ଖୁଦୁରୁକୁଣି ଓଷା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଖୁଦୁରୁକୁଣି ଓଷା
Khudurukuni osha in fategarh.jpg
ଖୁଦରଙ୍କୁଣି
ନାମ ଖୁଦୁରୁକୁଣି ଓଷା
ଅନ୍ୟ ନାମ ଖୁଦୁରୁକୁଣି, ଖୁଦରଙ୍କୁଣି
ପାଳନକାରୀ କୁଆଁରୀ ଓଡ଼ିଆ ଝିଅ
ବିଶେଷତା ତଅପୋଇଙ୍କ ସ୍ମୃତି ଆବାହନ
ଧର୍ମାନୁଷ୍ଠାନ ପୂଜା, ବନ୍ଦାପନା
ଆରମ୍ଭ ଭାଦ୍ରବ ମାସ ପ୍ରଥମ ରବିବାର
୨୦୧୬ ତାରିଖ ୨୧ ଅଗଷ୍ଟ
୨୦୧୭ ତାରିଖ ୧୩ ଅଗଷ୍ଟ
୨୦୧୮ ତାରିଖ ୦୨ସେପ୍ଟେମ୍ବର

ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ଦେଇ ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।[୧]

ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।

ପାଳନ ବିଧି[ସମ୍ପାଦନା]

ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାରକଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:

ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ ।

ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ଵିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣିଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।[୨]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]