ବୈଷ୍ଣବ ଚରଣ ମହାନ୍ତି
ବୈଷ୍ଣବ ଚରଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୫ ଅଗଷ୍ଟ ୧୯୫୪ |
ବୃତ୍ତି | ପ୍ରାବନ୍ଧିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପାନ ଓ ପ୍ରିୟତମା ଶ୍ରୀମତୀଙ୍କ ସୁବିଧା ପାଇଁ ନିଶରୁ ନମସ୍କାର ପର୍ଯ୍ୟନ୍ତ ଠେଙ୍ଗା ଥେସିସ୍ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪) |
ଜୀବନସାଥୀ | ଶ୍ରୀମତୀ ମଞ୍ଜୁବାଳା ଦାସ |
ସନ୍ତାନ | ଦୁଇ ଜଣ ପୁଅ |
ବୈଷ୍ଣବ ଚରଣ ମହାନ୍ତି (ଜନ୍ମ: ୧୫ ଅଗଷ୍ଟ ୧୯୫୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ପ୍ରାବନ୍ଧିକ । ସେ ଅନେକ ନାଟକ, କବିତା, ନିବନ୍ଧର ଲେଖକ । ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଜଣେ ସକ୍ରିୟ ଲେଖକ । ତାଙ୍କ ଲିଖିତ ପାନ ଓ ପ୍ରିୟତମା ପାଇଁ ତାଙ୍କୁ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ପୁରସ୍କୃତ ହୋଇଥିଲା । ପାନ ଓ ପ୍ରିୟତମା ପୁସ୍ତକଟି ‘ପାନ’ ସମ୍ପର୍କରେ ଏକ ଗବେଷଣାଧର୍ମୀ ଉପସ୍ଥାପନା ।
ବାଲ୍ୟ ଜୀବନ
[ସମ୍ପାଦନା]୧୯୫୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭରାଳୋ ଗ୍ରାମରେ ବୈଷ୍ଣବ ଜନ୍ମ ଗ୍ରହଣ କରିଥିଲେ । ଅବିଭକ୍ତ କଟକ ଜିଲ୍ଲାରେ ମହାନଦୀ କୂଳରେ ଅବସ୍ଥିତ ରାହାମାରୁ ଅଳ୍ପ କିଛି ଦୂରରେ ଭରାଳୋ ଅବସ୍ଥିତ । ମାତ୍ର ଦଶ ବର୍ଷ ବୟସ ବେଳକୁ, ତାଙ୍କ ପିତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା । ତେଣୁ ବୈଷ୍ଣବଙ୍କ ବାଲ୍ୟ ଜୀବନ ଅର୍ଥାଭାବରେ କଟିଥିଲା । ଦଶମ ଶ୍ରେଣୀ ସମାପ୍ତ କରିବାର କିଛି ଦିନ ପରେ ବୈଷ୍ଣବଙ୍କର ମାତୃ ବିୟୋଗ ହୋଇଥିଲା ।
କର୍ମ ଜୀବନ
[ସମ୍ପାଦନା]ସେ ଓଡ଼ିଶା ଗଣଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ସହ ନିର୍ଦ୍ଦେଶକ ଥିଲେ । ଜୀବନୀ ସମ୍ପର୍କିତ ପୁସ୍ତକ ସଂଗ୍ରହ କରିବା ବୈଷ୍ଣବଙ୍କର ଏକ ରୁଚି । ବୈଷ୍ଣବ ନିଜ ବ୍ୟକ୍ତିଗତ ପାଠାଗାରରେ ଓଡ଼ିଆ ଭାଷା ଲିଖିତ ୩୦୦ରୁ ଅଧିକ ଜୀବନୀ ପୁସ୍ତକ ସଂଗ୍ରହ କରି ରଖିଛନ୍ତି ।
ବୈଷ୍ଣବଙ୍କ ମତରେ ଇତିହାସ ରାଜନୈତିକ ଚିତ୍ରର ପ୍ରତିଫଳନ, କିନ୍ତୁ ଏକ ବ୍ୟକ୍ତିଙ୍କ ଆତ୍ମଜୀବନୀ ତତ୍କାଳୀନ ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା, ଚଳଣି, ଖାଦ୍ୟପେୟ, ଶିକ୍ଷା, ଧର୍ମ ଭାବନା ଇତ୍ୟାଦିର ନିଦର୍ଶକ । ତେଣୁ ସେ ଆତ୍ମଜୀବନୀ ପଢ଼ିବାକୁ ଓ ସଂଗ୍ରହ କରିବାକୁ ଭଲପାଆନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ।[୧] ୧୯୯୯ ମହାବାତ୍ୟାରେ ବୈଷ୍ଣବ ସଂଗୃହୀତ ନିଜର ବହୁ ପୁସ୍ତକ ହରାଇ ବସିଥିଲେ । ସମ୍ ହସ୍ପିଟାଲ ନିକଟରେ ସେ ନିଜ ଘରେ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ ନାମକ ଏକ ଘରୋଇ ସଭାର ପ୍ରତିଷ୍ଠା କରି ସାହିତ୍ୟବିତ୍ ଓ ବନ୍ଧୁମାନଙ୍କ ସହିତ ଆଲୋଚନା କରନ୍ତି ।
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
---|---|---|
ଶ୍ରୀମତୀଙ୍କ ସୁବିଧା ପାଇଁ | ୧୯୯୭ | ଭୁବନେଶ୍ୱର ସଂଜୀବନୀ ପ୍ରକାଶିନୀ[୨] |
ନିଶରୁ ନମସ୍କାର ପର୍ଯ୍ୟନ୍ତ | ||
ଠେଙ୍ଗା ଥେସିସ୍ | ୧୯୯୬ | କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର[୩] |
ପାନ ଓ ପ୍ରିୟତମା | ୨୦୦୧ | କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର |
ଶଳା ସମ୍ପର୍କରେ | ||
ଝଡ଼ ବର୍ଷାର ମଧ୍ୟବର୍ତ୍ତୀ (କବିତା) | ||
ପୁଅ ନାଁ ଗୋପାଳିଆ (ବ୍ୟଙ୍ଗ) | ||
ଗାଁ ଦାଣ୍ଡର ନାଟକ | ||
ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି (ଜୀବନୀ ପୁସ୍ତକ) | ||
କର କର ନିରୀକ୍ଷଣ (ଅନୁବାଦ ପୁସ୍ତକ) | ||
ସଙ୍କୁଚିତ ସଂସ୍କୃତି | ||
ବିଧବା ବେଶ ବିରୋଧରେ | ||
ଜ୍ଞାନୀର ଲକ୍ଷଣ | ||
ଗାଁ ଲୋକଙ୍କ ନାଁ ଦିଆ (ଗଳ୍ପ ପୁସ୍ତକ) | ||
ମନ ଥିଲେ ଧନ | ||
ଅପା ଘରକୁ ଗଲି କପା କିଣି | ||
ଗୋ ହିତେ ଜନ କଲ୍ୟାଣ | ||
କି ଥିଲା ଏ ଗାଁ କି ହୋଇଛି ଆଜ | ||
ଆମ ଝୋଟି ଚିତା ମୁରୁଜ | ||
ସାରିଆ ଦେଇଛି ଚିଠି | ||
ଏଇ କୁନା ଦିନେ ପ·ରୁ ଥିଲା (ଶିଶୁ ସାହିତ୍ୟ) | ||
ନାଁ ରଖିଗଲେ ପିଲାଟି ବେଳୁ | ||
ପାଠଶାଳାର ହସ କଥା |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ପାନ ଓ ପ୍ରିୟତମା ପାଇଁ ବୈଷ୍ଣବ ଚରଣ ମହାନ୍ତିଙ୍କୁ ୨୦୦୪ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ପାନ ଓ ପ୍ରିୟତମା ପୁସ୍ତକର ଲେଖକ ବୈଷ୍ଣବ କିନ୍ତୁ ଜୀବନରେ ବହୁ ବର୍ଷ ପର୍ଯ୍ୟନ୍ତ ପାନ ଖାଇ ନଥିଲେ । ୧୯୯୨ ମସିହାର ରଥଯାତ୍ରା ଅବସରରେ ତାମ୍ବୂଳ ମହାପ୍ରସାଦ ଗ୍ରହଣ କରିବାକୁ ସେ ନିଜର ପ୍ରଥମ ପାନଖିଆ ଅନୁଭୂତି ବୋଲି ପାନ ଓ ପ୍ରିୟତମା ପୁସ୍ତକରେ ଲେଖିଛନ୍ତି । ପାନ ଓ ପ୍ରିୟତମା ପୁସ୍ତକ “ପାନ” ସମ୍ପର୍କରେ ବିଭିନ୍ନ ଗବେଷଣାମୂଳକ ତଥ୍ୟ ରହିଛି ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ବୈଷ୍ଣବ ଚରଣ ମହାନ୍ତିଙ୍କୁ ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।[୪]
ଉତ୍କଳ ସାହିତ୍ୟ ସମାଜ ନାମକ ଅନୁଷ୍ଠାନ ପକ୍ଷରୁ ବ୍ୟଙ୍ଗ ଓ କଟାକ୍ଷ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବୈଷ୍ଣବ ଚରଣ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।[୫]
୨୦୨୧ ମସିହା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଲଳିତ ନିବନ୍ଧ ରଚନା ପାଇଁ ତାଙ୍କୁ ଝଙ୍କାର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୬]
ଆଧାର
[ସମ୍ପାଦନା]- ↑ "ଓଡ଼ିଆ ଆତ୍ମଜୀବନୀର ଜଣେ ନିଆରା ସଂଗ୍ରାହକ: ବୈଷ୍ଣବ ଚରଣ ମହାନ୍ତି". OdishaLIVE (in ଆମେରିକୀୟ ଇଂରାଜୀ). 2017-07-29. Retrieved 2019-02-21.
- ↑ "VTLS Chameleon iPortal System Error Occurred". opac.nationallibrary.gov.in. Retrieved 2019-02-21.
- ↑ "VTLS Chameleon iPortal Item List". opac.nationallibrary.gov.in. Retrieved 2019-02-21.
- ↑ "ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - Hindusthan Samachar Odiya | DailyHunt". DailyHunt (in ଇଂରାଜୀ). Retrieved 2019-02-21.[permanent dead link]
- ↑ "Sahitya award for surgeon". www.telegraphindia.com (in ଇଂରାଜୀ). Retrieved 2019-02-21.
- ↑ "ହରପ୍ରସାଦ, ଅମରେଶ ପାଇବେ ବିଷୁବ ପୁରସ୍କାର". No. ସମ୍ବାଦ ୦୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡ଼ିଆ. 3 April 2021. p. ୩. Archived from the original on 3 April 2021. Retrieved 3 April 2021.