ଓଡ଼ିଶାର ଦଶହରା

ଉଇକିପିଡ଼ିଆ‌ରୁ
ଦଶହରା
ମା' ଦୁର୍ଗା
ଅନ୍ୟ ନାମଦୁର୍ଗାପୂଜା
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନଉପବାସ, ପ୍ରାର୍ଥନା
ଆରମ୍ଭଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ
ଶେଷଆଶ୍ୱିନ ଶୁକ୍ଳପକ୍ଷ ଦଶମୀ (ସେପ୍ଟେମ୍ବର-ଅକ୍ଟୋବର)
୨୦୨୪ ତାରିଖdate missing (please add)
ସମ୍ପର୍କିତଦୁର୍ଗା

ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।

ପୂଜାବିଧି[ସମ୍ପାଦନା]

ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ, ଯାହା ଦଶହରାର ପ୍ରଥମ ବିଧି । ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ । ମହାଳୟାଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ, କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲ ଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ । ଏହା ମା’ଙ୍କ ବିଶେଷ ପୂଜାବିଧି । ଶାସ୍ତ୍ରମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ ।

ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଅଷ୍ଟମୀରେ ହୁଏ ମା’ଙ୍କ ମୁଖ୍ୟ ସନ୍ଧିପୂଜା। ଏହି ଦିନ ମା’ଙ୍କ ପାଖରେ ବଳି ଦିଆଯାଏ।ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା । ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।

ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ । କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।

ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୂର ଖେଳ କରିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

ଇତିହାସ[ସମ୍ପାଦନା]

ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। କିନ୍ତୁ ଐତିହାସିକ ଉଦାହରଣରୁ ଜାଣି ବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ। ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା[୧]

ମୁଖ୍ୟ ଶକ୍ତିପୀଠରେ ଦଶହରା[ସମ୍ପାଦନା]

ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଅନେକ ଶକ୍ତିପୀଠ ମଧ୍ୟରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା’ଙ୍କ ଆସ୍ଥାନ ରହିଥିବାରୁ ଲୋକମୁଖ ସେ ଗଡ଼ଚଣ୍ଡୀ। ରାଜତନ୍ତ୍ରରେ ରାଜ ପରିବାରମାନେ ନିଜ ବଂଶର ଆରାଧ୍ୟ ଦେବଦେବୀଙ୍କ ପୀଠ ସ୍ଥାପନା କରୁଥିଲେ । ରାଜା ପ୍ରତାପରୁଦ୍ର ଦେବ ବା ଅନଙ୍ଗଭୀମ ଦେବ କିମ୍ବା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ଓ ପୀଠ ସ୍ଥାପନ କରାଯାଇଥିବା ବିଶ୍ୱାସ କରାଯାଇଥିବା ବିଶ୍ୱାସ କରାଯାଏ । କିମ୍ବଦନ୍ତୀ କହେ ରାଜା ମୁକୁନ୍ଦଦେବଙ୍କ ସମୟରେ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ପୂଜାକରାଯାଉଥିଲା । କେବଳ ପୂଜାର୍ଚ୍ଚନା ପାଇଁ ନୁହେଁ , ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଗଡ଼ଚଣ୍ଡୀଙ୍କ ଆରାଧନା କରୁଥିଲେ ।

ସମଲେଶ୍ୱରୀ[ସମ୍ପାଦନା]

ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । ଏହିଦିନ ଦୁତିବାହାନ ପୂଜା କରାଯାଇଥାଏ । ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୂର, ଗଙ୍ଗାଜଳରେ ମା’ଙ୍କ ସ୍ନାନ ପରେ ନଅ ପ୍ରକାରର ଭୋଗଲାଗି କରାଯାଇଥାଏ । ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟାରେ ମନ୍ଦିର ବନ୍ଦ କରାଯାଏ । ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ୱରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି । ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦେବୀ ଦର୍ଶନ ଦିଅନ୍ତି। ପୂର୍ଣ୍ଣିମା ରାତି ମନ୍ଦିରରେ ନୂତନ ଧ୍ୱଜା ସ୍ଥାପନ କରାଯାଏ।[୨]

କାକଟପୁର ମଙ୍ଗଳା[ସମ୍ପାଦନା]

ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ, ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଅକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ। ସାଧାରଣତଃ ପ୍ରତ୍ୟେକ ଦିନ ମା’ ସ୍ନାନ ସମୟରେ ମନ୍ଦିରର ପହୁଡ଼ ପଡୁଥିବା ବେଳେ ଏହିଦିନ ସ୍ନାନ ସମୟରେ ସାହାଣ ମେଲା ରଖାଯାଉଥିବାରୁ ଭକ୍ତମାନେ ମା’ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତିର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ । ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ରାତି ପ୍ରାୟ ୩ ଟାକୁ ରାତ୍ରଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ କରାଯାଏ । ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ । ମୂଳାଷ୍ଟମୀଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ । ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ । ମା’ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ । ପଞ୍ଚମୀ ତିଥିରେ ମା’ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ । କାଠ ତିଆରି ଗୋଡ଼ ଓ ହାତରେ ଧନୁତୀର, କାମାଣ ଆଦି ଅସ୍ତ୍ରଶସ୍ତ୍ର ମା’ଙ୍କୁ ଲାଗି କରାଯାଏ । ପଞ୍ଚମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ୱତନ୍ତ୍ର ନୀତି ପାଳନ ହୋଇଥାଏ। ଉକ୍ତଦିନମାନଙ୍କରେ ବିଳମ୍ବିତ ରାତିରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣିବିମାନରେ ପାର୍ବଣ ମଣ୍ଡପକୁ ନେଇ ବିଜେ କରାଯାଏ । ବିଶ୍ୱାସ ରହିଛି ମହିଷାସୁରକୁ ଠାବ କରିବା ପାଇଁ ମା’ ସବୁଆଡେ ଭ୍ରମଣ କରନ୍ତି । ଷଷ୍ଠି ତିଥିରେ ମା’ ଶୋଭା ପାଆନ୍ତି କାତିଖର୍ପର ବେଶରେ । ପୂର୍ବରୁ ମା’ଙ୍କୁ ଲାଗି ହେଇଥିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ । ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା’ ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡି ପୁରାଣରେ ବର୍ଣ୍ଣିତ ହୋଇ ତଦନୁସାରେ ମା’ ମଙ୍ଗଳାଙ୍କୁ ସଜ୍ଜିତ କରାଯାଏ । ସପ୍ତମୀ ତିଥିରେ ମା’ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତକରାଯାଏ । ପାର୍ବଣ ପୂଜାରେ ଅନୁଷ୍ଠିତ ବେଶଗୁଡିକ ମଧ୍ୟରୁ ଏହି ବେଶ ମା’ଙ୍କର ପ୍ରସିଦ୍ଧ ବେଶ । ମହାଷ୍ଟମୀ ତିଥିରେ ମା’ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ମା’ ମଙ୍ଗଳାଙ୍କ ଶାନ୍ତ ସରଳ ଆଖି ଭୟଙ୍କର ଦେଖାଯାଏ । ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳୀ ନୀତି ଅନୁଷ୍ଠିତ ହୋଇଥାଏ । ଅତୀତରେ ଏଠାରେ ମହିଷ (ମଇଁଷି) ବଳି ପଡୁଥିଲା । ଏବେ ଆଉ ସେ ପ୍ରଥା ନାହିଁ । ୧୯୬୯ମସିହାରୁ ମହିଷ ବଳିପ୍ରଥା ବନ୍ଦହେଇ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଦିଆଯାଉଛି । ନବମୀ ତିଥିରେ ମା’ଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ଶାନ୍ତି ବେଶ ଅନୁଷ୍ଠିତ ହେଇଥାଏ । ମା’ଙ୍କୁ ଏହି ଦିନ ଧଳାଶାଢ଼ୀ ଓ ଧଳା ଫୁଲରେ ସଜ୍ଜିତ କରାଯାଏ । ଶେଷଦିନ ଅର୍ଥାତ ଦଶହରା ଦିନ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଆଲୋକ, ଆତସବାଜିର ପଟୁଆରରେ ମନ୍ଦିରରୁ କିଛି ଦୂର ସମେଶ୍ୱର ଶମ୍ଭୁମନ୍ଦିରକୁ ନିଆଯାଏ । ସେଠାରେ ହରଦୁର୍ଗା ଭେଟ ନୀତି ସମ୍ପନ୍ନ ହୁଏ । ଏମିତି ଭାବେ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇ ଶାରଦୀୟ ପାର୍ବଣ ପୂଜା ଶେଷ ହୋଇଥାଏ ।[୩]

ଭଗବତୀ ପୀଠ[ସମ୍ପାଦନା]

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ଙ୍କର ଶାରଦୀୟ ଦୁର୍ଗାତ୍ସବର ପୀଠ ରୀତିନୀତି ଅତୀବ ରହସ୍ୟମୟ। ଭଗବତୀ ସଂସ୍କୃତିରେ ଉଭୟ ବନଦୁର୍ଗା ଏବଂ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କର ଉପାସନା କରାଯାଏ। ମୂଳାଷ୍ଟମୀଠାରୁ ପର୍ବ ଆରମ୍ଭ ହେଇ ଦଶହରାରେ ସମାପ୍ତ ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ତ୍ରିକାଳ ପୂଜା କରାଯାଏ। ଏଥିରେ ପୂର୍ବାହ୍ନରେ ଫଳମୂଳ ଓ ଅପରାହ୍ନରେ ଏବଂ ରାତ୍ରିରେ ସଙ୍ଖୁଡି ପୂଜା କରାଯାଏ। ମହାନବମୀ ଦିନ ଏକ ଦିନାତ୍ମକ ପୂଜା କରାଯାଏ।

ଭଗବତୀ ପୀଠର ବିଶେଷତ୍ୱ ଯେ ସେହି ଏକଦିନାତ୍ମକ ମହାନବମୀ ପୂଜାରେ ମଧ୍ୟରାତ୍ରରେ ମହିଷ ବଳି ସହିତ ଇନ୍ଦ୍ର ଓ ଇନ୍ଦ୍ରାଣି ପୂଜା ହୁଏ । ଭଗବତୀଙ୍କର ପୃଷ୍ଠଦେଶରେ ଥିବା ମନ୍ଦିର ବାହ୍ୟ ପାର୍ଶ୍ୱରେ ଦେବୀ ବଜ୍ରବରାହୀ ବା ଐନ୍ଦ୍ରି ଭଗବତୀ ପୀଠର ମତ୍ସ୍ୟମାଧବୀ ଉପାସନା ବିଧି ଅନ୍ୟତ୍ର ଦୃଷ୍ଟିଗୋଚର ହୁଏନାହିଁ ।

ମହାଅଷ୍ଟମୀ ପୂଜାରେ ଭଗବତୀଙ୍କର ପ୍ରଥମ ଯଜମାନ ପାରିକୁଦ ରାଜା ଦେବୀଙ୍କର ଆମିଷ ଭୋଗ ନିମନ୍ତେ ତିନୋଟି ଛାଗ ପ୍ରଦାନ କରନ୍ତି ଏବଂ ପ୍ରସାଦ ରୂପ୍ରେ ଗ୍ରହଣ କରନ୍ତି। ମହାଷ୍ଟମୀରେ ମଧ୍ୟରାତ୍ରିରେ ମହିଷ ଆମିଷ ଭୋଗ ରୂପେ ଏବଂ ନବମୀ ଦଶମୀ ସନ୍ଧି ବ୍ରାହ୍ମମୁହୂର୍ତ୍ତ ପୂଜାରେ ମାଛ, ମାଂସ, ବେଲପତ୍ର , ମହାପ୍ରସାଦ, ତୁଳସୀ , ରୁଧିର ଏକତ୍ର ପୂଜା ହୁଏ। ଏହାକୁ ଇନ୍ଦ୍ରପୂଜା କୁହାଯାଏ।ପ୍ରଥମେ ପଦ୍ମମୁଦ୍ରାରେ ଆସନ ପାତ୍ରରେ ପାଞ୍ଚଟି ଫୁଲ ରଖାଯାଏ। ତା’ପରେ ସ୍ୱାଗତ ମୁଦ୍ରାରେ ଛଅଗୋଟି ଫୁଲ ରଖାଯାଏ। ତା’ ପରେ ପାଦ୍ୟମୁଦ୍ରା ଏବଂ ଅର୍ଘ୍ୟମୁଦ୍ରାରେ ତାମ୍ରପାତ୍ରରେ ଜବଧାନ, କୁଶ,ତିଳ ଏବଂ ଶ୍ୱେତ ସୋରିଷ ରଖାଯାଏ। ଆଚମନ ମୁଦ୍ରାରେ ଜାଇଫଳ, ଲବଙ୍ଗ, ଗନ୍ଧକାଙ୍ଗୁଳା ଜଳକୁ ଆଚମନ ପାତ୍ରରେ ରଖାଯାଏ । ମଧୁପର୍କ ମୁଦ୍ରାରେ ଘୃତ,ମଧୁ ଏବଂ ଚିନି କାଂସ ପାତ୍ରରେ ରଖାଯାଏ । ସ୍ନାନ ମୁଦ୍ରାରେ ଚନ୍ଦନ ଓ ପଦ୍ମକେଶର ମିଶ୍ରିତ ଜଳ ରଖାଯାଏ । ବସନ ମୁଦ୍ରାରେ ବସନ ରଖାଯାଏ । ତା’ ପରେ ଆବରଣ ମୁଦ୍ରାରେ ଚମ୍ପାଫୁଲ, ଗନ୍ଧମୁଦ୍ରାରେ ଚନ୍ଦନ, ସୁମନ ମୁଦ୍ରାରେ ବେଲପତ୍ର, ପଦ୍ମଫୁଲ,ମନ୍ଦାର ଏବଂ ପୁଷ୍ପାଞ୍ଜଳୀ ଦିଆଯାଏ ।

ବିମଳା ଶକ୍ତିପୀଠ[ସମ୍ପାଦନା]

ମା’ ବିମଳାଙ୍କ ଅବସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ବର୍ଷକର ବାର ମାସ ମଧ୍ୟରେ ପଡୁଥିବା ବିଭିନ୍ନ ଉତ୍ସବ ମଧ୍ୟରେ ଦେବୀ ବିମଳାଙ୍କ ଆଶ୍ୱିନ ମାସର ସାର୍ବଜନିନ ଦୁର୍ଗା ପୂଜାର ଷୋଳହଦିନ ବ୍ୟାପି ପୂଜାବିଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥାଏ । ବିମଳାଙ୍କର ସହସ୍ରାକୁମ୍ଭାଭିଷେକର ପୂଜାବିଧିର ସ୍ୱତନ୍ତ୍ର ନୀତି ନିୟମ ଅନୁସାରେ ଶୁଭାରମ୍ଭ ହୁଏ ଷୋଳହ ପୂଜାର ବିଧିବିଧାନ ।[୪]

ଆଶ୍ୱିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିରରେ ଏହି ଦିବସ ଅବସରରେ ସକାଳଧୂପ ଉଠିବା ପରେ ଭଣ୍ଡାର ଘରୁ ଦୁର୍ଗା ଆଜ୍ଞାମାଳ ପ୍ରାପ୍ତ ହୋଇ ପତି ମହାପାତ୍ର ସେବାୟତଙ୍କଦ୍ୱାରା ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଅନ୍ତି। ସେଠାରେ ପଣ୍ଡା, ପତି ଓ ମୁଦିରସ୍ତ ଆଦି ସେବାୟତମାନେ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଦେବୀଙ୍କୁ କୋଠା ଭୋଗ ପାଣିଆ ଦେଇଥିବା ଏକ ହଜାର ଗରା ପାଣିରେ ସ୍ନାନ କରାଇବା ପରେ ଠାକୁରାଣୀଙ୍କ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ସହିତ ବେଶବିଧି ସମ୍ପନ୍ନ ହୁଏ ଏବଂ ପାଣି ପକାଯାଇ ସେଠାରେ ମୁଦିରସ୍ତ ପ୍ରସାଦ ଲାଗି କରିବା ସହିତ ପଣ୍ଡା ସେବାୟତ ଷୋଡ଼ଷ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯାଏ । ପରେ ବନ୍ଦାପନା ବିଧି ଶେଷ କରାଯାଇ ଦୁର୍ଗାଦେବୀଙ୍କୁ ଭଣ୍ଡାର ଦ୍ୱାରଠାରେ ବିଜେକରାଯାଏ। ସେଠାରେ ଶ୍ରୀବାଳ ପୁରୁଷୋତ୍ତମ ଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବା ସହିତ କୋଠସୁଆଁସିଆ ଦେଇଥିବା ଭଦ୍ରାସନରେ ଦୁର୍ଗାଦେବୀଙ୍କ ସହିତ ଏକତ୍ର ରୁନ୍ଧାଯାଇ ଜୟବିଜୟ ଦ୍ୱାର ଦେଇ ଝୁଲଣମଣ୍ଡପ ନିକଟରେ ଥିବା ପାଲିଙ୍କିରେ ଉଭୟ ଦୈବ-ଦେବୀଙ୍କୁ ବିଜେ କରାଯାଏ । ଏହି ସମୟ ମଧ୍ୟରେ ମା’ ବିମଳାଙ୍କର ସହସ୍ର କୁମ୍ଭବରଣ ପୂଜାବିଧି ସଂପୂର୍ଣ୍ଣ ହୋଇ ବ୍ରହ୍ମାବରଣ ପାଇଁ ବରୁଣ ପୂଜା, ଆଚାର୍ଯ୍ୟ ବରଣ, ସ୍ୱସ୍ତିବଚନ, ଚଣ୍ଡିବରଣ ସଂକଳ୍ପ ପରେ ପାଣି ପଡ଼ି ଓ ପାହାଡା ପଡ଼ି ଭୋଗବଢାଯାଇ ମା’ ବିମଳାଙ୍କୁ ଷୋଡ଼ଷ ଉପଚାରରେ ଭୋଗ କରାଯାଏ । ଏହା ପରେ ବିମଳା ମନ୍ଦିରରେ ବିଜେହୋଇଥିବା ଠାକୁରଠାକୁରାଣୀ ମନ୍ଦିର ଖଟ ଉପରେ ବିଜେ କରନ୍ତି। ପୂର୍ବରୁ ଭିତରଚ୍ଛ ମହାପାତ୍ର ସେବାୟତ ରୁପା ପିଙ୍ଗଳାରେ କର୍ପୂରଜଳ ଲାଗିକରାଇବେ ଠାକୁରଠାକୁରାଣୀଙ୍କୁ । ସେଠାରେ ପାଣିପଡ଼ି ଶୀତଳ ଭୋଗ ମଣୋହି କରାଯିବା ସମେତ ବନ୍ଦାପନା ନୀତି ସମାପନ ହେବ। ମହାପ୍ରଭୁଙ୍କ ଭିତରେ ରାତ୍ର ଚନ୍ଦନଲାଗି ଶେଷ ହେବା ପରେ ବିମାନବଡୁମାନେ ଦିଅଁମାନଙ୍କୁ ବାହୁଡା ବିଜେ କରାନ୍ତି। ଶ୍ରୀବାଳ ପୁରୁଷୋତ୍ତମ ଦେବ ଏବଂ ଦୁର୍ଗା ଦେବୀଙ୍କର ରୁନ୍ଧା ମୂର୍ତ୍ତି ୧୬ ଦିନ ଧରି ରହୁଥିବା ବିଧାନ ଥିବା ବେଳେ ଦଶହରା ବିସର୍ଜନ ଦିବ ରୁନ୍ଧା ଫିଟିଥାଏ।[୫]

କଟକର ଦଶହରା[ସମ୍ପାଦନା]

କଟକର ଏହା ଏକ ପ୍ରଧାନ ପର୍ବ । କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ୱ ବିଖ୍ୟାତ, ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା'ଙ୍କ ମୂର୍ତ୍ତିକୁ ରୂପାନିର୍ମିତ ଅଳଙ୍କାରଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ । ଦଶ ଦିନ ଧରି ଏହି ପୂଜା ଚାଲି ଥାଏ ।

ମୂର୍ତ୍ତିଗଢ଼ା[ସମ୍ପାଦନା]

ମା’ଙ୍କ ମୂର୍ତ୍ତି ଗଢ଼ା ପାଇଁ ଲବ୍ଧ ପ୍ରତିଷ୍ଠ କାରିଗରମାନେ ନିୟୋଜିତ ହେଇଥାନ୍ତି । କାଠଗଡା ସାହି, ବିଡାନାସିର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢ଼ି ଆସୁଛନ୍ତି । ମୂର୍ତ୍ତି ଗଢ଼ିବା ପାଇଁ ସେମାନଙ୍କୁ ୮ରୁ ୧୦ଦିନ ସମୟ ଲାଗେ । ବିଭିନ୍ନ ପୂଜା କମିଟି କାରିଗରମାନଙ୍କୁ ଭିନ୍ନ ଭିନ୍ନ ପାରିଶ୍ରମିକ ଦେଇଥାନ୍ତି ।

ଶକ୍ତିପୀଠରେ ପୂଜାର୍ଚ୍ଚନା[ସମ୍ପାଦନା]

ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର , ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର , ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ ।

ସାଜସଜ୍ଜା[ସମ୍ପାଦନା]

ପୂଜାମଣ୍ଡପ ଓ ଶକ୍ତିପୀଠମାନଙ୍କରେ ସାଜସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଏ । ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ୨୦୧୧ ମସିହାରେ ନେପାଳରେ ଥିବା ଏକ ପାହାଡ ଉପରେ ମନ୍ଦିର ଆକୃତିର ତୋରଣ ନିର୍ମାଣ କରିଥିଲେ । ମାଲଗୋଦାମ ପୂଜାକମିଟି ଗେଟ୍ୱ୍ଏ ଅଫ୍ ଇଣ୍ଡିଆ ଏବଂ ଚନ୍ଦ୍ରଶେଖରପୁର ପୂଜା କମିଟି ଷ୍ଟାଚ୍ୟୁଅଫ୍ ଲିବର୍ଟିର ଆଲୋକ ତୋରଣ ତିଆରି କରିଥିଲେ । ୧୯୫୬ ମସିହାରେ ଚୌଧୁରୀ ବଜାର ପୂଜା ମଣ୍ଡପରେ ପ୍ରଥମେ ଚାନ୍ଦିମେଢ଼ ବ୍ୟବହାର କରାଯାଇଥିଲା ।[୬] ୨୦୧୩ ମସିହା ବେଳକୁ ୧୭ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ ବ୍ୟବହାର କରାଯାଉଛି ।

ସ୍ଥାନ ମସିହା ଚାନ୍ଦି ଓଜନ/ ମୂଲ୍ୟ ଟୀକା
ଚୌଧୁରୀ ବଜାର ୧୯୫୬
୧୯୯୩
୪୦୦ କି.ଗ୍ରା. ରୁପା, ପ୍ରାୟ ୪୦/ ୪୫ ହଜାର ଟଙ୍କା,
ସୁନା ମୁକୁଟ
କଟକର ପ୍ରଥମ ଚାନ୍ଦି ମେଢ଼
ଚଣ୍ଡୀରୋଡ଼-ଶେଖବଜାର ୧୯୯୧
୨୦୦୮
୪୦୦ କି.ଗ୍ରା.,
୩.୫ କିଗ୍ରା ଓଜନର ସୁନା ମୁକୁଟ (୨୮ ଲକ୍ଷ ଟଙ୍କା)
-
ବାଦାମବାଡ଼ି-ଶଙ୍କରପୁର ୧୯୯୩ - -
ଚାଉଳିଆଗଞ୍ଜ ୧୯୯୯ ୮୦ ଲକ୍ଷ ଟଙ୍କା ଚାନ୍ଦିର ଦୁଇଟି ସିଂହ (୨୦୦୨), ୪ କି.ଗ୍ରା ଓଜନ ମାଙ୍କ ସୁନାମୁକୁଟ ଓ ସୁନା ମୟୂର ମାନସିଂହପାଟଣା କାରିଗର

୧୯୨୫ରୁ ପୂଜା କରିଆସୁଥିବା ଚାଉଳିଆଗଞ୍ଜ ପୂଜା

ଅଲିଶାବଜାର ୨୦୦୦ ୩୦୦ କି.ଗ୍ରା., ୩୦ ଲକ୍ଷ ଟଙ୍କା -
ବାଲୁବଜାର ୨୦୦୨ ୩୪୫ କି.ଗ୍ରା. , ୧୦୦ କିଗ୍ରା ଓଜନ ଦେବଦେବୀଙ୍କ ମୁକୁଟ ଓ ୨୦ଭରି ଓଜନର ସୁନାଗହଣା (୨୦୧୧) -
ହରିପୁର-ଦୋଳମୁଣ୍ଡାଇ ୨୦୦୨ - -
ଚାନ୍ଦିନୀଚୌକ ୨୦୦୩ ୬୦ ଲକ୍ଷ -
ରାଣୀହାଟ ୨୦୦୪
୨୦୧୪
୪୦୦ କିଲୋଗ୍ରାମ
୫ କିଲୋଗ୍ରାମ ସୁନାରେ ଦେବୀଙ୍କ ମୁକୁଟ[୭]
ସହରର ପ୍ରଥମ ଫୋଲଡିଂ ଚାନ୍ଦିମେଢ
ଖାନନଗର-ଖପୁରିଆ ୨୦୧୧ ୪୦୦ କିଲୋଗ୍ରାମ (ପ୍ରାୟ ୩କୋଟି ଟଙ୍କା) ଅଲିଶାବଜାର ଅଞ୍ଚଳର ପ୍ରଭାତ କୁମାର ଦେ
ଶିଖରପୁର-ଗଣ୍ଡରପୁର ୨୦୧୧ ୩୦୦ କିଲୋଗ୍ରାମ (ପ୍ରାୟ ୨.୩କୋଟି ଟଙ୍କା) ମାନସିଂହ ପାଟଣାର ନିରାକାର ଦାଶ
ତୁଳସୀପୁର - - -
ମାଛୁଆବଜାର - - -
ବଙ୍ଗାଳିସାହି, ତୁଳସୀପୁର ୨୦୧୧ ୧ଲକ୍ଷ ୧୫ହଜାର ଟଙ୍କା ସହରର ପ୍ରଥମ ଫାଇବର ମେଢ଼
ମଙ୍ଗଳାବାଗ - - ଓଡ଼ିଶାର ସର୍ବପ୍ରଥମ ସୁନେଲୀ ଜରି ମେଢ଼
ଫିରିଙ୍ଗିବଜାର ୨୦୧୩ ୨୦୦ କି.ଗ୍ରା (ପ୍ରାୟ (୧କୋଟି ଟଙ୍କା)[୬]
ନୟାସଡ଼କ ୨୦୧୪ ୩୫୦ କି.ଗ୍ରା [୭]

ମନୋରଞ୍ଜନ[ସମ୍ପାଦନା]

ପୂଜାମଣ୍ଡପମାନଙ୍କରେ ପୂର୍ବେ ପାଲା , ଭଜନ, ସଂକୀର୍ତ୍ତନ କରାଯାଉଥିଲା । ଗତ ୩୦ବର୍ଷ ହେଲା ଏସବୁ ସ୍ଥାନରେ ଆସିଛି ମେଲୋଡି ।

ଭସାଣି ଯାତ୍ରା[ସମ୍ପାଦନା]

କଟକର ଭସାଣି ଯାତ୍ରା ପ୍ରସିଦ୍ଧ । ମା’ଙ୍କ ବିସର୍ଜନ ଏକ ବିରାଟ ଶୋଭାଯାତ୍ରାରେ କରାଯାଏ । ଯେଉଁ ମଣ୍ଡପ ନୂଆକରି ଚାନ୍ଦିମେଢ଼ ନିର୍ମାଣ କରେ ସେହି ମଣ୍ଡପ ଭସାଣି ଦିନ ବିସର୍ଜନ ପାଇଁ ଯାଏନା । ନୂଆ ମେଢ଼କୁ ସହରବାସୀଙ୍କୁ ଏକାକୀ ଦେଖାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଦିନରେ ସହର ପରିକ୍ରମା କରିଥାଏ ।[୮]

ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.harekrsna.com/sun/features/01-09/features1245.htm
  2. ସମୟ ସାପ୍ତାହିକ ,ଅକ୍ଟୋବର ୨୦୧୧, ପୃଷ୍ଠା ୧୨
  3. ସମୟ ସାପ୍ତାହିକ, ଅକ୍ଟୋବର ୨୦୧୧, ପୃଷ୍ଠା ୧୪
  4. http://www.esamskriti.com/essay-chapters/Shakti-Peethas-%28Tantra-Peethas%29-of-India-2.aspx
  5. ସମୟ ସାପ୍ତାହିକ, ଅକ୍ଟୋବର ୨୦୧୧ , ପୃଷ୍ଠା ୧୬
  6. ୬.୦ ୬.୧ ପଟ୍ଟନାୟକ, ଲାଲମୋହନ. "Let the celebrations begin Cuttack's one crore silver touch". The Telegraph. Retrieved 26 August 2016.
  7. ୭.୦ ୭.୧ "Nayasarak Puja Samiti Joins Chandi Medha League". The New Indian Express. Archived from the original on 15 September 2014. Retrieved 26 August 2016.
  8. "ସହର ବୁଲିଲା ନୂଆ ଚାନ୍ଦିମେଢ଼". ଧରିତ୍ରୀ. Retrieved 26 August 2016.

ବାହାର ଲିଙ୍କ[ସମ୍ପାଦନା]