ମଗଜଲଡ଼ୁ

ଉଇକିପିଡ଼ିଆ ରୁ
Jump to navigation Jump to search

ମଗଜଲଡ଼ୁ ଘିଅ,ଚିନିଅଟାରେ ତିଆରି ଏକ ପାରମ୍ପାରିକ ଓଡ଼ିଆ ମିଠା । ଯାହା ଜଗନ୍ନାଥଙ୍କ ସୁଖିଲା ଭୋଗ ମଧ୍ୟରେ ଅନ୍ୟତମ । ଜଗନ୍ନାଥଙ୍କ ଧୂପରେ ମଧ୍ୟ ଏହା ଏକ ଭୋଗ ରୂପେ ଅର୍ପଣ କରାଯାଇଥାଏ ।

ଇତିହାସ ଓ ଲୋକକଥା[ସମ୍ପାଦନା]

ଇଂରେଜମାନଙ୍କ ଶାସନ କାଳ, ୧୮୦୪ ମସିହା କେଜେକ ଗୋରା ସାହେବ ଶ୍ରୀଜଗନ୍ନାଥଙ୍କ ସେବା ପୂଜାର ସମସ୍ତବିବରଣୀ ସଂଗ୍ରହ କରିବା ପାଇଁ ପୁରୀରେ ପହଞ୍ଚି ତଦାରଖ କରୁଥାନ୍ତି । ସିଂହଦ୍ୱାର ସାମ୍ନାରେ ସେମାନଙ୍କ ଡେରା ପଡ଼ିଥାଏ ।[୧] ଦିନେ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ ମଧୁମଙ୍ଗଳ ପୂଜା ପଣ୍ଡା କିଛି ରୋଜଗାର ଆଶାରେ ଘିଅ, ଚିନି, ଅଟାର ସ୍ୱାଦିଷ୍ଟ ଲଡ଼ୁ ନେଇ ସାହେବମାନଙ୍କ ତମ୍ବୁରେ ପହଞ୍ଚି ପ୍ରସାଦ ଓ ଜୁଳସୀବଣ୍ଟନ କରନ୍ତେ, ମୁଖ୍ୟ ଅଫିସର ଜଣକ ପଚାରିଲେ ଏହାର ନାମ କଣ ? ପୂଜା ପଣ୍ଡାଙ୍କ ପାଟିରୁବାହାରି ପଡ଼ିଲା ମଗଜ ଲଡ଼ୁ। ଅଫିସର୍ ପଚାରିଲେ,ଏହାକୁ ଖାଇଲେ କଣ ହେବ ? ପୂଜା ପଣ୍ଡା କହିଲେ ମଗଜର ମାନ ବୃଦ୍ଧି ହେବ । ଅର୍ଥାତ ମଗଜ ବଢ଼ିବ । ଅଫିସର ପୁଣି ପଚାରିଲେ ତୁମ ଜଗନ୍ନାଥ କଣ ଏହାକୁ ଖାଆନ୍ତି ..? ପୂଜା ପଣ୍ଡା କହିଲେ ନିଶ୍ଚୟ । ତାହେଲେ କାଲି ତୁମେ ଲଡ଼ୁ ତିଆରି କରି ରଖିଥିବ ଆମେ ମୋହର ମାରି ଭୋଗ ପାଇଁ ପଠାଇବୁ । ଜଗନ୍ନାଥ ଯଦି ଖାଇବେ ପୁରସ୍କାର ପାଇବ । ନ ଖାଇଲେ ମୃତ୍ୟୁଦଣ୍ଡ ଦିଆଯିବ ।

ପୂଜକ ଆକାଶରୁ ଖସି ପଡ଼ିଲା ପରି ତଟସ୍ଥ ହୋଇ ମୁଣ୍ଡ ଟୁଙ୍ଗାରି ଫେରି ଆସିଲେ । ବହୁତ ଏଣୁ ତେଣୁ ଚିନ୍ତା କଲେ । ମନରେ ତାଙ୍କରବହୁ ପ୍ରଶ୍ନ ସବୁ ଉଙ୍କି ମାରୁଥାଏ । ଏହା କି ପରି ସମ୍ଭବ ହେବ ...? ଏକଥା ସମସ୍ତ ସେବକ ମହଲରେ କ୍ଷୀପ୍ର ଗତିରେ ପ୍ରଘଟ ହୋଇଗଲା । କଣ କରାଯିବ ...? ହେ ଜଗନ୍ନାଥ ଜୁମେ ହିଁ ଭରସା । ସେଦିନ ଅଖିଆ ଅପିଆ ସେବକମାନେ ଶ୍ରୀଜଗନ୍ନାଥଙ୍କ ସିଂହାସନ ତଳେ ଲମ୍ବ ଲମ୍ବ ହୋଇ ପଡ଼ିଥାନ୍ତି । ସେତିକିବେଳେ ହଠାତ୍ ପ୍ରତ୍ୟକ୍ଷ ଦେଖିଲା ଭଳି ଦେଖିଲେ, ଜଗନ୍ନାଥ ନିଜେ ତାଙ୍କ ପାଖରେ ଉପସ୍ଥିତ ହୋଇ ବ୍ରଜ ଗମ୍ଭୀରବାଣୀରେ କହୁଛନ୍ତି, ଆରେ ... ତୁମେ କ'ଣ ଜାଣିନାହଁ ମୁଁ ଇଚ୍ଛାମୟ, ଭକ୍ତର ଇଚ୍ଛାକୁ ମୁଁ ନିଜ ଇଚ୍ଛା ଭଳି ଗ୍ରହଣ କରିଥାଏ । ମୁଁ ଜାଣେ ତୁମ୍ଭେମାନେ ଇଂରାଜୀ ଅଫିସର୍ କଥାରେ ବଡ଼ ବ୍ୟସ୍ତବିବ୍ରତ ହୋଇ ପଡ଼ିଛ । କାଲି ଲଡ଼ୁ ପଠାଅ,ଆଉ ମୁଁ ଖାଉଛି କି ନାହିଁ ଦେଖ,ତେବେ ତୁମ୍ଭମାନଙ୍କ ମନର ସମସ୍ତ ଗ୍ଲାନି ଅପସରି ଯିବ । ଥାଳି ଥାଳି ମଗଜ ଲଡ଼ୁ ପ୍ରଭାତରୁ ବଢ଼ା ହୋଇ ରଖାଗଲା । ସାହେବମାନଙ୍କ ଆଗରେ ଗୋଟା ଗୋଟା ଓଜନ କରାଯାଇ ମୋହରବସିଲା । ତାପରେ ଭୋଗ ହେବାକୁ ଗଲା । ପୂଜା ପଣ୍ଡା ଚଳୁଧରି କହିଲେ ହେ ଜଗନ୍ନାଥ ! ଗୋରା ସାହେବ ଆଦେଶ କରିଛି ଲଡ଼ୁ ଭାଙ୍ଗିବ ନାହିଁ କି ଖଣ୍ଡିଆ ହେବ ନାହିଁ, କିନ୍ତୁ ଓଜନରେ ଖାଇବା ନଖାଇବା ପରୀକ୍ଷା କରାଯିବ । ସେଥପାଇଁ ବିଚାରକରନ୍ତୁ । ସମସ୍ତଙ୍କର ଦୃଷ୍ଟି ସେହି ଗୋଟିଏ ଦିଗକୁ । କାହାର ଆଖିର ପଲକ ପଡ଼ୁ ନାହିଁ । ସମସ୍ତେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ଉପସ୍ଥିତ । ସମସ୍ତେ କାନ ଡେରି ଅପେକ୍ଷା କରିଥାନ୍ତି । ଭୋଗ ଉଠିବା ଯେତିକି ପାଖେଇ ଆସୁଥାଏ, ସେତିକି ସମସ୍ତେ ଉଦବିଗ୍ନ ହୋଇ ପଡ଼ୁଥାନ୍ତି । ଏହା ଏକ ସାଧାରଣ ଘଟଣା ନୁହେଁ । କୋଟିବିଶ୍ୱର ମହା ପ୍ରଭୁ ସ୍ୱୟଂ ଭକ୍ତବତ୍ସଳ ଜଗନ୍ନାଙ୍କ କଥା । ଭୋଗ ଥାଳି ବାହାରିଲା । ଲଡ଼ୁ ପୁନଃଶ୍ଚ ଓଜନ କରାଗଲା, ଆଶ୍ଚର୍ଯ୍ୟ ପାଲଟିଯାଇଥିଲେ ଗୋରାସାହେବ । ଲଡ଼ୁ ଠିକ୍ ଅଛି, ମୋହର ଠିକ୍ ଅଛି,କିନ୍ତୁ ସମସ୍ତ ଲଡ଼ୁର ଓଜନ ପୂର୍ବଠାରୁ ଅଧା ହ୍ରାସ ପାଇଛି । ଅଥଚ ଲଡ଼ୁ ଓ ମୋହର ବ୍ୟତିକ୍ରମ ହୋଇନାହିଁ ? "ସମ୍ଭବ ଅସମ୍ଭବ, ଅସମ୍ଭବ, ସମ୍ଭବ ହୋଇଣ କଥା ରହିଗଲା । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ! ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିବାବେଳେ ଇଂରେଜ ଅଫିସର, ପଟ୍ଟାଲେଖି ଖଞ୍ଜା କରି ଦେଇଥିଲେ ସବୁ ଦିନ ଶ୍ରୀ ଜଗନ୍ନାଥ ମହା ପ୍ରଭୁଙ୍କୁ ମଗଜ ଲଡ଼ୁରେ ଆପ୍ୟାୟିତ କରାଯିବାକୁ ।

ଆଧାର[ସମ୍ପାଦନା]

  1. "ମଗଜଲଡୁ". Utkala Prasanga. Retrieved 29 September 2015.