ଉଇକିପିଡ଼ିଆ:ମାସର ବଛା ଲେଖା/୨୦୧୫

ଉଇକିପିଡ଼ିଆ‌ରୁ

ଜାନୁଆରୀ ୨୦୧୫
ସ୍ଵାମୀ ବିବେକାନନ୍ଦ

ସ୍ଵାମୀ ବିବେକାନନ୍ଦ (୧୮୬୩ - ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖ ମକର ସଂକ୍ରାନ୍ତି ଦିନ କଲିକତାର ସିମଳାପଲ୍ଲୀରେ ବିଶ୍ଵନାଥ ଦତ୍ତ ଓ ଭୁବନେଶ୍ଵରୀ ଦେବୀଙ୍କ ପ୍ରଥମ ପୁତ୍ର ରୁପେ ନରେନ୍ଦ୍ରନାଥ ଦତ୍ତ ଜନ୍ମ ଗ୍ରହଣ କରିଥିଲେ । ୧୭ ବର୍ଷ ବୟସରେ ପ୍ରଥମଶ୍ରେଣୀରେ ଏଣ୍ଟ୍ରାସ ପାସ କରିବା ପରେ ସେ ଏକ ବର୍ଷ ପ୍ରେସିଡେଣ୍ଟ କଲେଜରେ ପଢ଼ି, ବାକି ତିନିବର୍ଷ ଜେନେରାଲ୍ ଆସେମ୍ଲି ଇନଷ୍ଟିଚ୍ୟୁଟରେ ସ୍ନାତକୋତ୍ତର ପଢ଼ିଥିଲେ ।

୧୮୮୧ ମସିହାର ନଭେମ୍ବର ମାସରେ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ନରେନ୍ଦ୍ରଙ୍କର ଜୀବନ ଧାରାଟିକୁ ପରିବର୍ତ୍ତିତ କରିଦେଇଥିଲା । ୧୮୮୭ର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇ ମାନଙ୍କ ସହିତ ବିରଜା ହୋମ କରି ସନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୁଷିତ ହେଲେ । ୧୮୮୮ ସାଲରେ ପରିବ୍ରାଜକ ବେଶରେ ମଠ ତ୍ୟାଗ କରନ୍ତି ବିବେକାନନ୍ଦ । ପରିବ୍ରାଜକ ଜୀବନରେ ତାଙ୍କ ସହିତ ଥିଲା ଦଣ୍ଡ, କମଣ୍ଡଳୁ ଓ ତାଙ୍କର ଦୁଇଟି ପ୍ରିୟ ଗ୍ରନ୍ଥ‌‌ -ଗୀତା ଓ ଈଶାନୁସରଣ । ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ଵଧର୍ମ ସମ୍ମିଳନୀରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ ।

୪ ଜୁଲାଇ, ୧୯୦୨ରେ ସମାଧିସ୍ଥ ଅବସ୍ଥାରେ ବିବେକାନନ୍ଦ ଦେହ ତ୍ୟାଗ କରିଥିଲେ ।

ପୁରା ପଢ଼ନ୍ତୁ...


ଫେବୃଆରୀ ୨୦୧୫

କାମଳ ରୋଗୀଙ୍କ ହଳଦିଆ ମୁହଁ

କାମଳ ବା ଜଣ୍ଡିସ୍ ଗୋଟିଏ ନିର୍ଦ୍ଦିଷ୍ଟ ରୋଗ ନୁହେଁ, ଏହା ଏକ ଲକ୍ଷଣ ଯାହା ଅନେକ ରୋଗମାନଙ୍କରେ ଦେଖାଯାଏ । ସାଧାରଣତଃ ଯକୃତ କର୍କଟ ଓ ହେପାଟାଇଟିସ ରୋଗରେ ଏହି କାମଳ ରୋଗ ଦେଖାଯାଏ । ଏହାକୁ ପାଣ୍ଡୁରୋଗ, ପୀତକାମଳ ରୋଗ, ହଳଦିଆ କାମଳ ରୋଗ ମଧ୍ୟ କୁହାଯାଏ ।

ଚର୍ମ, ମ୍ୟୁକସ ଝିଲ୍ଲୀ ଓ କଞ୍ଜଙ୍କଟାଇଭା (ଆଖିର ଧଳା ଦେଖାଯାଉଥିବା ଅଂଶ) ହଳଦିଆ ରଙ୍ଗ‌ଯୁକ୍ତ ହେବା ଏହି ରୋଗର ମୂଖ୍ୟ ଲକ୍ଷଣ । ରକ୍ତରେ ଥିବା ବିଲିରୁବିନ ନାମକ ଏକ ପଦାର୍ଥର ଅତ୍ୟଧିକ ଉପସ୍ଥିତି ଯୋଗୁ ଏହି ହଳଦିଆ ରଙ୍ଗ ଦେଖାଯାଏ ଓ ଏହି ଅବସ୍ଥାକୁ ହାଇପରବିଲିରୁବିନେମିଆ କହନ୍ତି । ରକ୍ତରେ ବିଲିରୁବିନ ସ୍ତର ବଢ଼ିଲେ ସର୍ବପ୍ରଥମେ କଞ୍ଜଙ୍କଟାଇଭା ହଳଦିଆ ଦେଖାଯାଏ । ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ମଧ୍ୟ ପ୍ରକୃତରେ ତାହା ହଳଦିଆ ହୁଏନି, ତାହାର ଆବରଣ ଯାହାର ନାମ କଞ୍ଜଙ୍କଟାଇଭା ତାହା ହଳଦିଆ ହୁଏ ।

ବିଲିରୁବିନ ମେଟାବୋଲିଜ୍‌ମ ଗୋଳମାଳ ଯୋଗୁ କାମଳ ଯକୃତ ପୂର୍ବରୁ, ଯକୃତରେ ଓ ଯକୃତ ପରେ ଏହିପରି ତିନି ସ୍ଥାନରେ ହୋଇପାରେ । କୋଆଗୁଲୋପାଥି, ତରଳ ପଦାର୍ଥ/ ଏଲେକ୍ଟ୍ରୋଲାଇଟ, ଆଣ୍ଟିବାୟୋଟିକ ଓ ବିଲିଆରି ନିଷ୍କାସନ କରି ଏହାର ଚିକିତ୍ସା କରାଯାଏ ।

ପୁରା ପଢ଼ନ୍ତୁ...


ମାର୍ଚ୍ଚ ୨୦୧୫

ସାମୁଏଲ ସାହୁ (ବାବି ଭାବେ ଅଧିକ ଜଣାଶୁଣା) ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ । ୨୨ ମାର୍ଚ ୧୯୧୮ରେ ବାବି ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମିଶନ ସ୍କୁଲରେ ପଢୁଥିବା ସମୟରେ ସେ 'ମାଙ୍କଡ଼' ନାମକ ନାଟକରେ, ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ । ଏହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା । ମିଶନ ସ୍କୁଲରୁ ମାଟ୍ରିକ ପାସ କଲାପରେ ସେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା କରିଥିଲେ । ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି, ସାମୁଏଲ ବିହାରର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ଵିତୀୟ ବିଶ୍ଵଯୁଧ୍ୟ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ, ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ, ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେ ବହୁ ନାଟକରେ ଅଭିନୟ କରିଥିଲେ ।

୧୯୪୯ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ମାଧ୍ୟମରେ, ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି


ପୁରା ପଢ଼ନ୍ତୁ...


ଅପ୍ରେଲ ୨୦୧୫

ଅମୃତା ସେରଗିଲ (୧୯୧୩ - ୧୯୪୧) ଭାରତର ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ । ବିଂଶ ଶତାବ୍ଦୀର ଭାରତରେ ତାଙ୍କୁ ଜଣେ ଅତି ଗୁରୁତ୍ଵପୂର୍ଣ୍ଣ ଚିତ୍ରଶିଳ୍ପୀ ଭାବେ ବର୍ଣ୍ଣନା କରାଯାଏ ଯିଏ ଚିତ୍ରକଳାରେ ଅଦ୍ଭୁତପୂର୍ବ ନଗଜାଗରଣ ସୃଷ୍ଟି କରିଥିଲେ । ୩୦ ଜାନୁଆରୀ ୧୯୧୩ରେ ହଙ୍ଗେରୀର ବୁଦାପେଷ୍ଟ ଠାରେ ଅମୃତା ସେରଗିଲଙ୍କ ଜନ୍ମ । ୧୯୨୧ ମସିହାରେ ତାଙ୍କର ପରିବାର ଶିମଲାର ସମରହିଲକୁ ସ୍ଥାନାନ୍ତରିତ ହୋଇଥିଲେ । ଶିମଲାକୁ ଆସିବାପରେ ଅମୃତା ପିଆନୋ ଓ ବେହେଲା ଶିଖିଲେ । ମାତ୍ର ୯ ବର୍ଷ ବୟସରେ ସେ ତାଙ୍କର ସାନ ଭଉଣୀ ଇନ୍ଦିରାଙ୍କ ସହିତ ମିଶି ଶିମଲାର ଏକ ଥିଏଟରରେ କନସର୍ଟ ପ୍ରୋଗାମ କରି କରି ଦର୍ଶକମାନଙ୍କୁ ଚମତ୍କୃତ କରିଦେଇଥିଲେ ।

ଅମୃତା ବିଧିବଦ୍ଧ ଭାବରେ ୮ବର୍ଷ ବୟସରେ ପେଣ୍ଟିଂ ଶିଖିବା ଆରମ୍ଭ କରିଥିଲେ । ତାଙ୍କୁ ୧୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ମାଆ ମେରୀ ତାଙ୍କୁ ୟୁରୋପୀୟ ଚିତ୍ରଶିଳ୍ପୀଙ୍କ ଦ୍ଵାରା ତାଲିମ ପ୍ରଦାନ କରାଇବା ନିମନ୍ତେ ୟୁରୋପ ନେଇଥିଲେ । ଅମୃତା ପ୍ରଥମେ ତତ୍କାଳର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପିଏରେ ଭାଇଲ୍ୟାଣ୍ଟଙ୍କ ଠାରୁ ଏବଂ ପରେ ଇକୋଲୋ ଡେସ୍ ବିୟକ୍ସ-ଆର୍ଟ୍ସ ସେଣ୍ଟରରେ ଚିତ୍ରକଳାରେ ତାଲିମ ନେଇଥିଲେ ।


ପୁରା ପଢ଼ନ୍ତୁ...


ମଇ ୨୦୧୫

ବାଳକୃଷ୍ଣ ଦାସ (୧୯୨୩ - ୧୯୯୩) କଟକ ଜିଲ୍ଲାର ସୁନ୍ଦର ଗାଁରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ସଙ୍ଗୀତକାର ଓ ପ୍ରଚ୍ଛଦପଟ୍ଟ ଗାୟକ ।

ବାଳକୃଷ୍ଣ ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ ବାଳକୃଷ୍ଣଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା କଟକ ସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷୀତିଷ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ ।

୧୯୪୮ ମସିହାରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହେବାପରେ ସେ ଷ୍ଟାଫ କଳାକାର ଭାବରେ ଯୋଗଦାନ କରିଥିଲେ । ୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, ମୋଟ ୧୮ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି ।


ପୁରା ପଢ଼ନ୍ତୁ...


ଜୁନ ୨୦୧୫

ଫକୀର ମୋହନ

ଫକୀର ମୋହନ ସେନାପତି (୧୮୪୩ - ୧୯୧୮) ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଏକ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ଫକୀରମୋହନଙ୍କ ପାଣ୍ଡିତ୍ୟରେ ପ୍ରଭାବିତ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ବିମ୍ସ ସାହେବ ତାଙ୍କୁ ନୀଳଗିରିର ଦିୱାନ ପଦ ଗ୍ରହଣ କରିବା ଲାଗି ଅନୁରୋଧ କଲେ । ଫକୀରମୋହନ ମଧ୍ୟ ଏହି ପ୍ରସ୍ତାବ ଗ୍ରହଣ କଲେ । ଏହା ପରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନମାନଙ୍କରେ ଦିୱାନ ଦାୟିତ୍ୱ ତୁଲାଇଥିଲେ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ପରିଚିତ । ୧୮୯୭ ରୁ ୧୯୧୫ ମଧ୍ୟରେ ସେ ଚାରୋଟି ଉପନ୍ୟାସ - ଛ ମାଣ ଆଠ ଗୁଣ୍ଠ, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ରଚନା କରିଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ 'ରେବତୀ'ର ଲେଖକ ।

ପୁରା ପଢ଼ନ୍ତୁ...


ଜୁଲାଇ ୨୦୧୫

ଅଣସର ସମୟରେ ପୂଜା କରାଯାଉଥିବା ପଟ୍ଟିଦିଅଁ

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ କରିବା ନୀତି ନବକଳେବର ଭାବେ ପରିଚିତ । ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ନବକଳେବର ୨୦୧୫, ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଇଛି ।

ନବକଳେବର ବିଧି ବିଧାନରେ ବାରଗୋଟି ସୋପାନ ରହିଛି, ସେଗୁଡିକ ହେଲା: ୧. ବନଯାଗ ଯାତ୍ରା ୨. ମହାଦାରୁ ନିର୍ଣ୍ଣୟ ୩. ଶବରପଲ୍ଲୀ ନିର୍ମାଣ ୪. ପାରମ୍ପରିକ ବୈଦିକ କର୍ମ ୫. ମହାଦାରୁଙ୍କ ଚ୍ଛେଦନ ୬. ମହାଦାରୁଙ୍କ ଶ୍ରୀକ୍ଷେତ୍ରକୁ ଯାତ୍ରା ୭. ଦାରୁଶାଳା ନିର୍ମାଣ ୮. ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟ ୯. ବ୍ରହ୍ମୋତ୍ସବ ଲୀଳା ୧୦. ଗୋଲୋକ ଲୀଳା ୧୧. ଦଇତାପତିମାନଙ୍କ ଶୁଦ୍ଧିକ୍ରିୟା ୧୨. ଦାରୁ ବିଗ୍ରହଙ୍କ ପୂର୍ଣ୍ଣ ରୂପାୟନ ଓ ନବକଳେବର ଦର୍ଶନ

ବନଯାଗ ଯାତ୍ରାରେ ନଅ ପ୍ରକାର ସେବକ ଭାଗ ନେଇଥାନ୍ତି । ବାସନ୍ତିକ ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହା ଆରମ୍ଭ ହୋଇଥାଏ ।


ପୁରା ପଢ଼ନ୍ତୁ...


ଅଗଷ୍ଟ ୨୦୧୫

ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ୯ ତାରିଖ, ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମର ଏକ ବୁଣାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଗଙ୍ଗାଧର ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ ଗଙ୍ଗାଧର, ଓଡ଼ିଆ ସାହିତ୍ୟରେ ପ୍ରାଚୀନ ରୀତିଯୁଗର ପରମ୍ପରା ଓ ଆଧୁନିକତାର ସନ୍ଧିକ୍ଷଣରେ ସେ କାବ୍ୟ ସାଧନା କରିଥିଲେ ।

ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଲେଖିଥିଲେ । ପରେ ସେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରିଥିଲେ । କବିଙ୍କ ଦ୍ଵାରା ରଚିତ ତପସ୍ଵିନୀ, ପ୍ରଣୟ ବଲ୍ଲରୀ ଓ ଅର୍ଘ୍ୟଥାଳୀ ଆଦି ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି ।

୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ୪ ଅପ୍ରେଲ ୧୯୨୪, ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।

ପୁରା ପଢ଼ନ୍ତୁ...


ସେପ୍ଟେମ୍ବର ୨୦୧୫

କବି ବୈକୁଣ୍ଠନାଥ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ସମ୍ମାନିତ ସବୁଜଗୋଷ୍ଠୀର ଜଣେ କବି ଥିଲେ । ସେ ୧୯୦୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ବଡ଼ମ୍ବା ନିବାସୀ ସୁମନ୍ତ ପଟ୍ଟନାୟକଙ୍କ ପୁତ୍ରଭାବେ ଜନ୍ମ ଗ୍ରହଣ କରିଥିଲେ ।

ମାଟିବଂଶର ଅବଧାନଙ୍କ ପାଖରେ ବାଲ୍ୟଶିକ୍ଷା ଓ ବଡ଼ମ୍ବାର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କଲାପରେ ସେ କଟକ କଲେଜିଏଟ ବିଦ୍ୟାଳୟରେ ଶିକ୍ଷାଲାଭ କଲେ । ସେ ସମୟର ସ୍ୱାଧିନତା ଆନ୍ଦୋଳନ ଡାକରାରେ ସେ କଲେଜିଏଟ ସ୍କୁଲ ପରିତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ସାହଚର୍ଯ୍ୟ ଓ ବଳିଷ୍ଠ ଶିକ୍ଷାଦାନର ଲାଭ ପାଇଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ସହପାଠୀ ଅନ୍ନଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ହରିହର ଓ ଶରତଚନ୍ଦ୍ରଙ୍କ ସହିତ ମିଶି ସେ ‘ନନସେନ୍ସ କ୍ଲବ’ ନାମକ ସବୁଜ ସାହିତ୍ୟ ସମିତି ଗଠନ କରିଥିଲେ ।

ତାଙ୍କ ପୁତ୍ରୀ ସୁନନ୍ଦା ପଟ୍ଟନାୟକ ହେଉଛନ୍ତି ଜଣେ ହିନ୍ଦୁସ୍ତାନୀ ଗାୟିକା।


ପୁରା ପଢ଼ନ୍ତୁ...


ଅକ୍ଟୋବର ୨୦୧୫

ଗୋପବନ୍ଧୁ ଦାସ

ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ଵାଧିନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ । ସେ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୦୪ ମସିହାରେ ସେଠାରୁ ସ୍ନାତକ ଶିକ୍ଷା ସମାପ୍ତ କରି କଲିକତାରେ ବିଏଲ ପଢ଼ିଥିଲେ ।

୧୯୧୧ ମସିହାରେ ସେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ମିଶ୍ର, ଆଚାର୍ଯ୍ୟ ହରିହରନନ୍ଦ କିଶୋର ଦାସଙ୍କ ସହ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।


ପୁରା ପଢ଼ନ୍ତୁ...


ନଭେମ୍ବର ୨୦୧୫


ଅନ୍ନପୂର୍ଣ୍ଣା ମହାରଣା ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ସ୍ଵାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ଥିଲେ ।

ମାତ୍ର ତେର ବର୍ଷ ବୟସରେ ସେ ସ୍ଵାଧିନତା ସଂଗ୍ରାମରେ ଯୋଗଦାନ କରିଥିଲେ ଓ ୧୯୩୨ ମସିହାରେ ମାତ୍ର ପନ୍ଦର ବର୍ଷ ବୟସରେ କାରାବରଣ କରିଥିଲେ । ୧୯୩୪ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କ ସହ ପୁରୀରୁ-ଭଦ୍ରକ ହରିଜନ ପଦଯାତ୍ରାରେ ଯୋଗ ଦେଇଥିଲେ । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେବା ସହିତ ମା' ରମାଦେବୀ ଓ ଖୁଡ଼ୀ ମାଳତୀ ଚୌଧୁରୀଙ୍କ ସହିତ କୁଜଙ୍ଗରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ

କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ନଥିଲେବି ସେ 'ଦସ୍ୟୁ ହୃଦୟରେ ଦେବତା', ଆତ୍ମ ଜିବନୀ 'ଅମୃତ ଅନୁଭବ', ଗୀତାପ୍ରବଚନ, ଭାଗବତ ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ସପ୍ତ ଶକ୍ତି, ଶିକ୍ଷାତତ୍ତ୍ଵ, ଆଚାର୍ଯ୍ୟକୁଳ, ରାଷ୍ଟ୍ରୀୟ ଯୋଜନାର ମୂଳକଥା, ଶାନ୍ତି ସେନା, କାରାଗାର କାହାଣୀ, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ଵରାଜ, ଅନାସକ୍ତି ଯୋଗ ଭଳି ବହୁ ପୁସ୍ତକ ରଚନା କରିଥିଲେ ।

ପୁରା ପଢ଼ନ୍ତୁ...


ଡିସେମ୍ବର ୨୦୧୫

ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ, ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ । ୧୮୯୬ ମସିହା ଡିସେମ୍ବର ୬ ତାରିଖରେ କଟକ ଜିଲ୍ଲାସ୍ଥ ଆଠଗଡ଼ର ରାଧାନାଥପୁର ଶାସନର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ଶିକ୍ଷା, ବାଲେଶ୍ଵରର ଜୁବିଲି ସ୍କୁଲରୁ ଆରମ୍ଭ ହୋଇଥିଲା । ପରେ, ସେ କଟକର ରେଭେନ୍ସା କଲେଜିଏଟ ସ୍କୁଲରେପାଠ ପଢ଼ିଥିଲେ । ସେ, ୧୯୧୬ ମସିହାରେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ବର୍ଷ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ଵାନରେ, ୧୯୧୯ ମସିହାରେ ବନ ବିଭାଗର ଚାକିରି ଛାଡ଼ି, ସତ୍ୟବାଦୀ ପ୍ରେସରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସମାଜର ତତ୍କାଳୀନ ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ପରେ ରାଧାନାଥ ରଥ, ସମାଜର ସମ୍ପାଦକ ଦାୟିତ୍ଵ ଗ୍ରହଣ କରି ମୃତ୍ୟୁପର୍ଯ୍ୟନ୍ତ ସେହି ଦାୟିତ୍ଵ ନିର୍ବାହ କରୁଥିଲେ ।

୧୯୪୨ ମସିହାରେ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ, ସେ କାରାବରଣ କରିଥିଲେ । ୧୯୪୬ ମସିହାରୁ ୧୯୭୭ (୧୯୬୨-୭୧ ବ୍ୟତିତ) ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଆସିଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଡେପୁଟି ଡିନ ହିସାବରେ ମଧ୍ୟ କାମ କରିଥିଲେ । ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ସହ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ଓ ଉତ୍କଳ ରତ୍ନ ସମେତ ଅନେକ ସମ୍ମାନ ପ୍ରାପ୍ତ ହୋଇଥିଲେ ।

ପୁରା ପଢ଼ନ୍ତୁ...