ଜଗତସିଂହପୁର ଜିଲ୍ଲା

ଉଇକିପିଡ଼ିଆ ରୁ
(ଜଗତସିଂହପୁର ଜିଲା ରୁ ଲେଉଟି ଆସିଛି)
Jump to navigation Jump to search
ଜଗତସିଂହପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°15′58″N 86°09′58″E / 20.266°N 86.166°E / 20.266; 86.166Coordinates: 20°15′58″N 86°09′58″E / 20.266°N 86.166°E / 20.266; 86.166
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଜଗତସିଂହପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୪ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଜନସଂଖ୍ୟା (୨୦୧୧)
 • ଘନତା681/km2 (Bad rounding here1,800/sq mi)
IST (+୫.୩୦)
ପିନ କୋଡ଼୭୫୪ xxx
ତାର (ଏସ୍.ଟି.ଡ଼ି)୦୬
ଗାଡ଼ି ପଞ୍ଜିକରଣOR-21
ଜିଲ୍ଲାପାଳନାରାୟଣ ଚନ୍ଦ୍ର ଜେନା
ୱେବସାଇଟମୁଖ୍ୟ ୱେବସାଇଟ

ଜଗତସିଂହପୁର ଭାରତର ଓଡ଼ିଶା ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ ପାରାଦ୍ୱିପ ବନ୍ଦର ଏବଂ ଅନେକ ସାର କାରଖାନା ଅଛି ।

ଏଠାରେ ପ୍ରସିଦ୍ଧ ସାରଳା ପୀଠ ରହିଅଛି । ସାହିତ୍ୟର କେତେଜଣ ମହନୀୟ ସ୍ରଷ୍ଟା ସାରଳା ଦାସ, ଜାତୀୟ କବି ବୀରକିଶୋର, ଗୋପାଳ ଛୋଟରାୟ, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ଏଠାରେ ଜନ୍ମ ନେଇଥିଲେ ।

ଇତିହାସ[ସମ୍ପାଦନା]

ପ୍ରଥମରୁ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲାର ଏକ ଅଂଶ ଥିଲା, ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ, ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଆଉଥରେ ଗଠନ କରାଗଲା । [୧]ଜଗସିଂହପୁରର ଇତିହାସ ମହାନ୍ । ଓଡ଼ିଶା ପୂର୍ବ ଉପକୂଳର ଏହି ସହର ଏକଦା ହରିଦ୍ରାବସନ, ପରବର୍ତ୍ତୀ ସମୟରେ ହରିହରପୁର ଓ ସମ୍ପ୍ରତି ଜଗତ୍‌ସିଂହପୁର ନାମରେ ପରିଚିତ । ଏହି ଜିଲାର ଇଷ୍ଟଦେବୀ ତଥା ବାକଦେବୀ । ମା' ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଏବଂ ଜଗତ୍‌ସିଂହପୁର ସହରକୁ ବାଣୀର ସହର  ବୋଲି କୁହାଯାଏ । ଷଷ୍ଠ ଶତାବ୍ଦୀରେ ଏହି ଅଞ୍ଚଳ ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା, ଯାହାକି ସେ ସମୟର ଚୀନ ପରିବ୍ରାଜକ ହୁଏସ୍ୟଙ୍କ ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ ଅଛି । ଏଥିରେ ମହାନଦୀର ଚେଳିତୋଳ ବନ୍ଦର ସମ୍ପର୍କରେ ଲେଖାଯାଇଛି। କେବଳ ଏତିକି ନୁହେଁ, ଜଗତ୍‌ସିଂହପୁର ସହର ମଧ୍ୟଦେଇ ପ୍ରବାହିତ ମୃତ ଅଳକା ନଦୀର ଉପସ୍ଥିତି ପୂର୍ବ ନୌବାଣିଜ୍ୟ ସ୍ମୃତିକୁ ଉଜୀବିତ ରଖିଛି । ଏ ଅଞ୍ଚଳର ନୌବାଣିଜ୍ୟ ଭିତ୍ତିଭୂମିକୁ ଆଧାର କରି ଗଢି ଉଠିଛି ପାରାଦୀପ ବନ୍ଦର । ପ୍ରାଚୀନ କାଳରୁ ବିଭିନ୍ନ ଧର୍ମଧାରା ଯଥା ବୌଦ୍ଧ, ଜୈନ, ନାଥ, ଶାକ୍ତ, ଶୈବ, ଗାଣପତ୍ୟ, ବୈଷ୍ଣବ ଓ ଇସଲାମ ଧର୍ମ ଧାରା ପ୍ରବାହିତ ହୋଇଚାଲିଛି। ଜଗତ୍‌ସିଂହପୁରସହରର ଅନତି ଦୂରରେ ଭୌମ ରାଜବଂଶର ରାଜତ୍ୱ କାଳରେ ମା' ଶାରଳାଙ୍କ ପୀଠ ପ୍ରତିଷ୍ଠା ହୋଇଥିବା ସୂଚନା ମିଳେ । କଳା, ସ୍ଥାପତ୍ୟ ପାଇଁ ଏ ଭୂମି ସାରା ଦେଶରେ ସୁଖ୍ୟାତ। ସହର ନିକଟସ୍ଥ ବାଲିଆର ଭୁବନେଶ୍ୱର ମନ୍ଦିର, କୁଣ୍ଢେଶ୍ୱରର ତ୍ରିଲୋଚନେଶ୍ୱର ମନ୍ଦିର, ନାସିକର ଖଣ୍ଡେଶ୍ୱର ମନ୍ଦିର, ଧନିଶୋର ପଞ୍ଚୁ ପାଣ୍ଡବ ମନ୍ଦିରର ସ୍ଥାପତ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଓଡ଼ିଆ ସାହିତ୍ୟକୁ ଏ ଅଞ୍ଚଳର ଦାନ ଅନନ୍ୟ। ଆଦିକବି ସାରଳା ଦାସ ମା' ଶାରଳାଙ୍କ ପୀଠ ନିକଟସ୍ଥ କାଳୀନାଗରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ସାଧନା କରିଥିଲେ ନିକଟସ୍ଥ ତେନ୍ତୁଳିପଦାଠାରେ । ସେଇଠୁ ମା ଶାରଳାଙ୍କ କୃପାଲାଭ କରି ରଚନା କରିଥିଲେ ବିଶାଳ ସାହିତ୍ୟ କୃତି ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀ ପୁରାଣ । ଏହି ଗ୍ରନ୍ଥ ଆଜି ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଅଞ୍ଚଳର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏକଦା ଅଳକାଶ୍ରମ । ଆଚାର୍ଯ୍ୟ, ଥିଲା ସାରା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଏହି ସ୍ୱାଧୀନତା ସଂଗ୍ରାମୀ ତାଲିମ କେନ୍ଦ୍ର ଭାରତୀୟ ମୁକ୍ତି ସଂଗ୍ରାମର ସାକ୍ଷୀ ସ୍ୱରୁପ ବିଦ୍ୟମାନ । କଳେବର ଦୃଷ୍ଟିରୁ ସହରଟି କ୍ଷୁଦ୍ର ହୋଇଥିଲେ ସୁଦ୍ଧା ଏହାର ଐତିହ୍ୟ ଓ ଗରିମା ମହାନ । ଏହି ମାଟିର ଯାତ୍ରା ଅନୁଷ୍ଠାନ ଓ ଯାତ୍ରାକାର ଓଡ଼ିଆ ଯାତ୍ରା କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିପାରିଛନ୍ତି । ଅନ୍ୟାନ୍ୟ କଳା ବିଭବ ଭାବେ ଲୋକକଳା ପାଲା, ଘୋଡ଼ାନାଚ, ଘଟପାଟୁଆ, ଧୁଡୁକି ଆଦି ଅନେକ ଲୋକପ୍ରିୟତା ଅର୍ଜନ କରିଛି । ମୋଟାମୋଟି କହିବାକୁ ଗଲେ ସହରର କଳା, ସଂସ୍କୃତି, ସାହିତ୍ୟର ବ୍ୟାପ୍ତି ଦକ୍ଷିଣରେ ପୁଣ୍ୟତୋୟା ପ୍ରାଚୀ ଉପତ୍ୟକାଠାରୁ ଉତ୍ତରର ଚିତ୍ରୋତ୍ପାଳା ପର୍ଯ୍ୟନ୍ତ ବିସ୍ତୃତ ।

ସ୍ୱାଧୀନତା  ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ[ସମ୍ପାଦନା]

ସ୍ୱାଧୀନତା  ସଂଗ୍ରାମରେ ଜଗତ୍‌ସିଂହପୁରର ଅବଦାନ ଅତୁଳନୀୟ । ଏହି ଜିଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି  ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ଜଲ୍ୟମାନ କରି ରଖିଛି । ଏଠାରେ ଥିବା ଅଳକାଶ୍ରମ ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଏଠାରୁ ବହୁ ସଂଗ୍ରାମୀ ସୃଷ୍ଟି ହୋଇଥିଲେ। ୧୯୩୬ରେ ପରାଧୀନ ଭାରତବର୍ଷର ସର୍ବପ୍ରଥମ ନିର୍ବାଚନ ପ୍ରଚାର ତତ୍କାଳୀନ କଂଗ୍ରେସ ସଭାପତି ଜବାହରଲାଲ ନେହେରୁ ଏହି ଅଳକାଶ୍ରମରୁ ଆରମ୍ଭ କରିଥିଲେ। ଓଡ଼ିଶାରେ ଭୂଦାନ ଆନ୍ଦୋଳନ ବିନୋବାଭାବେଙ୍କ ନେତୃତ୍ୱରେ ସର୍ବପ୍ରଥମେ ଏହି ଅଳକାଶ୍ରମରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାଧୀନ ଭାରତରେ ରାମ ମନୋହର ଲୋହିଆ, ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରମୁଖ ଏହି ମାଟିରୁ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଃଖର ବିଷୟ ସମୟଚକ୍ରରେ ଅଳକାଶ୍ରମ ତାର ପରିଚୟ ହଜାଇବାକୁ ବସିଲାଣି । ଆଶ୍ରମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ସ୍ଥାନୀୟ ଚାଟରାର  ବିନାୟକ ପଟ୍ଟନାୟକ କିଛି ଜମି ଦାନ କରିଥିଲେ । ଏହା ସତ୍ତ୍ୱେ ଆଶ୍ରମର ବିକାଶ ଏଯାଏ ସମ୍ଭବ ହୋଇପାରିନାହିଁ। ଅଳକାଶ୍ରମର ଇତିହାସ । ଅବଲୋକନ କଲେ ଜଣାଯାଏ, ଭାଗୀରଥ ମହାପାତ୍ର ଓ କର୍ମଯୋଗୀ । ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ୟମରେ ଏଭଳି ଏକ ଆଦର୍ଶ ଅନୁଷ୍ଠାନ ଗଢି ଉଠିଥିଲା । ୧୯୨୨ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହା ଉଦଘାଟିତ ହୋଇଥିଲା । ଆଶ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସଂଗ୍ରାମୀ ସୃଷ୍ଟି କରିବା । ସାଧାରଣ ଶିକ୍ଷାଦାନ ସହ ଆତ୍ମନିର୍ଭରଶୀଳ ହେବା ପାଇଁ  ଅରଟରେ ଲୁଗାବୁଣା, ସୂତା କଟା ଆଦି ଶିକ୍ଷା ଦିଆଯାଉଥିଲା । ସ୍ୱାଧୀନତା ଆନ୍ଦୋଳନ ପାଇଁ ଏହି ଆଶ୍ରମ ଏକ ଶକ୍ତିଶାଳୀ କେନ୍ଦ୍ର ଥିଲା । ଭାଗୀରଥି  ଓ ଗୋପବନ୍ଧୁଙ୍କୁ  ସହଯ।ଗ  କରିଥିଲେ ନବକୃଷ୍ଣ ଚୌଧୁରୀ, ରମାଦେବୀ, ସରଳା ଦେବୀ, ଜାତୀୟ କବି ବୀରକିଶୋର, ବାଗଲପୁରର ଗୌରାଙ୍ଗ ଦାସ, ନବାପାଟଣାର ରାମଚନ୍ଦ୍ର ସିଂ, ତଙ୍ଗ ଗ୍ରାମର ବିଶ୍ୱନାଥ ନନ୍ଦ, ବାଙ୍ଗୀର ଗୋଲକଚନ୍ଦ୍ର ମହାରଣା, ବଡ଼ବାଗର ବୃନ୍ଦାବନ ଚନ୍ଦ୍ର ଦାସ, ଯଶୋବନ୍ତପୁରର ବୈଷ୍ଣବ ମହାପାତ୍ର, ସୁଜଙ୍ଗ ମାଧପୁରର ପଣ୍ଡିତ କାର୍ତ୍ତିକନନ୍ଦ, ଚାଟରାର ବ୍ରହ୍ମାନନ୍ଦ ଚୌଧୁରୀ ଏବଂ କୁଜଙ୍ଗର ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେନା ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନରେ ରାମକୃଷ୍ଣ ନନ୍ଦ, ବିଶ୍ୱନାଥ ପରିଡ଼ା, ବିଶ୍ୱନାଥ ନନ୍ଦ, କୈଳାସ ଚନ୍ଦ୍ର ମହାନ୍ତି, ନଦିଆ ବିହାରୀ ମହାନ୍ତି ପ୍ରମୁଖ ଅନେକ ଝାସ ଦେଇଥିଲେ। ଆଶ୍ରମରେ ରହି ରମାଦେବୀ, ସରଳାଦେବୀ ଓ ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ନାରୀ ଆନ୍ଦୋଳନର ନେତୃତ୍ବ ନେଇ କାରାବରଣ କରିଥିଲେ। ଏଭଳି ଏକ ଅନୁଷ୍ଠାନ ସାରା ଓଡ଼ିଶାରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଏବଂ ପ୍ରଜ୍ଞା ଓ ଜ୍ଞାନର ଏକ ଆଦର୍ଶ ଭିତ୍ତିଭୂମି ତିଆରି କରିପାରିଥିଲା । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସ୍ପୃଶ୍ୟତା ନିବାରଣ ଆଦି କ୍ଷେତ୍ରରେ ଅଳକାଶ୍ରମ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ଲବଣ ସତ୍ୟାଗ୍ରହରେ ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ  ବନ୍ଦୀ ହେଲେ। ଭାରତବର୍ଷର ବିଭିନ୍ନ ସ୍ଥାନର କଂଗ୍ରେସ ଅଫିସକୁ ବ୍ରିଟିଶ ସରକର  ଦଖଲକୁ ନେଲେ। ଏହି ସମୟରେ ଅଳକାଶ୍ରମ ବ୍ରିଟିଶ ଦଲାଲମାନଙ୍କଦ୍ୱାରା ଚିହ୍ନଟ ହୋଇପାରିଥିଲା । ୧୯୩୨ ମେ ମାସର ଅର୍ଦ୍ଧରାତ୍ରରେ ଅଳକାଶ୍ରମର କର୍ମୀ ଓ ନେତାମାନେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲରେ ଥିବାବେଳେ ଆଶ୍ରମ ଚାଳଘର ନିଆଁ ଲଗାଇ ଭସ୍ମୀଭୂତ କରି ଦିଆଯାଇଥିଲା।

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

ଇଂଗ୍ରେଜମାନେ  ମଚ୍ଛଲିପଟ୍ଟମ୍ରେ ଅବସ୍ଥାନ କରୁଥିବା ସମୟରେ ଗୁଜରାଟରେ ଦୁର୍ଭିକ୍ଷ  କାରଣରୁ ବସ୍ତ୍ରର ଘୋର ଅଭାବ ଅନୁଭବ କରିଥିଲେ। ତେଣୁ ପୂର୍ବ ଉପକୂଳରେ ବାଣିଜ୍ୟକେନ୍ଦ୍ର ଖୋଲିବାକୁ ଚିନ୍ତା କରିଥିଲେ । ସେ  ସମୟରେ ମୋହନପୁର ଏବଂ ହରିହରପୁର (ବର୍ତ୍ତମାନର ଜଗତ୍‌ସିଂହପୁର)ଠାରେ ଉତ୍କୃଷ୍ଟ ଧରଣର ସୂତାଲୁଗା ପ୍ରସ୍ତୁତ କରାଯାଉଥିଲା । ତେଣୁ ହରିହରପୁରରେ ଇଂରେଜମାନେ ଫ୍ୟାକ୍ଟ୍ରି କରିବାକୁ ଚିନ୍ତା କରିଥିଲେ । ଏ ସମ୍ପର୍କରେ ତତ୍କାଳୀନ ହରିହରପୁର ଫ୍ୟାକ୍ଟ୍ରି ଦାୟିତ୍ୱରେ ଥିବା ମିଷ୍ଟର କୋଲି ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେତେବେଳେ ସେ ଏଠାରୁ ୪ ହଜାର ଖଣ୍ଡ ବସ୍ତ୍ର କ୍ରୟ କରି ଇଂଲଣ୍ଡ ପାରିପାର୍ଶ୍ୱିକ ସୁବିଧା ଓ ଅନ୍ୟ କାରଣରୁ ଇଂରେଜ ବଣିକମାନେ ୧୬୩୩ ବେଳକୁ ହରିହର ପୁରରେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ । ଏଠାରେ ମଧ୍ୟ ଏକ ଲୁଗାକଳ ସ୍ଥାପନ କରିଥିଲେ ।  ହରିହରପୁରରେ ପହଞ୍ଚିବା ପାଇଁ ସେମାନଙ୍କ ନିମନ୍ତେ ସବୁଠୁ ବଡ଼ ସୁବିଧା ଥିଲା ହରିଶପୁର ବନ୍ଦର ଓ ଅଳକା ନଦୀ । ବଙ୍ଗୋପସାଗରରୁ ଅବାଧରେ ଜାହାଜଗୁଡ଼ିକ ଏହି ପଥ ଦେଇ ହରିହରପୁର ପର୍ଯ୍ୟନ୍ତ ଯାତାୟାତ କରିପାରୁଥିଲା । ସୁନାବ୍ୟା, ସୁଗଭୀର ଅଳକା ନଦୀ କ୍ରମେ ପୋତି ହୋଇଯିବା ଓ ଅନ୍ୟାନ୍ୟ କାରଣରୁ ହରିହରପୁର ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା । ଏବେ ମଧ୍ୟ ଜଗତ୍‌ସିଂହପୁରର ଫିରିଙ୍ଗକୁଦ ୪୫୦ ବର୍ଷ ତଳର ସେହି ମଳିନ ସ୍ମତିକୁ ଜାବୁଡି ଧରିଛି। ସେଠାରେ ଜଗସିଂହପୁରର ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀ ଗଢି ଉଠିଛି । ବ୍ରିଟିଶ ଶାସନ କାଳରେ ଅର୍ଥାତ୍ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସରକାରୀ କାଗଜପତ୍ରରେ ହରିହରପୁର ସ୍ଥାନରେ ଜଗତ୍‌ସିଂହପୁର ନାମଟି ଦରଜ କରାଯାଇଥିଲା ।

ଭୌଗୋଳିକ ସ୍ଥିତି[ସମ୍ପାଦନା]

ରାଜ୍ୟର ଏକ ଛୋଟ  ଜିଲା ହେଉଛି ଜଗତ୍‌ସିଂହପୁର ଏହା  ୮୬ ଡିଗ୍ରୀ ୩ ଇଞ୍ଚରୁ ୮୬ ଡିଗ୍ରୀ ୪୫  ଇଞ୍ଚ ପୂର୍ବ  ଦ୍ରାଘିମା ଏବଂ ୧୯ ଡିଗ୍ରୀ ୫୮ ଇଞ୍ଚରୁ ୨୦ ଡିଗ୍ରୀ ୨୩ ଇଞ୍ଚ ଉତ୍ତର  ଅକ୍ଷାଂଶ ମଧ୍ୟରେ ଅବସ୍ଥିତ । ଏହାର ଉତ୍ତରରେ କେନ୍ଦ୍ରାପଡ଼ା ଜିଲା, ଦକ୍ଷିଣରେ  ପୁରୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ କଟକ ଜିଲା ରହିଛି । ଏହି ଜିଲାର ତାପମାତ୍ରା ଓ ପାଣିପାଗ ଶୀତରେ ଥଣ୍ଡା, ଗ୍ରୀଷ୍ମରେ ଗରମ ଓ  ଆର୍ଦ୍ରା ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲାରେ ପ୍ରବାହିତ । ମହାନଦୀ ଜଗତ୍‌ସିଂହପୁର ଜିଲାରେ ସୁଦୀର୍ଘ ଭାବେ ପ୍ରବାହିତ । ତାଳଦଣ୍ଡା କେନାଲ ଓଡ଼ିଶାର ସବୁଠାରୁ ଲମ୍ବା ଏବଂ ବଡ କେନାଲ । ବ୍ରିଟିଶ ଶାସନ କାଳରେ ୧୮୬୯ରେ ମହାନଦୀର କଟକ ନିକଟରୁ ବଙ୍ଗୋପସାଗର (ପାରାଦୀପ) ପର୍ଯ୍ୟନ୍ତ ଏହି କେନାଲ ଖୋଳାଯାଇଥିଲା । ଏହି କେନାଲ ଜଗତ୍‌ସିଂହପୁରର ଲାଇଫ ଲାଇନ୍ କହିଲେ ଅତ୍ୟୁକ୍ତି ହେବନାହିଁ । କେନାଲଟି ରେଭେନ୍ସା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କଟକ କମିଶନର ସାର ଥୋମାସ୍ ଏଡ଼ୱାର୍ଡ ରେଭେନ୍ସାଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଝଡ଼  ଓ ବାତ୍ୟାରେ ଏହି ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଥାଏ ।

ରାଜଧାନୀ ଠାରୁ ଦୂରତା[ସମ୍ପାଦନା]

ରାଜଧାନୀ ଠାରୁ ଜଗସିଂହପୁରର ଦୂରତା ପାଖାପାଖି ୬୨ କିଲୋମିଟର ହେବ । ଯାତାୟାତ ପାଇଁ ସଡକ ପଥ ରହିଛି ।  ରେଳ ଯୋଗେ ଗୋରେଖନାଥ ଷ୍ଟେଶରୁ ଯିବାଆସିବା ସମ୍ଭବ।

ପୌର ପରିଷଦ[ସମ୍ପାଦନା]

ଜଗତ୍‌ସିଂହପୁର ପୌର ପରିଷଦ ୨୧ଟି ୱାର୍ଡକୁ ନେଇ ଗଠିତ । ଏହି ୨୧ ୱାର୍ଡରୁ ୧୧ଜଣ ମହିଳା ଓ ୧୦ଜଣ ପୁରୁଷ  କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ନଂ. ୱାର୍ଡ କାଉନସିଲର ବିପ୍ଲବ ଚୌଧୁରୀ ଏବେ ନଗରପାଳ ଅଛନ୍ତି । ସହର ଭୋଟର ସଂଖ୍ୟା ରହିଛି  ୨୩,୪୮୫ ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଜଗତସିଂହପୁର ସହରରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଶ୍ରୀକୃଷ୍ଣ ଏକାଡେମୀ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପୁରୋହିତପୁର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପବ୍ଲିକ ସ୍କୁଲ, ସୁଧାନନ୍ଦ ବିଦ୍ୟାଳୟ, ତ୍ରିମ୍ ଇଣ୍ଡିଆ ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସେଣ୍ଟ ଜାଭିୟର୍ସ ସ୍କୁଲ, ସ୍କଲାର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଶିକ୍ଷାନୁଷ୍ଠାନ ରହିଛି। ଏହାବାଦ୍ । ବେସରକାରୀ ଆଇଟିଆଇ, ପଲିଟେକ୍‌ନିକ୍, ନସିଂ ଟ୍ରେନିଂ କେନ୍ଦ୍ର ସମେତ ସରକାରୀ ଭାବେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି । ସହରର ସର୍ବପୁରାତନ ଶ୍ରୀକୃଷ୍ଣ ଏକାଡେମୀର ଇତିହାସ ମହାନ । ଏହା ବ୍ରିଟିଶ ସରକାରଙ୍କ ଲୁଗା ଫାକ୍ଟସ୍ଥାପନ ହୋଇଥିବା ଫିରିଙ୍ଗି କୁଦ ଉପରେ ଛିଡା ହୋଇଛି । ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଛନ୍ତି । ଏଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରୀଛାତ୍ର ସମାଜର ବିଭିନ୍ନସ୍ତରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ବଡ (ଆଇଏଏସ୍), ବସନ୍ତ ସ୍ୱାଇଁ (ଆଇଏଏସ୍), ଅବସରପ୍ରାପ୍ତ ବିଶେଷଜ୍ଞ ଦୁର୍ଗା ଚରଣ ଜେନା, ନାଇଜର ରେଜିଷ୍ଟ୍ରାର ଅଭୟ ନାୟକ, ସଚିବ ପ୍ରମୋଦ କୁମାର ପ୍ରତିହାରୀ (ଓଇଏସ୍), ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ସମେତ ଶତାଧିକ ଡାକ୍ତର, ଇଞ୍ଜିନିୟର ଓ ଅନ୍ୟ ପଦ ପଦବୀଧାରୀ ଏଠାରୁ ଉନ୍ନୀତ ହୋଇଯାଇଛନ୍ତି । ସେହିପରି ୧୯୬୩ରେ ପ୍ରତିଷ୍ଠିତ ଏସ୍‌ଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଉଚ୍ଚଶିକ୍ଷା କ୍ଷେତ୍ରରେ ସାରା ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ଏଠାରେ  ଯୁକ୍ତ ୨ରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୫,୪୦୦ ଛାତ୍ରୀଛାତ୍ର ପଢୁଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଜିଲ୍ଲା ଯୋଜନା କମିଟି । ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱରସ୍ଥିତ ଆଇଆଇଟିର ପୂର୍ବତନ ରେଜିଷ୍ଟ୍ରାର ବଟ ରାୟ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ଏଠାରୁ ଶିକ୍ଷାଲାଭ କରିଥିଲେ।

ଅଧିକ ସୂଚନା[ସମ୍ପାଦନା]

ଜନସଂଖ୍ୟା

୩୩୬୩୧ (୨୦୧୧ ଜନଗଣନା ଅନୁଯାୟୀ)

ସାଂସ୍କୃତିକ ଅନୁଷ୍ଠାନ

ଜିଲା ମୁଖ୍ୟାଳୟରେ ଜିଲା କଳା ବିକାଶ କେନ୍ଦ୍ର, ଦୁଃଖୁରାମ ସ୍ୱାଇଁ କଳା ପ୍ରତିଷ୍ଠାନ, ପାଲ୍ ଆର୍ଟ ଲାଇନ୍, ସୁଧାକର ବେଦୀ କଳା ନିକେତନ, ଶ୍ରୀ ଅରବିନ୍ଦ କଳା ନିକେତନ, ମହାବୀର କଳା ନିକେତନ ଆଦି ସାଂସ୍କୃତିକ ଅନୁଷ୍ଠାନ ରହିଛି।

ଶ୍ମଶାନ

ସ୍ୱତନ୍ତ୍ର ଭାବେ ଚୂଲା ବ୍ୟବସ୍ଥା ଥିବା ଶ୍ମଶାନ ନାହିଁ। ଗ୍ୟାସ୍ ବ୍ୟବସ୍ଥା ଥିବା ଶବଦାହ ଯନ୍ତ୍ର ନିହାତି ଦରକାର । ପାରାଦୀପ ଫସଫେଟ୍ ଲିମିଟେଡ୍ ଏନେଇ ୨୫ ଲକ୍ଷ ଟଙ୍କା ଦେଇ ପୁଣି ଫେରାଇ ନେଇଥିବା ସୂଚନା ମିଳିଛି।

(ଜାତୀୟ ରାଜପଥ )

ଜଗସିଂହପୁର ସହର ସହିତ ଜାତୀୟ ରାଜପଥ ସଂଯୋଗ ନାହିଁ। ନିକଟରେ କନ୍ଦରପୁର-ଜଗସିଂହପୁର ନୂଆଗାଁ ରାସ୍ତାକୁ ଜାତୀୟ ରାଜପଥ ନଂ. ୫୫ ଅନ୍ତର୍ଭୁକ୍ତ କରାଯାଇଛି । ଏହାବାଦ୍ ୬ଟି ବାଇପାସ୍  କରାଯିବ । ଏହାର ଦୈର୍ଘ୍ୟ ୪୦, ୨୩୦ କିଲୋମିଟର ହେବ । ଏହି ନୂଆ ରାସ୍ତା ପାଇଁ ଜମି ଅଧିଗ୍ରହଣ ଶେଷ ହୋଇନି।

କଲ୍ୟାଣ ମଣ୍ଡପ

ଜଗସିଂହପୁର ପୌର ପରିଷଦ ପକ୍ଷରୁ ୨ଟି କଲ୍ୟାଣ ମଣ୍ଡପ ରହିଛି । ସେଗୁଡିକ ହେଲା ଯୋଗଧାରୀ ନିକଟରେ ସରଳା ଦେବୀ କଲ୍ୟାଣ ମଣ୍ଡପ ଓ ସାନ ବଜାରସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍ ଉପର ଥିବା କଲ୍ୟାଣ ମଣ୍ଡପ ଏହାବାଦ୍ ୪ଟି ବେସରକାରୀ କଲ୍ୟାଣ ମଣ୍ଡପ ରହିଛି ।

ପୋଖରୀ

ଜଗତ୍‌ସିଂହପୁର ପୌର ପରିଷଦ ଓ ପ୍ରତତ୍ତ୍ୱ ବିଭାଗର ମୋଟ ୧୦ଟି ପୋଖରୀ ରହିଛି। ସେଥିମଧ୍ୟରୁ ୭ଟି ପରିତ୍ୟକ୍ତ । ଉନ୍ନତ ଭିତରେ ଗୋପାଳସାଗର (୩୫ ଡେସିମିଲ) ଓ ମାଧପୁର ମୌଜାର ରାଧାମାଧବଜୀଉ (୨୦ ଡେସିମିଲ) ପୋଖରୀ ଅନ୍ତର୍ଭୁକ୍ତ । ସିପିସ୍ଥିତ ବିଦେଇ ପୋଖରୀ (୨୦ ଡେସିମିଲ), ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ପାଖ ପୋଖରୀ (୧୨ ଡେସିମିଲ) ଓ ଖେରସରେ ଥିବା କନିଆରୀ ପୋଖରୀ (୧ ଏକର) ଆଦି ପୁନରୁଦ୍ଧାର ପାଇଁ ଯୋଜନା ଅଛି ।

ସହର ରାସ୍ତା

ଜଗସିଂହପୁର ସହରର ମୋଟ ୨୧ଟି ୱାର୍ଡରେ ୧,୩୮,୪୦୦। ମିଟର (୧୩୮.୪ କି.ମି.) ରାସ୍ତା  ଅଛି। ସେଥିମଧ୍ୟରୁ ପିଚୁ ୩୯,୦୩୭ ମିଟର, କଂକ୍ରିଟ ୨୩,୩୬୨, ସ୍ପଲ୍ ମୋରମ ୪୧,୪୭୯, ମେଟାଲ ୨,୦୮୫ ଓ କଳା ୩୨,୪୩୭ ମିଟର ଏହିପରି ମୋଟ ୧,୩୮,୪୦୦ ମିଟର ରହିଛି ।

ଅଡିଟୋରିୟମ

ମନୋରଞ୍ଜନ ଓ ସଭାସମିତି ପାଇଁ ଜଗତ୍‌ସିଂହପୁର ସହରରେ ୫ଟି ଅଡିଟୋରିୟମ ରହିଛି । ସେଗୁଡିକ ମଧ୍ୟରୁ ଜଗତ୍‌ସିଂହପୁର ପୌର ପରିଷଦଦ୍ୱାରା ପରିଚାଳିତ ଗୋଟିଏ ମାତ୍ର ଅଡିଟୋରିୟମ ଟାଉନ ହଲ୍ ଅଛି । ସେହିପରି ଜିଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହ, ଡିଆରଡିଏ ସମ୍ମିଳନୀ କକ୍ଷ ସମେତ ସଂସ୍କୃତି ଭବନ, ଜିଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ପରିସରରେ ଅଡିଟୋରିୟମ ରହିଛି।

ଯାନବାହନ

ଜଗସିଂହପୁରରେ ଗାଡିମୋଟର ସଂଖ୍ୟା ବଢ଼ିଚାଲିଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୩ ବର୍ଷରେ ମୋଟ ୪୦,୬୦୩ଟି ଗାଡ଼ି ପଞ୍ଜିକୃତ ହୋଇଛି । ସେଥିମଧ୍ୟରେ ମୋଟର ସାଇକେଲ, ସ୍କୁଟି, ମୋପେଜ୍ । ୩୬,୬୬୭, ତିନି ଚକିଆ ଅଟୋ ରିକ୍ସା, ଡାଲା ଅଟୋ ୧,୧୦୦, ଟ୍ରାକ୍ଟର ୧,୪୫୩, ଚାରି ଚକିଆ କାର, ଜିପ ୩୬୪, ପିକ୍ଅପ୍ ଭ୍ୟାନ୍, ମାଞ୍ଚି କାବ୍ ଆଦି ୬୭୩, ଟ୍ରକ୍ ୩୩୫, ଆମ୍ବୁଲାନ୍ସ ୧୧ ଓ ବସ୍ତ୍ର ୮ଟି ରହିଛି ।

ସିନେମା ହଲ୍

ଜଗସିଂହପୁର ସହରରେ ୨ଟି ସିନେମା ହଲ  ରହିଛି । ସେଗୁଡିକ ହେଲା ରଶ୍ମି ଓ ରାଧିକା  ସିନେମା ହଲ ।

ଥାନା ଓ ଫାଣ୍ଡି

ଜଗତ୍‌ସିଂହପୁର ପୋଲିସ ଜିଲ୍ଲାରେ ୧୫ଟି  ଥାନା ଓ ୪ଟି ଫାଣ୍ଡି ରହିଛି । ସେଥିମଧ୍ୟରୁ ଜଗସିଂହପୁର ସହରରେ ଟାଉନ ଥାନା ଓ କଲେଜ ଛକ ନିକଟରେ ଏକ ଫାଣ୍ଡି ଅଛି ।

ରେଳଷ୍ଟେଶନ

ଜଗସିଂହପୁର ଜିଲ୍ଲାର ପାରାଦୀପ, ଗୋରେଖନାଥ, ରଘୁନାଥପୁର, ବଡ଼ବନ୍ଧ ଓ ରାହାମାରେ ରେଳଷ୍ଟେଶନ୍ ଥିଲେ ସୁଦ୍ଧା ଜିଲା  ମୁଖ୍ୟାଳୟରେ ଷ୍ଟେଶନ ନାହିଁ । ଗୋରେଖନାଥା ଷ୍ଟେଶନଟି ଏଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗୋରେଖନାଥ ଷ୍ଟେଶନରୁ ରେଳ ଲାଇନରେ ରାହାମା  ୧୬ କି.ମି.,ରଘୁନାଥପୁର ୧୩, ବଡ଼ବନ୍ଧ ୨୦ ଓ ପାରାଦୀପ ୩୯ କି.ମି. ଦୂର । ଗୋରେଖନାଥରୁ କନ୍ଦରପୁର ୨୮ ଓ କଟକ ୪୫ କି.ମି. ଦୂର ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପର୍ଯ୍ୟଟନ ସ୍ଥଳୀ

ଜଗସିଂହପୁର ଜିଲାରେ ମା’ସାରଳାଙ୍କ ମନ୍ଦିର ସମେତ ପାରାଦୀପ ବନ୍ଦର, ବେଳାଭୂମି, ଜଗନ୍ନାଥ ମନ୍ଦିର, ଗଡ଼କୁଜଙ୍ଗର ଜଗନ୍ନାଥ ମନ୍ଦିର, ସିଆଳି ବେଳାଭୂମି, ମହିଳର ରଘୁନାଥଜୀଉ ମନ୍ଦିର, ଗୋରେଖନାଥ ପୀଠ, ବାଲିକୁଦା ବ୍ଲକ ପଞ୍ଚପଲ୍ଲୀସ୍ଥିତ ଗ୍ରାମେଶ୍ୱର ମନ୍ଦିର, ନାଉଗାଁ ଗାରୋଇ ଆଶ୍ରମ ଜଗନ୍ନାଥ ମନ୍ଦିର, ବିରିଡ଼ିର ପଞ୍ଚଶଖା ଧାନ ପୀଠ ଧାନକୁଦ, ନାଇଲୋର ଯଶୋବନ୍ତ ପୀଠ, ରଘୁନାଥପୁରର ଧଳତଙ୍ଗଗଡ଼ ଜଙ୍ଗଲ, ବାଲିକୁଦାର ବନ୍ଦର, ବିରିଡ଼ି ବାଲିଆସ୍ଥିତ ଭଗବତୀ ପୀଠ ଆଦି ପର୍ଯ୍ୟଟନ ସ୍ଥଳରେ ପ୍ରତ୍ୟହ ବହୁ ଜନ ସମାଗମ ହୁଏ । ଏହାବାଦ୍ ଜଗତ୍‌ସିଂହପୁର ସହରରେ ଥିବା ସୋମନାଥ ମନ୍ଦିର ମଧ୍ୟ ସରକାରୀ ଭାବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଛି।

ପାର୍କ

ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏକତା ଶିଶୁ । ଉଦ୍ୟାନ ତା’ପାଖ ଗୋପବନ୍ଧୁ ପାର୍କ ଓ ଚର୍ଚ୍ଚିକା ବଜାରସ୍ଥିତ । ରାଜୀବଗାନ୍ଧୀ ଶିଶୁ ଉଦ୍ୟାନ ପିଲାମାନଙ୍କ ମନୋରଞ୍ଜନର ମାଧ୍ୟମ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ ଉତ୍ସବ

ଦଶହରା, ବିଶ୍ୱକର୍ମା ପୂଜା, ଗଣେଶ ପୂଜା, ସୋମନାଥ ପୀଠରେ ମକର ସଂକ୍ରାନ୍ତି, ଶ୍ରୀରାମ ନବମୀ, ରଥଯାତ୍ରା, ଦୋଳଯାତ୍ର, ଝୁଲଣ ଯାତ୍ରା, ରଜ, ହୋଲି, ଚନ୍ଦନ ଯାତ୍ରା ଆଦି ପାରମ୍ପରିକ ଉତ୍ସବ ଏଠାରେ ଅନୁଷ୍ଠିତ ହୁଏ । ଏହାବାଦ୍ ଜିଲା ମହୋତ୍ସବ କଲ୍ଲୋଳ, ପୁସ୍ତକ ମେଳାରେ ବହୁ ଜନସମାଗମ ହୋଇଥାଏ ।ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଆୟତନ ୧,୭୫୯ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୨]ଅନୁସାରେ, ଜଗତସିଂହପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି [୩]

  • ପୁରୁଷ: ୫,୭୭,୬୯୯
  • ମହିଳା: ୫,୫୮,୯୦୫
    • ଛ ବର୍ଷରୁ କମ: ୧,୦୩,୫୧୭
  • ସାକ୍ଷରତା ହାର: ୮୭.୧୩%
    • ପୁରୁଷ: ୯୩.୨୦%
    • ମହିଳା: ୮୦.୮୮%

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]