ପାଳୁଅ ଲଡୁ
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଲେଖାଳି | ଧନି ସାହୁ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ପାଳୁଅ, ଛେନା, ସୁଜି, ମଇଦା ଓ ଚିନି |
ପାଳୁଅ ଲଡୁ, ଭଦ୍ରକରେ ମିଳୁଥିବା ଏକ ମିଠା ।
ପ୍ରସ୍ତୁତି
[ସମ୍ପାଦନା]ପାଳୁଅ ମାଟି ତଳେ ମିଳୁଥିବା ଏକପ୍ରକାର ମୂଳ । କୋରାପୁଟ, କେନ୍ଦୁଝର ଆଦି ଜଙ୍ଗଳାଞ୍ଚଳରେ ପ୍ରାୟ ଏହା ମିଳେ । ଏହାକୁ ସଂଗ୍ରହ କରି ଲଡ଼ୁ ପ୍ରସ୍ତୁତି ଆଗରୁ ଏକ ପାତ୍ରରେ ପାଣିରେ ବୁଡ଼ାଇ ରଖିଲେ ଏହା କିଛି ସମୟପରେ ମିଳାଇ ଯାଇ ପାତ୍ରର ତଳେ ବସିଯାଏ । ଏହି ମଣ୍ଡକୁ ଛାଣି ଶୁଖାଇ ଗୁଣ୍ଡ କରାଯାଏ । ଏହି ଗୁଣ୍ଡ ପାଳୁଅକୁ ଛେନା, ସୁଜି, ମଇଦା, ଚିନି, ଗରମ ଗୁଆ ଘିଅ ଓ ପାନ ମଧୁରୀ ଦେଇ ଭଲ ଭାବରେ ଚକଟା ଯାଏ । ଏହାକୁ ଛୋଟ ଛୋଟ ଗୋଲାକାର ଆକୃତି ଦେଇ ଗୁଆ ଘିଅରେ ଛଣାଯାଏ । ତାପରେ ଏହାକୁ ଚିନି ସିରାରେ ପକେଇ ଲଡୁ ପ୍ରସ୍ତୁତ କରାଯାଏ । ଲଡୁ ଉପରେ କାଜୁ ବାଦାମ ଓ କିସମିସ ଆଦି ଦେଇ ପରଷାଯାଏ ।
ଇତିହାସ
[ସମ୍ପାଦନା]ପାଳୁଅ ଲଡୁ, କେବେଠାରୁ ଆରମ୍ଭ ଏହାର କୌଣସି ଇତିହାସ ଲିପିବଦ୍ଧ କରି ରଖାଯାଇ ନାହିଁ । ଗବେଷକ ବାଇଧର ସାହୁଙ୍କ ମତରେ ଏହାକୁ ପାଞ୍ଚଶହ ବର୍ଷ ତଳେ ପ୍ରସ୍ତୁତ କରାଯାଇ, ଭଦ୍ରକର ପ୍ରସିଦ୍ଧ "ବୁଢ଼ା ଗଣେଶ" ପୂଜାରେ ଭୋଗ ଲଗାଯାଉଥିଲା । ଅନ୍ୟ ଏକ ମତ ଅନୁସାରେ ପ୍ରାୟ ୧୦୦ବର୍ଷ ତଳେ ଶଙ୍କରପୁରର ଧନି ସାହୁ ଏହାକୁ ତିଆରି କରି ଭଦ୍ରକର ବୁଧବାର ହାଟରେ ବିକୁଥିଲେ । ପରବର୍ତ୍ତୀ ସମୟରେ ଗଙ୍ଗାଧର ସାହୁ, ସୁଧାଂଶୁ ସାହୁ ଆଦି ଏହାକୁ ଲୋକପ୍ରିୟ କରାଇଥିଲେ । ୧୯୬୩ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭଦ୍ରକ ଆସିଥିବା ସମୟରେ ଉଦୟ ସାହୁ ତାଙ୍କୁ ପାଳୁଅ ଲଡୁ ଖୁଆଇଥିଲେ । ନେହେରୁଙ୍କୁ ଏହା ଭଲ ଲାଗିଥିବାରୁ, ସେ ଗୋଟିଏ ଖାଇବା ପରେ ଆଉ ଗୋଟିଏ ମାଗି ଖାଇଥିଲେ । ସେବେଠାରୁ ପାଳୁଅ ଲଡୁ ଭଦ୍ରକରୁ ବାହାରି ସମଗ୍ର ରାଜ୍ୟରେ ଲୋକପ୍ରିୟ ହୋଇପାରିଥିଲା ।
ପାଳୁଅ ଲଡୁକୁ ଏକ କୁଟିର ଶିଳ୍ପର ମର୍ଯ୍ୟଦା ଦେଇ, ପାଳୁଅର ଆମଦାନି ଓ ସୁଲଭ ଦରରେ ଯୋଗାଣ ବ୍ୟବସ୍ଥା କରାଯାଇପାରିଲେ ଏହାର ଲୋକପ୍ରିୟତା ଆହୁରି ବଢନ୍ତା ବୋଲି ବ୍ୟବସାୟୀମାନେ ମତ ଦିଅନ୍ତି ।[୧]
ଆଧାର
[ସମ୍ପାଦନା]- ↑ "ଭଦ୍ରକ ପ୍ରସିଦ୍ଧ ପାଳୁଅ ଲଡ଼ୁ: ଚାହିଦା ରହିଛି, ପ୍ରତ୍ସାହନ ନାହିଁ". ସମୟ. 6 May 2015. p. ୧୧. Archived from the original on 20 September 2015. Retrieved 10 September 2016.