ପାଟୁଆ ଯାତ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search

ପାଟୁଆ ଯାତ୍ରା ଓଡ଼ିଶାର ଏକ ପ୍ରମୁଖ ଲୋକନୃତ୍ୟ । ଏହା ଓଡ଼ିଶା ବାହାରେ ମଧ୍ୟ ବିଭିନ୍ନ ନାମରେ ପାଳିତ ହୁଏ । ପାଟୁଆ ଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇ ବୈଶାଖ ସଂକ୍ରାନ୍ତି ଦିନ ଶେଷ ହୁଏ । ଏଥିରେ ଭକ୍ତମାନେ ନିଷ୍ଠା ସହିତ କଠିନ କାୟକ୍ଳେଶ ବରଣ କରିଥାନ୍ତି । ଏହାକୁ ଗଣ୍ଡ ଜାତିର ଲୋକମାନେ 'ମେଘନାଦ', ବିହାରର ଛୋଟନାଗପୁର ଅଞ୍ଚଳର ଲୋକମାନେ 'ମାଣ୍ଡା', ତାମିଲନାଡୁରେ 'ଚେଡ଼ତୁଲ', ଦାକ୍ଷିଣାତ୍ୟର ଅନ୍ୟ କେତେକ ଅଞ୍ଚଳରେ 'ବାଗଡ଼', ବଙ୍ଗଳାରେ 'ଚଡକ ପୂଜା', ପ୍ରଭୃତି ନାମରେ ନାମିତ । ଉତ୍ତର ଓଡ଼ିଶାରେ ଏହାକୁ 'ପାଟୁଆ ଯାତ୍ରା' କୁହାଯାଇଥିଲା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାକୁ ଦଣ୍ଡନାଚ ଓ ଝାମୁ ଯାତ୍ରା ବୋଲି କୁହାଯାଏ । ପୁଣି ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଓ ଝାମୁ ଯାତ୍ରା ମଧ୍ୟରେ ବିଶେଷ ପାର୍ଥକ୍ୟ ଦେଖା ଯାଇନଥିଲେ ମଧ୍ୟ ଏହି ତିନି ପ୍ରକାର ଯାତ୍ରା ଆଞ୍ଚଳିକ ବୈଷମ୍ୟ ଦେଖାଯାଏ । ଯଦିଓ ଏସବୁକିଛି ମୂଳ ଗୋଟିଏ ବୋଲି ଗ୍ରହଣ କରାଯାଏ ।

ଧାର୍ମିକ ଭିତ୍ତିଭୂମି[ସମ୍ପାଦନା]

ପାଟୁଆ ଯାତ୍ରାର ଧାର୍ମିକ ଭିତ୍ତିଭୂମି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଥିଲେ ମଧ୍ୟ ଏଥିରେ ତନ୍ତ୍ରର ବିଶେଷ ପ୍ରଭାବ ପଡିଥିବା ଗ୍ରହଣ କରାଯାଏ । ଓଡ଼ିଶାରେ ବାମମାର୍ଗ ତନ୍ତ୍ରର ଉତ୍ପତି ଖ୍ରୀଷ୍ଟୀୟ ୬ଷ୍ଟ/୭ମ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଖ୍ରୀଷ୍ଠୀୟ ୬ଷ୍ଠ/୭ମ ଶତାବ୍ଦୀରୁ ଆରମ୍ଭ ହୋଇଥିବାର- ଅନୁମାନ କରାଯାଇଥାଏ । ଯୋଗାଚାର ପନ୍ଥୀ ମାନେ ଜପ, ଯଜ୍ଞ ଓ ଅନୁଷ୍ଠାନାହିଁ ପ୍ରକ୍ରିୟାରେ ମହାମାୟାଙ୍କୁ ସନ୍ତୁଷ୍ଟ କରିବାରେ ବିଶ୍ୱାସ କରୁଥିଲାବେଳେ ବାମମାର୍ଗୀମାନେ ହଠଯୋଗ ପ୍ରକ୍ରିୟାରେ ଦେବୀଙ୍କୁ ଆରାଧନା କରିବାରେ ମନ ବଳାଇଥିଲେ । ଖ୍ରୀଷ୍ଟୀୟ ୮ମ, ୯ମ ଶତାବ୍ଦୀରେ ବାମପନ୍ଥୀ ତାନ୍ତ୍ରିକମାନଙ୍କର ପ୍ରତିପତି ବୃଦ୍ଧି ପାଇବାକୁ ଲାଗିଲା । ଠିକ ସେତିକି ବେଳକୁ ତାନ୍ତ୍ରିକ ମତରେ ଶ୍ରୀ ବିମଳାଙ୍କୁ ଭୈରବୀ ଓ ଶ୍ରୀ ଜଗନ୍ନାଥଙ୍କୁ ତନ୍ତ୍ରର ଅଧିଷ୍ଠାତା ଭୈରବ ରୂପେ ସ୍ୱୀକାର କରି ଓଡ଼ିଶାକୁ ଉଡ୍ରପୀଠ ରୂପେ ତନ୍ତ୍ର ସ୍ୱୀକୃତି ମିଳିଲା । ବୌଦ୍ଧ ଧର୍ମର ଜାତିଭେଦ ବିରୋଧୀ ସ୍ୱର ଏବଂ ତାନ୍ତ୍ରିକଧାରା ଯୋଗୁଁ ଏହା ଜନ ସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲା । ସ୍ୱାଭିବିକ ପ୍ରତିକ୍ରିୟା ଭାବେ ହିନ୍ଦୁଧର୍ମର ଶୈବ ଓ ଶାକ୍ତ ଗୋଷ୍ଠୀ ଏଥିରେ ପ୍ରଭାଦିତ ହେଲା । ଫଳରେ ସମଗ୍ର ଓଡ଼ିଶାରେ ହଠଯୋଗ ମାଧ୍ୟମରେ ଶିବ ଓ ଶକ୍ତିଙ୍କର ଆରାଧନା କରାଗଲା । ଏହି ଆରାଧନା କୁଳୀନ ବ୍ରାହ୍ମଣମାନଙ୍କ ମଧ୍ୟରେ କେବଳ ସୀମିତ ରହିଲା ନାଇଁ, ସମାଜର ନିମ୍ନ ଜାତିର ଲୋକମାନଙ୍କୁ ମଧ୍ୟ ବିନା ବାଧାରେ ଏଥିରେ ସାମିଲ କରାଗଲା । ହଠଯୋଗ ଓ କାୟାକ୍ଲେଶ ସାଧନା ଫଳରେ ଶିବ ଓ ଶକ୍ତିଙ୍କୁ ଆରାଧନା କରିବା ନିମନ୍ତେ ଏ ଯେଉଁ ପ୍ରଚେଷ୍ଟା ଆରମ୍ଭ ହେଲା, ତାହାର ଫଳଶ୍ରୁତି ହେଲା ‘ପାଟୁଆଯାତ୍ରା’ । [୧]

ଆରାଧ୍ୟ ଦେବତା[ସମ୍ପାଦନା]

ଶିବ ହେଉଛନ୍ତି ପାଟୁଆଯାତ୍ରାର ମୁଖ୍ୟ ଦେବତା । ଏହି ଯାତ୍ରାରେ ଭାଗ ନେଉଥୁବା ଭକ୍ତ ମାନଙ୍କୁ ଭକ୍ତା ବୋଲି କୁହାଯାଇଥାଏ । ଏହି ଭକ୍ତାମାନେ ନିଜକୁ ଶିବପ୍ରିୟା ପାର୍ବତୀ ଭାବେ ମନେକରି କଠିନ କାୟକ୍ଲେଶ ସାଧନ ପୂର୍ବକ ଶିବକୃପା ଲାଭ କରିବାର ପ୍ରଚେଷ୍ଟା କରନ୍ତି । ସେଥିପାଇଁ ଭକ୍ତା ନିଜକୁ ନାରୀ ଭାବେ ସଜାଇ ଏହିଯାତ୍ରାରେ ଅଂଶଗ୍ରହଣ କରିଥାଏ । ମାତ୍ର କୌଣସି ପ୍ରକୃତ ନାରୀ ଏଥିରେ ଭାଗ ନେଇପାରନ୍ତି ନାହିଁ । ଉତ୍ତର ଓଡ଼ିଶାର ବିଭିନ୍ନ ଶୈବକ୍ଷେତ୍ରରେ ପାଟୁଆ ଯାତ୍ରା ହେବାର ଲକ୍ଷ୍ୟ କରାଯାଏ । ଅନେକ ସ୍ଥାନରେ ଶିବଙ୍କ ସହିତ ଶକ୍ତିକୁ ମଧ ଆରାଧନା କରାଯାଇଥାଏ । [୨]ମୂଖ୍ୟତଃ ଶିବ କୃପା ଲାଭ ନିମନ୍ତେ ଶକ୍ତିଙ୍କୁ ମାଧ୍ୟମ ରୂପେ ଗ୍ରହଣ କରି ନିଜ ମଧ୍ୟରେ ଶକ୍ତିଙ୍କର ସମାବେଶ ଘଟାଇବା ନିମନ୍ତେ ଭକ୍ତ ତାଙ୍କର ଶରଣ ପଶିଥାଏ । ବାଲେଶ୍ୱର ଜିଲ୍ଲାର ଚରମ୍ପା 'ପାଟୁଆଯାତ୍ରା’, ମୟୂରଭଞ୍ଜର 'ରରୁଆଁ' ଓ 'ଠାକୁରମୁଣ୍ଡା'ର, ପୁରୀଜିଲ୍ଲାର 'କାକଟପୁର', କଟକ ଜିଲ୍ଲାର 'ବାଙ୍କୀ', 'ଝଙ୍କଡ଼' ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ପାଟୁଆ ଯାତ୍ରା ମାନଙ୍କରେ ଆରାଧ୍ୟା ହେରହନ୍ତି 'ଶକ୍ତି' ।

ଓଡ଼ିଶାର ସାମାଜିକ ଜୀବନରେ ପାଟୁଆ ଯାତ୍ରାର ପ୍ରଭାବ[ସମ୍ପାଦନା]

ଓଡ଼ିଶାର ସମାଜିକ ଜୀବନରେ ପାଟୁଆଯାତ୍ରାର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତି ବର୍ଣ୍ଣ ନିର୍ବିଶେଷରେ ଲୋକେ ଏହିଯାତ୍ରାରେ ସାମିଲ ହୁଅନ୍ତି । ଶିବ ଓ ଶକ୍ତିଙ୍କ ଭୟରେ କେହି ଏହି ଯାତ୍ରାରେ ସାମିଲ ହୋଇଥିବା ଯୋଗୁଁ କାହାରିକୁ ଜାତିପାଟକରୁ ଅଲଗା କରିପାରିନଥାନ୍ତି । କେତେକ ଯାଗାରେ ଦେବୀଙ୍କୁ ନୈବେଦ୍ୟ ଦିଆଯାଇଥିବା ଅନ୍ନ କେବଳ ନୀଚ ଜାତିର ଲୋକେ ଖାଇଥାନ୍ତି । ମାତ୍ର ଉଡ଼ା ପାଟୁଆ ମାନେ ଫିଙ୍ଗୁଥିବା ମିଷ୍ଟାନ୍ନ ସକଳକୁ ସମସ୍ତେ ଆଗ୍ରହର ସହ ଗ୍ରହଣ କରିଥାନ୍ତି । ଓଡ଼ିଶାର ତନ୍ତ୍ର ସଂସ୍କୃତିର କ୍ଷୀଣଧାରାକୁ ପାଟୁଆଯାତ୍ରା’ ବଞ୍ଚାଇ ରଖିଛି । ଆରାଧ୍ୟ ଦେବଦେବୀ ଉପରେ ଅଖଣ୍ଡ ବିଶ୍ୱାସ ରଖି ଲୋକ କଠିନ ସାଧନା କରନ୍ତି । ପାଟୁଆ ଯାତ୍ରାରେ ଭକ୍ତମାନେ ଅନେକ ଗୀତ ଗାଇଥାନ୍ତି । ପାଟୁଆଯାତ୍ରାର ସାହିତ୍ୟ ହେଉଛି ଲୋକସାହିତ୍ୟ । ଗାଁ ଗଣ୍ଡାରେ ପାଟୁଆମାନେ ମାଗଣ କଲାବେଳେ ଅନେକ କ୍ଷେତ୍ରରେ ଲୋକକବିମାନଙ୍କ ରଚିତ ପଦ ଆବୃତି କରିଥାନ୍ତି । ବେଳେବେଳେ ପଦ ମନେ ନପଡ଼ିଲେ ନିଜେ ମନରୁ ଫାନ୍ଦି ବୋଲିଥାନ୍ତି । ଭକ୍ତା ପାଟୁଆ ଗାଁ ପରିକ୍ରମା କଲାବେଳେ ଦେବ ଦେବୀ ଜଣାଣ ସହିତ ନିଜର ବ୍ୟକ୍ତିଗତ ସୁଖଦୁଃଖ ହସକାନ୍ଦର ଜୀବନ ସମ୍ପର୍କରେ ମଧ୍ୟ ସୁଚନା ଦେଇ ଗାଇଥାଏ ।

"କପା ଗଛ ରୂଆ ରୂଆ,
କି ଗୀତ ଗାଇବି ବାଳୁତ ଛୁଆ ମୁଁ ତିନିଦିନ ଉପାସିଆ
କାଳି ଗାଈ ଛୋଟାଇଲା,
ରେମୁଣା ବାଟରେ ଝୋଲାମାଇଲା, ପାଣିପେଇ ବଞ୍ଚାଇଲା"

ଅନେକ କ୍ଷେତ୍ରରେ ଏହି ଗୀତ ଆରାଧ୍ୟଙ୍କ ଆରାଧନା ଓ ସ୍ତୁତି କରିଥାଏ ।

"ଗାଁ ଗୋହିରୀର ବେତ,
ମାଆ ମଙ୍ଗଳାଙ୍କୁ ମୋ ଦଣ୍ଡବତ, ଅନୁକୂଳ ହେଲା ଗୀତ ।
ଚିରିଚିରି ଗଲା ବତା,
ପତ୍ରଶୁଣୀ ବୋଲି ବଡ଼ ଦେବତା, ଶୂନ୍ୟେ ଉଡ଼େ ପାଟଛତା ।
ଚିରିଦେଲି ଚିରାବତା,
ସ୍ୱର୍ଗରେ ବନ୍ଦିଲି ସ୍ୱର୍ଗ ଦେବତା, ତଳେ ବନ୍ଦେ ବସୁମାତା ।
ଶିଝୁକାଠ ପୋଳି ପୋଳି,
କ୍ଷେତ୍ରରେ ବନ୍ଦିଲି ମା' ବିମଳୀ, ବନ୍ଦେ କଲିକତା କାଳୀ "

ପାଟୁଆ ଗୀତ


ଆଧାର[ସମ୍ପାଦନା]

  1. ଡ. ହରେକୃଷ୍ଣ ପାତ୍ର : ଓଡ଼ିଶାର ତନ୍ତ୍ର ସଂସ୍କୃତି. ଓଡ଼ିଶା ସାହିତ୍ୟ ଏକାଡେମୀ. p. ୨୯୯.
  2. "ଭଦ୍ରକ : ପାଟଣ ମଙ୍ଗଳା ପୀଠର ଐତିହାସିକ ପାଟୁଆ ଯାତ୍ରା". Retrieved 8 August 2018.