କୃଷ୍ଣଚନ୍ଦ୍ର ମିଶ୍ର
କୃଷ୍ଣଚନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ | ୨୮ ଅଗଷ୍ଟ ୧୯୪୮
ବୃତ୍ତି | ପ୍ରାଧ୍ୟାପକ (ବିଭାଗୀୟ ମୁଖ୍ୟ - ଅର୍ଥନୀତି ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ ପରେ ଚାକିରୀରୁ ଅବସରପ୍ରାପ୍ତ) |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ଅର୍ଥନୀତିରେ ସ୍ନାତକୋତ୍ତର (୧୯୭୩), ଅର୍ଥନୀତିରେ ଡକ୍ଟରେଟ୍ (୧୯୮୮) |
ଶିକ୍ଷାନୁଷ୍ଠାନ | ପୁରୀ ଜିଲ୍ଲା ସ୍କୁଲ ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ Land Systems and Land Reforms |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୨) |
ଜୀବନସାଥୀ | ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ |
ସମ୍ପର୍କୀୟ | ସ୍ୱର୍ଗତ ଚକ୍ରଧର ମିଶ୍ର (ବାପା), ସ୍ୱର୍ଗତ କମଳା ଦେବୀ (ମାଆ) |
କୃଷ୍ଣଚନ୍ଦ୍ର ମିଶ୍ର (ଜନ୍ମ: ୨୮ ଅଗଷ୍ଟ ୧୯୪୮) ଜଣେ ଭାରତୀୟ ଓଡ଼ିଆ ଓ ଇଂରାଜୀ ଭାଷାର ପ୍ରାବନ୍ଧିକ ତଥା ଅର୍ଥନୀତି ପ୍ରାଧ୍ୟାପକ । ତାଙ୍କ ଗବେଷଣାତ୍ମକ ରଚନା ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ: ଏକ ତାତ୍ତ୍ୱିକ ବିଶ୍ଳେଷଣ ୨୦୧୨ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।[୧] ଚାକିରୀ ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ସେ ଭାରତୀୟ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରୁଛନ୍ତି । ତାଙ୍କ ପତ୍ନୀ ଡଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରୀର ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ତଥା ଜଣେ ଲେଖିକା । ସେ ଓଡ଼ିଆ ଔପନ୍ୟାସିକା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ ।
ବାଲ୍ୟ ଓ ଶିକ୍ଷା ଜୀବନ
[ସମ୍ପାଦନା]୧୯୪୮ ମସିହା ଅଗଷ୍ଟ ୨୮ରେ ଜନ୍ମାଷ୍ଟମୀ ଦିନ କୃଷ୍ଣଚନ୍ଦ୍ର ମିଶ୍ର ପୁରୀରେ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଚକ୍ରଧର ମିଶ୍ର ଓ ମାତାଙ୍କ ନାମ କମଳା ଦେବୀ । ସେ ପୁରୀ ଜିଲ୍ଲା ସ୍କୁଲରୁ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କ ଲିଖିତ ଭୁବନେଶ୍ୱରର ପ୍ରାଚୀନ ମନ୍ଦିରମାନଙ୍କ ଉପରେ ଏକ ପ୍ରବନ୍ଧ ପଢ଼ି ବିଶେଷ ପ୍ରଭାବିତ ହୋଇଥିଲେ ।[୨] ନିଜର କିଛି ସହପାଠୀଙ୍କ ସହିତ ମିଶି ସେ କୋଣାର୍କ ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରିଥିଲେ । କିଛି ବର୍ଷ ପରେ ପତ୍ରିକାଟି ବନ୍ଦ ହୋଇଯାଇଥିଲା । ୧୯୭୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଅର୍ଥନୀତିରେ ସ୍ନାତକୋତ୍ତର (ଏମ୍.ଏ.) ଡିଗ୍ରୀ ହାସଲ କରିଥିଲେ । ୧୯୮୮ ମସିହାରେ ସେ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ ।
କର୍ମ ଜୀବନ
[ସମ୍ପାଦନା]କୃଷ୍ଣଚନ୍ଦ୍ର ମିଶ୍ର ୧୯୭୪ ମସିହାରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟାରମ୍ଭ କରିଥିଲେ । ସେ ରାଜେନ୍ଦ୍ର କଲେଜ, ଭଦ୍ରକ କଲେଜ, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟ ଆଦି ଓଡ଼ିଶାର ସରକାରୀ ମହାହିଦ୍ୟାଳୟମାନଙ୍କରେ ଅଧ୍ୟାପକ, ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଥାଇ ୨୦୦୮ ମସିହାରେ ଚାକିରୀରୁ ଅବସର ନେଇଥିଲେ ।[୨] ଅବସର ପରେ ସେ ମହୋଦଧି ନାମକ ଏକ ଦ୍ୱିମାସିକ ସାହିତ୍ୟ ପତ୍ରିକାର ପରିଚାଳନା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଏହି ପତ୍ରିକାର ସମ୍ପାଦିକା ଭୂମିକା ଗ୍ରହଣ କରିଥିଲେ ।[୩]
ରଚନାବଳୀ
[ସମ୍ପାଦନା]୧୯୯୦ ମସିହାରେ କୃଷ୍ଣଚନ୍ଦ୍ର ମିଶ୍ର ଭୂମି ବ୍ୟବସ୍ଥା ଆଧାରିତ ଇଂରାଜୀ ଗବେଷଣାତ୍ମକ ପୁସ୍ତକ Land Systems and Land Reforms (ଓଡ଼ିଆ: ଭୂବ୍ୟବସ୍ଥା ଓ ଭୂସଂସ୍କାର) ରଚନା କରିଥିଲେ । ଏଥିରେ ସେ ଓଡ଼ିଶାର ଗରିବ କୃଷକଙ୍କ ଉପରେ ଭୂ-ନିୟମ ଓ ବ୍ୟବସ୍ଥାର କୁପ୍ରଭାବ ବର୍ଣ୍ଣନା କରିବା ସହ ଆବଶ୍ୟକୀୟ ସୁଧାର ଦ୍ୱାରା ଅର୍ଥନୈତିକ ନ୍ୟାୟ ପ୍ରଦାନ ପରାମର୍ଶ ଦେଇଥିଲେ । ୨୦୧୦ ମସିହାରେ ସେ ଦୁଇଟି ଖଣ୍ଡ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ: ଏକ ତାତ୍ତ୍ୱିକ ବିଶ୍ଳେଷଣ ପୁସ୍ତକ ରଚନା କରିଥିଲେ । ଏଥିରେ ସେ କଳିଙ୍ଗ ଶୈଳୀର ଦେଉଳ ଓ ବିଶେଷ କରି ଜଗନ୍ନାଥ ମନ୍ଦିରର ସ୍ଥାପତ୍ୟ ଓ କଳା ବିଷୟରେ ତୁଳନାତ୍ମକ ଓ ତାତ୍ତ୍ୱିକ ବିଶ୍ଳେଷଣ କରିଥିଲେ । ଏଥିରେ ସେ ମନ୍ଦିରର ବିମାନ, ଗଣ୍ଡି, ମସ୍ତକ, ଗର୍ଭଗୃହ, ମୁଖଶାଳା, ନାଟ୍ୟ ମଣ୍ଡପ, ଭୋଗମଣ୍ଡପ ଇତ୍ୟାଦିର ସ୍ଥାପତ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ ସହ ଶ୍ରୀମନ୍ଦିରର ସ୍ଥାପତ୍ୟରେ ଥିବା ମଧ୍ୟଯୁଗୀୟ ଛାପ ସମ୍ପର୍କରେ ମଧ୍ୟ ଅଧିକ ଆଲୋଚନା କରିଥିଲେ । ସେ ସମାଜ, ସମ୍ବାଦ, ଧରିତ୍ରୀ, ପ୍ରଜାତନ୍ତ୍ର, ସମୟ ଆଦି ଦୈନିକ ସମ୍ବାଦପତ୍ର ଏବଂ ଯୋଜନା ଓ ମହୋଦଧି ପତ୍ରିକାରେ ବିଭିନ୍ନ ପ୍ରବନ୍ଧ ରଚନା କରିଥିଲେ ।[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ତାଙ୍କ ଗବେଷଣାତ୍ମକ ରଚନା ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ: ଏକ ତାତ୍ତ୍ୱିକ ବିଶ୍ଳେଷଣ ୨୦୧୨ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।[୧] ୨୦୧୫ ନଭେମ୍ବର ୨୦ରେ ସେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ".
- ↑ ୨.୦ ୨.୧ ୨.୨ ୨.୩ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ). ଅଗ୍ରଦୂତ, କଟକ.
- ↑ "Laxmi Priya Acharya".
- ↑ "ମଧୁସୂଦନ ପତିଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ - 'ଆତ୍ମସ୍ଥ ହେଲେ କାଳଜୟୀ ସାହିତ୍ୟ ସୃଷ୍ଟି ହୁଏ'" (PDF).[permanent dead link]