ରଜ

ଉଇକିପିଡ଼ିଆ ରୁ
(ରଜ ପର୍ବ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରଜ
Raja Doli khela Odia festival.jpg
ରଜ ଦୋଳି ଖେଳ
ନାମ ରଜପର୍ବ
ଅନ୍ୟ ନାମ ରଜ ପରବ
ପାଳନକାରୀ ଓଡ଼ିଆ ଲୋକ
ପ୍ରକାର ବସୁମତୀ ପୂଜନ
ବିଶେଷତା ଚାଷର ଆରମ୍ଭ
ଧର୍ମାନୁଷ୍ଠାନ ୧ମ ଦିନ - ପହିଲି ରଜ,
୨ୟ ଦିନ - ରଜ ସଂକ୍ରାନ୍ତି,
୩ୟ ଦିନ - ବସୁମତୀ ସ୍ନାନ ଓ ଭୂମି ଦହନ
୨୦୧୬ ତାରିଖ ଜୁନ ୧୫
୨୦୧୭ ତାରିଖ date missing (please add)

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । [୧] ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠାପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ବିଶେଷତ୍ଵ[ସମ୍ପାଦନା]

ଆଷାଢମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି । ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ।

ପାଳନ[ସମ୍ପାଦନା]

ରଜ ଦୋଳି ଖେଳ

ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । [୨] ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ ।

ଖାଲିପାଦରେ ଚାଲିବା ମନା[ସମ୍ପାଦନା]

ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।

ବସୁମତୀ ସ୍ନାନ[ସମ୍ପାଦନା]

ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ଵଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ଵଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।

ରଜଗୀତ[ସମ୍ପାଦନା]

ରଜଗୀତ ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଯାହା ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।

ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥

ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥
ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ ॥

ରଜଦୋଳି ଗୀତ:

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।

ରଜରେ ବିଶେଷ ଖାଦ୍ୟ[ସମ୍ପାଦନା]

ରଜ ପାନ[ସମ୍ପାଦନା]

ରଜରେ ଭଙ୍ଗାଯାଇଥିବା ମିଠାପାନ
  • ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ ।ଢ଼ଗରେ ଅଛି-

‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।[୩]

ପିଠାପଣା[ସମ୍ପାଦନା]

ରଜରେ ପ୍ରସ୍ତୁତ ହୋଇଥିବା ପିଠା, ମିଠା ।

ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି ।

ପାନ ମସଲା
ରଜ ପାନ
ମିଠା ପାନ

ଆଧାର[ସମ୍ପାଦନା]

  1. "Raja – One of the chief festivals of Odisha | Odia Express". odiaexpress.in. 2012. Retrieved 14 June 2012. First day of Raja is known as the Pahili Raja, then the middle day is Raja Sankranti... 
  2. Raja Sankranti
  3. ବିଷୋଇ, ମମତା (୧୪ ଜୁନ ୨୦୧୫). "ଆସିଛି ରଜ". ସମାଜ. http://samajaepaper.com/epaper/svww_index1.php. Retrieved 15 June 2015. 

ଅଧିକ ତଥ୍ୟ[ସମ୍ପାଦନା]