ପରଦା କଳା

ଉଇକିପିଡ଼ିଆ‌ରୁ

ପରଦା କଳା, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ଅନ୍ତର୍ଗତ ଧଳାପଥର ଗ୍ରାମର ଏକ ଲୋକକଳା । ଏହି ଗ୍ରାମରେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ରଙ୍ଗରୁ ହସ୍ତତନ୍ତରେ ବୁଣାଯାଇ ପରଦା ତିଆରି କରାଯାଏ । ଉଦୟନାଥ ସାହୁ ଏହି କଳାର ପ୍ରତିଷ୍ଠାତା ।

ଇତିହାସ[ସମ୍ପାଦନା]

ଧଳାପଥର ଗ୍ରାମର ଅଧିକାଂଶ ପରିବାରର କୌଳିକ ବୃତ୍ତି ସୂତାରେ ଲୁଗା ଓ ଗାମୁଛା ବୁଣିବା । ପରିବାରର ସମସ୍ତ ସଦସ୍ୟ ଏହି କାମରେ ସହଯୋଗ କରିଥାନ୍ତି । ତନ୍ତବୁଣା ଲୁଗାର ଚାହିଦା କମ ହେବାରୁ, ଗଣେଶ ପୂଜାରୀ ଏହି ପରଦା କଳାର ପରିକଳ୍ପନା କରିଥିଲେ ଓ ଉଦୟନାଥ ସାହୁ ଏହାକୁ ବାସ୍ତବ ରୂପ ଦେଇଥିଲେ ।

ପ୍ରସ୍ତୁତି[ସମ୍ପାଦନା]

ପରଦା ଉପରେ ପ୍ରଥମେ ଗ୍ରାଫ୍ ସାହାଯ୍ୟରେ ବିଭିନ୍ନ ପ୍ରକାରର ଚିତ୍ର ଅଙ୍କା ଯାଉଥିଲା । ପ୍ରାକୃତିକ ଉପାୟରେ ଆଛୁ, ପିଜୁଳି, ସୁନାରି, ହରିଡା, ଜାମୁ ଓ ଆମ୍ବ ଇତ୍ୟାଦି ଗଛର ଛେଲିରୁ କଷ ବାହାର କରାଯାଇ ବିଭିନ୍ନ ଫୁଲର ରଙ୍ଗ ରସରେ ସୂତାରେ ପୁଟ ଦିଆଯାଏ । ତାପରେ ହସ୍ତତନ୍ତ ପଦ୍ଧତିରେ ବାନ୍ଧଶୈଳୀରେ ଛବି ତିଆରି କରି, ଥୋଡିରେ ବୁଣାଯାଏ । ପ୍ରାକୃତିକ ରୂପରେ ପ୍ରସ୍ତୁତ ରଙ୍ଗ ବହୁଦିନ ପର୍ଯ୍ୟନ୍ତ ରହେ । ପରଦାର ଲମ୍ବ ପ୍ରାୟ ୬ଫୁଟ ଓ ଚଉଡା ପ୍ରାୟ ସାଢେ ୪ଫୁଟ ହୋଇଥାଏ । ଗୋଟିଏ ପରଦା ତିଆରି କରିବାକୁ ବେଳେ ବେଳେ ମାସାଧିକ ସମୟ ଲାଗିଯାଏ ।

ବ୍ୟବସାୟ[ସମ୍ପାଦନା]

୧୯୩୦ମସିହା ବେଳକୁ, ଧଳାପଥରର ପରଦାର ବହୁଳ ଆଦୃତି ଥିଲା । ଗୋଟିଏ ପରଦାର ମୁଲ୍ୟ ୧୫୦-୨୫୦ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା । ଗାଁର ମେଳା ମହୋତ୍ସବଠାରୁ ଆରମ୍ଭ କରି, ଦିଲ୍ଲୀ ବମ୍ବେ ଆଦି ସହର ପର୍ଯ୍ୟନ୍ତ ଏହି ପରଦା ବିକ୍ରି ହେଉଥିଲା । ଏକଦା ଗ୍ରାମର ୬୦ଟି ପରିବାର ଏହି କଳା ଉପରେ ନିର୍ଭର କରି ଚଳୁଥିବା ସମୟରେ, ଅଧୁନା ମାତ୍ର ଦୁଇଟି ପରିବାର ଏହି କଳାକୁ ବଞ୍ଚାଇ ରଖିଛନ୍ତି । ସୂତା ଦରବୃଦ୍ଧି ଓ ଛାପା ଚିତ୍ରର ଆଦୃତି ଏହି କଳାକୁ କାଳ ହୋଇଛି । ହସ୍ତତନ୍ତରେ ପ୍ରସ୍ତୁତ ଏହି ପରଦା ଏବେ ବି ୪୦୦ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ ।[୧]

ଆଧାର[ସମ୍ପାଦନା]

  1. "ପରଦା କଳା". ଧରିତ୍ରୀ ଛୁଟିଦିନ ୨୭ସେପ୍ଟେମ୍ବର- ୩ଅକ୍ଟୋବର ପୃଷ୍ଠା ୫. Retrieved 28 September 2015.