Jump to content

ସିଂହାରୀ ଶ୍ୟାମସୁନ୍ଦର କର

ଉଇକିପିଡ଼ିଆ‌ରୁ
ଆଦିଗୁରୁ, ଦେଶରଜା, ମଉଡ଼ମଣି

ସିଂହାରୀ ଶ୍ୟାମସୁନ୍ଦର କର
ଜନ୍ମ
ମଣିକର୍ଣ୍ଣିକା ସାହି, ପୁରୀ
ମୃତ୍ୟୁ୧୬ ମାର୍ଚ୍ଚ ୧୯୭୫
ବୃତ୍ତି(ସମୂହ)ଓଡ଼ିଶୀ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ, ଓଡ଼ିଶୀ ମର୍ଦ୍ଦଳ ବାଦକ ଓ ଗୁରୁ, ଓଡ଼ିଶୀ ସଙ୍ଗୀତ ଗବେଷକ
ଶୈଳୀଓଡ଼ିଶୀ ସଙ୍ଗୀତ
ପିତାମାତାପଦ୍ମାବତୀ

ସିଂହାରୀ ଶ୍ୟାମସୁନ୍ଦର କର ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ[], ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ, ଗୁରୁ ଓ ମର୍ଦ୍ଦଳ ବାଦକ ଥିଲେ । ପୁରୀର ପରମ୍ପରାନୁସାରେ ଶାସ୍ତ୍ରୀୟ ପଦ୍ଧତିରେ ମର୍ଦ୍ଦଳ ବାଦନ କରି ଏହାକୁ ଓଡ଼ିଶୀ ସଙ୍ଗୀତର ମୌଳିକ ବାଦ୍ୟଯନ୍ତ୍ର ଭାବେ ପ୍ରଚଳିତ କରାଇପାରିଥିଲେ । ସେ ଶ୍ରୀମନ୍ଦିରରେ ସିଂହାରୀ ସେବା କରୁଥିବାରୁ ସିଂହାରୀ ଶ୍ୟାମସୁନ୍ଦର କର ନାମରେ ସେ ବେଶୀ ପରିଚିତ ଥିଲେ ।[] ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ସିଂହାରୀ ଶ୍ୟାମସୁନ୍ଦରଙ୍କର ଅବଦାନ ଆଦ୍ୟଗଣ୍ୟ ଥିବାରୁ ତାଙ୍କୁ ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ଭାବେ ଜଣାଯାଏ ।

ଜୀବନୀ

[ସମ୍ପାଦନା]

ଶ୍ୟାମସୁନ୍ଦର, ପୁରୀର ମଣିକର୍ଣ୍ଣିକା ସାହିରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆକର୍ଷଣ ରହିଥିଲା । ପିତାମାତାଙ୍କ ମନାକରିବା ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ସୁଆଙ୍ଗ, ଲୀଳା ଆଦି ଦେଖୁଥିଲେ । କମ ବୟସରୁ ତାଙ୍କର ପିତାଙ୍କର ଦେହାନ୍ତ ହୋଇଯାଇଥିଲା । ସଂସ୍କୃତ ଟୋଲରେ ସେ ପାଠ ପଢ଼ିଥିଲେ ।

ଜଗନ୍ନାଥ ପ୍ରତିହାରୀ, ହରିହର ରାୟଗୁରୁ ଓ ଚିନ୍ତାମଣି ମିଶ୍ର ଆଦି ଗୁରୁଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ଶିକ୍ଷାଲାଭ କରିଥିଲେ । ପୁରୀର କାଳିକାକୋଟ ଥିଲା ତାଙ୍କର ସଙ୍ଗୀତ ସାଧନା କେନ୍ଦ୍ର । ସେ ଆକାଶବାଣୀ କଟକ କେନ୍ଦ୍ରର ନିୟମିତ କଣ୍ଠଶିଳ୍ପୀ ଥିଲେ ଓ କଟକ କେନ୍ଦ୍ର ସ୍ଥାପନ ହେବା ଆଗରୁ ଆକାଶବାଣୀ କଲିକତା କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୫୪ମସିହାରେ ଦିଲ୍ଲୀର ଲାଲ କିଲ୍ଲାଠାରେ ଏକ ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ । ନିଜ ଘରେ ସେ "ଶ୍ୟାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟ" ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଥିଲେ । ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ନୃସିଂହନାଥ ଖୁଣ୍ଟିଆ, ମାର୍କଣ୍ଡେୟ ମହାପାତ୍ର, କାଶୀନାଥ ପୂଜାପଣ୍ଡା, ଲୋକନାଥ ପାଳ, ଲୋକନାଥ ରଥ, ପଶ୍ଚିମେଶ୍ୱର ଜେନା, ଅଖିଳ କୁମାର ଲେଙ୍କା, ଶ୍ୟାମାମଣି ପଟ୍ଟନାୟକ ଓ ଗୋପାଳ ଚନ୍ଦ୍ର ପଣ୍ଡା ଅନ୍ୟତମ ।[] ଓଡ଼ିଶାର ପ୍ରାୟ ସମସ୍ତ ମର୍ଦ୍ଦଳ ଗୁରୁ ସିଂହାରୀଙ୍କ ଶିଷ୍ୟ ଓ ଅଭିନୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନନ୍ୟ ଦକ୍ଷତା ଥିଲା । ସେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ନୃତ୍ୟାଭିନୟରେ ଶିକ୍ଷା ପ୍ରଦାନ କରିଛନ୍ତି ।

୧୯୭୫ ମସିହା ମାର୍ଚ୍ଚ ୧୬ତାରିଖରେ ଶ୍ୟାମସୁନ୍ଦର କର ଇହଲୀଳା ସମ୍ବରଣ କରିଥିଲେ ।[]

ଗାୟକୀ

[ସମ୍ପାଦନା]
ପୁରୀରେ ସିଂହାରୀଙ୍କ ପ୍ରତିମୂର୍ତ୍ତି

ସିଂହାରୀ ଶ୍ୟାମସୁନ୍ଦର କର ପୁରୀରେ ଜନ୍ମିତ ହୋଇଥିବାରୁ ତାଙ୍କ ଗାୟନ ଶୈଳୀରେ ପୁରୀର ଗଭୀର ଛାପ ରହିଛି ।

ଅଧୁନା ୟୁଟ୍ୟୁବରେ ତାଙ୍କର ତିନିଗୋଟି ସଙ୍ଗୀତ ଗ୍ରାମୋଫୋନରୁ ଉଦ୍ଧାର କରାଯାଇ ଛଡ଼ାଯାଇଛି । ସେଗୁଡ଼ିକ ହେଲା ଦୀନବାନ୍ଧବ ଦଇତାରୀ(ଜଣାଣ) ଓ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରୀ ଚମ୍ପୂରୁ ଦୁଇଗୋଟି ଗୀତ - ଛଳବାହିନୀଶ ହେ(ଛ ଗୀତ) ଓ କ୍ଷମାନୁକମ୍ପାଧର ହେ(କ୍ଷ ଗୀତ) ।

  1. http://odisha.gov.in/culture/dance.htm
  2. Bidhu Bhusan Das; Trilochan Misra; Prabhat Nalini Das (1994). Eye to Orissa. Information & Public Relations Department, Government of Orissa.
  3. Sruti. P.N. Sundaresan. 2006.
  4. "ସିଂହାରୀ ଶ୍ୟାମସୁନ୍ଦର କର". ସମ୍ବାଦ ୧୬/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 16 March 2017.[permanent dead link]