କୃଷ୍ଣଚନ୍ଦ୍ର ମିଶ୍ର
କୃଷ୍ଣଚନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ | ୨୮ ଅଗଷ୍ଟ ୧୯୪୮
ବୃତ୍ତି | ପ୍ରାଧ୍ୟାପକ (ବିଭାଗୀୟ ମୁଖ୍ୟ - ଅର୍ଥନୀତି ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ ପରେ ଚାକିରୀରୁ ଅବସରପ୍ରାପ୍ତ) |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ଅର୍ଥନୀତିରେ ସ୍ନାତକୋତ୍ତର (୧୯୭୩), ଅର୍ଥନୀତିରେ ଡକ୍ଟରେଟ୍ (୧୯୮୮) |
ଶିକ୍ଷାନୁଷ୍ଠାନ | ପୁରୀ ଜିଲ୍ଲା ସ୍କୁଲ ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ Land Systems and Land Reforms |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୨) |
ଜୀବନସାଥୀ | ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ |
ସମ୍ପର୍କୀୟ | ସ୍ୱର୍ଗତ ଚକ୍ରଧର ମିଶ୍ର (ବାପା), ସ୍ୱର୍ଗତ କମଳା ଦେବୀ (ମାଆ) |
କୃଷ୍ଣଚନ୍ଦ୍ର ମିଶ୍ର ଓଡ଼ିଆ ଓ ଈଂରାଜୀ ଭାଷାର ଜଣେ ପ୍ରାବନ୍ଧିକ ତଥା ଅବସରପ୍ରାପ୍ତ ଅର୍ଥନୀତି ପ୍ରାଧ୍ୟାପକ । ତାଙ୍କର ଗବେଷଣାତ୍ମକ ରଚନା ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ) ପୁସ୍ତକ ପାଇଁ ତାଙ୍କୁ ୨୦୧୨ ମସିହାର ପ୍ରବନ୍ଧ ଓ ସମାଲୋଚନା ବର୍ଗରେ “ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର” ପାଇଁ ମନୋନୀତ କରାଯାଇଥିଲା ।[୧] ୨୦୧୫ ମସିହା ନଭେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେ ଏହି ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ଚାକିରୀ ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ସେ ଭାରତୀୟ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରୁଛନ୍ତି । ତାଙ୍କ ପତ୍ନୀ ଡଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରୀର ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ତଥା ଜଣେ ଲେଖିକା ।
ବାଲ୍ୟ ଓ ଶିକ୍ଷା ଜୀବନ
[ସମ୍ପାଦନା]୧୯୪୮ ମସିହା ଜନ୍ମାଷ୍ଟମୀ ଦିନ କୃଷ୍ଣଚନ୍ଦ୍ର ମିଶ୍ର ପୁରୀରେ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା - ଚକ୍ରଧର ମିଶ୍ର ଓ ମାତାଙ୍କ ନାମ ହେଲା - କମଳା ଦେବୀ । ପୁରୀ ଜିଲ୍ଲା ସ୍କୁଲରେ ସେ ନିଜର ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କ ଲିଖିତ ଏକ ପ୍ରବନ୍ଧ ପଢ଼ି ବିଶେଷ ପ୍ରଭାବିତ ହୋଇଥିଲେ ।[୩] ଉକ୍ତ ପ୍ରବନ୍ଧଟି ଭୁବନେଶ୍ୱରର ପ୍ରାଚୀନ ମନ୍ଦିରମାନଙ୍କ ଉପରେ ପର୍ଯ୍ୟବସିତ ଥିଲା । ନିଜର କିଛି ସହପାଠୀଙ୍କ ସହିତ ମିଶି ସେ “କୋଣାର୍କ” ନାମକ ଏକ ହାତଲେଖା ପତ୍ରିକା ବାହାର କରାଇଥିଲେ । କିଛି ବର୍ଷ ପରେ ଏହି ପତ୍ରିକା ବନ୍ଦ ହୋଇଯାଇଥିଲା ।
୧୯୭୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)ରୁ ଅର୍ଥନୀତିରେ ସ୍ନାତକୋତ୍ତର (ଏମ୍.ଏ.) ଡିଗ୍ରୀ ହାସଲ କରିଥିଲେ । ୧୯୮୮ ମସିହାରେ ସେ ଅର୍ଥନୀତିରେ ଡକ୍ଟରେଟ୍ (Ph.D.) ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।
କର୍ମ ଜୀବନ
[ସମ୍ପାଦନା]ଡଃ କୃଷ୍ଣଚନ୍ଦ୍ର ମିଶ୍ର ୧୯୭୪ ମସିହାରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କର୍ମ ଜୀବନରେ ସେ ଓଡ଼ିଶାର ବିଭିନ୍ନ ମହାହିଦ୍ୟାଳୟ ଯଥା – ରାଜେନ୍ଦ୍ର କଲେଜ, ବଲାଙ୍ଗୀର, ଭଦ୍ରଖ କଲେଜ, ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ, କଟକର ରେଭେନ୍ସା ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ କେନ୍ଦୁଝରର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରଭୁତିରେ ଅଧ୍ୟାପକ, ପ୍ରାଧ୍ୟାପକ ତଥା ଅଧ୍ୟକ୍ଷର ଦାୟିତ୍ୱ ତୁଲାଇ ଆସିଛନ୍ତି । ସରକାରୀ ଚାକିରୀର ଶେଷ ବେଳକୁ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟର ପଦଭାର ବହନ କରୁଥିଲେ । ୨୦୦୮ ମସିହାରେ ସେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[୩]
ଅବସର ପରେ ସେ “ମହୋଦଧି” ନାମକ ଏକ ଦ୍ୱିମାସିକ ସାହିତ୍ୟ ପତ୍ରିକାର ପରିଚାଳନା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ତାଙ୍କ ପତ୍ନୀ ଡଃ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଏହି ପତ୍ରିକାର ସମ୍ପାଦିକା ଭୂମିକା ଗ୍ରହଣ କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶକ | ପ୍ରକାଶନ ବର୍ଷ |
---|---|---|
Land Systems and Land Reforms | ହିମାଳୟ ପବ୍ଲିଶିଂ ହାଉସ୍ | ୧୯୯୦ |
ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ) | ଅଗ୍ରଦୂତ | ୨୦୧୦ |
୧୯୯୦ ମସିହାରେ ବମ୍ବେସ୍ଥିତ (ଆଧୁନିକ ମୁମ୍ବାଇ) ହିମାଳୟ ପବ୍ଲିଶିଂ ହାଉସଦ୍ୱାରା ଡଃ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଭୂମି ବ୍ୟବସ୍ଥା ଉପରେ ଏକ ଗବେଷଣାତ୍ମକ ପୁସ୍ତକ Land Systems and Land Reforms (ଲ୍ୟାଣ୍ଡ୍ ସିଷ୍ଟମ୍ସ୍ ଏଣ୍ଡ୍ ଲ୍ୟାଣ୍ଡ୍ ରିଫର୍ମ୍ସ୍ – ଭୂବ୍ୟବସ୍ଥା ଓ ଭୂସଂସ୍କାର) ପ୍ରକାଶିତ ହୋଇଥିଲା । ଇଂରାଜୀ ଭାଷାରେ ଲିଖିତ ଏହି ପୁସ୍ତକଟି ଭୂମି ସମ୍ପର୍କିତ ନିୟମ, ବ୍ୟବସ୍ଥା ଯୋଗୁଁ ଓଡ଼ିଶାର ଗରୀବ କୃଷକମାନେ କିପରି ଦୁଃଖଦୁର୍ଦ୍ଦଶା ଭୋଗ କରୁଛନ୍ତି ଓ କେଉଁ ପ୍ରକାରର ସୁଧାରଦ୍ୱାରା ସେମାନଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ମିଳିପାରିବ, ତାହା ଉପରେ ପର୍ଯ୍ୟବସିତ ଥିଲା ।
୨୦୧୦ ମସିହାରେ ତାଙ୍କ ଲିଖିତ ପୁସ୍ତକ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ)ର ଦୁଇଟି ଖଣ୍ଡ କଟକର ପ୍ରକାଶକ ସଂସ୍ଥା ଅଗ୍ରଦୂତଦ୍ୱାରା ଲୋକଲୋଚନକୁ ଆସିଥିଲା । ଶ୍ରୀ ଜଗନ୍ମାଥଙ୍କ ପରମ୍ପରା, ସଂସ୍କୃତି, ଧର୍ମ ତଥା ନୀତିନିୟମକୁ ନେଇ ବହୁ ସଂଖ୍ୟକ ପୁସ୍ତକ ପ୍ରକାଶିତ ହୋଇଥିଲେ ହେଁ ତାଙ୍କ ସୁନ୍ଦର ମନ୍ଦିରର ସ୍ଥାପତ୍ୟ ଓ କଳା ବିଷୟରେ ବିଶେଷ କୌଣସି ପୁସ୍ତକ ପ୍ରକାଶ ପାଇ ନଥିବାରୁ ଡଃ କୃଷ୍ଣଚନ୍ଦ୍ର ମିଶ୍ର ଏହି ଦିଗରେ ସମୟ ବିନିଯୋଗ କରିଥିଲେ । ଏହି ପୁସ୍ତକରେ ହିନ୍ଦୁ ମନ୍ଦିର ସ୍ଥାପତ୍ୟ କଳା, କଳିଙ୍ଗ ସ୍ଥାପତ୍ୟ କଳା ବିଷୟରେ ଏକ ତୁଳନାତ୍ମକ ଓ ତାତ୍ତ୍ୱିକ ବିଶ୍ଳେଷଣ କରାଯାଇଛି । ଶ୍ରୀମନ୍ଦିରର ବିମାନ, ଗଣ୍ଡି, ମସ୍ତକ, ଗର୍ଭଗୃହ, ମୁଖଶାଳା, ନାଟ୍ୟ ମଣ୍ଡପ, ଭୋଗମଣ୍ଡପ ଇତ୍ୟାଦିର ସ୍ଥାପତ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ବଳିତ ଏହି ଦୁଇ ଖଣ୍ଡ ପୁସ୍ତକରେ ଶ୍ରୀମନ୍ଦିରର ସ୍ଥାପତ୍ୟ କଳାରେ ରହିଥିବା ମଧ୍ୟଯୁଗୀୟ ଛାପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।
ଏତତ୍ ବ୍ୟତୀତ ସମାଜ, ସମ୍ବାଦ, ଧରିତ୍ରୀ, ପ୍ରଜାତନ୍ତ୍ର, ସମୟ, ଯୋଜନା ଓ ମହୋଦଧି ପ୍ରଭୃତିରେ ତାଙ୍କ ଲିଖିତ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି ।[୩]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ".
- ↑ "ମଧୁସୂଦନ ପତିଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ - 'ଆତ୍ମସ୍ଥ ହେଲେ କାଳଜୟୀ ସାହିତ୍ୟ ସୃଷ୍ଟି ହୁଏ'" (PDF).[permanent dead link]
- ↑ ୩.୦ ୩.୧ ୩.୨ ୩.୩ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (ଏକ ତାତ୍ତ୍ୱିକ ବିଶ୍ଳେଷଣ). ଅଗ୍ରଦୂତ, କଟକ.
- ↑ "Laxmi Priya Acharya".