ସାରଙ୍ଗଧର ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସାରଙ୍ଗଧର ଦାସ
ଜନ୍ମ ଓ ଜନ୍ମସ୍ଥାନ ସାରଙ୍ଗଧର ଦାସ
୧୭ ଅକ୍ଟୋବର ୧୮୮୭(1887-10-17)
ହରେକୃଷ୍ଣପୁର, ଢେଙ୍କାନାଳ
ମୃତ୍ୟୁ

୧୮ ସେପ୍ଟେମ୍ବର, ୧୯୫୭ (୬୯ ବର୍ଷ)

[୧]
ଜାତୀୟତା ଭାରତୀୟ
ଶିକ୍ଷା ସ୍ନାତକ(ରସାୟନ ବିଜ୍ଞାନ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ
ଜୀବନସାଥି ଫ୍ରିଡା ହାଉସରିଥ୍‍
ବାପା ମା ହରେକୃଷ୍ଣ ଦାସ, ମାଣିକ ଦେବୀ

ସାରଙ୍ଗଧର ଦାସ ଓଡ଼ିଶାର ଜଣେ ସମାଜବାଦୀ ନେତା ଥିଲେ । [୨] ଅନୁନ୍ନତ ଗଡ଼ଜାତ ଅଞ୍ଚଳର ଉନ୍ନତି ନିମନ୍ତେ ସେ ସ୍ୱପ୍ନ ଦେଖିଥିଲେ । ଗଡ଼ଜାତ ଅଞ୍ଚଳରେ ତାଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ସେ ଗଡ଼ଜାତ ଗାନ୍ଧୀ ରୂପରେ ପରିଚିତ ଥିଲେ । ସେ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ । ହୁଏତ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯେ କି ଜଣେ ଛାତ୍ର ଭାବରେ ଆମେରିକା ମାଟିରେ ପାଦ ଦେଇଥିଲେ ।[୩]

ପ୍ରାଥମିକ ଜୀବନ[ସମ୍ପାଦନା]

ସାରଙ୍ଗଧର ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୭ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଥିଲା ହରେକୃଷ୍ଣ ଦାସ ତଥା ମାତାଙ୍କ ନାମ ଥିଲା ମାଣିକ ଦେବୀ । ପିତା ମାତାଙ୍କର ସେ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ । ଏଗାର ବର୍ଷ ବୟସରେ ସେ ପିତାଙ୍କୁ ହରାଇ ଥିଲେ । କେହି ମୁରବୀ ଦେଖାଶୁଣା କରିବାକୁ ନଥିବାରୁ ସେ କୁସଙ୍ଗରେ ପଡିଥିଲେ ମାତ୍ର ପରେ ଅନୁତାପ କରି ମାଆଙ୍କ ଉପଦେଶ ଅନୁସାରେ ଚଳିଲେ ଓ ୧୯୦୫ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାଂସ୍‍ (ମାଟ୍ରିକୁଲେସନ୍) ପାସ କଲେ । ତାପରେ ସେ ରେଭେନ୍ସା କଲେଜରେ ନାମ ଲେଖାଇଲେ ଏବଂ ସେଠାରେ ତାଙ୍କ ସହ ରହୁଥିଲେ ନୀଳକଣ୍ଠ ଦାସ (ପରେ ପଣ୍ଡିତ ନୀଳକଣ୍ଠ ଦାସ) । ତାଙ୍କରି ଜରିଆରେ ସାରଙ୍ଗଧର ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ପ୍ରଭୃତିଙ୍କ ସହ ଘନିଷ୍ଠ ହୋଇଥିଲେ ଓ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ ।[୩]

ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ତାଙ୍କର ଭେଟ ହୋଇଥିଲା 'ଭାରତ ସେବକ ସମାଜ ସଂଘ'ର ସଭ୍ୟ ସି.ଭି ବୈଦ୍ୟଙ୍କ ସହିତ । ଏ ସମ୍ପର୍କରେ ସେ ନିଜ ଡାଏରୀରେ ଲେଖିଛନ୍ତି ,"ଏହି ବୈଦ୍ୟ ମହାଶୟଙ୍କ ସଙ୍ଗେ ବ୍ୟକ୍ତିଗତ ଭାବେ ଦେଖା ଏବଂ କଥାବାର୍ତ୍ତା ସେଦିନ ମୋ ଜୀବନଧାରାରେ ଗୋଟିଏ ପରିବର୍ତ୍ତନ ଆଣିଲା । ଢେଙ୍କାନାଳ ପଢୁଥିବାବେଳେ ସରକାରୀ ଚାକିରୀକୁ ଲକ୍ଷ୍ୟ ରଖି ମୁଁ ପାଠ ପଢୁଥିଲି । ତାହା ସେହିଦିନ ଲୋପ ପାଇଗଲା । ମୁଁ ଅନ୍ଧାଣିଆ ଭାବରେ ଭାବିଲି ଯେ ,ଉଚ୍ଚଶିକ୍ଷାପ୍ରାପ୍ତ ଯୁବକ ସକାଶେ ସରକାରୀ ଚାକିରି ବାହାରେ ମଧ୍ୟ ଅନେକ କାମ ରହିଛି । ତାହା ହୁଏତ ଚାକିରି ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ । ମନୁଷ୍ୟ ଜୀବନରେ ଏହିପରି ଗୋଟିଏ ଗୋଟିଏ ଘାଟି ସମୟ ଆସିଥାଏ । ପରବର୍ତ୍ତୀ ସମୟରେ ଜୀବନ ଧାରାରେ ଯେଉଁ ପରିବର୍ତ୍ତନ ଘଟେ , ତାହା ଉଚ୍ଚରୁ ଉଚ୍ଚତର କରେ ।"[୩]

ବିଦେଶ ଯାତ୍ରା ଓ ବିଦେଶରେ ଶିକ୍ଷା[ସମ୍ପାଦନା]

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢ଼ିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।[୩]

ହେଲେ ତାଙ୍କ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍‍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ରମାନଙ୍କୁ ବିଦେଶରେ ପାଠ ପଢ଼ା ନିମନ୍ତେ ସହାୟତା କରୁଥିଲା, ତା'ସହ ଯୋଗାଯୋଗ କରି ମାସିକ ୨୫ ଟଙ୍କା ହିସାବରେ ଦୁଇ ବର୍ଷ ନିମନ୍ତେ ବୃତ୍ତି ପାଇଲେ । ମାତ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଙ୍କାନାଳ ରାଜାଙ୍କଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଙ୍କାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତାଙ୍କୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଙ୍ଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।[୩]

ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡ଼ି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢ଼ିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ, ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢ଼ିବାକୁ ଆମେରିକା ଯାଉଥିବା ଛାତ୍ରମାନଙ୍କ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମନ୍ତେ ଜାପାନର ଥିବା ଜଣେ ମୁଲତାନ୍‍ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କୁ ବନ୍ଧୁତା ଦୃଷ୍ଟିରେ ଦାନ ଦେଲେ । ଅନ୍ୟ ଉପାୟ ନ ପାଇ ସାରଙ୍ଗଧର ତାକୁ ଗ୍ରହଣ କରିଥିଲେ, ହେଲେ ଆମେରିକା ପହଞ୍ଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।[୩]

ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢ଼ା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢ଼ା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍‍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।[୩]

ବିବାହ[ସମ୍ପାଦନା]

କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଙ୍ଗଧରଙ୍କର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍‌ରୁ ଆମେରିକାକୁ ଆସିଥିବା ଛାତ୍ରୀଙ୍କ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଙ୍କୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଙ୍କ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଙ୍ଗଧରଙ୍କୁ ଭେଟିଥିଲେ ଓ ତାଙ୍କର ବାସ୍ତବବାଦୀ ଚିନ୍ତାଧାରା ଫ୍ରିଡାଙ୍କୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଙ୍କ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।[୩]

ସେ ଭିତରେ ଫ୍ରୀଡାଙ୍କ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆମେରିକା ଯାଇଥିବା ସାର୍‍ ଜଗଦୀଶ ଚନ୍ଦ୍ର ବୋଷଙ୍କ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଙ୍କୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମନ୍ତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଙ୍କୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଙ୍ଗଧଙ୍କୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରଙ୍ଗଧର ତାଙ୍କୁ ବିବାହ ପ୍ରସ୍ତାବ ଦେ‍ଇଥିଲେ ।[୩]

ସମାଜ ସେବା[ସମ୍ପାଦନା]

୧୯୫୬ ମସିହା ଐତିହାସିକ ସୀମା ଆନ୍ଦୋଳନ ବେଳେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କଦ୍ଵାରା ନିଯୁକ୍ତ ସୀମା ନିର୍ଦ୍ଧାରଣ କମିଶନ୍ ସୁପାରିସ୍ ପ୍ରକାଶିତ ହେଲା ପରେ ସମଗ୍ର ଓଡ଼ିଶାରେ ପ୍ରତିବାଦର ସ୍ଵର ଝଙ୍କୃତ ହୋଇଥିଲା । ସାରଙ୍ଗଧର ଦାସ ଲୋକ ସଭାରେ ଓଡ଼ିଶା ସହିତ ଷଢ଼େଇଖଳା-ଖରସୁଆଁ ମିଶ୍ରଣ ସପକ୍ଷରେ ଏକ ତଥ୍ୟ ସମ୍ବଳିତ ଆବେଗମୟ ଭାଷଣ ଦେଇ କେନ୍ଦ୍ର ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ କରିଥିଲେ ।[୩]

୧୯୫୭ ମସିହା ଲୋକ ସଭା ନିର୍ବାଚନରେ ସାରଙ୍ଗଧର ଦାସ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରଜା-ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ । [୪] ନିର୍ବାଚନ ପ୍ରଚାର ବେଳେ ସେ ଯେଉଁ ଭାଷଣ ଦେଉଥିଲେ ସେଥିରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୁଦ୍ଧରେ ତାଙ୍କର ପ୍ରଚଣ୍ଡ କ୍ରୋଧର ବିସ୍ଫୋରଣ ଘଟୁଥିଲା । ସେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ସମାଜବାଦର ତତ୍ତ୍ଵ ବୁଝାଉଥିଲେ । ତାଙ୍କ ଭାଷଣରେ ସ୍ଥାନୀୟ ସମସ୍ୟାର ସମାଧାନର ମିଥ୍ୟା ଆଶ୍ଵାସନା ନ ଥିଲା, ଏପରିକି ପ୍ରତିଦ୍ଵନ୍ଦୀଙ୍କ ବିରୁଦ୍ଧରେ କୌଣସି ଆକ୍ଷେପ ମଧ୍ୟ ନଥିଲା । ନିର୍ବାଚନ ପ୍ରଚାର ଥିଲା ତାଙ୍କ ପାଇଁ ଲୋକଙ୍କୁ ରାଜନୈତିକ ଶିକ୍ଷା ଦେବାର ସୁଯୋଗ । ସମାଜ ନବଦଳିଲେ ଦେଶର ଭାଗ୍ୟ ବଦଳିବ ନାହିଁ, ସାମାଜିକ ସମ୍ପଦର ସମବଣ୍ଟନ ନହେଲେ ଦେଶରୁ ଦାରିଦ୍ର୍ୟ ଘୁଞ୍ଚିବ ନାହିଁ :-ଏହା ଥିଲା ତାଙ୍କ ଭାଷଣର ମୂଳ କଥା ।[୩]

ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା, ଭିନ୍ନ ଭିନ୍ନ ମୋଡ ।[୩]

୧୯୪୬ ମସିହା ଓଡ଼ିଶା ବିଧାନ ସଭାକୁ ଯିବା ପାଇଁ ତାଙ୍କୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦିତା କରିବାକୁ ହୋଇଥିଲା । ସେଠାରେ ସେ ବିଧାନ ସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ । ସେତେବେଳେ ବିଧାନ ସଭାରେ ଓଡ଼ିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା । କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀଙ୍କ ଇଂରାଜୀ ଭାଷାର ପ୍ରଭୁତ୍ଵ ହ୍ରାସ ପାଇନଥିଲା । ସାରଙ୍ଗଧର କିନ୍ତୁ ବାଚସ୍ପତିଙ୍କ ବାରଣ ସତ୍ତ୍ଵେ ଓଡ଼ିଶା ବିଧାନ ସଭାରେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେବା ଆରମ୍ଭ କରିଦେଲେ । ତାଙ୍କର ଯୁକ୍ତି ଥିଲା, ଓଡ଼ିଶା ବିଧାନ ସଭାରେ ଓଡ଼ିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ? ଇଂଲଣ୍ଡର ହାଉସ୍ ଅଫ୍ କମନସ୍‌ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?[୩]

୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ଵରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ଵାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡ଼ିଶା ବିଧାନ ସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ । ଗଡଜାତ ରାଜାମାନଙ୍କଦ୍ଵାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି । ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି । ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି, ଆଦିବାସୀମାନଙ୍କ ସମର୍ଥନରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢିର ଲୋକେ ନୁହନ୍ତି, ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ । ସମ୍ବଲପୁର୍ ଜିଲ୍ଲାର ବହୁ ଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ,ପଶ୍ଚିମ ଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ । ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ ।[୩]

ବିଧାନ ସଭାରେ ସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ, ଶ୍ରମିକମାନଙ୍କ ସ୍ଵାର୍ଥର ଜାଗ୍ରତ ପ୍ରହରୀ । ଆଦିବାସୀମାନଙ୍କ ପାଇଁ ତାଙ୍କ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା । ସେ ବେସରକାରୀ ସ୍ତରରେ ଗଡଜାତ ଅଞ୍ଚଳର ଦୁଃସ୍ଥ ରାଜନୈତିକ କର୍ମୀଙ୍କ ପିଲାମାନଙ୍କ ଶିକ୍ଷାପାଇଁ ମାଳତୀ ଚୌଧୁରୀଙ୍କ ସହ ୧୯୪୬ ମସିହାରେ ଅନୁଗୁଳଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ' । ଏଠାରେ ଆଦିବାସୀ ଓ ହରିଜନ ପିଲାମାନଙ୍କୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ ।[୩]

ସାରଙ୍ଗଧରଙ୍କର ଗାନ୍ଧୀ-ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ ଉପରେ ଯଥେଷ୍ଟ ଭରସା ଥିଲା । ସେ ଆଶା କରୁଥିଲେ କଂଗ୍ରେସ ରାଜନୈତିକ ସ୍ଵାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ଵାଧୀନତା ମଧ୍ୟ ଆଣିଦେବ । ସେ କଂଗ୍ରେସ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ । କିନ୍ତୁ ତାଙ୍କର ସେ ସ୍ଵପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ । ସର୍ଦ୍ଦାର୍ ପଟେଲଙ୍କ ଉଦ୍ୟମ ଫଳରେ ମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡ଼ିଶା ସହିତ ମିଶ୍ରଣ ହେଲା ସତ, ହେଲେ ରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ଦିଆଗଲା । ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ, ଆଦିବାସୀମାନଙ୍କୁ ଚାଷଜମି, ବାସଭୂମି ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଗଲା ନାହିଁ । ସେମାନେ ମହରଗରୁ ଯାଇ କାନ୍ତାରରେ ପଡିଲେ । ସୋସାଲିଷ୍ଟମାନଙ୍କୁ ପ୍ରସ୍ତାବ ପାସ୍ କରି କଂଗ୍ରେସରୁ ତଡି ସାରିଲା ପରେ କଂଗ୍ରେସ ଭିତରେ ଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀର ନେତା ସର୍ଦ୍ଦାର୍ ପଟେଲ୍ ରାଜା, ଜମିଦାର, ଶିଳ୍ପପତିମାନଙ୍କୁ ନିର୍ବାଚନରେ ଟିକଟ ଦେଇ କଂଗ୍ରେସ ଭିତରେ ଥଇଥାନ କରିବାକୁ ଲାଗିଲେ । ଏ ପ୍ରକ୍ରିୟା ସ୍ଵାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।

ସେତେବେଳେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିଧାନ ସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା । କମର୍ସ କନଷ୍ଟିଚ୍ଵେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ, ଯୁବନେତା ସୁରଜମଲ୍ଲ ଶାହାଙ୍କୁ କଂଗ୍ରେସ ତରଫରୁ ପ୍ରାର୍ଥୀ କରାଯିବ । କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର ମହାତାବଙ୍କ ନାମରେ ଆସି କଂଗ୍ରେସ ଅଫିସରେ ପହଞ୍ଚିଲା । ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକାର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି । ସେ ଚିଠିରେ ଲେଖାଥିଲା ଯେ, ଏ ଦଶ ହଜାର ଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା । ଏ ଚାନ୍ଦା ସହିତ ଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ । ଜି.ଡି . ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଣ୍ଟ କାଗଜକଳ ପରିଚାଳକ । ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ । ଧିରେ ଧିରେ କଂଗ୍ରେସ ଯେ ରାଜା,ଜମିଦାର୍, ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଙ୍ଗ । ସେ ଅନୁଭବ କଲେ ଯେ,ବିଧାନ ସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ଵାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି । ବରଂ ତାଙ୍କର ତୀବ୍ର ବିରୋଧ ସତ୍ତ୍ଵେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା । କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ ଲୋକଙ୍କ ସଲାସୁତୁରା ଥିଲା । ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଙ୍କୁ ଅଧିକ ମଜୁରୀ ଦେବାଲାଗି ଆଇନ ପ୍ରଣୟନ କରିବାକୁ ତାଙ୍କ ଦାବିକୁ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିଦେଲେ। ବରଂ ତାଙ୍କୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ କମିସନ ଚେୟାରମ୍ୟାନ୍ ପଦ ଯଚାହେଲା । ଫଳରେ ତାଙ୍କର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା । ସେ କଂଗ୍ରେସ ଛାଡିବା ପାଇଁ ସ୍ଥିର କରିନେଲେ ।[୩]

୧୯୪୮ ମସିହାରେ ସାରଙ୍ଗଧର କଂଗ୍ରେସ ଦଳରୁ ଇସ୍ତଫା ଦେଇଦେଲେ । ସେତେବେଳେ ଗୋଟିଏ ଦଳ ଟିକଟରେ ଅସେମ୍ବ୍ଲି କିମ୍ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ଅନ୍ୟ ଦଳରେ ଯୋଗଦେଲେ ବିଧାନ ସଭା କିମ୍ବା ଇସ୍ତଫା ଦେବାର କୌଣସି ରାଜନୈତିକ ବା ଆଇନଗତ ବାଧ୍ୟବାଧକତା ନ ଥିଲା । ସାରଙ୍ଗ ଧର ଚାହିଁଥିଲେ ଅନ୍ୟ ଦଳରେ ଯୋଗଦେଇ ମଧ୍ୟ ଓଡ଼ିଶା ବିଧାନ ସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା । ସେ ସାଙ୍ଗେ ସାଙ୍ଗେ ମଧ୍ୟ କଂଗ୍ରେସ ଛାଡି ସୋସାଲିଷ୍ଟ୍ ପାର୍ଟିର ସଭ୍ୟପଦ ଗ୍ରହଣ କରିନଥିଲେ ।[୩]

ଆଧାର[ସମ୍ପାଦନା]

  1. "ଗଡ଼ଜାତ ଗାନ୍ଧୀ". ସମ୍ବାଦ ୧୮/୦୯/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. http://sambadepaper.com/Details.aspx?id=194338&boxid=21735830. Retrieved 18 September 2015. 
  2. Nayak, Jatin Kumar (March 7, 2011). "Orissa Whispers". The Telegraph. http://www.telegraphindia.com/1110307/jsp/orissa/story_13677117.jsp. Retrieved 28 January 2015. 
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ପଟ୍ଟନାୟକ, ବିଭୁତି. ବିପ୍ଲବୀ ସାରଂଗ ଧର. 
  4. "Echoes of Freedom: South Asian Pioneers in California, 1899-1965". The Library, University of California, Berkeley. Retrieved 28 January 2015. 

୧୯୪୯ ମସିହାରେ ସେ ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ |