ଇଡ଼ିତାଲ

ଉଇକିପିଡ଼ିଆ ରୁ
Jump to navigation Jump to search
Idital Wall Painting

ଓଡ଼ିଶାର ଆଦିବାସୀ ସମାଜରେ ପ୍ରଚଳିତ ଚିତ୍ରକଳା, ମୁଖ୍ୟତଃ ଝୋଟି ଚିତ୍ର ଭାବେ ଜଣାଶୁଣା । ଏହି ଝୋଟିଚିତ୍ରକୁ ସେମାନେ ଘରର କାନ୍ଥରେ ବିଭିନ୍ନ ପର୍ବପର୍ବାଣି ପାଳନ ଅବସରରେ ଆଙ୍କିଥାନ୍ତି, ଯାହାର ମୂଳଲକ୍ଷ୍ୟ ବିଭିନ୍ନ ଦେବଦେବୀଙ୍କୁ ଆବାହନ କରି ସନ୍ତୁଷ୍ଟ କରିବା । ଏହି ନିଆରା କାନ୍ଥଚିତ୍ରକୁ ଲାଞ୍ଜିଆ ସଉରାମାନେ ଇଡିତାଲ ବୋଲି କୁହନ୍ତି । ସଉରା ଭାଷାରେ ଇଡିର ଅର୍ଥ ଚିତ୍ର ଓ ତାଲର ଅର୍ଥ କାନ୍ଥ । କାନ୍ଥ ଉପରେ ଚିତ୍ର ହୋଇଥିବାରୁ ଏହାର ନାମ ଇଡ଼ିତାଲ ରହିଛି । ଚନ୍ଦ୍ରଗିରି ଅଞ୍ଚଳର ସଉରାମାନେ ଏହାକୁ ଆନିତାଲ ବୋଲି କହନ୍ତି । ସେହି ଅଞ୍ଚଳର କେତକ ଲୋକ ଏହାକୁ ଇଡ଼ିତାଲ ବୋଲି ମଧ୍ୟ କୁହନ୍ତି । [୧]

ଅଙ୍କନ ବିଧି[ସମ୍ପାଦନା]

ଇଡିତାଲ ହେଉଛି ରେଖା ପ୍ରଧାନ, ଏହାର ସମସ୍ତ ଚିତ୍ରକଳାର ମୌଳିକ ରୂପ ଯେପରି ବିନ୍ଦୁ, ରେଖା ଓ ବୃତ୍ତଦ୍ୱାରା ନିୟନ୍ତ୍ରିତ । ଇଡିତାଲ ସମସ୍ତ ରୂପରେଖକୁ କେତେକ ମୁଖ୍ୟ ନିୟମରେ ବିଭକ୍ତ କରାଯାଇଥିବାର ଜଣାଯାଏ । ତାହା ହେଉଛି ପରିଧି, ମଣିଷ, ଜୀବଜନ୍ତୁâ, ବୃକ୍ଷଲତା ଓ ବିବିଧ ଚିତ୍ର ଆଦି ମଧ୍ୟରେ ସମାହିତ ହୋଇଥାଏ । ଜୀବଜନ୍ତୁ ମଧ୍ୟରେ ହାତୀ, ଘୋଡ଼ା, ମାଙ୍କଡ଼, ଛେଳି, ହରିଣ, ବଳଦ, ଗାଈ, ବାଘ ଠାରୁ ଆରମ୍ଭ କରି ବିଭିନ୍ନ ପକ୍ଷୀ ଯଥା ମୟୂର, ପାରା, ହଂସ ସହିତ ଅନ୍ୟାନ୍ୟ ସରୀସୃପ ପ୍ରାଣୀ ଇତ୍ୟାଦି ଚିତ୍ର ଦେଖିବାକୁ ମିଳେ, ଏସବୁରେ ରଙ୍ଗ ମଧ୍ୟ ଦିଆଯିବା ସହିତ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଖିବାକୁ ମିଳେ । ସାଧାରଣତଃ ଗୃହକର୍ତ୍ତା ନୂତନ ଘର ଆରମ୍ଭ କରିବାକୁ ଥିଲେ "ଫାଲଗୁନ ମାସରୁ ବୈଶାଖ ମାସ ମଧ୍ୟରେ ଘର ତିଆରି ସମ୍ପୂର୍ଣ୍ଣ ହେବାପରେ କିମ୍ବା ଘରର କୌଣସି ବଖରା ବଢାଇବାକୁ ଥିଲେ ଏହି ସମୟ ମଧ୍ୟରେ ନିର୍ମାଣ କରେ । ନୂଆ ଘର କରିଲେ ଘରର କାନ୍ଥରେ ଇଡ଼ିତାଲ କରିବା ବିଧିସଙ୍ଗତ । ଜନଶ୍ରୁତିରୁ ଜଣାଯାଏ ପୂଜକକୁ ପୂର୍ବରାତ୍ରରେ ଯାହା ସ୍ୱପ୍ନରେ ନିର୍ଦେଶ ହୋଇଥାଏ, ତାହା ସେ କାନ୍ଥ ଉପରେ ଆଙ୍କି ଥାଏ । ପ୍ରଥମେ ସେ କାନ୍ଥ ଉପରେ ଏକ କୋଠି ଆଙ୍କି ତାହା ଭିତରେ ଗଛଲତା, ଜୀବଜନ୍ତୁ, ମଣିଷ ଇତ୍ୟାଦିର ରେଖାଚିତ୍ର ଅଙ୍କନ କରିଥାଏ । ଚାଉଳର ପିଠଉରେ ସରୁ ବାଉଁଶ କାଠି ସାହାଯ୍ୟରେ ନିଖୁଣ ଚିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥାଏ । କାନ୍ଥରେ ଚିତ୍ର ଅଙ୍କନ ହେଲାପରେ ତାହା ପ୍ରତିଷ୍ଠା ହୋଇଥାଏ ।

ଅଙ୍କନ କିଏ କରେ[ସମ୍ପାଦନା]

ସଉରା ଗୋଷ୍ଠୀମାନଙ୍କ ମଧ୍ୟରେ ମୁଖ୍ୟ ପୂଜକ(ପୁରୁଷ) ଓ ମହିଳା ପୂଜକଙ୍କୁ କୁଣ୍ଡାବୋଇ କୁହାଯାଇଥାଏ । ଇଡିତାଲ ଆଙ୍କିବା ପାଇଁ କୁଡାଙ୍ଗମ୍ମାର ନିମନ୍ତ୍ରଣ ହୋଇଆସେ । ସେ ଭୂତ,ପ୍ରେତ, ପିଶାଚ ପ୍ରଭୃତି ଅଦୃଶ୍ୟ ଶକ୍ତିମାନଙ୍କୁ ଆୟତ୍ତ କରିପାରେ । ଗ୍ରାମରେ ପ୍ରଥମେ କିଏ କେହି ନୂଆ ଘର ନିର୍ମାଣ କଲେ ପୂଜକଙ୍କୁ ନିମନ୍ତ୍ରଣ କରି ଚିତ୍ର କାର୍ଯ୍ୟ ଆରମ୍ଭ କରିବା ପରମ୍ପରା ରହିିଛି ।

ବିଶ୍ୱାସ[ସମ୍ପାଦନା]

ସଉରାମାନଙ୍କର ବିଶ୍ୱାସ, ପୃଥିବୀର ମଙ୍ଗଳ ନିମନ୍ତେ କିତୁଙ୍ଗ ବା ଭଗବାନ ଜୀବଜନ୍ତୁ, ବୃକ୍ଷଲତା ଇତ୍ୟାଦି ସୃଷ୍ଟି କରିଛନ୍ତି । ସେମାନଙ୍କୁ ସନ୍ତୁଷ୍ଟ କରିଲେ ନିଜର ତଥା ଗ୍ରାମର ମଙ୍ଗଳ ହୁଏ । ଚିତ୍ରକଳାରେ ସେମାନେ ନିଜର ପ୍ରତ୍ୟକ୍ଷ ଦେବଦେବୀଙ୍କ ଚିତ୍ର ନ ରଖି ଦୈନନ୍ଦିନ ଜୀବନ ପ୍ରଣାଳୀକୁ ପ୍ରାୟତଃ ଆଙ୍କି ପରୋକ୍ଷରେ ସେମାନଙ୍କୁ ଆବାହନ କରି ବିଶ୍ୱାସ ଓ ଭକ୍ତି ସତ୍ତାର ପରିଚୟ ଦେଇଥାଆନ୍ତି ।

ଦେହ ଅସୁସ୍ଥ ଓ ଦୁର୍ବିପାକ ସମୟରେ[ସମ୍ପାଦନା]

ଇଡିତାଲର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଘରର ଇଷ୍ଟଦେବତା ଭାବେ ପୂଜା ପାଇଥାଏ । କାରଣ ଚିତ୍ରରେ ଯେଉଁ ପ୍ରକାରର ଜୀବଜନ୍ତୁ ମାନଙ୍କର ଆକୃତି ପ୍ରକୃତି ଦୃଷ୍ଟି ଗୋଚର ହୁଏ, ସେମାନେ ଘରର ମଙ୍ଗଳକାରକ ଓ ସେମାନଙ୍କଦ୍ୱାରା ଅଦୃଷ୍ଟର ବିଧାନ ଓ ସର୍ବଦା ପରିବାରର ସଦସ୍ୟମାନଙ୍କ ପ୍ରତି ହିତକର । ଏହି ବିଶ୍ୱାସ ରଖି ସେମାନେ ପରିବାର ମଧ୍ୟରେ କାହାରି ଦେହ ଅସୁସ୍ଥ ହେଲେ, ସେ ଚିତ୍ର ପାଖରେ ରୋଗୀକୁ ଶୁଆଇ ଜଣେ ବୟୋଜ୍ୟେଷ୍ଠ ଅଧିଆ ପଡନ୍ତି । ପରିବାରର ଆଉଜଣେ ସ୍ତ୍ରୀ ସଦସ୍ୟ କୁଲାରେ ଚାଉଳ ରଖି ହଳଦୀ ମିଶାଇ ହାତରେ ବୁଲାଇବା ସମୟରେ ଧିରେ ଧିରେ ଆଦିବାସୀ ଗୀତ ବୋଲନ୍ତି । ଏହିଭଳି କରିବାଦ୍ୱାରା ନିଜର ପାରମ୍ପରିକ ବିଶ୍ୱାସ, ରୋଗୀ ସୁସ୍ଥ ହେବା ସେମାନଙ୍କ ଅତୁଟ ବିଶ୍ୱାସ ରହିଛି । ଯେତେବେଳେ ସେମାନେ ଦୁଃଖ, ଦୁର୍ଦିନ ଓ ଦୁର୍ବିପାକର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ଅଲୌକିକ ଶକ୍ତିର କୁପ୍ରଭାବରୁ ମୁକ୍ତି ପାଇବାର ବିଶ୍ୱାସ ନେଇ ଚିତ୍ର ଅଙ୍କନ କରି, ତା' ନିକଟରେ ବଳି ଦେଇଥା'ନ୍ତି ।[୨]

ପିତୃପୁରୁଷଙ୍କୁ ବିଶ୍ୱାସ[ସମ୍ପାଦନା]

ଆଦିବାସୀମାନେ ପିତୃପୁରୁଷଙ୍କୁ ଯଥେଷ୍ଟ ସମ୍ମାନ ଦେଇଥା'ନ୍ତି । ସେମାନଙ୍କ ଧାରଣା ପିତୃପୁରୁଷଗଣ ଅଲୌକିକ ଶକ୍ତିମାନଙ୍କ ସହିତ ଏଣେତେଣେ ବିଚରଣ କରିଥା'ନ୍ତି । ସେମାନଙ୍କୁ ସ୍ମରଣ କରିଲେ ବା ଚିତ୍ରରେ ସ୍ଥାନିତ କରିଲେ ଘର ଓ ପରିବାରର ମଙ୍ଗଳ ହୁଏ । ତେଣୁ ଇଡିତାଲରେ ସେହି ପିତୃପୁରୁଷଙ୍କ ଚିତ୍ର ଅଧିକ ଦେଖାଯାଏ ।

ପ୍ରଚଳନ[ସମ୍ପାଦନା]

ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସଉରା ବସତି ଅଞ୍ଚଳ ଅର୍ଥାତ ଜଲତାର, ଟଲଣା, ପୁଟାସିଂ, ଶଗଡା, କୁଲୁସିଙ୍ଗ ଓ ଚିନାସାରୀ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏକଦା ନିଜର ପରମ୍ପରା ଥିବା ଏହି ଚିତ୍ରକଳା ଏବେ ରାଜଧାନୀ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଅଙ୍କାଯାଉଛି । ଏହି ନିଆରା ଚିତ୍ରକଳା ସମୟରେ କାଳର କରାଳ ଚକ୍ରରେ ପଡି ବିଲୁପ୍ତ ପ୍ରାୟ ହେବାକୁ ବସିଛି ।

ଉଦ୍ଧୃତି[ସମ୍ପାଦନା]

  1. ରାଓ, ନାଗଭୂଷଣ (୧୦ ମେ ୨୦୧୫). "ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ସଉରା ଚିତ୍ରକଳା - ଇଡ଼ିତାଲ". ସମାଜ. Retrieved 30 May 2015. Check date values in: |date= (help)
  2. ରାଓ, ନାଗଭୂଷଣ (୧୦ ମେ ୨୦୧୫). "ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ସଉରା ଚିତ୍ରକଳା - ଇଡ଼ିତାଲ". ସମାଜ. Retrieved 30 May 2015. Check date values in: |date= (help)