କାଞ୍ଜିଅଅଁଳା ଓଷା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କାଞ୍ଜିଅଅଁଳା ଓଷା
Jhoti.JPG
କଳସୀରେ ଅଙ୍କିତ ଝୋଟିଚିତା
ଅନ୍ୟ ନାମ କାଞ୍ଜି ଅଅଁଳା[୧]
ପାଳନକାରୀ ହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାର ଧାର୍ମିକ
ବିଶେଷତା ଷଠୀଦେବୀଙ୍କ ପୂଜାର୍ଚ୍ଚନା
ଧର୍ମାନୁଷ୍ଠାନ ଓଷା, ଉପବାସ, ପୂଜା
ତାରିଖ ମାର୍ଗଶିର କୃଷ୍ଣ ନବମୀ
୨୦୧୬ ତାରିଖ ୨୨ ନଭେମ୍ବର (ମଙ୍ଗଳବାର)
୨୦୧୭ ତାରିଖ ୧୨ ନଭେମ୍ବର (ରବିବାର)
୨୦୧୮ ତାରିଖ ୧ ଡିସେମ୍ବର (ଶନିବାର)
ସମ୍ପର୍କିତ ଷଠୀଦେବୀ

କାଞ୍ଜିଅଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ ।[୨] ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି ।[୩] ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ତେବେ ଏହି ଓଷା ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି । ଗୋଟିଏ ଦେଶରେ ଜଣେ ସାଧବ ଥିଲେ । ତାଙ୍କର ଚାରିପୁଅ ଓ ଚାରିବୋହୂ ଥିଲେ । ଚାରିପୁଅ ବେପାରବଣିଜ କରନ୍ତି । ତା’ର ସାନବୋହୂ ପ୍ରଥମେ ଗର୍ଭବତୀ ହେଲା । ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା । ଚାରିମାସ ହେବା ପରେ କଖାରୁ ଖାଇବାକୁ ଇଚ୍ଛା ହେଲା । କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନ ଥିଲା । ସାଧବ ବୋହୂ ଲାଜରେ କାହାକୁ ନ କହି ପଡ଼ିଶାଘର ବାଡିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା । [୪] ତା’ ପର ଦିନ ପଡ଼ିଶାଘର ଲୋକ ବଗିଚାରେ କଖାରୁ ନ ଥିବାର ଦେଖି ଅଭିସମ୍ପାତ କଲା ଯିଏ ମୋ ବାଡ଼ିରୁ କଖାରୁ ଚୋରିକରି ନେଇଛି ତା’ର ଛୁଆ ଜନ୍ମ ହେବା ମାତ୍ରେ ଷଠୀଦେବୀ ଚୋରି କରି ନେଇଯାଉ । ଷଠୀଦେବୀ ଏକଥା ଜାଣି ପାରିଲେ । କିଛିଦିନ ପରେ ସାନବୋହୂ ପୁଅଟିଏ ଜନ୍ମ ଦେଲା । ଗର୍ଭକଷ୍ଟ ସହି ନ ପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତା’ର ପିଲାକୁ ଚୋରେଇ ନେଇଗଲେ । ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା । ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ପାଇଲେ ନାହିଁ । ଏହିପରି ସାଧବାଣୀର ପାଞ୍ଚପୁଅକୁ ଷଠୀଦେବୀ ଚୋରିକରି ନେଇଗଲେ । ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତା’କୁ ଭୀଷଣ ଯନ୍ତ୍ରଣା ହେଲା । ଏହା ଦେଖି ଶାଶୁ ରାଗିଯାଇ କହିଲେ – ତୁ ପାଞ୍ଚଟି ପିଲା ଖାଇସାରିଲୁଣି । ଆଉ ତୋର ଏହି ଘରେ ସ୍ଥାନ ନାହିଁ । ତୁ ଏହିକ୍ଷଣି ଏହିଘରୁ ବାହାରି ଯା । ଗୋଟିଏ ସୂତାକଣ୍ଡା ଦେଇ କହିଲେ, ଯେଉଁଠି ଏହିସୂତା ସରିବ ସେହିଠାରେ ପିଲା ଜନ୍ମ କରିବୁ । କିଛି ଉପାୟ ନ ପାଇ ସାନବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା । ଶେଷରେ ସୂତାକଣ୍ଡାର ଅଗ୍ରଭାଗ ଯାଇ ଏକ ଅଗନାଅଗନୀ ବନସ୍ତରେ ଭିତରେ ସରିଲା । ପୂରା ଅନ୍ଧାର କେହି କୁଆଡେ ନାହାଁନ୍ତି । ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା । ପୁଣି ଗର୍ଭକଷ୍ଟ ବଢିବାକୁ ଲାଗିଲା । ଠିକ ସେହି ସମୟରେ ସାଧବାଣୀ ଆଉଗୋଟିଏ ଛୁଆ ଜନ୍ମ କଲା । କିନ୍ତୁ ସିଏ ମଣିଷ ଛୁଆ ନୁହେଁ ଗୋଟିଏ କାଠ କଣ୍ଢେଇ ଥିଲା । ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା’ ଷଠୀଦେବୀଙ୍କୁ ସ୍ମରଣ କରି ଡାକିବାକୁ ଲାଗିଲା । ଷଠୀଦେବୀ ତା’ର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ । ଶେଷରେ ଷଠୀଦେବୀ ତା’ର ପାଞ୍ଚପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ – ତୁ ଡାହାଣୀ ନା ପିତାଶୁଣୀ ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ । ଏକଥା ଶୁଣି ସାଧବାଣୀ ଠାକୁରାଣୀଙ୍କୁ ଦେଖି ଚିହ୍ନି ପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା । ତା’ ପରେ ଠାକୁରାଣୀ ତା’ର ପାଞ୍ଚପୁଅକୁ ଫେରାଇ ଦେଇ କହିଲେ – ମୁଁ ତୋ ପାଞ୍ଚପୁତ୍ରକୁ ଚୋରେଇ ନେଇଥିଲି ତୁ ନେ । ଜୀବନରେ ଆଉ କେବେ କାହରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଅଁଳା ଉପବାସ କରିବୁ । ତୋର ପୁତ୍ରମାନଙ୍କର ମଙ୍ଗଳ ହେବ । ଏହା ଶୁଣି ସାଧବାଣୀ କହିଲା – ମା’ ମୁଁ ହେଉଛି ମୂର୍ଖ । ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ । ମୋତେ ଏହି ଓଷା ବିଷୟର ବିଧିବିଧାନ ଦୟାକରି କହିଦିଅନ୍ତୁ । ତା’ ପରେ ଠାକୁରାଣୀ ସବୁ କହିଲେ ।

ବିଧିବିଧାନ[ସମ୍ପାଦନା]

ମାର୍ଗଶୀର ମାସ କୃଷ୍ଣ ପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାନ୍ତି । ସନ୍ଧ୍ୟା ବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଥାନ୍ତି । ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଥାନ୍ତି । ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି । ପୋଖରୀ ମଝିରେ ସାରୁ ଗଛ ଟିଏ ପୋତି ତା'ରି ମୂଳରେ ପିଢ଼ାଟିଏ ଥୋଇଥାନ୍ତି । ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି ।[୫] ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖିଥାନ୍ତି । ଘରେ ଭାତ, ଡାଲି, କାଞ୍ଜି; ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରିଥାନ୍ତି । "ଷଠୀ ଦୁଷାଇଁ" ଠାକୁରାଣୀଙ୍କୁ ମନାସି କରି ଏତକ ପୂଜା କରିଥାନ୍ତି । ଭୋଗ ସରିଲା ପରେ ସେଇ ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇଦିଅନ୍ତି । ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି । ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା ।ସେସବୁକୁ ନଦୀରେ ଭସାଇ ଦିଅନ୍ତି ।[୬] । ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହା ହିଁ ଏହି ବ୍ରତରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି । [୭]

ବୈଜ୍ଞାନିକ କାରଣ[ସମ୍ପାଦନା]

ଏହି ପର୍ବ ପଛରେ କିଛି ବୈଜ୍ଞାନିକ କାରଣ ରହିଛି ଯାହା ସମାଜ ହିତରେ ପାଳିତ ହୋଇଥାଏ । ଓଡ଼ିଶାରେ ଲୋକ ଉକ୍ତି ରହିଛି: ମଗୁଶୀର ପୁଷ ମାସରେ ଚଷା ହାଣ୍ଡିରେ ପେଜ!

ଏହାର ଅର୍ଥ ଏହି ସମୟରେ ଚାଷୀ ଫସଲ ଅମଳ କରିଥାଏ । ଶୀତଦିନ ହେତୁ ଅଧିକ ପରିମାଣରେ ମିଳୁଥିବା ସବୁଜ ପନିପରିବାରେ ଅଧିକ ଖାଦ୍ୟସାର ରହିଥାଏ, ଯାହାର ତରକାରୀ ଦେହ ପାଇଁ ବଳକାରକ ହୋଇଥାଏ । ଛୋଟ ମାଛର ପିତ୍ତକୁ କାଢ଼ି ମାଛକୁ ଶୁଖାଇ ଶୁଖୁଆ କଲେ ତାହା ଅଧିକ ଦିନ ସାଇତା ହୋଇ ରହିଥାଏ । ସାଧାରଣ ଲୋକେ ଏଥିରୁ ଜୈବିକ ଖାଦ୍ୟସାର ଶସ୍ତାରେ ପାଇଥାନ୍ତି । କାଞ୍ଜି ସେହିପରି ଭାତକୁ ରାନ୍ଧି ପଖାଳି ତାହାର ତୋରାଣିକୁ ଦୁଇଦିନ ଧରି ସାଇତି ସେଥିରେ ହଳଦୀ, ଲୁଣ, ମୂଳା, ସାରୁ ଓ ଅନ୍ୟାନ୍ୟ ମୂଳା ଜାତୀୟ ପରିବା ପକାଇ ସିଝାଇ ଭୃଷଙ୍ଗ ପତ୍ର ଦେଇ ଫୁଟାଇ ଉଷୁମ ଉଷୁମ ଖିଆଯାଇଥାଏ । ଏହା ହଜମକାରକ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଶୀତ ଦିନେ ନିୟମିତ କାଞ୍ଜି ଖାଇଲେ ଆଣ୍ଠୁଗଣ୍ଠି ବାତ ହେବାର ସମ୍ଭାବନା କମିଯାଇଥାଏ । ହଳଦୀ ଚର୍ମରୋଗନାଶକ । ଶୁଖୁଆମାନଙ୍କୁ ହଳଦୀ ପାଣିରେ ଗାଧୋଇ ଦେବା ଭିତରେ ଇଙ୍ଗିତ ମାଧ୍ୟମରେ ଏହା ସମାଜକୁ ଜଣାଇଥାଏ । ଶୀତ ଦିନେ କୁଣ୍ଡିଆ ଆଦି ଚର୍ମରୋଗ ହେଉଥିବାରୁ ନିୟମିତ ହଳଦୀ ଲଗାଇବାଦ୍ୱାରା ଚର୍ମରୋଗ ଦୂର ହୋଇଥାଏ । ଏହା କୃମିନାଶକ ପାଇଁ ମଧ୍ୟ ଖିଆଯାଇଥାଏ । ଏହି ସବୁ ଖାଦ୍ୟ ସାଧାରଣ ଖାଦ୍ୟ ପ୍ରଣାଳୀରେ ଅଧିକ ଖାଇବା ମଧ୍ୟ ଏହି ପର୍ବ ମାଧ୍ୟମରେ ଶିଖାଯାଇଥାଏ ।[୮]

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର (2013). "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 4 April 2013. କାଞ୍ଜି ଅଅଁଳା 
  2. S. Gajrani (୧ September ୨୦୦୪). History, Religion and Culture of India. Gyan Publishing House. pp. ୧୯୪–. ISBN ୯୭୮-୮୧-୮୨୦୫-୦୬୩-୧. Retrieved ୨୧ December ୨୦୧୨. 
  3. "Kanji Amla Osha festival of Orissa". rainrays.com. Retrieved 21 December 2012. Women worshipped the 'Goddess Shathi ' 
  4. "Kanji Amla Osha". orissadiary.com. Retrieved 21 December 2012. Legend goes that the youngest daughter-in law of a sailor’s household once steals a pumpkin when she is pregnant from the neighbor’s garden. 
  5. "ଶୁଖୁଆକୁ ବୋହୂ କରି ମୁଣ୍ଡିଆ ମାରନ୍ତି ଶାଶୁ". ଧରିତ୍ରୀ. http://www.dharitri.com/Bhubaneswar/231116/p7.htm. Retrieved 23 November 2016. 
  6. "Wel Come To Orissa || About Orissa, Orissa Culture,". welcomeorissa.com. Retrieved 21 December 2012. The housewife worship goddess Shathi whose image is placed among seven dried fishes decorated with vermilon, collyrium and yellow rags. 'Kanji' (The peculiar soup made with rice water cooked with vegetables) , Amalaki 
  7. ସୂର୍ଯ୍ୟପ୍ରଭା, ୬ ଡିସେମ୍ବର ୨୦୧୨, ପୃଷ୍ଠା: ୯
  8. କାନୁନ୍‌ଗୋ, ପଞ୍ଚାନନ (୨୦୧୪). ସଂସ୍କୃତି ବୈଭବ.