ଗୌରାଙ୍ଗ ଚରଣ ଦାସ
ଗୌରାଙ୍ଗ ଚରଣ ଦାସ | |
---|---|
ଜନ୍ମ | ବାଗଲପୁର, ଜଗତସିଂହପୁର | ୨୬ ଜାନୁଆରୀ ୧୮୯୯
ମୃତ୍ୟୁ | ୧୯ ଫେବୃଆରୀ ୧୯୭୨ | (ବୟସ ୭୩)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ | ଦୁତିକା ଦେବୀ |
ପିତାମାତା(s) | ସାବିତ୍ରୀ ଦେବୀ (ମାତା) ପଙ୍କଜ ଚରଣ ଦାସ (ପିତା) |
ଗୌରାଙ୍ଗ ଚରଣ ଦାସ (୨୬ ଜାନୁଆରୀ ୧୮୯୯ - ୧୯ ଫେବୃଆରୀ ୧୯୭୨) ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ଓଡ଼ିଶାର କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନ,[୧] କୃଷକ ଆନ୍ଦୋଳନ ଓ ଗଡଜାତ ପ୍ରଜା ଆନ୍ଦୋଳନର ନେତା | [୨] ସେ ଓଡ଼ିଶା ବିଧାନ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଅବିଭକ୍ତ କଟକ ଜିଲ୍ଲାର ଜିଲ୍ଲା ପରିଷଦ ଚେୟାରମାନ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।[୩]
ଜୀବନୀ
[ସମ୍ପାଦନା]ଗୌରାଙ୍ଗ ଚରଣ ଦାସ ଓଡ଼ିଶାର ଜଣେ ଜନନାୟକ ।[୪] ସେ ୧୮୯୯ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନ , ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଗଲପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ ସାବିତ୍ରୀ ଦେବୀ ଏବଂ ପିତାଙ୍କ ନାମ ପଙ୍କଜ ଚରଣ ଦାସ । ଛୋଟବେଳୁ ତାଙ୍କର ଡାହାଣ ହାତଟି ଦୁର୍ବଳ ରହିଥିଲା , ତଥାପି ସେ ଗୋଟିଏ ହାତରେ ଅନ୍ୟ ସାଧାରଣ ପିଲାମାନଙ୍କ ପରି ସବୁ କାମ କରିପାରୁଥିଲେ । ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ପିତା ପଙ୍କଜ ଚରଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ଘର ଓ ନିଜ ପରିବାରର ଦାୟିତ୍ୱ ସମ୍ଭାଳିବା ପାଇଁ ଆର୍ଥ ଉପାର୍ଜନ ଆଶାରେ ସେ ବାଗଲପୁର ଛାଡି ଗାଙ୍ଗପୁର ଚାଲିଯାଇଥିଲେ । ସେଠାରେ କିଛିଦିନ ଜଙ୍ଗଲ ବିଭାଗର ଜଣେ କର୍ମୀ ଭାବରେ କାମ କରିବା ପରେ ସେ ପୁଣି ନିଜ ଗ୍ରାମ ବାଗଲପୁର ଫେରିଆସିଥିଲେ । ସେଠାରେ ସେ ସ୍ଥାନୀୟ କିଛି ଯୁବକମାନଙ୍କୁ ଏକାଠି କରି ଏକ "ଯୁବକ ସଂଘ" ଗଠନ କରିଥିଲେ ଓ ସେମାନଙ୍କ ସହ ମିଶି ଚାଷକାମରେ ମନ ଦେଇଥିଲେ । ସେଠାରେ ଦୁତିକା ଦେବୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।
ସ୍ୱାଧୀନତା ସଂଗ୍ରାମରେ ଭୂମିକା
[ସମ୍ପାଦନା]ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମୟରେ କାଠଯୋଡି ନଇବାଲିରେ ଏକ ସାଧାରଣ ସଭାରେ ସାଧାରଣ ଜନତାଙ୍କ ପାଇଁ ଭାଷଣ ଦେଇଥିଲେ । ସେଠାରେ ଗୌରାଙ୍ଗ ପ୍ରଥମ ଥର ପାଇଁ ଏହି ଆନ୍ଦୋଳନର ଭାଷା ବୁଝିଥିଲେ । ଗାନ୍ଧୀଜୀଙ୍କର ଭାଷଣ ଶୁଣି ଓ ଏହାର ମହତ୍ୱ ବୁଝିପାରି ସେ ନିଜେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ସହିତ ନିଜ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିଥିଲେ । ତାପରେ ସେ ଜଣେ ସକ୍ରିୟ ସଂଗ୍ରାମୀ ଓ କଂଗ୍ରେସ କର୍ମୀ ଭାବରେ ଅଳକାଶ୍ରମରେ ଯୋଗଦେଇଥିଲେ । ସେଠାରୁ ସେ ମାଳତୀ ଦେବୀଙ୍କ ସହଯୋଗରେ ଜଗତସିଂହପୁରରେ ଆସହଯୋଗ ଆନ୍ଦୋଳନକୁ ତୀବ୍ର କରାଇଥିଲେ ।
୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଚାଲିଥିବା ସମୟରେ ଓଡ଼ିଶାରେ ମଧ୍ୟ କିଛି କଂଗ୍ରେସ କର୍ମୀ ଏହାର ସମର୍ଥନ କରିଥିଲେ । ବାଲେଶ୍ୱର ଉପକୂଳ ଇଞ୍ଚୁଡିଠାରେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଲୁଣମରା ଆରମ୍ଭ ହୋଇଥିଲା । ଏଥିରେ ଗୌରାଙ୍ଗ ଚରଣ ମଧ୍ୟ ଯୋଗ ଦେଇଥିଲେ । ସେହି ବର୍ଷ ଏପ୍ରିଲ ୧୩ ତାରିଖ ଦିନ ଅନ୍ୟ ସତ୍ୟାଗ୍ରାହୀ ମାନଙ୍କ ସହିତ ତାଙ୍କୁ ମଧ୍ୟ ଗିରଫ କରାଯାଇ ବର୍ଷେ କାଳ କାରାବାସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ୧୯୩୧ ମସିହାରେ ସେ କାରାଗାରରୁ ଖଲାସ ହୋଇଥିଲେ । ସେ ସମୟରେ ଆଇନ ଅମାନ୍ୟ ଆନ୍ଦୋଳନ ଯୋର ଧରିଥିଲା । ସେ କାରାଗାରରୁ ବାହାରିବା ପରେ ଏହି ଆନ୍ଦୋଳନରେ ଯୋଗଦେଇଥିଲେ ଓ ଗାଁ ଗାଁ ବୁଲି ଏଥିପାଇଁ ପ୍ରଚାର ଚଳାଇଥିଲେ ।[୫] ୧୯୩୨ ମସିହା ଜାନୁଆରୀ ୨୬ ତାରିଖ ଦିନଟିକୁ ଜାତୀୟ କଂଗ୍ରେସ ତରଫରୁ ସ୍ୱରାଜ୍ୟ ଦିବସ ରୂପେ ପାଳନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଏହି ଅବସରରେ ସେ ସମସ୍ତ ଗ୍ରାମବାସୀଙ୍କ ସହ ମିଶି ଏକ ସାଧାରଣ ସଭାର ଆୟୋଜନ କରିଥିଲେ । ଏହାର ପରିଣାମ ସ୍ୱରୂପ ସେ ପୁଣି ଥରେ ଗିରଫ ହୋଇ ୬ ମାସ ଯାଏଁ କାରାବାସ ଭୋଗିଥିଲେ ।
ଆଧାର
[ସମ୍ପାଦନା]- ↑ Surendranath Dwivedy: Relentless Crusader. Bharatiya Vidya Bhavan. 1995.
- ↑ http://epaper.prameyanews.com/52883-155648302-1-article.html[permanent dead link]
- ↑ "ସ୍ମୃତିରେ". ପ୍ରମେୟ ୧୯/୦୨/୨୦୧୭ ପୃଷ୍ଠା ୮. Retrieved 24 February 2017.[permanent dead link]
- ↑ Indian & Pakistan Year Book & Who's who. Bennett, Coleman & Company. 1951.
- ↑ Surendranath Dwivedy (1984). Quest for socialism: fifty years of struggle in India. Radiant.