ଲିଙ୍ଗରାଜ ମିଶ୍ର
ଲିଙ୍ଗରାଜ ମିଶ୍ର | |
---|---|
ସାଂସଦ: ୧ମ ଲୋକ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଉତ୍ତର ପୁରୀ ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮୯୪ |
ମୃତ୍ୟୁ | ୧୮ ଡିସେମ୍ବର ୧୯୫୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଉମା ଦେବୀ |
ବାପା/ବୋଉ | ନୀଳକଣ୍ଠ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଲିଙ୍ଗରାଜ ମିଶ୍ର (୧୮୯୪ – ୧୯୫୭) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ ଓ ସାମ୍ବାଦିକ ଥିଲେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ସେ ୧ମ ଲୋକ ସଭାକୁ ଓ ପରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲିଙ୍ଗରାଜ ମିଶ୍ର ୧୮୯୪ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନୀଳକଣ୍ଠ ମିଶ୍ର ଓ ପତ୍ନୀଙ୍କ ନାମ ଉମା ଦେବୀ ।[୨] ସେ ପୁରୀ ଜିଲ୍ଲା ସ୍କୁଲରୁ ମାଟ୍ରିକ ପରେ ରେଭେନ୍ସା କଲେଜରୁ କଳାରେ ସ୍ନାତକ କରିଥିଲେ ଏବଂ ୧୯୧୮ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର କରିଥିଲେ ।[୧] ସେ ସ୍ନାତକୋତ୍ତରରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୨] କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କ ପାଠପଢ଼ା ପାଇଁ ମଧୁସୂଦନ ଦାସ ତାଙ୍କୁ ମାସିକ ୩୦ ଟଙ୍କା ଲେଖାଏଁ ପଠାଉଥିଲେ ।[୧] ସ୍ନାତକୋତ୍ତର ପରେ ତାଙ୍କୁ ଓଡ଼ିଶା-ବିହାର ସଂସ୍କୃତ ସମାଜ ତରଫରୁ ଚାକିରୀର ସୁଯୋଗ ମିଳିଥିଲେ ମଧ୍ୟ ୧୯୨୧ ମସିହାରେ ସେ ଗୋପବନ୍ଧୁ ଦାସଙ୍କ ଅନୁରୋଧ କ୍ରମେ ସତ୍ୟବାଦୀ ଜାତୀୟ ସ୍କୁଲରେ ଯୋଗ ଦେଇଥିଲେ ।[୧]
ସ୍ୱାଧୀନତା ସଂଗ୍ରାମରେ ଅବଦାନ
[ସମ୍ପାଦନା]ଗୋପବନ୍ଧୁ ଦାସଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୨୭ ମସିହାରେ ସେ ସର୍ଭେଣ୍ଟସ୍ ଅଫ୍ ପିପୁଲ୍ ସୋସାଇଟିରେ ଯୋଗ ଦେଇଥିଲେ ।[୧]
୧୯୩୦ ମସିହାରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ବ୍ରିଟିଶ ସରକାରଙ୍କଦ୍ୱାରା ଗରିଫ ହୋଇ କାରାବରଣ କରିଥିଲେ । ଜେଲରୁ ମୁକୁଳିବା ପରେ ସେ ସମାଜ ଖବରକାଗଜ ଜରିଆରେ ସତ୍ୟାଗ୍ରହ ଜାରି ରଖିଥିଲେ, ଫଳରେ ୧୯୩୨ ମସିହାରେ ପୁଣିଥରେ ଗିରଫ ହୋଇଥିଲେ । ୧୯୩୪ ମସିହାରେ ସେ ଜେଲରୁ ମୁକୁଳିବା ପରେ ଓଡ଼ିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଦିଗରେ କାମ କରିଥିଲେ ।[୧]
୧୯୪୦ ମସିହାରେ ସେ ବାଣୀ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପୁଣିଥରେ ଗିରଫ ହୋଇଥିଲେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଭାରତଛାଡ଼ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ ଏବଂ ଗିରଫ ହୋଇ ୧୯୪୪ ମସିହଯାଏଁ କାରାବାସରେ ଥିଲେ ।[୧]
ସାମ୍ବାଦିକତା ଓ ସାହିତ୍ୟକୃତି
[ସମ୍ପାଦନା]ଲିଙ୍ଗରାଜ ମିଶ୍ର ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ଦୈନିକ ଓଡ଼ିଆ ଖବର କାଗଜ ସମାଜର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଗୋପବନ୍ଧୁ ଦାସଙ୍କ ମୃତ୍ୟୁ ପରେ ସେ ୧୯୩୦ ମସିହାରୁ ୧୯୪୫ ଯାଏଁ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ଦେଶର ଦାବି, ଜନ ଶକ୍ତି, ଜନନାୟକ, ଶିବାଜୀ, ଗୁରୁ ଗୋବିନ୍ଦ ସିଂହ, ଏ ଯୁଗର ନାରୀ ଆଦି ପୁସ୍ତକର ରଚନା କରିଥିଲେ ଏବଂ ବାଲ୍ମିକୀ ରାମାୟଣର ସମ୍ପୂର୍ଣ୍ଣ ଓଡ଼ିଆ ଅନୁବାଦ କରିଥିଲେ ।[୨]
ରଚିତ ପୁସ୍ତକ
[ସମ୍ପାଦନା]- ଦେଶର ଦାବି
- ଜନ ଶକ୍ତି
- ଜନନାୟକ
- ଶିବାଜୀ
- ଗୁରୁ ଗୋବିନ୍ଦ ସିଂହ
- ଏ ଯୁଗର ନାରୀ
ଅନୁବାଦ
[ସମ୍ପାଦନା]- ବାଲ୍ମିକୀ ରାମାୟଣ (୭ ଖଣ୍ଡ)
ରାଜନୈତିକ ଜୀବନ
[ସମ୍ପାଦନା]ଲିଙ୍ଗରାଜ ମିଶ୍ର ସ୍ୱାଧୀନତା ପୂର୍ବରୁ ଓ ପରେ ଭାରତୀୟ ଜାତୀୟ କଂଗ୍ରେସରେ ସକ୍ରିୟ ଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଉତ୍ତର ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଏହି ବିଧାନ ସଭାରେ ସେ ୧୯୪୬ରୁ ୧୯୫୨ ମସିହାରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭାରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]
୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେ ଖୋର୍ଦ୍ଧା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ଲୋକ ସଭାରେ ସେ ୧୯୫୭ ମସିହା ଯାଏଁ କାର୍ଯ୍ୟ କରିଥିଲେ ।[୨] ୧୯୫୭ ମସିହାରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬]
ବିଧାନ ସଭା, ଲୋକ ସଭା ଓ ରାଜ୍ୟ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୪୬ | ୧୯୫୨ | ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | ଉତ୍ତର ପୁରୀ ସଦର | କଂଗ୍ରେସ |
୧୯୫୨ | ୧୯୫୭ | ସଭ୍ୟ, ୧ମ ଲୋକ ସଭା | ଖୋର୍ଦ୍ଧା | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୭ | ୧୮ ଡିସେମ୍ବର ୧୯୫୭ | ସଭ୍ୟ, ରାଜ୍ୟ ସଭା | ଭାରତୀୟ ଜାତୀୟ କଂଗ୍ରେସ |
ମନ୍ତ୍ରୀପଦ ବିବରଣୀ
[ସମ୍ପାଦନା]ପଦବୀ | ବିଧାନ ସଭା | ଆରମ୍ଭ ସମୟ | ଶେଷ ସମୟ |
---|---|---|---|
ଶିକ୍ଷା ମନ୍ତ୍ରୀ | ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | ୨୩ ଅପ୍ରେଲ ୧୯୪୬ | ୧୨ ମଇ ୧୯୫୦ |
ସ୍ୱାସ୍ଥ୍ୟ ମନ୍ତ୍ରୀ | |||
ସ୍ୱାୟତ୍ତ ଶାସନ ମନ୍ତ୍ରୀ | ୧୫ ମଇ ୧୯୪୯ |
ମୃତ୍ୟୁ
[ସମ୍ପାଦନା]୧୯୫୭ ମସିହାର ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧] ୧୭ ମାର୍ଚ୍ଚ ୧୯୫୮ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lingaraj Mishra". Azadi Ka Amrit Mahotsav, Ministry of Culture, Government of India (in English). Archived from the original on 6 September 2023. Retrieved 6 September 2023.
{{cite web}}
: CS1 maint: unrecognized language (link) - ↑ ୨.୦ ୨.୧ ୨.୨ ୨.୩ ୨.୪ "Late Lingaraj Misra". odishaassembly.nic.in. Odisha Assembly. Retrieved 6 September 2023.
- ↑ ପ୍ରୀତୀଶ ଆଚାର୍ଯ୍ୟ (2011). ଓଡ଼ିଶା ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. ୩୩୦. Retrieved 6 September 2023.
- ↑ India. Parliament. Lok Sabha (1956). Lok Sabha Debates. Lok Sabha Secretariat. pp. 2645–. Retrieved 3 July 2020.
- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 21 June 2020.
- ↑ India. Parliament. Rajya Sabha (2003). Rajya Sabha Members: Biographical Sketches, 1952-2003. Rajya Sabha Secretariat. p. 213. Retrieved 3 July 2020.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ଲିଙ୍ଗରାଜ ମିଶ୍ର-ସମ୍ପର୍କିତ ମିଡ଼ିଆ