସୁଆଙ୍ଗର ବର୍ତ୍ତମାନ ରୂପ ଯେ ଊନବିଂଶ ଶତାବ୍ଦୀରେ ହିଁ ପୁନର୍ଗଠିତ ହୋଇଛି ଏହା ଅଧିକ ବିଶ୍ୱସନୀୟ ।[୧]

ରଚନା[ସମ୍ପାଦନା]

ପୁରାତନ ସୁଆଙ୍ଗ ରଚନା[ସମ୍ପାଦନା]

ପଞ୍ଚଦଶ ଶତାବ୍ଦୀର ଦୁଇଗୋଟି ସୁଆଙ୍ଗ ଓଡ଼ିଶାରେ ବହୁ ପ୍ରସିଦ୍ଧ ହୋଇଛି । ଏ ଦୁଇଟି ହେଲା ବିପ୍ର ନୀଳାମ୍ବରଙ୍କ ଦେଉଳତୋଳା ସୁଆଙ୍ଗ ଓ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ସୁଆଙ୍ଗ । ଭୀମା ଧୀବରଙ୍କଦ୍ୱାରା ରଚିତ କପଟପାଶା ସୁଆଙ୍ଗରେ ମହାଭାରତର ପଶାଖେଳ ଓ ଦ୍ରୌପଦୀ ବସ୍ତ୍ରହରଣ ବର୍ଣ୍ଣିତ ହୋଇଛି । ପ୍ରଥମ ଦୁଇଟି ସୁଆଙ୍ଗ ଚକୁଳିଆ ପଣ୍ଡା ଓ ନାଥ ଯୋଗୀମାନେ ବୋଲୁଥିବାବେଳେ ତୃତୀୟଟି ପଟୁଆ ନୃତ୍ୟଶିଳ୍ପୀମାନେ ପରମ୍ପରାଗତ ଭାବେ ବୋଲିଥାନ୍ତି ।[୧]

ଦେଉଳତୋଳା ସୁଆଙ୍ଗ[ସମ୍ପାଦନା]

ଦେଉଳତୋଳା ସୁଆଙ୍ଗରେ ପୁରୀ ବଡ଼ଦେଉଳ ନିର୍ମାଣର କାହାଣୀ ଲେଖାଯାଇଛି ।

ଲକ୍ଷ୍ମୀପୁରାଣ ସୁଆଙ୍ଗ[ସମ୍ପାଦନା]

ବଳରାମ ଦାସଙ୍କ ରଚିତ ଏହି ସୁଆଙ୍ଗଟିଏ ଏଯାବତ ଓଡ଼ିଶାରେ ପ୍ରଚଳିତ । ମାର୍ଗଶୀର ମାସ ଗୁରୁବାରରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେବା ପ୍ରଥା ଏହି ସୁଆଙ୍ଗରୁ ହିଁ ଆସିଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Folk Theater of Orissa, Sri Dhirendra Nath Pattanaik. Orissa Sangeet Natak Akademi, Bhubaneswar. 1st Edition - 1998.