ରାବଣଛାୟା

ଉଇକିପିଡ଼ିଆ ରୁ
Jump to navigation Jump to search
ରାବଣ ଛାୟା
Rabana Chhaya.jpg
ରାବଣ ଛାୟା ଶୈଳୀରେ ଲକ୍ଷ୍ମୀ ପୁରାଣ ଆଧାରିତ ଏକ ନୂତନ ପରିବେଷଣ
ମାଧ୍ୟମଛାୟାନାଟକ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ଗୀତ-ସଙ୍ଗୀତଛାନ୍ଦ

ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ 'ଛାୟା' ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ 'ରାବଣ ଛାୟା' ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି ଯେ, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ 'ରାବଣ ଛାୟା' ନାମରେ ନାମିତ କରାଯାଇଛି ।

ବ୍ୟବହୃତ ସାମଗ୍ରୀ[ସମ୍ପାଦନା]

ରାବଣ ଛାୟାରେ ପ୍ରଦର୍ଶିତ ପୁତ୍ତଳିକାଗୁଡିକ ହରିଣ କିମ୍ବା ସମ୍ବର ଚମଡାରେ ନିର୍ମିତ । ପ୍ରଥମେ ଚମଡାକୁ ସମତଳ ଚଟାଣ ଉପରେ ରଖି ଓଜନିଆ ଜିନିଷର ଚାପ ଦିଆଯାଏ । ଦୁଇ ତିନିଦିନ ଏଇଭଳି ରଖାଯିବାପରେ ସେଥିରୁ ଲୋମ ପରିଷ୍କାର କରାଯାଏ । ତା'ପରେ ସେଥିରେ ଉଦ୍ଦିଷ୍ଟ ଚରିତ୍ରର ନକ୍ସା ଅଙ୍କନ କରାଯାଏ । ଅଳଙ୍କରଣ ଓ ପୋଷାକ ପରିଚ୍ଛଦ ନିମନ୍ତେ ଉକ୍ତ କଣ୍ଢେଇରେ ଅନେକ ସୁସଜ୍ଜିତ କ୍ଷୁଦ୍ର ଛିଦ୍ର କରାଯାଏ । ତାହା ମଧ୍ୟଦେଇ ଆଲୋକ ଗତିକରି ଚିତ୍ରକୁ ସ୍ପଷ୍ଟ କରିଥାଏ । ଦେବତାଙ୍କ ଚରିତ୍ର କଣ୍ଢେଇଗୁଡିକ ପାଇଁ ହରିଣ ଚମଡା ଓ ଆସୁରିକ ଚରିତ୍ର ପାଇଁ ସମ୍ବର ଚମଡା ବ୍ୟବହାର କରାଯାଏ । ଗୋଟିଏ ଚରିତ୍ର ପାଇଁ ଅନେକଗୁଡିଏ କଣ୍ଢେଇ ତିଆରି କରାଯାଏ । କାରଣ ଏହି କଣ୍ଢେଇଗୁଡିକର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଚାଲୁ ନଥିବାରୁ ସମ୍ପୂର୍ଣ୍ଣ ରାମାୟଣ ପ୍ରଦର୍ଶନ ନିମନ୍ତେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟାରେ କଣ୍ଢେଇ ତିଆରି କରିବାକୁ ପଡେ । ପ୍ରତି କଣ୍ଢେଇରେ ଗୋଟିଏ ବାଉଁଶ କାଠି ଖଞ୍ଜାଯାଏ । କଣ୍ଢେଇକୁ ଉଭୟ ପାର୍ଶ୍ୱରେ ମଜଭୁତ ସୂତାରେ ବନ୍ଧା ଯାଇଥାଏ ।

ମଞ୍ଚ ପ୍ରସ୍ତୁତି[ସମ୍ପାଦନା]

ଏହି ନାଟକ ପ୍ରଦର୍ଶନ ପାଇଁ ଏକ ଆୟତ ଘନାକାର ମଞ୍ଚ ପ୍ରସ୍ତୁତ କରାଯାଏ । ତାହାର ଦୈର୍ଘ୍ୟ ୧୦ଫୁଟ, ପ୍ରସ୍ଥ ୬ଫୁଟ ଏବଂ ଉଚ୍ଚତା ୬ଫୁଟ ହୋଇଥାଏ । ଏହାର ସମ୍ମୁଖଭାଗ ଉପରକୁ ପ୍ରାୟ ତିନିଫୁଟ ଧଳା ପରଦାରେ ଆବୃତ୍ତ କରାଯାଇଥାଏ । ଏହିଭଳି ନିମ୍ନର ଅର୍ଦ୍ଧଭାଗକୁ ମଧ୍ୟ ୩ଫୁଟକୁ ଏକ ମସିଣା ଏବଂ ଅନ୍ୟ ତିନିପାର୍ଶ୍ୱକୁ କଳା କପଡାଦ୍ୱାରା ଘୋଡାଇ ଦିଆଯାଏ । ମଞ୍ଚ ମଧ୍ୟରେ ଏକ ଆଲୋକ ଉତ୍ସ(୧୦୦ ୱ।ଟ ବଲ୍‌ବ) ବ୍ୟବହାର କରାଯାଏ । ଏହାର ପ୍ରତିଫଳନରେ ପୁତ୍ତଳିକା ସଞ୍ଚାଳକ ରାବଣ ଛାୟା ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ପାରମ୍ପରିକ ଭାବେ ଜଡତେଳରେ ଦୀପ ଜଳାଯାଇ ଆଲୋକ ସୃଷ୍ଟି କରାଯାଉଥିଲା ।

ନାଟକ ପ୍ରଦର୍ଶନ ପରିଚାଳନା[ସମ୍ପାଦନା]

କଣ୍ଢେଇ ସଞ୍ଚାଳକ କଣ୍ଢେଇକୁ ଲାଗିଥିବା କାଠିକୁ ଧରି ପରଦା ଉପରେ ସାମାନ୍ୟ ଚାପ ଦେଇ କଣ୍ଢେଇଗୁଡିକୁ ଆଲୋକ ସମ୍ମୁଖରେ ସଞ୍ଚାଳନ କରନ୍ତି । ବେଳେବେଳେ ଏକ ସମୟରେ ଏକାଧିକ କଣ୍ଧେଇ ସଞ୍ଚାଳନ କରିବାକୁ ହୋଇଥାଏ ଓ ସେତେବେଳେ ତିନି ଚାରିଜଣ କଣ୍ଢେଇ ସଞ୍ଚାଳନ କରିଥାନ୍ତି । ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଅବଲମ୍ବନ/ଛାୟାରେ ଏହି ରାବଣ ଛାୟା ନାଟକ ପରିବେଷଣ କରାଯାଉଛି । ଏଥିରେ ମୁଖ୍ୟ ଗାୟକ ମଞ୍ଚ ଡାହାଣ ପାର୍ଶ୍ୱରେ ଛିଡାହୋଇ ଖଞ୍ଜଣି ବଜାଇ ଛାନ୍ଦଗୁଡିକୁ ଗାଇବାବେଳେ ତାଙ୍କୁ ଦୁଇ ତିନିଜଣ ପାଳିଆ ସହାୟତା କରିଥାନ୍ତି । ସେମାନେ ଗିନି ଓ ଦାସକାଠିଆ ବାଦନ କରନ୍ତି । ପର୍ଦ୍ଦା ପଛରେ ଥିବା ସଞ୍ଚାଳକମାନେ ସଂଗୀତର ତାଳେତାଳେ କଣ୍ଢେଇ ଚାଳନା କରନ୍ତି । ଏବେ ଏହି ନାଟ୍ୟକଳାରେ 'କାଞ୍ଚି ଅଭିଜାନ', 'କର୍ଣ୍ଣବଧ', 'ଦୁର୍ଜନ ସଙ୍ଗେ କଲେ ବାସ', 'ପ୍ରଣୟ ବଲ୍ଲରୀ' , 'ଗାନ୍ଧିଜୀଙ୍କ ସତ୍ୟାଗ୍ରହ' , 'ଶିକ୍ଷା ଅଧିନିୟମ-୨୦୦୯' ଆଦି ପ୍ରଦର୍ଶନ କରାଯାଉଛି ।[୧]

ଆଧାର[ସମ୍ପାଦନା]

  1. ପ୍ରମେୟ, ପୃଷ୍ଠା-୧୩,୨୯.୪.୨୦୧୭