କୋଣାର୍କ ପଥର ଖୋଦେଇ କାମ

ଉଇକିପିଡ଼ିଆ‌ରୁ
କୋଣାର୍କ ପଥର ଖୋଦେଇ କାମ
Geographical indication
Alternative namesKonark Stone Carving
Typeହସ୍ତଶିଳ୍ପ, ପଥର
Areaକୋଣାର୍କ, ପୁରୀ ଜିଲ୍ଲା, ଓଡ଼ିଶା
Countryଭାରତ
Materialପଥର

କୋଣାର୍କ ପଥର ଖୋଦେଇ କାମ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାରେ ପ୍ରଚଳିତ । ଏହା ପୁରୀରେ ଥିବା ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ଏବଂ ଓଡ଼ିଶାର ଅନ୍ୟ ମନ୍ଦିରମାନଙ୍କରେ ଫୁଟି ଉଠିଥିବା କଳାକୃତିରୁ ଅନୁମେୟ । ଅନ୍ୟ ମହତ୍ୱପୂର୍ଣ୍ଣ ଐତିହ ଯଥା ଉଦୟଗିରି ସ୍ତୁପ, ରତ୍ନଗିରି, କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ଚକ, ପରିସରରେ ନିର୍ମିତ ଅଶ୍ୱ, ସିଂହ, ହାତୀ ଏବଂ ଅନ୍ୟ କଳାକୃତି ଆଦି ପଥର ଖୋଦେଇ କଳାର ଶ୍ରେଷ୍ଠ ନିଦର୍ଶନ ଅଟେ ।

ଏହି ହସ୍ତକଳା ଓଡ଼ିଶାର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳେ । ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ ଜିଲ୍ଲାର ଲଳିତଗିରି, ଆଉ ମଧ୍ୟ ମୟୁରଭଞ୍ଜ ଜିଲ୍ଲାର ଖିଚିଂ ଆଦି ଅଂଚଳରେ ଅନେକ କାରିଗରଙ୍କ କୌଳିକ ବୃତ୍ତି ଆଟେ । ଏଥି ସହ ଓଡ଼ିଶାରେ ପଥର ଖୋଦେଇ କାମ ଏକ ପ୍ରଧାନ ହସ୍ତଶିଳ୍ପ ଅଟେ । ଗ୍ରାହକଙ୍କ ରୁଚି ଜିନିଷ (ଗୃହ ସାଜସଜ୍ଜା ଉପକରଣ) ତିଆରିରେ ମୁଖ୍ୟ ଭୂମିକା ନେଇଥାଏ । [୧] ଏହି କାମ ପୁରୀ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳେ । ଏହି କାମର ବ୍ୟବସାୟ ପାଇଁ ବିଶେଷ କିଛି କରିବାକୁ ପଡ଼ିନଥାଏ । କୋଣାର୍କର ସୂର୍ଯ୍ୟ ମନ୍ଦିରର ଉଦାହରଣ ହିଁ ଯଥେଷ୍ଟ ହୁଏ । ଏହା ଆବେଦନ ପତ୍ର ସଂଖ୍ୟା ୮୭ରେ ଏକ ଭାରତୀୟ ଭୌଗଳିକ ସଂକେତ (GI-Geographical Indication) ଭାବେ ସରକାରୀ ମାନ୍ୟତା ପାଇଛି ।

କୋଣାର୍କର ସୂର୍ଯ୍ୟ ମନ୍ଦିରରେ ବ୍ୟବହୃତ ଲୋହିତ ପଥର, ବାଲି ପଥର ସହ ଶିଳ୍ପୀମାନଙ୍କ ଶୁକ୍ଷ୍ମ କାରୁକାର୍ଯ୍ୟ ଓଡ଼ିଶାକୁ ବିଶ୍ୱ ଦରବାରରେ ଗୌରବାନ୍ୱୀତ କରିଥାଏ । ଓଡ଼ିଶାର ଏହି କାରିଗରୀ ଏତେ ଆକର୍ଷକ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସାମିଲ କରାଯାଏ ।

ବ୍ୟବହୃତ ପଥର[ସମ୍ପାଦନା]

ଓଡ଼ିଶାର ଶିଳ୍ପୀମାନେ ବିଭିନ୍ନ ପ୍ରକାରର ପଥର ବ୍ୟବହାର କରିଥାନ୍ତି । ବାଲି ପଥର, ଶୀପ ପଥର, ସର୍ପେଣ୍ଟାଇନ ପଥର, ରାଜସ୍ଥାନ ମାର୍ବଲ, ଏବଂ ଗ୍ରାନାଇଟ ଏହି କାମ ପାଇଁ ବଛା ଯାଇଥାଏ [୨] ଶିଳ୍ପୀମନେ ହାଲକା ପଥର ଖଡ଼ି ପଥରଠୁ ଆରମ୍ଭ କରି ଆଉ ଟିକେ କଠିନ ପଥର କୋଚିଲା ପଥର (greenish chlorite), ଆହୁରି କଠିନ ପଥର ସାହାଣ ପଥର (pinkish Khandolite) ଅଥବା ବଉଳା ପଥର ଏବଂ ସବୁଠୁ କଠିନ କଳା ମୁଗୁନି ପଥର ଆଦିକୁ ଅତି ସାବଧାନର ସହ ରୂପ ଦେଇଥାନ୍ତି ।

ବ୍ୟବହୃତ ସଜ[ସମ୍ପାଦନା]

ବିଭିନ୍ନ ଆକାର ଏବଂ ମାପର ମୁଗୁରଏବଂ ନିହଣ ଏବଂ ମୁନ, ପାତିଳି,ମାର୍ତୁଲ, ଠୁକୁ-ଠୁକି ଆଦି ବ୍ୟବହାର ହୁଏ

ନିର୍ମାଣ ଶୈଳୀ[ସମ୍ପାଦନା]

ପଥର ନରମ ହେଉ କି କଠିନ ହେଉ ପ୍ରଥମେ ଏକ ଅଙ୍କନ ରେଖା ଟଣାହୁଏ । ତାପରେ ସେହି ଆକାରରେ କଟାଯାଏ । ଶେଷ ରୂପ ଅଦରକାରୀ ଅଂଶକୁ ଖୋଦନ କରି ବାହାର କରିଦିଆଯାଏ । କଠିନ ପଥର ଥିଲେ ଅଦରକାରୀ ଅଂଶକୁ ନିହଣରେ ଖୋଦେଇ କରି ବାହାର କରାହୁଏ ଏବଂ ନରମ ପଥର ଥିଲେ ଏକ ତିକ୍ଷ୍ଣ ସମତଳ ଧାର ଥିବା ଲୁହା ସଜରେ ଖୋଦେଇ ହୋଇଥାଏ ।

ଉତ୍ପାଦ ଏବଂ ବ୍ୟବହାର[ସମ୍ପାଦନା]

ପାରମ୍ପରିକ ଏବଂ ପୌରାଣିକ କଥାବସ୍ତୁ କଳାକୃତିମାନ, ଗୃହ ସାଜସଜ୍ଜା ଉପକରଣ ଯଥା ମହମବତୀ ଦାନି,କଲମ ଦାନି, ବହି ଦାନି ଏବଂ ଦୀପଦାନି, ପଥର ବାସନ, କୁଣ୍ଡ, ପାଲିସ ଥାଳି, ଗିନା, ପଥୁରୀ, କପ, ଗିଲାସ ଆଦି ତିଆରି କରାଯାଏ । ଏହି ସବୁ ଉପକରଣଗୁଡ଼ିକ ପୂଜାପୁଜି ଏବଂ ଦୈନନ୍ଦିନ ବ୍ୟବହାରକୁ ଦୃଷ୍ଟିରେ ରଖି ଗଠନ ଭିନ୍ନ ହୋଇଥାଏ ।ଦହି ପଥୁରୀରେ ରଖିଲେ ସତେଜ ରୁହେ ଏହା ସହିତ ଅମ୍ଲିୟ ପ୍ରତିକ୍ରିୟା ହୁଏନାହିଁ । ଆହୁରି ମଧ୍ୟ କାଠ ଆଲମିରା ପାଇଁ ପଥର ତିଆରି ଖୁରାମାନ ବ୍ୟବହାର କରି ପାଣିଦେଇ ରଖିଲେ ଆଲମିରା ମଧ୍ୟକୁ ପିମ୍ପୁଡ଼ି ପ୍ରବେଶ କରିପାରି ନଥାନ୍ତି ।[୩]

ଆଧାର[ସମ୍ପାଦନା]

  1. "Stone carving in Orissa". www.incredibleodisha.org/. Archived from the original on 15 March 2016. Retrieved 31 January 2016.
  2. "STONE CARVING". www.orupa.org. Retrieved 31 January 2016.
  3. "Stone Carving". odishatourism.gov.in. Archived from the original on 7 February 2016. Retrieved 31 January 2016.