ଜହ୍ନିଓଷା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ।[୧] ଏହି ଓଷା କୁମାରୀମାନଙ୍କଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ । ମାସସାରା ପ୍ରତି ଅପରାହ୍‌ଣରେ ଜହ୍ନିଫୁଲ ଫୁଟିବା ପରେ ଜହ୍ନିଫୁଲକୁ ନେଇ ତୁଳସୀ ଚଉରା ମୂଳେ କୁମାରୀମାନେ ବୃନ୍ଦାବତୀଙ୍କୁ ପୂଜା କରନ୍ତି ।[୨] ଏଥିରେ ଲିଆ, ଉଖୁଡ଼ା, କଦଳୀ, କାକୁଡ଼ି ଆଦି ଭୋଗ କରନ୍ତି । ଗୀତ ବୋଲି, ହୁଳହୁଳି ଦେଇ ଝିଅମାନେ ସଞ୍ଜ ବେଳେ ଏହି ଓଷା ପାଳନ କରିଥାନ୍ତି । ଅପରାହ୍‌ଣରେ ଝିଅମାନେ ଚଉରାମୂଳରେ ଜହ୍ନିଫୁଲ ତଥା ଅନ୍ୟାନ୍ୟ ଫୁଲରେ କୋଠି ତିଆରି କରି କଳସ ସ୍ଥାପନା କରନ୍ତି ଏବଂ ଜହ୍ନିଓଷା ବହି ପଢ଼ି ପୂଜା କରନ୍ତି। ଗୀତ ଗାଇ ଗାଇ ବୃନ୍ଦାବତୀଙ୍କୁ ଜହ୍ନି ଫୁଲର ଆଞ୍ଜୁଳି ଦିଅନ୍ତି । କୁଷ୍ଠ ରୋଗରୁ ମୁକ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଜହ୍ନିଓଷା କରାଯିବାର କଥିତ ଅଛି । [୩] ମାସସାରା ଓଷା ନକରିପାରିଲେ କୁମାର ପୂର୍ଣ୍ଣିମା ପୂର୍ବରୁ ୧୫ଦିନ ଅଥବା ୫ଦିନ ମଧ୍ୟ ଏହି ଓଷା କରାଯାଏ । ଓଷା ବିଧି ଓ ପରମ୍ପରା ସହ ଅପରାହ୍‌ଣରେ ଗୀତ ଗାଇ ପୁଚି ଖେଳିବା ଏବଂ ଆନନ୍ଦ ଉଲ୍ଲାସରେ କିଛି ସମୟ କାଟିବା କୁମାରୀମାନଙ୍କ ପାଇଁ ଏକପ୍ରକାର ବ୍ୟାୟାମ ବୋଲି ବିଚାର କରାଯାଏ ।[୪]

କିମ୍ବଦନ୍ତୀ[ସମ୍ପାଦନା]

ଏହି ଓଷାରେ ଦୀନକୃଷ୍ଣ ଦାସଙ୍କର ରଚିତ "ଜହ୍ନିଓଷା କଥା" ପଠିତ ହୁଏ ଯେଉଁଥିରେ ବିଭିନ୍ନ ଛାନ୍ଦରେ ଭିନ୍ନ ଭିନ୍ନ କିମ୍ବଦନ୍ତୀ ବଖଣାଯାଇଛି । ଏହି କାବ୍ୟଏକାଦଶ ଅକ୍ଷରୀ ପଦ୍ୟରେ ପାଞ୍ଚ ଛାନ୍ଦରେ ବିଭକ୍ତ । ଏଥିରେ ମହାରାଷ୍ଟ୍ର, ଉଡ୍ରରାଷ୍ଟ୍ର (ଓଡ଼ିଶା), କର୍ଣ୍ଣାଟ (କର୍ଣ୍ଣାଟକ), ବିରାଟ ଦେଶ, ସୌରାଷ୍ଟ୍ର ଦେଶ ଇତ୍ୟାଦି ପାଞ୍ଚ ଦେଶରେ ଓଷାର ମହିମା ପାଳନର ବିଧି ଓ ସୁଫଳର କାହାଣୀ ବର୍ଣ୍ଣିତ ହୋଇଛି ।

ପ୍ରଥମ ଛନ୍ଦରେ ଓଷା ନିନ୍ଦାର କୁପରିଣତି ବଖଣାଯାଇଛି । ଆଶ୍ୱିନମାସ ତିରିଶ ଦିନ ଯାଏ ବାଳୁତ ଝିଅମାନେ ଏକମେଳ ହୋଇ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି କାଟି ଓଷା କରନ୍ତି । ଲିଆ ଉଖୁଡା ଆଦି ଭୋଗ ଲଗାନ୍ତି । ଚଉରା ଉପରେ ଜହ୍ନି ଫୁଲରେ ଆଞ୍ଜୁଳା ଦିଅନ୍ତି । ଦିନେ ମହାରାଷ୍ଟ୍ରଦେଶରେ ଜମ୍ବୁବତୀ ବୋଲି ଜଣେ ନାରୀ ଏହି ଓଷାକୁ ଥଟ୍ଟାକଲା । ଝିଅମାନେ ମୁଢ଼ି ଖାଇବାକୁ ଏହି ଓଷା କରୁଛନ୍ତି ବୋଲି କହିଲା । ଫଳରେ ବୃନ୍ଦାବତୀ ରାଗିଲେ । ସର୍ପ ଜମ୍ବୁବତୀର ସୁପ୍ତ ପୁତ୍ରକୁ ଦଂଶନ କଲା । ମୃତ ପୁତ୍ରକୁ ଧରି ବାହୁନୁଥିବା ସମୟରେ ତା’ର ସ୍ୱାମୀ ମହେଶ୍ୱର ଆସି ପହଞ୍ଚିଲା । ଓଷା ନିନ୍ଦାର ପରିଣତି ସ୍ୱରୂପ ଏପରି ଘଟିଥିବାର ଜାଣି ସେମାନେ ବୃନ୍ଦାବତୀଙ୍କୁ ଯାଇ ପ୍ରାର୍ଥନା କଲେ । ନାନା କାକୁତି ମିନତି ହେବା ପରେ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ ଏବଂ ତା’ର ମୃତ ପୁତ୍ରକୁ ଜୀବନ୍ୟାସ ଦେଲେ ।

ଦ୍ୱିତୀୟ ଛାନ୍ଦରେ ଏକ ସାଧବ ପରିବାରର କାହାଣୀ ବର୍ଣ୍ଣିତ । ଓଡ୍ର ରାଷ୍ଟ୍ରପୁରରେ ଭଗୀରଥୀ ନାମକ ଜଣେ ସାଧବ ତା’ର ପାଞ୍ଚପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର କରିଥିଲେ। ତାହାଙ୍କ ଝିଅ ରାଧୀକି କୁଷ୍ଠରୋଗ ହେଲା । ତା’ମାଆ ସୁକାନ୍ତୀ ଦିନେ ପିଲାଏ ଚଉରା ମୂଳେ ଜହ୍ନିଓଷା ପୂଜୁଥିବାର ଦେଖିଲା । ଏହି ଓଷା କଲେ ରୋଗ ନାଶ ହୁଏ ବୋଲି ସେ ସେଠାରୁ ଶୁଣିଲା। ତା’ଝିଅର ବ୍ୟାଧି ନାଶ ହେଲେ ପାଞ୍ଚବର୍ଷ ଯାଏ ଜହ୍ନିଓଷା ପୂଜିବ ବୋଲି ମାନସିକ କଲା । ଓଷେଇତି ଝିଅମାନେ ତା’ନାଁରେ ହୁଳହୁଳି ଦେଲେ । ପରବର୍ତ୍ତୀ ଜହ୍ନିଓଷା ବେଳେ ରାଧୀ ତା’ମାଆକୁ ଓଷା ପାଇଁ ‘ଭୂଜା’(ମୁଢ଼ି) ମାଗିଲା । ମାଆ ବିରକ୍ତ ହୋଇ ଓଷା ପୂଜିବାକୁ ମନା କରିଦେଲା । ଫଳରେ ବୃନ୍ଦାବତୀ ରାଗି ତା’ର ପାଞ୍ଚ ପୁଅକୁ ନେଇ କୋରଡ଼ ଭିତରେ ଲୁଚାଇ ଦେଲେ । ସୁକାନ୍ତୀ ବାହୁନି କାନ୍ଦିଲା । ପୁଅକୁ ପାଇଲେ ପାଞ୍ଚଟି କାକରା ଭୋଗ କରିବ ବୋଲି ବୃନ୍ଦାବତୀଙ୍କ ପାଖରେ ମାନସିକ କଲା । ଝିଅ ଓଷା କରୁ ବୋଲି ସ୍ୱପ୍ନରେ କହିଲେ । ରାଧୀ ପାଞ୍ଚଟି କାକରା ଦେଇ ଓଷା ପୂଜିଲା । ପାଞ୍ଚପୁଅ ଫେରି ଆସିଲେ ।

ତୃତୀୟ ଛାନ୍ଦରେ କର୍ଣ୍ଣାଟ ଦେଶର ପୀତାମ୍ବର ତା’ର ପତ୍ନୀ ପ୍ରିୟବତୀ କଥା କୁହାହୋଇଛି । ସେମାନଙ୍କର ସାତପୁଅରେ ଗୋଟିଏ ଝିଅ । ଗେଲବସରର ସେହି ଝିଅ ତା' ମାଆକୁ ପୂଜା କରିବାକୁ କହିଲା । ପ୍ରିୟବତୀ ଖୁସି ହୋଇ ତା’ପାଇଁ ଭୁଜା ଉଖୁଡ଼ା ଆଦି ପୂଜା ଜିନିଷ ଯୋଗାଡ଼ କରିଦେବାରୁ ସେ ପୂଜା କଲା ।

ଚତୁର୍ଥ ଛାନ୍ଦରେ ବିରାଟ ଦେଶର କଥା ବଖାଣ ହୋଇଛି। ବିରାଟ ଦେଶର ଧନେଶ୍ୱର ଓ ତା’ର ସ୍ତ୍ରୀ ପଦ୍ମାବତୀଙ୍କର ଗୋଟିଏ ପୁଅ ଓ ତିନିଝିଅ । ଝିଅମାନେ ଓଷା ପୂଜିବାକୁ ମନ କଲେ । ମା’ କହିଲେ ତୁମର ଏ ଓଷା କରିବା ବିହିତ ନୁହେଁ । ବୃନ୍ଦାବତୀ ସ୍ୱପ୍ନରେ ପଦ୍ମାବତୀକୁ କହିଲେ ତୋ ଝିଅମାନଙ୍କୁ କାହିଁକି ଓଷା ପୂଜିବାକୁ ମନା କଲୁ ? ସେମାନେ ଯଦି ଏ ଓଷା ନ କରିବେ ତେବେ ସାତଦିନ ଭିତରେ ତୋ ପୁଅ ମରିବ । ସେ ନିଦରୁ ଉଠି ଝିଅମାନଙ୍କୁ ଏ ଓଷା ପୂଜା କରିବାକୁ କହିଲା ।

ପଞ୍ଚମ ଛାନ୍ଦରେ ସୌରାଷ୍ଟ୍ର ଦେଶର କଥା ବଖଣା ହୋଇଛି । ଏଥିରେ ଜହ୍ନିଫୁଲ ଛିଣ୍ଡାଇବା ମନା । କିନ୍ତୁ ସେ ଦେଶର ରାଜଜେମା ଜହ୍ନିଫୁଲ ଛିଣ୍ଡାଇବାରୁ ତା’ ହାତ ଖଣ୍ଡ ଖଣ୍ଡ ହୋଇଗଲା । ମାଆକୁ କାନ୍ଦି କାନ୍ଦି ଆସି ସେ କଥା କହିଲା । ମାଆ କାନ୍ଦି କାନ୍ଦି କେଉଁ ବିଧାତା ଏହାକଲେ ବୋଲି ବିକଳ ହେଲା । ବୃନ୍ଦାବତୀ ତା’ ମନକଥା ଜାଣିଲେ । ରାଣ୍ଡୀ ବ୍ରାହ୍ମଣୀ ରୂପରେ ତା’ପୁରକୁ ଆସିଲେ । ସେ ଜହ୍ନି ଛିଣ୍ଡାଇବା କଥା ଶୁଣି ଓଷଦ ଦେଇଗଲେ ଓ ଝିଅ ଜହ୍ନିଓଷା କରୁବୋଲି ପରାମର୍ଶ ଦେଲେ । ସେ ଓଷଦ ବାଟି ବୋଳି ଦେବାରୁ ହାତ କଅଁଳିଲା । ଆଶ୍ୱିନମାସ ହେଲାରୁ ଝିଅ ଓଷା କରିବାକୁ କହିଲା । ସେଥିରେ ବୃନ୍ଦାବତୀ ସବୁ ପୂଜା ସଜ ଯୋଗାଇଲେ । ସେ ବାଳଝିଅମାନଙ୍କ ସହିତ ମିଶି ପୂଜାକଲା ।[୫]

ପାଳନ ବିଧି[ସମ୍ପାଦନା]

କୁମାରୀ[ସମ୍ପାଦନା]

ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀମାନେ ତୁଳସୀ ଦେବୀଙ୍କ ନିକଟରେ ଏହି ଓଷା ପାଳନ କରନ୍ତି । ବିଭିନ୍ନ ଗୀତ, ଖେଳ, ହୁଳହୁଳି ସହିତ ଝିଅମାନେ ଏହା ପାଳନ କରିଥାନ୍ତି। ଦୀନକୃଷ୍ଣ ଦାସଙ୍କ ରଚିତ "ଜହ୍ନିଓଷା କଥା"ର ୧ମ ଓ ୫ମ ଛାନ୍ଦରେ ପୂଜାବିଧିର ବର୍ଣ୍ଣନା ଅଛି । ଓଷେଇତି ଝିଅମାନେ ମିଳିତ ହୋଇ ଗୀତ ବୋଲି ପୂଜା କରନ୍ତି । [୫] ଜହ୍ନିଓଷାରେ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପୂଜା କରାଯାଇଥାଏ । କୁମାରୀ ମାନେ ସକାଳେ ସୂର୍ଯ୍ୟ ଉଇଁବା ପରେ ନଦୀ-ପୋଖରୀରେ ଗାଧୋଇ ବାଲିପିଣ୍ଡ ଦେଇଥାନ୍ତି । ଏହି ବାଲିପିଣ୍ଡକୁ ବିଭିନ୍ନ ପ୍ରକାରର ଫୁଲରେ ସଜାଇଥାନ୍ତି । ସଞ୍ଜରେ ସେମାନେ ତୁଳସୀ ଚଉରା ମୂଳ ଜହ୍ନିଫୁଲରେ ସଜାଇ ଲିଆ ଭୋଗ କରିଥାନ୍ତି । ଏହି ମାସ ସାରା ଓଷାକାରିଣୀ ଝିଅମାନେ ଜହ୍ନି ଖାଇନଥାନ୍ତି । ସଞ୍ଜ ବେଳେ ଝିଅମାନେ ଜହ୍ନିଓଷା ଗୀତ ବୋଲିଥାନ୍ତି । ଏହି ସମୟରେ ସେମାନେ ପୁଚିଦଉଡ଼ିଡିଆଁ ମଧ୍ୟ ଖେଳିଥାନ୍ତି ।

ପୁରୁଷ[ସମ୍ପାଦନା]

ପୁରୁଷମାନେ ରାତିରେ ଉଜାଗର ରହି ପଶାତାସ ଖେଳିଥାନ୍ତି । ଏହି ଦିନ ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ।[୬]

ଆଧାର[ସମ୍ପାଦନା]

  1. ଗୋପାଳ ଚନ୍ଦ୍ର ପ୍ରହରାଜ. "ଜହ୍ନିଓଷା". Retrieved 24 September 2013. 
  2. "Festival & Fairs". Welcomeorissa.com. Retrieved 24 September 2013. 
  3. "HEALTH AND MEDICINE IN COLONIAL ORISSA". Social Scientist 26 (306-307): 13. Dec 1998. Retrieved 24 September 2013. 
  4. ସମ୍ବାଦ, ପୃଷ୍ଠା-୨, ୨୪ସେପ୍ଟେମ୍ବର, ୨୦୧୩
  5. ୫.୦ ୫.୧ ଅରବିନ୍ଦ ପଟ୍ଟନାୟକ, ବ୍ରତ ସାହିତ୍ୟ, ISBN:81-7586-183-5
  6. ପ୍ରଧାନ, ବାସୁଦେବ (୭ ଅକ୍ଟୋବର ୨୦୧୪). "କୁମାରୋତ୍ସବର ତାତ୍ପର୍ଯ୍ୟ". ଧରିତ୍ରୀ. http://www.dharitri.com/epaper/071014/p6.htm. Retrieved ୭ ଅକ୍ଟୋବର ୨୦୧୪.