ଉମାଚରଣ ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଉମାଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ ୧୯ ଅକ୍ଟୋବର ୧୯୦୨(1902-10-19)
ବଡ଼ଗଡ଼, ଗଞ୍ଜାମ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ବାପା ମା ଅଭିମନ୍ୟୁ ପଟ୍ଟନାୟକ, ପଦ୍ମାବତୀ ଦେବୀ

ଶ୍ରୀ ଉମାଚରଣ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ଜନନେତା ତଥା ରାଜନୀତିଜ୍ଞ ଥିଲେ ଯାହାଙ୍କ କାର୍ଯ୍ୟକାଳ ଥିଲା ବିଂଶ ଶତାବ୍ଦୀର ମଧ୍ୟ ଭାଗ ।[୧] ସେ ଓଡ଼ିଶା ବିଧାନ ସଭା ସଦସ୍ୟ, ମନ୍ତ୍ରୀ ତଥା ଦୁଇ ଥର ଲୋକ ସଭା ସଦସ୍ୟ (ସ୍ୱାଧୀନ) ମଧ୍ୟ ବନିଥିଲେ । ବ୍ରହ୍ମପୁର ସରକାରୀ ଇଂଞିନିୟରିଂ ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇଅଛି[୨]

ଜନ୍ମ ଓ ଶିକ୍ଷା[ସମ୍ପାଦନା]

ଉମାଚରଣ ପଟ୍ଟନାୟକ ୧୯୦୨ ମସିହା ଅକ୍ଟୋବର ମାସ ୧୯ ତାରିଖ ଦିନ ଗଞାମ ଜିଲ୍ଲା ବଡ଼ଗଡ଼ରେ ଜନ୍ମ ନେଇଥିଲେ ।[୩] ତାଙ୍କ ପିତା ଥିଲେ ଶ୍ରୀ ଅଭିମନ୍ୟୁ ପଟ୍ଟନାୟକ ଯେ କି ପରେ ଜିଲ୍ଲା କଲେକ୍ଟର ହୋଇଥିଲେ । ତାଙ୍କ ମାତା ଥିଲେ ପଦ୍ମାବତୀ ଦେବୀ । ସେ ବଡ଼ଗଡ଼ଠାରେ ଶିକ୍ଷା ଆରମ୍ଭ କରି ଛତ୍ରପୁର, ସତ୍ୟବାଦୀ ବନ ବିଦ୍ୟାଳୟରେ ପଢିଥିଲେ ଓ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ହାଇସ୍କୁଲ୍‍‍ରୁ ଏସ୍‍ ଏସ୍‍ ଏଲ୍‍ ସି (ମାଟ୍ରିକ୍ୟୁଲେଶନ) ପାସ୍‍ କରିଥିଲେ । ତା ପରେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରୁ ଆଇ. ଏ. ପାସ୍‍ କରି ମାନ୍ଦ୍ରାଜ ପ୍ରେସିଡେ‍ନ୍ସୀ କଲେଜରୁ ବି.ଏ. ପାସ କରିଥିଲେ । ଏହା ପରେ କଟକ ରେଭେନ୍ସା କଲେଜରୁ ଇତିହାସରେ ଏମ୍. ଏ. ତଥା ଆଇନ୍‍ ପାସ୍‍ କରିଥିଲେ ।

ଓକିଲାତି ଓ ଜନସେବା[ସମ୍ପାଦନା]

ଉମାଚରଣ ଆସିକାରେ ତାଙ୍କର ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ ଓ ପରେ ଭଞନଗରରେ ଓକିଲାତି କଲେ । ପରେ ଫୌଜଦାରୀ ମକଦ୍ଦମାରେ ଖ୍ୟାତି ପାଇବାରୁ ବ୍ରହ୍ମପୁରଠାରେ ତାଙ୍କ ବ୍ୟବସାୟ ଚଳାଇଲେ । ଓକିଲାତି ସହିତ ସେ କଂଗ୍ରେସ ଦଳର ସଭ୍ୟ ଭାବରେ ସମାଜ ସେବା ଆରମ୍ଭ ଲରିଥିଲେ । ୧୯୨୨ରୁ ସେ ଗାନ୍ଧୀଜୀଙ୍କ ବାର୍ତ୍ତା ଅନୁସାରେ ଚରଖା ଆନ୍ଦୋଳନ, ହରିଜନ ସଂସ୍କାର, ପଛୁଆ ବର୍ଗ ଲୋକଙ୍କ ସେବା ଆଦିରେ ନିଜକୁ ନିୟୋଜିତ କରିଥିଲେ । ଦଣ୍ଡାସି ବୋଲି ଗୋଟିଏ ଜାତିକୁ ସେ ଇଂରେଜ ସରକାରଙ୍କ ଦାଗୀ ତାଲିକାରୁ ହଟାଇବାକୁ ଆନ୍ଦୋଳନ କରି ସେଥିରେ ସେ ସଫଳ ହୋଇଥିଲେ । ହାଡି ଓ ଅନ୍ୟାନ୍ୟ ଅଛୁଆଁ ଜାତିଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ ସେ କାର୍ଯ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମ ଏବଂ ରାଜନୀତିରେ ଅଂଶ ଗ୍ରହଣ[ସମ୍ପାଦନା]

୧୯୩୦ ମସିହାରେ ଗଞ୍ଜାମ ଜିଲ୍ଲାରେ ଇଂରେଜ ସରକାରଙ୍କ ବିରୋଧରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ଏଥିରେ ଉମାଚରଣ ଓ ତାଙ୍କ ପତ୍ନୀ ଦୁର୍ଗାବତୀ ଦେବୀ ପ୍ରମୁଖ ଭୂମିକା ନେଇଥିଲେ । ୧୯୩୧ ମସିହାରେ ସେ ଉତ୍କଳ ସମ୍ମିଳନୀରେ ଯୋଗ ଦେ‍ଇଥିଲେ । ଓଡ଼ିଶା ଓ ମାଂଦ୍ରାଜ ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଆସିଥିବା "ଓଡୋନେଲ କମିଟି" ସମ୍ମୁଖରେ ସମଗ୍ର ଗଞାମ ଜିଲ୍ଲା ତଥା ଶ୍ରୀକାକୁଲମ ଜିଲ୍ଲାର କିଛି ଅଂଶକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମିଶାଇବା ପାଇଁ ସେ ଦୃଢ ଦାବି ଉପସ୍ଥାପପନା କରିଥିଲେ ।[୪]

୧୯୩୫ ମସିହାରେ ଜବାହରଲାଲ ନେହେରୁ ଗଞାମ ଗସ୍ତ କରିଥିଲେ ଓ ବିଭିନ୍ନ ଅଞ୍ଚଳରେ ସଭା କରିଥିଲେ । ସେହି ସବୁ ସଭା ଗୁଡିକ ଆୟୋଜନ କରିବାରେ ଉମାଚରଣ ମୁଖ୍ୟ ଭୂମିକା ନେ‍ଇଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସେ ଗଞାମ ଜିଲ୍ଲା ବୋର୍ଡର ସଭାପତି ନିର୍ବାଚିତ ହୋଇଥିଲେ । ୧୯୩୭ ମସିହାରେ ସୁଭାଷ ଚନ୍ଦ୍ର ବୋଷଙ୍କ ଗଞାମ ଗସ୍ତ ସମୟରେ ସେ ଜିଲ୍ଲା ବୋର୍ଡ ତରଫରୁ ତାଙ୍କର ଅଭ୍ୟର୍ଥନା କରିଥିଲେ ଓ ତାଙ୍କ ସାନିଧ୍ୟ ପାଇଥିଲେ ।

୧୯୩୯ ମସିହାରେ ସେ ଓଡ଼ିଶା ସରକାରଂକ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ, ମାତ୍ର ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସତ୍ୟାଗ୍ରହ ଡାକରା ଅନୁସାରେ ସେ ପଦବୀରୁ ଇସ୍ତଫା ଦେ‍ଇ ବେଲଗୁଣ୍ଠାରେ ସତ୍ୟାଗ୍ରହ କରିଥିଲେ । ସେଥିରେ ସେ ଗିରଫ ହୋଇ ରସୁଲକୋଣ୍ଡା (ବର୍ତ୍ତମାନର ଭଞନଗର) ଜେଲରେ ଛ'ମାସ ବନ୍ଦୀ ରହିଥିଲେ ।

୧୯୪୨ ମସିହାରେ ଉମାଚରଣ ଫୁଲବାଣୀର ବାଲିଗୁଡା ଓଡ଼ିଶା ପ୍ରାଦେଶିକ ସଭା ଉପନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇ ଥିଲେ । ତାଙ୍କ ବିରୁଦ୍ଧରେ ଛିଡାହୋଇଥିଲେ କନିକାର ପଟ୍ଟାୟତ ଶୈଳେନ୍ଦ୍ର ନାରାୟଣ । ସେଠାର କନ୍ଧ ମାନଙ୍କ ସମର୍ଥନରେ ଉମାଚରଣ ବିପୁଳ ଭୋଟରେ ବିଜୟୀ ହୋଇଥିଲେ, ଯଦିବା ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ପାରଳା ମହାରାଜଙ୍କ ପ୍ରାଦେଶିକ ସରକାରଙ୍କ ସମର୍ଥନ ଥିଲା । ମାତ୍ର ପରେ ପରାଜିତ ପ୍ରାର୍ଥୀ ଶୈଲେନ୍ଦ୍ର ନାରୟଣ ତାଙ୍କ ବିରୋଧରେ ନିର୍ବାଚନ ମକଦ୍ଦମା ରରିଥିଲେ ଏହା ଦର୍ଶାଇ ଯେ ଉମାଚରଣ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ ଓ ନିର୍ବାଚନ ହିସାବ ଠିକ ସମୟରେ ଦାଖଲ କରିନଥିଲେ । ଏହି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଉମାଚରଣ କହିଥିଲେ ମଧ୍ୟ ନିର୍ବାଚନ କମିଶନର ସରକାରୀ ଦଳର ଚାପରେ ଉମାଚରଣଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଓ ଛ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଦଣ୍ଡ ଦେ‍ଇଥିଲେ ।

୧୯୪୨ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେ‍ଇ ସେ ଗିରଫ ହୋଇ ସେ ବର୍ଷ ଠାରୁ ୧୯୪୫ ମସିହା ଜୁନ୍‍ ମାସ ଯାଏଁ ବ୍ରହ୍ମପୁର ଜେଲରେ ବ‍ନ୍ଦୀ ଜୀବନ ବିତାଇଥିଲେ । ୧୯୪୪ ଜାନୁୟାରୀ ୨୬ ଦିନ ଅ‍ନ୍ୟ ବନ୍ଦୀ ମାନଙ୍କ ସହ ମିଶି ଜେଲ୍ ଉପରେ ସେମାନେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଏଥି ପାଇଁ ପୁଲିସ ଲାଠି ମାଡ ଖାଇ ଆହତ ହୋଇଥିଲେ ।

୧୯୪୬ ମସିହାରେ ସେ କଂଗ୍ରେସ୍‍ ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା ପାଇଁ ପ୍ରାର୍ଥୀ ହୋଇ ବିପୁଳ ଭୋଟ୍‍ରେ ଜୟଯୁକ୍ତ ହୋଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶ୍ରୀ ହରେକୃଷ୍ନ ମହତାବ । ୧୯୫୨ ଓ ୧୯୫୭[୫] ମସିହାରେ ସେ ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]