ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା

ଉଇକିପିଡ଼ିଆ ରୁ
Jump to navigation Jump to search
ଅଙ୍ଗକୋର୍ ୱତ୍, ଏକ ବିଶ୍ୱ ଐତିହ୍ୟ ସ୍ଥଳ ଏବଂ ପୃଥିବୀର ପ୍ରମୁଖ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ । କାମ୍ପୁଚିଆରେ ଅବସ୍ଥିତ ଏହି ମନ୍ଦିର ବାସ୍ତୁଶାସ୍ତ୍ରର ସ୍ଥାପତ୍ୟବିଦ୍ୟାର ବିନିଯୋଗ କରିଅଛି ।

ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳା (ଈଂରାଜୀରେ Hindu temple architecture)ରେ ଭାବଭଙ୍ଗୀ ଓ କଳାକାରଙ୍କ କଳ୍ପନାର ଯେତିକି ସ୍ୱାଧୀନତା ରହିଛି, ଜ୍ୟାମିତିକ ଦୃଷ୍ଟିକୋଣରୁ ଏହା ସେତିକି ଶୃଙ୍ଖଳିତ । ଅନେକ ପ୍ରକାର, ଶୈଳୀ ଓ ଅସାମଞ୍ଜସ୍ୟ ସତ୍ତ୍ୱେ ବୃତ୍ତାକାର ଓ ବର୍ଗାକାର କାରୁକାର୍ଯ୍ୟର ନିଖୁଣ ମାପ ଏହି ସ୍ଥାପତ୍ୟକଳାରେ ଜ୍ୟାମିତିକ ଉତ୍କର୍ଷତାର ସୂଚକ ।  

ମନ୍ଦିର ଏକ ତୀର୍ଥସ୍ଥଳୀ ବୋଲି ଅନେକ ପୁରାତନ ଧର୍ମଗ୍ରନ୍ଥ ଓ ଶାସ୍ତ୍ରରେ ଉଲ୍ଲେଖ ରହିଛି । ମନ୍ଦିର ପରି ପବିତ୍ର ସ୍ଥାନର ଭୌତିକ ଗଠନ ଓ ଆଧ୍ୟାତ୍ମିକ ପରିବେଶରେ ହିନ୍ଦୁ ଧର୍ମର ତତ୍ତ୍ୱ ଓ ଜୀବନ ଶୈଳୀର ଚିତ୍ର ଦେଖିବାକୁ ମିଳେ । ପଞ୍ଚଭୂତ, ପ୍ରକୃତି, ପୁରୁଷ ଓ ପୁରୁଷାର୍ଥ – ଏପରି ସମସ୍ତ ଲୌକିକ ଉପାଦାନର ଅଭିବ୍ୟକ୍ତି ହିନ୍ଦୁ ସ୍ଥାପତ୍ୟକଳାରେ ରହିଛି । ସ୍ଥାପତ୍ୟକଳାର ସିଦ୍ଧାନ୍ତଗୁଡ଼ିକ ବାସ୍ତୁଶାସ୍ତ୍ର ଓ ଶିଳ୍ପଶାସ୍ତ୍ର ଭଳି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ।[୧][୨] ସୌନ୍ଦର୍ଯ୍ୟ ଓ କଳ୍ପନାର ପରିପ୍ରକାଶ ପାଇଁ ହେଉ ଅଥବା ପ୍ରସ୍ତରର ଜ୍ୟାମିତିକ ସଂରଚନା ହେଉ, ହିନ୍ଦୁ ଧର୍ମରେ ସର୍ବଦା ଏହାର ସ୍ୱାଧୀନତା ଶିଳ୍ପୀଙ୍କୁ ମିଳିଥିଲା ।

ପ୍ରମ୍ବାନନ ମନ୍ଦିରର ଗର୍ଭଗୃହରେ ଥିବା ଶିବଙ୍କ ମୂର୍ତ୍ତି

ମନ୍ଦିରର ରୂପରେଖ[ସମ୍ପାଦନା]

ସୁଜାନ୍ ଲେୱାନ୍ଦୋସ୍କି[୩] ଅନୁଧ୍ୟାନ କରି କୁହନ୍ତି ଯେ ହିନ୍ଦୁ ଧର୍ମ ଅନୁସାରେ ସଭଏଁ ସଭିଙ୍କ ପାଇଁ ଓ ସମସ୍ତେ ଏକ । ମନୁଷ୍ୟ ଜୀବନର ମୂଳଲକ୍ଷ୍ୟ ବା ପୁରୁଷାର୍ଥମାନେ ହେଲେ – ଅର୍ଥ (ସମ୍ପତ୍ତି), କାମ (କାମନା), ଧର୍ମ (ନୈତିକତା) ଓ ମୋକ୍ଷ (ନିର୍ବାଣ ଓ ଜ୍ଞାନୋଦୟ)।[୪][୫]

ବାସ୍ତୁପୁରୁଷମଣ୍ଡଳରେ ବର୍ଣ୍ଣିତ ୮×୮ (୬୪) ବର୍ଗରେ ମଣ୍ଡୁକ ଅଭିନ୍ୟାସ । ମଧ୍ୟଭାଗର କେଶରୀ ଅଂଶ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ।

ମନ୍ଦିରର କେନ୍ଦ୍ରରେ ପୁରୁଷ ବା ପରମାତ୍ମାଙ୍କ ଅବସ୍ଥାନ ।[୬] ପୁରୁଷ ସଗୁଣ ନୁହଁନ୍ତି, ସେ ନିର୍ଗୁଣ(ଯାହାର ରୂପ ନାହିଁ) । ମନ୍ଦିର ପ୍ରାଙ୍ଗଣରେ ଭକ୍ତ ଆଧ୍ୟାତ୍ମିକତାର ସାଗରରେ ନିମଗ୍ନ ହୋଇ ନିଜ ଅନ୍ତରାତ୍ମାର ଅବଲୋକନ କରେ, ମନକୁ ବିଶୁଦ୍ଧ କରେ ଓ ଆତ୍ମଜ୍ଞାନ ଲାଭ କରିବାକୁ ଚେଷ୍ଟା କରେ । ଧର୍ମ, କର୍ମ, ଜ୍ଞାନ ଓ ଭକ୍ତିର ପନ୍ଥା ଅନୁସରଣ କରି ଭକ୍ତ ନିଜ ପ୍ରଭୁଙ୍କୁ ଖୋଜେ । ବିଭିନ୍ନ ମନ୍ଦିରର ବିଭିନ୍ନ ମୁଖ୍ୟ ଦେବାଦେବୀ ଏହି ଆଧ୍ୟାତ୍ମିକ ଚିନ୍ତାଧାରାର ବିସ୍ତୃତିର ସୂଚକ ।

ମନ୍ଦିର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ[ସମ୍ପାଦନା]

ବିଭିନ୍ନ ସଂସ୍କୃତ ଲେଖାରେ କୁହାଯାଇଛି ଯେ ମନ୍ଦିର ଜଳାଶୟ ବା ଉଦ୍ୟାନ ନିକଟରେ ନିର୍ମାଣ କରାଯିବା ଉଚିତ୍ । କାରଣ ଏହିପରି ସ୍ଥାନରେ କମଳାଦି ପୁଷ୍ପ ପ୍ରସ୍ଫୁଟିତ ହୁଏ, ହଂସ ହଂସରାଳୀ ଓ ଅନ୍ୟ ପକ୍ଷୀମାନଙ୍କ କାକଳି ଶୁଣାଯାଏ, ପଶୁମାନେ ନିର୍ଭୟ ପରିବେଶରେ ବିଚରଣ କରନ୍ତି ଏବଂ ଏହିପରି ଶାନ୍ତ, ସୌହାର୍ଦ୍ୟପୂର୍ଣ୍ଣ ସ୍ଥାନରେ ଦେବତାମାନେ ଅବସ୍ଥାନ କରନ୍ତି ।  

ଦୁଇଟି ନଦୀଙ୍କ ସଂଗମସ୍ଥଳରେ, ନଦୀକୂଳରେ, ହ୍ରଦ ବା ସମୁଦ୍ର ତଟରେ ହିନ୍ଦୁ ଧର୍ମର ପ୍ରସିଦ୍ଧ ମନ୍ଦିରମାନ ନିର୍ମିତ । ବୃହତସଂହିତା ଓ କେତେକ ପୁରାଣରେ ପ୍ରାକୃତିକ ଜଳାଶୟର ନିକଟରେ ନଥିବା କେତେକ ମନ୍ଦିରର ମଧ୍ୟ ଉଲ୍ଲେଖ ରହିଛି ।  ଏପରି ମନ୍ଦିର ସମ୍ମୁଖରେ ବା ବାମ ପାର୍ଶ୍ୱରେ ଅପ୍ରାକୃତିକ ଜଳାଶୟ ଖନନ କରିବା ଓ ଉଦ୍ୟାନ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକୃତିକ ବା ଅପ୍ରାକୃତିକ ଉପାୟରେ ଜଳ ନ ମିଳିଲେ, ଜଳର ସାଙ୍କେତିକ ଉପସ୍ଥିତିକୁ ଗ୍ରହଣ କରାଯାଏ । ବିଷ୍ଣୁଧର୍ମୋତ୍ତରର ତୃତୀୟ ଖଣ୍ଡର ୯୩ତମ ଅଧ୍ୟାୟ ଅନୁସାରେ[୭], ଗୁମ୍ଫାରେ, ଗହ୍ୱରରେ, ପାହାଡ଼/ପର୍ବତ ଉପରେ, ଅରଣ୍ୟ ଓ ଆଶ୍ରମ ମଧ୍ୟରେ, ଉଦ୍ୟାନ ପାଖରେ ଓ ସହରର ମୁଖ୍ୟ ରାସ୍ତାର ଆରମ୍ଭରେ ମନ୍ଦିର ନିର୍ମାଣ ହୋଇପାରିବ ।

ମନ୍ଦିର ଅଭିନ୍ୟାସ/ନକସା[ସମ୍ପାଦନା]

ହିନ୍ଦୁ ମନ୍ଦିରଗୁଡ଼ିକ ବାସ୍ତୁ-ପୁରୁଷ-ମଣ୍ଡଳର ଜ୍ୟାମିତିକୁ ଅନୁସରଣ କରନ୍ତି । ଏହି ଶବ୍ଦରେ ତିନୋଟି ଶବ୍ଦ ରହିଛନ୍ତି । ମଣ୍ଡଳର ଅର୍ଥ ହେଲା ବୃତ୍ତ, ପୁରୁଷ ହେଲେ ପରମାତ୍ମା ଓ ବାସ୍ତୁର ଅର୍ଥ ହେଲା ଆଳୟ ।[୮] ବାସ୍ତୁପୁରୁଷମଣ୍ଡଳ ହେଉଛି ଏକ ଯନ୍ତ୍ର ।[୯] ଧାର୍ମିକ ବିଶ୍ୱାସ, ପୌରାଣିକ ତଥ୍ୟ ଓ ଗାଣିତିକ ସୂତ୍ରମାନଙ୍କର ବ୍ୟବହାର କରି ହିନ୍ଦୁ ମନ୍ଦିରମାନଙ୍କର ଏକ ସନ୍ତୁଳିତ/ସମମିତ ନକସା ପ୍ରସ୍ତୁତ କରାଯାଉଥିଲା ।[୧୦]  

ଚାରିଟି ପ୍ରାଥମିକ ଦିଗ (ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ)ରେ ଦୁଇଟି ଅକ୍ଷ ଭଳି ସରଳରେଖାର କଳ୍ପନା କରି ଏକ ବର୍ଗାକୃତି କ୍ଷେତ୍ର ନିଶ୍ଚିତ ହୁଏ ।   ମଣ୍ଡଳ ବୃତ୍ତ ଏହି ବର୍ଗକ୍ଷେତ୍ରକୁ ଚାରିପଟୁ ଆବଦ୍ଧ କରି ରଖେ । ବର୍ଗକ୍ଷେତ୍ରଟି ଅଲୌକିକତାର ଏବଂ ବୃତ୍ତଟି ମାନବ ଜୀବନ ସମ୍ବନ୍ଧୀୟ ନିତିଦିନିଆ କର୍ମ ଓ ଜ୍ଞାନର ସାଙ୍କେତିକ ପରିପ୍ରକାଶ । ବର୍ଗକ୍ଷେତ୍ରଟିକୁ ପୁଣି ଅନେକ ଛୋଟ ଛୋଟ ବର୍ଗକ୍ଷେତ୍ରରେ (୮×୮ =୬୪ ବା ୯×୯=୮୧) ବିଭକ୍ତ କରାଯାଏ । ଏହି ଛୋଟ ବର୍ଗକ୍ଷେତ୍ରମାନଙ୍କୁ “ପଦ” କୁହାଯାଏ ।[୧୦][୧୧] ବର୍ଗକ୍ଷେତ୍ରଟି ବୈଦିକ ଯଜ୍ଞକୁଣ୍ଡର ସଂକେତ ମଧ୍ୟ ବହନ କରେ । ଗ୍ରୀସ୍ ସଭ୍ୟତା ଭଳି କେତେକ ପ୍ରାଚୀନ ସଭ୍ୟତାରେ ମଧ୍ୟ ଏହି ପ୍ରକାରର ସଂକେତ ଦେଖାଯାଇଛି ।  ପଦଗୁଡ଼ିକ ୧, ୪, ୯, ୧୬, ୨୫, ୩୬, ୪୯, ୬୪, ୮୧ ଏପରି ୧୦୨୪ଟି ବର୍ଗ ପର୍ଯ୍ୟନ୍ତ ରହିଥାନ୍ତି । ଗୋଟିଏ ପଦ ସମସ୍ତଙ୍କ ମଧ୍ୟରେ ମୌଳିକ ଅଭିନ୍ୟାସ । ୧ ପଦ ବା ୪ ପଦଦ୍ୱାରା ନିରୂପିତ ସ୍ଥାନରେ ଭକ୍ତ ବସି ଧ୍ୟାନ, କର୍ମ, ଯଜ୍ଞ ଆଦି କରିଥାଏ । ୪ ପଦର ମଧ୍ୟଭାଗରେ (ବୃହତ୍ ବର୍ଗର କର୍ଣ୍ଣମାନଙ୍କ ଛେଦବିନ୍ଦୁରେ) ଏହାର ସାଙ୍କେତିକ କେନ୍ଦ୍ର ରହିଛି ।  ୯ ପଦ ବିଶିଷ୍ଟ ସ୍ଥାନକୁ ଏକ କ୍ଷୁଦ୍ରତମ ମନ୍ଦିରର ନକସା ବୋଲି କୁହାଯାଇପାରେ ।  ପୁରାତନ ହିନ୍ଦୁ ମନ୍ଦିରମାନଙ୍କରେ ବାସ୍ତୁମଣ୍ଡଳ ୯ରୁ ୪୯ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ୬୪ ପଦକୁ ଜ୍ୟାମିତିକ ଦୃଷ୍ଟିକୋଣରୁ ସବୁଠାରୁ ଉତ୍ତମ ବା ପବିତ୍ର କୁହାଯାଏ । ଏହାକୁ କେତେକ ସଂସ୍କୃତ ଗ୍ରନ୍ଥରେ ମଣ୍ଡୁକ, ଭେକପଦ ବା ଅଜିର ବୋଲି ମଧ୍ୟ କୁହାଯାଇଛି । ପ୍ରତ୍ୟେକ ପଦ କୌଣସି ତତ୍ତ୍ୱ, ଦେବ, ଅପସରାଙ୍କ ସଂକେତ ବହନ କରନ୍ତି । ୬୪ ପଦର ମଧ୍ୟରେ ଥିବା ବର୍ଗକ୍ଷେତ୍ର ବ୍ରହ୍ମପାଇଁ ଉଦ୍ଦିଷ୍ଟ, ତେଣୁ ଏମାନଙ୍କୁ ବ୍ରହ୍ମପଦ ମଧ୍ୟ କୁହାଯାଏ ।  

ଶିଖର ବା ବିମାନର ନିର୍ମାଣ ଶୈଳୀ

ବାହ୍ୟତମ ପଦଗୁଡିକୁ ପୈଶାଚିକ ପଦ (ଅଧର୍ମ ଓ ଅସତ୍ୟର ସୂଚକ), ତା’ର ସଂଲଗ୍ନ ଅନ୍ତର୍ପଦମାନଙ୍କୁ ମନୁଷ୍ୟ ପଦ (ମନୁଷ୍ୟ ଜୀବନର ସୂଚକ) ଓ ତାହାଠାରୁ ଅନ୍ତର୍ଭାଗର ପଦମାନଙ୍କୁ ଦୈବିକ ପଦ (ଧର୍ମ, ନ୍ୟାୟ ଓ ସତ୍ୟର ସୂଚକ) ବୋଲି କୁହାଯାଏ ।  ମନୁଷ୍ୟ ପଦରେ ପ୍ରାୟତଃ ବେଢ଼ା ଥାଏ ଓ ଏମାନେ ମନୁଷ୍ୟ ଜୀବନ ସ୍ରୋତର ସୂଚକ । ଭକ୍ତମାନେ ବେଢ଼ାର ପରିକ୍ରମା ବା ପ୍ରଦକ୍ଷିଣ କଲାବେଳେ ବାହ୍ୟପାର୍ଶ୍ୱରେ ଆସୁରିକ ଓ ଅନ୍ତର୍ପାର୍ଶ୍ୱରେ ଦୈବିକ ଚିନ୍ତା ରହିଥାଏ । ଛୋଟ ମନ୍ଦିରରେ ପୈଶାଚିକ ପଦ ନଥାଇପାରେ ଓ ମନ୍ଦିରର ପାଚେରୀକୁ ପୈଶାଚିକ ପଦ ବୋଲି ଦର୍ଶାଯାଏ । 

ଏହି ସମସ୍ତ ପଦର କେନ୍ଦ୍ରରେ ବ୍ରହ୍ମପଦ ରହିଥାଏ । ବ୍ରହ୍ମପଦରେ ଦୈବୀଶକ୍ତି ନିହିତ ଓ ପ୍ରଭୁଙ୍କ ଦର୍ଶନପାଇଁ ପ୍ରକୃଷ୍ଟ । ବ୍ରହ୍ମପଦର କେନ୍ଦ୍ରରେ ଗର୍ଭଗୃହ ରହିଥାଏ ଓ ସେଠାରେ ପରମାତ୍ମା ବା ପୁରୁଷଙ୍କ ସ୍ଥାନ । ଏପରି ବିନ୍ୟାସର ଅର୍ଥ ହେଲା ସମସ୍ତ ପ୍ରାଣୀଙ୍କ ଅନ୍ତରାତ୍ମାରେ ପରମାତ୍ମାଙ୍କ ବାସ ରହିଛି । ବ୍ରହ୍ମପଦ ଉପରେ ଥିବା ମୁଖ୍ୟ ଦେଉଳର ଅଂଶକୁ ଉତ୍ତର ଭାରତରେ “ଶିଖର” ଓ ଦକ୍ଷିଣ ଭାରତରେ “ବିମାନ” ବୋଲି କୁହାଯାଏ । 

କର୍ଣ୍ଣାଟକର ବିଜୟନଗର ଓ ରାଜସ୍ଥାନର ପୁସ୍କର ମନ୍ଦିରର ଶିଖର ବା ବିମାନ

ମଣ୍ଡଳଦ୍ୱାରା ପରିମିତ କେନ୍ଦ୍ରସ୍ଥ ବର୍ଗକ୍ଷେତ୍ରରେ ଗର୍ଭଗୃହ ଓ ଗର୍ଭଗୃହରେ ନିର୍ଗୁଣ ପୁରୁଷ ବା ପରମାତ୍ମାଙ୍କ ବାସ । ଗର୍ଭଗୃହଟି ଅପେକ୍ଷାକୃତ କ୍ଷୁଦ୍ର, ଆକାରରେ ବର୍ଗାକାର ଓ ସବୁଆଡୁ ବନ୍ଦ । ଏହି ସ୍ଥାନରେ ଠାକୁରଙ୍କ ମୂର୍ତ୍ତି ଥାଏ । ମୂର୍ତ୍ତି ଅନୁସାରେ ମନ୍ଦିରକୁ ବିଷ୍ଣୁ ମନ୍ଦିର, କୃଷ୍ଣ ମନ୍ଦିର, ଶିବ ମନ୍ଦିର ଇତ୍ୟାଦି ନାମରେ ନାମିତ କରାଯାଏ ।[୬] ଗର୍ଭଗୃହରେ ଥିବା ଠାକୁରଙ୍କୁ ଭକ୍ତ ଦର୍ଶନ କରିବାକୁ ଯାଆନ୍ତି ।[୧୨] ବାସ୍ତୁ-ପୁରୁଷ-ମଣ୍ଡଳର ଉର୍ଦ୍ଧ୍ୱମୁଖୀ ମୁଖ୍ୟ ମନ୍ଦିରର ଅଂଶକୁ ଶିଖର ବା ବିମାନ କୁହାଯାଏ । କେତେକ ପଣ୍ଡିତଙ୍କ ମତରେ ମନ୍ଦିରର ଏପରି ଗଠନ ଶାସ୍ତ୍ରରେ ବର୍ଣ୍ଣିତ ଦେବତା ମାନଙ୍କ ବିଚରଣ କ୍ଷେତ୍ର ମେରୁ ପର୍ବତ, ହିମାଳୟ ବା କୈଳାଶ ପର୍ବତର ଆକାର ପରି । 

ବଡ଼ ମନ୍ଦିରମାନଙ୍କରେ ପୈଶାଚିକ, ମନୁଷ୍ୟ ଓ ଦୈବିକ ପଦମାନଙ୍କରେ ଥିବା ପ୍ରସ୍ତର ସୁନ୍ଦର କାରୁକାର୍ଯ୍ୟ, ଚିତ୍ରରେ ମଣ୍ଡିତ ହୋଇଥାନ୍ତି ।  ଧର୍ମଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ କାହାଣୀ, ସ୍ଥାନୀୟ ଦେବାଦେବୀଙ୍କ ମୂର୍ତ୍ତି, ବୈଦିକ ଧର୍ମ ଓ ନ୍ୟାୟବାଣୀ ଏହି କାରୁକାର୍ଯ୍ୟ ଓ ଚରିତ୍ରମାନଙ୍କଦ୍ୱାରା ଜୀବନ୍ତ ହୋଇଉଠେ । ପ୍ରସ୍ତର ସ୍ତମ୍ଭ, ଛାତ ଓ କାନ୍ଥରେ ମଧ୍ୟ ବିଭିନ୍ନ କାରୁକାର୍ଯ୍ୟ ସ୍ଥାନ ପାଇଥାଏ । ମନ୍ଦିରର ପରିକ୍ରମା ପାଇଁ ବେଢ଼ା ରହିଥାଏ । ବଡ଼ ମନ୍ଦିରମାନଙ୍କରେ ଅନେକ ସ୍ତମ୍ଭ ବିଶିଷ୍ଟ ମଣ୍ଡପ ମଧ୍ୟ ରହିଥାଏ । ଆଧୁନିକ ମନ୍ଦିରମାନଙ୍କରେ ମଣ୍ଡପ ଓ ମୁଖ୍ୟ ମନ୍ଦିର ସଂଲଗ୍ନ ହୋଇ ରହିଥିବା ବେଳେ ପ୍ରାଚୀନ ମନ୍ଦିରରେ ଏମାନେ ସଂଲଗ୍ନ ନ ହୋଇ ରହିଥାନ୍ତି । ପୂର୍ବପଟର ମଣ୍ଡପ ପ୍ରତୀକ୍ଷାରତ ପ୍ରଭୁଙ୍କ ଦର୍ଶନାଭିଳାଶୀ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଖୁବ୍ ବଡ଼ ମନ୍ଦିରମାନଙ୍କରେ ମୁଖ୍ୟ ମନ୍ଦିର ଚାରିପଟରେ ଅନେକ ଛୋଟ ଛୋଟ ମନ୍ଦିର ରହିଥାନ୍ତି । ଏହି ଛୋଟ ମନ୍ଦିରମାନ ମଧ୍ୟ ସଠିକ୍ ଗାଣିତିକ ମାପ ଓ ମୂଳ ବିନ୍ୟାସ ଶୈଳୀରେ ନିର୍ମିତ ।[୧୩] ଶରୀର ଗଠନରେ ଜୈବିକ କୋଷମାନଙ୍କ ସଂରଚନା ପରି ମନ୍ଦିର ନିର୍ମାଣରେ ମଧ୍ୟ କେତୋଟି ପ୍ରମୁଖ ବାସ୍ତୁଶାସ୍ତ୍ରୀୟ ଓ ଗଣିତଶାସ୍ତ୍ରୀୟ ବିଷୟବସ୍ତୁର ପୁନରାବୃତ୍ତି ଦେଖାଯାଏ ।[୧୪]

ବର୍ଗାକାର ସଂରଚନାରୁ ବ୍ୟତିକ୍ରମ[ସମ୍ପାଦନା]

ପ୍ରାୟତଃ ହିନ୍ଦୁ ମନ୍ଦିର ବର୍ଗାକାର କ୍ଷେତ୍ରରେ ନିର୍ମିତ ।[୧୫] କିନ୍ତୁ ଏହି ସଂରଚନାରୁ ଅନେକ ବ୍ୟତିକ୍ରମ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀରେ ନିର୍ମିତ ଗ୍ୱାଲିଅରର ତେଲି-କା-ମନ୍ଦିର ୨:୩ ମାପର ଆୟତାକାର କ୍ଷେତ୍ରରେ ନିର୍ମିତ । ଏହି ମନ୍ଦିରର ଅନେକ ଅଂଶ ୧:୧, ୧:୨, ୧:୩, ୨:୫, ୩:୫ ଓ ୪:୫ର ସଠିକ ଅନୁପାତରେ ନିର୍ମିତ ହୋଇଛି । ଅନୁପାତର ସଠିକ ମାପରୁ ଏହା ଶିଳ୍ପୀମାନଙ୍କ ଜ୍ଞାତସାରରେ ହୋଇଥିବ ଓ ଏହା ଆକସ୍ମିକ ନୁହେଁ ବୋଲି କୁହାଯାଇପାରିବ । ମଧ୍ୟପ୍ରଦେଶର ନରେଶର ମନ୍ଦିର, ଜୟପୁର (ରାଜସ୍ଥାନ)ର ନକ୍ତି-ମାତା ମନ୍ଦିରକୁ ମଧ୍ୟ  ଏପରି ବର୍ଗାକାର ଗଠନରୁ ବ୍ୟତିକ୍ରମ ବୋଲି କୁହାଯାଇ ପାରିବ । ମାଇକେଲ୍ ମାଇଷ୍ଟରଙ୍କ ମତରେ ଏପରି ବିନ୍ୟାସ ଶୈଳୀ ସଂସ୍କୃତ ଗ୍ରନ୍ଥମାନଙ୍କରେ ମନ୍ଦିର ନିର୍ମାଣର ନିୟମ ଲିଖିତ ହୋଇଥିଲା କିନ୍ତୁ ହିନ୍ଦୁ ଧର୍ମରେ ଶିଳ୍ପୀ ଓ କଳାକାରମାନଙ୍କୁ ସୌନ୍ଦର୍ଯ୍ୟର ପରିପ୍ରକାଶ ପାଇଁ ଯଥେଷ୍ଟ ସ୍ୱାଧୀନତା ଦିଆଯାଇଥିଲା । 

ସ୍ଥାପତ୍ୟକଳାର ବିଭିନ୍ନ ଶୈଳୀ[ସମ୍ପାଦନା]

ନଗର ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଖଜୁରାହୋ ମନ୍ଦିରର ସ୍ଥାପତ୍ୟକଳା

ନଗର ଶୈଳୀର ମନ୍ଦିର ବିନ୍ୟାସରେ କେତେକ ବିଶେଷତା ରହିଛି । ମନ୍ଦିରର ଅଭିନ୍ୟାସ ବର୍ଗାକୃତି ହୋଇଥାଏ ଏବଂ ଏହି ବର୍ଗକ୍ଷେତ୍ରର ପ୍ରତ୍ୟେକ ବାହୁର ମଧ୍ୟବିନ୍ଦୁରେ ବହିର୍ଗତ ଭାଗ ଏକ ତାରକା ମଧ୍ୟରେ ଯୁକ୍ତଚିହ୍ନ ଭଳି ଦେଖାଯାଏ । ମନ୍ଦିରର ତଳପାର୍ଶ୍ୱରୁ ବୃତ୍ତାକାର ସଂରଚନାର ବ୍ୟାସ କ୍ରମଶଃ କମି କମି ଶିଖର ପାଖରେ ମିଳିତ ହୁଅନ୍ତି । ଖ୍ରୀଷ୍ଟାବ୍ଦ ୭ମ ଓ ୧୪ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ନଗରଶୈଳୀର ମନ୍ଦିରରେ ମଣ୍ଡପ ମଧ୍ୟ ଦେଖାଯାଏ । ନଗର ସ୍ଥାପତ୍ୟ ଶୈଳୀର ଏକ ଉଦାହରଣ ହେଲା କନ୍ଦରୀୟ ମହାଦେବ ମନ୍ଦିର । ଭାରତର ଅନେକ ସ୍ଥାନରେ ନଗର ଶୈଳୀର ଉପସ୍ଥିତି ଏହାର ବ୍ୟାପକତା ଓ କ୍ରମବିକାଶର ପରିଚୟ ବହନ କରେ । 

ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଦ୍ରାବିଡ ଶୈଳୀରେ ନିର୍ମିତ ତାମିଲ୍ ନାଡ଼ୁର ତାଞ୍ଜାଭୁରସ୍ଥିତ ମନ୍ଦିର

ନିର୍ମାଣ ସମୟ ଅନୁସାରେ କେତେକ ବିଭିନ୍ନତା ଦେଖାଦେଲେ ମଧ୍ୟ ଦ୍ରାବିଡ଼ ଶୈଳୀରେ ଯେଉଁ ୪ଟି ମୁଖ୍ୟ ଉପାଦାନ ରହିଛି[୧୬], ତାହା ହେଲା:

- ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ । ଏହାର ନିମ୍ନଭାଗ ବର୍ଗାକାର ଓ ଏହା ଉପରେ ଏକ ବା ଦ୍ୱିତଳବିଶିଷ୍ଟ ପିରାମିଡ୍ ସଦୃଶ ଗଠନ ରହିଥାଏ । ଏହାର ଗର୍ଭରେ ଠାକୁରଙ୍କ ଚିତ୍ର ବା ମୂର୍ତ୍ତି ରହିଥାଏ । 

- ଗର୍ଭଗୃହର ପ୍ରବେଶଦ୍ୱାରକୁ ଲାଗି ଆଗ ପଟକୁ ମଣ୍ଡପ (ବା ମଣ୍ଡପମ୍) ରହିଥାଏ । 

- ପିରାମିଡ୍ ଆକୃତିର ପ୍ରବେଶ ଦ୍ୱାର ବା ତୋରଣକୁ ଗୋପୁରମ୍ କୁହାଯାଏ । 

- ଚଉଳତ୍ରି ବା ଚୱାଦି – ଅନେକ କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭରେ ସୁସଜ୍ଜିତ ଦରବାର ସଭା ଏହି ମନ୍ଦିରମାନଙ୍କର ଏକ ବିଶେଷତା । 

ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ପୂଜକଙ୍କ ରହିବା ସ୍ଥାନ, ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ଘର ଓ କର୍ମ ନିମନ୍ତେ ଉଦ୍ଦିଷ୍ଟ ଜଳପାଇଁ କୁଣ୍ଡ, କୂପ ଇତ୍ୟାଦି ମଧ୍ୟ ରହିଥାଏ । 

ବାଦାମୀ ଚାଲୁକ୍ୟ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଆଇହୋଳେ ଓ ପଟ୍ଟାଡ଼କାଲର ପୂର୍ବ ଚାଲୁକ୍ୟ ସ୍ଥାପତ୍ୟ ଶୈଳୀ
ଚାଲୁକ୍ୟ ଶୈଳୀରେ ନିର୍ମିତ ଆଇହୋଳେର ମଲ୍ଲିକାର୍ଜୁନ ମନ୍ଦିର
ବାଦାମୀ ଚାଲୁକ୍ୟ ରାଜା ବିକ୍ରମାଦିତ୍ୟ (ଦ୍ୱିତୀୟ)ଙ୍କ ରାଣୀ ଲୋକମହାଦେବୀଙ୍କଦ୍ୱାରା ୭୪୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ବିରୁପାକ୍ଷ ବା ଲୋକେଶ୍ୱର ମନ୍ଦିରକୁ ଏକ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଛି

ଚାଲୁକ୍ୟ ସ୍ଥାପତ୍ୟ ଶୈଳୀ ପ୍ରାୟ ଖ୍ରୀ. ୪୫୦ରେ ଆଇହୋଳେରେ ଆରମ୍ଭ ହେଲା ।[୧୭] ପରବର୍ତ୍ତୀ ସମୟର ବାଦାମୀ ଓ ପଟ୍ଟାଡକାଲ୍ ମନ୍ଦିରରେ ଏହାର ଅଧିକ ଉନ୍ନତ ରୂପ ଦେଖାହେଲା । ଭାରତୀୟ ସ୍ଥାପତ୍ୟକଳାର ଇତିହାସରେ ବାଦାମୀ ଚାଲୁକ୍ୟ ଯୁଗ ଏକ ଗୌରବମୟ ସମୟ । କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାର ବାଦାମୀ (ପୁରାତନ ନାମ ବାତାପି) ଦୁଇଟି ପାହାଡ଼ ମଧ୍ୟରେ ଅବସ୍ଥିତ ଓ ଏହା ଚାଲୁକ୍ୟମାନଙ୍କର ରାଜଧାନୀ ଥିଲା । ଖ୍ରୀ. ୫୦୦ରୁ ୭୫୭ ମଧ୍ୟରେ ବାଦାମୀ ଚାଲୁକ୍ୟମାନେ ମାଳପ୍ରଭା ନଦୀକୂଳରେ ଗୁମ୍ଫାମନ୍ଦିର ନିର୍ମାଣ ଓ ସ୍ଥାପତ୍ୟକଳାରେ ଉତ୍କର୍ଷତା ଲାଭ କରିଥିଲେ । ଆଇହୋଳେ, ପଟ୍ଟାଡକାଲ୍ ଓ ବାଦାମୀରେ ଏହି ଶୈଳୀର ଗୁମ୍ଫାମନ୍ଦିର ଦେଖିବାକୁ ମିଳେ । କାଡ଼ାଗି ପାହାଡ଼ର ବାଦାମୀ ରଙ୍ଗର ବାଲୁଆ ପଥରକୁ କାଟି ଏହି ସବୁ ଗୁମ୍ଫାମନ୍ଦିର ନିର୍ମିତ ହୋଇଥିଲା । ବାଦାମୀରେ ଚାଲୁକ୍ୟମାନଙ୍କ ଉତ୍କୃଷ୍ଟ ଗୁମ୍ଫାମନ୍ଦିର ସ୍ଥାପତ୍ୟର ନିଦର୍ଶନ ମିଳେ । ଆଇହୋଳେରେ ଭାରତୀୟ ମନ୍ଦିର ସ୍ଥାପତ୍ୟର ବାଲ୍ୟରୂପ ଦେଖିବାକୁ ମିଳେ । ଏହି ଗ୍ରାମରେ ପ୍ରାୟ ୧୫୦ଟି ମନ୍ଦିର ଇତସ୍ତତଃ ହୋଇ ରହିଛି ଓ ଲାଦ୍ ଖାନ୍ ମନ୍ଦିର ସବୁଠାରୁ ପୁରାତନ । ଦୁର୍ଗା ମନ୍ଦିରଟି ଗଠନାତ୍ମକ ଶୈଳୀରେ ବହୁତ ଅଲଗା ପ୍ରକାରର । ହୁଚିମାଳିର ମନ୍ଦିରରେ ବିଷ୍ଣୁ ଏକ ନାଗ ଉପରେ ଉପବିଷ୍ଟ । ରାୱଲଫଡ଼ି ଗୁମ୍ଫା ମନ୍ଦିରରେ ଶିବଙ୍କର ଅନେକ ରୂପ ଚିତ୍ରିତ ହୋଇଛି । ଅନ୍ୟ ପ୍ରସିଦ୍ଧ ମନ୍ଦିର ମଧ୍ୟରେ କୋନ୍ଥି ମନ୍ଦିର ଓ ମେଗୁଟି ଜୈନ ମନ୍ଦିର ଉଲ୍ଲେଖନୀୟ । ପଟ୍ଟାଡ଼କାଲ୍ ଏକ ବିଶ୍ୱ ଐତିହ୍ୟ ସ୍ଥଳ । ପଟ୍ଟାଡ଼କାଲର ବିରୁପାକ୍ଷ ମନ୍ଦିର ଗଠନରେ ଅପେକ୍ଷାକୃତ ବଡ଼ ଓ ଏହାର କାନ୍ଥ ଓ ସ୍ତମ୍ଭରେ ରାମାୟଣ, ମହାଭାରତର କଥାର ସୁନ୍ଦର ଚିତ୍ର ଖୋଦିତ ହୋଇଛି । ପଟ୍ଟଡ଼କାଲର ଅନ୍ୟ ମନ୍ଦିରମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ମନ୍ଦିର, କାଶୀବିଶ୍ୱନାଥ ମନ୍ଦିର, ଗଳଗନାଥ ମନ୍ଦିର ଓ ପାପନାଥ ମନ୍ଦିର ଉଲ୍ଲେଖନୀୟ ।

ଗଡ଼ଗା ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଗଡ଼ଗା ଶୈଳୀକୁ ପଶ୍ଚିମ ଚାଲୁକ୍ୟ ସ୍ଥାପତ୍ୟକଳା ବୋଲି ମଧ୍ୟ କୁହାଯାଏ ।[୧୮] ଖ୍ରୀଷ୍ଟାବ୍ଦ ୧୦୫୦ରୁ ୧୨୦୦ ପର୍ଯ୍ୟନ୍ତ ପ୍ରାୟ ୧୫୦ ବର୍ଷ ଧରି ଏହି ଶୈଳୀ ବିକାଶ ଓ ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ପ୍ରାୟ ୫୦ଟି ମନ୍ଦିର ନିର୍ମିତ ହୋଇଛି । ସୁନ୍ଦର କାରୁକାର୍ଯ୍ୟର ଆଉ କେତେକ ଉଦାହରଣ ହେଲେ - ତ୍ରିକୁଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ସରସ୍ୱତୀ ମନ୍ଦିର, ଦମ୍ବଲର ଦୋଦ୍ଦାବସପ୍ପା ମନ୍ଦିର, ଲାକ୍କୁଣ୍ଡିର କାଶୀବିଶ୍ୱେଶ୍ୱର ମନ୍ଦିର, ଆନ୍ନିଗେରିର ଅମୃତେଶ୍ୱର ମନ୍ଦିର ।[୧୯] କଲ୍ୟାଣୀ ଚାଲୁକ୍ୟ ବଂଶ(ବା ପଶ୍ଚିମ ଚାଲୁକ୍ୟ ବଂଶ)ର ସୋମେଶ୍ୱର ପ୍ରଥମଙ୍କ ସମୟରୁ ଏହି ଶୈଳୀର ଉଦ୍ଭବ ହୋଇଛି ।


କଳିଙ୍ଗ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ସରଳ ରେଖାଚିତ୍ର

କଳିଙ୍ଗ ସ୍ଥାପତ୍ୟ ଶୈଳୀ ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳ ଓ ଓଡ଼ିଶାରେ ବିକଶିତ ହୋଇଥିଲା । ଏହି ଶୈଳୀରେ ରେଖା ଦେଉଳ, ପିଢ଼ା ଦେଉଳ ଓ ଖଖରା ଦେଉଳ ଭଳି ତିନି ପ୍ରକାରର ଦେଉଳ (ବା ମନ୍ଦିର) ଦେଖିବାକୁ ମିଳେ । ରେଖା ଦେଉଳ ଓ ପିଢ଼ା ଦେଉଳଗୁଡିକ ମୁଖ୍ୟତଃ ବିଷ୍ଣୁ, ସୂର୍ଯ୍ୟ ଓ ଶିବଙ୍କ ପାଇଁ ତିଆରି ହୋଇଥିବା ବେଳେ ଖଖରା ଦେଉଳ ଶାକ୍ତ ପରମ୍ପରାର ଉପାସକମାନଙ୍କଦ୍ୱାରା ନିର୍ମିତ ହୋଇଥିଲା । ରେଖା ଓ ଖଖରା ଦେଉଳରେ ମୁଖ୍ୟ ମନ୍ଦିରକୁ ଲାଗି ମୁଖଶାଳା ଥିବାବେଳେ ପିଢ଼ା ଦେଉଳରେ ଭୋଗ ମଣ୍ଡପ ଓ ନାଟ ମଣ୍ଡପ ରହିଥାନ୍ତି । ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ରେଖା ଦେଉଳ ଶ୍ରେଣୀଭୁକ୍ତ । ବୈତାଳ ମନ୍ଦିର ଖଖରା ଶ୍ରେଣୀଭୁକ୍ତ ହୋଇଥିବା ବେଳେ କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପିଢ଼ା ଦେଉଳ ଶ୍ରେଣୀରେ ଗଣିତ । 

ତିନି ପ୍ରକାରର ଦେଉଳ
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ରେଖା ଦେଉଳର ଏକ ଉଦାହରଣ
କୋଣାର୍କର ସୂର୍ଯ୍ୟ ମନ୍ଦିର ପିଢ଼ା ଦେଉଳର ଉଦାହରଣ ।
ବଇତାଳ ମନ୍ଦିର ଖଖର ମନ୍ଦିରର ଏକ ଉଦାହରଣ ।

ମାରୁ-ଗୁର୍ଜର ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ରାଜସ୍ଥାନରେ ଖ୍ରୀଷ୍ଟାବ୍ଦ ୬ଷ୍ଠ ଶତାବ୍ଦୀ ବେଳକୁ ମାରୁ-ଗୁର୍ଜର ସ୍ଥାପତ୍ୟକଳାର ସୃଷ୍ଟି ହୋଇଥିଲା । ମାରୁ-ଗୁର୍ଜର ସ୍ଥାପତ୍ୟକଳାରେ ପୁରାତନ ରାଜସ୍ଥାନୀ ଶିଳ୍ପୀମାନଙ୍କ ସ୍ଥାପତ୍ୟ ସମ୍ବନ୍ଧରେ ଗଭୀର ଜ୍ଞାନ ଓ କଳାକୌଶଳର ପରିଚୟ ମିଳେ । ମହା-ମାରୁ ଓ ମାରୁ-ଗୁର୍ଜର ଏହି ସ୍ଥାପତ୍ୟ ଶୈଳୀର ଦୁଇଟି ମୁଖ୍ୟ ଶ୍ରେଣୀ । ମଧୁସୂଦନ ଧାକିଙ୍କ ମତରେ ମହା-ମାରୁ ଶୈଳୀ ମାରୁଦେଶ, ସପଦଳାକ୍ଷ, ସୁରସେନ ଓ ଉପରମାଳ ପରି ସ୍ଥାନମାନଙ୍କରେ ଆରମ୍ଭ ହୋଇଥିଲା । ମାରୁ-ଗୁର୍ଜର ଶୈଳୀର ଉଦ୍ଭବ ମେଦପାଟ, ଗୁର୍ଜରଦେଶ-ଆର୍ବୁଦ, ଗୁର୍ଜରଦେଶ-ଅନର୍ତ ଓ ଗୁଜୁରାତର କେତେକ ସ୍ଥାନରୁ ଆରମ୍ଭ ହୋଇଥିଲା ।[୨୦] ବିଭିନ୍ନ ବିଷାରଦ ଯଥା ଜର୍ଜ୍ ମାଇକେଲ୍, ଧାକି, ମାଇକେଲ୍ ମାଇଷ୍ଟର୍ ଓ ମୂର୍ତ୍ତିଙ୍କ ମତରେ ମାରୁ-ଗୁର୍ଜର ଉତ୍ତର ଭାରତର ସ୍ଥାପତ୍ୟକଳାରୁ ଭିନ୍ନ ଓ ଏହାକୁ ପଶ୍ଚିମ ଭାରତର ନିଜର ସ୍ଥାପତ୍ୟକଳା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ରାଜସ୍ଥାନର କଳା ଓ ସଂସ୍କୃତି ଉତ୍ତର ଭାରତର କଳାସଂସ୍କୃତିରୁ ଭିନ୍ନ ।[୨୧] କିନ୍ତୁ ମାରୁ-ଗୁର୍ଜର ଓ ହୋୟଶାଳ ସ୍ଥାପତ୍ୟର କାରୁକାର୍ଯ୍ୟ ମଧ୍ୟରେ କେତେକ ସମ୍ପର୍କ ରହିଛି ।[୨୨]

ଇନ୍ଦୋନେସୀୟ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଇନ୍ଦୋନେସିଆର ହିନ୍ଦୁ ବା ବୁଦ୍ଧ ମନ୍ଦିରକୁ ଚାଣ୍ଡି କୁହାଯାଏ । ଏଥିରେ ସିଂହାସନ, ତା’ ଉପରେ ମୁଖ୍ୟ ମନ୍ଦିର ଓ ପ୍ରବେଶ ଦ୍ୱାର ରହିଥାଏ ।[୨୩] ଏଗୁଡ଼ିକ ୭ମ ଶତାବ୍ଦୀରୁ ୧୫ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । [୨୪][୨୫] ବାଲିର ହିନ୍ଦୁମନ୍ଦିର ନିର୍ମାଣ ଶୈଳୀରେ ଏକ ପୁର ମଧ୍ୟରେ ଚାଣ୍ଡି ସ୍ଥାନ ପାଉଥିଲା । କେତେକ ପ୍ରମୁଖ ଇନ୍ଦୋନେସୀୟ ମନ୍ଦିର ମଧ୍ୟରେ ୯ମ ଶତାବ୍ଦୀରେ ମଧ୍ୟଜାଭାରେ ନିର୍ମିତ ପ୍ରମ୍ବାନନ ମନ୍ଦିର ଅନ୍ୟତମ । ଇନ୍ଦୋନେସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ତ୍ରିମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ନିର୍ମିତ ଓ ଏଥିରେ ଥିବା ଶିବଙ୍କ ମନ୍ଦିରର ଉଚ୍ଚତା ୪୭ ମିଟର୍ । ଚାଣ୍ଡି ଶବ୍ଦ ଦୁର୍ଗାଙ୍କ ରୂପ “ଚଣ୍ଡିକା”ରୁ ଉଦ୍ଧୃତ ବୋଲି ବିଶ୍ୱାସ କରାଯାଏ ।[୨୬] ଚାଣ୍ଡି ଓ ଚଣ୍ଡିକା ଶବ୍ଦର ସାମଞ୍ଜସ୍ୟ ଯୋଗୁଁ ଚାଣ୍ଡି ଶେଷକୃତ୍ୟ ବା ତାହା ସମ୍ବନ୍ଧୀୟ କର୍ମପାଇଁ ବ୍ୟବହୃତ ଓ ଏହାର ସମ୍ପର୍କ ମୃତ୍ୟୁ ପରବର୍ତ୍ତୀ ଜୀବନ ସହିତ ହୋଇଥାଇପାରେ ବୋଲି କେତେଜଣ ଗବେଷକ ଅନୁମାନ କରିଛନ୍ତି । କେତେକ ଐତିହାସିକଙ୍କ ମତରେ ପ୍ରଚୀନ ଜାଭା ମନ୍ଦିରଗୁଡ଼ିକରେ ମୃତ ରାଜାମାନଙ୍କ ଶରୀରର ଭସ୍ମ ରଖା ଯାଉଥିଲା । ଗର୍ଭଗୃହର ଶିବ ବା ବିଷ୍ଣୁ ମୂର୍ତ୍ତି ଜଣେ ଭୂତପୂର୍ବ ରାଜାଙ୍କ ଭାବଭଙ୍ଗୀ ଓ ଠାଣିକୁ ଅନୁକରଣ କରି ତିଆରି ହେବା, “ଦେବରାଜ” ପ୍ରଥାର ସୂଚକ । ଦୃଷ୍ଟାନ୍ତ ସ୍ୱରୂପ ବେଲାହାନ୍ ମନ୍ଦିରରେ ରାଜା ଐରଲଂଗ୍ଗଙ୍କ ମୂର୍ତ୍ତିକୁ ଗରୁଡ଼ାରୋହୀ ବିଷ୍ଣୁଭାବେ ଅଭିହିତ କରାଯାଇଛି ।

ଚାଣ୍ଡି ସ୍ଥାପତ୍ୟବିଦ୍ୟା ବାସ୍ତୁଶାସ୍ତ୍ରର ହିନ୍ଦୁ ସ୍ଥାପତ୍ୟଜ୍ଞାନର ବିନିଯୋଗ କରିଥିଲା । ଜାଭାରେ ବୃତ୍ତାକାର ମଣ୍ଡଳ, ମଣ୍ଡଳ ମଧ୍ୟରେ ଉଚ୍ଚ ମୁଖ୍ୟ ମନ୍ଦିରର ନିର୍ମାଣ ହେବା ଏହାର ଦୃଷ୍ଟାନ୍ତ । ଚାଣ୍ଡି ମନ୍ଦିରର ଆକାର ଦେବମାନଙ୍କ ବାସସ୍ଥଳୀ ମେରୁ ପର୍ବତର ଆକାର ପରି । ତ୍ରିଲୋକ ଓ ବ୍ରହ୍ମାଣ୍ଡର ସମ୍ପର୍କିତ ତଥ୍ୟ ମନ୍ଦିର କାନ୍ଥ ଓ ସ୍ତମ୍ଭରେ ଚିତ୍ରିତ ହୋଇଛି ।[୨୭] ଚାଣ୍ଡି ମନ୍ଦିରରେ କେଉଁ ସ୍ଥାନ ପବିତ୍ର ଓ କେଉଁ ସ୍ଥାନ ଅପବିତ୍ର ତାହାର ଶ୍ରେଣୀ ଧାର୍ଯ୍ୟ କରାଯାଇଛି । ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନେକ ବିଷୟର ନିର୍ଦ୍ଧାରଣ ପାଇଁ ୩ (ତ୍ରି-) ସଂଖ୍ୟା ବ୍ୟବହୃତ ହୁଏ । ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ । ସେହିଭଳି ହିନ୍ଦୁ ମନ୍ଦିରରେ ମଧ୍ୟ ୩ ସଂଖ୍ୟାର ବ୍ୟବହାର କରାଯାଏ । ମନ୍ଦିରର ତିନୋଟି ଅଂଶ ଥାଏ – ପଦ (ଆଧାରଶିଳା), ଶରୀର (ମନ୍ଦିରର ମଧ୍ୟଭାଗ), ମସ୍ତକ (ଛାତ, ଦଧି ନଉତି) । ଆଧାରଶିଳା ଓ ବାହାର ପଟର ଅଗଣା ଭୁର୍ଲୋକ, ମଝି ଅଂଶର ମଣ୍ଡପ ଓ ମୁଖ୍ୟ ମନ୍ଦିରକୁ ଭୁବର୍ଲୋକ ଓ ରତ୍ନ ବଜ୍ର-ଦ୍ୱାରା ମଣ୍ଡିତ ମନ୍ଦିର ଶୀର୍ଷ୍ୟଦେଶକୁ ସ୍ୱର୍ଲୋକ କୁହାଯାଏ ।

ପ୍ରମ୍ବାନନ ମନ୍ଦିର
୯ମ ଶତାବ୍ଦୀରେ ନିର୍ମିତ ଇନ୍ଦୋନେସିଆର ପ୍ରମ୍ବାନନ ମନ୍ଦିର

କ୍ଷ୍ମେର୍ ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ବର୍ତ୍ତମାନର କାମ୍ବୋଡ଼ିଆ (ବା କାମ୍ପୁଚିଆ)ରେ ୯ମରୁ ୧୪ଶ ଶତାବ୍ଦୀ ମଧ୍ୟରେ କ୍ଷ୍ମେର୍ ସାମ୍ରାଜ୍ୟ ସ୍ଥାପିତ ହୋଇଥିଲା ଓ ଏହା ତତ୍କାଳୀନ ଦକ୍ଷିଣ-ପୂର୍ବ ଏସିଆର ଏକ ମୁଖ୍ୟ ସାମ୍ରାଜ୍ୟ ଭାବେ ପରିଗଣିତ ହୁଏ । ଏହି ସାମ୍ରାଜ୍ୟର ରାଜଧାନୀ ଅଙ୍ଗକୋର୍ (କ୍ଷ୍ମେର୍ ରେ: អង្គរ, ଅର୍ଥାତ୍ "ରାଜଧାନୀ", ସଂସ୍କୃତ ଶବ୍ଦ "ନଗର"ରୁ ଉଦ୍ଧୃତ)ରେ ସ୍ଥାପତ୍ୟ କଳାର କେତେକ ଉତ୍କୃଷ୍ଟ ଉଦାହରଣ ରହିଛି । ୧୨ଶ ଶତାବ୍ଦୀରେ ନିର୍ମିତ ଅଙ୍ଗକୋର୍ ୱତ୍ କ୍ଷ୍ମେର୍ ସ୍ଥାପତ୍ୟକଳା ବା ଅଙ୍ଗକୋର୍ ସ୍ଥାପତ୍ୟ କଳାର ଏକ ଅତୁଳନୀୟ ନିଦର୍ଶନ । ଅଙ୍ଗକୋରର ଶିଳ୍ପୀମାନେ ମନ୍ଦିର ନିର୍ମାଣ ପାଇଁ ବାଲୁଆ ପଥର ଓ ମାଙ୍କଡ଼ା ପଥରର ବ୍ୟବହାର କରୁଥିଲେ । ଗର୍ଭଗୃହଟି କ୍ଷ୍ମେର୍ ମୁଖ୍ୟ ମନ୍ଦିରର ଉଚ୍ଚ ପ୍ରାସାତ୍ ବା ପ୍ରାଙ୍ଗ୍ ମଧ୍ୟରେ ଅବସ୍ଥିତ । ଗର୍ଭଗୃହ ମଧ୍ୟରେ ବିଷ୍ଣୁ, ଶିବଙ୍କ ମୂର୍ତ୍ତି ବା ଶିବଲିଙ୍ଗ ରହିଥାଏ । ପୌରାଣିକ ମେରୁ ପର୍ବତମାଳା ପରି କ୍ଷ୍ମେର୍ ମନ୍ଦିରରେ ସମକୈନ୍ଦ୍ରିକ କାନ୍ଥ ଓ ମନ୍ଦିର ଘେରର କେନ୍ଦ୍ରରେ ସୁ-ଉଚ୍ଚ ମୁଖ୍ୟ ମନ୍ଦିର ନିର୍ମାଣ କରାଯାଏ ।[୨୮]

ଆକାଶରୁ ଅଙ୍ଗକୋର୍ ୱତର ଏକ ଚିତ୍ର

ଚମ୍ପା ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଷଷ୍ଠ ଓ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଆଜିକାର ଭିଏତନାମରେ ଚମ୍ପା ରାଜବଂଶ ଶାସନ କରୁଥିଲେ । ସେମାନେ ମନ୍ଦିର ନିର୍ମାଣ ପାଇଁ ଆଗ୍ନେୟ ପଥର ବ୍ୟବହାର କରୁଥିଲେ । ଅଙ୍ଗକୋରର କ୍ଷ୍ମେର୍ ପାଉଁଶିଆ ବାଲୁଆ ପଥର ଓ ଚାମମାନେ ନାଲି ଇଟା ବ୍ୟବହାର କରୁଥିଲେ । ଚାମ ଇଟା ମନ୍ଦିର ସ୍ଥାପତ୍ୟର କେତେକ ଅବଶେଷ ଦା ନାଂଗ୍, ନା ତ୍ରାଂଗ୍, ଫାନ୍ ରାଂଗ୍ ଆଦି ସ୍ଥାନରେ ଦେଖିବାକୁ ମିଳେ । ଚାମ ମନ୍ଦିର ପ୍ରାଙ୍ଗଣରେ ଅନେକ ଛୋଟ ମନ୍ଦିର ଓ ଘର ଦେଖିବାକୁ ମିଳେ ।[୨୯] ସେମାନଙ୍କ ମଧ୍ୟରେ କଲାନ୍ (ଗର୍ଭଗୃହ), ମଣ୍ଡପ, କୋଷାଗ୍ରା (ଅଗ୍ନି କୋଠରୀ ବା ରୋଷଶାଳ), ଗୋପୁର ଅନ୍ୟତମ । ଏହି ପ୍ରକାରର ନିର୍ମାଣ ଶୈଳୀ ପ୍ରାୟ ଭାରତୀୟ ନିର୍ମାଣ ଶୈଳୀ ଭଳି ।

ଫାନ୍ ରାଂଗ୍ ନିକଟସ୍ଥ ୧୩ଶ ଶତାବ୍ଦୀର ପ୍ରୋ-କ୍ଲୋଂଗ୍-ଗାରାଇ ମନ୍ଦିର

ସମୟକ୍ରମ ଓ ଇତିହାସ[ସମ୍ପାଦନା]

ପ୍ରାୟ ଖ୍ରୀ.ପୂ. ୬୫୦ ସମୟରେ ମଗଧ ବଂଶ ଓ ଶିଶୁନାଗ ବଂଶ ଭାରତରେ ମୁଣ୍ଡ ଟେକିଥିଲେ । ଖ୍ରୀ.ପୂ. ୫ମ ଶତାବ୍ଦୀର ବ୍ୟାକରଣବିତ୍ ପାଣିନି ନିଜର ରଚନା ଅଷ୍ଟଧ୍ୟାୟୀରେ ତତ୍କାଳୀନ ମନ୍ଦିରର ମୂର୍ତ୍ତି, ପୂଜା ଓ କର୍ମକାଣ୍ଡର ଏକ ବିବରଣୀ ପ୍ରଦାନ କରିଛନ୍ତି । ସାଧାରଣ ମୂର୍ତ୍ତିମାନଙ୍କୁ ପ୍ରତିକୃତି ଓ ପୂଜନୀୟ ମୂର୍ତ୍ତିମାନଙ୍କୁ ଅର୍ଚ୍ଚ କୁହାଯାଉଥିଲା । ମହାଭାଷ୍ୟ କାବ୍ୟର ରଚୟିତା, ଖ୍ରୀ.ପୂ. ୨ୟ ଶତାବ୍ଦୀର ପତଞ୍ଜଳି ଅଷ୍ଟାଧ୍ୟାୟୀ ବିଷୟରେ ଯେଉଁ ବର୍ଣ୍ଣନା କରିଛନ୍ତି ସେଥିରେ ମୂର୍ତ୍ତିକଳା ବିଷୟରେ ଅନେକ ତଥ୍ୟ ମିଳେ । ଶିବଙ୍କ ବିକ୍ରିପାଇଁ ଉଦ୍ଦିଷ୍ଟ ମୂର୍ତ୍ତିଗୁଡ଼ିକୁ ଶିବକ ଓ ଅର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ମୂର୍ତ୍ତିମାନଙ୍କୁ ଶିବ କୁହାଯାଉଥିଲା । ପତଞ୍ଜଳିଙ୍କ ରଚନାରେ ଶିବ, ସ୍କନ୍ଦ, ବାସୁଦେବ ଆଦିଙ୍କ ଉଲ୍ଲେଖ ରହିଛି । ଏଥିରୁ ଆହୁରି ମଧ୍ୟ ଜାଣିବାକୁ ମିଳେ ଯେ ସବୁ ପ୍ରକାରର ମୂର୍ତ୍ତି ସ୍ଥାନାନ୍ତରିତ ହୋଇପାରିବ ନାହିଁ । ପୂଜକମାନେ ଅର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ମୂର୍ତ୍ତିମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହୁଥିଲେ ଓ ନିଜର ଜୀବିକା ଉପାର୍ଜନ କରୁଥିଲେ । ଏହି ମୂର୍ତ୍ତିମାନଙ୍କ ବିକ୍ରୟ ହେଉନଥିଲା । ପାଣିନି ଓ ପତଞ୍ଜଳି କେତେକ ମନ୍ଦିରକୁ ପ୍ରାସାଦ ଭାବେ ଅଭିହିତ କରିଛନ୍ତି । ବୈଦିକ ସମୟର ଶତପଥ ବ୍ରହ୍ମଣ ଯଜ୍ଞ ଅଗ୍ନିରେ ପୁରୁଷ ଭଳି ଏକ ମୂର୍ତ୍ତି ରଖାଯିବା ବିଷୟ ଉଲ୍ଲେଖ କରେ । ବୈଦିକ ପରମ୍ପରା ଅନୁସାରେ ମନ୍ଦିର ବର୍ଗାକାର କ୍ଷେତ୍ରରେ ବିଭକ୍ତ ହୋଇଥାଏ । ଏଗୁଡ଼ିକୁ ୬୪ ବା ୮୧ଟି କ୍ଷୁଦ୍ର ବର୍ଗରେ ବିଭକ୍ତ କରାଯାଏ ଓ ସମସ୍ତ ଛୋଟ ବର୍ଗ କୌଣସି ଦୈବୀ/ଅଭୌତିକ ସଂକେତ ବହନ କରନ୍ତି ।

ଐତିହାସିକ ସମୟସୀମା ଓ ମନ୍ଦିର[ସମ୍ପାଦନା]

[୩୦]

ସ୍ଥାନ ସମୟ ମନ୍ଦିର
ସାଞ୍ଚି, ଏରାନ୍, ଭୁମରା, ନାଚଣା ଖ୍ରୀ. ୩୨୦ରୁ ୫୫୦ ଗୁପ୍ତଯୁଗର ମନ୍ଦିର
ଦେଓଗଡ଼, ଲଳିତପୁର ଜିଲ୍ଲା ଖ୍ରୀ. ୫୦୦ରୁ ୫୨୫
ଭିତରଗାଓଁ, କାନପୁର ନଗର ଜିଲ୍ଲା ଖ୍ରୀ. ୬ଷ୍ଠ ଶତାବ୍ଦୀ ଇଟାରେ ନିର୍ମିତ ମନ୍ଦିର
ବୁଦ୍ଧଗୟା ଖ୍ରୀ.ପୂ. ୨୩୪ ମହାବୋଧି ମନ୍ଦିର
ଶିରପୁର ଖ୍ରୀ. ୬୦୦ରୁ ୬୨୫ ଇଟାରେ ନିର୍ମିତ ଲକ୍ଷ୍ମଣ ମନ୍ଦିର
ଭୁବନେଶ୍ୱର ଖ୍ରୀ. ୬୦୦ରୁ ୬୨୫ ପର୍ଶୁରାମେଶ୍ୱର ମନ୍ଦିର
ମହାବଳୀପୁରମ୍ ଖ୍ରୀ. ୬୫୦ରୁ ୬୭୫ ମହାବଳୀପୁରମ୍ ମନ୍ଦିର
ରାଜିମ୍ ଖ୍ରୀ. ୬୦୦ ରାଜୀବ ଲୋଚନ ମନ୍ଦିର 
ଆଇହୋଳେ ଖ୍ରୀ. ୬୩୪ ମେଗୁଟି ମନ୍ଦିର
ଆଇହୋଳେ ଖ୍ରୀ. ୭ମ ଶତାବ୍ଦୀ ଲାଦ ଖାନ୍ ମନ୍ଦିର ଓ ଦୁର୍ଗା ମନ୍ଦିର
ଆଲମପୁର ଖ୍ରୀ. ୬୯୬-୭୩୪ ଗରୁଡ଼-ବ୍ରହ୍ମା
ଆଲମପୁର ଖ୍ରୀ. ୬୮୧-୬୯୬ ସ୍ୱର୍ଗ-ବ୍ରହ୍ମା
ଆଲମପୁର ଖ୍ରୀ. ୭୦୦ ବିଶ୍ୱ-ବ୍ରହ୍ମା
ବାଦାମୀ ଖ୍ରୀ. ୪୦୦ରୁ ୭୦୦ ମାଲେଗୁଟ୍ଟି, ଭୁତନାଥ (ଚାଲୁକ୍ୟ କଳା)
ଏଲୋରା ଖ୍ରୀ. ୭୫୦ରୁ ୭୭୫ କୈଳାସ ମନ୍ଦିର
ଏଲୋରା ଖ୍ରୀ. ୮୦୦ରୁ ୮୨୫ ୩୨ ଗୁମ୍ଫା ମନ୍ଦିର
ପଟ୍ଟାଡ଼କାଲ୍ ଖ୍ରୀ. ୭୪୫ ବିରୁପାକ୍ଷ ମନ୍ଦିର, ମଲ୍ଲିକାର୍ଜୁନ ମନ୍ଦିର
ମହୁଆ, ଅମ୍ରିଲ୍, ନରେଶର୍ ଓ ବଟେଶର୍ ଖ୍ରୀ. ୮ମ ଶତାବ୍ଦୀ
ଓସିଆନ୍ ଖ୍ରୀ. ୭୦୦ରୁ ୭୨୫ ସୂର୍ଯ୍ୟ ମନ୍ଦିର
ଓସିଆନ୍ ଖ୍ରୀ. ୭୭୫ରୁ ୮୦୦ ହରିହର ମନ୍ଦିର
ଗ୍ୱାଲିଅର୍ ଖ୍ରୀ. ୭୨୫ରୁ ୭୫୦ ତେଲି କା ମନ୍ଦିର
ଭୁବନେଶ୍ୱର ଖ୍ରୀ. ୭୫୦ରୁ ୮୦୦ ବୈତାଳ ମନ୍ଦିର
ମଧ୍ୟପ୍ରଦେଶ ଖ୍ରୀ. ୮୨୫ ମଧାଖେଡ

ମନ୍ଦିର ସ୍ଥାପତ୍ୟରେ ବ୍ୟବହୃତ ଶବ୍ଦାବଳୀ[ସମ୍ପାଦନା]

ହିନ୍ଦୁ ମନ୍ଦିରର ଏକ ସରଳ ରେଖାଚିତ୍ର

ମନ୍ଦିର ନିର୍ମାଣରେ ବ୍ୟବହୃତ କେତେକ ମୁଖ୍ୟ ଶବ୍ଦମାନଙ୍କ ପରିଚୟ ଏଠାରେ ଦିଆଗଲା । 

ଜଗତି – ଉଚ୍ଚା ଆସ୍ଥାନ, ଭୂମିଠାରୁ ଟିକିଏ ଉଚ୍ଚରେ ଥିବା ପୀଠକୁ ଜଗତି ବୋଲି କୁହାଯାଏ । ଏହି ଜଗତି ଉପରେ ମନ୍ଦିର ନିର୍ମାଣ କରାଯାଏ । [୩୧]

ଅନ୍ତରାଳ – ଉତ୍ତର ଭାରତୀୟ ମନ୍ଦିରମାନଙ୍କରେ ଗର୍ଭଗୃହ ଓ ମଣ୍ଡପମଧ୍ୟରେ ଥିବା ଛୋଟ ଗୃହକୁ ଅନ୍ତରାଳ କୁହାଯାଏ । [୩୨][୩୩]

ମଣ୍ଡପ – ବାହ୍ୟ ପାର୍ଶ୍ୱରେ ଅବସ୍ଥିତ ଅନେକ ସ୍ତମ୍ଭଯୁକ୍ତ ବାରଣ୍ଡା ଯେଉଁଠାରେ ଭକ୍ତମାନେ ପ୍ରତୀକ୍ଷା କରନ୍ତି, ଭୋଗ ଚଢ଼ାନ୍ତି । [୩୪]

ଅର୍ଦ୍ଧ ମଣ୍ଡପ – ମନ୍ଦିରର ଅନ୍ୟାନ୍ୟ ମଣ୍ଡପମାନଙ୍କୁ ଅର୍ଦ୍ଧ ମଣ୍ଡପ କୁହାଯାଏ । 

ଆସ୍ଥାନ ମଣ୍ଡପ – ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଏକତ୍ରିତ ହେବାପାଇଁ ମଣ୍ଡପ ।

କଲ୍ୟାଣ ମଣ୍ଡପ – ମୁଖ୍ୟ ଦେବତା ଓ ଦେବୀଙ୍କ ବିବାହ ଓ ଅନ୍ୟ ଉତ୍ସବ ପାଇଁ ଉଦ୍ଦିଷ୍ଟ । 

ମହା ମଣ୍ଡପ – ସମସ୍ତ ମଣ୍ଡପମାନଙ୍କ ମଧ୍ୟରେ ବୃହତ୍ତମ ମଣ୍ଡପକୁ ମହାମଣ୍ଡପ କୁହାଯାଏ । ମୁଖ୍ୟତଃ ଧର୍ମଶାସ୍ତ୍ର ଓ ଜ୍ଞାନଚର୍ଚ୍ଚା ପାଇଁ ଏହା ଉଦ୍ଦିଷ୍ଟ । 

ନନ୍ଦୀ ମଣ୍ଡପ ବା ନନ୍ଦୀ ମନ୍ଦିର – ଶିବଙ୍କ ଲିଙ୍ଗ ସମ୍ମୁଖରେ ଥିବା ନନ୍ଦୀଙ୍କ ପାଇଁ ଉଦ୍ଦିଷ୍ଟ ମଣ୍ଡପ ଅଥବା ମନ୍ଦିର 

ଗର୍ଭଗୃହ - ମନ୍ଦିରର କେ୍ଦ୍ରସ୍ଥଳ ଯେଉଁଠାରେ ମୁଖ୍ୟ ଦେବତା ବିରାଜମାନ ।

ଶିଖର - ବିମାନ ବା ଶିଖର ମୁଖ୍ୟ ମନ୍ଦିରର ଅଂଶ । ଶିଖର ଉପରେ ଦଧି ନଉତି ଥାଏ ।

ଗୋପୁରମ୍ - ପ୍ରବେଶ ପାଇଁ ଉଦ୍ଦିଷ୍ଟ ପିରାମିଡ୍ ଆକାରର ତୋରଣ ମନ୍ଦିର ।

ଉରୁଶୃଙ୍ଗ - ଶିଖର ପାର୍ଶ୍ୱବର୍ତ୍ତୀ ଉପ-ଶିଖର ।

ଆଧାର[ସମ୍ପାଦନା]

  1. Jack Hebner (2010), Architecture of the Vastu Sastra - According to Sacred Science, in Science of the Sacred (Editor: David Osborn), ISBN 978-0557277247, pp 85-92; N Lahiri (1996), Archaeological landscapes and textual images: a study of the sacred geography of late medieval Ballabgarh, World Archaeology, 28(2), pp 244-264
  2. BB Dutt (1925), Town planning in Ancient India at Google Books, ISBN 978-81-8205-487-5
  3. Susan Lewandowski, The Hindu Temple in South India, in Buildings and Society: Essays on the Social Development of the Built Environment, Anthony D. King (Editor), ISBN 978-0710202345, Routledge, Chapter 4
  4. Alain Daniélou (2001), The Hindu Temple: Deification of Eroticism, Translated from French to English by Ken Hurry, ISBN 0-89281-854-9, pp 101-127
  5. Samuel Parker (2010), Ritual as a Mode of Production: Ethnoarchaeology and Creative Practice in Hindu Temple Arts, South Asian Studies, 26(1), pp 31-57; Michael Rabe, Secret Yantras and Erotic Display for Hindu Temples, (Editor: David White), ISBN 978-8120817784, Princeton University Readings in Religion (Motilal Banarsidass Publishers), Chapter 25, pp 435-446
  6. ୬.୦ ୬.୧ George Michell (1988), The Hindu Temple: An Introduction to Its Meaning and Forms, University of Chicago Press, ISBN 978-0226532301, Chapter 1
  7. Stella Kramrisch, The Hindu Temple, Vol 1, Motilal Banarsidass, ISBN 978-81-208-0222-3, page 5-6
  8. Susan Lewandowski, The Hindu Temple in South India, in Buildings and Society: Essays on the Social Development of the Built Environment, Anthony D. King (Editor), ISBN 978-0710202345, Routledge, pp 68-69
  9. Stella Kramrisch (1976), The Hindu Temple Volume 1 & 2, ISBN 81-208-0223-3
  10. ୧୦.୦ ୧୦.୧ Meister, Michael (1983). "Geometry and Measure in Indian Temple Plans: Rectangular Temples". Artibus Asiae. 44 (4): 266–296. doi:10.2307/3249613. JSTOR 3249613.
  11. In addition to square (4) sided layout, Brhat Samhita also describes Vastu and mandala design principles based on a perfect triangle (3), hexagon (6), octagon (8) and hexadecagon (16) sided layouts, according to Stella Kramrisch. The 49 grid design is called Sthandila and of great importance in creative expressions of Hindu temples in South India, particularly in ‘‘Prakaras’’.
  12. Stella Kramrisch (1976), The Hindu Temple Volume 1, ISBN 81-208-0223-3, pp 8
  13. Trivedi, K. (1989). Hindu temples: models of a fractal universe. The Visual Computer, 5(4), 243-258
  14. Susan Lewandowski, The Hindu Temple in South India, in Buildings and Society: Essays on the Social Development of the Built Environment, Anthony D. King (Editor), ISBN 978-0710202345, Routledge, pp 71-73
  15. Meister, Michael W. (April–June 1979). "Maṇḍala and Practice in Nāgara Architecture in North India". Journal of the American Oriental Society. 99 (2): 204–219. doi:10.2307/602657. JSTOR 602657.
  16. Fergusson, James (1997) [1910]. History of Indian and Eastern Architecture (3rd ed.). mumbai: Low Price Publications. p. 408.
  17. "Echoes from Chalukya caves". Retrieved 2009-04-01.
  18. "In search of Indian records of Supernovae1" (PDF). Hrishikesh Jogleka1, Aniket Sule, M N Vahia. Retrieved 2009-04-03.
  19. "Kalyani Chalukyan temples, Temples of Karnataka". Retrieved 2009-04-03.
  20. The sculpture of early medieval Rajasthan, by Cynthia Packert Atherton
  21. Beginnings of Medieval Idiom c. A.D. 900–1000 by George Michell
  22. The legacy of G.S. Ghurye: a centennial festschrift, by Govind Sadashiv Ghurye, A. R. Momin, p. 205
  23. Philip Rawson: The Art of Southeast Asia
  24. Philip Rawson: The Art of Southeast Asia
  25. Soekmono (1995), p. 1
  26. Soekmono, Dr R. (1973). Pengantar Sejarah Kebudayaan Indonesia 2. Yogyakarta, Indonesia: Penerbit Kanisius. p. 81. ISBN 979-413-290-X.
  27. Sedyawati (2013), p. 4
  28. Glaize, Monuments of the Angkor Group, p.27.
  29. Tran Ky Phuong, Vestiges of Champa Civilization.
  30. Meister, Michael W. (1988–1989). "Prāsāda as Palace: Kūṭina Origins of the Nāgara Temple". Artibus Asiae. 49 (3–4): 254–280. doi:10.2307/3250039. JSTOR 3250039.
  31. "Glossary". Art and Archaeology. Retrieved 2007-04-09.
  32. cite web |url=http://www.indoarch.org/arch_glossary.php |title=Architecture on the Indian Subcontinent - Glossary |publisher= |accessdate=2007-01-26
  33. http://personal.carthage.edu/jlochtefeld/picturepages/Khajuraho/architecture.html
  34. Thapar, Binda (2004). Introduction to Indian Architecture. Singapore: Periplus Editions. p. 143. ISBN 0-7946-0011-5.