ସଖୀ କଣ୍ଢେଇ ନାଚ

ଉଇକିପିଡ଼ିଆ ରୁ
ସଖୀ କଣ୍ଢେଇ ନାଚ
India Mandawa marionetas 01 ni.JPG
ସଖୀ କଣ୍ଢେଇ ନାଚ ପରିବେଷଣ
ମାଧ୍ୟମ ଗୀତ-ନାଟ
ସଂସ୍କୃତି ଓଡ଼ିଆ ଚଳଣି
ସୃଷ୍ଟି ଓଡ଼ିଶା,  ଭାରତ
ସମୟ କାଳ ମଧ୍ୟଯୁଗ
ଗୀତ-ସଙ୍ଗୀତ ଓଡ଼ିଶୀ ସଙ୍ଗୀତ

ସଖୀକଣ୍ଢେଇ ନାଚ (ଅନ୍ୟନାମ: ସଖୀ ନାଚ, କଣ୍ଢେଇ ନାଚ) ଓଡ଼ିଶାର ଏକ ପାରମ୍ପାରିକ ନାଚ ।[୧] ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ‌ଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି। ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି [୨] ତାର ଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟ ଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି। ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ ରେ ୭ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଆନ୍ତି ।[୩]

ଆଧାର[ସମ୍ପାଦନା]

  1. Orissa Review. Home Department, Government of Orissa. 1988. 
  2. Communication and the Traditional Media: Papers and Proceedings of Seminar. Indian Institute of Mass Communication. 1981. 
  3. ସମାଜ ସାପ୍ତାହିକ, ପୃଷ୍ଠା-୧୩-୧୪, ୧୪-୨୦ ସେପ୍ଟେମ୍ବର ୨୦୧୩